କୋଟିଏ ଦେବତାଙ୍କ ମଉଡମଣି
କୋଟିଏ ଦେବତାଙ୍କ ମଉଡମଣି
ଜଗତର ନାଥ ଜଗନ୍ନାଥ ହେଉଛନ୍ତି ସମଗ୍ର ଭାରତବର୍ଷରେ ଚଳନ୍ତି ପ୍ରତିମା। ତାଙ୍କର ଭୂମି ହେଉଛି ଓଡ଼ିଶା। ଓଡ଼ିଶାର ଧର୍ମ ହିଁ ଜଗନ୍ନାଥଙ୍କ ଉପାସନା। ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଁକାର, ପ୍ରଣବ, ଦାରୁବ୍ରହ୍ମ, ଅଖିଳ ବ୍ରହ୍ମାଣ୍ତପତି। ତାଙ୍କୁ ନେଇ ପୂରଣ, ସାହିତ୍ୟ, ଇତିହାସ - ପ୍ରତିଟିରେ ତାଙ୍କର ଯଶକୀର୍ତ୍ତି ଗାନ କରାଯାଇଛି। ମୁନିଋଷିମାନେ ଯୁଗ ଯୁଗ ଧରି ତପ ସାଧନା କରି ମଧ୍ୟ ପାଇପାରିନାହାଁନ୍ତି ତାଙ୍କର ଭେଟ। ସେ ଭାବର ଠାକୁର ଭାବଗ୍ରାହୀ, ଭକ୍ତର ଠାକୁର , ଭକ୍ତବତ୍ସଳ। ସେ ହେଉଛନ୍ତି ଶୁନ୍ୟଦେହୀ। ମାନବର କୈବଲ୍ୟଦାତା ହିଁ ଏକମାତ୍ର ଶ୍ରୀ ଜଗନ୍ନାଥ।
ସେ ଯେକୌଣସି ରୂପରେ ଆମ ପାଖରେ ଦଣ୍ଡାୟମାନ ହୁଅନ୍ତି। ଜଗନ୍ନାଥ ଅବତାରୀ। ବୁଦ୍ଧ, ରାମ, କୃଷ୍ଣ ସଭିଏଁ ତାଙ୍କର ଅଂଶର ସ୍ୱରୂପ। ସେ ଏଭଳି ଦେବତା ଶବର ମାନେ ପ୍ରଥମେ ତାଙ୍କୁ ଉପାସନା କରିଥିଲେ।
ଲୀଳାମୟ ଶ୍ରୀ ଜଗନ୍ନାଥ। ତାଙ୍କ ପାଦପାଣି ବ୍ରହ୍ମା ବିରଞ୍ଚିକୁ ଅଜଣା, ବଡ଼ ସୁନ୍ଦରିଆ ସେ ନିଲକନ୍ଦରିଆ। ଦଶ ଅବତାର ନେଇ ପାପୀ ମାନଙ୍କୁ ସଂହାର କରିଛନ୍ତି। ଭକ୍ତର ଭାବପୂର୍ଣ୍ଣ ଶକ୍ତିକୁ ପରୀକ୍ଷା ମଧ୍ୟ ସେ କରନ୍ତି। ଭକ୍ତର ବନ୍ଧୁ ସିଏ। ଭକ୍ତଟିଏ କାନ୍ଦିଲେ ତାଙ୍କ ଆଖିରୁ ମଧ୍ୟ ଲୁହ ଝରିଯାଏ। କବି ମନରେ ଭାବନା, ଲେଖକଙ୍କ ମନରେ କଳ୍ପନା ଜାଗ୍ରତ ତାଙ୍କ ଲେଖନୀ ମୁନକୁ ସଦାସର୍ବଦା ଚଳଚଞ୍ଚଳ କରିଥାଆନ୍ତି।
ସେହିପରି ଏକ ଉଦାହରଣ ମୁଁ ଲେଖୁଛି। ଜୟ ଜଗନ୍ନାଥ।
"ବେହି ପଦ ପଲ୍ଲବ ମୁଦାରମ୍"
ପ୍ରାଚୀ ନଦୀ କୂଳରେ ଜଣେ ଭାବୁକ ନଦୀକୂଳରେ ଥିବା ପଥରଖଣ୍ଡ ଉପରେ ବସି ଉଦାସୀନ ଭାବରେ ଗାଲରେ ହାତଦେଇ ବସିଛନ୍ତି। ସେ ଭାବୁକ ଜଣକ ହେଲେ ଜୟଦେବ। ଚତୁର୍ଦ୍ଦିଗକୁ ଲକ୍ଷ୍ୟ ନାହିଁ, ନୈରାଶ୍ୟଜନକ ମନରେ ସଂସାରର ସବୁଖୁସିକୁ ଅଲୋଡ଼ା ଅଖୋଜା କରି ଚାହିଁ ବସିଛନ୍ତି ଆକାଶର ଅନନ୍ତ ନିଳୀମାକୁ। କାହାକୁ କେମିତି ସେ ଖୋଜୁଛନ୍ତି କାଳକାଳ ଧରି, ଆଖିପତା ବୁଜିହେଇଯାଉଛି। ଲୁହର ଧାର ଧାର ଜଳରାଶି ଯେମିତି ତାଙ୍କୁ ନିର୍ଜୀବ କରିଦେଇଛି।
କିଛି ସମୟ ପରେ ଆଖି ଦୁଇଟି ଖୋଲିଲା। ଦେଖିଲେ ଆକାଶରେ ଯେମିତି ଦୁଇଟି ଶ୍ୱେତପଦ୍ମ ଝଟକୁଛି। ଦୁଇହାତ ଯୋଡ଼ି ପ୍ରଣିପାତ କଲେ। କର୍ଣ୍ଣରେ ଯେମିତି ଶୁଭିଲା ମନ୍ଦ ମନ୍ଦ ହସ। ହାତ ଯୋଡ଼ି ପଚାରିଲେ ପ୍ରଭୁ ଏ ଦୀର୍ଘଦିନର ଅନ୍ୱେଷଣର କଣ ଶେଷ ନାହିଁ। ଜୟଦେବର ମନରେ କଣ ପୂର୍ଣ୍ଣତା ପାଇବନାହିଁ।
କିଛି ସମୟ ପରେ ଥଣ୍ଡା ପବନରେ ପ୍ରକୃତିସ୍ଥ ହେଲେ ଜୟଦେବ। ବେଳ ଯାଇ ସଞ୍ଜ ହେଲାଣି। ଘରକୁ ଫେରିବାକୁ ହେବ ସେପଟେ ପଦ୍ମାବତୀ ଅପେକ୍ଷା କରିଥିବେ ମୋ ଯିବା ବାଟକୁ। ଏହି ସମୟରେ ଦ୍ରୁତ ପଦଚାଳନା କରି ଚାଲୁଥିବାବେଳେ ଆକାଶରେ ମେଘମାଳାରୁ ଚପଳାର ଚମକ ଝଟକି ଉଠୁଥିଲା। ସତେ ଯେପରି ରସନାଗର କୃଷ୍ଣଙ୍କର ବାହୁବନ୍ଧନରେ ବନ୍ଦିନୀ ରାଧାରାଣୀଙ୍କ ମୁଖପଦ୍ମ ଲୁଚିଯାଉଛି ଶ୍ୟାମଘନଙ୍କ ଶ୍ୟାମଳ ତନୁରେ। ବନଭୂମିର ଶାନ୍ତ ବାତାବରଣକୁ ବିଦିର୍ଣ୍ଣ କରି ବରଷୁଛି ବର୍ଷା। ପ୍ରତିଟି ପତ୍ରରେ ଗୁଞ୍ଜରିତ ହେଉଛି ସୃଷ୍ଟିର ଜୀବନ ସଙ୍ଗୀତ। ପ୍ରକୃତି ପୁରୁଷଙ୍କର ସେପରି ମିଳନ ହେଉଛି, କେତେ ସୁନ୍ଦର ମନମୁଗ୍ଧକାରୀ। ଜୟଦେବ ଆନନ୍ଦରେ ହାତ ଦୁଇଟି ଟେକି ଦେଇ ନାଚି ଉଠିଲେ ବର୍ଷା ସହିତ ତାଳ ମିଳାଇ।
ବର୍ଷାରେ ଭିଜି ଭିଜି ଘରକୁ ଫେରିଲେ ଜୟଦେବ ମେଘମୁକ୍ତ ଆକାଶର ସଫାମନ ନେଇ। ଦାଣ୍ଡରେ ଅପେକ୍ଷା କରିଥାନ୍ତି ସହଧର୍ମିଣୀ ପଦ୍ମାବତୀ। ତାଙ୍କୁ ଚାହିଁ ଟିକେ ସ୍ମିତହାସ ଦେଇ ଓଦା ଜିଡୁବୁଡୁ ହୋଇ ପଢ଼ିଗଲେ ଘର ଭିତରକୁ ଜୟଦେବ। ଓଦା ବସ୍ତ୍ର ବଦଳାଇ ଠାକୁର ଘର ଭିତରକୁ ଗଲେ। ପ୍ରଭୁ ମାଧବଙ୍କୁ ଭକ୍ତି ଅର୍ଘ୍ୟ ସମର୍ପଣ କରି ରାଧାକୃଷ୍ଣଙ୍କୁ ହୃଦୟ କନ୍ଦରରେ ସ୍ଥାପନା କରି ଆରମ୍ଭ କଲେ ତାଙ୍କର କାବ୍ୟ ରଚନା। ନାମ ଦେଲେ "ଗୀତଗୋବିନ୍ଦ"। ପ୍ରାଚୀ ନଦୀର କୂଳରେ ପୂଜିତ ଦ୍ଵାଦଶ ମାଧବଙ୍କ ସଂକେତ ସ୍ୱରୂପ ବାରଟି ସର୍ଗରେ ବିଭକ୍ତ କଲେ।
ଜୟଦେବଙ୍କର ଭଗବାନ୍ଙ୍କ ପ୍ରତି ଥିବା ପ୍ରେମ ଓ ଭକ୍ତିଭାବ ତାଙ୍କୁ ଟାଣି ନେଇଗଲା ସେହି ସ୍ଵପ୍ନର ଲେଖନୀ ପାଖକୁ। ପଦ ପରେ ପଦ ଲେଖା ଚାଲିଥାନ୍ତି କବି ଜୟଦେବ। ଦଶମ ସର୍ଗରେ ରାଧାଙ୍କ ମାନଭଞ୍ଜନ ପାଇଁ କୃଷ୍ଣଙ୍କ ଚାଟୁ ବାଣୀ କୁ ସେ ଲେଖନୀ ମୁନରେ ଲେଖିବା ଆରମ୍ଭ କରିଛନ୍ତି। ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ ପରେ ଠାରୁ ଆଉ କବି ଜୟଦେବଙ୍କର ଲେଖନୀ ମୂନ ଅଟକିଗଲା। କୃଷ୍ଣ ରାଧାରାଣୀଙ୍କ ମାନ ଭଞ୍ଜନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ରାଧାରାଣୀଙ୍କ ମାନଭଞ୍ଜନ କରିବା ସମୟରେ ରାଧାରାଣୀଙ୍କ ଚରଣ କମଳକୁ କୃଷ୍ଣ ସ୍ୱମସ୍ତକେ ଧାରଣ କରିବେ। ଇଏ କି ଖରାପ ଭାବନା ତାଙ୍କ ମନକୁ ଆସୁଛି। ସେ ବହୁତ ବାଟ ଆଗେଇ ଗଲେଣି ଆଉ ନୁହେଁ। ଏ କାବ୍ୟ ରଚନା ଦ୍ଵାରା ତାଙ୍କ ଆରାଧ୍ୟ ଦେବ ମାଧବଙ୍କ ଅପମାନ ହେବ, ତେଣୁ ସେ ପଦ ନ ଲେଖିବା ଭଲ। ତଥାବି ତାଙ୍କ ମନରେ ସେହି ଶେଷ ପଦଟି ଗୁଞ୍ଜରିତ ହେଉଥାଏ। ବ୍ୟସ୍ତ ବିବ୍ରତ ହୋଇ ପୋଥି ସବୁ ଥୋଇ ଦେଇ ଜୟଦେବ ଚାଲିଗଲେ ନଦୀକୁ ସ୍ନାନ କରିବା ପାଇଁ।
ସ୍ନାନ ସାରି ଫେରି ଆସି ଦେଖିଲେ ପତ୍ନୀ ପଦ୍ମାବତୀ ଭୋଜନ କରୁଛନ୍ତି। ଦୁଆରେ ଏକ ବୃକ୍ଷର ଶାଖାରେ ନିଜ ସ୍ନାନ ବେଳର ପିନ୍ଧା ଓଦାଲୁଗା ଶୁଖାଉ ଶୁଖାଉ ନିଜ ମୁହଁରେ ସ୍ମିତହାସ ଦେଇ ପତ୍ନୀଙ୍କୁ ପଚାରିଲେ କଣ ଜୋରରେ ଭୋକ ଲାଗୁଥିଲା କି ପଦ୍ମା ? ଆଗ ଖାଇ ବସିଛ ଯେ। ଓଦାଲୁଗା ଶୁଖାଇ ସାରି ବୁଲିପଡ଼ି ଯେବେ ଦାଣ୍ଡପିଣ୍ଡା କୁ ଯାଇ ଦେଖନ୍ତି ପଦ୍ମାବତୀ ଏକ ଲୟରେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁ ବସିଛନ୍ତି। ହାତରେ ଥିବା ଭାତଗୁଣ୍ଡା କେତେବେଳେ ଥାଳିରେ ଗଡିପଡ଼ିଲାଣି। ପାଖକୁ ଯାଇ ସ୍ତ୍ରୀ ପଦ୍ମାବତୀଙ୍କୁ ହଲେଇଦେଇ ପ୍ରକୃସ୍ଥିତ କରାଇଲେ । ଏଥର ପଦ୍ମାବତୀ ପ୍ରକୃସ୍ଥିତ ହୋଇ କହିଲେ ସ୍ବାମୀ ଆପଣ ତ ଏଇ ଟିକେ ଆଗରୁ ସ୍ନାନ ସାରି ଆସିଥିଲେ। ଆପଣଙ୍କର ଅଧାଥିବା ପଦର ଶେଷ ପାଦ ମନେପଡ଼ିବାରୁ ମୋତେ ଖାଇବାକୁ ଦେବାକୁ କହି ପଶିଗଲେ ପୋଥିଘର ଭିତରକୁ ଆଉ ଶେଷପଦ ଲେଖିସାରି ଆସିଲେ ଆଉ ମୁଁ ବାଢ଼ିଥିବା ଥାଳିରେ ଭୋଜନ ସମାପ୍ତ କଲେ। ମୁଁ ଆପଣଙ୍କୁ କେତେ କଥା ପଚାରିଲି ହେଲେ ଆପଣ କିଛି ଉତ୍ତର ନଦେଇ କେବଳ ସ୍ମିତହାସ ଦେଲେ ଆଉ ହାତ ଧୋଇ ପ୍ରାଚୀ ନଦୀ ଆଡ଼କୁ ଚାଲିଗଲେ। ପଦ୍ମା ଏ କଣ କହୁଛ ତୁମେ ମୁଁ ତ ଏବେ ହିଁ ସ୍ନାନ ସାରି ଆସୁଛି। ନା ସ୍ବାମୀ ମୁଁ ସତ କହୁଛି ଆପଣ ମୋତେ ବିଶ୍ୱାସ କରନ୍ତୁ। ଆପଣ ଥରେ ଚିନ୍ତା କରନ୍ତୁ ସ୍ବାମୀ ଏହା କଣ କେବେ ସମ୍ଭବ ଜଣେ ପତିବ୍ରତା ସ୍ତ୍ରୀ କଣ ସ୍ବାମୀ ଭୋଜନ କରିବା ପୂର୍ବରୁ ଭୋଜନ କରିପାରିବ। ଆପଣ ଭୋଜନ କରି ପ୍ରାଚୀ ନଦୀ ଆଡ଼କୁ ଯିବା ପରେ ହିଁ ଆପଣ ଖାଇଥିବା ଥାଳିରେ ହିଁ ଖାଇ ବସିଲି। ପଦ୍ମାବତୀଙ୍କ କଥା ଶୁଣି ଜୟଦେବ ଦ୍ରୁତ ପାଦରେ ଧାଇଁ ଗଲେ ପୋଥି ଘର ଆଡ଼କୁ। ଗୀତଗୋବିନ୍ଦର ପୋଥିକୁ ଆଣି ଯାହା ଦେଖିଲେ ନିଜ ବିଶ୍ୱାସ କରିପାରିଲେନାହିଁ। ଯେଉଁ ପଦ ନିଜ ଆରାଧ୍ୟଙ୍କର ଅପମାନ ହେବ ଭାବି ନଲେଖିବାକୁ ଚିନ୍ତା କରି ପୋଥି ଥୋଇଦେଇ ସ୍ନାନ କରିବାକୁ ଚାଲିଯାଇଥିଲେ, ସେହି ପଦ ପୋଥିରେ ଲେଖା ହୋଇଛି।
ବିସ୍ମୟ ବିମୁଢ଼ ହୋଇ ଆସି ବସି ପଡିଲେ ଦାଣ୍ଡ ପିଣ୍ଡାରେ। ଆଖିରୁ ତାଙ୍କର ଅଶ୍ରୁ ବୋହି ଯାଉଥାଏ। ଖାଲି ତାଙ୍କ ହୃଦୟରେ ଉଙ୍କି ମାରୁଥାଏ କିଏ ସେ ଯେ ଆସି ଲେଖିଦେଇ ଚାଲିଗଲେ ତାଙ୍କ ମନର କଥାକୁ।
ଜୟଦେବ ଦେଖିଲେ ସେ ସମୟରେ ମଳୟ ପବନ ବହୁଛି। ବୃକ୍ଷଡାଳରେ ବସି କୋଇଲି ଗୀତ ଗାଉଛି। ମଧୁପ ଟିଏ ଉଡ଼ି ବୁଲୁଛି ଏ ଫୁଲ ରୁ ସେ ଫୁଲକୁ। ତୁଳସୀ, କର୍ପୂର, ଚନ୍ଦନର ବାସ୍ନା ମହକୁଛି ତାଙ୍କ ଦାଣ୍ଡ ଅଗଣାରେ। ବଂଶୀର ସ୍ଵର ଶୁଭୁଚି ଯେପରି ତାଙ୍କ କାନ ପାଖରେ। ଜୟଦେବଙ୍କର ଜାଣିବାକୁ ଆଉ ବାକି ରହିଲାନି ଯେ ସେ କିଏ ? ଆନନ୍ଦରେ ଦୁଇ ହାତ ଟେକି ଦେଇ ନାଚି ଉଠିଲେ ନିଜ ଘର ଅଗଣାରେ। ଆଖିରୁ ଝରୁଥାଏ ଅମାନିଆ ଲୁହ। ପାଗଳ ପରି ପ୍ରଳାପ କରିଚାଲୁଥାନ୍ତି। କୁହ ପଦ୍ମା ମୋ ପ୍ରଭୁ ଏଇଠି ଛିଡ଼ା ହୋଇଥିଲେ ନା ଏଇ ବାଟ ଦେଇ ଚାଲିଗଲେ କହି ଜୟଦେବ ଅଗଣାର ଧୂଳି ସବୁ ନିଜ ଦେହ ସାରା ବୋଳି ହେଉଥାଆନ୍ତି। ତୁମେ ଆସିଲ ଆଦିକନ୍ଦ, ଏ ଦୀନହୀନ ଦାସ ସେବକର ମନର ଶଙ୍କାକୁ ଦୂର କରିବା ପାଇଁ ରତ୍ନ ସିଂହାସନ ରୁ ଓହ୍ଲାଇ ଆସିଲ।
ସ୍ବାମୀଙ୍କର ଏଭଳି ଭାବବିହ୍ଵଳିତ ଅବସ୍ଥା ଦେଖି ତାଙ୍କ ପାଖକୁ ଧାଇଁ ଆସିଲେ ପଦ୍ମାବତୀ। ଆଖି କୋଣରେ ଲୁହର ସାଗର। ପାଖକୁ ଆସି ବସିପଡ଼ି ନିଜ ହସ୍ତ ଯୋଡ଼ି କହିଲେ ସ୍ବାମୀ ! ପଦ୍ମାବତୀଙ୍କ ଡ଼ାକରେ ନିଜ ସମ୍ବିତ ଫେରିପାଇ ତାଙ୍କ ମୁହଁକୁ ଅନାଇ ରହିଲେ ଜୟଦେବ !
ପଦ୍ମାବତୀ ନିଜ ହସ୍ତ ଯୋଡ଼ି କହିଲେ ସ୍ବାମୀ କଣ ଏ ଦାସୀର କିଛି ଅପରାଧ ଆପଣଙ୍କ ବିଷାଦର କାରଣ। ତେବେ ମୋତେ ଦଣ୍ଡିତ କରନ୍ତୁ କହି ଜୟଦେବଙ୍କ ଚରଣ ତଳେ ପଡିଗଲେ ଆଖିରୁ ଅନେକ ଲୁହ ଗଡ଼ାଇ।
ଧନ୍ୟ ତୁମେ ପଦ୍ମା ! ମୁଁ ତୁମକୁ ସ୍ତ୍ରୀ ରୂପେ ପାଇ ଧନ୍ୟ। ଯାହାକୁ ବ୍ରହ୍ମା, ଶିବ, ଇନ୍ଦ୍ର, ଯୋଗୀ, ମୁନି, ଋଷି ଦର୍ଶନ କରିପାରନ୍ତି ନାହିଁ ତୁମେ ଆଜି ତାଙ୍କର ଦର୍ଶନ ପ୍ରାପ୍ତ କରି ନିଜ ହାତରେ ଭୋଜନ ବାଢ଼ି ଦେଇଛ ଖାଇବା ପାଇଁ ଆଉ ତାଙ୍କ ମହାପ୍ରସାଦ କୁ ସେବନ କରିଛ। ତୁମେ ଯାହା ତାଙ୍କୁ ଚିହ୍ନି ପାରିଲ ନାହିଁ, ଚିହ୍ନି ପାରିବ ବା କେମିତି ସେ ତା ଲୀଳାମୟ !! ତାଙ୍କର ଅପାର ଲୀଳା କେହି କଣ କେବେ ବୁଝିପାରେ !! ଏ ସୁଖ ଯାହା ଫଟା କପଳିଆ ଜୟଦେବ ଭାଗ୍ୟରେ ନାହିଁ।
ମୁଁ କିଛି ବୁଝିପାରୁନାହିଁ ସ୍ବାମୀ !! ମୋ ରୂପରେ ଆସି ମୋ ମନର ପଦ ଯେଉଁଟା କି ମୁଁ ଲେଖିଲେ ତାଙ୍କର ଅପମାନ ହେବ ଭାବି ଲେଖିବିନି ବୋଲି ଚିନ୍ତା କରୁଥିଲି ସେହି ପଦ ଲେଖୀଦେଇ ସବୁକିଛି ବୁଝାଇଦେଇ ଚାଲିଯାଇଛନ୍ତି ସେ କାଳିଆ ସାଆନ୍ତ। ଏଇ ଦେଖ ଆମ ଅଗଣା କେମିତି ଚନ୍ଦନ କର୍ପୂର ରେ ମହକି ଉଠୁଛି। ପୋଥିଘରୁ ବଡ଼ ଦେଉଳର ବାସନା ଆସୁଛି। ପୋଥିଘରକୁ ନେଇଗଲେ ପତ୍ନୀ ପଦ୍ମାଙ୍କୁ। ଦେଖିଦେଲେ ଗୀତଗୋବିନ୍ଦ ର ସେ ଲେଖିଥିବା ଅଧାପଦର ପୂର୍ଣ୍ଣରୂପକୁ। ସ୍ତ୍ରୀଙ୍କୁ ସମସ୍ତ କଥା କହିସାରି ଧରିବସିଲେ ଲେଖନୀ ଅଧାଥିବା ଦଶମ ସର୍ଗ ଲେଖିବାକୁ।
