Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ (ଭାଗ - ୧୦୨)

କଥା କାଦମ୍ବରୀ (ଭାଗ - ୧୦୨)

5 mins
175


(ଯୁଧିଷ୍ଠିରଙ୍କ ବୈରାଗ୍ୟ)


ଯୁଦ୍ଧ ଅନ୍ତେ ମୃତ ଜ୍ଞାତିକୁଟମ୍ବ ମାନଙ୍କୁ ତିଳୋଦକ ଦେଇ ସେମାନଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କଲେ ପାଣ୍ଡବମାନେ। ଏହି ପ୍ରକ୍ରିୟା ପ୍ରାୟ ଏକମାସ ପର୍ଯ୍ୟନ୍ତ ଲାଗି ରହିଲା। ଏହି କାର୍ଯ୍ୟ କରିବା ସମୟରେ ଯୁଧିଷ୍ଠିରଙ୍କ ମନରେ ଘୋର ବୈରାଗ୍ୟ ଆସିଲା। ସେ ଭାବିଲେ...କି ଲାଭ ମିଳିଲା ଯୁଦ୍ଧରେ ଜୟଲାଭ କରି?ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ମାନଙ୍କ ରକ୍ତରେ ରଞ୍ଜିତ ରାଜମୁକୁଟ ତାଙ୍କୁ ହିମାଳୟ ଭଳି ଭାରି ଲାଗିଲା।ସବୁ ପୁତ୍ର ମାନେ ତ ଯୁଦ୍ଧରେ ନିହତ ହେଲେ,କିଏ ରହିଲା ସେମାନଙ୍କୁ ପିଣ୍ଡପାଣି ଦେବାପାଇଁ ?ଉତ୍ତରା ଗର୍ଭରେ ବଢୁଥିବା ସନ୍ତାନ ହିଁ ତାଙ୍କର ଏକମାତ୍ର ସାହା ଭରସା।


ଏଭଳି ଦୁଃଖରେ ମ୍ରିୟମାଣ ହୋଇ ବସିଥିବା ସମୟରେ ସ୍ବର୍ଗ-ଯତି ନାରଦ ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚି ଗୃହ ଅନାମୟ ଜିଜ୍ଞାସା କଲେ। ଯୁଧିଷ୍ଠିର ନାରଦଙ୍କ ପାଦ ପୂଜା କରି ଦୁଃଖରେ ମ୍ରିୟମାଣ ହୋଇ କହିଲେ..ଭଗବନ୍ ! ଏହା ସତ୍ୟ ଯେ ଆମେ ଯୁଦ୍ଧରେ ଜୟଲାଭ କରିଛୁ, କିନ୍ତୁ ସେଥିପାଇଁ ଯେଉଁ ବଳିଦାନ ଦେବାପାଇଁ ପଡିଲା ତାହା ଆମର କଳ୍ପନାର ବାହାରେ। ଯେଉଁ ପୁତ୍ରମାନେ ଆମକୋଳରେ ହସିଖେଳି ବଡ଼ ହୋଇଥିଲେ ଏହି ଯୁଦ୍ଧ ସେମାନଙ୍କୁ ଆମ କୋଳରୁ ଟାଣିନେଲା। ଯେଉଁ ପିତାମହ ଓ ଗୁରୁଜନଙ୍କ କୋଳରେ ଆମେ ହସିଖେଳି ବଡ଼ ହୋଇଥିଲୁ ସେମାନଙ୍କୁ ଯୁଦ୍ଧରେ ନିହତ କରି ଆମେ ଆମମାନଙ୍କର ହସ୍ତ କଳଙ୍କିତ କଲୁ। ପିତା ସମାନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ, ଅସ୍ତ୍ରତ୍ୟାଗ କରି ତପସ୍ୟା କରୁଥିବା ସମୟରେ ନିହତ କଲୁ। ପିତାମହ ଭୀଷ୍ମଙ୍କର ନିରସ୍ତ୍ର ଶରୀରକୁ ଶରରେ ବିଦୀର୍ଣ୍ଣ କରିଦେଲୁ। ଏପରି କି ନିଜ ଭାଇ କର୍ଣ୍ଣଙ୍କୁ ମଧ୍ୟ ଅଜ୍ଞାତରେ ବଧ କରି, ଶତ୍ରୁକୁ ନିହତ କରୁଛୁ ଭାବି ଆନନ୍ଦିତ ହେଉଥିଲୁ। ଏହାଠାରୁ ବଳି ଦୁର୍ଭାଗ୍ୟ ଜନକ ଘଟଣା ଆମପାଇଁ କଣ ହୋଇପାରେ ଭଗବନ୍ !


କର୍ଣ୍ଣଙ୍କ ମୃତ୍ୟୁ ପୂର୍ବରୁ ଆମେ ଯଦି ତିଳେମାତ୍ର ଆଭାସ ପାଇଥାନ୍ତୁ ଯେ ସେ ଆମର ଜ୍ୟେଷ୍ଠ ଭ୍ରାତା, ଯୁଦ୍ଧର ପରିଣତି ଅନ୍ୟ କିଛି ହୋଇଥାନ୍ତା ମୁନି ଶ୍ରେଷ୍ଠ ! ମାତା କୁନ୍ତୀ ଏବଂ ବାସୁଦେବ, କର୍ଣ୍ଣଙ୍କ ପ୍ରକୃତ ପରିଚୟ ଜାଣିଥିଲେ ମଧ୍ୟ ଆମ୍ଭମାନଙ୍କ ଠାରୁ ସେ ସତ୍ୟ ଗୋପନ ରଖିଥିଲେ। ଯେଉଁ ସମୟରେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସମ୍ମାନ ଜନକ ପରିଚୟ ଦେବାପାଇଁ ଅଙ୍ଗ ଦେଶର ରାଜସିଂହାସନ ପ୍ରଦାନ କଲେ ସେତେବେଳେ ମାତା କୁନ୍ତୀ ତାଙ୍କୁ ଜ୍ୟେଷ୍ଠ ପାଣ୍ଡୁ ପୁତ୍ରର ପରିଚୟ ଏବଂ ଅଧିକାର ଦେଇଥିଲେ ମହାଭାରତର ଇତିହାସ ହୁଏତ ଭିନ୍ନ ହୋଇଯାଇଥାନ୍ତା।ଅଜ୍ଞାତରେ ଆମ୍ଭେମାନେ ନିଜ ଜ୍ୟେଷ୍ଠ ଭ୍ରାତାଙ୍କୁ ନିହତ କଲୁ, ଏହାଠାରୁ ବଳି ଦୁଷ୍କର୍ମ କଣ ହୋଇପାରେ


ଦୁଃଖରେ ମ୍ରିୟମାଣ ଯୁଧିଷ୍ଠିରଙ୍କୁ ଶାନ୍ତ୍ବନା ଦେଇ ସ୍ବର୍ଗ-ଯତି କହିଲେ.. କର୍ଣ୍ଣଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରନାହିଁ ପୁତ୍ର ଯୁଧିଷ୍ଠିର।ଭବିତବ୍ୟକୁ କିଏ ଅନ୍ୟଥା କରିପାରିବ ! କର୍ଣ୍ଣ ଏକ ଅନନ୍ୟ ଚରିତ୍ର। ଏଭଳି ଚରିତ୍ର କ୍ଵଚିତ ଦେଖା ଯାଇଥାନ୍ତି। କର୍ଣ୍ଣଙ୍କର ନିଜ ଜୀବନ ପ୍ରତି ତିଳେ ମାତ୍ର ଲୋଭ ନଥିଲା। ସେ ଜାଣିଥିଲେ ଯେ କବଚ ଏବଂ କୁଣ୍ଡଳରେ ତାଙ୍କ ଜୀବନର ନିରାପତ୍ତା ରହିଥିଲା, ତଥାପି ଦାନ ସୂତ୍ରରେ, ଶରୀର କାଟି ସଂଲଗ୍ନ କବଚ ଏବଂ କୁଣ୍ଡଳ ସେ ଇନ୍ଦ୍ରଙ୍କୁ ଦେଇଦେଲେ।ଏହା କରିବା ପୂର୍ବରୁ ନିଜେ ସୂର୍ଯ୍ୟ ନାରାୟଣ ତାଙ୍କ ସମକ୍ଷରେ ବ୍ରାହ୍ମଣ ବେଶରେ ଉପସ୍ଥିତ ହୋଇ ଏପରି ନକରିବାପାଇଁ ସାବଧାନ କରିଥିଲେ। ତଥାପି ଦାନ ଦେଇ ପୁଣ୍ୟ ଅର୍ଜନ କରିବା ତାଙ୍କ ପାଇଁ ଜୀବନର ନିରାପତ୍ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା।ଥରେ ଚିନ୍ତା କର ଯୁଧିଷ୍ଠିର ଯେଉଁ କର୍ଣ୍ଣ ପ୍ରାତଃ କାଳରେ ସୂର୍ଯ୍ୟ ପୂଜା ନକଲେ ଜଳସ୍ପର୍ଶ କରୁନଥିଲେ, ଯେଉଁ କର୍ଣ୍ଣ ଦ୍ବାର ଦେଶରୁ କାହାକୁ ଖାଲି ହାତରେ ଯିବାପାଇଁ ଦେଉନଥିଲେ, ଯେଉଁ କର୍ଣ୍ଣ ରାଜା ହେଲେ ମଧ୍ୟ ନିଜକୁ ସବୁଠାରେ ସୂତପୁତ୍ର ଏବଂ ରାଧେୟ ବୋଲି ପରିଚୟ ଦେଇ ମାତାପିତାଙ୍କର ସେବାକୁ ଜୀବନର ପ୍ରଥମ କର୍ତ୍ତବ୍ୟ ଭାବରେ ବରିନେଇଥିଲେ, ସେ କିପରି ଅନ୍ୟାୟର ସମର୍ଥକ ହୋଇ ଦୁର୍ଯ୍ୟୋଧନଙ୍କୁ ପାଣ୍ଡବ ମାରଣ ପାଇଁ ପ୍ରେରିତ କରୁଥିଲେ।ଏ ସବୁ ଭାଗ୍ୟର ଖେଳ ବ୍ୟତୀତ ଅନ୍ୟ କିଛି ନୁହେଁ। ଯେଉଁ ଆପ୍ତବାକ୍ୟ ରହିଛି...ଭାଗ୍ୟମ୍ ଫଳତି ସର୍ଵତ୍ର,ନ ବିଦ୍ୟା ନ ଚ ପୌରୁଷମ୍" ତାହାର ପ୍ରମାଣ ନିଜେ କର୍ଣ୍ଣ। ଭଗବନ୍ ପର୍ଶୁରାମଙ୍କ ଠାରୁ ଶ୍ରେଷ୍ଠତମ ଶସ୍ତ୍ର ଶିକ୍ଷା ଲାଭକରି ମଧ୍ୟ ତାଙ୍କ ଅଭିଶାପରେ ସେ ତାର ପ୍ରୟୋଗଶୀଳତା ହରାଇ ବସିଲେ।ନିଜ ଅଜାଣତରେ ଜନୈକ ବ୍ରାହ୍ମଣର ଗୋରୁ ହତ୍ୟାକରି ଅଭିଶାପ ପାଇଲେ ଯେ ନିର୍ଣ୍ଣାୟକ ଯୁଦ୍ଧ ସମୟରେ ରଥଚକ୍ର ଭୂମି ଗ୍ରାସ କରିବ; ଯେଉଁ ଶଲ୍ୟଙ୍କୁ ଏତେ ଭରସା କରି ନିଜ ରଥରେ ସାରଥି ଭାବରେ ଗ୍ରହଣ କରିଥିଲେ, ତାଙ୍କଠାରୁ ଯୁଦ୍ଧ ସମୟରେ ଭର୍ତ୍ସନା ଶୁଣି ଶୁଣି ହତୋତ୍ସାହିତ ହୋଇଥିଲେ। କର୍ଣ୍ଣଙ୍କ ଜୀବନରେ ଘଟିଥିବା ଏ ସମସ୍ତ ଘଟଣାକୁ ତୁମେ କଣ ସଂଯୋଗ ବୋଲି ଭାବୁଛ ପୁତ୍ର ! ନାଁ ଏହା ବାସୁଦେବ ରୂପୀ ନାରାୟଣଙ୍କ ମାୟା ବ୍ୟତୀତ ଅନ୍ୟ କିଛି ନୁହେଁ।ସେ ଜନ ସମାଜ ସମକ୍ଷରେ ପ୍ରମାଣିତ କରିଦେଲେ ଯେ ମନୁଷ୍ୟ ଯେତେ ଜ୍ଞାନ ଗୌରବର ଅଧିକାରୀ ହେଉନା କାହିଁକି,ଭାଗ୍ୟ ବିପରୀତ ଥିଲେ ସେ ସବୁର କିଛି ମୂଲ୍ୟ ନାହିଁ।ଜଣେ ନିଜର ଭାଗ୍ୟରେଖା ନିଜ ହାତରେ ଛୁରୀରେ କାଟି ପାରିବ ନାହିଁ। ଆଉମଧ୍ୟ,ତୁମେ ଯେତେ ଭଲଗୁଣର ଅଧିକାରୀ ହୁଅନା କାହିଁକି,ତୁମର ଗୋଟିଏ ଖରାପ ଗୁଣ ସବୁ ଭଲ ଗୁଣକୁ ଘୋଡେ଼ଇ ଦେବ,କର୍ଣ୍ଣ ଏହାର ପ୍ରମାଣ।ସବୁ ଭଲଗୁଣ ସତ୍ତ୍ୱେ ଅନ୍ୟାୟ କାର୍ଯ୍ୟରେ ଦୁର୍ଯ୍ୟୋଧନଙ୍କୁ ସମର୍ଥନ ଦେବା ଯୋଗୁଁ ସେ ଅମାବାସ୍ୟାର ଚନ୍ଦ୍ରରେ ପରିଣତ ହୋଇଗଲେ।


ଯୁଧିଷ୍ଠିରଙ୍କର କର୍ଣ୍ଣଙ୍କ ପାଇଁ ଶୋକ ଦେଖି କୁନ୍ତୀ ଶାନ୍ତ୍ବନା ଦେବାକୁ ଯାଇ କହିଲେ ..ପୁତ୍ର ! ମୋ ବ୍ୟତୀତ ନିଜେ ସୂର୍ଯ୍ୟଦେବ ମଧ୍ୟ କର୍ଣ୍ଣଙ୍କୁ ଦୁର୍ଯ୍ୟୋଧନ ପକ୍ଷ ପରିତ୍ୟାଗ କରି ପାଣ୍ଡବ ପକ୍ଷରେ ଯୋଗ ଦେବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏହା ବନ୍ଧୁତା ପ୍ରତି ଶଠତା ଏବଂ ଛଳନା ହେବ ବୋଲି କହି କର୍ଣ୍ଣ ତାହା ପ୍ରତ୍ୟାଖ୍ୟାନ କରିଥିଲେ। ତୁମେ କର୍ଣ୍ଣ ପାଇଁ ଶୋକ କରନାହିଁ। ବୀରତାର ସହିତ ଯୁଦ୍ଧ କରି ତାଙ୍କର ସସମ୍ମାନ ସ୍ବର୍ଗ ପ୍ରାପ୍ତି ହୋଇଛି।"


କୁନ୍ତୀଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ... ହଁ ତାଙ୍କର ସ୍ବର୍ଗପ୍ରାପ୍ତି ହୋଇଛି ସତ୍ୟ କିନ୍ତୁ ଅନ୍ୟାୟରେ ତାଙ୍କୁ ନିହତ କରି ଆମେ ନର୍କଯନ୍ତ୍ରଣା ଭୋଗ କରୁଛୁ। ଏହାର ପ୍ରାୟଶ୍ଚିତ କଣ?


ଏହାଶୁଣି ନାରଦ କହିଲେ.. ପ୍ରିୟ ଯୁଧିଷ୍ଠିର ! ଅନ୍ୟାୟ ଉଭୟ ପକ୍ଷରୁ ହୋଇଛି, କିନ୍ତୁ ଏ ସମସ୍ତର ସୂତ୍ରଧର ହେଉଛନ୍ତି ନିଜେ ନାରାୟଣ। ସେ ପରା କହିଛନ୍ତି... କରି କରାଉ ଥାଇ ମୁହିଁ/ମୋ ବିନୁ ଅନ୍ୟ ଗତି ନାହିଁ। ଯାହା ସବୁ ଘଟିଯାଇଛି ସବୁ ତାଙ୍କରି ମାୟା। ତାଙ୍କ ଉପରେ ସବୁ ସମର୍ପଣ କରିଦେଇ କର୍ତ୍ତବ୍ୟ କର୍ମ କର, ଶାନ୍ତି ପାଇବ।ନହେଲେ କୃତକର୍ମର ଅନ୍ଧଗଳିରେ ବୁଲି ବୁଲି ଶାନ୍ତି ହରାଇ ବସିବ। ସେଥିପାଇଁ ତ ସେ ଅର୍ଜୁନଙ୍କୁ କହିଛନ୍ତି...ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣମ୍ ବ୍ରଜ/ଅହଂ ତ୍ୱାମ୍ ସର୍ବ ପାପେଭ୍ୟୋ ମୋକ୍ଷୟିଶ୍ୟାମି ମା ଶୁଚ।


ସମସ୍ତଙ୍କ ଆଶ୍ଵାସନା ସତ୍ତ୍ୱେ ଯୁଧିଷ୍ଠିରଙ୍କ ମନର ବେଦନା ହ୍ରାସ ହେଲାନାହିଁ।ଭାଇମାନଙ୍କୁ ନିକଟକୁ ଡ଼ାକି ସେ କହିଲେ.. ତୁମେ ମାନେ ରାଜ୍ୟ ଶାସନ କର, ମୁଁ ଜ୍ୟେଷ୍ଠତାତ ଧୃତରାଷ୍ଟ୍ର,ମାତା ଗାନ୍ଧାରୀ ଏବଂ ମାତା କୁନ୍ତୀଙ୍କ ସହିତ ବାନପ୍ରସ୍ଥ ଜୀବନ ବିତାଇବାକୁ ଯାଉଛି।


ଭୀମସେନ ମୃଦୁ ଭର୍ତ୍ସନାକରି କରି କହିଲେ... ବାସ୍ତବିକ୍ ଆପଣ ବ୍ରାହ୍ମଣ କୁଳରେ ଜନ୍ମ ହେବାର ଥିଲା,ଭୁଲରେ କ୍ଷତ୍ରିୟ କୁଳରେ ଜନ୍ମ ହୋଇଗଲେ।କ୍ଷତ୍ରିୟୋଚିତ କର୍ମକରି ଶାନ୍ତିରେ ପ୍ରଜାପାଳନ କରନ୍ତୁ। ଯେଉଁମାନେ ଚାଲିଗଲେ ସେମାନଙ୍କ ପାଇଁ ସର୍ବଦା ଶୋକଗ୍ରସ୍ଥ ହୋଇ ରାଜ୍ୟଶାସନରେ ଅବହେଳା କରିବା କ୍ଷତ୍ରିୟୋଚିତ ନୁହେଁ।" ଦ୍ରୌପଦୀ ଏବଂ ଅନ୍ୟ ଭାଇମାନେ ଯୁଧିଷ୍ଠିରଙ୍କୁ ଆଶ୍ଵାସନା ଦେଇ ମନରେ ତାଙ୍କର ଶାନ୍ତି ଆଣିବା ପାଇଁ ପ୍ରୟାସ କଲେ। ବ୍ୟାସଦେବ ମଧ୍ୟ ଯୁଧିଷ୍ଠିରଙ୍କୁ,ସବୁ ଭୁଲିଯାଇ ପ୍ରଜା ପାଳନ ପାଇଁ ଗୁରୁତ୍ୱ ଦେବାକୁ ଉପଦେଶ ଦେଲେ। ଯୁଧିଷ୍ଠିରଙ୍କ ରାଜତିଳକ ହେଲା ଏବଂ ସେ ହସ୍ତିନାର ରାଜସିଂହାସନ ଆରୋହଣ କଲେ।


ଇତି ମଧ୍ୟରେ ସୂର୍ଯ୍ୟ ନାରାୟଣଙ୍କର ଉତ୍ତରାୟଣ ହେଲା।ଭୀଷ୍ମଙ୍କର ଆତ୍ମା ଶରୀର ତ୍ୟାଗ କରି ଶାପମୁକ୍ତ ହେବାର ସମୟ ଉପସ୍ଥିତ ହେଲା। ଯୁଧିଷ୍ଠିର ଭୀଷ୍ମଙ୍କ ପାଖରେ ବସି ରାଜଧର୍ମ ବିଷୟରେ ସମସ୍ତ ନୀତି ନିୟମ ଅବଗତ ହେଲେ। ଭୀଷ୍ମଙ୍କର ଏହି ଉପଦେଶ, ମହାଭାରତର ଶାନ୍ତି ପର୍ବରେ ଏକ ପ୍ରମୁଖ ଅଂଶ।


ଭୀଷ୍ମଙ୍କ ଆତ୍ମା ଶରୀର ତ୍ୟାଗ କରି ପଞ୍ଚତତ୍ତ୍ବରେ ବିଲୀନ ହୋଇଗଲା। ପିତାମହଙ୍କର ସମସ୍ତ କ୍ରିୟାକର୍ମ ଶେଷ କରି ଯୁଧିଷ୍ଠିର ଗଙ୍ଗା କୂଳରେ ପହଞ୍ଚିଲେ ତିଳୋଦକ ଦେବାପାଇଁ।ଗଙ୍ଗା କୂଳରେ ଦଣ୍ଡାୟମାନ ଯୁଧିଷ୍ଠିରଙ୍କ ଆଖି ଆଗରେ ଅତୀତର ଘଟଣାବଳୀ ଗୋଟି ଗୋଟି ହୋଇ ପୁଣି ଥରେ ଭାସି ଗଲା।ଶରବିଦ୍ଧ ହସ୍ତୀ ପରି ଚୈତନ୍ୟ ହରାଇ ମୁର୍ଚ୍ଛାଯାଇ ତଳେ ପଡିଗଲେ ଯୁଧିଷ୍ଠିର।ଭୀମ ତାଙ୍କ ଶରୀରକୁ ସମ୍ଭାଳି ନେଇ ସାଷ୍ଟାମ କଲେ।


ଏ ଭିତରେ ଧୃତରାଷ୍ଟ୍ର ଏକ ସମ୍ପୂର୍ଣ୍ଣ ପରିବର୍ତ୍ତିତ ଚରିତ୍ର ପାଲଟି ଯାଇଥିଲେ। ଯୁଧିଷ୍ଠିରଙ୍କୁ ଶାନ୍ତ୍ବନା ଦେଇ କହିଲେ.. ଏ କଣ ପୁତ୍ର!ଶୋକ ପରିତ୍ୟାଗ କର।ନିଜ ଭାଇମାନଙ୍କ ସହିତ ମିଶି ରାଜ୍ୟରେ ସୁଶାସନ ପ୍ରତିଷ୍ଠା କର।ସମସ୍ତ ଦୁଃଖ ଦୁଶ୍ଚିନ୍ତା ମୋ ଉପରେ ଏବଂ ଗାନ୍ଧାରୀ ଉପରେ ଛାଡ଼ିଦିଅ।ମୋ ଅବିମୃଶ୍ୟତା ଯୋଗୁଁ ବିଶାଳ କୁରୁବଂଶ ଧ୍ବଂସ ହୋଇଗଲା।ଜ୍ଞାନୀ ବିଦୂରଙ୍କ କଥା ମାନି ବିବେକ ଅନୁମୋଦିତ କାର୍ଯ୍ୟ କରିଥିଲେ ଏ ମହାବିତ୍ପାତ ଘଟି ନଥାନ୍ତା।ମୋର ଶତପୁତ୍ର ପରଲୋକ ଚାଲି ଯାଇଥିଲେ ମଧ୍ୟ ବର୍ତ୍ତମାନ ତୁମେ ମୋର ପୁତ୍ର.. ବାର୍ଦ୍ଧକ୍ୟର ଆଶ୍ରା ବାଡି।ମନରୁ ସମସ୍ତ ପରିବେଦନା ଦୂରକର ପୁତ୍ର;ମୋର ଆଶୀର୍ବାଦ ନେଇ ହସ୍ତିନା ଶାସନ କର।


Rate this content
Log in

Similar oriya story from Classics