STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ (୧୦୯)ଶେଷ ଦର୍ଶନ

କଥା କାଦମ୍ବରୀ (୧୦୯)ଶେଷ ଦର୍ଶନ

4 mins
245


ଶ୍ରୀକୃଷ୍ଣଙ୍କ ସାରଥୀ ଦାରୁକ ପାଣ୍ଡବ ମାନଙ୍କ ନିକଟରେ ପହଞ୍ଚି ପ୍ରଭାସ କ୍ଷେତ୍ରରେ ଘଟି ଯାଇଥିବା ଜ୍ଞାତି କ୍ଷୟକାରୀ ମହାଯୁଦ୍ଧ ସମ୍ବାଦ ଦେଇ, କୃଷ୍ଣ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା କଥା ଜଣାଇଲେ।କାଳ ବିଳମ୍ବ ନକରି ଅର୍ଜୁନ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ।ଯିବା ପୂର୍ବରୁ ସହଦେବ ଅର୍ଜୁନଙ୍କୁ ସାବଧାନ କରି କହିଥିଲେ... ଶ୍ରୀକୃଷ୍ଣଙ୍କ ଶରୀର ତୁମେ କଦାପି ସ୍ପର୍ଶ କରିବା ନାହିଁ ଭ୍ରାତା ; ସେ ଅନୁରୋଧ କଲେ ମଧ୍ୟ ନୁହେଁ। ସେହି ସ୍ପର୍ଶ ସହିତ ସେ ତୁମଠାରେ ଥିବା ବିଷ୍ଣୁକଳା ହରଣ କରି ନେବେ। ତା'ପରେ ଜୀବନ ତୁମପାଇଁ ଦୁର୍ବିସହ ହୋଇଯିବ।"


ଏରକା ବଣରେ, ପରସ୍ପର ସହିତ ଯୁଦ୍ଧରେ ନିହତ ପାଞ୍ଚଲକ୍ଷ ଯାଦବ ବୀରଙ୍କ ଶବ ଠାବ କରିବା ପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ। ଶ୍ରୀକୃଷ୍ଣ, ଅର୍ଜୁନଙ୍କୁ ଯାଦବ ବୃଦ୍ଧ,ବିଧବା ଏବଂ ବାଳକ ମାନଙ୍କର ଦାୟିତ୍ଵ ନେବା ପାଇଁ ନିର୍ଦ୍ଦେଶ ଦେଇ କହିଲେ ..ପାର୍ଥ ! ଏମାନଙ୍କୁ ଧରି ସାତ ଦିନ ଭିତରେ ତୁମକୁ ଦ୍ବାରକା ତ୍ୟାଗ କରିବା ପାଇଁ ପଡିବ। ତା'ପରେ ଦ୍ଵାରକା ଜଳମଗ୍ନ ହୋଇଯିବ।"


ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପାଖକୁ ଡାକିଲେ।ସହଦେବଙ୍କ କଥା ମନେପକାଇ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଶରୀରକୁ ସ୍ପର୍ଶ କଲେ ନାହିଁ। ଜାଣି ପାରିଲେ କେଶବ;ଅଳ୍ପହସି କହିଲେ.. ମୁଁ ଜାଣେ ପାର୍ଥ ! ତୁମର ବିବଶତା ମୁଁ ଅନୁଭବ କରି ପାରୁଛି।ହାତରେ ନହେଲେ ମଧ୍ୟ ଗାଣ୍ଡିବ ଧନୁରେ ମୋତେ ସ୍ପର୍ଶ କରିଦିଅ, ନହେଲେ ମୋ ଆତ୍ମା ଶରୀର ତ୍ୟାଗ କରିବ ନାହିଁ।ସଖାଙ୍କ ନିବେଦନ ଆଗରେ ଭ୍ରାତା ସହଦେବଙ୍କ ବାରଣ ହାରିଗଲା।ଧନୁ ଅଗ୍ରରେ ଶ୍ରୀକୃଷ୍ଣଙ୍କ ଶରୀରକୁ ସ୍ପର୍ଶ କଲେ ଧନଞ୍ଜୟ। ସେହି ମୁହୁର୍ତ୍ତେରେ ଅର୍ଜୁନଙ୍କ ଦେହରେ ଥିବା ବିଷ୍ଣୁ କଳା ଶ୍ରୀକୃଷ୍ଣଙ୍କ ଦେହକୁ ଚାଲିଗଲା।


ପରଦିନ ଯୋଗାଋଢ ଅବସ୍ଥାରେ ବାସୁଦେବ କୃଷ୍ଣଙ୍କର ମହାଯାତ୍ରା ହେଲା।ଦ୍ବାରାବତୀରେ ବଞ୍ଚିଥିବା ଆବାଳ ବୃଦ୍ଧ ବନିତା ଅର୍ଜୁନଙ୍କ ସହିତ ମିଶି ଶ୍ରୀକୃଷ୍ଣ ସମେତ ଅନେକ ଯାଦବ ବୀର ମାନଙ୍କର ଶେଷକୃତ୍ୟ ସମାପନ କଲେ। ଶ୍ରୀକୃଷ୍ଣଙ୍କ ଶରୀର ସମ୍ପୂର୍ଣ୍ଣ ଦଗ୍ଧ ହେଲାନାହିଁ।ଅର୍ଦ୍ଧଦଗ୍ଧ ଶରୀରକୁ ଅର୍ଜୁନ ସମୁଦ୍ର ଭିତରେ ବିସର୍ଜନ କରି,ତିଳୋଦକ ଦାନ ଆଦି କାର୍ଯ୍ୟ ଶେଷକରି,ଯାଦବ ବୃଦ୍ଧ,ବିଧବା ଏବଂ ବାଳକଙ୍କ ସହିତ ହସ୍ତିନା ଅଭିମୁଖେ ଯାତ୍ରା କଲେ।


ସେମାନେ ଦ୍ବାରାବତୀ ତ୍ୟାଗ କରିବା ସଙ୍ଗେ ସଙ୍ଗେ ସମୁଦ୍ରରେ ଭୟଙ୍କର ଝଡ଼ ଉଠି ତା ଭିତରେ ନିମଗ୍ନ ହୋଇଗଲା ଦ୍ଵାରକା, ଯାହା ଦିନେ ଅଳକା ପୁରୀର ସୌନ୍ଦର୍ଯ୍ୟକୁ ନିନ୍ଦା କରୁଥିଲା। ଶ୍ରୀକୃଷ୍ଣଙ୍କ ଷୋଳ ସହସ୍ର ରାଣୀ ଏବଂ ଅନ୍ୟ ଯାଦବ ମାନଙ୍କ ସହିତ ଇନ୍ଦ୍ରପ୍ରସ୍ଥ ଅଭିମୁଖେ ଯାତ୍ରା କରିବା ସମୟରେ ପଥମଧ୍ୟରେ ପଞ୍ଚନଦ ଅଞ୍ଚଳରେ ଦସ୍ୟୁ ମାନଙ୍କ ସମ୍ମୁଖୀନ ହେଲେ ଅର୍ଜୁନ।ରୂପସୀ ଯାଦବ ରମଣୀମାନଙ୍କ ସୌନ୍ଦର୍ଯ୍ୟରେ ଲୋଭାନ୍ବୀତ ହୋଇ ଦସ୍ୟୁମାନେ ସେମାନଙ୍କ ଭିତରୁ ଅନେକଙ୍କୁ ହରଣ କରିନେଲେ। ଅର୍ଜୁନ ସେମାନଙ୍କ ସହିତ ଯୁଦ୍ଧ କରି ପରାସ୍ତ ହେଲେ। ଶ୍ରୀକୃଷ୍ଣଙ୍କ ମହାଯାତ୍ରା ସଙ୍ଗେ ସଙ୍ଗେ ଅର୍ଜୁନଙ୍କ ଦେହରେ ଥିବା ନାରାୟଣ କଳା ଉଭେଇ ଯାଇଥିଲା।ସବୁ ଦିବ୍ୟାସ୍ତ୍ର ମନ୍ତ୍ର ସେ ଭୁଲି ଯାଇଥିଲେ।ଗାଣ୍ଡିବ ଧନୁ ତୋଳି ଧରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇ ପଡିଲା। ତାଙ୍କ ଆଖି ଆଗରେ ମ୍ଳେଚ୍ଛ ଦସ୍ୟୁମାନେ ଯାଦବ ନାରୀ ମାନଙ୍କୁ ହରଣ କରି ନେଇଯାଉଥିଲେ, ଅଥଚ ସେ କିଛି କରିପାରୁ ନଥିଲେ।ତାଙ୍କ ଦିବ୍ୟାସ୍ତ୍ର କାମ କରୁନଥିଲେ,ମନ୍ତ୍ର ମନେ ପଡୁନଥିଲେ,ଭୟଙ୍କର ଦୁର୍ବଳତା ଅଙ୍ଗ ପ୍ରତ୍ୟଙ୍ଗକୁ ଜାବୁଡ଼ି ଧରିଥିଲା। ଲଜ୍ଜାରେ ମଥା ତଳକୁ କରି,ସାଙ୍ଗରେ ଥିବା ବାକି ଯାଦବ ନାରୀ ମାନଙ୍କ ସହିତ ଅର୍ଜୁନ ମହା କଷ୍ଟରେ କୁରୁ କ୍ଷେତ୍ରରେ ପହଞ୍ଚିଲେ।


ଶ୍ରୀକୃଷ୍ଣଙ୍କ ବଞ୍ଚିଥିବା ରାଣୀ ମାନଙ୍କ ଭିତରୁ ଋକ୍ମିଣୀ, ଶୈବ୍ୟା, ହୈମବତୀ,ଏବଂ ଯାମ୍ବବତୀ ଅଗ୍ନି ପ୍ରଜ୍ବଳିତ କରି ସେଥିରେ ଆତ୍ମାହୂତି ଦେଲେ। ସତ୍ୟଭାମା କିଛି ସଙ୍ଗିନୀଙ୍କ ସହିତ ତପସ୍ୟା ପାଇଁ ଅରଣ୍ୟକୁ ଚାଲିଗଲେ।


ଅର୍ଜୁନଙ୍କ ମନରେ ଘୋର ଗ୍ଲାନି ଭରିଗଲା।ନିଜର ଶକ୍ତି ଉପରେ ତାଙ୍କର ସନ୍ଦେହ ଆସିଲା। ବ୍ୟାସଦେବଙ୍କ ପାଖରେ ପହଞ୍ଚି ସମସ୍ତ ଘଟଣା ବର୍ଣ୍ଣନା କଲେ ଅର୍ଜୁନ।ମୁନିଶ୍ରେଷ୍ଠ କହିଲେ ..ପୁତ୍ର ! ବିଧାତାଙ୍କ ବିଧାନ କିଏ ଅନ୍ୟଥା କରିବ ? ଶ୍ରୀକୃଷ୍ଣ ଯେଉଁ ଉଦ୍ଦେଶ୍ୟରେ ଧରାପୃଷ୍ଠକୁ ଆସିଥିଲେ ତାହା ପୂରଣ ହୋଇଯାଇଛି। ତୁମେ ତାଙ୍କର ସେହି ଉଦ୍ଦେଶ୍ୟ ପାଳନର ମାଧ୍ୟମ ଥିଲ।ତାଙ୍କ ମହାଯାତ୍ରା ପରେ ଏ ଧରାପୃଷ୍ଠରେ ତୁମର ମଧ୍ୟ ଆବଶ୍ୟକତା ଶେଷ ହୋଇଯାଇଛି।ତୁମର ସମୟ ସମାପ୍ତ ହୋଇଯାଇଛି ପାର୍ଥ ! ଉତ୍ତର ଦାୟାଦଙ୍କ ହାତରେ ରାଜ୍ୟଭାର ସମର୍ପଣ କରି ତୀର୍ଥଯାତ୍ରା ପରେ ତୁମେ ସେହି ସ୍ଥାନକୁ ଫେରିଯାଅ, ଯେଉଁଠାରୁ ତୁମର‌ ଆଗମନ ଏ ଧରାପୃଷ୍ଠକୁ ହୋଇଥିଲା।"


ବ୍ୟାସଦେବଙ୍କ ଠାରୁ ଏହା ଶୁଣିବା ପରେ ଅର୍ଜୁନ ଯୁଧିଷ୍ଠିରଙ୍କୁ ଘଟିଯାଇଥିବା ଘଟଣାବଳୀ ସଠିକେ ବର୍ଣ୍ଣନା କଲେ। ଯୁଧିଷ୍ଠିର କହିଲେ...ଅର୍ଜୁନ ! ଭୟଙ୍କର ମହାଭାରତ ଯୁଦ୍ଧ ରୂପକ ସମୁଦ୍ରରେ ଯେଉଁ କେଶବ ଆମ୍ଭମାନଙ୍କୁ ତାଙ୍କ କୃପା ତରଣୀରେ ପାର କରିଥିଲେ,ସେ ଆଜି ମର୍ତ୍ତ୍ୟମଣ୍ଡଳ ତ୍ୟାଗକରି ଯାଇଛନ୍ତି।ଏ ସଂସାରରେ ରହିବାରେ ଆଉ କ'ଣ ବା ସୁଖ ଅଛି !ଜୀବନର ସବୁ ଔଜଲ୍ୟ ଶେଷ ହୋଇଯାଇଛି।ଚାଲ ପୌତ୍ର ପରୀକ୍ଷିତଙ୍କୁ ରାଜ୍ୟଭାର ଦେଇ ତୀର୍ଥଯାତ୍ରା ପରେ ହିମାଳୟ ଦେଇ ମହଯାତ୍ରା କରିବା।


ପାଣ୍ଡବମାନେ ପରୀକ୍ଷିତଙ୍କୁ ହସ୍ତିନାର ରାଜସିଂହାସନରେ ଅଭିଷିକ୍ତ କଲେ।ବଞ୍ଚିଥିବା ଅନେକ ଯାଦବ ରାଜପୁତ୍ରଙ୍କୁ ବିଭିନ୍ନ ରାଜ୍ୟରେ ଅଭିଷିକ୍ତ କଲେ। ପ୍ରଦ୍ୟୁମ୍ନଙ୍କ ପୋୖତ୍ର "ବଜ୍ର"ଙ୍କୁ ମଥୁରା ରାଜସିଂହାସନ ମିଳିଲା। ସତ୍ୟକିଙ୍କ ପୁତ୍ର ସାରସ୍ଵତ ନାମକ ରାଜ୍ୟରେ ଅଭିଷିକ୍ତ ହେଲେ।କୃତବର୍ମାଙ୍କ ପୁତ୍ର "ବଳି"ଙ୍କୁ "ମତ୍ରିକାବତୀ" ରାଜ୍ୟ ଏବଂ ଶାମ୍ବଙ୍କ ପୁତ୍ର ଉସ୍ନିକଙ୍କୁ "କାଶ୍ୟପୁର" ରାଜ୍ୟରେ ଅଭିଷିକ୍ତ କରି ଯଦୁ‌ବଂଶୀଙ୍କ ପ୍ରତି ଉତ୍ତର ଦାୟିତ୍ଵ ପାଳନ କଲେ ପାଣ୍ଡବମାନେ। ତା'ପରେ ଯୁଧିଷ୍ଠିର,ଭୀମ,ଅର୍ଜୁନ,ନକୁଳ,ସହଦେବ ଏବଂ ପାଣ୍ଡବ ରାଣୀ ପାଞ୍ଚାଳୀ ମହାଯାତ୍ରା ପାଇଁ ହସ୍ତିନା ତ୍ୟାଗ କଲେ।


ବାଟରେ କୁଆଡୁ ଆସି ଗୋଟିଏ ବୁଲା କୁକୁର ଯୁଧିଷ୍ଠିରଙ୍କ ସଙ୍ଗେ ସଙ୍ଗେ ଚାଲିଥାଏ। ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରି ପାଣ୍ଡବମାନେ ପ୍ରଥମେ ଦକ୍ଷିଣରେ ଲବଣ ସାଗର ତଟରେ ପହଞ୍ଚିଲେ।ସମୁଦ୍ର ତଟରେ ଅଗ୍ନିଙ୍କର ଆବିର୍ଭାବ ହେଲା। ଅଗ୍ନି ଅର୍ଜୁନଙ୍କୁ କହିଲେ ..ବତ୍ସ ଅର୍ଜୁନ ! ବର୍ତ୍ତମାନ ତୁମର ଗାଣ୍ଡିବ ଧନୁ ତ୍ୟାଗ କରିବା ସମୟ ଆସିଯାଇଛି।ଖାଣ୍ଡବ ବନ ଦହନ ସମୟରେ ବରୁଣ ଦେବତାଙ୍କ ଠାରୁ ଆଣି ଏହି ଦିବ୍ୟ ଧନୁ ମୁଁ ତୁମକୁ ଦେଇଥିଲି।ତାର ଉପଯୋଗିତା ଶେଷ ହୋଇଯାଇଛି। ତୁମେ ବର୍ତ୍ତମାନ ତାହା ବରୁଣଙ୍କୁ ଫେରାଇ ଦିଅ।"


ଏହା ଶୁଣି ଅର୍ଜୁନ ଗାଣ୍ଡିବ ଧନୁ ସମୁଦ୍ର ଭିତରେ ବିସର୍ଜନ କରିଦେଲେ। ଶ୍ରୀକୃଷ୍ଣଙ୍କ ମହାପ୍ରୟାଣ ପରେ ଐଶୀ ଶକ୍ତି ହ୍ରାସ ଯୋଗୁଁ ଗାଣ୍ଡିବ ଭାର ଅର୍ଜୁନଙ୍କୁ ପର୍ବତ ସମାନ ଲାଗୁଥିଲା।ଏବେ ତାହା ସମୁଦ୍ରରେ ବିସର୍ଜନ କରିବା ପରେ ଅର୍ଜୁନଙ୍କୁ ଖୁବ୍ ହାଲୁକା ଲାଗିଲା।


ତା'ପରେ ପାଣ୍ଡବମାନେ ପଶ୍ଚିମ ଦିଗରେ ଯାତ୍ରା କରି ଦ୍ବାରକା ନିକଟରେ ପହଞ୍ଚିଲେ।ଭବ୍ୟ ଦ୍ବାରାବତୀ ନଗ୍ର ସମୁଦ୍ର ଭିତରେ ବିଲୀନ ହୋଇ ଯାଇଥିବା ଦେଖି ଘୋର ମନସ୍ତାପରେ ସେ ସ୍ଥାନ ତ୍ୟାଗକରି ପାଣ୍ଡବମାନେ ଉତ୍ତରରେ ଋଷିକେଶରେ ପହଞ୍ଚିଲେ। ଏହିଠାରୁ ଆରମ୍ଭ ହେଲା ହିମାଳୟ ପଥରେ ପାଣ୍ଡବଙ୍କ ସ୍ବର୍ଗ ଯାତ୍ରା।ପ୍ରଥମରୁ ଏ ପର୍ଯ୍ୟନ୍ତ ଯୁଧିଷ୍ଠିରଙ୍କ ପାଖେ ପାଖେ କୁକୁର ଟି ଚାଲୁଥାଏ ।



Rate this content
Log in

Similar oriya story from Classics