Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sriman Bapu

Drama Tragedy

4.1  

Sriman Bapu

Drama Tragedy

କମଳୀ ବୁଢ଼ୀର ପ୍ରଶ୍ନ

କମଳୀ ବୁଢ଼ୀର ପ୍ରଶ୍ନ

7 mins
536


 


ଅଠାନବେ ବର୍ଷର ପତଳା ଧଡ଼ ଧଡ଼ କମଳୀ ବୁଢ଼ୀ ଦଶଟି ଛୁଆର ମାଆ । ତିନିଟି ପୁଅ ଆଉ ପାଞ୍ଚଟି ଝିଅ ବଞ୍ଚିରହିଲେ । ଦୁଇଟା ଜନ୍ମର କିଛିଦିନ ପରେ ମରିଛନ୍ତି । ସ୍ୱାମୀଙ୍କ ପୂର୍ବ ମୃତ ସ୍ତ୍ରୀ ଛାଡ଼ି ଯାଇଥିଲା ତିନିବର୍ଷ ଆଉ ଏକବର୍ଷର ପୁଅ ଦୁଇଟି । ତେଣୁ ଦଶଟି ଛୁଆର ଲାଳନ ପାଳନର ଭାର ସେ ଉଠେଇଛି । ସାବତ ପୁଅ ଦୁଇଟିକୁ ନିଜ ଜନ୍ମିତ ପିଲାଙ୍କ ଠାରୁ ଅଲଗା ଦେଖିବା କି ଅବହେଳା କରିବାର କେବେ କେହି ଦେଖି ନାହାଁନ୍ତି କି ଶୁଣି ନାହାଁନ୍ତି । 


ବୁଢ଼ୀ ସବା ସାନ ପୁଅ ଘରେ ରୁହେ ହେଲେ ପ୍ରତିଦିନ ନଇଁ ନଇଁ ଗାଁ ଆରମ୍ଭରୁ ଶେଷ ମଧ୍ୟରେ ରହୁଥିବା ପାଞ୍ଚ ପୁଅର ପୁଅବୋହୂ , ନାତି ନାତୁଣୀ , ଅଣନାତି ଅଣନାତୁଣୀ ମାନଙ୍କୁ ବୁଲି ଦେଖି ନ ଆସିଲେ ତା ମନ ବୁଝେନି । କେଉଁଠି ଖାଏ ତ ଆଉ କେଉଁଠି ମୁହଁ ଧୂଏ । ସନ୍ଧ୍ୟାରେ ସାନ ପୁଅ ଘରକୁ ଫେରିଆସେ ।


ଏହି ଅବିଶ୍ରାନ୍ତ ଘୂରିବୁଲିବା ପଛରେ ବୁଢ଼ୀର ଆଉ ଏକ ବଡ଼ ଉଦ୍ଦେଶ୍ୟ ପାଠକଙ୍କୁ ପରେ କହିବି । ଏହି ବୟସରେ ବି ଦେଢ଼ ଶହରୁ ଉର୍ଦ୍ଧ୍ବ ହେବ ତା'ର ସମସ୍ତ ନାତି, ନାତୁଣୀ, ନାତୁଣୀ ବୋହୂ , ଅଣନାତି , ପଣନାତି ସମସ୍ତଙ୍କ ନା ତା'ର ମନେ ଅଛି । ସମସ୍ତେ ତାକୁ ଠାକୁମା , ଆଈମା ବୋଲି ଡ଼ାକନ୍ତି । ତା'ର ସବୁଠାରୁ ବଡ଼ ସ୍ୱପ୍ନ ସବୁ ନାତି ନାତୁଣୀ ଙ୍କ ବାହାଘର ଦେଖିବ ଆଉ ତାଙ୍କ ଛୁଆକୁ ବି ‌।


ବୁଢ଼ୀର ସବୁ ପୁଅ ଆଉ ଝିଅ ନିଜ ସାମର୍ଥ୍ୟ ଆଉ ଭାଗ୍ୟ ବଳରେ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ଜୀବନ ବଞ୍ଚୁଛନ୍ତି । କେବଳ ସବା ସାନ ଝିଅ ଆରତୀକୁ ଛାଡ଼ି । ଆରତୀ ସ୍କୁଲରେ ପଢୁଥିବା ବେଳେ ବାପାଙ୍କ ଦେହାନ୍ତ ହୁଏ । କେବଳ ବୁଢ଼ୀର ସାନ ପୁଅ ଝିଅକୁ ଛାଡ଼ି ସମସ୍ତେ ସେତେବେଳେ ବିବାହିତ ଥିଲେ । ବୁଢ଼ା ମଲା ପୂର୍ବରୁ ବଡ଼ ଚାରିପୁଅଙ୍କୁ ସାନ ଭାଇ ଭଉଣୀର ଜିମା ଦେଇ ତାଙ୍କର ଶେଷ ଇଛା କହିଲେ ଦେଖ , ତୁମର ଏ ଦୁଇ ସାନ ଭାଇ ଭଉଣୀ କୁ ନିଜର ସନ୍ତାନ ଭାବିବ । ସାନ ଭଉଣୀ ଆରତୀକୁ ଭଲ ପାତ୍ର ଦେଖି ବିବାହ ଦେବ ଆଉ ସାନ ଭାଇର ତଦ୍ରୃପ ଯତ୍ନ ନେବ । ବାପା ଥିଲେ ହୁଏତ ଆରତୀର ଜୀବନ କିଛି ଅଲଗା ମୋଡ଼ ନେଇଥାଆନ୍ତା । 


ହେଲେ ବୁଢ଼ାର ମୃତ୍ୟୁ ପରେ ବିବାହିତ ଭାଇ ଭାଉଜଙ୍କ ପାଇଁ ଆରତୀ ଏକ ବଡ଼ ବୋଝ ହୋଇଯାଇଥିଲା । ତେଣୁ ଯେଣେତେଣେ ବୋଝ ଖସେଇବାକୁ ଭାଉଜ ମାନେ ସ୍ୱାମୀ ମାନଙ୍କୁ ସୁଲଭ ବାଟମାନ ଦେଖେଇଲେ । ଶେଷରେ ବହୁ ଶସ୍ତାରେ କାମ ନିପଟେଇ ହେଲାଭଳି ପାତ୍ର ଟିଏ ମିଳିଗଲା । ଏକ ମଦୁଆ ଗାଡ଼ି ଡ୍ରାଇଭର ସହ ବିବାହ କରାଇ ଦିଆଗଲା । ଯିଏ ବିରୋଧ କଲେ, ତାଙ୍କୁ କହିଲେ ଭାରି ତ ଆରତୀ ପ୍ରତି ସ୍ନେହ ତୁମର ? ନେଇ ଯା ! ଭଲ ପାତ୍ର ଟିଏ ଖୋଜି ବାହା କରେଇ ଦିଅ । କିଏ ମନା କରୁଛି ? ଭାଇ ମାନଙ୍କ ଇଛା ନଥିଲେ ବି ସ୍ତ୍ରୀମାନଙ୍କ ଡ଼ରରେ ଚୁପ୍ ରହିଲେ । ମାଆ ଯେତେ କାନ୍ଦିଲେ ବି କିଏ ଶୁଣୁଛି ?


ବିବାହ ହୋଇଗଲା । ଆରତୀ ସବୁ ଭଉଣୀ ଠାରୁ ଅଧିକ ଚାଲାଖ ଚତୁର ଆଉ ଗୁଣବତୀ ଥିଲା । ନିଜର ପୋଡ଼ା ଭାଗ୍ୟକୁ ଆଦରି ନେଇ , ନିଜ ମନକୁ ଦୃଢ଼ କରି ଆଉ ନୂତନ ଆଶା ବାନ୍ଧି ମଦୁଆ ସ୍ୱାମୀ ଦୁର୍ଯ୍ଯୋଧନ ସହ ଘର କଲା । ପ୍ରଥମ ରାତିରେ ସେ ପେଟେ ପିଇଦେଇ ଆସିଥିଲା । ଏ ବ୍ୟଥାକୁ ଚାପି ରଖି ନପାରି ଆରତୀ ମା'କୁ କହିଲା । ଅସହାୟ ମାଆ କ'ଣ କରିପାରିବ ? ଦିନେ ଯାଇ ଜ୍ୱାଇଁର ଗୋଡ଼ ଧରି ,ମା ଚଣ୍ଡୀଙ୍କ ରାଣ ପକାଇ ମଦ ଛାଡ଼ିବାକୁ ନେହୁରା ହେଲା । ଜ୍ୱାଇଁ କହିଲା ମାଆ ! ତୁମେ ମୋ ବିଷୟରେ କିଛି ଜାଣିନ , ମୁଁ କାହିଁକି ପିଏ ? କାରଣ ପଚାରିବାରୁ କିଛି ନକହି କହିଲା, ମୁଁ ମଦୁଆ ହେଲେ ବି ଅମଣିଷ ନୁହେଁ । ତୁମ ଝିଅର ଯଦି କିଛି ଅସୁବିଧା ହେବ ତେବେ ମୋତେ କହିବ । ମାଆ ତୁମେ କହୁଛ ଯଦି ମୁଁ ମଦ ଛାଡ଼ିଦିଏ ତେବେ ମୁଁ ଚେଷ୍ଟା କରିବି । ନ ପାରିଲେ ଖରାପ ଭାବିବନି ।


ବୁଢ଼ୀ ଆଉ ଆରତୀ ଅଳ୍ପ ଦିନରେ ବୁଝିଗଲେ କି ଦୁଯିଆ ଯେତେ ଯାହା କଲେ ବି ମଦ ଛାଡ଼ି ପାରିବ ନାହିଁ । ହେଲେ ସେମାନେ ତାହା ବିଷୟରେ ଯାହା ଭାବିଥିଲେ ସେ ସେମିତି ନୁହେଁ । ମଦୁଆମାନେ ଯେ ଲୋକ ଖରାପ ଏ ଧାରଣା ଦୁଯିଆକୁ ଜାଣିଲା ପରେ ତାଙ୍କର ବଦଳିଗଲା । 


ଦୁଯିଆଟା ମଣିଷ ହିସାବରେ ସୁନା ମୁଣ୍ଡା ଟିଏ । ବୁଢ଼ୀ ଯେଉଁ ସମ୍ମାନ ,ଆଦର ଆଉ ଯତ୍ନ ତା'ଠାରୁ ପାଏ ତା'ର ଶିକ୍ଷିତ ଆଉ ସ୍ୱଚ୍ଛଳ ଚାରି ଜ୍ୱାଇଁଙ୍କ ପାଖରୁ ପାଏନି । ଖାଲି ଦୁଇଟି ଖରାପ ଅଭ୍ଯାସ ଯା ଗୋଟିଏ ହେଲା ମଦ ଆଉ ଅନ୍ୟଟି ଭବିଷ୍ୟତ ପାଇଁ ତିଳେ ହେଲେ ଚିନ୍ତା ନାହିଁ । ଯାହା ରୋଜଗାର କଲା ସବୁ ପିଇବା , ଖାଇବାରେ ଉଡ଼ାଏ । ଆଠ ଦିନ ଭଲରେ ଖାଇଲେ , ପନ୍ଦର ଦିନ ଘରେ ଖାଇବାକୁ ନଥିବ । ଧାର କରଜ , ବନ୍ଧାଛନ୍ଦା ରେ ଚାଲେ ।


ବୁଢ଼ୀ ଝିଅ ବାହାଘର ପାଇଁ ଯେତିକି ଯାହା ବୋହୂଙ୍କ ନଜର ଆଢୁଆଳରେ ସଞ୍ଚିଥିଲା ସବୁ ଦେଲା । ନିଜର ସ୍ୱଚ୍ଛଳ ଝିଅ ଜ୍ୱାଇଁଙ୍କ ଆଗରେ କାକୁତି ମିନତୀ ହୋଇ ଆର୍ଥିକ ସାହାଯ୍ୟ ମାଗିଲା । ଜ୍ୱାଇଁମାନେ ଦେବାକୁ ଇଛୁକ ହେଲା ବେଳକୁ ଝିଅ ମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ସାହାଯ୍ୟକୁ ସର୍ବନିମ୍ନକୁ ଟାଣି ଆଣିଲେ । ମାଆ କ'ଣ ସାନ ଭଉଣୀକୁ ଦେଉଛି , କେତେ ଭରି ସୁନା ଦେଉଛି ସବୁ ଟିକିନିଖି ବୁଝାବୁଝି କରି ମାଆ ଆଗରେ ଅଭିମାନ କଲେ । ତୁ ସାନ ଝିଅକୁ ଏତେ ଦେଉଛି । ଆମକୁ କମ୍ ଦେଇଛୁ । ଝିଅମାନଙ୍କ ଆଚରଣ ଦେଖି ବୁଢ଼ୀର ଛାତି ଫାଟିଯାଏ ହେଲେ କାହାକୁ କହିବ ?


ଆରତୀ ଘରେ ଅଭାବ ଅନଟନ ଲାଗି ରହିଥାଏ । ସେଇଥିରେ ଗୋଟିଏ ପରେ ଗୋଟିଏ କରି ତିନିଟି ଝିଅ ଶେଷରେ ପୁଅଟିଏ । ଦୁଯିଆ ଆଉ ଆରତୀଙ୍କ ଅବସ୍ଥା ସହ ଅନ୍ୟ ଝିଅ ଜ୍ୱାଇଁ ଆଉ ଭାଇ ଭାଉଜଙ୍କ ସାମାଜିକ ପଦ ମର୍ଯ୍ୟାଦା ବିଲକୁଲ୍ ମେଳ ଖାଏନି । ତେଣୁ କାମକାର୍ଯରେ ଯେମିତି ନ ଆସିବେ ସେମିତି ନିମନ୍ତ୍ରଣ ଦିଆଯାଏ । ଦୁଯିଆ ସ୍ୱାଭିମାନୀଟା ତେଣୁ କୁଆଡ଼େ ଯାଏନି । ଆରତି ସ୍ନେହ କାଙ୍ଗାଳୁଣୀଟା ସଂପର୍କର ଚୁମ୍ବକ ତାକୁ ଟାଣିଆଣେ । 


ଆରତୀର ଆଉ ଛୁଆଙ୍କ ବେଶ ପୋଷାକ ଦେଖି ସମସ୍ତେ ଲଜ୍ଜା ଅନୁଭବ କରନ୍ତି । କେହି ତାଙ୍କ ପାଖରେ ବସିବାକୁ , ହସି ପଦେ କଥା ହେବାକୁ ଉଚିତ୍ କି ସୁରକ୍ଷିତ ମଣନ୍ତି ନାହିଁ । କାଳେ କିଛି ସେ ମାଗି ବସିବ ଏ ଡ଼ର ଭଉଣୀ ମାନଙ୍କର , ଭାଉଜ ମାନଙ୍କର ସବୁବେଳେ ଥାଏ । ସେଇଥି ପାଇଁ ନିଜ ସ୍ୱାମୀ ମାନଙ୍କୁ ଉପରେ କଢା‌ ନଜର ରଖିଥାଆନ୍ତି । ଛୁଆ ଗୁଡ଼ାଙ୍କୁ ଅନ୍ଯ ଛୁଆ ପରି ମାମୁଁ ମାଇଁର , ମଉସା ମାଉସୀର ସ୍ନେହ ଆଦର ମିଳେନି । ଏକା ଆଈମା ଆଉ ସାନ ମାମୁକୁ ଛାଡ଼ି ଦେଲେ । ସାନ ଭାଇଟା ଭଲ ହେଲେ କ'ଣ ହେବ ? ସାନ ଭାଉଜଟାର ଶନି ଆଖି । ଆଈମା ହିଁ ଏକା ଯେଉଁଠୁ ସେମାନେ ମାମୁଘରର ଟିକିଏ ସ୍ୱାଦ ପାଆନ୍ତି , ତାକୁ ଦେଖିବା ପାଇଁ ସେମାନେ ଧାଇଁ ଆସନ୍ତି ।


ଆରତୀର ଏହି ଅନାଦାର ଆଭାବଗ୍ରସ୍ତ ଜୀବନ ଭିତରେ ଯେତେବେଳେ ତା'ର ବଡ଼ ଝିଅକୁ ତେର ବର୍ଷ, ମଝିକୁ ଏଗାର ,ସାନକୁ ଆଠ ଆଉ ପୁଅକୁ ଛଅ ବର୍ଷ ହୋଇଥିଲା ସବୁଠୁ ବଡ଼ ପାହାଡ଼ ଭାଙ୍ଗିପଡିଲା ତା' ଉପରେ !!! ଦୁର୍ଯ୍ୟୋଧନ ଗାଡ଼ି ଧରି ଘରକୁ ଫେରୁଥିଲା । ବାଟ ଢ଼ାବାରେ ଅଟକିଲା ପୁରୁଣା କିଛି ସାଙ୍ଗମାନଙ୍କ ସହ ବସି ଦୁଇ ପ୍ଯାକ୍ ପିଇ ଘରକୁ ଯିବ । ପିଉ ପିଉ ଦୁଇରୁ ,ଚାରି ,ଚାରି ରୁ ଛଅ ବଢ଼ିଚାଲିଲା । ସାଙ୍ଗମାନେ ଜାଣିଥିଲେ ଦୁଯିଆ କାମରୁ ଫେରିଛି ଆଉ ପକେଟ୍ ଗରମ ତେଣୁ ଛାଡ଼ିଲେ ନାହିଁ । ମଜ୍ଜା ମସ୍ତିରୁ ସାମାନ୍ୟ ସୋଦାସୋଦୀ ଆରମ୍ଭ ତା' ପରେ ଭୀଷଣ ବାଡ଼ାପିଟା । କିଏ ଗୋଟିଏ ତାଙ୍କ ଭିତରୁ ବୋତଲ ଉଠେଇ ଦୁଯିଆ ମୁଣ୍ଡରେ କଷିଦେଲା ! ଦୁଯିଆ ରକ୍ତରେ ଜୁଡୁବୁଡୁ ହୋଇ ସେଇଠି ଟଳି ପଡ଼ିଲା !!!


ବାସ୍ ଆରତୀ ଜୀବନରେ ସବୁକିଛି ଓଲଟି ପଡ଼ିଲା !!! ଭାଇ ଭାଉଜ, ଭଉଣୀ ଭିଣେଇ ସମସ୍ତେ ଦୂରରୁ ଥାଇ ଓହୋ ! ଚୁ ଚା କଲେ ! କେହି ପ୍ରକୃତ ସାହାରା ଦେବାକୁ ଡ଼ରିଲେ ,ତିନି ତିନିଟା ଝିଅ । ଅଧିକ ସମବେଦନା ଜଣେଇଲେ ଆଗକୁ ଅସୁବିଧା । ଭାଉଜ ଆଉ ଭଉଣୀମାନେ ନିଜ ନିଜର ଆବେଗ ପ୍ରବଣ ସ୍ୱାମୀ ମାନଙ୍କୁ ସଚେତନ କରେଇ ଦେଲେ । ସେମାନଙ୍କର ନିଜର ପିଲାଛୁଆଙ୍କ ଭବିଷ୍ୟତ କଥା ଚିନ୍ତା କରିବାର ଅଛି । ଯାହା ତ ହେବା କଥା ହୋଇଗଲା । ହତଭାଗିନିଟା ! ନିଜ ଭାଗ୍ୟକୁ ଆଦରି ଚଳିବ, ଆମେ ଆଉ ବିଶେଷ କ'ଣଟା କରି ପାରିବା ? ଯେତିକି ଆମ ଦେଇ ହୋଇ ପାରିବ କରିବା ।


ସମସ୍ତେ ବ୍ୟବହାରିକ ଦୃଷ୍ଟିରୁ ସମାଜରେ ନିଜର ପଦମର୍ଯ୍ୟାଦାକୁ ବଞ୍ଚାଇବା ପାଇଁ ,ହଜାରେ ପାଞ୍ଚଶହ ଟଙ୍କା ଗୁଞ୍ଜିଦେଇ ନିଜ ମଣିଷତ୍ୱକୁ ଦେଖେଇଲେ । ଆରତୀ ତ ଜିଅନ୍ତା ଶବଟିଏ ହୋଇଯାଇଥିଲା , ତା'ର ହୋସ୍ ନଥିଲା ! ଆଉ ଜଣକ ଦୁଃଖ ଆରତୀ ଠାରୁ କମ୍ କି ବେଶୀ ତାହା ଭଗବାନ ଥିଲେ ଜାଣିଥିବେ । ସେ ହେଲା , କମଳୀ ବୁଢ଼ୀ । ବୁଢ଼ୀ ସାହାସ ବାନ୍ଧିଲା । ନିଜ ଝିଅକୁ ଜୀବନ ଆଉ ସମାଜର କ୍ରୃରତାକୁ ସାମ୍ନା କରି ତାହା ସହ ଲଢ଼ି ବଞ୍ଚିବାକୁ ସାହାସ ଦେଲା । ଛୁଆଙ୍କ ଜୀବନ ଆଉ ଭବିଷ୍ୟ ଗଢ଼ିବାକୁ ହେବ ବୋଲି ସଚେତନ କରାଇଲା । ମାଆ କଥାରେ ଆରତୀର ମଲାଦେହରେ ଜୀବନ ପଶିଲା ।  


ବୁଢ଼ୀ ପ୍ରତିବର୍ଷ ଅନ୍ୟ ଝିଅମାନଙ୍କ ଘରକୁ ଯାଏ ତାକୁ କେହି ନଡାକିଲେ ବି । ପୁଅର ନାତି ମାନଙ୍କ ମଧ୍ୟରୁ ସାନ ନାତି ଚଗୁଲୁ ବୁଢ଼ୀମାର ଖୁବ୍ ଯତ୍ନ ନିଏ । ସେହି ଏକା ନେଇ ଛାଡ଼ି ଆସେ ,ଆସି ନେଇ ଯାଏ । ନହେଲେ କାହାକୁ ତର ଅଛି । ବୁଢ଼ୀ ଆ ଘରକୁ ତା ଘର ଘୂରିବୁଲେ । କାମ କାର୍ଯ୍ୟ ରେ ଆଗୁଆ କୁହେ ମୋତେ ଭଲ ଖଣ୍ଡିଏ ଶାଢ଼ୀ ,ବ୍ଲାଉଜ , ସାୟା ଦେବ । ନାତି ମାନଙ୍କୁ ଝିଅ ଜ୍ୱାଇଁଙ୍କ ଅଲକ୍ଷରେ ପଇସା ମାଗେ । ସମସ୍ତେ ଦୟା ପାଇଁ ବୁଢ଼ୀକୁ ଶହେ ଦୁଇଶହ ଯାହା ଦିଅନ୍ତି ସଞ୍ଚେ ।‌ ସବୁ ପଇସା , ଶାଢ଼ୀ ବ୍ଲାଉଜ ନେଇ ବୋହୂଙ୍କ ଆଢ଼ୁଆଳରେ ଆରତୀକୁ ଦିଏ । ଯାହା ପାଏ ଲୁଚେଇ ଛପେଇ ସେହି ଝିଅକୁ ଦିଏ । 


ପୁଅମାନଙ୍କୁ ଏକାନ୍ତ ପାଇଲେ ନେହୁରା ହୁଏ । ଖାସ୍ ଏଇଥି ପାଇଁ ସେ ସକାଳୁ ସନ୍ଧ୍ୟା ଯାଏଁ ଘୁରି ବୁଲେ ,ଝିଅ ଜ୍ୱାଇଁଙ୍କ ଘରକୁ ଅଡ଼କରା ଯାଏ । ବୁଢ଼ୀ ମା'ର ଏ ପ୍ରାଣମୂର୍ଛ୍ଛା ପ୍ରୟାସ ଯୋଗୁଁ ନିଜର ଦୁଇ ଝିଅର ବାହାଘର କରେଇ ପାରିଲା । ସାନ ଝିଅଟି ଏସବୁ ଦେଖି ନପାରି ନିଜ ପ୍ରୟାସରେ ନିଜ ପସନ୍ଦରେ ବିନା ଯୌତୁକରେ ବାହାହେବାର ଏକମାତ୍ର ପନ୍ଥା ବାଛିନେଲା । କାହାକୁ କିଛି ନକହି, ଜାତି ପ୍ରଥାକୁ ପାଦରେ ଦଳିଦେଇ ଗୋଟିଏ ପୁଅ ସହ ପଳେଇ ଗଲା ।


ଗୋଟିଏ ବୋଲି ସାନ ପୁଅ ପାଗଳା ବାପାର ଢ଼ଙ୍ଗ ଧରିଲା , ଅସାମାଜିକ ଗୋଷ୍ଠୀରେ ମିଶେ , ମଦପିଏ , ବାଡିଆପିଟା କରି ଘରକୁ ଫେରେ । ମାଆ ଆକଟ କଲେ ମାଆ କଥା ଶୁଣେନି । ବୁଢ଼ୀ ଏହିସବୁ କଥା ଏକାନ୍ତରେ କାହାକୁ ପାଇଲେ ତା ପାକୁଆ ପାଟିରେ କୁହେ । ଅଧା କଥା ବୁଝି ହୁଏନି ସିନା ବୁଢ଼ୀର କାନ୍ଦ ଆଉ ଲୁହ ଛାତି ତରାଇ ଦିଏ । ଏଇଥି ପାଇଁ ବୋଧ ହୁଏ ତା'ଠାରୁ ସମସ୍ତେ ଦୂରେଇ ରୁହନ୍ତି ।


ସନ୍ଧ୍ୟା ସକାଳେ ପାଖ ମନ୍ଦିରର ଘଣ୍ଟି ଶୁଣିଲେ , ବୁଢ଼ୀ ବେକରେ କାନିଟି ଗୁଡ଼େଇ , ଶିରା ପ୍ରଶିରା ସବୁ ଠିଆ ହୋଇଥିବା ହାଡ଼ୁଆ ଆଉ ଥରଥର ହାତକୁ ଯୋଡ଼ି‌ ଲମ୍ବେ ଲମ୍ବେ ଅଧିଆ ପଡିଯାଏ । ଲୁହ ଛଳଛଳ ଆଖି ଆଉ ପାକୁଆ ପାନଖିଆ ପାଟିରେ ତା'ର ଆରାଧ୍ୟା ଦେବୀ ଚଣ୍ଡୀଙ୍କୁ ଡାକେ । ମା ଚଣ୍ଡୀ ଲୋ , ହେ ମା ଚଣ୍ଡୀ ! ମୁଁ କି ପାପ କରିଥିନି ଲୋ ମା ? କେଉଁ ପାପର ଦଣ୍ଡ ତୁ ମୋ ଆରତୀକୁ ଦେଉ‌ଛୁ ? କାହିଁ ମୋତେ ଏ ବୟସରେ ବଞ୍ଚେଇ ରଖିଛୁ ଲୋ ମା ଆଉ କେତେ ମୋ ଝିଅ ଭାଗ୍ଯରେ ଦୁଃଖ କଷ୍ଟ ସାଇତିଛୁ ???


Rate this content
Log in

More oriya story from Sriman Bapu

Similar oriya story from Drama