କଥା କାଦମ୍ବରୀ ଭାଗ- ୧୨
କଥା କାଦମ୍ବରୀ ଭାଗ- ୧୨
ତିନୋଟି ରତ୍ନ ମଣିମା !
(ପୂର୍ବ ପ୍ରକାଶିତ ଉତ୍ତାରୁ)
....
ମହାଭାରତ ସାମାନ୍ୟ କାହାଣୀ ନୁହେଁ,ଏହା ପ୍ରେମ,ବୀରତ୍ବ ଓ ପୁରୁଷାର୍ଥର କାହାଣୀ,ଏହା ସ୍ବାର୍ଥ ଓ ପରମାର୍ଥର କାହାଣୀ।ଏହା ବିଶ୍ବର ଅଦ୍ୱିତୀୟ ମହାକାବ୍ୟ।ଏହାର ଚରିତ୍ର ମାନେ ଏବେ ମଧ୍ୟ ଘୁରି ବୁଲନ୍ତି ଭାରତର ଗ୍ରାମ,ସହରର ଗଳିକନ୍ଦିରେ।ପ୍ରତି ଭାରତୀୟ ତାର ତନ୍ତ୍ରୀରେ ଅନୁଭବ କରେ ମହାଭାରତର ପ୍ରତିଟି ଚରିତ୍ରର ସ୍ପନ୍ଦନ।
ଭୀଷ୍ମଙ୍କର ପ୍ରଚଣ୍ଡ ପ୍ରତିଜ୍ଞା ବନଅଗ୍ନି ପରି ସମଗ୍ର ହସ୍ତିନାରେ ବ୍ଯାପିଗଲା; ତାହା ପ୍ରତ୍ୟେକ ଘରେ ଆଲୋଚନାର ବିଷୟବସ୍ତୁ ହୋଇଗଲା। ସମସ୍ତଙ୍କ ମନରେ ପ୍ରଶ୍ନ... ସତ୍ୟବତୀଙ୍କର ସନ୍ତାନ ମାନେ ଯେବେ ଦେବବ୍ରତଙ୍କ ପରି ଯୋଗ୍ୟ ନହେବେ ତାହେଲେ ଶାନ୍ତନୁଙ୍କ ପରେ କ'ଣ ହେବ ହସ୍ତିନାର ଭାଗ୍ୟ?
ଦିନେ ପୂର୍ଣ୍ଣ ଦରବାରରେ ମହାମାତ୍ୟ ଏହି ପ୍ରଶ୍ନ ଶାନ୍ତନୁଙ୍କୁ ପଚାରିଲେ... ମହାମହିମ ! ପ୍ରଜାଙ୍କ ମନରେ ପ୍ରଶ୍ନ ଯେ ସିଂହାସନରେ ବସି ହସ୍ତିନାକୁ ଶାସନ କରିବାର ଯୋଗ୍ୟତା କଣ ଜନ୍ମଗତ ନା କର୍ମଗତ ?
ରାଜସଭାରେ ଉପସ୍ଥିତ ଥିଲେ ଯୁବରାଜ ଭୀଷ୍ମ।ବିନମ୍ରତା ସହିତ ସେ କହିଲେ....ହେ ମହାମାତ୍ୟ ,ପ୍ରଜା ମାନଙ୍କର ଶଙ୍କା ବିଷୟରେ ମୁଁ ଅବଗତ।ମାତା ସତ୍ୟବତୀଙ୍କ ସନ୍ତାନ ମାନେ ଅଯୋଗ୍ୟ ହେଲେ ସିଂହାସନ ନିରାପଦ ରହିବନାହିଁ ବୋଲି ପ୍ରଜାମାନେ ଯଦି ଚିନ୍ତା କରୁଥାନ୍ତି, ତାହା ନିରର୍ଥକ। ଇଚ୍ଛାମୃତ୍ୟୁ ବରଦାନ ଲାଭ କରିଥିବା ମୁଁ ଗଙ୍ଗା ପୁତ୍ର ଆଜି ଏହି ରାଜସଭା ମାଧ୍ୟମରେ ହସ୍ତିନାର ଜନ ସାଧାରଣଙ୍କୁ ଜଣାଇଦେବା ପାଇଁ ଚାହେଁ ଯେ ହସ୍ତିନା ସିଂହାସନ ସହିତ ମୁଁ ବନ୍ଧା ହୋଇ ରହିଥିବି;ମୋ ଆଗରେ ପ୍ରଜାମାନଙ୍କର ସ୍ବାର୍ଥ ସର୍ବୋପରି ରହିବ ଏବଂ ସିଂହାସନ ଯୋଗ୍ୟ ରାଜା ହାତକୁ ନଯିବା ପର୍ଯ୍ୟନ୍ତ ମୁଁ ପ୍ରାଣତ୍ୟାଗ କରିବି ନାହିଁ।"
ଏଭଳି ନିଃସ୍ଵାର୍ଥପର ଦେଶଭକ୍ତିର ପରାକାଷ୍ଠା ବିଶ୍ବ ଇତିହାସ ରେ ବିରଳ।
ଶାନ୍ତନୁ ସତ୍ୟବତୀଙ୍କ ପାଣି ଗ୍ରହଣ କରି ମଧୁମୟ ଦାମ୍ପତ୍ୟ ଅତିବାହିତ କଲେ।କାଳକ୍ରମେ ସତ୍ୟବତୀଙ୍କ କୋଳ ମଣ୍ଡନ କଲେ ଦୁଇଟି ପୁତ୍ର, ଚିତ୍ରାଙ୍ଗଦ ଓ ବିଚିତ୍ର ବୀର୍ଯ୍ୟ।ଦୁଇ ପୁତ୍ରଙ୍କ ଆଗମନରେ ଶାନ୍ତନୁଙ୍କ ମନ ଆନନ୍ଦରେ ପୂରିଗଲା। କିନ୍ତୁ ଦେବବ୍ରତଙ୍କର ଭୀଷ୍ମ ପ୍ରତିଜ୍ଞା ରାଜାଙ୍କ ହୃଦୟରେ ଶେଳବିଦ୍ଧ ଦୁଃଖ ହୋଇ ରହିଗଲା; ବାରମ୍ବାର ବିବେକର ବୃଶ୍ଚିକ ଦଂଶନ ତାଙ୍କୁ ବିଚଳିତ କଲା।ପୁତ୍ରର ଚିର-କୌମାର୍ଯ୍ୟ ପାଇଁ ନିଜକୁ ଦାୟୀ କରି ସେ ଦୁଃଖରେ ମ୍ରିୟମାଣ ହୋଇପଡିଲେ।ବିବେକର ଦଂଶନରେ ଶାନ୍ତନୁଙ୍କ ସ୍ବାସ୍ଥ୍ୟ ଭାଙ୍ଗିପଡିଲା।ଋଗ୍ଣ ଶାନ୍ତନୁ କିଛି କାଳ ପରେ ଇହଧାମ ତ୍ୟାଗ କଲେ।
ମାତା ସତ୍ୟବତୀଙ୍କ ପରାମର୍ଶ କ୍ରମେ ଚିତ୍ରାଙ୍ଗଦଙ୍କୁ ରାଜସିଂହାସନରେ ବସାଇଲେ ଭୀଷ୍ମ।ଚିତ୍ରାଙ୍ଗଦ ଅମୀତ ବିକ୍ରମ ଶାଳୀ ଥିଲେ।ଯୁଦ୍ଧ ଏବଂ ରାଜ୍ୟ ଜୟ ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା।ଯୁବକ ଚିତ୍ରାଙ୍ଗଦଙ୍କର ଏହି ଅଭିଯାନରେ ବାଧା ଦେଲେ ନାହିଁ ଭୀଷ୍ମ,କାରଣ ବୀରତ୍ବ କ୍ଷତ୍ରିୟର ଅଳଂକାର। ଚିତ୍ରାଙ୍ଗଦ ରାଜ୍ୟ ବାହାରେ ରହି ଯୁଦ୍ଧ କରୁଥିବା ସମୟରେ ହସ୍ତିନାରେ ରହି ନୂତନ ରାଜାଙ୍କ ପ୍ରତିନିଧି ଭାବରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ ଭୀଷ୍ମ।
ଏ ଭିତରେ ଏକ ଅଘଟଣ ଘଟିଗଲା।ଏକ ପରାକ୍ରମୀ ଗନ୍ଧର୍ବ ସହିତ ଚିତ୍ରାଙ୍ଗଦ ମୁହାଁମୁହିଁ ହୋଇ ଗଲେ। ସେହି ଗନ୍ଧର୍ବର ନାମ ମଧ୍ୟ ଥିଲା ଚିତ୍ରାଙ୍ଗଦ। ହସ୍ତିନା ନରେଶଙ୍କୁ ଆହ୍ବାନ ଦେଇ ଗନ୍ଧର୍ବ କହିଲା.... ଗୋଟିଏ କୋଷ ଭିତରେ ଦୁଇଟି ଖଡ୍ଗ ରହିପାରନ୍ତି ନାହିଁ ; ଗୋଟିଏ ଜଙ୍ଗଲରେ ଦୁଇଟି ସିଂହ ମଧ୍ୟ ରହିବା ଅସମ୍ଭବ।ପୃଥିବୀ ପୃଷ୍ଠରେ ଗୋଟିଏ ଚିତ୍ରାଙ୍ଗଦ ହିଁ ରହିବେ ହସ୍ତିନା ନରେଶ ! ଯୁଦ୍ଧରେ ମୋତେ ପରାସ୍ତ କରି ତୁମେ ମୋତେ ହତ୍ୟାକର,ଅଥବା ମୁଁ ତୁମକୁ ଯୁଦ୍ଧରେ ହତ୍ୟା କରେ ଜଣେ ହିଁ ଚିତ୍ରାଙ୍ଗଦ ରହିବ। ଶୁଣିଛି ତୁମର ଜ୍ୟେଷ୍ଠଭ୍ରାତ ଭୀଷ୍ମ କୁଆଡେ ଅତି ପରାକ୍ରମଶାଳୀ,ଆବଶ୍ୟକ ହେଲେ ତାଙ୍କୁ ମଧ୍ୟ ଡକାଇ ଆଣ ତୁମର ରକ୍ଷାପାଇଁ।"
ତାତ୍ସଲ୍ୟପୂର୍ଣ୍ଣ ହସ ହସି ହସ୍ତିନା ନରେଶ ଚିତ୍ରାଙ୍ଗଦ କହିଲେ... ନିଜ ବୀରତ୍ବ ଉପରେ ବଡ଼ ଅହଂକାର ତୁମର ଉଦ୍ଧତ ଗନ୍ଧର୍ବ। ମୁଁ ହିଁ ତୁମପାଇଁ ଯଥେଷ୍ଟ,ତୁମେ ମକ୍ଷୀଠାରୁ ମଧ୍ୟ ହୀନ। ଭ୍ରାତା ଭୀଷ୍ମଙ୍କୁ ମକ୍ଷୀ ମାରିବାପାଇଁ ଡାକିବା ଆବଶ୍ୟକ ନାହିଁ।
ଘୋର ସଂଗ୍ରାମ ଲାଗିଗଲା ହସ୍ତିନା ନରେଶ ଚିତ୍ରାଙ୍ଗଦ ଏବଂ ଗନ୍ଧର୍ଵ ଚିତ୍ରାଙ୍ଗଦ ମଧ୍ୟରେ ।ଦୀର୍ଘ ତିନି ବର୍ଷ ଲାଗିରହିଲା ଏ ସଂଗ୍ରାମ।ଶେଷରେ ଗନ୍ଧର୍ଵ ଚିତ୍ରାଙ୍ଗଦ ହାତରେ ହସ୍ତିନା ରାଜା ଚିତ୍ରାଙ୍ଗଦ ବୀରଗତି ପ୍ରାପ୍ତ ହେଲେ।
ଅନେକେ ପ୍ରଶ୍ନ କରନ୍ତି....ଚିତ୍ରାଙ୍ଗଦ ଗନ୍ଧର୍ଵ ସହିତ ଭୀଷ୍ମ କାହିଁକି ଯୁଦ୍ଧ କଲେନାହିଁ ? କାହିଁକି କନିଷ୍ଠଭ୍ରାତାର ପ୍ରାଣ ରକ୍ଷା କଲେନାହିଁ ଭୀଷ୍ମ?
ମହାଭାରତରେ ଏ ସମ୍ବନ୍ଧରେ ଅଧିକ କିଛି ଲେଖାଯାଇନାହିଁ। କିନ୍ତୁ ଏହା ଅନୁମେୟ ଯେ କନିଷ୍ଠ ଭ୍ରାତା ଚିତ୍ରାଙ୍ଗଦଙ୍କ ବୀରତ୍ବ ଉପରେ ଯଥେଷ୍ଟ ଆସ୍ଥା ଥିଲା ଭୀଷ୍ମଙ୍କର।ସେ କେବେ ଭାବି ପାରି ନଥିଲେ ଯେ ଗନ୍ଧର୍ଵ ହାତରେ ହସ୍ତିନା ସମ୍ରାଟ ବୀରଗତି ପ୍ରାପ୍ତ ହେବେ। ଦ୍ବିତୀୟରେ ହସ୍ତିନା ସିଂହାସନର ରକ୍ଷଣ ଦାୟିତ୍ଵ ଥିଲା ତାଙ୍କ ଉପରେ; ହସ୍ତିନା ରାଜାଙ୍କର ନୁହେଁ;ନିଜ ରକ୍ଷଣ କ୍ଷତ୍ରିୟର ନିଜ ଦାୟିତ୍ୱ।
ଚିତ୍ରାଙ୍ଗଦଙ୍କ ମୃତ୍ୟୁ ପରେ ହସ୍ତିନାର ରାଜମୁକୁଟ ବିଚିତ୍ରବୀର୍ଯ୍ୟଙ୍କ ମସ୍ତକରେ ସ୍ଥାପନ କଲେ ଭୀଷ୍ମ।ବୀଚିତ୍ରବୀର୍ଯ୍ୟଙ୍କ ବୀରତ୍ବ ବିଷୟରେ ମହାଭାରତରେ ବିଶେଷ ଉଲ୍ଲେଖ ନାହିଁ।ନାମରୁ ଜଣାଯାଏ ଯେ ସେ ଅଦ୍ଭୁତ ବଳଶାଳୀ ଥିଲେ(ବିଚିତ୍ର ଯାହାଙ୍କର ବୀର୍ଯ୍ୟ ବା ବଳ)।କିନ୍ତୁ ନାମ ସହିତ କାମର କଣ ବା ସମ୍ପର୍କ ? ବରଂ କାଶୀ ରାଜାଙ୍କ ସ୍ବୟଂବର ସଭାରେ ତାଙ୍କ ଅନୁପସ୍ଥିତି ତାଙ୍କ ବୀରତ୍ବ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ।
ବିଚିତ୍ରବୀର୍ଯ୍ୟଙ୍କ ରାଜ୍ୟାଭିଷେକ ପରେ ତାଙ୍କ ବିବାହ ପାଇଁ କନ୍ୟା ଅନ୍ବେଷଣ କରୁଥିଲେ ଭୀଷ୍ମ। ଏହି ସମୟରେ ହସ୍ତିନାର ଗୁପ୍ତଚର ଜରୀଆରେ ସମ୍ବାଦ ପହଞ୍ଚିଲା,କାଶୀରାଜ କନ୍ୟାମାନଙ୍କର ସ୍ବୟଂବର ଆୟୋଜନ କରୁଛନ୍ତି। ସମ୍ବାଦ ବାହକକୁ ଭୀଷ୍ମ ପ୍ରଶ୍ନ କଲେ.. କେତୋଟି ରତ୍ନ ପାଇଁ ଏ ଆୟୋଜନ କାଶୀରାଜଙ୍କର?
ସମ୍ବାଦ ବାହକ ଉତ୍ତର ଦେଲେ.... ତିନୋଟି ରତ୍ନ ମଣିମା..ଅମ୍ବା,ଅମ୍ବିକା ଓ ଅମ୍ବାଳିକା।
ଭାରତ ଭୂଖଣ୍ଡର ସମସ୍ତ ନରପତିଙ୍କୁ ନିମନ୍ତ୍ରଣ କରିଥିଲେ କାଶୀ ନରେଶ, କିନ୍ତୁ ହସ୍ତିନା ନରେଶ ବିଚିତ୍ରବୀର୍ଯ୍ୟଙ୍କୁ ନିମନ୍ତ୍ରଣ କରି ନଥିଲେ।କାଶୀର ମହାମନ୍ତ୍ରୀ କାଶୀ ରାଜାଙ୍କୁ ଉପଦେଶ ଦେଇ କହିଲେ....କାଳକାଳ ଧରି ହସ୍ତିନା ଓ କାଶୀ ମଧ୍ୟରେ ସୁସମ୍ପର୍କ ରହିଆସିଛି ମହାରାଜ୍।ଅତୀତରେ ଚନ୍ଦ୍ରବଂଶୀ ମହାରାଜା ଭରତ କାଶୀ ରାଜକନ୍ୟା ସୁନନ୍ଦାଙ୍କର ପାଣି ଗ୍ରହଣ କରିଥିଲେ।ସେ ସମ୍ପର୍କର ପୁନରାବୃତ୍ତି କରିଵା ସମୟ ଆସିଛି ମହାରାଜ୍।ଗଙ୍ଗାପୁତ୍ର ଅତି ଶକ୍ତି ଶାଳୀ। ବନ୍ଧୁତା ସୂତ୍ରରେ ତାଙ୍କୁ ଲାଭକଲେ କାଶୀର ଶକ୍ତି ବୃଦ୍ଧି ହେବସିନା, କମ୍ ହେବନାହିଁ।ତେଣୁ ହସ୍ତିନାକୁ ନିମନ୍ତ୍ରଣ କରନ୍ତୁ।"
-"ବାଚାଳତା ବନ୍ଦ୍ କରନ୍ତୁ ମହାମନ୍ତ୍ରୀ !"କାଶୀରାଜ ଗର୍ଜିଉଠିଲେ।ଶାନ୍ତନୁ ଜୀବିତ ଥିବା ସମୟରେ ମୋର ଭଗ୍ନୀ ସହିତ ଦେବବ୍ରତଙ୍କର ବିବାହ ପାଇଁ ପିତାଶ୍ରୀ ଯେତେବେଳେ ପ୍ରସ୍ତାବ ନେଇ ଯାଇଥିଲେ, ସେ ସମୟରେ ଦେବବ୍ରତ ସ୍ପଷ୍ଟ ମନା କରିଦେଇଥିଲେ।ଏହା ଘୋର ଅପମାନ ଜନକ ଘଟଣା ଥିଲା କାଶୀ ପାଇଁ।ସେ ଅପମାନର ପ୍ରତିଶୋଧ ନେବା ସମୟ ଆଜି ଆସିଛି।"
ମହାମାତ୍ୟ ପୁଣିଥରେ ଚେତାବନୀ ଦେଇ କହିଲେ..ମହାରାଜ,ପ୍ରଳୟର ଅନ୍ୟ ନାମ ଭୀଷ୍ମ, ଭଗବାନ କରନ୍ତୁ ସେ ପ୍ରଳୟ ଝଞ୍ଜା କାଶୀ ଉପରକୁ ମାଡି ନଆସୁ।"
କାଶୀରାଜ କହିଲେ....ଏ ଅଯଥା ପ୍ରଳାପ ଶୁଣିବାକୁ ମୋ ପାଖରେ ସମୟର ଘୋର ଅଭାବ ମହାମନ୍ତ୍ରୀ।"
ନିମନ୍ତ୍ରଣ ନକରିବା କେବଳ ହସ୍ତିନା ପ୍ରତି ଅପମାନ ନଥିଲା,ଥିଲା ହସ୍ତିନାର ଶକ୍ତି ପ୍ରତି ଘୋର ଅବଜ୍ଞା।ଏ ଅପମାନକୁ ସହଜରେ ଆତ୍ମସ୍ଥ କରି ପାରିଲେ ନାହିଁ ଗଙ୍ଗାପୁତ୍ର ଭୀଷ୍ମ। ଏଭଳି ଅବମାନନା କରି ସୁପ୍ତ ସିଂହକୁ ଜାଗ୍ରତ କରିବାର ଧୃଷ୍ଟତା କରିଛି କାଶୀ।ତାର ଫଳ ତାକୁ ଭୋଗିବାକୁ ପଡ଼ିବ।
ସତ୍ୟବତୀ ଙ୍କ ପାଖରେ ପହଞ୍ଚି ଦେବବ୍ରତ କହିଲେ..ମୋତେ ଅନୁମତି ଦିଅ ମାତେ, ଆଶୀର୍ବାଦ ଦିଅ ଅଭିଯାନରେ ସଫଳ ହେବାପାଇଁ।
ସତ୍ୟବତୀ ପ୍ରଶ୍ନ କଲେ.... କେଉଁ ଉଦ୍ଦେଶ୍ୟରେ ଏ ଅଭିଯାନ ପୁତ୍ର ?
ଦେବବ୍ରତଙ୍କ ଉତ୍ତର...କାଶୀରାଜ୍ୟରୁ ତିନୋଟି ରତ୍ନ ଆଣି ହସ୍ତିନା ରାଜପୁରକୁ ଉଜ୍ଜ୍ୱଳ କରିବା ଉଦ୍ଦେଶ୍ୟରେ ଏ ଅଭିଯାନ ମାତାଶ୍ରୀ; ଏଭଳି ସେଭଳି ରତ୍ନ ନୁହେଁ, ତିନୋଟି କନ୍ୟାରତ୍ନ।
କ୍ରମଶଃ....
