Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ ୧୦୫-ଉତ୍ତାଙ୍ଗ ଋଷି

କଥା କାଦମ୍ବରୀ ୧୦୫-ଉତ୍ତାଙ୍ଗ ଋଷି

4 mins
156



ଉତ୍ତାଙ୍ଗ ଋଷି


ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କଠାରୁ ବିଦାୟ ନେଇ ଦ୍ଵାରକା ଅଭିମୁଖେ ଯାତ୍ରା ଆରମ୍ଭ କଲେ।ବାଟରେ ମରୁସ୍ଥଳରେ ବାଲ୍ୟସଖା ଉତ୍ତାଙ୍ଗ'ଙ୍କ ଆଶ୍ରମ ପଡ଼ିଲା। ବାଲ୍ୟସଖାଙ୍କ ଆଶ୍ରମ ଅନାମୟ ପଚାରିବା ପାଇଁ ଶ୍ରୀକୃଷ୍ଣ ରଥରୁ ଓହ୍ଲାଇ ବ୍ରାହ୍ମଣଙ୍କ ନିକଟରେ ପହଞ୍ଚିଲେ। ଦ୍ଵାରକାପତିଙ୍କ ଦର୍ଶନରେ ଆନନ୍ଦରେ ଗଦ୍ଗଦ ହୋଇ ଉତ୍ତାଙ୍ଗ ତାଙ୍କୁ ଆଲିଙ୍ଗନ କରି ପାଣ୍ଡବ ଏବଂ କୌରବଙ୍କ ଭଲ-ମନ୍ଦ ଜାଣିବାପାଇଁ ପଚାରିଲେ..କେଶବ ! ମନେହୁଏ ଆପଣ ହସ୍ତିନାରୁ ଫେରୁଛନ୍ତି। ସେଠାରେ ଆପଣଙ୍କ ପାଣ୍ଡବ ଏବଂ କୌରବ ଭାଇମାନେ ଭଲରେ ଅଛନ୍ତି ତ? ସେମାନଙ୍କ ମଧ୍ୟରେ ଭ୍ରାତୃସ୍ନେହ ଅତୁଟ ରହିଛି ତ ?ଉଭୟେ ଶାନ୍ତିରେ ପ୍ରଜାପାଳନ କରୁଛନ୍ତି ତ ?"


ବାଲ୍ୟ ବନ୍ଧୁଙ୍କର ଏହି ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେଲେ ଶ୍ରୀକୃଷ୍ଣ।ନିରୀହ ବ୍ରାହ୍ମଣ ନିଜ ଆଶ୍ରମ ଭିତରେ ତପଶ୍ଚର୍ଯ୍ୟାରେ ବିଲୀନ ରହି ବାହାର ଦୁନିଆଁରେ କଣ ସବୁ ଘଟିଯାଇଛି ଜାଣି ପାରିନାହାନ୍ତି।ଉତ୍ତାଙ୍ଗଙ୍କୁ ଚାହିଁ ଶ୍ରୀକୃଷ୍ଣ କହିଲେ.. ତୁମେ କେଉଁ ରାଜ୍ୟରେ ଅଛ ବନ୍ଧୁ ? ଗଙ୍ଗା ନଦୀରେ ଏତେ ଜଳ ବହିଗଲାଣି ତୁମେ କିଛି ଜାଣିନାହଁ? ତପସ୍ୟା ଭିତରେ ମଜ୍ଜିରହି ତୁମେ ପୃଥିବୀରେ ଘଟୁଥିବା ଘଟଣାବଳୀକୁ ବୋଧହୁଏ ଜାଣିପାରି ନାହଁ।" 

ତା'ପରେ ପାଣ୍ଡବ ଏବଂ କୌରବଙ୍କ ଭିତରେ ଘଟିଥିବା ସଂଘର୍ଷ ବିଷୟରେ ଟିକିନିଖି ବର୍ଣ୍ଣନାକରି ଶ୍ରୀ କୃଷ୍ଣ କହିଲେ..ବନ୍ଧୁ ଉତ୍ତାଙ୍ଗ ! ମୁଁ ଅନେକ ଚେଷ୍ଟା କଲି ସେମାନଙ୍କ ମନୋମାଳିନ୍ୟ ଦୂର କରିବା ପାଇଁ, କିନ୍ତୁ ଦୁର୍ଯ୍ୟୋଧନ ଈର୍ଷାପରବଶ ହୋଇ ପାଣ୍ଡବ ମାନଙ୍କୁ ସେମାନଙ୍କ ପୈତୃକ ଅଧିକାର ଦେବାପାଇଁ ପ୍ରସ୍ତୁତ ହେଲେ ନାହିଁ।ସେମାନଙ୍କୁ ମୁଁ ପ୍ରଥମେ ବୁଝାଇଲି,ପରେ ଡରାଇଲି,ଏପରି କି ବିଶ୍ଵରୂପ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କଲି କିନ୍ତୁ ମୋର ସବୁ ପ୍ରଚେଷ୍ଟା ବିଫଳ ହେଲା।ବୁଦ୍ଧି ଓ ବିବେକ ଘରେ ତାଲା ପକାଇ ଦୁର୍ଯ୍ୟୋଧନ ସେହି ଗୋଟିଏ ଜିଦ୍ ରେ ଅଟଳ ରହିଲେ.. ବିନା ଯୁଦ୍ଧେ ଦେବି ନାହଁ ସୂଚ୍ୟଗ୍ର ମେଦିନୀ।'ଅପତ୍ୟ ମୋହରେ ବନ୍ଧା ଧୃତରାଷ୍ଟ୍ର ମଧ୍ୟ ପୁତ୍ର ମାନଙ୍କୁ ସମର୍ଥନ କଲେ। କୌରବଙ୍କର ଅନ୍ୟାୟ ଅନାଚାର ବଢ଼ିବାରେ ଲାଗିଲା;ମୋ ଶାନ୍ତି ପ୍ରସ୍ତାବକୁ ସେମାନେ ପାଣ୍ଡବ ପକ୍ଷର ଦୁର୍ବଳତା ବୋଲି ଭାବିଲେ। ଯାହା ଅବଶ୍ୟମ୍ଭାବୀ ତାହା ଘଟିଲା।ଭୟଙ୍କର ଯୁଦ୍ଧରେ କୌରବ ମାନଙ୍କର ପରାଜୟ ହେଲା।ଯୁଦ୍ଧର ପରିଣାମ ସ୍ବରୂପ ସାରା ଜମ୍ବୁ ଦ୍ବୀପ ବୀର ଶୂନ୍ୟ ହୋଇ ଗଲା।ବଡ଼ ଆଶ୍ଚର୍ଯ୍ୟ କଥା ଉତ୍ତାଙ୍ଗ ! ତୁମେ ଏସବୁ କିଛି ଜାଣି ପାରିଲ ନାହିଁ!"


ଶ୍ରୀକୃଷ୍ଣଙ୍କ ଠାରୁ ଏହି ମହା ବିଧ୍ୱଂସକ ଯୁଦ୍ଧ ବିଷୟରେ ଶୁଣି ଭୟଙ୍କର କ୍ରୋଧରେ ଉତ୍ତାଙ୍ଗଙ୍କ ଚକ୍ଷୁ ରକ୍ତବର୍ଣ୍ଣ ହେଲା।ସେ କହିଲେ..ଏ'ସବୁ ଘଟଣା ଘଟିଗଲା ଆଉ ତୁମେ ସେଠାରେ ନିରବଦ୍ରଷ୍ଟା ହୋଇ ଠିଆ ହୋଇଥିଲ ?କିଏ ଏ କଥା ବିଶ୍ବାସ କରିବ? ତୁମେ ସବୁ ନାଟର ଗୋବର୍ଦ୍ଧନ ଚକ୍ରୀ ! ତୁମେ ଚାହିଁଥିଲେ ଯୁଦ୍ଧ ଏଡ଼ାଇ ପାରିଥାନ୍ତ;ତୁମର ଅତ୍ୟଧିକ ପାଣ୍ଡବ ସ୍ନେହ ବୋଧହୁଏ ଏହା କରିବାକୁ ଦେଲା ନାହିଁ।ଏବେ ମୋର କ୍ରୋଧ ତୁମ ଉପରେ ଅଭିଶାପ ହୋଇ ଫଳିବାକୁ ଯାଉଛି।"


ଅଳ୍ପ ହସି ଶ୍ରୀକୃଷ୍ଣ କହିଲେ... ସଂବରଣ କର ବ୍ରାହ୍ମଣ ! ଅଭିଶାପ ଦେବାପାଇଁ ଏତେ ଉଚ୍ଛନ୍ନ ହୁଅ ନାହିଁ। ଅଭିଶାପ ଦେବାଦ୍ବାରା ତପସ୍ବୀର ତପୋଶକ୍ତି କମ୍ ହୋଇଯାଏ; ବହୁବର୍ଷ ଧରି ଅର୍ଜନ କରିଥିବା ଶକ୍ତି କ୍ଷଣକରେ ନଷ୍ଟ ହୋଇଯାଏ। ମୁଁ କଣ କହୁଛି ଶୁଣିବା ପରେ ତୁମେ ସନ୍ତୁଷ୍ଟ ନହେଲେ ମୋତେ ଅଭିଶାପ ଦେଇପାର।"


ତା'ପରେ ଶ୍ରୀକୃଷ୍ଣ କହିଲେ..ଉତ୍ତାଙ୍ଗ ! ଯେଉଁ ବିଶ୍ଵରୂପ ଦେଖି ପ୍ରାଣୀର ଈର୍ଷା, ଦ୍ୱେଷ,କାମ, କ୍ରୋଧ ଲୋଭ ,ମୋହ ସବୁ ଦୂର ହୋଇଯିବା ସ୍ବାଭାବିକ ଏବଂ ସଂସାରରେ ସମସ୍ତ ଘଟଣାବଳୀ ସ୍ରଷ୍ଟାଙ୍କ ନିର୍ଦ୍ଦେଶରେ ପରିଚାଳିତ ହୁଏ ବୋଲି ପ୍ରାଣୀ ହୃଦୟଙ୍ଗମ କରିପାରେ ସେହି ରୂପ ଦେଖି ମଧ୍ୟ ମୂର୍ଖ ଦୁର୍ଯ୍ୟୋଧନ ମୋର ଶାନ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରି ସ୍ରଷ୍ଟାଙ୍କୁ ହେୟଜ୍ଞାନ କଲା। ସେପରି ମନୁଷ୍ୟ ସମସ୍ତ ଦୁଷ୍କୃତର କାରଣ। ସେମାନେ ବଞ୍ଚିରହି ସମାଜର ଶାନ୍ତି ନଷ୍ଟ କରିବା ଏବଂ କଳୁଷିତ କରିବା କଣ ଠିକ୍ ହୋଇ ଥାନ୍ତା? ମନୁଷ୍ୟ ନିଜର କୃତକର୍ମ ଭୋଗକରେ ଉତ୍ତାଙ୍ଗ!ନିଜର ପତନ ପାଇଁ ସେ ନିଜେ ଦାୟୀ। ମୁଁ ସେମାନଙ୍କୁ ବିନାଶ କରିନାହିଁ, ସେମାନେ ନିଜେ ନିଜକୁ ବିନାଶ କରିଛନ୍ତି।"

କିଛି ନିରବତା ପରେ ଶ୍ରୀକୃଷ୍ଣ କହିଲେ.. ଯେଉଁ ବିଶ୍ଵରୂପ ଦେଖାଇ ମୁଁ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲି ତାହା ଏବେ ତୁମେ ଦର୍ଶନ କର।"


ଏହା କହି ଶ୍ରୀକୃଷ୍ଣ ତାଙ୍କ ବିଶ୍ଵରୂପ ଧାରଣ କରି ଉତ୍ତାଙ୍ଗଙ୍କ ସମକ୍ଷରେ ଉପସ୍ଥିତ ହେଲେ।ଉତ୍ତାଙ୍ଗଙ୍କର କ୍ରୋଧ ଶାନ୍ତ ହେଲା।ଆନନ୍ଦଗଦ୍ଗଦ କଣ୍ଠରେ କହିଲେ.. ମୁଁ ଧନ୍ୟ ହେଲି କୃଷ୍ଣ!ମୋର ଚକ୍ଷୁ ପବିତ୍ର ହେଲା,ମୋର ସମସ୍ତ କଳ୍ମଷ ଦୂର ହୋଇଗଲା।ମୋର ଏ ଜୀବନରେ ଆଉ କିଛି ପ୍ରାପ୍ତିର ଇଚ୍ଛା ନାହିଁ।କେବଳ ଅନନ୍ତରେ ବିଲୀନ ହେବାର ଇଚ୍ଛା ମନରେ ଜାଗ୍ରତ ହେଉଛି।"

ଶ୍ରୀକୃଷ୍ଣ କହିଲେ.. ତଥାପି, ମନରେ କିଛି ଇଚ୍ଛା ଥିଲେ ବ୍ୟକ୍ତ କର ଉତ୍ତାଙ୍ଗ,ତୁମେ ମୋତେ ତୁମ ଆଶ୍ରମରେ ଭବ୍ୟ ଆତିଥ୍ୟ ଦେଲ, ମୁଁ ତୁମକୁ କିଛି ଦେବାପାଇଁ ଚାହେଁ।"


ଉତ୍ତାଙ୍ଗ କହିଲେ...କେଶବ,ମୋର ସମସ୍ତ ଇଚ୍ଛା ପୂରଣ କରିବା ଶକ୍ତି ତୁମ ପାଖରେ ଅଛି, କିନ୍ତୁ ମୁଁ କଣ ମାଗିବି ଜାଣି ପାରୁନାହିଁ। ତଥାପି ଯଦି ତୁମେ ମୋତେ କିଛି ଦେବାପାଇଁ ଇଚ୍ଛୁକ,ମୋତେ ଏହି ବର ଦିଅ ଯେ ତୃଷା ନିବାରଣ ପାଇଁ ମୋତେ କେଉଁଠାରେ ମଧ୍ୟ ଜଳ ପ୍ରାପ୍ତ ହେବ।" ଉତ୍ତାଙ୍ଗଙ୍କ ସରଳତା ଦେଖି ହସିଦେଇ ଶ୍ରୀକୃଷ୍ଣ କହିଲେ.. ଠିକ୍ ଅଛି, ତାହା ହିଁ ହେଉ।"


ଶ୍ରୀକୃଷ୍ଣ ବିଦାୟ ନେଇ ଚାଲିଗଲେ। କିଛି ଦିନ ପରେ ଥରେ ଉତ୍ତାଙ୍ଗ ଏକ ମରୁଭୂମି ମଧ୍ୟ ଦେଇ ଯାତ୍ରା କରୁଥିଲେ।ପ୍ରବଳ ଶୋଷରେ ତାଙ୍କ ତଣ୍ଟି ଶୁଖି ଯାଉଥିଲା।ସେ ଦେଖିଲେ କିଛି ଦୂରରେ ଜଣେ ଚଣ୍ଡାଳ ତାର ଦୁଇଟି କୁକୁରଙ୍କୁ ସାଙ୍ଗରେ ଧରି ଯାତ୍ରା କରୁଛି।ଦେହରେ ମଳିନ ଅଙ୍ଗବସ୍ତ୍ର,ଜଣାଯାଉଛି ତାହା ଅନେକ ବର୍ଷ ଧରି ଧୁଆ ହୋଇନାହିଁ।ଉତ୍ତାଙ୍ଗଙ୍କ ନାକରେ ସେ ଗନ୍ଧ ବାଜିବାରୁ ସେ ଘୃଣାରେ ମୁହଁ ଫେରାଇ ନେଲେ।ଚଣ୍ଡାଳର ପିଠିରେ ଥିଲା ଚମଡାର ପାଣି ଥଳି।ନିକଟକୁ ଆସି ସେ ପଚାରିଲା..ମହାଭାଗ, ମନେହୁଏ ଆପଣ ତୃଷାର୍ତ୍ତ;ମୋ ଚମଡା ଥଳିରେ କିଛି ଜଳ ଅଛି ଚାହିଁଲେ ତାହା ପାନକରି ତୃଷା ନିବାରଣ କରିପାରିବେ।"


ଉତ୍ତାଙ୍ଗ ତୃଷାରେ ଅଧୀର ହେଉଥିଲେ ମଧ୍ୟ ଚଣ୍ଡାଳର ରୂପ ଏବଂ ମଇଳା ଚମଡା ଥଳି ଦେଖି କହିଲେ.. ନାଁ ନାଁ ମୋର ଜଳ ଆବଶ୍ୟକ ନାହିଁ।"

ଚଣ୍ଡାଳ ତା ବାଟରେ ଚାଲିଗଲା।ଶୋଷରେ ଆଉଟୁ ପାଉଟୁ ହୋଇ ଉତ୍ତାଙ୍ଗ ଭାବିଲେ..ମୋତେ ଭଲ ବର ଦେଲେ ଶ୍ରୀକୃଷ୍ଣ!"

ଉତ୍ତାଙ୍ଗଙ୍କ ମନରେ ଏପରି ଚିନ୍ତା ଆସିବା ସଙ୍ଗେ ସଙ୍ଗେ ସେଠାରେ ଶ୍ରୀକୃଷ୍ଣ ଙ୍କ ଆବିର୍ଭାବ ହେଲା। ହସିହସି କେଶବ କହିଲେ .. ମୁଁ ମିଛୁଆ ନୁହେଁ ଉତ୍ତାଙ୍ଗ,ତୁମ ତୃଷା ନିବାରଣ ପାଇଁ ମୁଁ ଇନ୍ଦ୍ରଙ୍କୁ ତୁମ ପାଖକୁ ପଠାଇଥିଲି।ଚଣ୍ଡାଳ ବେଶରେ,ଥଳିରେ ଅମୃତ ଧରି ସେ ଆସିଥିଲେ ତୁମକୁ ଦେବାପାଇଁ। ତୁମେ ମୋର ବନ୍ଧୁ,ତେଣୁ ତୁମ ପରି ଜଣେ ନଶ୍ଵରଙ୍କୁ ଏହା ଥିଲା ଈଶ୍ବରଙ୍କ ଦାନ।ଇନ୍ଦ୍ର ଅମୃତ ଦେବାପାଇଁ କୁଣ୍ଠିତ ଥିଲେ।କେବଳ ମୋ ଅନୁରୋଧ ରକ୍ଷାକରି ଚଣ୍ଡାଳ ବେଶରେ ସେ ତୁମ ବିଚାର ଧାରାକୁ ପରୀକ୍ଷା କରିବାକୁ ଆସିଥିଲେ।ତୁମେ ଅମୃତ ଲାଭ କରିବାର ସୁଯୋଗ ହରାଇଲ ଉତ୍ତାଙ୍ଗ, ତୁମର ତପସ୍ୟା ଲବ୍ଧ ଜ୍ଞାନ ତୁମର ମାନସିକତା ଓ ବିଚାର ଧାରାକୁ ପ୍ରଭାବିତ କରିପାରିନାହିଁ; ସେଥିପାଇଁ ତୁମେ ଚଣ୍ଡାଳ ହାତରୁ ଜଳଗ୍ରହଣ କରିବାକୁ କୁଣ୍ଠାବୋଧ କଲ। ମାନସିକତାକୁ ଋଢିବାଦରୁ ମୁକ୍ତକରି ଦିବ୍ୟ କରିବା ହିଁ ପ୍ରକୃତ ତପସ୍ୟା"

ଏହା ଶୁଣି ଉତ୍ତାଙ୍ଗ ମନେ ମନେ ଲଜ୍ଜିତ ହେଲେ।




Rate this content
Log in

Similar oriya story from Classics