କଳଙ୍କିତା
କଳଙ୍କିତା
ମୁହଁଟି ମନୋରମ।ମୁହଁରେ ମିଥୁନ ମେଘର ହସ। - ତୁମେ ହସିଦେଇ କୁହ।
ମତେ ଭଲଲାଗେ ତୁମର ଏଇ କଥା।ମୁଁ ମୁର୍କି ହସେ।
ତନୁ ତାରକସିକରା।ତନୁରେ ତମାଳ ବନର ତାତି। - ତୁମେ ପୁଣି ହସିଦେଇ କୁହ।
ମୁଁ ହସିଦେଇ ଲାଜେଇଯାଏ।
ତୁମେ ଗ୍ରୀଷ୍ମରେ ମଲ୍ଲୀ ଓ ବଉଳ।ଶରତରେ ଗଙ୍ଗଶିଉଳି।ହେମନ୍ତରେ ନୀଳ କଇଁ।ଶୀତରେ ହେନା ଓ ସେବତୀ।ବସନ୍ତରେ କାମିନୀ ଓ ମଧୁ ମାଳତୀ।ଋତୁରେ ଋତୁରେ ଜାତି ଜାତି ଫୁଲର ମହକ ମତେ ଦେଇଥାଅ ତୁମେ। - ସତେ ମୋ ପ୍ରେମିକ ପରି ତୁମେ ମୋତେ କୁହ।
ହା - ହା - ହା - ।ମୁଁ ଖୁବ୍ ହସେ।କହେ - ତେବେ ଭଲ,ବହୁତ ଭଲ।ତା'ହେଲେ ତୁମେ ତ ବହୁତ ମହକ ମୋ ଠାରୁ ପାଅ।
ଯେତେବେଳେ ତୁମକୁ ଯେପରି ଲୋଡିଛି ସେପରି ପାଇଛି।କେତେବେଳେ ତୁମେ ପ୍ରେମର ଶ୍ରାବଣ ବର୍ଷା ହୋଇ ମୋ ପାଇଁ ବର୍ଷିଛ ତ କେତେବେଳେ ପ୍ରୀତିର ମୃଦୁ ପବନ ହୋଇ ମୋତେ ଶିହରିତ କରି ମୋ ଦେହ ସାରା ପହଁରିଯାଇଛ।ତୁମକୁ ଛୁଇଁ ଉତ୍ତପ୍ତ କାମନାମାନଙ୍କୁ ଶାନ୍ତ କରିଛି ମୁଁ।ସବୁବେଳେ ତୁମରି ତଲାସରେ ସମୟ ବିତାଇଛି। - ତୁମେ କୁହ।ତୁମକୁ ମୋ ନିଶା ଘାରିଥିଲା ଭଳି ମୋତେ ଲାଗେ।
ହା - ହା - ହା - ।ମୁଁ ପୁଣି ହସେ।କହେ - ତା'ହେଲେ ତୁମେ ମୋତେ ଏତେ ଭଲପାଅ!
ହଁ,ତୁମ ରୂପର ମାୟା ମୋତେ ଛନ୍ଦିଦେଇଛି।ବାନ୍ଧିଦେଇଛି ମୋ ସମଗ୍ର ସତ୍ତାକୁ।ତୁମେ ସୁନ୍ଦରୀ, ଛଳଛଳ ଯୌବନା,ମର୍ତ୍ତ୍ୟର ମେନକା।ତୁମକୁ ଭଲ ନ ପାଇବି କେମିତି? - ତୁମେ ପୁଣି କୁହ।
ମୋର ମନେହୁଏ ଯେପରି ତୁମର ନିଶା ବଢି ବଢି ଚାଲିଛି।ହା - ହା - ହା - ।ମୁଁ ଖୁବ୍ ହସେ ତୁମର ଏଇ କଥାଶେଷରେ।
ତୁମକୁ ଭୋଗୁ ଭୋଗୁ ତୁମେ ପାଲଟିଗଲଣି ମୋର ଅଭ୍ୟାସ।ତୁମ ବିନା ଖାଲି ବଞ୍ଚିବା ନୁହେଁ, ମରିବା ମଧ୍ୟ ମୋ ପାଇଁ ଦୁଷ୍କର। - ଗୋଟେ ରସିକ ପୁରୁଷ ଭଳି ତୁମେ ହସରେ ହସରେ କୁହ।
ହା - ହା - ହା - ।ମୁଁ ହସି ହସି ବେଦମ୍ ହୁଏ।
ତୁମେ ପୂରା ଦୁଇ ପେଗ୍ ନେଇ ସାରିଥାଅ ସେତେବେଳକୁ।ଅଭ୍ୟାସବଶତଃ ମୁଁ ଜାଣିଥାଏ ତୁମର ଆଉ ଗୋଟିଏ ପେଗ୍ ଦରକାର ଥାଏ ବୋଲି।ତୁମର ତୃତୀୟ ପେଗ୍ ପରେ ମୋତେ ବେଶୀ ମଜା ଲାଗେ।ତୁମେ ତ ତାହା ସାଙ୍ଗରେ ଧରି ଆସିଥାଅ।ମୋର ଯାହା ଖାଲି ଗ୍ଲାସ୍ ପ୍ରସ୍ତୁତ କରି ତୁମ ହାତକୁ ବଢାଇବା କଥା।ମୁଁ ହସି ହସି ସେତିକି କରିଦିଏ।
ତୁମେ ଏହାକୁ ମୋର ଶ୍ରଦ୍ଧା ମନେକର।ତୁମ ଖୁସି ସେକ୍ଷଣି ଆକାଶକୁ ଛୁଇଁଯାଏ।ତୁମ ଖୁସିରେ ଖୁସିରେ ମୋ ଓଠ ଛୁଏଁ ତୁମ ଗ୍ଲାସ୍।ତୁମେ ଛୁଆଁଇଦିଅ ପ୍ରେମରେ,ଶ୍ରଦ୍ଧାରେ।ତା'ପରେ ତୁମେ ଗ୍ଲାସ୍ ଖାଲି କରିଦେଇ ମୋତେ ବିବସ୍ତ୍ରା କର।ମୋ ଦେହ ସାଙ୍ଗରେ ଲାଗିଯାଅ।ମୋ ସାରା ଦେହରେ ମୁଁ ତୁମ ପ୍ରେମର ମହୁଆ ମୃଦୁ ବର୍ଷା ଛିଟା ଅନୁଭବ କରେ।ଆମେ ଦୁହେଁ ଏକାଠି ହୁଅନ୍ତି।ବିତେ ମିଠା ମିଠା କାମନା,ବାସନା ଓ ଆନନ୍ଦର ସୁନ୍ଦର,ସୁକୋମଳ ମୁହୂର୍ତ୍ତ।
ଆମର ସବୁ ସଂଧ୍ୟା ଥିଲା ଏମିତି ମନୋରମ,ସୁଖପ୍ରଦ ଓ ଆନନ୍ଦଦାୟକ।ହଠାତ୍ ତୁମ ଠିକଣା ବଦଳିଗଲା।ଚାକିରୀରେ ବଦଳି ହୋଇ ତୁମେ ଅନ୍ୟ ସହରକୁ ଚାଲିଗଲ।ଓଃ!ଶୁଣିବା ପରେ ମୋ ଛାତି ଫାଟିଗଲା।ମୁଁ ଗଭୀର ଅର୍ନ୍ତବେଦନାରେ ଛଟପଟ ହେବାକୁ ଲାଗିଲି।
ସଂଧ୍ୟା ହେଲେ କିଏ କେତେ ଆସୁଥିଲେ।ହେଲେ ତୁମେ ଆଉ ଆସୁ ନ ଥିଲ।ମୁଁ କିନ୍ତୁ ତୁମକୁ ଅପେକ୍ଷା କରୁଥିଲି।ସ୍ବଚ୍ଛ ଆକାଶର ଇନ୍ଦ୍ରଧନୁ ପରି ଆସିବାର ଉଜ୍ଜ୍ୱଳ ସମ୍ଭାବନା ଦେଖାଇ କେଜାଣି କୋଉ ମେଘ ସେପଟେ ଲୁଚି ଯାଉଥିଲ ତୁମେ!ମୁଁ ଭାରି ବ୍ୟସ୍ତ ହେଉଥିଲି।ସତ କହୁଛି ମୋତେ ଏଠି କେହିଜଣେ ଆଦୌ ତୁମ ପରି ଲାଗୁ ନ ଥିଲେ।
ତୁମେ ମୋତେ ବାସ୍ତବରେ ଭଲ ପାଉଥିଲ କି ନା ଜାଣିନି।ମୁଁ କିନ୍ତୁ ତୁମକୁ ହୃଦୟର ସହିତ ଭଲ ପାଉଥିଲି।ସବୁଦିନ ପାଇଁ ତୁମର ହେବାକୁ ଚାହୁଁଥିଲି।
ଏବେ ଦିନେ ତୁମର ଜଣେ ବନ୍ଧୁଙ୍କ ଠାରୁ ଶୁଣିଲି ତୁମେ ବିବାହ କରି ତୁମ ସ୍ତ୍ରୀଙ୍କ ସହିତ ରହୁଛ।ଆଉ ମଦ ଛୁଉଁନାହଁ।ଖୁସିରେ ଅଛ।ଶାନ୍ତିରେ ଅଛ।ମୋ ପରି ନାରୀମାନଙ୍କ ପାଖକୁ ମଧ୍ୟ ଆଉ ଯାଉନାହଁ।
ଭଲ ହେଲା।ତୁମେ ଖୁସିରେ ଥାଅ।
ତୁମର କ'ଣ ବୋଲି ପରିଚୟ ଦେବାକୁ ମୋ ପାଖରେ ଏବେ କିଛି ପ୍ରମାଣ ନାହିଁ।ହେଲେ ତୁମ ସହିତ ମୋର ସବୁ ରତି,ପ୍ରୀତି,ପ୍ରେମ ସୁଖାନୁଭବ ସୁନାମୁଦି ପାଲଟି ମାଛ ପେଟରେ ପଡି ରହିବା ପରି ଏବେ ମୋ ପେଟରେ ପଡିରହିଛି।ମୁଁ କ'ଣ ତୁମର ସ୍ତ୍ରୀ ହୋଇଛି ଯେ...?କଳଙ୍କିତା କେବେ ସ୍ତ୍ରୀ ହୋଇପାରେ କ'ଣ!
ଦିନ ଯାଉଛି, ହେଲେ ମୁଁ ତୁମକୁ ଭୁଲି ପାରୁନାହଁ।କାହିଁକି ଜାଣ?.....ମୁଁ ତୁମକୁ ଭଲପାଉଛି।ସତରେ ଭଲପାଉଛି।
ତୁମେ ଖୁସିରେ ଅଛ।ଖୁସିରେ ଥାଅ।ସେତିକି ମୋର ଖୁସି।ଆଉ କେବେ ମୋ ପରି ନାରୀମାନଙ୍କ ପାଖକୁ ଆସିବାକୁ ମନ କରିବନି।ଏପରିକି ମୋ ପାଖକୁ ବି ନୁହେଁ।ସ୍ତ୍ରୀ ପାଖରେ ଥିଲେ,ସ୍ତ୍ରୀକୁ ଭଲ ପାଉଥିଲେ ମୋ ପରି ନାରୀର ଆଉ କି ଆବଶ୍ୟକତା ଥାଏ ଯେ!
ଏ ଜନ୍ମରେ ମୁଁ ଆଉ କେବେ କାହାର ସ୍ତ୍ରୀ ହୋଇ ପାରିବିନି ।ମୁଁ କଳଙ୍କିତା।
ଭୁଲ୍ କରି କେବେ ସ୍ତ୍ରୀଙ୍କୁ କହିବ ନାହିଁ ଯେ ମୋ ପାଖକୁ ତୁମେ ସବୁଦିନ ଆସୁଥିଲ ବୋଲି।ତୁମ ପାଇଁ ଏତିକି ମୋର ଶେଷକଥା।ଯେହେତୁ ମୁଁ କଳଙ୍କିତା,.....କଳଙ୍କିତା।ହଁ,.....କଳଙ୍କିତା।