କଥା କାଦମ୍ବରୀ ଭାଗ ୧୬
କଥା କାଦମ୍ବରୀ ଭାଗ ୧୬
ନିଯୋଗ ବିଧାନରେ ବଂଶରକ୍ଷା
ପରିବର୍ତ୍ତନଶୀଳ ଦୁନିଆଁ,ଘଡିକେ ଘୋଡା ଛୁଟେ,ଆଜି ଯାହା ଅରଖ ନୂଆ ଆସନ୍ତା କାଲିକି ତାହା ମରହଟ୍ଟୀ ଫେଶନ।ପଚାଶ ବର୍ଷ ତଳର ପୃଥିବୀ ଏବଂ ଆଜିର ପୃଥିବୀରେ ଅନେକ ସାମାଜିକ ଏବଂ ସାଂସ୍କୃତିକ ପରିବର୍ତ୍ତନ ଘଟିଛି। ତେଣୁ ପାଞ୍ଚ ହଜାର ବର୍ଷ ପୂର୍ବେ ମହାଭାରତ ଯୁଗରେ ଘଟିଥିବା ସାମାଜିକ ନୀତି ନିୟମର ତର୍ଜମା,ଆମ ସାମାଜିକ ନୀତି ନିୟମ ମାନଦଣ୍ଡ ଅନୁସାରେ ବା ଆମ ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧର ଜବକାଚରେ କରିବା ଅଧିକାର ଆମର ନାହିଁ।ବଂଶ ରକ୍ଷା କରିବା ପାଇଁ ଘରର ମୁଖିଆମାନଙ୍କ ନିଷ୍ପତ୍ତି ବା ନିର୍ଦ୍ଦେଶ ଅନୁଯାୟୀ କୁଳବଧୂ କୌଣସି ନିର୍ଦ୍ଦିଷ୍ଟ ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖି ପୁତ୍ର ଉତ୍ପାଦନ କରୁଥିଲେ। ଏହି ବିଧାନକୁ ସେ ସମୟରେ "ନିଯୋଗ ବିଧାନ"କୁହାଯାଉଥିଲା। ଏହି ପ୍ରଥା ସେ ସମୟର ସାମାଜିକ ସ୍ବୀକୃତି ମଧ୍ୟ ପାଇଥିଲା ଏବଂ ଏହା ଉପରେ ନୀତିଗତ ପ୍ରଶ୍ନ ଉଠାଇବାର ଅବକାଶ ନଥିଲା।
ଏ ଗୌର ଚନ୍ଦ୍ରିକା ଦେବାର କାରଣ ଅଛି। ହସ୍ତିନାର ସମ୍ରାଟ ବିଚିତ୍ରବୀର୍ଯ୍ୟ ଦୀର୍ଘ ସାତବର୍ଷ ପର୍ଯ୍ୟନ୍ତ ଅମ୍ବିକା ଓ ଅମ୍ବାଳିକାଙ୍କ ସହିତ ଦାମ୍ପତ୍ୟ ଅତିବାହିତ କଲେମଧ୍ୟ ପୁତ୍ର ବା କନ୍ୟା ଉପୁଜାଇ ପାରିଲେ ନାହିଁ। ବିଚିତ୍ରବୀର୍ଯ୍ୟ ଆଉ କିଛିଦିନ ବଞ୍ଚିଥିଲେ ହୁଏତ ବଂଶ ରକ୍ଷା ପାଇଁ କୁରୁ-ଜ୍ୟେଷ୍ଠମାନଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କ ସମ୍ମୁଖରେ ରାଣୀ ମାନଙ୍କୁ ପରପୁରୁଷଙ୍କ ସହିତ ରମଣ କରିବାକୁ କୁହା ଯାଇଥାନ୍ତା। କିନ୍ତୁ ସେ ସବୁ ମହାର୍ଘ ବହୁଦର୍ଶିତା ପାଇଁ ସେ ବଞ୍ଚିଲେ ନାହିଁ। ଦୁରାରୋଗ୍ୟ ରୋଗରେ ପ୍ରପୀଡ଼ିତ ହୋଇ ବିଚିତ୍ରବୀର୍ଯ୍ୟ ହସ୍ତିନାକୁ କୌଣସି ଉତ୍ତରାଧିକାରୀ ନଦେଇ ଆରପାରିକୁ ଚାଲିଗଲେ।
ଚିନ୍ତିତ ସତ୍ୟବତୀ, ଚିନ୍ତିତ ମଧ୍ୟ ଭୀଷ୍ମ। ହସ୍ତିନା ସିଂହାସନର ରକ୍ଷାକର୍ତ୍ତା ଭାବରେ ଚାହିଁ ରହିଛନ୍ତି ସେ;ଜଣେ ପରେ ଜଣେ ରାଜପୁତ୍ର କାଳ ଛଞ୍ଚାଣର ଶିକାର ହୋଇ ଚାଲିଛନ୍ତି। ଶୂନ୍ୟ ସିଂହାସନକୁ ଚାହିଁ ଦୀର୍ଘ ନିଶ୍ଵାସ ପକାଇଲେ ଗାଙ୍ଗେୟ। ସତ୍ୟବତୀଙ୍କର ମନେହେଲା ହସ୍ତିନାର ସମସ୍ତ ଦୁର୍ଭାଗ୍ୟର କାରଣ ସେ ନିଜେ। ସାମାନ୍ୟ ସ୍ବାର୍ଥ ପାଇଁ ତାଙ୍କ ପିତା ଦାସରାଜ ଯେଉଁ ଅକ୍ଷମଣୀୟ ଅପରାଧ କରିଛନ୍ତି ତାର ଫଳ ସ୍ବରୂପ ଗଭୀର ମାନସିକ ଯନ୍ତ୍ରଣା ନିଜେ ସତ୍ୟବତୀ ଭୋଗ କରୁଛନ୍ତି।ନିଜ ଆଖିଆଗରେ ଦୁଇପୁତ୍ର ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟଙ୍କୁ ହରାଇବାର ଦୁଃଖକୁ ଶତଗୁଣିତ କରୁଥିଲା ଶୂନ୍ୟ ହସ୍ତିନା ସିଂହାସନର ଦୃଶ୍ୟ।
ମହର୍ଷି ପରାଶରଙ୍କ କଥା ମନେପଡିଲା ତାଙ୍କର। ସତ୍ୟବତୀଙ୍କ ସହିତ ଯମୁନା ଭିତରେ ପ୍ରଣୟ କରି ପୁତ୍ର ଦାନ କରିବା ସମୟରେ ପରାଶର ସତ୍ୟବତୀଙ୍କୁ କହିଥିଲେ.. ଇତିହାସ ଦିନେ ହସ୍ତିନା ସିଂହାସନର ଦାୟିତ୍ଵ ତୁମ ହସ୍ତରେ ସମର୍ପଣ କରିବ ସତ୍ୟବତୀ;ସେ ସମୟରେ ତୁମେ ନିର୍ଣ୍ଣୟ କରିବ ତା'ର ଉତ୍ତରାଧିକାରୀ।
ଭୂଲୁଣ୍ଠିତ ହସ୍ତିନାର ରାଜମୁକୁଟକୁ ଉଠାଇ ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇ ରହିଲେ ସତ୍ୟବତୀ,କାହା ମସ୍ତକରେ ସ୍ଥାପନ କରିବେ ଏ ରାଜମୁକୁଟ?
ଭୀଷ୍ମଙ୍କୁ ପାଖକୁ ଡାକି ଅନୁରୋଧ କଲେ ସତ୍ୟବତୀ... ହସ୍ତିନାର ଶୂନ୍ୟ ସିଂହାସନକୁ ଥରେ ଦୃଷ୍ଟିଦିଅ ପୁତ୍ର, ଚାହୁଁ ଚାହୁଁ ଆଖି ଆଗରେ କଣ କୁରୁବଂଶ ଏପରି ଶେଷ ହୋଇଯିବ ? ବଂଶ ରକ୍ଷାର କିଛି ଉପାୟ କର।ତୁମର ଭୀଷ୍ମ ପ୍ରତିଜ୍ଞା ଏହିଠାରେ ସମାପ୍ତ ହେଉ;ଅମ୍ଵିକା ଓ ଅମ୍ବାଳିକାଙ୍କର ପାଣି ଗ୍ରହଣ କରି ହସ୍ତିନା ସିଂହାସନକୁ ଉତ୍ତରାଧିକାରୀ ଦିଅ ପୁତ୍ର।"
ଧୀର ଅଥଚ ଦୃଢ଼ କଣ୍ଠରେ ଭୀଷ୍ମ କହିଲେ...ଏହା ଯେ ସମ୍ପୂର୍ଣ୍ଣ ଅସମ୍ଭବ ମାତେ !"
ଉପସ୍ଥିତ ବୃଦ୍ଧ ଦାସରାଜ କହିଲେ.. କାହିଁକି ଅସମ୍ଭବ ?ଗଙ୍ଗାପୁତ୍ରଙ୍କର ଭୀଷ୍ମ ପ୍ରତିଜ୍ଞାର କାରଣ ହେଉଛି ନିଜେ ମୁଁ ଦାସରାଜ। ଆଜି ମୁଁ ମଧ୍ୟ ତୁମ୍ଭଠାରୁ ସେ ପ୍ରତିଜ୍ଞା ଫେରାଇ ନେବାପାଇଁ ଚାହେଁ ଗଙ୍ଗା ପୁତ୍ର।
ଭୀଷ୍ମ କହିଲେ...ପୂଜ୍ୟ ଦାସରାଜ ! ପ୍ରତିଜ୍ଞା ରକ୍ଷାକରିବା ନ'କରିବାର ଅଧିକାର କେବଳ ପ୍ରତିଜ୍ଞାକାରୀ ଠାରେ ନିହିତ।ଚନ୍ଦ୍ର ସୂର୍ଯ୍ୟ ହୁଏତ ସେମାନଙ୍କ ଗତିପଥ ପରିବର୍ତ୍ତନ କରିପାରନ୍ତି,ସାଗର ସତ୍ୟ ଭାଙ୍ଗି ତାର କୂଳ ଲଙ୍ଘି ପାରେ,ଜଳ ହୁଏତ ତା'ର ପ୍ରକୃତି ପରିବର୍ତ୍ତନକରି ଉର୍ଦ୍ଧ୍ବମୁଖୀ ହୋଇପାରେ, ଅଗ୍ନି ତାର ଗୁଣ ଭୁଲି ଭସ୍ମ କରିବା ପରିବର୍ତ୍ତେ ଶୀତଳତା ଦେଇପାରେ, କିନ୍ତୁ ଭୀଷ୍ମ ତାର ଚିରକୌମାର୍ଯ୍ୟ ଶପଥ ତ୍ୟାଗକରିବା ଅସମ୍ଭବ ଦାସରାଜ।
ନିରାଶ ଦୃଷ୍ଟିରେ ସତ୍ୟବତୀ ଭୀଷ୍ମଙ୍କୁ ଚାହିଁଲେ ଏବଂ କହିଲେ...ତାହେଲେ ରାଣୀ ମାନଙ୍କର ନିଯୋଗ ବିଧାନ କରି ବଂଶରକ୍ଷା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ଭୀଷ୍ମ; ସେଥିପାଇଁ ଯାଅ, କୃଷ୍ଣ ଦ୍ବାପ୍ୟାୟନ ବ୍ୟାସଙ୍କୁ ମୋ ପାଖକୁ ନେଇ ଆସ।"
ଆଶ୍ଚର୍ଯ଼୍ୟ ହୋଇ ଗଙ୍ଗା ପୁତ୍ର ସତ୍ୟବତୀଙ୍କୁ ଚାହିଁ ପଚାରିଲେ..ନିଯୋଗ ବିଧାନ ସହିତ ବ୍ୟାସଦେବଙ୍କର କଣ ସମ୍ବନ୍ଧ ମାତେ ! ତାଙ୍କର ଏଠାରେ କି କାର୍ଯ୍ୟ !
ସତ୍ୟବତୀ କହିଲେ...କୁରୁ ବଂଶୀଙ୍କ ସହିତ ମହର୍ଷି ବ୍ୟାସଙ୍କର ସମ୍ବନ୍ଧ କଣ,ତୁମେ ନିଜେ ତାଙ୍କୁ ପଚାରିବ ପୁତ୍ର,ସେ ତୁମ ପ୍ରଶ୍ନର ସଠିକ ଉତ୍ତର ଦେବେ।"
ମାତାଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ବ୍ୟାସଦେବଙ୍କ ଆଶ୍ରମରେ ପହଞ୍ଚିଲେ ଗଙ୍ଗାପୁତ୍ର ଭୀଷ୍ମ।ଗଙ୍ଗାପୁତ୍ରଙ୍କୁ ଦେଖି ସ୍ମିତ ହସି ମହର୍ଷି କହିଲେ... ମୁଁ ଜାଣିଥିଲି ଗାଙ୍ଗେୟ ତୁମେ ଆସିବ। ମହର୍ଷି ପରାଶରଙ୍କ ଭବିଷ୍ୟବାଣୀ ଏବେ ଫଳବତୀ ହେବାପାଇଁ ଯାଉଛି।କାଳ ଠିକ୍ ସମୟରେ ତାର କାର୍ଯ୍ୟ କରିଯିବ,ଆମେ ସମସ୍ତେ ନିମିତ୍ତ ମାତ୍ର। ମାତା ସତ୍ୟଵତୀଙ୍କ ଆଦେଶ ପାଳନ କରିବାପାଇଁ ମୋତେ ହସ୍ତିନା ରାଜପୁରୀକୁ ଯିବାପାଇଁ ପଡ଼ିବ।
ସର୍ବଜ୍ଞାତା, ତ୍ରିକାଳ ଦର୍ଶୀ,ବେଦର ବ୍ୟାଖ୍ୟାକାର ମହାପଣ୍ଡିତ ବ୍ୟାସଙ୍କର ଏ ଉକ୍ତି ଶୁଣି ଆଶ୍ଚର୍ଯ୍ୟ ହେଲେ ଭୀଷ୍ମ। ମହର୍ଷି ପରାଶରଙ୍କର ଭବିଷ୍ୟବାଣୀ କଣ, ବୁଝି ପାରିଲେ ନାହିଁ ଗାଙ୍ଗେୟ।ବିନମ୍ରତାସହିତ କରପତ୍ର ଯୋଡ଼ି ରହସ୍ୟ ଉନ୍ମୋଚନ କରିବାପାଇଁ ବ୍ୟାସଙ୍କୁ ଅନୁରୋଧ କଲେ ଭୀଷ୍ମ।
ବ୍ୟାସଦେବ କହିଲେ...ହେ ଗଙ୍ଗା ପୁତ୍ର ! ସତ୍ୟବତୀ କେବଳ ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟଙ୍କ ମାତା ନୁହନ୍ତି,ସେ ମଧ୍ୟ ମୋର ମାତା। ଋଷି ପରାଶରଙ୍କ ଔରଷରୁ ସତ୍ୟବତୀଙ୍କ ଗର୍ଭରୁ ମୋର ଜନ୍ମ।ମୋର ଜନ୍ମ ସମୟରେ ପିତା ମୋ ମାତାଙ୍କୁ କହିଥିଲେ...ସତ୍ୟବତୀ ! ଦିନେ ହସ୍ତିନାର ଦାୟିତ୍ଵ ତୁମ ଉପରେ ପଡ଼ିବ।ସେ ସମୟରେ ଆମର ଏହି ପୁତ୍ର ହସ୍ତିନାର ରାଜବଂଶ ରକ୍ଷାକରି ତୁମକୁ ଦାୟିତ୍ଵ ତୁଲାଇବାରେ ସାହାଯ୍ୟ କରିବ।ଏବେ ଚାଲ ମାତା ସତ୍ୟବତୀଙ୍କ ନିର୍ଦ୍ଦେଶ କଣ ଜାଣିବା।
ସତ୍ୟବତୀଙ୍କ ପାଖରେ ପହଞ୍ଚି ମାତାଙ୍କ ପାଦରେ ପ୍ରଣାମ କରି ମହର୍ଷି ବ୍ୟାସ ପଚାରିଲେ...ଏ ଦାସାନୁଦାସ ହସ୍ତିନା ରାଜବଂଶର କେଉଁ କାର୍ଯ୍ୟରେ ଆସିବ ,ଆଦେଶ କରନ୍ତୁ ଜନନୀ।
ସତ୍ୟବତୀ କହିଲେ... ତ୍ରିକାଳଦର୍ଶୀ ପୁତ୍ର ମୋର,ତୁମକୁ କିଛି ଅଜଣା ନାହିଁ।ମୋର ଆଦେଶକୁ ଅପେକ୍ଷା ନକରି,କାଳ ନିର୍ଦ୍ଦେଶରେ ତୁମେ ତୁମର କାର୍ଯ୍ୟ କର ପୁତ୍ର। ମୁଁ ଅମ୍ବିକା ଓ ଅମ୍ବାଳିକାଙ୍କୁ ସେବାପାଇଁ ତୁମ ପାଖକୁ ପଠାଇ ଦେଉଛି ନିଯୋଗ ବିଧାନରେ ସେମାନଙ୍କ ସହିତ ସହବାସ କରି ହସ୍ତିନାକୁ ତାର ଉତ୍ତରାଧିକାରୀ ଦାନ କର ।
ବ୍ୟାସଦେବ କହିଲେ... ମୋର ତପସ୍ୟା ପରେ ମୁଁ ଶାରୀରିକ ଏବଂ ମାନସିକ ଭାବରେ ପ୍ରସ୍ତୁତ ନୁହେଁ।ମୋର ରୂପ ଓ ତେଜ ହୁଏତ ଅମ୍ବିକା ଓ ଅମ୍ବାଳିକାଙ୍କୁ ଭୟଭୀତ କରିପାରେ, ଉଦ୍ଦେଶ୍ୟ ସାଧନରେ ବାଧା ସୃଷ୍ଟି କରିପାରେ। ସେଥିପାଇଁ ମୋତେ ଏକ ବର୍ଷ ସମୟ ଦିଅ ଜନନୀ,ମୋତେ ପ୍ରସ୍ତୁତ ହେବାପାଇଁ ଦିଅ।
କିନ୍ତୁ ସତ୍ୟବତୀଙ୍କର ଧୈର୍ଯ୍ୟ ନଥିଲା। ସତ୍ୟବତୀ କହିଲେ...ବ୍ୟାସ ! ଏକ ବର୍ଷ ମୋ ପାଇଁ ଦୀର୍ଘ ସମୟ। ଅପେକ୍ଷାର ଯନ୍ତ୍ରଣା ଆଉ ଦିଅ ନାହିଁ ପୁତ୍ର,ଅମ୍ବିକା ଓ ଅମ୍ବାଳିକାଙ୍କୁ ତୁମର ଆଶୀର୍ବାଦ ପ୍ରଦାନ କର।
"ଜନନୀଙ୍କର ଯେପରି ଇଚ୍ଛା," କହି ବ୍ୟାସ ପ୍ରସ୍ଥାନ କଲେ।
ମହର୍ଷିଙ୍କ ସେବାପାଇଁ ପ୍ରଥମେ ଗଲେ ଅମ୍ବିକା।ବ୍ୟାସଦେବଙ୍କର ଦୀର୍ଘ ସ୍ମଶ୍ରୁ, ପ୍ରଜ୍ବଳିତ ଚକ୍ଷୁ ଏବଂ ଭଷ୍ମଲିପ୍ତ ଶରୀର ଦେଖି ସହବାସ ସମୟରେ ଭୟରେ ଆଖି ବୁଜିଦେଲେ ଅମ୍ବିକା,ଭୟରେ ସ୍ବେଦାକ୍ତ ହେଲା ତାଙ୍କ ଶରୀର।ଅମ୍ବିକାଙ୍କ ସହିତ ସହବାସ ପରେ ସତ୍ୟବତୀଙ୍କ ପାଖକୁ ଯାଇ ବ୍ୟାସ କହିଲେ...ମୋର ଯେଉଁ ଆଶଙ୍କା ଥିଲା, ତାହାହିଁ ଘଟିଲା ଜନନୀ।ମୋତେ ଦେଖି ଅମ୍ବିକା ଭୟରେ ଆଖି ବୁଜିଦେଲେ
ଫଳରେ ମୋ ଔରଷରୁ ତାଙ୍କ ଗର୍ଭରୁ ଯେଉଁ ସନ୍ତାନ ଜନ୍ମହେବ ସେ ହେବ ଜନ୍ମାନ୍ଧ।"
ସତ୍ୟବତୀ ଚମକି ପଡିଲେ...ଏ ପୁଣି କି ଅଭିଶାପ ହସ୍ତିନା ରାଜ ବଂଶକୁ ପୁତ୍ର? ହସ୍ତିନାର ଭାବି ସମ୍ରାଟ ହେବ ଅନ୍ଧ !! କେଉଁ ଅପଦେବତାର ଏ ଅଭିଶାପ ହସ୍ତିନା ରାଜପରିବାରକୁ?"
ବ୍ୟାସଦେବ କହିଲେ... ସନ୍ତାନ ମାତାର ମନୋଭାବନାକୁ ନେଇ ଜନ୍ମଲାଭ କରେ ଜନନୀ।ଅମ୍ବିକାଙ୍କର ଭୟ ଓ ଦୁର୍ଭାବନା ପ୍ରତିଫଳିତ ହେବ ନବଜାତକଠାରେ।
ଅମ୍ବାଳିକାଙ୍କୁ ମହର୍ଷିଙ୍କ ସହିତ ସହବାସ ପାଇଁ ବୁଝାଇଶୁଝାଇ ପଠାଇଲେ ସତ୍ୟବତୀ। ମହର୍ଷିଙ୍କ ରୂପ ମଧ୍ୟ ଅମ୍ବାଳିକାଙ୍କ ମନରେ ଭୟ ସୃଷ୍ଟି କଲା। କିନ୍ତୁ ସହବାସ ସମୟରେ ସେ ଚକ୍ଷୁ ବନ୍ଦ କରି ନଥିଲେ।ବ୍ୟାସ କହିଲେ...ଅମ୍ବାଳିକାଙ୍କ ସନ୍ତାନ ଦୁର୍ବଳ ଓ ପାଣ୍ଡୁର ବର୍ଣ୍ଣ ହେବ।
ପ୍ରଚୁର ଚିନ୍ତାରେ ଘାରି ହେଲେ ସତ୍ୟବତୀ।କୁରୁ ରାଜବଂଶକୁ ଏକ ଜନ୍ମାନ୍ଧ ଓ ଦୁର୍ବଳ ରାଜପୁତ୍ର କିପରି ରକ୍ଷା କରି ପାରିବେ !ଅନନୋପାୟ ଅମ୍ବିକାଙ୍କ ଦାସୀକୁ ମହର୍ଷିଙ୍କ ସହିତ ସହବାସ କରିବାପାଇଁ ପଠାଇଲେସତ୍ୟବତୀ। ମହର୍ଷିଙ୍କ ଅନୁଗ୍ରହ ଆଶାରେ ଦାସୀ ମହା ଆନନ୍ଦରେ ବ୍ୟାସଙ୍କ ସହିତ ସହବାସ କଲା।ପ୍ରାସାଦ ଛାଡ଼ିବା ସମୟରେ ବ୍ୟାସଦେବ କହି ଦେଇ ଗଲେ...ଦାସୀ ର ପୁତ୍ର ହେବ ମହା ବିଦ୍ୱାନ ଓ ସର୍ବଗୁଣ ସମ୍ପନ୍ନ।
