ଭୁରି ଭୋଜନ
ଭୁରି ଭୋଜନ
ବହୁତ ଦିନର ପୁରୁଣା ବନ୍ଧୁ ଦୁଇ ଜଣ। ସାଙ୍ଗ ହୋଇ ଏକା ସ୍କୁଲ ରେ ପାଠ ପଢୁଥିଲେ। ଭଲ ପାଠ ବି ପଢୁଥିଲେ। ଜଣଙ୍କର ନାମ ରଜତ ଓ ଅନ୍ୟ ଜଣଙ୍କ ନାମ ସାଗର। ରଜତ ଟିକେ କଞ୍ଜୁସ୍ ସ୍ବଭାବର ଥିଲେ କିନ୍ତୁ ସାଗର ତାଙ୍କର ଓଲଟା। ଅଲଗା ଅଲଗା ଜାଗାରେ ଚାକିରୀ ପାଇଲେ ସେମାନେ। ରଜତ ବ୍ୟାଙ୍କ୍ ମ୍ୟାନେଜର୍ ଓ ସାଗର ଜଣେ ସାମାନ୍ୟ କିରାଣୀ ଚାକିରି କରିଥିଲେ। କିନ୍ତୁ ଦୁଇ ଜଣଙ୍କ ଚିନ୍ତାଧାରା ଅଲଗା ପ୍ରକାରର ଥିଲା। ରଜତ ଦିନେ ଗାଁ କୁ ଫେରୁଛି ବାଟରେ ସାଗରକୁ ଦେଖିଲା। ଦୁଇ ବନ୍ଧୁଙ୍କର ମିଳନ ବଡ଼ ଚମତ୍କାର ଥିଲା। ଦୁଇ ବନ୍ଧୁ କଥା ହୋଇ ଦୁଃଖ ସୁଖ ହେଲେ। ରଜତ କହିଲା ମୁଁ ମୋ ମା' କୁ ଆଣି ଆସିଛି ବାପାଙ୍କର ପିଣ୍ଡଦାନ ହେବ ତୁ ଯେମିତି ଆମ ଘରେ ପହଞ୍ଚିବୁ। ମୋ ଘରେ ପ୍ରଥମ କରି ଭୂରି ଭୋଜନର ଆୟୋଜନ ମୁଁ କରିଛି। ତା' ପରଦିନ ସକାଳେ ସାଗର ତାଙ୍କ ଘରେ ପହଞ୍ଚିଲା। ଦୁଇ ବନ୍ଧୁ ଭାରି ଖୁସି ହେଲେ। ବହୁତ ଭଲ ଭଲ ଜିନିଷର ଆୟୋଜନ କରାଯାଇଥାଏ। କିନ୍ତୁ ରଜତ ତା' ବଡ଼ ପଣିଆ ଦେଖାଇବା ପାଇଁ ଡାକିଛି ବୋଲି ଏକଥା ସାଗର ଜାଣିନି। ଭୋଜନର ସମୟ ହେଲା, ବହୁତ ବଡ଼ ବଡ଼ ଲୋକ ଖାଇବାକୁ ଆସିଥାନ୍ତି। ରଜତ ଆସି ସାଗର ପାଖରେ ପହଞ୍ଚି କହିଲା ତୁ ତ ଛୋଟ କିରାଣୀ ଚାକିରୀଟିଏ କରିଛୁ ମୋ ପରି ତୁ ଏମିତି ଲୋକମାନଙ୍କୁ ଭୂରି ଭୋଜନ ଦେଇ ପାରିବୁ। ଏହା ଶୁଣି ସାଗରର ମନ ବହୁତ ଦୁଃଖ ହେଲା। ସେ ସଙ୍ଗେ ସଙ୍ଗେ ସେ ଜାଗା ଛାଡି ନିଜ ଘରକୁ ଫେରିଗଲା। ଘରେ ଯାଇ ତା' ସ୍ତ୍ରୀ ଆଗରେ ସବୁକଥା କହିଲା। ସାଗର ସ୍ତ୍ରୀ ଅତି ଭଲ ମଣିଷଟିଏ, ଉଡିଗଲା ପକ୍ଷୀର ସେ ପେଟ ଚିହ୍ନି ପାରେ। ସାଗର କଥା ଶୁଣି ତାକୁ ଜମା ଭଲ ଲାଗିଲା ନାହିଁ। ସେ ସାଗରକୁ ବୁଝାଇ କହିଲା ତୁମେ ଜମା ବ୍ୟସ୍ତ ହୁଅନି। ଧନ, ସମ୍ପତ୍ତି ସବୁବେଳେ କାହା ପାଖରେ ରୁହେନି। ଏମିତି ସମୟ ଆସିବ ସେ ନିଜେ ଆସି ତୁମକୁ କ୍ଷମା ପ୍ରାର୍ଥନା କରିବ। ସେହି କଥା ହିଁ ହେଲା, କିଛି ଦିନ ପରେ ରଜତ ଘରେ ଭିଜିଲାନ୍ସ୍ ଚଢ଼ାଉ କଲା ଆଉ ରଜତକୁ ଥାନାକୁ ପଠାଇ ଦିଆଗଲା। ଦିନେ ରଜତର ସ୍ତ୍ରୀ କାନ୍ଦି କାନ୍ଦି ଆସି ସାଗରଙ୍କ ଘରେ ପହଞ୍ଚିଲା। ସାଗରକୁ ଅନୁରୋଧ କରି କହିଲା, ତୁମେ ହେଉଛ ରଜତଙ୍କର ସାଙ୍ଗ। ତୁମେ ରଜତକୁ ଥାନାରୁ ନେଇଆସ ତୁମର କିଏ ଚିହ୍ନା ଥିବେ। ମୋତେ ଏତିକି ସାହାଯ୍ୟ କର । ସାଗର ବହୁତ ଦୟାଳୁ, ସେ କାହା ଦୁଃଖ ଦେଖି ସହି ପାରେନି। ତେଣୁ ସେ ଯାଇ ରଜତକୁ ଥାନାରୁ ମୁକୁଳାଇ ଆଣିଲା। ରଜତ ତା'ର ନିଜର ଭୁଲ୍ ବୁଝିପାରିଲା । ସାଗର ରଜତକୁ ଚିଡାଇବା ପାଇଁ କହିଲା ତୁ ଆଉ ଭୂରି ଭୋଜନ କେବେ ଦବୁ ଅପେକ୍ଷା କରି ରହିଲି।
