Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ(୧୦୬)ଧୃତରାଷ୍ଟ୍ର

କଥା କାଦମ୍ବରୀ(୧୦୬)ଧୃତରାଷ୍ଟ୍ର

4 mins
186



ମହାଭାରତ ଯୁଦ୍ଧରେ ଜୟଲାଭ କରି ପାଣ୍ଡବମାନେ ବିଶାଳ ହସ୍ତିନା ସାମ୍ରାଜ୍ୟରେ ରାଜତ୍ଵ କଲେ। ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁଯାୟୀ ଯୁଧିଷ୍ଠିର ଭବ୍ୟ ଅଶ୍ଵମେଧ ଯଜ୍ଞର ଆୟୋଜନ କରି ଭାରତ ଭୁଖଣ୍ଡର ରାଜା ମାନଙ୍କର ଆନୁଗତ୍ୟ ଲାଭକଲେ ତଥା ସେମାନଙ୍କ ଉପରେ ହସ୍ତିନାର ସାର୍ବଭୌମତ୍ବ ପ୍ରତିଷ୍ଠା କଲେ। କିନ୍ତୁ ବିଜୟ ପରେ ଯେଉଁ ଆନନ୍ଦ ମିଳିବା କଥା ତାହା ଯୁଧିଷ୍ଠିର ହୃଦୟଙ୍ଗମ କଲେନାହିଁ।ଭ୍ରାତୃ ରକ୍ତରେ ସିକ୍ତ ରାଜମୁକୁଟ ତାଙ୍କୁ କଣ୍ଟକର ମୁକୁଟ ଭଳି ଲାଗୁଥିଲା।


ପୁତ୍ର ଶୋକର ସାଗର ଭିତରେ ଅଣନିଃଶ୍ବାସୀ ହୋଇ ଥଳକୂଳ ପାଉନଥିବା ଧୃତରାଷ୍ଟ୍ରଙ୍କୁ ଏବଂ ନିର୍ଦ୍ଧୋଷ ସରଳତାର ପ୍ରତିମୂର୍ତ୍ତି ମାତା ଗାନ୍ଧାରୀଙ୍କୁ ପାଣ୍ଡବମାନେ ଯେଉଁ ସମ୍ମାନ ଦେଖାଉଥିଲେ ତାର ତୁଳନା ନାହିଁ। ରାଜକାର୍ଯ୍ୟରେ ହେଉ ଅଥବା ରାଜପରିବାରର କୌଣସି ନିଷ୍ପତ୍ତିରେ ହେଉ ଜ୍ୟେଷ୍ଠତାତ ଧୃତରାଷ୍ଟ୍ରଙ୍କୁ ପରାମର୍ଶ ନକରି ଯୁଧିଷ୍ଠିର କୌଣସି କାର୍ଯ୍ୟ କରୁନଥିଲେ।ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ସ୍ନେହ ଶ୍ରଦ୍ଧା ଓ ରାଜକୀୟ ସମ୍ମାନ ଦେବାପାଇଁ ଯୁଧିଷ୍ଠିର ରାଜପରିବାରର ସମସ୍ତ ସଦସ୍ୟ ଏବଂ ପରିଚାରକ ପରିଚାରିକାଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। କୁନ୍ତୀ ସାନ ଭଉଣୀ ଭଳି ଗାନ୍ଧାରୀଙ୍କ ପାଖ ପାଖେ ସବୁବେଳେ ରହି, ତାଙ୍କ ଭଲ-ମନ୍ଦ ବୁଝୁଥିଲେ। ଦ୍ରୌପଦୀ ଦୁଇ ରାଜମାତାଙ୍କ ସେବାରେ ନିଜକୁ ନିୟୋଜିତ କରି ସ୍ୱର୍ଗୀୟ ଶାନ୍ତି ଅନୁଭବ କରୁଥିଲେ।


କୁଳଗୁରୁ କୃପାଚାର୍ଯ୍ୟ,ଯୁଦ୍ଧର ଶେଷ ଦିନରେ ଅଶ୍ଵତ୍ଥାମା ଓ କୃତବର୍ମାଙ୍କ ସହିତ ମିଶି ପାଣ୍ଡବ ଶିବିରରେ ଘୋର ବିତ୍ପାତ ସୃଷ୍ଟି କରି ଧୃଷ୍ଟଦ୍ୟୁମ୍ନ ସମେତ ପାଞ୍ଚାଳୀଙ୍କର ପାଞ୍ଚ ପୁତ୍ରଙ୍କ ହତ୍ୟାରେ ସଂପୃକ୍ତ ଥିଲେ ମଧ୍ୟ ଯୁଧିଷ୍ଠିର ତାଙ୍କୁ ଉଦାର ହୃଦୟରେ କ୍ଷମା ଦେଇ ହସ୍ତିନାର ରାଜପୁରୋହିତ ଭାବରେ ଗ୍ରହଣ କଲେ। ଏ ସମ୍ବନ୍ଧରେ,ସରଳ ଓ ନିଷ୍କପଟ ଯୁଧିଷ୍ଠିରଙ୍କ ଯୁକ୍ତି ଥିଲା ଯେ ରାଜଅନ୍ନରେ ପ୍ରତିପାଳିତ କୃପାଚାର୍ଯ୍ୟ,ଅନ୍ନ ପ୍ରତି କୃତଜ୍ଞତା ଏବଂ କର୍ତ୍ତବ୍ୟ ସମ୍ପାଦନ ଅବସରରେ ଯାହା କରିଛନ୍ତି ତାହା ଅପରାଧ ଭାବରେ ଗଣ୍ୟ ନୁହେଁ। ପରିବାର ପୋଷଣ ପାଇଁ କଂସେଇକୁ ଯେପରି ଜୀବ ବଧ କରିବାକୁ ପଡେ,ରାଜଅନ୍ନରେ ପ୍ରତିପାଳିତ କର୍ମଚାରୀକୁ ରାଜାଜ୍ଞା ପାଳନ କରି ବିବେକ ବିରୁଦ୍ଧ କାର୍ଯ୍ୟ ମଧ୍ୟ କରିବାକୁ ପଡ଼ିଥାଏ।କୃପାଚାର୍ଯ୍ୟ ତାଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି;ତେଣୁ ସେ ରାଜକ୍ଷମାର ପ୍ରଥମ ଅଧିକାରୀ। କ୍ଷମାଠାରୁ ବଳି ସ୍ବର୍ଗୀୟ ଆଉ କିଛି ନାହିଁ, ପ୍ରତିଶୋଧ ପରାୟଣତା ଠାରୁ ନାରକୀୟ ଆଉ କିଛି ନାହିଁ; ଏହା ଥିଲା ଧର୍ମରାଜ ଯୁଧିଷ୍ଠିରଙ୍କର ବିଶାଳ ହୃଦୟରେ ନିଷ୍ପତ୍ତି।


ଧୃତରାଷ୍ଟ୍ର ପୁତ୍ରଶୋକ ଭୁଲିଯାଇ ଶାନ୍ତିରେ କିପରି ପ୍ରାସାଦ ଭିତରେ ଜୀବନ ବିତାଇବେ, ଏହା ଥିଲା ଯୁଧିଷ୍ଠିରଙ୍କର ପ୍ରଥମ ଚିନ୍ତା। ସେଥିପାଇଁ ମହାତ୍ମା ବିଦୂର,ସଞ୍ଜୟ ଏବଂ କୃପାଚାର୍ଯ୍ୟଙ୍କୁ ଜ୍ୟେଷ୍ଠ ତାତଙ୍କ ପାଖେ ପାଖେ ରହି ଆଳାପ ଆଲୋଚନାରେ ସମୟ ଅତିବାହିତ କରିବା ବ୍ୟବସ୍ଥା କରିଥିଲେ ଯୁଧିଷ୍ଠିର। ଦିନେ ଧୃତରାଷ୍ଟ୍ରଙ୍କ ପାଖରେ ବସି ଯୁଧିଷ୍ଠିର କହିଲେ.. ଜ୍ୟେଷ୍ଠ ତାତ ! ବଂଶର ମୁରବି ଭାବରେ ଏ ରାଜପଦ ଆପଣଙ୍କର ପ୍ରାପ୍ୟ।ଆପଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁପରି ରାଜକାର୍ଯ୍ୟ ଚାଲୁଥିଲା ସେହିପରି ଚାଲିବ। ଦୁର୍ଯ୍ୟୋଧନ ପ୍ରତି ଆପଣଙ୍କର ଯେଉଁ ପ୍ରକାର ସ୍ନେହ ଥିଲା ମୋତେ ମଧ୍ୟ ସେହି ସ୍ନେହ ଦେଇ ଆଶୀର୍ବାଦ କରନ୍ତୁ। ମୁଁ ଭ୍ରାତୃହନ୍ତା,ଆପଣଙ୍କ ଆଶୀର୍ବାଦ ପାଇଲେ ହୁଏତ ମୋର ପାପଭାର ହାଲୁକା ହୋଇଯିବ।


ଧୃତରାଷ୍ଟ୍ର କହିଲେ..ପୁତ୍ର ! ମୋର ଅପରିଣାମଦର୍ଶିତାର ଫଳ ସ୍ବରୂପ ମୋ ବଂଶ ଧ୍ବଂସ ହୋଇଗଲା; ସେଥିରେ ତୁମର କୌଣସି ଦୋଷ ନାହିଁ।ତୁମ ଅଧିକାର ପାଇଁ ଯୁଦ୍ଧକରି ତୁମେ କ୍ଷତ୍ରିୟୋଚିତ କାର୍ଯ୍ୟ କରିଛ। ସେଥିପାଇଁ ଅନୁଶୋଚନାର ପ୍ରଶ୍ନ ଉଠୁନାହିଁ।ମୋ ପୁତ୍ରମାନେ ଦୁଷ୍ଟ ଓ ଅନ୍ୟାୟୀ ଥିଲେ। ତାହା ଜାଣି ମଧ୍ୟ ତୁମ ମାନଙ୍କ ପ୍ରତି ମୁଁ ଅବିଚାର କରିଥିଲି। ତାହା ଭୁଲିଯାଇ ତୁମେ ମୋପ୍ରତି ଯେଉଁ ଦୟା ଓ ସ୍ନେହ ଭାବ ଦେଖାଇଛ, ତାହା ତୁମର ବିଶାଳ ହୃଦୟର ପରିଚୟ ଦିଏ।ଭରତ ବଂଶର ତୁମପରି ଜାଜ୍ଜ୍ୱଲ୍ୟମାନ ହିରା ପାଇଁ ମୁଁ ଗର୍ବ ଅନୁଭବ କରୁଛି।ମୋର ରାଜକାର୍ଯ୍ୟରେ କୌଣସି ଋଚି ନାହିଁ। ତୁମେ ମୋତେ ଆଶ୍ରୟ ଦେଇଛ, ତାହା ହିଁ ଯଥେଷ୍ଟ।"


ଯୁଧିଷ୍ଠିରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଧୃତରାଷ୍ଟ୍ରଙ୍କର ପୁତ୍ରଶୋକ ପ୍ରଶମିତ ହେଲାନାହିଁ। ଯୁଧିଷ୍ଠିରଙ୍କ ସ୍ନେହ ଶ୍ରଦ୍ଧା ତାଙ୍କୁ ଦୟା ଭଳି ମନେହେଲା।ଏ ଭିତରେ ପନ୍ଦର ବର୍ଷ ବିତିଯାଇଥିଲେ ମଧ୍ୟ ଧୃତରାଷ୍ଟ୍ରଙ୍କ ହୃଦୟ ଭିତରୁ ପୁତ୍ରଶୋକ ଦୂର ହୋଇ ପାରିଲା ନାହିଁ। ଗାନ୍ଧାରୀଙ୍କ ସମସ୍ତ ସେବା ସୁଶ୍ରୁଷା ସତ୍ତ୍ବେ ଧୃତରାଷ୍ଟ୍ରଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାକୁ ଲାଗିଲା।କ୍ରମେ ରାଜପ୍ରାସାଦର ସୁଖ ସ୍ବାଚ୍ଛନ୍ଦ୍ୟ ତାଙ୍କୁ ଆଳିକ ଲାଗିଲା।ଅନେକ ସମୟରେ ସେ ଉପବାସରେ ସମୟ ବିତାଇଲେ।ପତ୍ନୀ ଧର୍ମ ପାଳନ କରି ଗାନ୍ଧାରୀ ମଧ୍ୟ ସ୍ବାମୀଙ୍କ ସହିତ ଉପବାସ କରୁଥିଲେ।


ଥରେ କ୍ଷୀଣ-ସ୍ବାସ୍ଥ୍ୟ ଧୃତରାଷ୍ଟ୍ରଙ୍କୁ ଦେଖି ଯୁଧିଷ୍ଠିର ବ୍ୟତିବ୍ୟସ୍ତ ହୋଇ ପଡିଲେ। ଧୃତରାଷ୍ଟ୍ର କହିଲେ...ପୁତ୍ର ! ଏହି ରାଜପ୍ରସାଦ ଭିତରେ ଆଉ ରହିବା ଇଚ୍ଛା ନାହିଁ।ବାନପ୍ରସ୍ଥ ଜୀବନ ଯାପନ କରି ମୁନିଋଷି ମାନଙ୍କ ଗହଣରେ ଶେଷ ସମୟ‌ଅତିବାହିତ କରିବାପାଇଁ ମୋର ଇଚ୍ଛା।ମୋ ପତ୍ନୀଙ୍କ ସହିତ ମୋର ବନବାସ ପାଇଁ ଯିବା ବ୍ୟବସ୍ଥା କରିଦିଅ।"


ଧୃତରାଷ୍ଟ୍ରଙ୍କର ଏଭଳି ଅବସ୍ଥାରେ ବାନପ୍ରସ୍ଥ ଜୀବନ ଯାପନ ପାଇଁ ଯୁଧିଷ୍ଠିର ସମ୍ମତ ହେଲେ ନାହିଁ। କିନ୍ତୁ ବ୍ୟାସ ଦେବ କହିଲେ..ପୁତ୍ର ଯୁଧିଷ୍ଠିର ! ଧୃତରାଷ୍ଟ୍ରଙ୍କୁ ଯିବାପାଇଁ ଦିଅ। ପ୍ରତ୍ୟେକ ମନୁଷ୍ୟର ଜୀବନରେ ଗାର୍ହସ୍ତ୍ୟ ପରେ ବାନପ୍ରସ୍ଥ ଜୀବନ ଅପରିହାର୍ଯ୍ୟ। ସଂସାର ମାୟାଠାରୁ ଦୂରରେ ରହି ବନାନୀର ପ୍ରାକୃତିକ ପରିବେଶ ଭିତରେ, ମୁନି ଋଷିଙ୍କ ଗହଣରେ ଆଧ୍ୟାତ୍ମିକ ଜୀବନ ବିତାଇବାର ଅଧିକାରରୁ ତାଙ୍କୁ ବଞ୍ଚିତ କରନାହିଁ। ଆତ୍ମଗ୍ଲାନି ଏବଂ ପୁତ୍ରଶୋକରେ ବିଦଗ୍ଧ ତାଙ୍କର ଦେହ ଓ ମନକୁ ଶୀତଳ କରିବା ପରିବେଶରୁ ତାଙ୍କୁ ଦୂରେଇ ରଖନାହିଁ।ସମୟ ଆସେ ଯେତେବେଳେ ସଂସାର ଜଞ୍ଜାଳରେ ଅଣନିଃଶ୍ବାସୀ ମନୁଷ୍ୟ ସବୁ ମାୟା ମୋହ ଛିନ୍ନ କରି ଜୀବନର ସାରାଂଶ ବୁଝିବାକୁ ଚେଷ୍ଟାକରେ।ସେ ଅଧିକାରରୁ ତାଙ୍କୁ ବଞ୍ଚିତ କରିବା ଉଚିତ ନୁହେଁ।"


ବ୍ୟାସଦେବଙ୍କ ଉପଦେଶ ଅନୁଯାୟୀ ଯୁଧିଷ୍ଠିର, ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ବନଗମନ ପାଇଁ ବ୍ୟବସ୍ଥା କଲେ।ସଞ୍ଜୟ ମଧ୍ୟ ଧୃତରାଷ୍ଟ୍ରଙ୍କ ସହିତ ଯିବାପାଇଁ ବାହାରିଲେ। ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ବାନପ୍ରସ୍ଥ ଜୀବନ ପାଇଁ ପ୍ରସ୍ତୁତ ହେବାର ଦେଖି କୁନ୍ତୀ ଯୁଧିଷ୍ଠିରଙ୍କୁ କହିଲେ.. ଗାନ୍ଧାରୀଙ୍କ ବ୍ୟତୀତ ମୋ ଜୀବନ ରାଜପ୍ରସାଦ ଭିତରେ ଦୁର୍ବିସହ ହୋଇପଡିବ। ମୁଁ ମଧ୍ୟ ଅଚିରେ ମୋ ଦିବଙ୍ଗତ ସ୍ବାମୀଙ୍କ ସହିତ ମିଳିତ ହେବାପାଇଁ ଚାହେଁ।ମୋତେ ବିଦାୟ ଦିଅ ପୁତ୍ର !"


ଯୁଧିଷ୍ଠିରଙ୍କ ଆଖିରେ ଅବାରିତ ଅଶ୍ରୁ। ପାଣ୍ଡୁ ପରିବାର ଗଭୀର ଦୁଃଖରେ ମଗ୍ନ।ବାନପ୍ରସ୍ଥ ଜୀବନ ପାଇଁ ଚାରିଜଣଙ୍କର ବିଦାୟକାଳୀନ ଦୃଶ୍ୟ ବଡ଼ ମର୍ମନ୍ତୁଦ।ରାଜ ପ୍ରାସାଦରୁ ବାହାରି ଯେତେବେଳେ ସେମାନେ ହସ୍ତିନାର ରାଜରାସ୍ତାରେ ପାଦ ରଖିଲେ ଅସମ୍ଭବ ଭିଡ ସୃଷ୍ଟି ହୋଇ ଯାଇଥିଲା। ଶେଷ ଦର୍ଶନ ପାଇଁ ଉତ୍ସୁକ ହୋଇ ପ୍ରଜାମାନେ ଅପେକ୍ଷା କରି ଥିଲେ।ଜୟ ମହାରାଜା ଧୃତରାଷ୍ଟ୍ରଙ୍କର ଜୟ;ଜୟ ଚକ୍ରବର୍ତ୍ତୀ ଯୁଧିଷ୍ଠିରଙ୍କର ଜୟ"ଶବ୍ଦରେ ଗଗନ ପବନ ମୁଖରିତ ହୋଇ ଉଠିଲା।


ଏହାପରେ ଅରଣ୍ୟ ଭିତରେ ତିନି ବର୍ଷ ବାନପ୍ରସ୍ଥ ଜୀବନ ଅତିବାହିତ କଲେ ଧୃତରାଷ୍ଟ୍ର। ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟ ଭିତରେ,ପଶୁ ,ପକ୍ଷୀ,ଫୁଲ ପ୍ରଜାପତି ଗହଣରେ ସଂସାରର ସମସ୍ତ ମୋହରୁ ଦୂରରେ ରହିଥିଲେ ସେ। ଭୁଲି ଯାଇଥିଲେ ଈର୍ଷା,ମୋହ,ଲୋଭ ଏବଂ ଅହଂକାରରେ ପରିପୂର୍ଣ୍ଣ ସାଂସାରିକ ଜୀବନ।ଅପେକ୍ଷା କରିଥିଲେ କେତେବେଳେ ପରମାତ୍ମାଙ୍କ ଡାକରା ଆସିବ।


ଦିନେ ସେ ସମୟ ଉପସ୍ଥିତ ହେଲା। ସେଦିନ ପ୍ରାତଃ ସ୍ନାନ ପରେ ପୂଜା ପାଠରେ ମଗ୍ନଥିଲେ ଧୃତରାଷ୍ଟ୍ର। ହଠାତ୍ ବନରେ ଲାଗିଗଲା ଭୟଙ୍କର ଅଗ୍ନି। ଧୃତରାଷ୍ଟ୍ରଙ୍କ ଆଶ୍ରମକୁ ଚାରିପାଖରୁ ଅଗ୍ନି ଘେରିଗଲା। ଧୃତରାଷ୍ଟ୍ର ଆସନ ମୁଦ୍ରାରେ ରହି କହିଲେ..ଜୀବନ ଆହୂତି ଦେବାର ଅପୂର୍ବ ସମୟ ଉପସ୍ଥିତ। ତୁମେମାନେ ମୋତେ ଛାଡି ଚାଲିଯାଅ।"ଗାନ୍ଧାରୀ ଏବଂ କୁନ୍ତୀ କହିଲେ ...ଅସମ୍ଭବ,ଆମେ ଦୁହେଁ ମଧ୍ୟ ଆପଣଙ୍କ ସହିତ ଏହି ଆତ୍ମହୂତି ସୁଯୋଗର ଉପଯୋଗ କରିବୁ। ଚାହୁଁ ଚାହୁଁ ଅଗ୍ନି ଆଶ୍ରମକୁ ଭସ୍ମିଭୂତ କରିଦେଲା।ପଞ୍ଚତତ୍ତ୍ବରେ ବିଲୀନ ହୋଇଗଲେ ଧୃତରାଷ୍ଟ୍ର ଗାନ୍ଧାରୀ ଏବଂ କୁନ୍ତୀ।ସଞ୍ଜୟ ସେଠାରୁ ଯାଇ ହିମାଳୟ ପାଦ ଦେଶରେ ଶେଷ ପର୍ଯ୍ୟନ୍ତ ସନ୍ୟାସ ଜୀବନ ଯାପନ କଲେ।



Rate this content
Log in

Similar oriya story from Classics