Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ(୯୬)ତକ୍ଷକ ସର୍ପ

କଥା କାଦମ୍ବରୀ(୯୬)ତକ୍ଷକ ସର୍ପ

3 mins
187



ଦୁଃଶାସନ ନିହତ ହେବା ପରେ ଅଶ୍ଵତ୍ଥାମା ଦୁର୍ଯ୍ୟୋଧନଙ୍କୁ କହିଲେ..ଯୁଦ୍ଧ ବହୁତ ହୋଇଗଲା ମିତ୍ର ! ଏଣିକି ଶାନ୍ତି ସ୍ଥାପନ କରି ଅଧିକ ଧ୍ବଂସଲୀଳାରୁ ପୃଥିବୀକୁ ବଞ୍ଚାଇବା ଉଚିତ।"

ବିରକ୍ତ ହୋଇ ଦୁର୍ଯ୍ୟୋଧନ କହିଲା ..କ'ଣ ! ଶାନ୍ତି ?କି ପ୍ରକାର ଶାନ୍ତି ? ହିଂସ୍ର ପଶୁ ଭଳି ମୋ ଭାଇ ଦୁଃଶାସନର ଛାତି ଚିରି ରକ୍ତପାନ କରିବା ସମୟରେ ଭୀମ କ'ଣ କହୁଥିଲା ଶୁଣିଛ ତ ଅଶ୍ଵତ୍ଥାମା ? ମୋର ଜାନୁଭଗ୍ନ କରି ମୋତେ ନିହତ କରିବ ବୋଲି ବାରମ୍ବାର ଶପଥ ନେଉଥିଲା ଭୀମସେନ। ଏ ପରିସ୍ଥିତିରେ ଶାନ୍ତିର ପ୍ରଶ୍ନ ଉଠୁଛି କେଉଁଠି ?"


ଭୀମସେନ ଯେତେବେଳେ ଲହୁପାନ କରି କୃଷ୍ଣାଙ୍କ ବେଣୀ ବନ୍ଧନ କରୁଥିଲେ ସେ ଦୃଶ୍ୟ ଦେଖି ମହାବୀର କର୍ଣ୍ଣ ମଧ୍ୟ ଭୟରେ ଶିହରୀ ଉଠିଲେ।କର୍ଣ୍ଣଙ୍କ ରଥରେ ସାରଥି ହୋଇ ବସିଥିବା ଶଲ୍ୟ କହିଲେ...ହେ ଅଙ୍ଗରାଜ !ଏ ସମୟରେ ତୁମପାଇଁ ସାହସିକତା ନିହାତି ଆବଶ୍ୟକ। ବର୍ତ୍ତମାନ ତୁମେ ଦୁର୍ଯ୍ୟୋଧନର ସାହା ଭରଷା। ବାକ୍ୟବୀର ଭଳି କେବଳ ଆସ୍ଫାଳନ କଲେ ତ ହେବନାହିଁ,ଅର୍ଜୁନ ଭଳି ମହାରଥୀର ସମ୍ମୁଖୀନ ହେବାପାଇଁ ଆବଶ୍ୟକୀୟ ସାହସ ତୁମର ଥିବାଭଳି ମୋର ମନେ ହେଉନାହିଁ।"


ଶଲ୍ୟଙ୍କ ବାକ୍ୟରେ ଆହତ କର୍ଣ୍ଣ କହିଲେ.. ଅର୍ଜୁନର ପ୍ରଶଂସା କରି ମୋର ମନୋବଳ ହ୍ରାସ କରନ୍ତୁ ନାହିଁ ,ମାତୁଳ !ମୋ ରଥ ନେଇ ନନ୍ଦିଘୋଷ ଆଗରେ ସ୍ଥାପିତ କରନ୍ତୁ। ଆଜି ଅର୍ଜୁନଙ୍କୁ ଯୁଦ୍ଧରେ ନିହତ କରି ପାଣ୍ଡବ ବାହିନୀକୁ ପରାହତ କରିବି। ପାଣ୍ଡବଙ୍କ କର୍ଣ୍ଣଧାର ଅର୍ଜୁନ ପରାସ୍ତ ହୋଇ ମୃତ ହେବାପରେ ସେମାନଙ୍କ ପରାଜୟ ସୁନିଶ୍ଚିତ।"


ଶଲ୍ୟ ପୁଣି ନିରାଶାଜନକ ବାଣୀରେ କହିଲେ.. ଅର୍ଜୁନକୁ ପରାସ୍ତ କରି ନିହତ କରିବା ତୁମର ଦିବାସ୍ବପ୍ନ ବ୍ୟତୀତ ଅନ୍ୟ କିଛି ନୁହେଁ ଅଙ୍ଗରାଜ। ଅର୍ଜୁନ ବିରୁଦ୍ଧରେ ତୁମେ କେଉଁ ଯୁଦ୍ଧ ଜୟ କରିଛ କୁହ ରାଧାପୁତ୍ର !ତୁମର ଆସ୍ଫାଳନ ଶୁଣି ଶୁଣି କାନ ବଧୀର ହୋଇଗଲାଣି ଅଙ୍ଗରାଜ।ତୁମର ପରମ ସଖା ଦୁର୍ଯ୍ୟୋଧନଙ୍କୁ ଚିତ୍ରସେନ ଗନ୍ଧର୍ଵ ବାନ୍ଧି ନେଲାବେଳେ କେଉଁଠି ତୁମେ ଲୁଚି ଥିଲ ରାଧାପୁତ୍ର ?ସେହି ଚିତ୍ରସେନକୁ ପରାସ୍ତ କରି ଅର୍ଜୁନ ତୁମ ମିତ୍ରକୁ ମୁକ୍ତି ଦେଲାବେଳେ ବୁଡି ମରିବା ପାଇଁ ଆଞ୍ଜୁଳାଏ ପାଣି ମଧ୍ୟ ତୁମକୁ ମିଳିଲା ନାହିଁ।ଅଜ୍ଞାତବାସ ବ୍ୟତୀତ କରିବା ପାଇଁ ଯେତେବେଳ ପାଣ୍ଡବମାନେ ମତ୍ସ୍ୟ ଦେଶରେ ଆତ୍ମଗୋପନ କରିଥିଲେ ,ବିରାଟ ରାଜାଙ୍କ ଗୋଧନ ହରଣ କରିବାପାଇଁ ତୁମେ ଯାଇଥିଲ।ଅର୍ଜୁନ ସହିତ ଯୁଦ୍ଧରେ ସେଠାରେ ତୁମର ଯାହା ଅବସ୍ଥା ହେଲା ନକହିଲେ ଭଲ।ସମ୍ମୋହନ ବାଣରେ ତୁମକୁ ଚେତାଶୂନ୍ୟ କରି ଅର୍ଜୁନ ତୁମର ଅସ୍ତ୍ରଶସ୍ତ୍ର ସହିତ ଅଙ୍ଗବସ୍ତ୍ର ମଧ୍ୟ ହରଣ କରି ନେଇଥିଲା। ମନେ ନାହିଁ କର୍ଣ୍ଣ ? ଆଃ କର୍ଣ୍ଣ ! କାହିଁ କେଶବ ସମର୍ଥିତ ପାର୍ଥ ଏବଂ କାହିଁ ଦୁର୍ଯ୍ୟୋଧନ ସମର୍ଥିତ ରାଧେୟ !"


ଶଲ୍ୟ,କର୍ଣ୍ଣଙ୍କୁ ଏହିଭଳି ହତୋତ୍ସାହିତ କରିବାର କାରଣ ଥିଲା।ଯୁଦ୍ଧ ପୂର୍ବରୁ ତଞ୍ଚକତା କରି ଦୁର୍ଯ୍ୟୋଧନ ଶଲ୍ୟ ଏବଂ ତାଙ୍କ ବିଶାଳ ସେନାଙ୍କୁ ଆତିଥ୍ୟ ପ୍ରଦାନ କରି ତାଙ୍କୁ ଋଣୀ କରିଦେଇଥିଲା।ଶଲ୍ୟ, ବାଧ୍ୟହୋଇ ଦୁର୍ଯ୍ୟୋଧନକୁ ସମର୍ଥନ କରିଥିଲେ। କିନ୍ତୁ ସେ ବାସ୍ତବରେ ମାଦ୍ରୀଙ୍କ ଭ୍ରାତା ହୋଇଥିଵାରୁ ପାଣ୍ଡବମାନଙ୍କର ନିଜ ମାତୁଳ ଥିଲେ। ଦୁର୍ଯ୍ୟୋଧନକୁ ତାର ତଞ୍ଚକତାର ପ୍ରତିଫଳ ଏହିପରି କର୍ଣ୍ଣଙ୍କୁ ନିରୁତ୍ସାହିତ କରି ଦେବେ ବୋଲି ପାଣ୍ଡବ ମାନଙ୍କୁ ସେ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଶଲ୍ୟ।


ଶଲ୍ୟଙ୍କ ବାକ୍ୟରେ କର୍ଣ୍ଣ ହତୋତ୍ସାହିତ ହେଲେ ମଧ୍ୟ ସେ ପଳାତକ ନଥିଲେ। ଅର୍ଜୁନ ସହିତ ତାଙ୍କର ଲାଗିଲା ଭୀଷଣ ସଂଗ୍ରାମ। ନନ୍ଦିଘୋଷ ସହିତ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ଗିଳିଦେଇ ଉଦରସ୍ଥ କରିବାପାଇଁ ତକ୍ଷକ ସର୍ପକୁ ନିଜ ବାଣରେ ଖଞ୍ଜି ପ୍ରହାର କଲେ କର୍ଣ୍ଣ।ଲହ ଲହ ଜିହ୍ୱା ବ୍ୟାଦାନ କରି ମାଡିଆସିଲା ସର୍ପବାଣ।ରଥ ଶୀର୍ଷରେ ରହିଥିବା ହନୁମାନଙ୍କୁ ଶ୍ରୀକୃଷ୍ଣ ଆଦେଶ ଦେଇ କହିଲେ... ମାରୁତି ! ବର୍ତ୍ତମାନ ତୁମ ସହଯୋଗର ସମୟ ଆସିଗଲା। ନନ୍ଦିଘୋଷ ରଥକୁ ପାତାଳଗାମୀ କର,ନହେଲେ ଆମେ ସମସ୍ତେ ତକ୍ଷକ ସର୍ପ ଗର୍ଭରେ ବିଲୀନ ହୋଇଯିବା। ଶ୍ରୀକୃଷ୍ଣଙ୍କ ଆଦେଶରେ ହନୁମାନ ନନ୍ଦିଘୋଷକୁ ଭୂମିଗ୍ରସ୍ଥ କରାଇଲେ।କେବଳ ଉପରକୁ ଦେଖାଯାଉଥିବା ପତାକାକୁ ଗିଳିଦେଇ ତକ୍ଷକ କର୍ଣ୍ଣଙ୍କ ଆଗରେ ବଡିମା ଦେଖାଇ କହିଲେ.. ନନ୍ଦିଘୋଷ ରଥ ସହିତ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ମୁଁ ଗର୍ଭସ୍ଥ କରିଛି ରାଧେୟ;ତୁମ ଚିରଶତ୍ରୁ ଅର୍ଜୁନକୁ ବିନାଶ କରିବା ସଙ୍ଗେ ସଙ୍ଗେ ମୁଁ ,ସେମାନଙ୍କ ଶତ୍ରୁତାର ପ୍ରତିଶୋଧ ନେଇଛି।


ତକ୍ଷକଙ୍କର ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସହିତ ଶତ୍ରୁତାର କାହାଣୀ ଥିଲା ଏହିପରି:-----

ଇନ୍ଦ୍ରପ୍ରସ୍ଥ ରାଜ୍ୟ ସ୍ଥାପନ ସମୟରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ଦ୍ବାରା ଖାଣ୍ଡବ ବନ ଦହନ ଯୋଗୁଁ ତକ୍ଷକଙ୍କ ପରିବାର ଅଗ୍ନିରେ ଧ୍ବଂସ ପାଇଯାଇଥିଲେ; ପିତାଙ୍କୁ ଦୁଃଖଦ ସମ୍ବାଦ ଦେବାକୁ କେବଳ ବଞ୍ଚି ଯାଇଥିଲେ ପୁତ୍ର ଅଶ୍ବସେନ। ସେଦିନ ଖାଣ୍ଡବ ବନରେ ଉପସ୍ଥିତ ନଥିବାରୁ ତକ୍ଷକ ମଧ୍ୟ ବଞ୍ଚି ଯାଇଥିଲେ।ଶୋକରେ ଅଧୀର ତକ୍ଷକ ସେ ସମୟରେ ଶପଥ ନେଇଥିଲେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ନିହତ କରିବାପାଇଁ। ମହାଭାରତ ଯୁଦ୍ଧ ସମୟରେ କର୍ଣ୍ଣଙ୍କ ସାହାଯ୍ୟରେ ସେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଉପରେ ପ୍ରତିଶୋଧ ନେବାପାଇଁ ଚାହୁଁଥିଲେ। କିନ୍ତୁ ତକ୍ଷକଙ୍କୁ ବାଣରେ ଖଞ୍ଜି ଅର୍ଜୁନଙ୍କ ଉପରେ ପ୍ରହାର କରିବା ପୂର୍ବରୁ ଶଲ୍ୟ କର୍ଣ୍ଣଙ୍କୁ କହିଥିଲେ..ସର୍ପମାନଙ୍କୁ ବିଶ୍ବାସ ନାହିଁ ରାଧେୟ;ଏ ତକ୍ଷକ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର କିଛି କ୍ଷତି କରିପାରିବ ବୋଲି ମୋର ବିଶ୍ବାସ ନାହିଁ।"


ନନ୍ଦିଘୋଷର ପତାକାକୁ ଗିଳିଦେଇ ତକ୍ଷକ ଭାବିଲେ ଯେ ସେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ବିନାଶ କରିଛନ୍ତି। କିନ୍ତୁ ଏ କ'ଣ ! ଭୂମି ଵିଦୀର୍ଣ୍ଣ କରି ନନ୍ଦିଘୋଷ ଉଭାହେଲା ରଣକ୍ଷେତ୍ରରେ।ପାଞ୍ଚଜନ୍ୟ ଶଙ୍ଖ ନାଦରେ କମ୍ପି ଉଠିଲା କୁରୁକ୍ଷେତ୍ର। ଆଶ୍ଚର୍ଯ୍ୟ ହୋଇ କର୍ଣ୍ଣ ତକ୍ଷକଙ୍କୁ ପ୍ରଶ୍ନ କଲେ..କାହାକୁ ତୁମେ ଗିଳିଦେଇଛ ବୋଲି ବଡିମା ଦେଖାଉଛ ତକ୍ଷକ ?ଏଇ ଦେଖ କିପରି ବିଜୟ ଗର୍ବରେ ନନ୍ଦିଘୋଷ ମାଡି ଆସୁଛି ! ଠିକ୍ କଥା କହୁଥିଲେ ମାତୁଳ ଶଲ୍ୟ, ସର୍ପମାନଙ୍କୁ ବିଶ୍ବାସ ନାହିଁ।"


ନନ୍ଦିଘୋଷକୁ ଗିଳିଥିବା ପ୍ରମାଣ ଦେଖାଇବା ପାଇଁ ଉଦରଭିତରୁ ଉଦ୍ଗାରଣ କଲେ ତକ୍ଷକ।ବାହାରି ଆସିଲା କେବଳ ନନ୍ଦିଘୋଷ ରଥ ଉପରେ ଥିବା କନାରୁ ଖଣ୍ଡେ।ତକ୍ଷକ ନିଜେ ମଧ୍ୟ ଆଶ୍ଚର୍ଯ୍ୟ, କିପରି ଏହା ସମ୍ଭବ !! ଆଉ ଥରେ ତାଙ୍କୁ ବାଣରେ ପ୍ରୟୋଗ କରିବାକୁ ଅନୁରୋଧ କଲେ ତକ୍ଷକ। କର୍ଣ୍ଣ ତକ୍ଷକଙ୍କୁ ଅପଶବ୍ଦ ପ୍ରୟୋଗ କରି କହିଲେ..ତୁରନ୍ତ ଏ ସ୍ଥାନ ତ୍ୟାଗକରି ଚାଲିଯାଅ ମୂର୍ଖ ସର୍ପ,ନହେଲେ ମୋ କ୍ରୋଧର ଶିକାର ହେବ।"


କର୍ଣ୍ଣଙ୍କୁ ଅଭିଶାପ ଦେଇ ଚାଲିଗଲେ ତକ୍ଷକ...ତୁମ ଉପରେ ଥିବା ବ୍ରାହ୍ମଣର ଅଭିଶାପ ଏବଂ ପର୍ଶୁରାମଙ୍କ ଅଭିଶାପ ତୁରନ୍ତ ଫଳବତୀ ହେବ କର୍ଣ୍ଣ!ତୁମ ରଥ ଚକ ଭୂମିଗ୍ରସ୍ତ ହେବ,ଦିବ୍ୟାସ୍ତ୍ର ପ୍ରୟୋଗର ମନ୍ତ୍ର ଭୁଲିଯିବ ତୁମେ, ଦୟନୀୟ ମୃତ୍ୟୁ ବରଣ କରିବ ଅର୍ଜୁନଙ୍କ ହାତରେ।



Rate this content
Log in

Similar oriya story from Classics