STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବିନୀ(୧୦୧)

କଥା କାଦମ୍ବିନୀ(୧୦୧)

4 mins
199


ଯୁଦ୍ଧପରେ କୁରୁକ୍ଷେତ୍ର ଏକ ବିଶାଳ ଶ୍ମଶାନରେ ପରିଣତ ହୋଇଯାଇଥିଲା।ଚତୁର୍ଦ୍ଦିଗରେ ପଚାଶଡା ଶବଗନ୍ଧରେ ନାକ ଫାଟି ପଡୁଥିଲା।ଦିବସରେ ମଧ୍ୟ ନିର୍ଭୟରେ ଶୃଗାଳ ନୃତ୍ୟ କରୁଥିଲେ ରଣଭୂମିରେ।ଆକାଶରେ ଉଡିବୁଲୁଥିଲେ ଅସଂଖ୍ୟ ଶ୍ବେନପକ୍ଷୀ।ପ୍ରାୟ ଚାଳିଶ ଲକ୍ଷ(୧୮ ଅକ୍ଷ୍ୟୋହିଣି) ସୈନ୍ୟଙ୍କ ମୃତ୍ୟୁରେ ରକ୍ତର ନଦୀ ବହି ଯାଇଥିଲା କୁରୁକ୍ଷେତ୍ରରେ।


ଯୁଦ୍ଧ ପରେ ରାଜପ୍ରାସାଦର ଅସଂଖ୍ୟ ବିଧବାଙ୍କ ଗହଣରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ରଣକ୍ଷେତ୍ରରେ ପହଞ୍ଚିଲେ।ସାଙ୍ଗରେ ଥିଲେ ମନ୍ତ୍ରୀ ସଞ୍ଜୟ। ବ୍ୟାସଦେବ ସଞ୍ଜୟଙ୍କୁ ଯେଉଁ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ,ଯୁଦ୍ଧ ଶେଷ ହେବା ସଙ୍ଗେ ସଙ୍ଗେ ତାହା ସେ ହରାଇଥିଲେ।


ଯୁଦ୍ଧ କ୍ଷେତ୍ରରେ ମହାବିନାଶ ଲୀଳା ଦେଖି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ...ରାଜନ୍! ଆପଣଙ୍କର ଏହି ଦୁଃଖ ସମୟରେ ମୁଁ କ'ଣ ବା ଶାନ୍ତ୍ବନା ଦେବି ?ଏତିକି ମାତ୍ର କହିବି ଯେ କେବଳ ଆପଣଙ୍କ ସନ୍ତାନ ନୁହନ୍ତି,ଲକ୍ଷ ଲକ୍ଷ ସୈନ୍ୟ ଏହି ମହା ସଂଗ୍ରାମରେ ପ୍ରାଣ ହରାଇଛନ୍ତି।ଏହା ଆପଣଙ୍କ ପୁତ୍ର ଏବଂ ସେମାନଙ୍କ ସମର୍ଥକ ମାନଙ୍କ ଅବିମୃଶ୍ୟତା ଯୋଗୁଁ ସଂଘଟିତ ହୋଇଛି।ଵୀରଶୂନ୍ୟ ହୋଇଯାଇଛି ଆର୍ଯ୍ୟାବର୍ତ୍ତ। ମୃତକଙ୍କ ବିଧବା ମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ପାରୁଛନ୍ତି ମହାରାଜ ! ସେମାନଙ୍କପ୍ରତି ସମବେଦନା ଜ୍ଞାପନ କରି ଆପଣ ନିଜ ଦୁଃଖ ପ୍ରଶମିତ କରନ୍ତୁ। ଜ୍ଞାତିଜନ ମାନଙ୍କର ଅନ୍ତ୍ୟେଷ୍ଟିର ବ୍ୟବସ୍ଥା କରନ୍ତୁ। ଯେଉଁମାନେ ଚାଲିଯାଇଛନ୍ତି ସେମାନଙ୍କ ପାଇଁ ବିଳାପ କରି କିଛି ମୂଲ୍ୟ ନାହିଁ।ହୃଦୟଭିତରେ ଘୂର୍ଣ୍ଣୟମାନ ଦୁଃଖ ଚକ୍ରର ଆବର୍ତ୍ତକୁ ସ୍ଥିର କରନ୍ତୁ ମହାରାଜ!"


ସେହି ସମୟରେ ବ୍ୟାସଦେବ ପହଞ୍ଚି ଧୃତରାଷ୍ଟ୍ରଙ୍କୁ ଶାନ୍ତ୍ବନା ଦେଇ କହିଲେ...ଜନ୍ମ ମୃତ୍ୟୁ ସଂସାରର ନିୟମ ପୁତ୍ର ଧୃତରାଷ୍ଟ୍ର! ଯାହା ଘଟିଯାଇଛି ସେଥିପାଇଁ ଦୁଃଖ କରି ଲାଭ ନାହିଁ। ପୃଥିବୀର ଭାରା ନିବାରଣ ପାଇଁ ଏହି ଯୁଦ୍ଧର ଆବଶ୍ୟକତା ଥିଲା ବୋଲି ବିଷ୍ଣୁଙ୍କ ଅବତାର ବିଶ୍ବାସ କରନ୍ତି।ତୁମ ପୁତ୍ର

ମାନଙ୍କର ଲୋଭ,ଈର୍ଷା,ସ୍ବାର୍ଥପରତା,ଅନ୍ୟାୟ ଓ ପ୍ରଜାପ୍ରପୀଡନ  

ଯୋଗୁଁ ଏହି ମହାଯୁଦ୍ଧର ଆବଶ୍ୟକତା ସ୍ରଷ୍ଟା ଅନୁଭବ କଲେ।ଏହାକୁ ଭବିତବ୍ୟ ମନେକରି ମନରୁ ସବୁ ଦୁଃଖ, ଗ୍ଲାନି ଏବଂ ଅସୂୟା ଦୂର କରି ପାଣ୍ଡବ ମାନଙ୍କୁ ନିଜ ପୁତ୍ରଭଳି କୋଳେଇ ନିଅ। ସେମାନଙ୍କ ଠାରୁ ସେବା ପାଇ ବାକି ଜୀବନ ପାରମାର୍ଥିକ ମାର୍ଗରେ ବ୍ୟତୀତ କର ପୁତ୍ର!"


ବ୍ୟାସଦେବଙ୍କ ଶାନ୍ତ୍ବନା ଧୃତରାଷ୍ଟ୍ରଙ୍କ ମନରୁ କିଛି ପରିମାଣରେ ଦୁଃଖ ଲାଘବ କଲା। ଏହି ସମୟରେ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହିତ ସେଠାରେ ପହଞ୍ଚିଲେ। ସେମାନଙ୍କ ଆଗମନରେ ଧୃତରାଷ୍ଟ୍ର ଭୀମସେନଙ୍କୁ ଆଲିଙ୍ଗନ କରିବାପାଇଁ ଇଚ୍ଛା ପ୍ରକାଶ କଲେ। ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ମନସ୍ତତ୍ତ୍ୱ ଭଲ ଭାବରେ ଜାଣିଥିଲେ।ସେ ଇଶାରାରେ ଭୀମଙ୍କୁ ଧୃତରାଷ୍ଟ୍ରଙ୍କ ନିକଟକୁ ଯିବାପାଇଁ ବାରଣ କଲେ ଏବଂ ଲୁହାରେ ନିର୍ମିତ ଏକ ମୂର୍ତ୍ତି ଅନ୍ଧରାଜାଙ୍କ ସମକ୍ଷରେ ରଖିଦେଲେ। ଧୃତରାଷ୍ଟ୍ର ଲୌହମୂର୍ତ୍ତିକୁ

ଆଲିଙ୍ଗନ କରି ଏତେ ଦୃଢ଼ ଭାବରେ ଚିପିଦେଲେ ଯେ ତାହା ଖଣ୍ଡଖଣ୍ଡ ହୋଇଗଲା।


ଘୋର ମନସ୍ତାପରେ ଅନ୍ଧରାଜା କହିଲେ.. ଓଃ ମୁଁ କଣ କଲି ! ପୁତ୍ର ଶୋକର ଆବେଶରେ ଆସି ମୁଁ ମୋ ପ୍ରିୟ ଭୀମକୁ ହତ୍ୟା କଲି ! ମୋର ସମସ୍ତ ଏକଶତ ପୁତ୍ରଙ୍କୁ ଭୀମ ବିନାଶ କରିଥିବାରୁ ବୋଧହୁଏ ମୁଁ ମୋ କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରିଲି ନାହିଁ। ମୋତେ କ୍ଷମା କରିଦିଅ ହୃଷିକେଶ।"


ଶ୍ରୀକୃଷ୍ଣ କହିଲେ... ମହାରାଜ ! ଏପରି ଦୁର୍ଘଟଣା ଘଟିବ ବୋଲି ମୁଁ ଆଶା କରିଥିଲି। ସେଥିପାଇଁ ଆପଣଙ୍କ ସମ୍ମୁଖରେ ଭୀମଙ୍କର ଲୁହାର ପ୍ରତିମୂର୍ତ୍ତିଟିଏ ରଖିଥିଲି।ଆପଣ ସେହି ଲୁହା ଭୀମଙ୍କୁ ଚୂର୍ଣ୍ଣ କରି ଦେଇଛନ୍ତି।ଭୀମଙ୍କର କୌଣସି କ୍ଷତି ହୋଇ ନାହିଁ।ଆପଣଙ୍କ ମୋହ-ଯୁକ୍ତ କ୍ରୋଧ ଲୌହଭୀମ-ଚୂର୍ଣ୍ଣ ଛଳରେ ଆପଣଙ୍କ ହୃଦୟରୁ ନିର୍ଗତ ହୋଇ ମନକୁ ହାଲୁକା କରିଦେଇଛି ମହାରାଜ ! ଆପଣ ଭ୍ରାତୃ-ପୁତ୍ରମାନଙ୍କୁ ଆଶୀର୍ବାଦ କରନ୍ତୁ। କୁରୁବଂଶର ପ୍ରତିଷ୍ଠା ଫେରାଇ ଆଣିବାପାଇଁ ସେମାନଙ୍କ ମସ୍ତକ ଉପରେ ଆପଣଙ୍କ ଆଶୀର୍ବାଦ ଆବଶ୍ୟକ, ଅଭିଶାପ ନୁହେଁ।"


ତା'ପରେ ପାଣ୍ଡବମାନେ ସମସ୍ତେ ଧୃତରାଷ୍ଟ୍ରଙ୍କ ପାଦତଳେ ପଡ଼ି, ଯୁଦ୍ଧରେ ଘଟିଥିବା ବିନାଶ ଲୀଳା ଓ କୁରୁପୁତ୍ର ମାନଙ୍କର ମୃତ୍ୟୁ ପାଇଁ କ୍ଷମା ପ୍ରାର୍ଥନା କଲେ।ଅନ୍ଧରାଜାଙ୍କ ମନରୁ କ୍ରୋଧ ଏବଂ ଅସୂୟା ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ମଧ୍ୟ ସେ ପାଣ୍ଡବ ମାନଙ୍କୁ ଆଶୀର୍ବାଦ ଦେଲେ।ଏ ଆଶୀର୍ବାଦ ପଛରେ ଲୁଚି ରହିଥିଲା ଅନନୋପାୟ ଭାବନା। ଏହାହିଁ ସ୍ବାର୍ଥାନ୍ଧ ମନୁଷ୍ୟର ବାସ୍ତବ ପରିଚୟ।


ଧୃତରାଷ୍ଟ୍ରଙ୍କ ଠାରୁ ବିଦାୟ ନେଇ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହିତ ଗାନ୍ଧାରୀଙ୍କ ପାଖରେ ପହଞ୍ଚିଲେ।ମୁନିଶ୍ରେଷ୍ଠ ବ୍ୟାସଦେବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗାନ୍ଧାରୀଙ୍କୁ ଆଶ୍ଵାସନା ଦେଇ ବ୍ୟାସ କହିଲେ.. ବିଶାଳ ହୃଦୟା ଗାନ୍ଧାରୀ ! ପାଣ୍ଡୁପୁତ୍ରମାନେ କ୍ଷମା ମାଗିବା ପାଇଁ ତୁମ ସମକ୍ଷରେ ଉପସ୍ଥିତ। ସେମାନଙ୍କ ଉପରେ କ୍ରୋଧ କରନାହିଁ। ଯୁଦ୍ଧ ଆରମ୍ଭରୁ ତୁମେ ତ କହିଥିଲ ପୁତ୍ରୀ..ପୁଣ୍ୟ ଅକ୍ଷୟ ହେଉ ଏବଂ ଧର୍ମର ଜୟ ହେଉ।ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଧର୍ମର ହିଁ ଜୟ ହୋଇଛି ପୁତ୍ରୀ! ପାଣ୍ଡୁ ପୁତ୍ର ମାନେ ନିମିତ୍ତ ମାତ୍ର। ସେମାନେ ତୁମ ନିଜ ସନ୍ତାନ ସଦୃଶ,ସେମାନଙ୍କୁ କ୍ଷମା ଦିଅ;ଧର୍ମରାଜ୍ୟ ସଂସ୍ଥାପନ ପାଇଁ ଆଶୀର୍ବାଦ ଦିଅ।"


କୋହଭରା କଣ୍ଠରେ ଗାନ୍ଧାରୀ କହିଲେ..ଭଗବନ୍! ଏହି ପାଣ୍ଡବମାନେ ମଧ୍ୟ ମୋର ପୁତ୍ରସମାନ। ସେମାନଙ୍କ ବିଜୟରେ ମୋ ମନରେ ତିଳେମାତ୍ର ଈର୍ଷା ନାହିଁ।ପୁତ୍ରଶୋକରେ ତ ହୃଦୟ ଅଧୀର ହେବ ମୁନିଶ୍ରେଷ୍ଠ!ପୁତ୍ର ଯାହା ହେଲେ ମଧ୍ୟ ମାଆର ମମତା ଆଗରେ ସେ ହୃଦୟର ଅଭିନ୍ନ ଅଂଶ ବ୍ୟତୀତ ଅନ୍ୟ କିଛି ନୁହେଁ।


ମୋ ପୁତ୍ର ମାନେ ଦୁଷ୍ଟ ଥିଲେ ମୁଁ ଜାଣିଛି। ଶକୁନି ଏବଂ ଦୁଃଶାସନ ମୋ ବଂଶ ବିନାଶ କରିଛନ୍ତି, ସେକଥା ମୁଁ ଭଲ ଭାବରେ ଜାଣେ। ଯେଉଁଦିନ ଦ୍ରୌପଦୀକୁ କୁରୁଶ୍ରେଷ୍ଠମାନଙ୍କ ସମକ୍ଷରେ ରାଜସଭାରେ ଉଲଗ୍ନ କରିବାକୁ ମୋ ପୁତ୍ର ମାନେ ପ୍ରୟାସ କଲେ ସେଦିନ ମୁଁ ଜାଣିଥିଲି ଯେ କୌରବ ବଂଶର ବିନାଶ ସମୟ ଉପସ୍ଥିତ। କିନ୍ତୁ ହେ ଭଗବନ୍! ମୋତେ କହନ୍ତୁ, ଶ୍ରୀକୃଷ୍ଣ ଉପସ୍ଥିତ ଥାଉଁ ଥାଉଁ କୌରବ ଯୋଦ୍ଧା ମାନଙ୍କୁ ତଥା ମୋ ପୁତ୍ର ଦୁର୍ଯ୍ୟୋଧନକୁ ଅନ୍ୟାୟରେ ବଧ କରିବା କଣ ସମିଚୀନ ଥିଲା। ଶ୍ରୀକୃଷ୍ଣ ଚାହିଁଥିଲେ ଏ ବିଶାଳ କୁରୁବଂଶ ରକ୍ଷା ପାଇଯାଇଥାନ୍ତା। ସେଥିପାଇଁ ମୁଁ କୃଷ୍ଣଙ୍କୁ କଦାପି କ୍ଷମା ଦେବି ନାହିଁ।ଭାଇ ଭାଇ ଭିତରେ ହଣା କଟା ହୋଇ ବିଶାଳ କୁରୁବଂଶ ଯେପରି ଧ୍ବଂସ ପାଇଗଲା, ସେହିପରି ଭ୍ରାତୃ ବିବାଦରେ ଯଦୁବଂଶ ମଧ୍ୟ‌ ଧ୍ବଂସ ହୋଇଯିବ। ଚାହିଁଲେ ମଧ୍ୟ ଶ୍ରୀକୃଷ୍ଣ କିଛି କରିପାରିବେ ନାହିଁ।"


ନତମସ୍ତକ ହୋଇ ଶ୍ରୀକୃଷ୍ଣ କହିଲେ..ହେ ବିଦୂଷୀ ! ତୁମ ଅଭିଶାପ ଶିରୋଧାର୍ଯ୍ୟ। କୃଷ୍ଣ ମନୁଷ୍ୟ କିନ୍ତୁ "କୃଷ୍ଣତ୍ବ" ନୁହେଁ। ଦୁଷ୍ଟ ନିବାରଣ ହିଁ କୃଷ୍ଣତ୍ବ'ର ଉଦ୍ଦେଶ୍ୟ।ଯଦୁ ବଂଶୀ ମାନେ ଯେବେ ଅଧର୍ମୀ ଓ ଦୁରାତ୍ମା ହେବେ ତେବେ ନିଶ୍ଚିତ ଭାବରେ ଧ୍ବଂସ ପାଇଯିବେ।ସେ ସମୟରେ ତୁମର ଏ ଅଭିଶାପ ଆବଶ୍ୟକ ପଡିବ ମାତା।"


ଗାନ୍ଧାରୀଙ୍କ ହୃଦୟରୁ ସନ୍ତାପ ଦୂର କରିବା ପାଇଁ ପାଣ୍ଡବମାନେ ତାଙ୍କ ପାଦତଳେ ପଡ଼ି କ୍ଷମା ଭିକ୍ଷା କଲେ।ଭୀମସେନ କହିଲେ.. ଦୁର୍ଯ୍ୟୋଧନର ଜାନୁ ଭଗ୍ନ କରି ଅନ୍ୟାୟରେ ବଧ କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା କାରଣ ନ୍ୟାୟ ଯୁଦ୍ଧରେ ତାକୁ ଜିଣିବା ଅସମ୍ଭବ ଥିଲା। ଦୁର୍ଯ୍ୟୋଧନ ଆମମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ତାହା କ'ଣ ଆପଣ ଅବଗତ ନୁହଁନ୍ତି ମାତା? ଶାନ୍ତି ସ୍ଥାପନ ପାଇଁ ଦୁର୍ଯ୍ୟୋଧନର ମୃତ୍ୟୁ ଆବଶ୍ୟକ ଥିଲା। ସେଥିପାଇଁ ମୋତେ ଯାହା ଦଣ୍ଡ ଦେବାକୁ ଚାହାନ୍ତି ଦିଅନ୍ତୁ ଜନନୀ, କିନ୍ତୁ ହୃଦୟରୁ ଦୁଃଖ ଦୂର କରନ୍ତୁ।"


ଯୁଧିଷ୍ଠିର ଗାନ୍ଧାରୀଙ୍କ ପାଦତଳେ ପଡ଼ି କହିଲେ..ଏ ମହାପାପୀ ଆପଣଙ୍କ ପୁତ୍ରମାନଙ୍କୁ ହତ୍ୟା କରିଛି; ମୃତ୍ୟୁ ଦଣ୍ଡ ମଧ୍ୟ ସେ ଅପରାଧ ପାଇଁ ଯଥେଷ୍ଟ ନୁହେଁ। ମୋତେ ଯେଉଁ ଦଣ୍ଡ ଦେବାକୁ ଚାହାଁନ୍ତି ଦିଅନ୍ତୁ ଜନନୀ।"

ଗାନ୍ଧାରୀଙ୍କ ପାଦତଳେ ସାଷ୍ଟାଂଗ ପ୍ରଣିପାତ କଲେ ଯୁଧିଷ୍ଠିର। ଅନ୍ଧପୁଟୁଳି ଥାଇ ମଧ୍ୟ ଆଖିକୋଣରୁ ଗାନ୍ଧାରୀଙ୍କର ସାମାନ୍ୟ ଦୃଷ୍ଟିର ଝଲକ ପଡିଗଲା ଯୁଧିଷ୍ଠିରଙ୍କ ପାଦ ବୁଢା ଅଙ୍ଗୁଳି ଉପରେ;ସଙ୍ଗେ ସଙ୍ଗେ ତାହା କୋଇଲା ଭଳି କଳା ହୋଇଗଲା।


ନିଜର ଆବେଗ ଓ ଆବେଶକୁ ସମ୍ବରଣ କରି ଗାନ୍ଧାରୀ ପାଣ୍ଡୁ ପୁତ୍ର ମାନଙ୍କୁ କ୍ଷମାଦେଲେ। ଗାନ୍ଧାରୀଙ୍କ ହୃଦୟ ନିର୍ମଳ ଏବଂ ବିଶାଳ ଥିଲା।ସେ ଭାବିଲେ... କାହିଁକି କାହାକୁ ମୁଁ ଦୋଷ ଦେବି ? ସନ୍ତାନ ମାନଙ୍କର ଭବିଷ୍ୟତ ଗଠନ ପାଇଁ ମାତାପିତା ଅନେକାଂଶରେ ଦାୟୀ; ପିତା ଜନ୍ମରୁ ଅନ୍ଧ ହେବା ସଙ୍ଗେ ସଙ୍ଗେ ନିଜବିବେକ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି।ତାଙ୍କୁ ସମବେଦନା ଜଣାଇ ମୁଁ ନିଜେ ଅନ୍ଧତ୍ବ ଆଦରି ନେଇଥିଲି, ସନ୍ତାନ ମାନଙ୍କୁ ସତ୍'ମାର୍ଗ ଦେଖାଇବ କିଏ !!"


ଦ୍ରୌପଦୀଙ୍କୁ କୋଳେଇ ନେଇ ଗାନ୍ଧାରୀ କହିଲେ..ହୃଦୟ ଭିତରେ ଉଠୁଥିବା ମାତୃତ୍ବର ବିଳାପକୁ କିଏ ବା ଶୁଣି ପାରିବ ପାଞ୍ଚାଳୀ,ମା' ମନର ଦୁଃଖ କିଏ ବୁଝିବ ? ମୁଁ ଶତପୁତ୍ର ହରାଇଲେ ମଧ୍ୟ ତୁମେ ପାଞ୍ଚପୁତ୍ର ହରାଇଛ।"

ଗାନ୍ଧାରୀଙ୍କ ସମବେଦନାପୂର୍ଣ୍ଣ କଥାରେ ଦ୍ରୌପଦୀଙ୍କ ଆଖିରୁ ବହିଚାଲିଲା ଅବାରିତ ଅଶ୍ରୁଧାରା। ଗାନ୍ଧାରୀଙ୍କ କୋଳରେ ନିଜକୁ ସମର୍ପଣ କରିଦେଲେ ସେ।ଦୁଇଟି କୋହଭରା ହୃଦୟ ପରସ୍ପରର ସ୍ପନ୍ଦନ ଅନୁଭବ କରୁଥିଲେ।ମିଳିତ ଅଶ୍ରୁରେ ଭିଜି ଯାଇଥିଲା ଉଭୟଙ୍କ ବକ୍ଷ ।


କ୍ରମଶଃ....


Rate this content
Log in

Similar oriya story from Classics