Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ-ଭାଗ ୧

କଥା କାଦମ୍ବରୀ-ଭାଗ ୧

5 mins
303



କାଦମ୍ବରୀ ଶବ୍ଦର ଅନେକ ଅର୍ଥ ଅଛି ଯଥା :କୋକିଳ,ସାରୀ, ସରସ୍ବତୀ ଏବଂ ଗୁଡରେ ପ୍ରସ୍ତୁତ ଏକପ୍ରକାର ମଦ୍ୟ। ଯେଉଁ ଅର୍ଥରେ ନେଲେ ମଧ୍ୟ ଏହି ଧାରାବାହିକର ଗଳ୍ପଗୁଡ଼ିକର ମଧୁରତା ଯେ ହୃଦୟସ୍ପର୍ଶୀ ହେବ ଏଥିରେ ସନ୍ଦେହ ନାହିଁ। ଭାରତୀୟ ସଂସ୍କୃତିର ଗଭୀରତା ତାର ପୁରାଣ ଏବଂ ଉପନିଷଦରେ ବର୍ଣ୍ଣିତ କଥାର ଚରିତ୍ର ମାନଙ୍କରେ ପ୍ରତିଫଳିତ ହୋଇଥାଏ।ଯୁଗେ ଯୁଗେ ସେହି କଥାଗୁଡିକ କବି,ଲେଖକ ଓ କଥାକାର ମାନଙ୍କୁ ପ୍ରଲୁବ୍ଧ କରିଛି।ସମଭାବରେ ପାଠକମାନେ ମଧ୍ୟ ପ୍ରଲୁବ୍ଧ ହୋଇଛନ୍ତି।ଆସନ୍ତୁ ଅଧିକ ଗୌରଚନ୍ଦ୍ରିକା ନଦେଇ ସେଭଳି କେତେଗୁଡ଼ିଏ କଥାମୃତର ରସ ଆସ୍ବାଦନ କରିବା।

                

କଚ-ଦେବଯାନୀ-


ମହାଭାରତ କାଳର ଅନେକ ପ୍ରମୁଖ ଚରିତ୍ରଙ୍କର ଜନ୍ମ କୁରୁ ଏବଂ ଯଦୁ ବଂଶରେ ହୋଇଥିଲା।ଏହି ଦୁଇ ରାଜବଂଶ ଚନ୍ଦ୍ରବଂଶୀ ଥିଲେ।କଚ,ଦେବଯାନୀ, ଶର୍ମିଷ୍ଠା ଏବଂ ରାଜା ଯଯାତିଙ୍କ ବିଷୟରେ ନଜାଣିଲେ ଆମେ ଏହି ଦୁଇ ରାଜବଂଶର ଉତ୍ପତ୍ତି ବିଷୟରେ ଜାଣିପାରିବା ନାହିଁ।


ସମୁଦ୍ର ମନ୍ଥନର ବହୁ ପୂର୍ବକଥା।ସେତେବେଳେ ଦେବତା ମାନେ ଅମୃତ ଖାଇ ଅମର ହୋଇନଥିଲେ।ଦେବ ଦାନବଙ୍କ ମଧ୍ୟରେ ସବୁବେଳେ ଲଢେଇ ଲାଗି ରହୁଥିଲା। ଦେବତାମାନଙ୍କ ଗୁରୁ ଥିଲେ ବୃହସ୍ପତି;ସେ ଥିଲେ ଅଙ୍ଗିରା ମହର୍ଷିଙ୍କ ପୁତ୍ର।ଦାନବଙ୍କ ଗୁରୁ ଥିଲେ ଭୃଗୁ ମହର୍ଷିଙ୍କ ପୁତ୍ର ଶୁକ୍ରାଚାର୍ଯ୍ୟ।

ଏହି ଦେବ-ଦାନବ ଲଢେଇରେ ଯେତେ ଅସୁର ମୃତ୍ୟୁ ମୁଖରେ ପଡୁଥିଲେ ସମସ୍ତଙ୍କୁ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇ ଦେଉଥିଲେ,କାରଣ ତାଙ୍କୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଜଣାଥିଲା। ଦେବତାମାନଙ୍କ ପାଖରେ ମୃତ୍ୟୁସଞ୍ଜିବନୀ ମନ୍ତ୍ର ନଥିବାରୁ ଦେବତା ମାନଙ୍କ ସଂଖ୍ୟା କ୍ଷୀଣ ହେବାକୁ ଲାଗିଲା।

ଦେବତାମାନଙ୍କ ଭିତରେ ଭାଳେଣି ପଡ଼ିଲା। ଏଭଳି ଯଦି ଆଉ କିଛି ଦିନ ଚାଲିବ ତେବେ ଦେବତା ମାନଙ୍କୁ ନିଶ୍ଚିହ୍ନ କରି ରାକ୍ଷସ ମାନେ ଇନ୍ଦ୍ରପଦ ଛଡେଇନେବେ।

ଦେଶ ଏବଂ ଜାତି ମାନଙ୍କ ମଧ୍ୟରେ ଶତ୍ରୁତା କେବଳ ସାମ୍ପ୍ରତିକ ଯୁଗର ନୁହେଁ। ଆଜିକାଲି ଯେଉଁ ପ୍ରକାର ଦେଶ-ଦେଶ ମଧ୍ୟରେ,ଉଭୟ ମୁକ୍ତ ଏବଂ ଶୀତଳ ଯୁଦ୍ଧ ଲାଗିରହିଛି, ସେ ସମୟରେ ମଧ୍ୟ ସେହିଭଳି ପରିସ୍ଥିତି ଥିଲା; ଦେବତା ଏବଂ ଦାନବଙ୍କ ମଧ୍ୟରେ ଲାଗି ରହିଥିଲା ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ଭୀଷଣ ସଂଗ୍ରାମ।


କେଉଁ ଉପାୟରେ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଶୁକ୍ରାଚାର୍ଯ୍ୟଙ୍କଠାରୁ ଶିକ୍ଷା କରିହେବ ସେ'ନେଇ ଦେବତାଙ୍କ ଭିତରେ ଭାଳେଣି ପଡ଼ିଲା। ଦେବଗୁରୁ ବୃହସ୍ପତିଙ୍କର ଗୋଟିଏ ବୁଦ୍ଧିମାନ ପୁତ୍ର ଥିଲେ;ତାଙ୍କ ନାଁ ହେଉଛି କଚ।କଚ ଅତ୍ୟନ୍ତ ଦେଶଭକ୍ତ ଥିଲେ।ଦେବ-କୁଳର ନିରାପତ୍ତା ତାଙ୍କପାଇଁ ସର୍ବୋପରି ଥିଲା। ଦାନବ-ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଗୁରୁକୁଳକୁ ଯାଇ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଶିକ୍ଷା କରିବା ପାଇଁ ଆଗେଇ ଆସିଲେ। ଏଭଳି କାମରେ ବହୁତ ବିପଦ ଥିଲା;ସଞ୍ଜିବନୀ ମନ୍ତ୍ର ପାଇବା ପୂର୍ବରୁ ରାକ୍ଷସ ମାନଙ୍କ ହାତରେ ମୃତ୍ୟୁଲାଭର ସମ୍ଭାବନା ଅଧିକ ଥିଲା। କିନ୍ତୁ ଆଧୁନିକ-ଭାରତର ବୀରପୁତ୍ର ଅଭିନନ୍ଦନଙ୍କ ଭଳି ଦେବକୁଳର ମଙ୍ଗଳପାଇଁ କଚ ଏହି ବିପଦପୂର୍ଣ୍ଣ କାମ କରିବା ପାଇଁ ଆଗେଇ ଆସିଲେ। ପିତା ବୃହସ୍ପତିଙ୍କ ଆଶୀର୍ବାଦ ଏବଂ ସମସ୍ତ ଦେବତା ମାନଙ୍କର ଶୁଭେଚ୍ଛା ନେଇ କଚ ଶୁକ୍ରାଚାର୍ଯ୍ୟଙ୍କ ଗୁରୁକୁଳ ଅଭିମୁଖେ ଯାତ୍ରାକଲେ।


ଦାନବରାଜ ବୃଷପର୍ବାଙ୍କ ରାଜ୍ୟରେ ଥିଲା ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମ। ସେଠାରେ କଚ ପହଞ୍ଚି,ଶୁକ୍ରାଚାର୍ଯ୍ୟଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି, ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିବାକୁ ଅନୁରୋଧ କଲେ। ଧ୍ୟାନ ବଳରେ ଶୁକ୍ରାଚାର୍ଯ୍ୟ କଚଙ୍କ ଆଗମନର ଉଦ୍ଦେଶ୍ୟ ଜାଣିପାରିଲେ।ସେ କଚକୁ ଗୁରୁକୁଳରେ ଶିଷ୍ୟ ଭାବରେ ଗ୍ରହଣ କରିବାପାଇଁ ମନା କରି ପାରିଲେ ନାହିଁ,କାରଣ ସେ'ସମୟର ନିୟମ ଅନୁସାରେ,ଜଣେ ଯୋଗ୍ୟ ଛାତ୍ର ଗୁରୁକୁଳକୁ ଶିକ୍ଷାଲାଭ ପାଇଁ ଆସିଲେ ତାଙ୍କୁ ସେ ଅଧିକାରରୁ ବଞ୍ଚିତ କରାଯାଉନଥିଲା। ମନା କରିଥିଲେ ଏହା ଶୁକ୍ରାଚାର୍ଯ୍ୟଙ୍କ ଗୁରୁକୁଳ ପାଇଁ ନିନ୍ଦାଜନକ କଥା ହୋଇଥାନ୍ତା। ଶୁକ୍ରାଚାର୍ଯ୍ୟ ଭାବିଲେ,କଚଙ୍କୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଶିକ୍ଷା ଦେବା ନଦେବା ତାଙ୍କ ନିଜ ଉପରେ ନିର୍ଭର କରେ, ସେଥିପାଇଁ ଡର କାହିଁକି?

ଶୁକ୍ରାଚାର୍ଯ୍ୟଙ୍କର ଗୋଟିଏ ଅତି ସୁନ୍ଦରୀ କନ୍ୟା ଥିଲେ; ନାଁ ଟି ତାଙ୍କର ଦେବଯାନୀ। ଅପରୂପ ସୌନ୍ଦର୍ଯ୍ୟର ପୁଷ୍ପ ଉଦ୍ୟାନଟିଏ ଥିଲେ ଦେବଯାନୀ। ଦେବଯାନୀଙ୍କୁ ପ୍ରାଣରୁବଳି ଭଲ ପାଉ ଥିଲେ ଶୁକ୍ରାଚାର୍ଯ୍ୟ।କଚଙ୍କ ସହିତ ଆଶ୍ରମରେ ପ୍ରଥମ ସାକ୍ଷାତରୁ ଦେବଯାନୀ ଦେବପୁତ୍ର କଚଙ୍କୁ ଭଲପାଇବସିଲେ।


କଚଙ୍କର ଲକ୍ଷ୍ୟ ଥିଲା କଳେ ବଳେ କୌଶଳେ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଶିକ୍ଷା କରିବା।ତେଣୁ ଯେତେବେଳେ ଦେବଯାନୀଙ୍କର ତାଙ୍କପ୍ରତି ଦୁର୍ବଳତା ବିଷୟରେ ସେ ଜାଣି ପାରିଲେ, ସେହି ପରିସ୍ଥିତିକୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୟୋଗ କରିବାପାଇଁ ମନସ୍ଥ କରିନେଲେ। ଆଜିକାଲି ବିଭିନ୍ନ ଦେଶର ଗୁପ୍ତଚର ମାନେ ଏଭଳି "ହନିଟ୍ରାପ୍"ଉପାୟ ଅବଲମ୍ବନ କରନ୍ତି। 

ଦେବଯାନୀ, କଚଙ୍କ ସହିତ କାୟା ସହିତ ଛାୟା ପରି ସବୁବେଳେ ରହିଥାନ୍ତି।କଚ ଗଛରେ ଚଢି ପୂଜାପାଇଁ ଫୁଲ ତୋଳିଲେ ତଳେ ଲୁଗା କାନିକୁ ପ୍ରସାରିତ କରି ଠିଆ ହୋଇ ଥାନ୍ତି ଦେବଯାନୀ। "ଶମ୍ଭୁଙ୍କ ପୂଜାପାଇଁ ଏ'ଫୁଲ" କହି, କଚ ଜାଣି ଜାଣି ଫୁଲକୁ ତାଙ୍କ କାନିରେ ନପକାଇ ଉନ୍ନତ ବକ୍ଷଦେଶରେ ଦୁଷ୍ଟାମି କରି ପକେଇଦିଅନ୍ତି।ଲାଜରେ ମୁହଁ ଲାଲ୍ ହୋଇଯାଏ ଦେବଯାନୀଙ୍କର, କିନ୍ତୁ କଚ'ଙ୍କର ଏ ଦୁଷ୍ଟାମୀ ତାଙ୍କୁ ଭଲଲାଗେ। 


କଚ ଗାଈ ଦୁହିଁବା ସମୟରେ, ଦେବଯାନୀ ବେଳେବେଳେ ଦୁଷ୍ଟାମି କରି କଚଙ୍କ କାନରେ ପକ୍ଷୀର ପର ସୁଲୁ ସୁଲୁ କରନ୍ତି;ଖିର ଢାଳି ଯାଏ।କଚ ଗାଈଦୁହିଁବା ପରେ ଖୋଜନ୍ତି ଦେବଯାନୀଙ୍କୁ ଦଣ୍ଡ ଦେବାପାଇଁ।ଲତା ଉହାଡରୁ କାନଧରି ଦେବଯାନୀ ବାହାରି ଆସନ୍ତି।ଆଖିବୁଜି ଠିଆ ହୁଅନ୍ତି ଦେବଯାନୀ ଦଣ୍ଡ ପାଇବାପାଇଁ। ସୁବାସିତ ମଲ୍ଲୀ ବା ଚମ୍ପା ଫୁଲଟିଏ ଦେବଯାନୀଙ୍କ କବରୀରେ ଖୋସିଦେଇ କଚକହନ୍ତି..ଆଖିଖୋଲ ଦେବଯାନୀ,ଦଣ୍ଡ ସମାପ୍ତ।


କଚ'ଙ୍କ ସହିତ ରହି ଦେବଯାନୀଙ୍କୁ ସବୁ ଋତୁ ଆଶ୍ରମରେ ବସନ୍ତ ଋତୁ ଭଳି ଲାଗିଲା।ଆଶ୍ରମର ଫୁଲ ବନରେ କଚଙ୍କ ସହିତ ଦେବଯାନୀ ଘୁରି ବୁଲିଲେ ଚନ୍ଦ୍ରଙ୍କ ସହିତ ଚିତ୍ରାପରି।

କଚ'ଙ୍କ ଭଳି ଶିଷ୍ୟ ପାଇ ଶୁକ୍ରାଚାର୍ଯ୍ୟ ନିଜକୁ ଧନ୍ୟ ମନେ କରୁଥିଲେ।କେବଳ ଶାସ୍ତ୍ରଜ୍ଞାନ ନୁହେଁ ଅନ୍ୟ ସମସ୍ତ କାର୍ଯ୍ୟ-କୁଶଳତାରେ ପାରଙ୍ଗମ ଥିଲେ ବୃହସ୍ପତିଙ୍କ ପୁତ୍ର କଚ।ତେଣୁ ଆଶ୍ରମର ସମସ୍ତ ପରିଚାଳନା କାର୍ଯ୍ୟ କଚଙ୍କ ହାତରେ ସମର୍ପଣ କରି ନିଶ୍ଚିନ୍ତ ଥିଲେ ଦାନବଗୁରୁ ଶୁକ୍ରାଚାର୍ଯ୍ୟ।

ଦେବପୁତ୍ର କଚଙ୍କର ଆଚାର୍ଯ୍ୟଙ୍କ ଗୁରୁକୁଳରେ ଶିଷ୍ୟତ୍ବ ନେବା ଦାନବ ମାନଙ୍କର ହଜମ ହେଲା ନାହିଁ।କଚ-ଦେବଯାନୀ'ଙ୍କର ନିବିଡ଼ତା ସେମାନଙ୍କ ତଣ୍ଟିରେ ହାଡ଼ ପରି ଅଟକିଲା।ଦାନବ ମାନେ ଭାବିଲେ, ଦେବଯାନୀଙ୍କୁ ପ୍ରେମରେ ପକାଇ ତାଙ୍କ ଜରିଆରେ ଦିନେ କଚ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଚୋରି କରି ସ୍ବର୍ଗକୁ ଫେରିଯିବେ। 

ଦାନବ ରାଜ ବୃଷପର୍ବାଙ୍କ କାନରେ ଏ କଥା ପଡିବାକ୍ଷଣି ସେ ଚିନ୍ତିତ ଦେଖାଗଲେ।ଆଚାର୍ଯ୍ୟଙ୍କ ସହିତ ପରାମର୍ଶ କରି କଚଙ୍କୁ ଆଶ୍ରମରୁ ବିତାଡିତ କରିଦେବା ପାଇଁ ସେ ଚାହୁଁଥିଲେ, କିନ୍ତୁ କିଛି ମନ୍ତ୍ରୀ ଓ ଅମାତ୍ୟ କହିଲେ.. ଆଚାର୍ଯ୍ୟଙ୍କୁ କହି କହି ଲାଭ ହେବନାହିଁ,କାରଣ ଶିକ୍ଷା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଆଚାର୍ଯ୍ୟ କଦାପି କଚକୁ ଗୁରୁକୁଳରୁ ବିତାଡିତ କରିବେ ନାହିଁ।ତେଣୁ କଚଙ୍କୁ ଗୋପନରେ ହତ୍ୟା କରିବା ହିଁ ଏକମାତ୍ର ଉପାୟ। ଏହି ଷଡ଼ଯନ୍ତ୍ର କାର୍ଯ୍ୟକାରି କରିବାପାଇଁ ବୃଷପର୍ବା ଅନୁମୋଦନ ଦେଇଦେଲେ। ଦାନବମାନେ ସୁଯୋଗକୁ ଅପେକ୍ଷା କରି ରହିଲେ।

ଦିନେ କଚ ଏକା ଏକା ନିକଟସ୍ଥ ଅରଣ୍ୟକୁ ଆଶ୍ରମ ଧେନୁମାନଙ୍କୁ ଚରାଇବାକୁ ଯାଇଥିଲେ।ଅସୁରମାନେ ତାଙ୍କୁ ଏକାଦେଖି ହତ୍ୟାକରି,ଦେହକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲୀ କୁକୁର ମାନଙ୍କୁ ଖାଇବାକୁ ଦେଇଦେଲେ।


ବେଳ ଗଡି ସନ୍ଧ୍ୟା ହେଲା।ଗାଈଗୋଠ ଆଶ୍ରମକୁ ଫେରିଆସିଲେ। କିନ୍ତୁ କଚ ଫେରିଲେ ନାହିଁ। ଦେବଯାନୀ କାନ୍ଦି କାନ୍ଦି ପିତାଙ୍କ ପାଖରେ ଜଣାଇଲେ। ଧ୍ୟାନ ବଳରେ ଶୁକ୍ରାଚାର୍ଯ୍ୟ ଜାଣିପାରିଲେ ଯେ ଦାନବମାନେ କଚଙ୍କୁ ହତ୍ୟା କରିଛନ୍ତି।ଦାନବ ମାନଙ୍କର ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହେଲେ ଆଚାର୍ଯ୍ୟ।ମୃତ୍ୟୁସଞ୍ଜିବନୀ ମନ୍ତ୍ର ପାଠକରି ସେ କଚଙ୍କୁ ଜୀବଦାନ ଦେଲେ।କଚ ଫେରିବା ପରେ, କାହିଁକି ଏତେ ଡେରି ହେଲା ବୋଲି ପଚାରିଲେ ଦେବଯାନୀ।କଚ ଉତ୍ତର ଦେଲେ ଯେ ରାକ୍ଷସ ମାନେ ତାଙ୍କୁ ହତ୍ୟା କରି ଥିଲେ ,କିନ୍ତୁ କିପରି ସେ ଜୀବନ ଫେରି ପାଇଲେ, ତାହା ତାଙ୍କୁ ଅଜଣା।


କଚ ଜୀବିତ ହେବା ସମ୍ବାଦ ପାଇ ଆହୁରି କ୍ରୋଧାନ୍ବୀତ ହୋଇ ଉଠିଲେ ଦାନବମାନେ। ଆଉ ଦିନେ କଚ ଦେବଯାନୀଙ୍କ ପାଇଁ ଫୁଲ ଆଣିବା ପାଇଁ ଅରଣ୍ୟକୁ ଯାଇଥାନ୍ତି।ତାଙ୍କୁ ଏକାଦେଖି ଦାନବ ମାନେ ହତ୍ୟା କରି,ତାଙ୍କର ହାଡ଼ ମାଂସ ଗୁଣ୍ଡକରି ସମୁଦ୍ରରେ ଫିଙ୍ଗିଦେଲେ।କଚ ଆଶ୍ରମକୁ ନଫେରିବାରୁ ଦେବଯାନୀ ପ୍ରମାଦ ଗଣିଲେ ଏବଂ କାନ୍ଦି କାନ୍ଦି ପିତାଙ୍କ ଆଗରେ ଜଣାଇଲେ। ଧ୍ୟାନବଳରେ ଶୁକ୍ରାଚାର୍ଯ୍ୟ ସବୁ ଜାଣିପାରି କଚଙ୍କୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ପଢି ଆଉଥରେ ଜୀବନ୍ୟାସ ଦେଲେ।ହସିହସି ବଣରୁ ଫେରି ଆସିଲେ କଚ।ସେ ଜାଣିଥିଲେ ଯେ ଦେବଯାନୀଙ୍କର ପ୍ରେମ ତାଙ୍କୁ ମରିବାପାଇଁ ଦେବନାହିଁ। ତେଣୁ ମୃତ୍ୟୁ ପାଇଁ ଭୟ ନଥିଲା ତାଙ୍କର।


ଦାନବମାନେ ଦେଖିଲେ ଯେ ଶୁକ୍ରାଚାର୍ଯ୍ୟ କଚଙ୍କୁ ପ୍ରତିଥର ମୃତ୍ୟୁସଞ୍ଜିବନୀ ମନ୍ତ୍ର ପ୍ରୟୋଗ କରି ଜୀବିତ କରି ଦେଉଛନ୍ତି। ତେଣୁ ତୃତୀୟ ଥର କଚଙ୍କୁ ହତ୍ୟା କରିବା ସମୟରେ ସେମାନେ କିଛି ବୁଦ୍ଧିମତ୍ତା ପ୍ରୟୋଗ କଲେ।କଚ ଗୋରୁପଲ ଧରି ଅରଣ୍ୟକୁ ଯାଇଥାନ୍ତି। ଦାନବ ମାନେ କଚଙ୍କୁ ହତ୍ୟାକରି,ତାଙ୍କ ଶରୀରକୁ ଭସ୍ମୀଭୂତ କରି ସୁରାରେ ମିଶାଇ ଗୁରୁଙ୍କୁ ପିଆଇ ଦେଲେ।

କଚଙ୍କୁ ନପାଇ ଦେବଯାନୀ ପୁଣି ଥରେ ବ୍ୟାକୁଳ ହୋଇ ପିତାଙ୍କୁ ଜଣାଇଲେ।ଶୁକ୍ରାଚାର୍ଯ୍ୟ ଧ୍ୟାନବଳରେ ଜାଣି ପାରିଲେ ଯେ ସୁରା ସହିତ କଚ ତାଙ୍କ ଶରୀର ଭିତରେ ପ୍ରବେଶ କରିଛନ୍ତି। ପରିସ୍ଥିତି ବିଷମ।ଗୁରୁ ହୋଇ ସୁରାପାନ ନକରିବାପାଇଁ ସମାଜକୁ ସେ ବାର୍ତ୍ତା ଦେବାକଥା, କିନ୍ତୁ ନିଜେ ସୁରାପାନ କରିଥିବା ଅପରାଧ ପାଇଁ ନିଜ ଉପରେ ବ୍ୟଥିତ ହେଲେ ଶୁକ୍ରାଚାର୍ଯ୍ୟ।

ଏଥର କିନ୍ତୁ କିଭଳି ସେ କଚଙ୍କୁ ଜୀବନଦାନ ଦେବେ ! ତାଙ୍କୁ ଜୀବନଦାନ ଦେଲେ ନିଜେ ମୃତ୍ୟୁ ମୁଖରେ ପଡିବେ। ଦେବଯାନୀଙ୍କୁ ବହୁତ ବୁଝାଇଲେ ଶୁକ୍ରଚାର୍ଯ୍ୟ। କହିଲେ... ବାରମ୍ବାର କଚଙ୍କୁ ଜୀବନଦାନ ଦେବାପରେ ମଧ୍ୟ ସେ ମୃତ୍ୟୁ ମୁଖରେ ବାରମ୍ବାର ପଡ଼ୁଛନ୍ତି। ଜୀବନ ଅଳିକ। ତେଣୁ କଚ'ଙ୍କର ଅବର୍ତ୍ତମାନ ପାଇଁ ଶୋକ ନକରି ତାହା ବିଧାତାଙ୍କର ନିର୍ଦ୍ଦେଶ ବୋଲି ଗ୍ରହଣ କରିବା ଉଚିତ।

କାନ୍ଦି କାନ୍ଦି ଦେବଯାନୀ କହିଲେ ଯେ କଚ ତାଙ୍କର ଜୀବନ ଏବଂ ଜୀବନ ବ୍ୟତୀତ ଶରୀର ମୂଲ୍ୟହୀନ। ତେଣୁ କଚ ନଫେରିଲେ ସେ ମଧ୍ୟ ଆତ୍ମହତ୍ୟା କରିବେ।



Rate this content
Log in

Similar oriya story from Classics