STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ (୯୭)ପ୍ରଚଣ୍ଡରାଧେୟ

କଥା କାଦମ୍ବରୀ (୯୭)ପ୍ରଚଣ୍ଡରାଧେୟ

4 mins
196


"ଜନ୍ମ ଦୈବର ଅଧୀନ କିନ୍ତୁ ପୁରୁଷାକାର ନିଜର ଅଧୀନ।"ଏହି ଆପ୍ତବାକ୍ୟ ପ୍ରମାଣିତ କରିଥିବା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କର ଭାରତ ଯୁଦ୍ଧରେ ଆଜି ଶେଷ ସମୟ ଉପସ୍ଥିତ। ଅର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ, ରଥର ବାମ ଚକ'କୁ, କୁରୁକ୍ଷେତ୍ରର ରକ୍ତ-କର୍ଦମାକ୍ତ ଭୂମି ଗ୍ରାସ କରିଛି।ଆଗରେ ନନ୍ଦିଘୋଷ ରଥରେ ଆସୀନ ଅର୍ଜୁନ ଯୁଦ୍ଧପାଇଁ ଆହ୍ଵାନ କରୁଛନ୍ତି।


ବାଣ ପ୍ରୟୋଗ ନ'କରିବାପାଇଁ ଅର୍ଜୁନଙ୍କୁ ବାରଣ କରି କର୍ଣ୍ଣ କହିଲେ...ଦଣ୍ଡେ ଅପେକ୍ଷା କର ପାର୍ଥ! ଭୂମି ଗ୍ରାସ କରିଥିଵା ରଥ ଚକକୁ ଉଦ୍ଧାର କରିବା ପରେ ତୁମ ସହିତ ଯୁଦ୍ଧ କରିବି।ତୁମେ ତ ଧର୍ମପଥାଚାରୀ,ଯୁଦ୍ଧର ନିୟମ ତୁମକୁ ଭଲଭାବରେ ଜଣା, ଯୁଦ୍ଧରେ ନିରସ୍ତ୍ର ଉପରକୁ ବାଣ ପ୍ରହାର କରିବା ନିଷିଦ୍ଧ।ନନ୍ଦିଘୋଷ ରଥରେ ଉପସ୍ଥିତ ଅଛନ୍ତି ସ୍ବୟଂ ଶ୍ରୀକୃଷ୍ଣ;ରଥ ଶୀର୍ଷରେ ବିରାଜମାନ ସ୍ବୟଂ ଆଚାର-ଶ୍ରେଷ୍ଠ ହନୁମାନ।ଯୁଦ୍ଧ ନୀତି ଓ କ୍ଷତ୍ରିୟର ଧର୍ମ ତୁମେ ଜାଣି ନଥିଲେ ଏମାନଙ୍କ ଠାରୁ ବୁଝିନିଅ ପାର୍ଥ,ଦଣ୍ଡେ ଅପେକ୍ଷା କର,ରଥ ଚକ ଭୂମିରୁ ଉଦ୍ଧାର କରି ମୁଁ ତୁମ ସହିତ ଯୁଦ୍ଧ କରିବି।"


କର୍ଣ୍ଣଙ୍କ ଠାରୁ ଏପରି ଅନୁରୋଧ ଶୁଣି ଧନୁରେ ଚଢାଇ ଥିବା ବାଣ ସମ୍ବରଣ କରି ଅପେକ୍ଷା କଲେ ଅର୍ଜୁନ।

ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ ଚାହିଁ କହିଲେ.. ବାଃ କର୍ଣ୍ଣ! ଏତେ ବେଳକୁ ଯୁଦ୍ଧର ନୀତି ନିୟମ ଓ କ୍ଷତ୍ରିୟର ଧର୍ମ କଥା ମନେ ପଡୁଛି ? ତୁମେ ସପ୍ତରଥି ମିଳିତ ହୋଇ ନିରସ୍ତ୍ର ଅଭିମନ୍ୟୁ ଉପରେ ବାଣ ପ୍ରହାର କରିବା ସମୟରେ ଏହି ଯୁଦ୍ଧ ନିୟମ ମନେ ପଡୁ ନଥିଲା !! ଛଳନାରେ ଧର୍ମପୁତ୍ର ଯୁଧିଷ୍ଠିରଙ୍କୁ ପଶାଖେଳରେ ହରାଇ ପାଣ୍ଡବ ମାନଙ୍କୁ ରାଜ୍ୟଚ୍ୟୁତ କରି ବନବାସ ପଠାଇବା ସମୟରେ ତୁମର କ୍ଷାତ୍ରଧର୍ମ ଏବଂ ନୀତି ନିୟମ କେଉଁଠାରେ ଥିଲା ଅଙ୍ଗରାଜ ? କୁରୁସଭା ତଳେ ଅସହାୟା ଦ୍ରୌପଦୀଙ୍କର ବସ୍ତ୍ର ହରଣ କରିବା ସମୟରେ କେଉଁଠାରେ ଥିଲା ତୁମର ଏ ନୀତି ଓ ଧର୍ମ ? ଭୀମସେନଙ୍କୁ ବିଷଲଡୁ ଦେଇ ହତ୍ୟା କରିବାକୁ ପ୍ରୟାସ କରିବା ସମୟରେ କେଉଁ ଠାରେ ଆତ୍ମଗୋପନ କରିଥିଲା କୌରବ ମାନଙ୍କର କ୍ଷାତ୍ର-ଧର୍ମ ?ପାଣ୍ଡବ ମାନଙ୍କୁ ବାରୁଣାବନ୍ତ ପଠାଇ ସେଠାରେ ଜତୁଗୃହରେ ଦଗ୍ଧ କରିବାକୁ ପ୍ରୟାସ କରିବା ସମୟରେ କେଉଁଆଡେ ଥିଲା ତୁମର ଏ ନୀତି ଓ ଧର୍ମ ? ଦୁର୍ଯ୍ୟୋଧନଙ୍କୁ ସବୁ ଅପକର୍ମରେ ପ୍ରଚୋଦିତ କରି ଅଗ୍ନିରେ ଘୃତ ଢାଳିବା କାର୍ଯ୍ୟ କରୁଥିବା କର୍ଣ୍ଣଙ୍କ ମୁହଁରେ ନୀତି ଓ ଧର୍ମ ନାମକ ଶବ୍ଦ ଶୋଭା ପାଏ ନାହିଁ ଅଙ୍ଗରାଜ! ଧର୍ମର ସଂଜ୍ଞା କଣ ନିଜ ପାଇଁ ଭିନ୍ନ ଏବଂ ଅନ୍ୟମାନଙ୍କ ପାଇଁ ଭିନ୍ନ ରାଧେୟ ?"


ବାସ୍ତବରେ, ନିରସ୍ତ୍ର କର୍ଣ୍ଣଙ୍କ ଉପରେ ବାଣ ପ୍ରହାର କରିବା ପାଇଁ ଅର୍ଜୁନଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ଏକଥା କହୁଥିଲେ। ତଳକୁ ମୁହଁ ପୋତିଦେଲେ କର୍ଣ୍ଣ।ସେ ଜାଣିପାରିଲେ ପର୍ଶୁରାମଙ୍କ ଅଭିଶାପ ତାଙ୍କ ଜୀବନରେ ଫଳବତୀ ହେବାପାଇଁ ଯାଉଛି। ଆଖି ଆଗରେ ତାଙ୍କର ଭାସିଗଲା ଅତୀତରେ ତାଙ୍କ ଜୀବନରେ ଘଟିଯାଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ଦିନଗୁଡ଼ିକର ଘଟଣାବଳୀ:----

 

କ୍ଷତ୍ରିୟ କୁଳରେ ସେ ଜନ୍ମ ହୋଇ ମଧ୍ୟ ମାତା କୁନ୍ତୀ ଅପବାଦ ଭୟରେ ତାଙ୍କୁ ଗଙ୍ଗା ଜଳରେ ଭସାଇ ଦେଇଥିଲେ। ନିଜେ କ୍ଷତ୍ରିୟ ବୋଲି ସେ ଜାଣିନଥିଲେ କିମ୍ବା କୌଣସି ଜନ୍ମ ପ୍ରମାଣ ପତ୍ର ନଥିଲା ତାଙ୍କ ପାଖରେ।ସେ ନିଜକୁ ସୂତ ଅଧିରଥଙ୍କ ପାଳିତ ପୁତ୍ର ବୋଲି ଜାଣି ଥିଲେ। ଗୁରୁ ଦ୍ରୋଣଙ୍କ ପାଖରେ ଶସ୍ତ୍ର ଓ ଶାସ୍ତ୍ର ଶିକ୍ଷା କରିବାପାଇଁ କ୍ଷତ୍ରିୟହେବା ଆବଶ୍ୟକ ଥିଲା। ଗୁରୁ ପର୍ଶୁରାମ କ୍ଷତ୍ରିୟମାନଙ୍କୁ ଶସ୍ତ୍ର ଓ ଶାସ୍ତ୍ର ଶିକ୍ଷା ଦେବାକୁ ଚାହୁଁ ନଥିଲେ; ଅଦ୍ଭୁତ ଏହି ଗୁରୁମାନଙ୍କର ମନୋବୃତ୍ତି !


ଶ୍ରେଷ୍ଠତମ ବିଦ୍ୟାଶିକ୍ଷା ଭଳି ପବିତ୍ର ଉଦ୍ଦେଶ୍ୟ ସାଧନ ପାଇଁ ନିଜକୁ ବ୍ରାହ୍ମଣ ବୋଲି ତାଙ୍କୁ ପର୍ଶୁରାମଙ୍କ ପାଖରେ ଛଳନା କରିବାକୁ ପଡ଼ିଥିଲା।ଏହା କରି ସତରେ କ'ଣ ସେ ପାପ କରିଥିଲେ? ଗୁରୁ ଭକ୍ତିର ଚରମ ନିଦର୍ଶନ ସେ ଦେଖାଇଥିଲେ, ଯେତେବେଳେ ତାଙ୍କ ଜାନୁ ଉପରେ ଗୁରୁ ପର୍ଶୁରାମ ମଥା ରଖି ବିଶ୍ରାମ କରୁଥିଲେ।ଭୂମିମଧ୍ୟରୁ ଏକ କୃମ କର୍ଣ୍ଣଙ୍କ ଜାନୁକୁ ଭେଦକରିବାରେ ଲାଗିଲା।ଘୋର ଯନ୍ତ୍ରଣାରେ ବ୍ୟଥିତ ହେଲେ ରାଧେୟ,ଜାନୁରୁ ଧାର ଧାର ହୋଇ ବହି ଯାଉଥିଲା ରକ୍ତ। ତଥାପି ଗୁରୁଙ୍କ ନିଦ୍ରା ଭଙ୍ଗ ହେବା ଡରରେ ସେ ସେହିପରି ବସି ରହିଲେ। ନିଦ୍ରାଭଙ୍ଗ ପରେ ପର୍ଶୁରାମ କର୍ଣ୍ଣଙ୍କର ଅସୀମ ଧୈର୍ଯ୍ୟ ଦେଖି ତାଙ୍କୁ କ୍ଷତ୍ରିୟ ବୋଲି ସନ୍ଦେହ କଲେ।କର୍ଣ୍ଣ ମାନିଗଲେ ଯେ ସେ ଜାତିରେ ବ୍ରାହ୍ମଣ ନୁହଁନ୍ତି ବରଂ ସେ ସୂତ ଅଧିରଥଙ୍କର ପୁତ୍ର।


ଭୟଙ୍କର କ୍ରୋଧରେ କମ୍ପିଗଲେ ପର୍ଶୁରାମ। କର୍ଣ୍ଣଙ୍କୁ ସେ ଅଭିଶାପ ଦେଲେ ଯେ ଦିବ୍ୟାସ୍ତ୍ର ପ୍ରୟୋଗ ସମୟରେ ସେ ମନ୍ତ୍ର ଭୁଲିଯିବେ।

ଗୁରୁଙ୍କ ଆଶ୍ରମ ତ୍ୟାଗକରି,ଘୋର ମନସ୍ତାପରେ ସେ ଯେତେବେଳେ ଭାସମାନ ମେଘଖଣ୍ଡ ପରି ବୁଲୁଥିଲେ,ଆଉ ଏକ ଅଭିଶାପ ତାଙ୍କ କ୍ଷତ୍ରିୟ ଜୀବନକୁ କଳଙ୍କିତ କଲା।ବଣ୍ୟପଶୁ ଶିକାର କରିବା ଉଦ୍ଧେଶ୍ୟରେ ଶବ୍ଦଭେଦୀ ବାଣ ପ୍ରୟୋଗ କରି ସେ ଅଜ୍ଞାତରେ ଜଣେ ବ୍ରାହ୍ମଣର ଗାଈଟିଏ ହତ୍ୟା କରିଦେଲେ।

ବ୍ରାହ୍ମଣ ଅଭିଶାପ ଦେଲେ ଯେ ନିର୍ଣ୍ଣାୟକ ଯୁଦ୍ଧ ସମୟରେ ତାଙ୍କ ରଥଚକକୁ ଭୂମି ଗ୍ରାସ କରିବ।ତକ୍ଷକ ସର୍ପ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ସେହି ଅଭିଶାପ ଗୁଡ଼ିକ ଅର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ ଫଳିବ ବୋଲି ପୁନର୍ବାର ଅଭିଶାପ ଦେଇ ଚାଲିଗଲେ। ଆଜି ସେ ଅଭିଶାପ ଫଳବତୀ ହେବାପାଇଁ ଯାଉଛି।


ରଥର ଭୂମିଗ୍ରସ୍ତ ବାମ ଚକକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେଲେ କର୍ଣ୍ଣ।ତାଙ୍କ ଉପରକୁ ବାଣ ପ୍ରହାର କରିବାପାଇଁ ନିର୍ଦ୍ଦେଶ ଦେଉଛନ୍ତି ମାଧବ..କାଳ ବିଳମ୍ବ ନକରି କର୍ଣ୍ଣଙ୍କ ଶିରଛେଦ କର ପାର୍ଥ!ଥରେ ଭୂମିଗ୍ରସ୍ତ ରଥକୁ ଉଦ୍ଧାର କଲେ କଣ୍ଣଙ୍କୁ ପରାସ୍ତ କରିବା ଅସମ୍ଭବ।"


ଅସଫଳ ହୋଇ କର୍ଣ୍ଣ ହସ୍ତରେ ତୋଳିଲେ ଧନୁର୍ବାଣ। ସେଥିରେ ଦିବ୍ୟାସ୍ତ୍ର ଖଞ୍ଜି ପ୍ରୟୋଗ କରିବା ପାଇଁ ମନ୍ତ୍ର ମନେ ପକାଇଲେ। ନଃ ,ସବୁ ଭୁଲି ଯାଇଛନ୍ତି ସେ,ମନ୍ତ୍ର ମନେ ପଡୁନାହିଁ।ଅଭିଶାପ ତାଙ୍କ ସ୍ମୃତିପଟକୁ ଧଳା କାଗଜରେ ପରିଣତ କରିଦେଇଛି। ଜୀବନର ଅନ୍ତିମ କ୍ଷଣରେ ନିଜ ବିଡ଼ମ୍ବିତ ଭାଗ୍ୟ ଉପରେ ନ'ହସି ରହିପାରିଲେ ନାହିଁ କର୍ଣ୍ଣ...କି ଲାଭ ଏପରି ଶ୍ରେଷ୍ଠ ଶସ୍ତ୍ର-ବିଦ୍ୟା ଲାଭକରି !!ଭାଗ୍ୟଂ ଫଳତି ସର୍ବତ୍ର,ନ ବିଦ୍ୟା ନ ଚ ପୌରୁଷମ୍"


କାଳର କ୍ରୂର କଟାକ୍ଷରେ ରାଜପୁତ୍ରରୁ ଭିକାରି ସାଜିଥିବା କର୍ଣ୍ଣ ନିଜ ଭାଗ୍ୟ ଉପରେ ଅଟ୍ଟହାସ କରି ମନେ ମନେ କହୁଥିଲେ...ତୁ ହାରି ଯାଇଛୁ ଭାଗ୍ୟ,ମୋର ବିଜୟ ହୋଇଛି।ମାତା କୁନ୍ତୀ ତଥା ଶ୍ରୀକୃଷ୍ଣଙ୍କ ଦ୍ବାରା ପ୍ରଦତ୍ତ ରାଜପଦ ପ୍ରତ୍ୟାଖ୍ୟାନ କରି ମୁଁ ମୋର ପୁରୁଷାକାରର ଶ୍ରେଷ୍ଠତା ପ୍ରତିପାଦିତ କରି ପାରିଛି।"


ପର ମୁହୂର୍ତ୍ତରେ ଅର୍ଜୁନଙ୍କ ଗାଣ୍ଡିବରୁ ନିର୍ଗତ ବାଣ କର୍ଣ୍ଣଙ୍କ ବକ୍ଷ ଭେଦ କଲା।ନିଜ ଅନୁଜ ଅର୍ଜୁନଙ୍କୁ ମନେ ମନେ ଆଶୀର୍ବାଦ ଦେଉଥିଲେ ଜ୍ୟେଷ୍ଠ କୁନ୍ତୀପୁତ୍ର..ଯଶସ୍ବୀ ଭବ ଅନୁଜ,ଅଖଣ୍ଡ ଐଶ୍ୱର୍ଯ୍ୟ ଭୋଗ କର।"

ଅର୍ଜୁନଙ୍କ ଦ୍ବିତୀୟ ବାଣ କର୍ଣ୍ଣଙ୍କ ମସ୍ତକକୁ ଶରୀରରୁ ବିଚ୍ୟୁତ କରିଦେଲା। ମହାଭାରତ ଯୁଗର ଏକ ଅନୁଷ୍ଠାନର ଅକାଳ ମୃତ୍ୟୁ ଘଟିଲା।

ଜୀବନ ବା ମୃତ୍ୟୁ ପାଇଁ ଭ୍ରୂକ୍ଷେପ ନକରି, ଶରୀରକୁ କାଟି ଇନ୍ଦ୍ରଙ୍କୁ କବଚ କୁଣ୍ଡଳ ଦାନ କରିଥିବା ମହାଦାନୀ କର୍ଣ୍ଣଙ୍କ ଶରୀର ଆଜି କୁରୁକ୍ଷେତ୍ରରେ ନିଶ୍ଚଳ ହୋଇ ପଡ଼ି ରହି ଥିଲା;ରାଜପଦକୁ ପାଦରେ ଆଡେଇ ଦେଇ ବନ୍ଧୁତାକୁ ଶ୍ରେଷ୍ଠ ସଂଜ୍ଞା ଦେଇଥିବା କର୍ଣ୍ଣଙ୍କ ଶରୀର ଆଜି ଭୁଲୁଣ୍ଠିତ। ବନ୍ଧୁତା ପାଇଁ ସବୁବେଳେ ଅନ୍ୟାୟକୁ ସମର୍ଥନ ଦେଇ ଶେଷ ମୁହୂର୍ତ୍ତରେ ଅନ୍ୟାୟ ଯୁଦ୍ଧରେ ହିଁ ଜୀଵନ-ବାଜି ହାରି ଯାଇଥିବା କର୍ଣ୍ଣଙ୍କ ନିଶ୍ଚଳ ଶରୀର ପଡ଼ି ରହିଥିଲା କୁରୁକ୍ଷେତ୍ରରେ। 



Rate this content
Log in

Similar oriya story from Classics