Soumya Shubhadarshinee

Drama

4.4  

Soumya Shubhadarshinee

Drama

କୋଣାର୍କ

କୋଣାର୍କ

7 mins
450


 ବିଶୁ ମହାରଣାଟିଏ ନିଭୃତରେ ଜାଗ୍ରତ ଥାଏ ପ୍ରତ୍ୟେକ ମଣିଷ ଭିତରେ ଗଢିବାକୁ ନିଜସ୍ୱ କୋଣାର୍କ ।


   ସବୁଜ, ହଁ ଗାଢ଼ ସବୁଜ ରଙ୍ଗର ଗୋଟେ ଚମତ୍କାର କଳାକୃତି ଭାବେ ଉଭା ହେଇଥାଏ ସେ । ଅନିଚ୍ଛା ସତ୍ତ୍ୱେ ଆଖି ଚାଲିଯାଏ ସ୍ଵରାର ସେଠି ଆସ୍ଥାନ ଜମେଇଥିବା ନାମହୀନ ବୃକ୍ଷରାଜିଙ୍କ ଆଡ଼କୁ । ଆଉ ଭରିଯାଏ ଅଜଣା ଦୁଃଖ ଅଯତ୍ନ ଭାବେ କାୟା ବିସ୍ତାର କରିଥିବା ସବୁଜିମା ଦେଖି । ତା'ର ଖୁବ୍ ଯତ୍ନରେ ଦେଖିବାକୁ ଇଚ୍ଛା ହୁଏ ସେଇ ଅଯତ୍ନ ସବୁଜିମା ତଳେ ସମାଧିସ୍ଥ ଅଧାଗଢା ଘରଟିକୁ । ଠିକ ତା' ଭଡା ଘରକୁ ଲାଗି ଅବହେଳିତ ହେଇ ପଡିଥାଏ ସେଇଟି । ଘରଟିଏ ତିଆରି ହେଇ ମଧ୍ୟ ଅଧୁରା ରହିଯାଇଛି କାହାରି ସ୍ୱପ୍ନ ! ଭାରି ଇଚ୍ଛା ହୁଏ ସ୍ୱରାର ଜାଣିବାକୁ ସ୍ୱପ୍ନହତ ହେବାର କାରଣ ......?


  ଏମିତି ସୁନ୍ଦର ; ପ୍ରାୟ ଦୁଇ ହଜାର ସ୍କୋୟାର ଫୁଟର ଜମି ଖଣ୍ଡେ ଏଇ ଦାମୀ ସହରରେ ଅପହଞ୍ଚ । ସେତିକି ଯୋଗାଡିବାରେ ହୁଏତ ସରିଯାଏ ସାରା ଜୀବନର ପୁଞ୍ଜି । ସାଧାରଣ ମଣିଷ ପାଇଁ ଏଇ ବହୁ ଅପେକ୍ଷିତ ସ୍ୱପ୍ନକୁ ସାକାର କରିବା ଆଦୌ ସହଜ ହୁଏନି । ସେମାନେ ବି ସେଇ ଧାରାରେ । କିନ୍ତୁ ଏଠି ସବୁଥାଇ ମଧ୍ୟ କେହି ଜଣେ ଭାରି ନିସ୍ୱ ।


× × × ×. ×. ×. × ×

  --'' ଫ୍ଲାଟ ନେଇଯିବା ଆମେ ସ୍ଵରା ସହଜ ଆଉ ସୁଉପଲବ୍ଧ ହେବ । ମୋ ପାଖରେ ସମୟ କାହିଁ ଏଇ ଜମି , ମିସ୍ତ୍ରୀ , ମୂଲିଆ, ଘର ଆଦିର ଜାଲରେ ପଡ଼ିବାକୁ ?''


 ବଡ଼ ସହଜରେ କହିଦିଅନ୍ତି ହର୍ଷ । ସ୍ଵରା କିନ୍ତୁ ଇଚ୍ଛା କରେ ଗୋଟେ ଭିନ୍ନ ପୃଥିବୀ । ସର୍ବୋତ୍ତ ଭାବେ ନିଜର 

ପୃଥିବୀ । ନିଜ ଜମି, ନିଜ ଘର, ନିଜ ଲେନ, ନିଜ ବଗିଚା । ଯେଉଁଠି ଅନ୍ୟ କାହାରି ସହଭାଗୀତା ନଥିବ । ସେ ମୁକ୍ତ ଥିବ ସମ୍ପୂର୍ଣ୍ଣ ଭାବେ । ଇଚ୍ଛା ଅନୁସାରେ ନିର୍ଦ୍ଧାରଣ କରିବ ଘରର ପ୍ରତ୍ୟକ କୋଣ ଅନୁକୋଣ । ଠାକୁର ଘର ଆଉ ପଢ଼ା ଘରର ଆକାର ଓ ଆକୃତି । ଶୋଇବା ଘରର ବ୍ୟବସ୍ଥିତ ସ୍ୱରୂପ । ସବୁକିଛି ତା' ଅଧିନସ୍ତ । ଘରର ପ୍ରତ୍ୟକ ଇଟା ଭିତରେ ତା' କଳ୍ପନାର ପ୍ରତିଫଳନ ।

ସେମିତି ଘର ଗୋଟେ ଚିର ଇପ୍ସିତ ।

 

   କିନ୍ତୁ ପୂର୍ଣ୍ଣତା ପାଏନି ଏଇ ଇପ୍ସା । ହର୍ଷଙ୍କ ଟାଳଟୁଳ ନୀତିରେ ଦୂରେଇ ଯାଏ ନୀଡ଼ ଗଢ଼ା ପ୍ରକ୍ରିୟା । କେବେ ଟ୍ରାନ୍ସଫର ହେଇଯାଏ ହର୍ଷଙ୍କର ଦୂର ସହରକୁ ତ କେବେ ସାନ ନଣନ୍ଦର ବାହାଘର ହେତୁ ଓଲଟପାଲଟ ହେଇଯାଏ ସଞ୍ଚୟ ପାଣ୍ଠି । ପୁଣି କେବେ ସ୍ଵରା ଅସୁସ୍ଥ ହେଇଯାଏ ଆଉ ହସ୍ପିଟାଲରେ ସରିଯାଏ ସଞ୍ଚିତ ଅର୍ଥ । ଏମିତି ଅଗଣିତ ଆବଶ୍ୟକତା ଓ ଅସହାୟତା ଭିତରେ ସନ୍ତୁଳି ହେଇଯାଏ ମଧ୍ୟମିତ୍ତ ମଣିଷର ସ୍ୱପ୍ନ । 


 କିନ୍ତୁ ସ୍ଵରା ଭିତରେ ନିଭୃତରେ ବସିଥାଏ ଜଣେ କାରିଗର ଏକାଗ୍ରଚିତ୍ତ ହେଇ । ମନେପଡେ ସବୁବେଳେ ପିଲାଦିନର ଘର ଗଢ଼ା ସ୍ମୃତି ଆଉ ତୀବ୍ର ଆଲୋଡନ ହୁଏ ଭିତରେ । ଆଖି ପୁଣି ଟାଣି ହେଇଯାଏ ଅଯତ୍ନ ସବୁଜିମା ତଳେ ସମାଧି ନେଇଥିବା ଘର ଆଡ଼କୁ ।


× × × × × ×

   "ଦୁଇ ବଖରା ବିନା ପଲସ୍ତରା ହେଇଥିବା ଘର ଅସନା ଲାଗିବ ନନା, ଅନ୍ତତଃ ପଲସ୍ତରାଟା ସାରିଦେଇ ଯିବା ଆମେ" ବୁଲୁ ଭାଇନା ଏମିତି ଅନିଚ୍ଛୁକ ହେଇଥିଲା ଆଜକୁ ପଚିଶ ବର୍ଷ ତଳେ । ନନା କିନ୍ତୁ ହାତ ଟେକି ଦେଇ କହି ଦେଇଥିଲେ,'' ତୁମେ ସବୁ ତେବେ ବୁଝ ଘର ଭଡା କଥା ମୋ ଦେଇ ଆଉ ହବନି ।"


 ସାଧାରଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କୋଠା ଘର ତୋଳିବା ସହଜ ନଥିଲା । ସେମାନେ ଦୁଇ ବଖରା ଆଜବେଷ୍ଟ ଘରେ ଜାକିଜୁକି ରହୁଥିଲେ ସାନ ବଜାର ପାଖରେ । ମାସକର ଘର ଭଡା ଯୋଗାଡିବା କଦାପି ସହଜ ହେଉନଥିଲା । ନନାଙ୍କ ଦରମା ଗଣ୍ଡାକ ଉପରେ ନିର୍ଭର କରୁଥିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆହୁରି ପୁଣି ଜେଜେଙ୍କ ଅଫିମ, ଜେଜୀର ଆଣ୍ଠୁ ରୋଗ, ଗାଁ ଚାଷ ଖର୍ଚ୍ଚ ବି ସେଇଥିରୁ । ବୋଉର ବାହା ବେଳେ ଅଜା ଯେଉଁ ଜମି ଗୁଣ୍ଠକ ଦେଇଥିଲେ ସେଇଥିରେ ଘର ଦୁଇ ବଖରା କରିଥିଲେ ନନା ଯେ ମୁଣ୍ଡି ମାରିବାକୁ ସମ୍ବଳ ଆଉ ନଥିଲା । ସେମାନେ ଆସିଥିଲେ ସେଇ ବିନା ପଲସ୍ତରା ଘରକୁ ପ୍ରତିଷ୍ଠା କରି । କିନ୍ତୁ ପ୍ରଥମ ରାତି ସେଇ ଘରେ ଏତେ ତୃପ୍ତିର ନିଦ ଉପହାର ଦେଇଥିଲା ଯେ ଆଜିବି ମନେ ପଡେ ।

 '' ନିଜ ଘର କଥା ନିଆରା '' କହିଥିଲା ବୋଉ ।....... ସେଇଥିରୁ ଆରମ୍ଭ କରି ଆଜି ନନା ତିନି ମହଲା ଘର ତୋଳିଛନ୍ତି । ବୁଲୁ ଭାଇନା ନିଜ ସଂସାର ପାତିଛି ସେଇ ପୃଥିବୀରେ।


  ତାଙ୍କ ପାଖରେ କିନ୍ତୁ ବେଶ ସମ୍ବଳ କିନ୍ତୁ ଗଢି ହେଉନି ସ୍ୱପ୍ନର କୋଣାର୍କ । ଏତକ କେବଳ ଭାଗ୍ୟର ଖେଳ ନିଶ୍ଚିତ । ବୋଉ କଥା ମନେପଡ଼େ ଏଇ ସମୟରେ, ''ଗୋ- ଭୂମି ଓ କନ୍ୟା ଭାଗ୍ୟରେ ଥିଲେ ଯାଇଁ ମିଳେ ନୋହିଲେ ନାହିଁ ।''


  କାଳୀ ଗାଈ ଟିଏ ଥିଲା ବୋଉ ପାଖରେ, ମିଠା କ୍ଷୀର ଦେଉଥିଲା କି ନାହିଁ କହିବା ସମ୍ଭବ ନୁହେଁ କାରଣ ସବୁ ଯାଉଥିଲା ବୁଲୁନନା ପାଇଁ । ସେମାନଙ୍କ ଭାବରେ ଥିଲା ଚା' ଟିକେ ସକାଳ ଜଳଖିଆ ବାସି ରୁଟି ସହ । କିନ୍ତୁ ଥିଲା ଖାଣ୍ଟିକ୍ଷୀର ଚା' ଟିକେ ଭାଗ୍ୟରେ । ସେମିତି ଜମି ଆଉ କନ୍ୟା ମଧ୍ୟ ବୋଉ ଭାଗ୍ୟରେ । ଦୁଇଟି କନ୍ୟା ରତ୍ନ ଯଦିଓ ବାପାଙ୍କ ରକ୍ତଚାପ ବଢ଼େଇଥିଲେ ହାତକୁ ଦୁଇହାତ କରିବା ବେଳେ ତଥାପି ଥିଲା କନ୍ୟାଦାନର ପୂଣ୍ୟ । ସାନ ଝିଅ ବେଳକୁ ମଧୁମେହ ହେତୁ ଓପାସ ରହିବା କଷ୍ଟ ହେଇଥିଲା ବହୁତ ତଥାପି ବୋଉ ରହିଥିଲା । ଏଇ ପୂଣ୍ୟ ଟିକକ ଯେ ପୁଞ୍ଜି ଏତକ ଦ୍ୱାହି ଦେଇ ।


  ସେ ଦୁଇଟି ସୁଯୋଗ୍ୟ ପୁଅର ମା' କିନ୍ତୁ ସୌଭାଗିନୀ ନୁହେଁ । ନାହିଁ ଗୋ, ଭୂମି କି କନ୍ୟା ........... ସେଇ ଅଜନ୍ମା ପିଲାଟି ତା' ଦ୍ଵିତୀୟ ସନ୍ତାନ ହୁଏତ କନ୍ୟାଟିଏ ଥିବ କିଏ ଜାଣିଛି ? ଏଇଟା ହିଁ ଦୁର୍ଭାଗ୍ୟ । ଜଠରେ ସ୍ଥାନିତ ହେଇ ମଧ୍ୟ ନିଜର ହେଲାନି ଛୁଆଟି । ଅନେକ ନୀରବ ରାତିରେ ତକିଆ ଭିଜେଇଛି ସ୍ୱରା ସେଇ ଅଜନ୍ମା ପାଇଁ । ହର୍ଷ କଦାପି ଅନୁଭବି ପାରିବେ ନାହିଁ ସେଇ ଯନ୍ତ୍ରଣା । ସେଇ କୋଳ ଶୁନ୍ୟତାର ଅନୁଭବ କେବଳ ତା' ଭିତରେ ।


 ଜୀବନରେ ଅନେକ ଘଟଣା ଦୁର୍ଘଟଣା ଭାଗ୍ୟକୁ ଆଦରି ସ୍ୱୀକାର କରିବା ମଣିଷର ଆବଶ୍ୟକତା । ତତ୍ଭିନ୍ନ ଜୀବନ ଜୀଇଁବା ଢେର କଷ୍ଟ । ଦୁଃଖ ତକ ବୋହି ନେବାର ବାଧ୍ୟତାକୁ ଭାଗ୍ୟବାଦ ଉପରେ ଲଦିଦେଇ ମୁକ୍ତ ହେଇଯିବା ଭାରି ଜରୁରୀ ।............


× × × × × × × × ×


 ହର୍ଷ ଭାରି ଉତ୍ସାହିତ ହେଉଥିଲେ ଫ୍ଲାଟଟିର ବାସ୍ତୁ ବ୍ୟବସ୍ଥା ଦେଖି । କେଡେ ଦାୟିତ୍ୱବାନ ଶିଳ୍ପୀ ସତରେ ସବୁକିଛି ଅତ୍ୟନ୍ତ ବ୍ୟବସ୍ଥିତ ଭାବେ ଗଢି ତୋଳିଛି । ଦକ୍ଷିଣ ପଶ୍ଚିମରେ ଶୋଇବା ଘର, ଦକ୍ଷିଣ ପୂର୍ବରେ ରୋଷେଇ ଘର, ଉତ୍ତର ପୂର୍ବରେ ଠାକୁର ଘର ବାଃ !...

ଟିକିଏ ଖୁଣିବାର ନୁହେଁ କି ଟିକିଏ ବାରିବାର ନୁହେଁ । ସବୁ ଏକଦମ ସଠିକ । 


  ପିଲାଙ୍କୁ ମଧ୍ୟ ଭାରି ପ୍ରଲୋଭିତ କଲା ପ୍ରଶସ୍ତ ଖେଳ ପଡିଆ । ଛୋଟିଆ ପାର୍କଟିଏ ତ କଲୋନି ଭିତରେ । ସାନପୁଅ ସେ ଖସଡ଼ା ଉପରେ ଯାଇଁ ଦୁଇ ଚାରିଥର ଖସି ଆସି କହିଲା, ''ପାପା ଏଇଠି ଆମେ ରହିବା ପୂରା ଫାଇନାଲ୍ ।''


 ସମସ୍ତେ ଫ୍ଲାଟ ଦେଖି ବେଶ ଖୁସି ମନରେ ଫେରିଲେ । ହର୍ଷ ଫେରନ୍ତା ରାସ୍ତାରେ ବ୍ୟାଙ୍କଲୋନ କଥା ବୁଝେଇ କହିଲେ ଯେମିତି ଏଇ ଫ୍ଲାଟ ବୁକ କରିବାରେ କୌଣସି ଅସୁବିଧା ନାହିଁ । ସ୍ୱରା କିନ୍ତୁ ଭିତରେ ଭିତରେ ବତୁରି ଯାଉଥିଲା । ଘରର ଶୁଭ ଦିଆ ପୂଜା ବିଷୟରେ ଭାବୁଥିଲା , ଘରର ସମ୍ମୁଖରେ ଦକ୍ଷିଣ ପାର୍ଶ୍ଵରେ ବୃନ୍ଦାବତୀଙ୍କ ଚଉଁରା ସ୍ଥାପନା କଥା ହେଜୁଥିଲା, ଉନ୍ମୁକ୍ତ ଛାତ ଉପରେ କିଚେନ ଗାର୍ଡେନ ଗଢିବାର ଇଚ୍ଛା କଥା ମନେ ପକାଉ ଥିଲା , କାର୍ତ୍ତିକ ଶୀତ ସକାଳୁ ବୃନ୍ଦାବତୀଙ୍କ ପାଖରେ ମୁରୁଜ ଲେଖିବା କଥା ମନେ ପକେଇ ଆନମନା ହେଉଥିଲା । ଏସବୁ ହୁଏତ କେବେ ସମ୍ଭବ ନୁହେଁ ଆଉ । ଛାତି ଭିତରେ ଗୋଟେ ପବନ ହାବୁକା ମାରି ପୁଣି ମିଳେଇ ଗଲା । ଭଡାଘର ପାଖ ସେଇ ଅଧାଗଢା ଘରର ଚିତ୍ରଟା ଆଖି ଆଗରେ ଭାସିଗଲା । କାଶ ସେଇଟି ମିଳିପାରନ୍ତା ତାଙ୍କୁ । ଅଚୀରେ ପୂର୍ଣ୍ଣ ହେଇପାରନ୍ତା ତା' ସ୍ୱପ୍ନତକ ।


 କହିପାରିଲା ନାହିଁ ସେ ନିଜ ଇଚ୍ଛା କଥା । ହର୍ଷଙ୍କ ଖୁସିରେ ହଁ ଭରିବାହିଁ ହୁଏତ ଭଲ ଆର୍ଦ୍ଧାଙ୍ଗିନୀର 

ପରିଚୟ..........!


 ନିଜ ଘର ଆଉ ନିଜର ସ୍ୱାଧୀନ ଅଧିକୃତ ଘର ଭିତରେ ଫରକ ଏତେ ସୂକ୍ଷ୍ମ ଯେ ହୁଏତ ସଭିଏଁ ସେଇତକ ଅନୁଭବି ପାରନ୍ତି ନାହିଁ । ବଡ଼ ନଣନ୍ଦ ଆଉ ସାନ ଦିଅର ଦୁହେଁ ତ ପୁଣି ବମ୍ବେରେ ଫ୍ଲାଟ ନେଇ ସୁବ୍ୟବସ୍ଥିତ ଭାବେ ରହୁଛନ୍ତି । ହୁଏତ ଅବିଗୁଣ ଗୁଡା ସ୍ୱରାର ନିଜସ୍ୱ ।


 ଏଠି ମନ୍ଦିର, କମ୍ୟୁମିଟି ହଲ, ଲେଡିଜ କିଟି କ୍ଳବ୍, ଫିଟନେସ ଜିମ, ଯୋଗ କ୍ଲାସ, ପିଲାଙ୍କ ପାର୍କ, କଡା ସିକ୍ୟୁରୀଟି, ଏମିତି ଅଗଣିତ ସୁବ୍ୟବସ୍ଥା ଉପଲବ୍ଧ ହେଉଥିବା କଥାକୁ ଟିକିଏ ହେଜିଲେ ସବୁ ସମସ୍ୟା ସମାଧିତ ହେଇଯିବ ନିଶ୍ଚିତ ।


  ସବୁ ସମସ୍ୟାର ବିକଳ୍ପଟିଏ ସବୁବେଳେ ଉପଲବ୍ଧ ଜୀବନରେ ।............


× × × × × × × × ×


 ସକାଳୁ ସକାଳୁ ପଡିଶା ଘର ଲିନି ଅପାଙ୍କ ସ୍ୱର ଶୁଭିଲା ମାନେ ଜାଣିବ କିଛି ଖବର ଅଛି । ସେ ନୂଆ କଥାଟିଏ ଜାଣିଲେ ଖାସ କରି ଗୁମର କଥାଟିଏ ଜାଣିଲେ ସେତକ ନକହି ଜମା ରହିପାରେନି । ଶୁଣିବା ଲୋକ ବି ଭାରି ଅଭାବ ଆଜିକାଲି । ଚାକିରିଆ ସ୍ତ୍ରୀ ଲୋକଙ୍କ ପାଖରେ ବେଳ କାହିଁ କିନ୍ତୁ ସ୍ୱରା ସବୁଠାରୁ ସଠିକ ଶୁଣାଳି କାରଣ ସେ ଘରେ ସୁଉପଲବ୍ଧ ।


 ଚା' କପେ ସହ ଲିନି ଅପା ଖୋଲିଲା ଗୁମର ପେଡି, '' ତୁ କାଲି କୁଆଡେ ଗଲୁ ଯେ ଜାଣି ପାରିଲୁନି କେଡେ କଥା ହେଇଗଲା ?''


-- '' ନାନୀ ଟିକେ ଗାଁ କୁ ଯାଇଥିଲୁ ।''

( ଫ୍ଲାଟ କଥା କହିବା ଲିନି ନାନୀକୁ ଜମା ସଠିକ ନୁହେଁ ବେଶ ବୁଝେ ସ୍ୱରା)


--'' ଓଃ ! ସେଇଆ ମୁଁ ଦି ଥର ତୋ ଘର ଆଡ଼େ ନଜର ଦେଇଛି, କେତେ ଖୋଜିଛି ତୁ କି ଜାଣୁ । ଶୁଣ ସେଇ ବଙ୍ଗାଳି ବୁଢୀର ପୁଅଟା ଆସିଥିଲା । ''


--'' କୋଉ ବଙ୍ଗାଳି ବୁଢୀ?''


-- '' ଧେତ୍ ତୁ ଆଉ ହବୁନି ବୁଝିଲୁ, ସେଇ ବୁଢୀ ଯାହାର କୋଠାଟା ଅଧାଗଢ଼ା ହେଇ ଭୂତ ଖାଉଛି ଏଇଠି ।''


  ସ୍ୱରା ଭିତରର ଉତ୍ତାପ ହଠାତ ବଢିଗଲା । ମନ ଭିତରେ ସାଇତା ପୁରୁଣା ଇଚ୍ଛାଟେ ପୁଣି କଅଁଳି ଗଲା । ଡାଳ ପତ୍ର ମେଲେଇ ସାବଜା ସ୍ୱପ୍ନଟେ ହସି ଉଠିଲା । 


--'' ହେ କ'ଣ ଭାବୁଛୁ ଯେ । ସେ ଏଇ ଜମି ଆଉ ଘରଟା ବିକିବ, ତା'ର ଫରେନରେ କୁଆଡେ ବଡ଼ ଚାକିରୀ ସେ ପଳେଇବ ଦେଶ ଛାଡି । ସେ କେବେଠୁ ଏସବୁ ବିକିଭାଙ୍ଗି ଯିବାକୁ ବସିଥିଲା, କିନ୍ତୁ ବୁଢୀଟା ଭାରି ହନ୍ତସନ୍ତ କରୁଥିଲା ବଞ୍ଚିଥିବା ଯାଏଁ । କୁଆଡେ ଏଇଟା ଥିଲା ତା' ବାପଘର ଯୌତୁକ ଜମି । ସେଇଥିପାଇଁ ବିକିବାକୁ ଜମା ରାଜି ନଥିଲା । ତା' ବରକୁ କୋଉ ଗୋଟେ ରୋଗ ହେଇଥିଲା ଯେ ବୁଢା ଚାଲି ଯାଇଥିଲା ଅଧା ଗଢି ଏଇ ଘର । ବୁଢ଼ୀ ଆଉ ମୁଣ୍ଡି ମାରିପାରିଲା ନାହିଁ । ସେଇ ମରିଗଲା ପନ୍ଦର ଦିନ ତଳେ । ତେଣୁ ପିଲା ଏବେ ଫ୍ରି ।"


 --'' ବୁଢୀ କେମିତି ଚାଲିଗଲେ ?''


--'' ଧେତ୍ ସେଗୁଡା କିଏ ବୁଝୁଛି, ଆମର ନଜର ଜମି ଉପରେ । ତୁ ରଖିବୁ କି କହୁନୁ ମୁଁ ବୁଝାବୁଝି କରିବି ଏଇ ରବି ଭାଇନାଙ୍କୁ କହି ।''


 ସ୍ୱରା କିନ୍ତୁ ଜାଣିବାକୁ ଚାହୁଁ ଥିଲା ସେଇ ବୁଢୀଙ୍କ କଥା, ତାଙ୍କ ଅଧା ଗଢ଼ା କୋଣାର୍କ କଥା, ଅଯୋଗ୍ୟ ପୁଅର

 କଥା । ଯେ ବିଦେଶରେ ଅପର୍ଯ୍ୟାପ୍ତ ଅର୍ଥ ରୋଜଗାର ପରେ ବି ବାପାଙ୍କ କୋଣାର୍କର ମୁଣ୍ଡି ମାରିଲା ନାହିଁ, କିନ୍ତୁ ବିକିବାକୁ ଆସିଗଲା ମା' ର ଜୀବନ ଦୀପ ଲିଭୁ ଲିଭୁ । 


   ଇଚ୍ଛା ହେଲାନି ଏମିତି ଗୋଟେ ଅତୀତ ସହ ନୂଆ ନିଡର ସ୍ୱପ୍ନ ବାନ୍ଧିବାକୁ । ବୁଢ଼ୀର ଆତ୍ମାକୁ କେତେ ବାଧୁଥିବ ଏଇତକ କେବଳ ଭାବୁଥିଲା ସ୍ୱରା ।.........


  ତାକୁ ଲାଗିଲା ସତରେ କୋଣାର୍କ ଆଉ ଗଢ଼ା ହେବା ସମ୍ଭବ ନୁହେଁ କାରଣ ବିଶୁ ମହାରଣା ଆଜି ଦୁସ୍ଥ ଆଉ ଧର୍ମପଦ ସ୍ୱାର୍ଥପର !........ ବୋଉ ହୁଏତ ଠିକ କୁହେ ଗୋ , ଭୂମି, କନ୍ୟା ଭାଗ୍ୟରେ ଥିଲେ .......... ।


     


Rate this content
Log in

Similar oriya story from Drama