STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ (୧୦୭)

କଥା କାଦମ୍ବରୀ (୧୦୭)

4 mins
241


(ଯଦୁବଂଶ ଧ୍ବଂସର ରଙ୍ଗମଞ୍ଚ )


ଏ ଭିତରେ ମହାଭାରତ ଯୁଦ୍ଧ ଶେଷ ହେବାର ୩୬ବର୍ଷ ବିତିଯାଇଥିଲା। ଶ୍ରୀକୃଷ୍ଣ ଦ୍ବାରକାରେ ବୃଷ୍ଣି,ଅନ୍ଧକ ତଥା ଅନ୍ୟ ଯଦୁବଂଶୀ ମାନଙ୍କ ସହିତ କାଳାତିପାତ କରୁଥିଲେ।ଇତି ମଧ୍ୟରେ ଯଦୁବଂଶୀ ମାନଙ୍କ ଉତ୍ସୃଙ୍ଖଳତା ଚରମ ସୀମାରେ ପହଞ୍ଚି ଯାଇଥିଲା। କାଦମ୍ବରୀ ପାନରେ ପ୍ରମତ୍ତ ହୋଇ ସେମାନେ ଗୁରୁ ଗୌରବ କିଛି ମାନୁନଥିଲେ। ଶ୍ରୀକୃଷ୍ଣ ଏବଂ ବଳରାମଙ୍କ ଶତଚେଷ୍ଟା ସତ୍ତ୍ବେ ସେମାନେ ଶୃଙ୍ଖଳିତ ହୋଇ ପାରିଲେ ନାହିଁ।ପ୍ରାଚୁର୍ଯ୍ୟ ଭିତରେ ବୁଡିରହି ଇନ୍ଦ୍ରିୟ ଲାଳସାର ବଶବର୍ତ୍ତୀ ହୋଇ ସାମନ୍ତ ଏବଂ ରାଜପୁତ୍ର ମାନେ ନିଜ ନିଜର କର୍ତ୍ତବ୍ୟ ଭୁଲି ଯାଇଥିଲେ।

ଶ୍ରୀକୃଷ୍ଣ ଜାଣିପାରିଲେ ଯେ ଯଦୁବଂଶର ଧ୍ବଂସ ଆଗତପ୍ରାୟ। ଗାନ୍ଧାରୀଙ୍କ ଅଭିଶାପ ମନେ ପଡ଼ିଲା ଶ୍ରୀକୃଷ୍ଣଙ୍କର; କୌରବ ଏବଂ ପାଣ୍ଡବଙ୍କ ଭଳି ଯଦୁବଂଶୀମାନେ ଦିନେ ଭ୍ରାତୃ କଳହରେ ଧ୍ବଂସ ପାଇଯିବେ ବୋଲି ଗାନ୍ଧାରୀ ଅଭିଶାପ ଦେଇଥିଲେ।ଯେଉଁ ଯଦୁ ବଂଶୀ ମାନେ ଶ୍ରୀକୃଷ୍ଣ ଏବଂ ବଳରାମଙ୍କ ଯୁଦ୍ଧ ନୀତି ଏବଂ କୂଟନୀତି ପାଇଁ ଆର୍ଯ୍ୟାବର୍ତ୍ତରେ ମହିମା ମଣ୍ଡିତ ହୋଇଥିଲେ,ଏବେ ସେମାନଙ୍କର ଧ୍ବଂସର ସମୟ ଉପସ୍ଥିତ।ବିଧାତାର ବିଧାନକୁ କିଏ ଅନ୍ୟଥା କରିବ ! ଅସ୍ତଗାମୀ ସୂର୍ଯ୍ୟଙ୍କୁ କଣ ବଳ ପ୍ରୟୋଗ କରି ଅଟକାଇ ହୁଏ ?


ଯଦୁବଂଶର ଧ୍ବଂସ ପାଇଁ କିପରି ଶାମ୍ବ ସମେତ ଶ୍ରୀକୃଷ୍ଣଙ୍କ ପୁତ୍ର ମାନେ ଏବଂ ଅନ୍ୟ ଉତ୍ତର ଦାୟାଦ ଦାୟୀ ହୋଇଥିଲେ ତାହା ମହାଭାରତ, ଦେବୀଭାଗବତ,ସ୍କନ୍ଦପୁରାଣ,ବରାହପୁରାଣ ଏବଂ ଭବିଷ୍ୟପୁରାଣ ଇତ୍ୟାଦିରେ ବର୍ଣ୍ଣନା କରାଯାଇଛି:-----


ଜାମ୍ବବାନଙ୍କ ସୁପୁତ୍ରୀ ତଥା ଶ୍ରୀକୃଷ୍ଣଙ୍କ ପତ୍ନୀ ଜାମ୍ବବତୀଙ୍କ ମନରେ ଗଭୀର ଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ଶ୍ରୀକୃଷ୍ଣଙ୍କ ପ୍ରଥମ ପୁତ୍ର ପ୍ରଦ୍ୟୁମ୍ନଙ୍କ ଭଳି ସୁନ୍ଦର ପୁତ୍ରଟିଏ ପାଇବାର ଉପାୟ କରିବା ପାଇଁ ସେ ସ୍ବାମୀଙ୍କ ପାଖରେ ଅଳି କଲେ।ପୁତ୍ରଲାଭ ପାଇଁ ତପସ୍ୟା ଉଦ୍ଦେଶ୍ୟରେ, ଶ୍ରୀକୃଷ୍ଣ ହିମାଳୟ ପାଦଦେଶରେ ମହର୍ଷି ଉପମନ୍ୟୁଙ୍କ ଆଶ୍ରମରେ ପହଞ୍ଚିଲେ।ଉପମନ୍ୟୁ, ଶ୍ରୀକୃଷ୍ଣଙ୍କୁ ଉପଦେଶ ଦେଲେ ଶିବଙ୍କୁ ତପସ୍ୟା କରିବା ପାଇଁ। କୃଷ୍ଣଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ, ଅର୍ଦ୍ଧନାରୀଶ୍ବର ବା ଶାମ୍ବ ରୂପରେ ଦର୍ଶନ ଦେଇ ଶ୍ରୀକୃଷ୍ଣଙ୍କୁ ଇପ୍ସିତ ବର ପ୍ରଦାନ କଲେ।ଶିବଙ୍କ ବର ପ୍ରଭାବରେ ଯଥା ସମୟରେ ଜାମ୍ବଵତୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହେଲେ। ଶ୍ରୀକୃଷ୍ଣ ପୁତ୍ରର ନାମ ଶାମ୍ବ ରଖିଲେ।ଶାମ୍ବ ଦେଖିବାକୁ ଠିକ୍ ଶ୍ରୀକୃଷ୍ଣଙ୍କ ପରି ଥିଲେ। 


ଶ୍ରୀକୃଷ୍ଣଙ୍କର ବାଲ୍ୟ ଓ କୈଶୋରର ସବୁ ପ୍ରେମ-କଳା ଶାମ୍ବଙ୍କ ଠାରେ ଦେଖିବାକୁ ମିଳିଥିଲା।ତାଙ୍କ ଲମ୍ପଟ ପ୍ରକୃତି ଯୋଗୁଁ ଅନେକ ସମୟରେ ସେ ଯାଦବକୁଳ ପାଇଁ ଲଜ୍ୟାର କାରଣ ହେଉଥିଲେ। ଏକଦା ହସ୍ତିନା ରାଜପ୍ରାସାଦକୁ ଯାଇ, ଦୁର୍ଯ୍ୟୋଧନଙ୍କ କନ୍ୟା କୁମାରୀ ଲକ୍ଷଣାଙ୍କୁ ବିବାହ କରିବାକୁ ଜିଦ୍ ଧରିଲେ ।ଲକ୍ଷଣାଙ୍କର ଏଥିରେ ସମ୍ମତି ନଥିଲା। ତେଣୁ ସ୍ଵୟମ୍ବର ବେଦିରୁ ସେ ଲକ୍ଷଣାଙ୍କୁ ଅପହରଣ କରିନେଲେ। କୌରବ ରଥିମାନେ ଅନୁଧାବନ କରି ଭୀଷଣ ରଣରେ ତାଙ୍କୁ ପରାସ୍ତ କଲେ ଏବଂ ବନ୍ଦୀକରି କାରାଗାରରେ ନିକ୍ଷେପ କଲେ।


ରାଜକୁମାରୀ ଲକ୍ଷଣାଙ୍କ ପାଇଁ ଅନ୍ୟ ବରପାତ୍ର ଖୋଜା ଚାଲିଲା,କିନ୍ତୁ ସେ ସମୟରେ ଥରେ ଅପହୃତା ହୋଇଥିବା କନ୍ୟା ପାଇଁ ବରପାତ୍ର ମିଳୁନଥିଲା। ଯଦୁବଂଶୀଙ୍କ ଡରରେ ମଧ୍ୟ କେହି ଲକ୍ଷଣାଙ୍କୁ ବିବାହ କରିବାକୁ ରାଜି ହେଲେ ନାହିଁ। ବଳରାମ ଯେତେବେଳେ ଜାଣିବାକୁ ପାଇଲେ ଯେ ଶାମ୍ବ କୁମାର ହସ୍ତିନାର କାରାଗାରରେ ବନ୍ଦୀ,ସେ ତାଙ୍କ ହଳାୟୁଧ ଉତ୍ତୋଳନ କରି ଯାଦବ ସେନାଙ୍କ ସହିତ ହସ୍ତିନାରେ ପହଞ୍ଚି ଶାମ୍ବଙ୍କୁ ତୁରନ୍ତ ମୁକ୍ତ କରି ଲକ୍ଷଣାଙ୍କ ସହିତ ବିବାହ ଦେବାପାଇଁ ଆଦେଶ ଦେଲେ। ଏଭଳି ପ୍ରସ୍ତାବରେ ଦୁର୍ଯ୍ୟୋଧନ କର୍ଣ୍ଣପାତ କଲେନାହିଁ।ଫଳରେ ବଳରାମ ରାଜପ୍ରସାଦ ଆକ୍ରମଣ କରି ଧ୍ବସ୍ତବିଧ୍ବସ୍ତ କରିବା ଆରମ୍ଭ କରିଦେଲେ। ବଳରାମଙ୍କ କୋପ ଆଗରେ ଦୁର୍ଯ୍ୟୋଧନଙ୍କ ଜିଦ୍ ହାରମାନିଲା।ଶାମ୍ବ କୁମାରଙ୍କ ସହିତ ରାଜକନ୍ୟା ଲକ୍ଷଣାଙ୍କୁ ବିବାହ ଦେଇ ମହାଆଡମ୍ବରରେ ଦୁର୍ଯ୍ୟୋଧନ ବର କନ୍ୟାଙ୍କୁ ବିଦା କରିଥିଲେ।


ଶାମ୍ବଙ୍କର ପ୍ରେମରୋଗ ଏତିକିରେ ଶେଷ ହେଲାନାହିଁ। ଶ୍ରୀକୃଷ୍ଣଙ୍କର ଅନେକ ରାଣୀ ଥିଲେ।ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଶାମ୍ବ ଅନ୍ତଃପୁରରେ କିଛି ସୁନ୍ଦରୀ ବିମାତାଙ୍କ ମନରେ ପ୍ରେମାନୁରାଗ ସୃଷ୍ଟି କଲେ।ଥରେ ନନ୍ଦିନୀ ନାମକ ଶ୍ରୀକୃଷ୍ଣଙ୍କର ଜଣେ ରାଣୀ ତାଙ୍କୁ ଆଲିଙ୍ଗନ କରିବା ଦୃଶ୍ୟ ଦେଖିବାକୁ ପାଇ ନାରଦ ଶ୍ରୀକୃଷ୍ଣଙ୍କୁ ଜଣାଇଦେଲେ। ଶ୍ରୀକୃଷ୍ଣ ପ୍ରଥମେ ଏହାକୁ ଅଣଦେଖା କରିଦେଲେ କିନ୍ତୁ ନାରଦ ଆଉ ଗୋଟିଏ ଖେଳ ଖେଳିଲେ।ଗୁପ୍ତ ଏବଂ ସଂରକ୍ଷିତ ଅନ୍ତଃପୁର ସ୍ନାନାଗାରରେ ଶ୍ରୀକୃଷ୍ଣଙ୍କ ରାଣୀମାନେ ସ୍ନାନ କରୁଥିବା ଅବସ୍ଥାରେ ନାରଦ ଶାମ୍ବଙ୍କୁ କୌଶଳରେ ସେ ସ୍ଥାନକୁ ନେଇଗଲେ। ଶାମ୍ବଙ୍କୁ ଦେଖି ଶ୍ରୀକୃଷ୍ଣଙ୍କ ରାଣୀମାନେ ଲଜ୍ଜିତା ହୋଇ ତାଙ୍କ ଲମ୍ପଟ ଗୁଣ ବିଷୟରେ ଶ୍ରୀକୃଷ୍ଣଙ୍କ ଆଗରେ ଅଭିଯୋଗ କଲେ।


ସ୍ବର୍ଗ-ଯତି ନାରଦ ଏଭଳି କରିବାର କାରଣ ଥିଲା।ସମ୍ପଦ ଏବଂ ଆଭିଜାତ୍ୟର ଗର୍ବରେ ନାରଦଙ୍କୁ ଅସମ୍ମାନ କରି ଅନେକ ସମୟରେ ଶାମ୍ବ ତାଙ୍କ ରୂପକୁ ବିଦ୍ରୂପ କରୁଥିଲେ। ଶାମ୍ବଙ୍କୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ନାରଦଙ୍କର ଏହା ଏକ ଯୋଜନା ଥିଲା।


ରାଣୀ ମାନଙ୍କ ଅଭିଯୋଗ ଶୁଣି ଶ୍ରୀକୃଷ୍ଣ, କ୍ରୋଧରେ ଶାମ୍ବଙ୍କୁ କୁଷ୍ଠରୋଗାକ୍ରାନ୍ତ ହେବାପାଇଁ ଅଭିଶାପ ଦେଲେ। ଅଭିଶାପ ଅଚିରେ ଫଳବତୀ ହେଲା।ଶାମ୍ବ ତାଙ୍କ ନିରିହତା ପ୍ରମାଣ କରିବାକୁ ପ୍ରୟାସ କଲେ ଏବଂ ଶ୍ରୀକୃଷ୍ଣଙ୍କୁ କ୍ଷମା ଭିକ୍ଷା କରି ରୋଗରୁ ଉପଶମ ହେବାର ଉପାୟ ଜିଜ୍ଞାସା କଲେ। ଶ୍ରୀକୃଷ୍ଣ ଦୟାପରବଶ ହୋଇ,ଶାମ୍ବଙ୍କୁ ଉପଦେଶ ଦେଲେ ସୂର୍ଯ୍ୟଙ୍କୁ ଆରାଧନା କରିବାପାଇଁ ।ଚନ୍ଦ୍ରଭାଗା ନଦୀକୂଳରେ,ଅର୍କକ୍ଷେତ୍ରରେ ଶାମ୍ବ ସୂର୍ଯ୍ୟଙ୍କୁ ବାରବର୍ଷ ତପସ୍ୟା କରି ଏହି ରୋଗରୁ ମୁକ୍ତିଲାଭ କରିଥିଲେ। 


ପ୍ରକୃତି ନୈବ ମୁଚ୍ୟତେ।ଶାମ୍ବଙ୍କ ସମେତ ଅନ୍ୟ ଯାଦବ ରାଜପୁତ୍ରଙ୍କ ଉତ୍ସୃଙ୍ଖଳ ଚରିତ୍ର ଚରମ ସୀମାରେ ପହଞ୍ଚିଲା।ଥରେ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଦୁର୍ବାସା, ବଶିଷ୍ଠ, ବିଶ୍ଵାମିତ୍ର ଏବଂ ନାରଦ ସମେତ ଅନ୍ୟ ଋଷିଗଣ ଦ୍ବାରକାରେ ପହଞ୍ଚିଲେ।ସେମାନଙ୍କୁ ଦୂରରୁ ଦେଖି, ସମ୍ମାନ ଦେବା ତ ଦୂରର କଥା ତାତ୍ସଲ୍ୟ କରିବା ଅଭିପ୍ରାୟ ନେଇ ରାଜପୁତ୍ର ମାନେ ଶାମ୍ବଙ୍କୁ ନାରୀବେଶରେ ସଜାଇ, ଶାଢ଼ୀ ତଳେ ଉଦର ଉପରେ ଏକ ଲୌହ ମୁଷଳ ରଖି ଋଷି ମାନଙ୍କ ନିକଟରେ ଉପସ୍ଥିତ ହୋଇ ପଚାରିଲେ..ହେ ଭବିଷ୍ୟତ ଜ୍ଞାତା ମହର୍ଷିଗଣ ! କହିପାରିବେ ଏହି ଗର୍ଭବତୀ ନାରୀ ପୁତ୍ର ସନ୍ତାନ ଜନ୍ମ କରିବ ନା କନ୍ୟା ?"


ଯାଦବ ରାଜକୁମାରଙ୍କ ଏଭଳି ଅସମ୍ମାନ ପ୍ରଦର୍ଶନରେ ଅତିଷ୍ଠ ଋଷିମାନେ ଅଭିଶାପ ଦେଇ କହିଲେ..ପୁତ୍ର ବା କନ୍ୟା ନୁହେଁ, ଏହି ନାରୀ ଏକ ଲୌହ ମୁଷଳ ଜନ୍ମ କରିବ ଏବଂ ସେହି ମୁଷଳ ଯଦୁ ବଂଶକୁ ସମୂଳେ ଧ୍ବଂସ କରିବ।"


ଋଷି ମାନଙ୍କଠାରୁ ଅଭିଶାପ ପାଇବା ପରେ ଯାଦବ କୁମାର ମାନଙ୍କର ଚୈତନ୍ୟ ଉଦୟ ହେଲା। କିନ୍ତୁ ଲେଡିଗୁଡ ସେତେବେଳକୁ କହୁଣୀକୁ ବୋହିଗଲାଣି।ଶାମ୍ବ ଏକ ଲୌହ ମୁଷଳକୁ ଜନ୍ମ ଦେଲେ।ସେ ମୁଷଳଟି ଧରି ମହାରାଜା ଉଗ୍ରସେନଙ୍କ ପାଖରେ ପହଞ୍ଚିଲେ ଯାଦବ ରାଜପୁତ୍ର ମାନେ। ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ଶାମ୍ବ ସେହି ମୁଷଳଟି,ପ୍ରଭାସ କ୍ଷେତ୍ରରେ ସମୁଦ୍ର କୂଳରେ ପଥରରେ ଘର୍ଷଣ କରି ନିଃଶେଷ କରିବାକୁ ଲାଗିଲେ।ମୁଷଳଟି ଲୌହ ଗୁଣ୍ଡରେ ପରିଣତ ହୋଇଗଲା।ଶେଷରେ ତୀର ଆକାରର ଛୋଟ ଅଂଶଟିଏ ରହିଗଲା।ସେ ଅଂଶଟି ଶାମ୍ବ ସମୁଦ୍ର ମଧ୍ୟକୁ ଫିଙ୍ଗି ଦେଲେ।ଶାମ୍ବ ଶାନ୍ତିର ନିଃଶ୍ବାସ ମାରି ଭାବିଲେ... ଯେଉଁ ମୁଷଳ ଯଦୁବଂଶ ଧ୍ବଂସ କରିବ ବୋଲି ମହର୍ଷି ମାନେ ଭବିଷ୍ୟ ବାଣୀ କରିଥିଲେ ତାହା ଏବେ ନଷ୍ଟ ହୋଇଗଲା,ବିପଦ ଟଳି ଗଲା।


କିନ୍ତୁ ଅନ୍ତରାଳରେ ରହି କାଳ ଅଟ୍ଟହାସ କରୁଥିଲା। ପ୍ରଭାସ କ୍ଷେତ୍ରରେ ,ମୁଷଳ ଘର୍ଷଣରୁ ବାହାରିଥିବା ଲୌହଗୁଣ୍ଡ,ସମୁଦ୍ର ଜଳରେ ଭାସିଆସି କୂଳରେ ଏକ ବିଶାଳ ଏରକା ବନର ସୃଷ୍ଟି କଲା।ସମୁଦ୍ରକୁ ଫିଙ୍ଗା ଯାଇଥିବା ତୀର ଆକାରର ଲୁହାଟି ଗୋଟିଏ ମାଛ ଗିଳି ଦେଇଥିଲା।ଜାରା ନାମକ ଜଣେ ଶବର ସେହି ମାଛଟି ସମୁଦ୍ରରୁ ଜାଲରେ ଧରି ତାକୁ କାଟିବା ବେଳେ ତା' ପେଟରୁ ଲୁହାଟି ପାଇ ଧନୁ ପାଇଁ ତୀରଟିଏ ତିଆରି କରି ରଖିଥିଲା।


ବର୍ତ୍ତମାନ ଅଭିଶପ୍ତ ମୁଷଳ, ପରିବର୍ତ୍ତିତ ହୋଇ ଏରକା ବନ ଏବଂ ଜାରାଶବର'ର ତୀରରେ ପରିଣତ ହୋଇଯାଇଥିଲା। ରଙ୍ଗମଞ୍ଚ ପ୍ରସ୍ତୁତ ହୋଇଥିଲା ଯଦୁବଶ ଧ୍ଵଂସର ପରବର୍ତ୍ତୀ ଅଙ୍କର ଅଭିନୟ ପାଇଁ।


Rate this content
Log in

Similar oriya story from Classics