Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ(୧୦୮)

କଥା କାଦମ୍ବରୀ(୧୦୮)

4 mins
232



ପ୍ରଭାସ କ୍ଷେତ୍ରରେ, ସମୁଦ୍ରକୂଳରେ ବଢ଼ିଥିବା ଏରକା ବନକୁ ଯଦୁବଂଶୀ ରାଜକୁମାର ଏବଂ ସାମନ୍ତମାନେ ଥରେ ବଣଭୋଜି କରିବାକୁ ଗଲେ।ପ୍ରଥମେ ପ୍ରଥମେ ମଦ୍ୟପାନ କରି ମହା ହର୍ଷୋଲ୍ଲାସରେ କୋଳାକୋଳି ହେଲେ।କ୍ରମେ ନିଶା ମୁଣ୍ଡକୁ ଚଢ଼ିଲା।ନିଶା ମନୁଷ୍ୟର ଚିନ୍ତାଶକ୍ତି ଓ ବିବେକକୁ ଅନ୍ଧାର କରିଦିଏ।ଶାଳୀନତା ଓ ସମ୍ଭ୍ରମତା ଦୂର ହୋଇଯାଇ ମୂଳ-ପ୍ରକୃତି

ପ୍ରତିଫଳିତ ହୁଏ; ତାହାହିଁ ହେଲା।ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ଯୁକ୍ତିତର୍କ ଭୟଙ୍କର କ୍ରୋଧର ରୂପନେଲା।


ମହାଭାରତ ଯୁଦ୍ଧରେ ପାଣ୍ଡବ ପକ୍ଷରେ ରହି ଯୁଦ୍ଧ କରିଥିବା ସାତ୍ୟକି,ପ୍ରଥମେ କୃତବର୍ମାଙ୍କ ଗୋଡ଼ ଟାଣିଲେ।କୃତବର୍ମା ମହାଭାରତ ଯୁଦ୍ଧରେ ନାରାୟଣୀ ସେନାର ଅଧ୍ୟକ୍ଷ ଭାବରେ କୌରବ ପକ୍ଷରୁ ଯୁଦ୍ଧ କରିଥିଲେ।ଯୁଦ୍ଧ ଯେତେବେଳେ ଅନ୍ତପ୍ରାୟ ସେତେବେଳେ ଅଶ୍ଵତ୍ଥାମାଙ୍କ ସେନାପତିତ୍ବରେ , ରାତିରେ ପାଣ୍ଡବ ଶିବିରରେ ପ୍ରବେଶ କରି ଧୃଷ୍ଟଦ୍ୟୁମ୍ନ ଏବଂ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କୁ ହତ୍ୟା କରିବାରେ ସେ ସହଯୋଗୀ ଥିଲେ।କୃତବର୍ମାଙ୍କର ସେହି ଅପକର୍ମକୁ ସାତ୍ୟକି, ବର୍ତ୍ତମାନ ମଦ୍ୟ ନିଶାରେ ନିନ୍ଦା କରିବା ଆରମ୍ଭ କରିଦେଲେ।ସାତ୍ୟକି କହିଲେ..କୃତବର୍ମା ! ତୁମେ କ୍ଷତ୍ରିୟ କୁଳରେ କଳଙ୍କ; ନିଶାର୍ଦ୍ଧରେ ନିଦ୍ରା ଯାଇଥିବା ଅବସ୍ଥାରେ ତୁମେ ଯେପରି ଦ୍ରୌପଦୀଙ୍କ ନିରିହ ପାଞ୍ଚପୁତ୍ରଙ୍କୁ ହତ୍ୟାକଲ ତାର ଦୃଷ୍ଟାନ୍ତ ବିଶ୍ଵ ଇତିହାସରେ ବିରଳ।ସମ୍ମୁଖ ଯୁଦ୍ଧରେ ଯେଉଁ ଧୃଷ୍ଟଦ୍ୟୁମ୍ନଙ୍କୁ ହରାଇବା ଅସମ୍ଭବ ଥିଲା,ତୁମେ ତାଙ୍କୁ ସୁପ୍ତ ଅବସ୍ଥାରେ ହତ୍ୟାକରିଦେଲ ! ଏପରି ଘୃଣ୍ୟ କର୍ମ କରି ନିଜକୁ ପୁଣି କ୍ଷତ୍ରିୟ ବୋଲାଉଛ ? ଦି'ଆଞ୍ଜୁଳା ପାଣି ମିଳିଲା ନାହିଁ ତୁମକୁ ବୁଡି ମରିବା ପାଇଁ !!"


ଏହା ଶୁଣି ଭୟଙ୍କର କ୍ରୋଧରେ ଥରି ଉଠିଲେ କୃତବର୍ମା। ପାଖରେ ରଖାଯାଇଥିବା ସୁରା ପାତ୍ରରୁ ଆକଣ୍ଠ ପାନକରି ଘୃଣାପୂର୍ଣ୍ଣ ଆଖିରେ ସାତ୍ୟକିଙ୍କୁ ଚାହିଁ କୃତବର୍ମା କହିଲେ..ଧର୍ମର ଛଳନା କରୁଥିବା ପାପିଷ୍ଠ ସାତ୍ୟକି ! ତୁମେ ପୁଣି ମୋତେ କ୍ଷତ୍ରିୟ ଧର୍ମର ଶିକ୍ଷା ଦେବ ! ଭୁରିଶ୍ରବାଙ୍କ ସହିତ ତୁମର ଯୁଦ୍ଧ ସମୟରେ ଯେତେବେଳେ ଅନ୍ୟାୟରେ ଅର୍ଜୁନ,ଭୁରିଶ୍ରବାଙ୍କ ଦକ୍ଷିଣ ଭୁଜ କାଟିଦେଲେ ତା'ର ପ୍ରତିବାଦ କରି ଯୁଦ୍ଧକ୍ଷେତ୍ରରେ ଯୋଗମୁଦ୍ରାରେ ବସିଥିଲେ ଭୁରିଶ୍ରବା। ସେତେବେଳେ ତୁମେ ଅସ୍ତ୍ରହୀନ ଭୁରିଶ୍ରବାଙ୍କ ମସ୍ତକ ଅସିଘାତରେ କାନ୍ଧରୁ ବିଚ୍ୟୁତ କରି ବଧ କରିଥିଲ।ଏଇ ତୁମର ବୀରୋଚିତ କ୍ଷତ୍ରିୟ ଧର୍ମ ପଳାତକ,ପ୍ରତାରକ ଛଳନା କାରୀ ସାତ୍ୟକି ?"


ସାତ୍ୟକି ଏବଂ କୃତବର୍ମାଙ୍କ ବାକ୍ୟଯୁଦ୍ଧ ଭୟଙ୍କର ରୂପ ଧାରଣ କଲା ଏବଂ ହାତାହାତିରେ ପରିଣତ ହେଲା। ପ୍ରଦ୍ୟୁମ୍ନ ଏବଂ ତାଙ୍କ ସମର୍ଥକ କିଛି ଯାଦବ ବୀର ସାତ୍ୟକିଙ୍କୁ ସମର୍ଥନ ଦେଲେ ତଥା ଶାମ୍ବ ଏବଂ ତାଙ୍କ ସମର୍ଥକ କିଛି ଯାଦବ ବୀର କୃତବର୍ମାଙ୍କୁ ସମର୍ଥନ କଲେ।ସୁରାର ପ୍ରଭାବରେ ସମସ୍ତେ ବିବେକ ଶୂନ୍ୟ ହୋଇ ଅସ୍ତ୍ର ଉତ୍ତୋଳନ କଲେ।ସାତ୍ୟକି ଖଡ୍ଗରେ କୃତବର୍ମାଙ୍କ ମସ୍ତକକୁ ଶରୀରରୁ ଅଲଗା କରିଦେଇ ଅଟ୍ଟହାସ କରି କହିଲେ..ସୁପ୍ତ ସୈନ୍ୟମାନଙ୍କୁ ହତ୍ୟା କରିଥିବା ଘୃଣ୍ୟ ପଳାତକ ପାଷଣ୍ଡର ଏହାହିଁ ଉପଯୁକ୍ତ ଶାସ୍ତି" 


କୃତବର୍ମାଙ୍କ ସମର୍ଥକମାନେ ସାତ୍ୟକିଙ୍କ ଉପରକୁ ଡେଇଁ ପଡିଲେ ଏବଂ ପରମୁହୂର୍ତ୍ତରେ ପ୍ରଦ୍ୟୁମ୍ନ ଏବଂ ସାତ୍ୟକିଙ୍କ ମସ୍ତକ ଭୁଲୁଣ୍ଠିତ ହେଲା। ଶ୍ରୀକୃଷ୍ଣ ଏବଂ ବଳରାମ ଜାଣି ପାରିଲେ ଯେ ଯଦୁବଂଶ ଧ୍ବଂସର ଶେଷଅଙ୍କ ଅଭିନୀତ ହେବାପାଇଁ ଯାଉଛି। ବଳରାମ ଯୋଗମୁଦ୍ରାରେ ସମୁଦ୍ର ତଟରେ ବସିଗଲେ।ବିଶାଳକାୟ ଲହଡି ଆସି ତାଙ୍କୁ ସାଗର ଗର୍ଭରେ ଲୀନ କରିଦେଲେ। ବଳରାମଙ୍କ କପାଳରୁ ସର୍ପ ଆକାରର ଏକ ଶୁଭ୍ର ଦିବ୍ୟ ଜ୍ୟୋତି ବାହାରି ଅନନ୍ତରେ ବିଲୀନ ହୋଇଗଲା।


ଏରକା ବଣ ଭିତରେ ଯାଦବ ମାନଙ୍କର ମଧ୍ୟରେ ଲାଗିଗଲା ଭୀଷଣ ଭ୍ରାତୃସଂହାର ମହାଲୀଳା।ଲମ୍ବା ଲମ୍ବା ଘାସର ବଣ ଭିତରେ ପଥ ଭ୍ରଷ୍ଟ ହୋଇ ସୁରା ନିଶାରେ ପରସ୍ପରକୁ ହତ୍ୟା କଲେ, ଯେଉଁପରି କୁରୁକ୍ଷେତ୍ର ଯୁଦ୍ଧରେ ରାଜ୍ୟ ଲୋଭ ନିଶାରେ ପାଣ୍ଡବ ଏବଂ କୌରବ ଭାଇମାନେ ପରସ୍ପରକୁ ହତ୍ୟା କରିଥିଲେ।


"ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ।" ଅବତାରୀଙ୍କର ମର୍ତ୍ତ୍ୟଲୀଳାର ଶେଷ ମୁହୂର୍ତ୍ତ ଉପସ୍ଥିତ।ବଳରାମ ଦେହ ତ୍ୟାଗ କରିବା ଦେଖି ଶ୍ରୀକୃଷ୍ଣ ସେ ଧ୍ବଂସସ୍ଥଳ ତ୍ୟାଗକରି ଏରକା ବଣ ଭିତରେ ଇତସ୍ତତଃ ବୁଲି ବୁଲି ଶ୍ରାନ୍ତ କ୍ଲାନ୍ତ ଅବସ୍ଥାରେ ଗୋଟିଏ ଶିଆଳି ଲତା ତଳେ ବିଶ୍ରାମ କଲେ।ନିମିଳିତ ଚକ୍ଷୁ ଆଗରେ ଭାସିଗଲା ତାଙ୍କ ଲୀଳାର ପ୍ରତିଟି ମୁହୂର୍ତ୍ତ।ଦିନେ କଂସର କାରାଗାର ଭିତରେ ଅଦ୍ଭୁତ ଆଲୋକର ଉତ୍ସ ନେଇ ଦୁଷ୍କୃତ ନିବାରଣ କରିବାକୁ ଧରାପୃଷ୍ଠକୁ ଆସିଥିଲେ ନାରାୟଣ। ଆଜି ଆଖି ଆଗରେ ଭାସିଗଲା ଗୋପଦାଣ୍ଡ, ଯମୁନା ତଟର ବାଲ୍ୟଲୀଳା, ପ୍ରେମମୟୀ ରାଧାଙ୍କ ଅମୃତମୟୀ ସାନ୍ନିଧ୍ୟ। 


କିଛି ସମୟ ପାଇଁ ଅଟକି ଗଲା ଶ୍ରୀକୃଷ୍ଣଙ୍କ ଚିନ୍ତା ଧାରା। ବଂଶୀର ସ୍ବର କାନରେ ବାଜି ହୃଦୟ ତନ୍ତ୍ରିରେ ସୃଷ୍ଟି କଲା ମଧୁମୟ ଝଙ୍କାର।ହସ ହସ ମୁହଁରେ କୁଞ୍ଜଭିତର ଠିଆ ହୋଇଛନ୍ତି ପ୍ରେମମୟୀ ରାଧିକା।ଅମୃତ ଝରିଯାଉଛି ପ୍ରତି ଅବୟବରୁ।ନିରବ ନିଥର ରାକା ନିଶିରେ, ଜ୍ୟୋସ୍ନା ସ୍ନାତ ଯମୁନା ତଟରେ,ମେଘ ଦେହରେ ବିଜୁଳି ପରି ଗଭୀର ଆଶ୍ଳେଷରେ ବାହୁବନ୍ଧନରେ ଭିଡିଧରି ତାଙ୍କୁ ଶ୍ରୀରାଧା କହୁଛନ୍ତି...କାହ୍ନା ! ମୁଁ ଜାଣେ ତୁମେ ଦିନେ ତୁମର ଜାଗତିକ ଲୀଳା ପାଇଁ ବ୍ରଜଭୂମି ଏବଂ ମୋତେ ଛାଡି ଚାଲିଯିବ। କିନ୍ତୁ ପ୍ରେମ ଆମର ଶାଶ୍ବତ ଚିରନ୍ତନ ରହିଯିବ।ଆମର ଏ ମିଳନ, ପ୍ରେମକୁ ଯୁଗ ଯୁଗ ପାଇଁ ଅମର କରିଦେବ।"


ମନଶ୍ଚକ୍ଷୁରେ ଶ୍ରୀରାଧାଙ୍କୁ ଦେଖି ଭାବବିହ୍ବଳ ହୋଇ ଗଲେ ଶ୍ରୀହରି;ସ୍ବଗତୋକ୍ତି କଲେ..ରାଧାରୂପରେ ମୋର ମର୍ତ୍ତ୍ୟଲୀଳାରେ ସହଯୋଗ କରି ମୋତେ ଧନ୍ୟ କରିଦେଇଛ କମଳା।ତୁମର ଏ ପ୍ରେମମୟୀ ରୂପ ଚିରଦିନ ତ୍ରିଲୋକରେ ପୂଜିତ ହେବ।" 


ଯଦୁବଂଶୀଙ୍କ କୋଳାହଳ ଆଉ ଶୁଣା ଯାଉନାହିଁ; ବୋଧହୁଏ ହଣାକଟା ରେ ନିଶ୍ଚିହ୍ନ ହୋଇଯାଇଛନ୍ତି। ଶିଆଳି ଲତା ଶେଯରେ କଡ଼ ଲେଉଟାଇଲେ କେଶବ।ହରିଣ କାନ ପରି ଲାଲ୍ ଲାଲ୍ ଦେଖାଯାଉଥିବା ପାଦ ଦୁଇଟି ହଲିଗଲା। ହଠାତ୍ ମୃତ୍ୟୁ ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ ନାରାୟଣ।ତାଙ୍କର ପାଦ ଭେଦ କରି ଶରୀର ମଧ୍ୟରେ ପ୍ରବେଶ କରିଛି ଏକ ଅମୋଘ ତୀର। ଚିତ୍କାର ଶୁଣି ଦଉଡ଼ି ଆସିଛି ଏକ ଶବର। ଶ୍ରୀକୃଷ୍ଣ ଚିହ୍ନି ପାରିଛନ୍ତି।ଧୀର କଣ୍ଠରେ କହିଲେ...ଜାରା ! ତୁମେ ? "


ଜାରା ଶବରର ଶରୀର ଘର୍ମାକ୍ତ,ମୁଣ୍ଡ କୋଡ଼ି କାନ୍ଦୁଛି ଜାରା... ମୁଁ ଏ'କଣ କଲି ପ୍ରଭୁ ! ଅଜ୍ଞାତରେ ,ହରିଣ କାନ ଭାବି ଆପଣଙ୍କ ଉପରକୁ ବାଣ ପ୍ରୟୋଗ କଲି !! 

ଶ୍ରୀକୃଷ୍ଣ କହିଲେ..ଶୋକ କରନାହିଁ ଜାରା , ଏଥିରେ ତୁମର କିଛି ଭୁଲ୍ ନାହିଁ।ଏହା ବିଧିର ବିଧାନ, ମହର୍ଷି ମାନଙ୍କ ଅଭିଶାପର ଫଳ। ଯେଉଁ ଲୌହଖଣ୍ଡ ତୁମେ ମାଛ ପେଟରୁ ପାଇ ତୀର ନିର୍ମାଣ କରିଥିଲ ତାହା ଅଭିଶପ୍ତ ମୁଷଳର ଅଂଶ ବିଶେଷ। ଗାନ୍ଧାରୀଙ୍କ ଅଭିଶାପ ଫଳବତୀ ହୋଇଛି ଜାରା ! ତୁମେ ମନରେ କ୍ଲେଶ ଆଣନାହିଁ।କାଳର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ତୁମେ ମାଧ୍ୟମ ମାତ୍ର।"


କିଛି ନିରବତା ପରେ ଭୀଷଣ ଯନ୍ତ୍ରଣାରେ ବିଦଗ୍ଧ ଶରୀରକୁ ଲେଉଟାଇ ଶ୍ରୀକୃଷ୍ଣ କହିଲେ..ତୁମ ପୂର୍ବଜନ୍ମ କଥା ମନେ ପକାଅ ଜାରା।ତୁମେ ଥିଲ କିଷ୍କିନ୍ଧାର ରାଜା ବାଳି।ବୃକ୍ଷ ଅନ୍ତରାଳରୁ ତୁମ ଉପରେ ମୁଁ ଯେତେବେଳେ ବାଣ ପ୍ରହାର କରିଥିଲି,ଏହିପରି ତୁମେ ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଥିଲ। ଆଜି ମୋ'ପାଇଁ ସେହି କୃତକର୍ମର ପ୍ରାୟଶ୍ଚିତ ସମୟ‌ ଆସିଛି।ତୁମେ ମୋର ପରମ ଭକ୍ତ।ଭକ୍ତ ହାତରେ ମହାପ୍ରୟାଣ ମୋ ପାଇଁ ଆନନ୍ଦର କଥା।


କ୍ରମଶଃ.......


Rate this content
Log in

Similar oriya story from Classics