Kulamani Sarangi

Classics

2.8  

Kulamani Sarangi

Classics

କଥା କାଦମ୍ବରୀ(୧୧୦) ସ୍ଵର୍ଗାରୋହଣ

କଥା କାଦମ୍ବରୀ(୧୧୦) ସ୍ଵର୍ଗାରୋହଣ

4 mins
194



ଯୁଧିଷ୍ଠିରଙ୍କ ଆଖି ଆଗରେ ଜୀବନର ସତ୍ୟ ଓ ଅସତ୍ୟ ଦିବାଲୋକ ଭଳି ସ୍ପଷ୍ଟ ଦେଖାଗଲା। ଜ୍ଞାନ ଆଲୋକରେ ହୃଦୟ ଉଦ୍ଭାସିତ ହୋଇଗଲା।ନଶ୍ବର ଶରୀରର ବିନାଶ ଯେ ନିଶ୍ଚିତ ସେ ହୃଦୟଙ୍ଗମ କରି ପାରିଲେ।ମୃତ୍ୟୁରେ ଶୋକ କରିବା ଭଳି ସ୍ଥିତିରୁ ଦୂରେଇ ଯାଇଥିଲା ତାଙ୍କ ମନ। ତେଣୁ ସ୍ବର୍ଗ ଯାତ୍ରା ପାଇଁ ହିମାଳୟ ଆରୋହଣ କରିବା ସମୟରେ ଏକ ଏକ କରି ଯେତେବେଳେ ତାଙ୍କର ପତ୍ନୀ ଓ ଭାଇମାନେ ବରଫ ପଥରେ ପଡ଼ି ପ୍ରାଣ ହରାଇଲେ, ପଛକୁ ଫେରି ଚାହୁଁ ନଥିଲେ ସେ।ପ୍ରଥମେ ଦ୍ରୌପଦୀ ଏବଂ ତାଙ୍କ ପରେ ପରେ କ୍ରମାନ୍ୱୟରେ ସହଦେବ, ନକୁଳ , ଅର୍ଜୁନ ଏବଂ ଭୀମ ପଞ୍ଚତ୍ବ ପ୍ରାପ୍ତ ହେଲେ। ସେମାନଙ୍କ ନଶ୍ବର ଶରୀରରୁ ପ୍ରାଣପକ୍ଷୀ ଉଡିଯାଇ ଅନନ୍ତ ସତ୍ତାରେ ବିଲୀନ ହୋଇଗଲେ।ଶୀଘ୍ର ସ୍ବର୍ଗରେ ପହଞ୍ଚି ସେହି ବିଗତ ଆତ୍ମା ମାନଙ୍କୁ ଭେଟିବାର ଅଭିଳାଷା ତାଙ୍କ ମନରେ ଜାଗ୍ରତ ହେଲା।

 

ପଛକୁ ଥରେ ମଧ୍ୟ ଫେରି ଚାହିଁଲେ ନାହିଁ ଯୁଧିଷ୍ଠିର, ଆଗେଇ ଚାଲିଲେ ହିମାଳୟ ଚୂଡାରେ ପହଞ୍ଚିବାପାଇଁ।ଗୋଟି ଗୋଟି ହୋଇ ସମସ୍ତେ ଚାଲିଗଲେ ମଧ୍ୟ କୁକୁରଟି ବଞ୍ଚି ରହିଥିଲା ଏବଂ ଯୁଧିଷ୍ଠିରଙ୍କ ସଙ୍ଗେ ସଙ୍ଗେ ଚାଲୁଥିଲା।ଶେଷରେ ହିମାଳୟର ଶୀର୍ଷରେ ପହଞ୍ଚିଲେ ଯୁଧିଷ୍ଠିର।


ମାତଳିଙ୍କ ଦ୍ବାରା ପରିଚାଳିତ ଦିବ୍ୟ ବିମାନରେ ଇନ୍ଦ୍ରଦେବ ହିମାଳୟ ଚୂଡାରେ ପହଞ୍ଚିଲେ, ଯୁଧିଷ୍ଠିରଙ୍କୁ ସ୍ବଦେହରେ ସ୍ବର୍ଗକୁ ନେବାପାଇଁ। ଇନ୍ଦ୍ର କହିଲେ ...ଆପଣଙ୍କ ପୂର୍ବରୁ ଆପଣଙ୍କ ପତ୍ନୀ ଏବଂ ଭାଇମାନଙ୍କ ଆତ୍ମା ପହଞ୍ଚି ସାରିଲେଣି।ଆପଣ ସାରା ଜୀବନ ଧର୍ମପଥ ଅନୁସରଣ କରୁଥିବାରୁ ସ୍ବଦେହରେ ସ୍ଵର୍ଗାରୋହଣ କରିବାପାଇଁ ଯୋଗ୍ୟ। ସ୍ୱର୍ଗରେ ପହଞ୍ଚି ଆପଣଙ୍କ ଶରୀରରର ନଶ୍ବରତା ଚିରନ୍ତନ ପ୍ରାପ୍ତ ହେବ;ଆସନ୍ତୁ,ସ୍ବଦେହରେ ଆପଣଙ୍କୁ ସ୍ବର୍ଗକୁ ନେଇଯିବା ପାଇଁ ମୁଁ ଏଠାରେ ଉପସ୍ଥିତ।" 


ଯୁଧିଷ୍ଠିର ଇନ୍ଦ୍ରଙ୍କ ଦିବ୍ୟ ବିମାନ ଆରୋହଣ କଲେ।ପାଖରେ ଥିବା କୁକୁରଟି ମଧ୍ୟ ତାଙ୍କ ସଙ୍ଗେ ସଙ୍ଗେ ବିମାନରେ ଚଢିବା ପାଇଁ ଚେଷ୍ଟା କଲା।ଇନ୍ଦ୍ର କହିଲେ ... ନାଁ ନାଁ,ଆପଣ ନିଜ ସହିତ ଏ କୁକୁରକୁ ନେଇ ପାରିବେ ନାହିଁ,ସ୍ବର୍ଗରେ କୁକୁରଙ୍କ ପ୍ରବେଶ ନିଷେଧ।"


ଯୁଧିଷ୍ଠିର ସଙ୍ଗେ ସଙ୍ଗେସଙ୍ଗେ ବିମାନରୁ ଅବତରଣ କରି ଯୋଡ ହସ୍ତରେ କହିଲେ..... ମୋତେ କ୍ଷମା କରନ୍ତୁ ଇନ୍ଦ୍ରଦେବ ! ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋ ପିଛା ଛାଡ଼ିନ'ଥିବା ଏହି କୁକୁରକୁ ସାଙ୍ଗରେ ନ'ନେଇ ମୁଁ ଯିବିନାହି।ଗୋଟି ଗୋଟି କରି ମୋ ପତ୍ନୀ ଏବଂ ଭାଇମାନେ ଯେତେବେଳେ ମୋ ସଙ୍ଗ ଛାଡି ଚାଲିଗଲେ ଶେଷ ପର୍ଯ୍ୟନ୍ତ ଅତୁଟ ପ୍ରଭୁଭକ୍ତି ସହିତ ଏହି କୁକୁରଟି ମୋ ସହିତ ରହିଛି।ସେ ମୋ ଜୀବନଯାତ୍ରାର ଅଭିନ୍ନ ଅଂଶ।ତାକୁ ଛାଡିବା ମୋ ପକ୍ଷେ ସମ୍ଭବ ହେବନାହିଁ।"


ବାସ୍ତବରେ ସେ କୁକୁର ଅନ୍ୟ କେହି ନୁହେଁ, ସ୍ବୟଂ ଧର୍ମରାଜ ଥିଲେ।ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେ ଯୁଧିଷ୍ଠିରଙ୍କ ସହିତ ରହିଥିଲେ। ଯୁଧିଷ୍ଠିର ଏପରି କହିବା ପରେ କୁକୁରଟି ଉଭେଇ ଗଲା।ନିଜେ ଧର୍ମରାଜ ଯମ ଯୁଧିଷ୍ଠିରଙ୍କ ସମକ୍ଷରେ ଉପସ୍ଥିତ ହୋଇ କହିଲେ ...ବତ୍ସ ଯୁଧିଷ୍ଠିର ! ମୁଁ ସ୍ବୟଂ ଧର୍ମରାଜ, କୁକୁର ରୂପରେ ତୁମକୁ ଏ ପର୍ଯ୍ୟନ୍ତ ଅନୁଧାବନ କରୁଥିଲି।ତୁମର ଧର୍ମନିଷ୍ଠତାରେ ମୁଁ ସନ୍ତୁଷ୍ଟ ।ସ୍ବର୍ଗ ଦ୍ବାର ତୁମପାଇଁ ଉନ୍ମୁକ୍ତ।"


ଯୁଧିଷ୍ଠିର ସ୍ବର୍ଗରେ ପହଞ୍ଚି ପ୍ରଥମେ ଦେଖିଲେ ଦୁର୍ଯ୍ୟୋଧନଙ୍କୁ। ଅପ୍ସରା ଏବଂ ବିମ୍ବାଧର ବିମ୍ବାଧରୀ ମାନଙ୍କ ଦ୍ବାରା ପରିବେଷ୍ଟିତ ହୋଇ ମହା ଆନନ୍ଦରେ ବସିଥିଲେ ଦୁର୍ଯ୍ୟୋଧନ। ତାଙ୍କ ନିକଟରେ ଅନେଶ୍ବତ ଭାଇ ମଧ୍ୟ ହର୍ଷୋଲ୍ଲାସରେ ସମୟ ବ୍ୟତୀତ କରୁଥିଲେ। ଯୁଧିଷ୍ଠିର ତାଙ୍କ ନିଜ ଭାଇମାନଙ୍କୁ ଏବଂ କର୍ଣ୍ଣଙ୍କୁ ସେଠାରେ ଦେଖିବାକୁ ପାଇଲେ ନାହିଁ। ଏହି ସମୟରେ ସ୍ବର୍ଗ-ଯତି ନାରଦ ସେଠାରେ ପହଞ୍ଚିଲେ।ନାରଦଙ୍କ ଦୃଷ୍ଟି ଆକର୍ଷଣ କରି ଯୁଧିଷ୍ଠିର କହିଲେ ...ହେ ମହାତ୍ମା ! ଆପଣ ତ ଜାଣିଛନ୍ତି ଦୁଷ୍ଟ ଦୁର୍ଯ୍ୟୋଧନ ଯୋଗୁଁ ହଁ ମହାଭାରତ ଯୁଦ୍ଧ ସଂଘଟିତ ହୋଇଥିଲା, ଯେଉଁଥିରେ ଅସଂଖ୍ୟ ଧନ ଜୀବନ ନଷ୍ଟ ହୋଇଗଲା।ଲୋଭ ଏବଂ ଈର୍ଷାର ପ୍ରତିମୂର୍ତ୍ତି ଏହି ଦୁର୍ଯ୍ୟୋଧନ କପଟ ପଶା ଖେଳରେ ଆମ୍ଭମାନଙ୍କୁ ରାଜ୍ୟଚ୍ୟୁତ କରି ବନବାସୀ କରାଇଥିଲା। ପୂର୍ଣ୍ଣ କୁରୁ ସଭା ତଳେ ଦ୍ରୌପଦୀଙ୍କୁ ଉଲଗ୍ନ କରିବାକୁ ପ୍ରୟାସ କରାଯାଇଥିଲା ଏହି ପାପାତ୍ମାର ନିର୍ଦ୍ଦେଶରେ।ଭୀମଙ୍କୁ ବିଷ ଲଡୁ ଦେଇ ମାରିବା ପଛରେ ଏହି ଦୁରାତ୍ମାର ହାତ ,ଏବଂ ଅଭିମନ୍ୟୁ ତଥା ପାଞ୍ଚାଳୀଙ୍କର ପୁତ୍ର ମାନଙ୍କର ଅନ୍ୟାୟରେ ନିଧନ ପଛରେ ମଧ୍ୟ ଏହି ବଂଶମରା ଡାହୁକର ହାତ ଥିଲା।ଅଥଚ ମହା ଆଡ଼ମ୍ବରରେ ସ୍ବର୍ଗର ସମସ୍ତ ସୁଖ ଭୋଗ କରୁଛି ଏହି ପାପାତ୍ମା। ସର୍ବଦା ଧର୍ମ ପଥରେ ରହିଥିବା ମୋ ଭାଇମାନେ କାହାନ୍ତି !କାହାନ୍ତି ଅଖଣ୍ଡ ପୌରୁଷର ଅଧିକାରୀ ମୋ ଅଗ୍ରଜ କର୍ଣ୍ଣ !"


ନାରଦ କହିଲେ.. ଛିଃ ଛିଃ ଯୁଧିଷ୍ଠିର ! ଦୁର୍ଯ୍ୟୋଧନ ପ୍ରତି ଥିବା ସମସ୍ତ ଅସୂୟା ଏ ପର୍ଯ୍ୟନ୍ତ ରହିଛି ତୁମ ମନରେ ! ମାନବ ଶରୀରରେ ସ୍ବଦେହରେ ଆସିଛ ସେଥିପାଇଁ ମାନବୀୟ ଗୁଣ ଗୁଡିକ ଛାଡି ପାରିନାହଁ।ସ୍ୱର୍ଗରେ ଏପରି ଈର୍ଷା ଦ୍ୱେଷ ଅସୂୟାର ସ୍ଥାନ ନାହିଁ। ଦୁର୍ଯ୍ୟୋଧନ କ୍ଷତ୍ରିୟୋଚିତ କାର୍ଯ୍ୟ କରି,ଶେଷ ପର୍ଯ୍ୟନ୍ତ ଯୁଦ୍ଧକରି ପ୍ରାଣ ହରାଇଥିବାରୁ ସ୍ବର୍ଗରେ ସ୍ଥାନ ପାଇଛନ୍ତି।"


ଯୁଧିଷ୍ଠିର ଦୁଃଖରେ କହିଲେ... ଯେଉଁ ଠାରେ ମୋ ଭାଇମାନେ ନାହାଁନ୍ତି ସ୍ବର୍ଗ ହେଲେ ମଧ୍ୟ ସେଠାରେ କ୍ଷଣେ ମାତ୍ର ମୁଁ ରହିବାକୁ ଚାହେଁ ନାହିଁ।"

ନିକଟରେ ଉପସ୍ଥିତ ଥିବା ଯମଦୂତ କହିଲେ ...ଏହା ଯେବେ ଆପଣଙ୍କ ଇଚ୍ଛା ତାହେଲେ ମୋ ପଛେ ପଛେ ଆସନ୍ତୁ।"ଯୁଧିଷ୍ଠିର ଯମଦୂତଙ୍କୁ ଅନୁସରଣ କରି ଯେଉଁଠାରେ ପହଞ୍ଚିଲେ, ଅତି ଭୟଙ୍କର ଥିଲା ସେ ସ୍ଥାନ।ବିରାଟ ଅନ୍ଧକାର ଗୁମ୍ଫା ଭଳି ତାହା ଜଣାଯାଉଥିଲା।ଚାରିଆଡେ ଶୁଣାଯାଉଥିଲା ମୃତ୍ୟୁ କାଳୀନ ଚିତ୍କାର।ଅଶରିରୀମାନେ ଶୂନ୍ୟରେ ଘୁରି ବୁଲୁଥିଲେ।ରକ୍ତ ମେଦ ମାଂସ ଉପରେ ଚାଲି ଚାଲି ଭିତରେ ପହଞ୍ଚିଲେ ଯୁଧିଷ୍ଠିର। ପାପୀ ମାନଙ୍କୁ ଦିଆଯାଉଥିବା ଯନ୍ତ୍ରଣା ଦେଖି ଶିହରୀ ଉଠିଲେ ଯୁଧିଷ୍ଠିର;କାହାକୁ ତାତିଲା ତେଲ କଡେଇରେ ବୁଡାଯାଉଥିଲା ତ କାହାକୁ ନିଆଁ ଭିତରକୁ ଫିଙ୍ଗାଯାଉଥିଲା।ପଚା ଗନ୍ଧରେ ନାକ ଫାଟି ପଡୁଥିଲା। 


ଯୁଧିଷ୍ଠିର ସେଠାରେ କ୍ଷଣେ ମାତ୍ର ରହିବାକୁ ଚାହୁଁ ନଥିଲେ।ସେ ଫେରିବାକୁ ଉପକ୍ରମ କଲାବେଳେ କିଛି ଚିହ୍ନା ଜଣା କଣ୍ଠର ଆକୁଳ ନିବେଦନ ତାଙ୍କ କାନରେ ପଡ଼ିଲା ...ହେ ଧର୍ମରାଜ ! ଆମେମାନେ ଏଠାରେ ଅନେକ ଯନ୍ତ୍ରଣା ଭୋଗୁଥିଲୁ। କିନ୍ତୁ ଆପଣଙ୍କ ଉପସ୍ଥିତି ଆମମାନଙ୍କ ଦେହ ଓ ମନରେ ଅପୂର୍ବ ଶୀତଳତା ଆଣୁଛି। ଦୟାକରି ଆପଣ ଆମକୁ ଛାଡି ଯାଆନ୍ତୁ ନାହିଁ।"


ସେମାନଙ୍କ ଆକୁଳ ନିବେଦନ ଶୁଣି ଯୁଧିଷ୍ଠିର କହିଲେ ...କିଏ ଆପଣମାନେ। ଆପଣମାନଙ୍କ କଣ୍ଠସ୍ୱର ମୋର ଅତି ପରିଚିତ ମନେହେଉଛି।"

ସେମାନଙ୍କ ଭିତରୁ ଜଣେ କହିଲେ.. ମୁଁ କର୍ଣ୍ଣ,ଅନ୍ୟ ଜଣେ କହିଲେ.. ମୁଁ ଭୀମ, ତୃତୀୟ ବ୍ୟକ୍ତି କହିଲେ.. ମୁଁ ଅର୍ଜୁନ।ଚତୁର୍ଥ ଏବଂ ପଞ୍ଚମ ସ୍ବର ଥିଲା ନକୁଳ ଏବଂ ସହଦେବଙ୍କର।ଶେଷରେ ଯାଜ୍ଞସେନୀ କହିଲେ...ଧର୍ମପୁତ୍ର ! ମୁଁ ତୁମର ପତ୍ନୀ।"


ଯୁଧିଷ୍ଠିରଙ୍କର ଆଉ ଧୈର୍ଯ୍ୟ ନଥିଲା।ନିଜ ପରିଜନଙ୍କ ପ୍ରତି ଏଭଳି ଅନ୍ୟାୟ ଦେଖି ସେ ସବୁ ଦେବତାଙ୍କ ଉପରେ ବିରକ୍ତ ହୋଇ କହିଲେ..ସତ୍ୟ ପଥରେ ଥିବା ମୋ ପରିଜନଙ୍କ ପାଇଁ ମୃତ୍ୟୁ ପରେ ଯେବେ ଏ ଭଳି ସ୍ଥାନ ସଂରକ୍ଷିତ ତା'ହେଲେ ମୋର ସ୍ବର୍ଗକୁ ଯିବା ଆବଶ୍ୟକ ନାହିଁ। ମୁଁ ମଧ୍ୟ ସେମାନଙ୍କ ସହିତ ଏଠାରେ ରହିବି।"


"ତାହାହିଁ ହେଉ"କହି ଯମଦୂତ ସେ ସ୍ଥାନ ଛାଡି ଚାଲିଗଲେ। 

ଦିନର ୩୦ଭାଗ ଯୁଧିଷ୍ଠିରଙ୍କର ନର୍କ ଯନ୍ତ୍ରଣାରେ ବିତିଗଲା। ତା'ପରେ ହଠାତ୍ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା।ସେ ସ୍ଥାନରୁ ନର୍କ କୁଆଡେ ଉଭେଇ ଗଲା। ସମ୍ମୁଖରେ ଦେବରାଜ ଇନ୍ଦ୍ର ଏବଂ ଧର୍ମରାଜ ଯମ ଉପସ୍ଥିତ ହେଲେ।ହସି ହସି ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଲେ ..ପୁତ୍ର ! ପରୀକ୍ଷାରେ ତୁମେ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଛ;ପରିଜନଙ୍କ ପାଇଁ ତୁମେ ନର୍କରେ ରହିବାକୁ ମଧ୍ୟ ପ୍ରସ୍ତୁତ ଜାଣି ମୁଁ ଆନନ୍ଦିତ।ଏହା ଏକ ନାଟକ ଥିଲା।ବାସ୍ତବରେ ତୁମର ସମସ୍ତ ପରିଜନ ସ୍ବର୍ଗସୁଖ ଭୋଗ କରୁଛନ୍ତି।ଚାଲ ସେମାନଙ୍କ ପାଖକୁ ଯିବା।"


ଅଳ୍ପ ବିରାମ ପରେ ଯମରାଜ କହିଲେ ..ତୁମେ ନର୍କ ଦର୍ଶନ କରିବାର ଅନ୍ୟ ଏକ କାରଣ ଅଛି ପୁତ୍ର ଯୁଧିଷ୍ଠିର; କୁରୁକ୍ଷେତ୍ରରେ ଅଶ୍ଵତ୍ଥାମା ନାମକ ହସ୍ତୀ ଭୀମଙ୍କ ହାତରେ ବିନାଶ ହେବା ସମୟରେ "ଅଶ୍ଵତ୍ଥାମା ହତ"ବୋଲି ହଟ୍ଟଗୋଳ ସୃଷ୍ଟି ହେଲା;ପୁତ୍ର ଅଶ୍ଵତ୍ଥାମାର ମୃତ୍ୟୁ ଆଶଙ୍କା କରି, ପ୍ରକୃତ ସତ୍ୟ କଣ ଦ୍ରୋଣାଚାର୍ଯ୍ୟ ତୁମକୁ ପଚାରି ଥିଲେ।ସେ ସମୟରେ ତୁମେ କହିଥିଲ.."ଅଶ୍ଵତ୍ଥାମା ହତ,ନରେ ବା କୁଞ୍ଜରେ।" ସତ୍ୟର ଅନ୍ତରାଳରେ ଲୁଚିଥିବା ସେହି ମିଥ୍ୟା ହିଁ ଗୁରୁ ଦ୍ରୋଣଙ୍କର ମୃତ୍ୟୁର କାରଣ ହେଲା। ତୁମ ଧର୍ମପୂର୍ଣ୍ଣ ଜୀବନ ଭିତରେ ସେହି କଳଙ୍କିତ ମୁହୂର୍ତ୍ତ ପାଇଁ ତୁମକୁ ତେର-ଦଣ୍ତ ବା ଦିନର ତିରିଶଭାଗ ନର୍କଦର୍ଶନ କରିବାକୁ ପଡିଲା।"


ସମସ୍ତ ମାନବୀୟ ଗୁଣରୁ ବିମୁକ୍ତ ହୋଇ ଯୁଧିଷ୍ଠିର ସ୍ବର୍ଗରେ ସମସ୍ତ ପରିଜନଙ୍କ ସହିତ ସୁଖରେ କାଳାତିପାତ କଲେ।


Rate this content
Log in

Similar oriya story from Classics