Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ (୧୦୪)

କଥା କାଦମ୍ବରୀ (୧୦୪)

5 mins
179


ସୁନା ନେଉଳ


ଯୁଧିଷ୍ଠିର ହସ୍ତିନାର ରାଜ ସିଂହାସନ ଆରୋହଣ କଲାପରେ ଏକ ବିରାଟ ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ।ମହା ଆଡ଼ମ୍ବରରେ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇ ସମାପନ ସମୟ ଆସିଲା। ଆର୍ଯ୍ୟାବର୍ତ୍ତର ବିଭିନ୍ନ ରାଜ୍ୟରୁ ରାଜାମାନେ ଏହି ଯଜ୍ଞକୁ ନିମନ୍ତ୍ରିତ ହୋଇଥିଲେ।ମହାନ ପଣ୍ଡିତ ଏବଂ ବେଦଜ୍ଞ ବ୍ରାହ୍ମଣ ମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ରାଜ୍ୟର ଦୁଃଖୀ ରଙ୍କି ଦରିଦ୍ର ବ୍ୟକ୍ତି ମାନଙ୍କୁ ଅନେକ ଧନରତ୍ନ ଦାନ ଧର୍ମରେ ବିତରଣ କରାଗଲା। ସମସ୍ତେ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ ଦେଇ ରାଜପରିବାର ଏବଂ ରାଜ୍ୟର ମଙ୍ଗଳ କାମନା କଲେ। ହସ୍ତିନାର ପ୍ରଜାମାନେ କୁହାକୁହି ହେଲେ ଯେ ଏପରି ଯଜ୍ଞ, ସେମାନଙ୍କ ହେତୁ ପାଇଲା ଦିନରୁ ଦେଖିନଥିଲେ।


ଯଜ୍ଞ ଉଦ୍'ଯାପନ ସମୟରେ ହଠାତ୍ ଏକ ଅଦ୍ଭୁତ ନେଉଳ ଯଜ୍ଞପୀଠରେ ପହଞ୍ଚିଲା।ନେଉଳର ମସ୍ତକ ଏବଂ ଦେହର ଅର୍ଦ୍ଧେକ ଅଂଶ ସୁବର୍ଣ୍ଣ ରଙ୍ଗର ଥିଲା। ସେଠାରେ ପହଞ୍ଚି ନେଉଳ ଯଜ୍ଞବେଦୀ ଉପରେ ଗଡିବା ଆରମ୍ଭ କଲା। କିଛି ସମୟ ଗଡିବା ପରେ ନେଉଳ ମନୁଷ୍ୟ ସ୍ବରରେ ଅଟ୍ଟହାସ କରିବାକୁ ଲାଗିଲା। ଯୁଧିଷ୍ଠିରଙ୍କର ଏହି ଯଜ୍ଞକୁ ତାତ୍ସଲ୍ୟକରି ନେଉଳ କହିଲା..ସେ ବ୍ରାହ୍ମଣ ପରିବାରର ସମର୍ପଣ ଆଗରେ ଏହା ଅତ୍ୟନ୍ତ ତୁଚ୍ଛ।"


ଉପସ୍ଥିତ ବ୍ରାହ୍ମଣ ଏବଂ ରାଜାମାନେ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ। ଏଭଳି ଅଦ୍ଭୁତ ପ୍ରାଣୀ ସେମାନେ ଆଗରୁ ଦେଖି ନଥିଲେ।ନେଉଳ ଯାହା କହିଲା ତାହା ମଧ୍ୟ କେହି ବୁଝି ପାରିଲେ ନାହିଁ।ସମସ୍ତେ ଭାବିଲେ ଏ ବୋଧହୁଏ କୌଣସି ଭୂତପ୍ରେତ;ଯଜ୍ଞରେ ବିଘ୍ନ ସୃଷ୍ଟି କରିବାପାଇଁ ଆସିଛି।ଯଜ୍ଞର ପୁରୋଧା ନେଉଳକୁ ପ୍ରଶ୍ନକଲେ..କିଏ ତୁମେ ଅଦ୍ଭୁତ ଜୀବ !ଦେହର ଅଧା ଅଂଶ କିପରି ସୁନା ହେଲା? କେଉଁଠାରୁ ତୁମେ ଆସିଛ ଏବଂ ତୁମର ଅଭିପ୍ରାୟ କଣ ? ଯେଉଁ ଯଜ୍ଞ, ଶାସ୍ତ୍ର ଅନୁଯାୟୀ ସଫଳତା ପୂର୍ବକ ସମାପିତ ହୋଇଛି ତାକୁ ତୁମେ ଏଭଳି ତାତ୍ସଲ୍ୟ କରିବା ଅର୍ଥ କଣ?


ଦେଉଳର ଉତ୍ତର ଶୁଣିବା ପାଇଁ ସେଠାରେ ଉତ୍ସୁକତା ସହିତ ସମସ୍ତେ ଚାହିଁ ରହିଛନ୍ତି। ଯୁଧିଷ୍ଠିରଙ୍କ ସମେତ ପଞ୍ଚପାଣ୍ଡବ, କୁନ୍ତୀ, ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ ଦ୍ରୌପଦୀ ସେଠାରେ ଆସି ପହଞ୍ଚିଲେ ଏହି ଅଦ୍ଭୁତ ପ୍ରାଣୀର ହାବଭାବ ଓ କଥା ଶୁଣିବା ପାଇଁ। ମନୁଷ୍ୟ କଣ୍ଠରେ ନକୁଳଟି କହିଲା..ହେ ଉପସ୍ଥିତ ସୁଧିବୃନ୍ଦ ! ମୋତେ ଆପଣମାନେ ଭୁଲ ବୁଝନ୍ତୁ ନାହିଁ। ମୁଁ ଚକ୍ରବର୍ତ୍ତୀ ଯୁଧିଷ୍ଠିରଙ୍କ ବୈଭବରେ ଈର୍ଷାନ୍ବୀତ ହୋଇ ଏପରି କହିନାହିଁ। ମୁଁ କାହିଁକି ଏପରି କହିଲି ଏବଂ ମୋର ଶରୀରର ଅର୍ଦ୍ଧେକ ଅଂଶ କାହିଁକି ସୁନା ହୋଇଯାଇଛି ଜାଣିବାକୁ ହେଲେ ଆପଣ ମାନଙ୍କୁ ଧୈର୍ଯ୍ୟର ସହିତ ମୋ କଥା ଶୁଣିବା ପାଇଁ ପଡିବ।ଶୁଣନ୍ତୁ:-----


ଅନେକ ବର୍ଷ ପୂର୍ବେ ହସ୍ତିନାରେ ଗୋଟିଏ ଜ୍ଞାନୀ ଗୁଣୀ ବ୍ରାହ୍ମଣ ପରିବାର ରହୁଥିଲେ।ସେ ପରିବାରରେ ପିତା ମାତା ପୁତ୍ର ଏବଂ ବଧୂ କୁ ମିଶାଇ ଚାରି ଜଣ ସଦସ୍ୟ ଥିଲେ।ନିଜ କୌଳିକ କର୍ମ କରି ସେମାନେ ଶାନ୍ତିରେ ଜୀବନଯାପନ କରୁଥିଲେ। ସେମାନଙ୍କ ପୂରା ପରିବାର ଏକତ୍ର ବସି ଦିନରେ ଥରେ ମାତ୍ର ଅପରାହ୍ନରେ ଖାଦ୍ୟ ଗ୍ରହଣ କରୁଥିଲେ। କୌଣସି କାରଣରୁ ଯେବେ ଖାଦ୍ୟ ସଂଗ୍ରହ ହୋଇନପାରିଲା, ସେମାନେ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ, ମଝିରେ କିଛି ଖାଦ୍ୟ ଗ୍ରହଣ କରୁନଥିଲେ।


ଏହିଭଳି ଶାନ୍ତିରେ ସେମାନଙ୍କ ଦିନ ଗୁଡ଼ିକ କଟିଯାଉଥିଲା, କିନ୍ତୁ ହଠାତ୍ ଥରେ ହସ୍ତିନାରେ ମରୁଡି ପଡ଼ିଲା।ମରୁଡି ପରେ ପରେ ପଡିଲା ଦୁର୍ଭିକ୍ଷ। ଅନାହାରରେ ଅନେକ ନାଗରିକ ପ୍ରାଣ ହରାଇଲେ। ବ୍ରାହ୍ମଣ ପରିବାରର ସଦସ୍ୟ ମାନେ ମଧ୍ୟ ଖାଦ୍ୟ ଅଭାବରେ ଭୀଷଣ କଷ୍ଟ ଭୋଗ କରି ଅସ୍ଥି କଂକାଳସାର ହୋଇଗଲେ। କିଛି ଦିନ ଏହିପରି ଅନାହାରରେ ରହିବାପରେ ଦିନେ ବ୍ରାହ୍ମଣ କୌଳିକ ବୃତ୍ତି ସମ୍ପାଦନ କରି କିଛି ମକା ପାରିଶ୍ରମିକ ଆକାରରେ ପାଇଲେ। ସେହି ମକାକୁ ଚୁନା କରି ଖାଦ୍ୟ ପ୍ରସ୍ତୁତ କଲେ ବ୍ରାହ୍ମଣଙ୍କ ଗୃହିଣୀ ଏବଂ ଖାଦ୍ୟକୁ ସମଭାବରେ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦେଲେ।


ପରିବାରର ବିଧି ଅନୁଯାୟୀ ସମସ୍ତେ ଏକତ୍ର ବସି ଭୋଜନ କରିବାକୁ ଯାଉଛନ୍ତି;ଏହି ସମୟରେ ଦ୍ବାର ଦେଶରେ ଜଣେ ବୁଭୁକ୍ଷୁ ବ୍ରାହ୍ମଣ ଆସି ଖାଦ୍ୟ ଆଶାରେ ଦଣ୍ଡାୟମାନ ହେଲେ।ସେ ଗୃହକର୍ତ୍ତାଙ୍କୁ କହିଲେ ...ମହାଶୟ,ଗତ କିଛି ଦିନ ଧରି ମୋ ପେଟରେ ଦାନା କଣିକାଏ ପଡ଼ିନାହିଁ; କିଛି ଖାଦ୍ୟ ଦେଇ ମୋର ଜୀବନ ରକ୍ଷା କରନ୍ତୁ।"


ନିଜେ ଭୋକରେ ଆଉଟୁ ପାଉଟୁ ହେଉଥିଲେ ମଧ୍ୟ ଗୃହସ୍ଵାମୀ ଆଗନ୍ତୁକ ବ୍ରାହ୍ମଣଙ୍କୁ କହିଲେ..ମହାଶୟ ! ଆପଣ ଆଜି ଆମର ଅତିଥି ;ତେଣୁ ଦେବତାଙ୍କ ସହିତ ସମାନ। କୌଳିକ ବୃତ୍ତି ସମ୍ପାଦନ କରି ମୁଁ ଯେଉଁ ଖାଦ୍ୟ ସଂଗ୍ରହ କରିଛି ସେଥିରୁ ମୁଁ ମୋ ଭାଗ ଆପଣଙ୍କୁ ଦେଉଛି,ଆପଣ ଭୋଜନ କରି ତୃପ୍ତି ଲାଭ କରନ୍ତୁ।"ଏହା କହି ଗୃହସ୍ବାମୀ ବୁଭୁକ୍ଷୁ ବ୍ରାହ୍ମଣ ଅତିଥିଙ୍କୁ ନିଜ ଅଂଶର ଖାଦ୍ୟତକ ଦେଇଦେଲେ।


ସେତିକିରେ କିନ୍ତୁ ବୁଭୁକ୍ଷୁ ବ୍ରାହ୍ମଣଙ୍କର କ୍ଷୁଧା ମେଣ୍ଟିଲା ନାହିଁ।ସେ ଆହୁରି ଖାଇବାକୁ ଇଚ୍ଛା କଲେ।ଗୃହସ୍ବାମୀ କଣ କରିବେ ଚିନ୍ତା କରୁଛନ୍ତି;ଏହି ସମୟରେ ତାଙ୍କ ପତ୍ନୀ ତାଙ୍କୁ ଭିତରକୁ ଡ଼ାକି କହିଲେ.. ସ୍ବାମୀ ! ଆପଣ ମୋ ଭାଗ ଖାଦ୍ୟ ଅତିଥି ଦେବତାଙ୍କୁ ଦେଇଦିଅନ୍ତୁ।"ଗୃହସ୍ବମୀ କହିଲେ। ...ତୁମେ ଏ କଣ କହୁଛ ! କ୍ଷୁଧାରେ ତୁମର ପ୍ରାଣ କଣ୍ଠାଗ୍ରତ,ଖାଦ୍ୟ ଦାନ କରି ତୁମେ ମୃତ୍ୟୁ ବରଣ କଲେ ମୁଁ ନିଜକୁ କ୍ଷମା କରିପାରିବି ନାହିଁ।"


ଏହା ଶୁଣି ପତ୍ନୀ କହିଲେ.. ମୁଁ ଆପଣଙ୍କର ଅର୍ଦ୍ଧାଙ୍ଗିନୀ,ସମସ୍ତ ପାପ ପୁଣ୍ୟର ସହଭାଗିନୀ।ଖାଦ୍ୟ ନପାଇ ଅତିଥି ଆପଣଙ୍କୁ ଅଭିଶାପ ଦେଲେ ମୁଁ ନିଜକୁ କ୍ଷମା କରିପାରିବି ନାହିଁ। ଆଉମଧ୍ୟ ଖାଦ୍ୟ ଅଭାବରେ ଆପଣଙ୍କର ମୃତ୍ୟୁ ହେଲେ ମୋର ଏ ତୁଚ୍ଛ ଜୀବନ ଥାଇ ଲାଭ କଣ ?"


ପତ୍ନୀଙ୍କ କଥା ଶୁଣି ଗୃହସ୍ବାମୀ ତାଙ୍କ ଭାଗ ଖାଦ୍ୟ ନେଇ ଅତିଥିଙ୍କୁ ଦେଲେ। କିନ୍ତୁ ସେଥିରେ ମଧ୍ୟ ଅତିଥିଙ୍କର ବୁଭୁକ୍ଷା ମେଣ୍ଟିଲା ନାହିଁ।ଏହା ଦେଖି ଗୃହସ୍ବାମୀଙ୍କ ପୁତ୍ର ତା'ଭାଗର ଖାଦ୍ୟ ଦେଇ ଅତିଥିଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଚାହିଁଲା।ଗୃହସ୍ବାମୀ କହିଲେ...ପୁତ୍ର ! ତୁମେ ମୋର ଏକୋଇର ବଳା ବିଶିକେଶନ।ତୁମର କିଛି କ୍ଷତି ହେଲେ ମୋ ହୃଦୟ ଫାଟିଯିବ। ଅତିଥି ମୋତେ ଅଭିଶାପ ଦିଅନ୍ତୁ ପଛେ ତୁମେ ତୁମ ଭାଗର ଖାଦ୍ୟ ଦିଅ ନାହିଁ।ପୁତ୍ର କହିଲା..ପିତା ! କଥିତ ଅଛି ପୁତ୍ର କେବଳ କୁଳ ରକ୍ଷାକାରୀ ନୁହେଁ କୁଳର ଗୌରବ ରକ୍ଷାକାରୀ ମଧ୍ୟ। ବ୍ରାହ୍ମଣ ଦେବତା ଦୁଆରୁ ଅସନ୍ତୁଷ୍ଟ ହୋଇ ଚାଲିଗଲେ କୁଳର ଗୌରବହାନୀ ହେବ ଏବଂ ଆମର ପୂର୍ବପୁରୁଷମାନେ ଆମକୁ ଅଭିଶାପ ଦେବେ। କୁହାଯାଏ ପୁତ୍ର ପିତାର ଛାୟା ସଦୃଶ।ଆପଣଙ୍କ ଆଦର୍ଶ ମୋର ମଧ୍ୟ ଆଦର୍ଶ। ଯେଉଁ ଆଦର୍ଶରେ ଆପଣ ମୋତେ ଗଢ଼ିଛନ୍ତି ସେ ଅନୁପ୍ରେରଣା ମୋତେ କହୁଛି ଯେ କୁଳ ଗୌରବ ରକ୍ଷାପାଇଁ ମୁଁ ମୋ ଖାଦ୍ୟ ଅଂଶ ମଧ୍ୟ ଅତିଥି ଦବତାଙ୍କୁ ଦାନ କରିବି।"ଏହା କହି ପୁତ୍ର ମଧ୍ୟ ନିଜ ଅଂଶ ଖାଦ୍ୟ ଅତିଥି ଦେବତାଙ୍କୁ ଦାନ କରିଦେଲା।

ଏହା ଭୋଜନ କରିବା ପରେ ମଧ୍ୟ ଅତିଥିଙ୍କର ବୁଭୁକ୍ଷା ମେଣ୍ଟିଲା ନାହିଁ।ଶେଷରେ ଗୃହର ପୁତ୍ରବଧୂ ନିଜ ଅଂଶ ଖାଦ୍ୟ ଦେଇ ତା ସ୍ବାମୀକୁ କହିଲା.. କୂଳବଧୂ ଭାବେ ସର୍ବପ୍ରଥମେ ମୁଁ ମୋ ଅଂଶ ଖାଦ୍ୟ ଅତିଥିଙ୍କୁ ଦେବାକଥା;ମୋର ସେହି ଭୁଲ୍ ପାଇଁ କ୍ଷମା କରନ୍ତୁ ଏବଂ ଅତିଥି ଦେବତାଙ୍କୁ ମୋଭାଗର ଖାଦ୍ୟ ଦେଇ ସନ୍ତୁଷ୍ଟ କରନ୍ତୁ।"


ସବୁ ଖାଦ୍ୟ ଗ୍ରହଣ କଲାପରେ ଅତିଥିଙ୍କର ବୁଭୁକ୍ଷା ଦୂର ହେଲା।ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ସେ କହିଲେ...ହେ ମହାନ ! ଆପଣଙ୍କ ଦାନ ଅତୁଳନୀୟ!ଆପଣଙ୍କ ପରିବାର ବୈକୁଣ୍ଠ ଠାରୁ କମ୍ ନୁହେଁ। ଏଠାରେ ଯେଉଁ ପାରସ୍ପରିକ ପ୍ରେମ ରହିଛି ତାହା ଅତୁଳନୀୟ।ବୁଭୁକ୍ଷା ମନୁଷ୍ୟର ବୁଦ୍ଧି, ଜ୍ଞାନ, ବିବେକ, ସବୁ ନଷ୍ଟ କରିଦିଏ। କ୍ଷୁଧାରେ ଆଉଟୁ ପାଉଟୁ ହୋଇ ପ୍ରାଣୀ ସନ୍ତାନକୁ ମଧ୍ୟ ଭୋକିଲା ମରିବାକୁ ଦେଇ ନିଜ ଉଦର ପୂରଣ କରିବା ଦୃଷ୍ଟାନ୍ତ ଅନେକ ରହିଛି। କିନ୍ତୁ ଆପଣମାନେ,ପ୍ରାଣାନ୍ତକ ଭୋଖରେ ଆଉଟୁ ପାଉଟୁ ହୋଇ ମଧ୍ୟ, ଜଣେ ଅତିଥିର କ୍ଷୁଧା ମେଣ୍ଟାଇଛନ୍ତି, ଏପରି ଦାନର ତୁଳନା ନାହିଁ;ଏହା କୌଣସି ରାଜସୂୟ ଯଜ୍ଞ କିମ୍ବା ଅଶ୍ଵମେଧ ଯଜ୍ଞର ଦିଆଯାଉଥିବା ଦାନରୁ ମଧ୍ୟ ଅଧିକ।ଆପଣଙ୍କୁ ସ୍ବର୍ଗକୁ ନେଇଯିବା ପାଇଁ ବିମାନ ସହିତ ମାତଳି ଆପଣଙ୍କ ଦ୍ୱାରଦେଶରେ ପ୍ରସ୍ତୁତ।ଆସନ୍ତୁ।"


ଆଶ୍ଚର୍ଯ୍ୟ ହୋଇ ଗୃହସ୍ବାମୀ ପଚାରିଲେ ...କିଏ ଆପଣ ମହାତ୍ମା,ମୋ ଗରିବ କୁଟୀରରେ ପାଦରଖି ମୋ ପରିବାରକୁ ଧନ୍ୟ କଲେ !"


ଅତିଥି କହିଲେ.. ମୁଁ ସ୍ବୟଂ ଦେବରାଜ ଇନ୍ଦ୍ର। ଆପଣଙ୍କ ଅତୁଳନୀୟ ଦାନର ପ୍ରଭାବରେ ଆପଣ ସମଗ୍ର ହସ୍ତିନା ରାଜ୍ୟକୁ ପବିତ୍ର କରିଛନ୍ତି। ଆଜିଠାରୁ ମରୁଡି ଓ ଦୁର୍ଭିକ୍ଷର ଛାୟା ମଧ୍ୟ ଏହି ରାଜ୍ୟରୁ ଦୂର ହୋଇଯିବ।"


ଗଳ୍ପଟି କହିସାରି ନେଉଳ ଯୁଧିଷ୍ଠିରଙ୍କୁ ଚାହିଁ କହିଲା ...ହେ ରାଜନ୍ ! ମୁଁ ସେହି ସମୟରେ ସେଠାରେ ଉପସ୍ଥିତ ଥିଲି। ଯେଉଁ ଖାଦ୍ୟ ଅତିଥି ଭୋଜନ କରୁଥିଲେ ତା'ର ବାସ୍ନା ମୋ ନାକରେ ବାଜି ମୋ ମୁଣ୍ଡଟି ସୁନା ପାଲଟି ଗଲା। ସେଠାରେ ମକା'ର ସାମାନ୍ୟ ଚୂନା ପଡ଼ିଥିଲା।ଆନନ୍ଦରେ ମୁଁ ତା ଉପରେ ଗଡିଗଲି।ତା ପ୍ରଭାବରେ ମୋର ଶରୀରର ଅର୍ଦ୍ଧେକ ଅଂଶ ସୁନା ପାଲଟି ଯାଇଛି।ବାକି ଅଂଶକୁ ସୁନାରେ ପରିଣତ କରିବା ପାଇଁ ମୁଁ ଅନେକ ଯଜ୍ଞପୀଠ ଭ୍ରମଣ କରିସାରିଛି। କେଉଁଠାରେ ମଧ୍ୟ , ହସ୍ତିନାର ସେହି ବ୍ରାହ୍ମଣ ପରିବାରର ଦାନ ପରି ପବିତ୍ର ଓ ମହାନ ଦାନ ଦେଖି ପାରିଲି ନାହିଁ।ଆସିଥିଲି ଏଠାରେ ଯଜ୍ଞବେଦୀ ଉପରେ ଗଡ଼ି ଶରୀରର ବାକି ଅଂଶକୁ ସୁନା କରିବି ବୋଲି;ସମ୍ଭବ ହେଲାନାହିଁ,ଫେରିଯାଉଛି।ଏହା କହି ନେଉଳଟି ସେ ସ୍ଥାନ ଛାଡି ଚାଲିଗଲା।



Rate this content
Log in

Similar oriya story from Classics