Priyaranjan Biswal

Drama Inspirational

3  

Priyaranjan Biswal

Drama Inspirational

କିଏ ଭାଙ୍ଗିଦେଲା ସାବିତ୍ରୀ ସ୍ୱପ୍ନ

କିଏ ଭାଙ୍ଗିଦେଲା ସାବିତ୍ରୀ ସ୍ୱପ୍ନ

12 mins
12.3K


କିଏ ଭାଙ୍ଗିଦେଲା ସାବିତ୍ରୀ ସ୍ୱପ୍ନ


୧. ସାବିତ୍ରୀ (୬ଷ୍ଠ ଶ୍ରେଣୀରେ ପଢୁଥିବା ଝିଅଟିଏ)

୨. ରତନା (ସାବିତ୍ରୀର ବାପା)

୩. ଆକାଶ (ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅଟିଏ)

୪. ଭୈରବ ମହାନ୍ତି (ଆକାଶର ବାପା,ଜମିଦାର)

୫. ସୁଲୋଚନା ଦେବୀ (ଆକାଶର ମାଆ)

୬. ରଞ୍ଜନ ସାର୍ (ସ୍କୁଲ୍ ଶିକ୍ଷକ)

୭. ପଲକ୍ (ଚାଇଲ୍ଡ ହେଲ୍ପ ଲାଇନ୍ ସଦସ୍ଯ)

୮. ସମୀର (ପୋଲିସ୍ ଇନିସପ୍ଯାକ୍ଟର)



        ପ୍ରଥମ ଦୃଶ୍ଯ


[ରତନାର ଘର, ସନ୍ଧ୍ଯା ସମୟରେ ଡିବିରି ଆଲୁଅରେ ବସନ ପାଠ ପଢୁଥାଏ ସାବିତ୍ରୀ, ପାଖରେ ବସିଥାଏ ରତନା]


ରଞ୍ଜନ- ରତନା,ରତନା, ସାବିତ୍ରୀ, ସାବିତ୍ରୀ ଆରେ ଘରେ କେହି ଅଛ ନା ନାହିଁ?


ରତନା- ଯାଉଛି ଯାଉଛି। (କବାଟ ଖୋଲିଛି)

ଆରେ ସାରେ ଆପଣେ ଏ ସମୟରେ? ଆସନ୍ତୁ ଆସନ୍ତୁ। ଘର ଭିତରକୁ ଆସନ୍ତୁ। ( ସାବିତ୍ରୀ ସାରଙ୍କୁ ପାଦ ଛୁଇଁ ନମସ୍କାର କରି ଆସନ ବିଛେଇ ଦେଲା ବସିବା ପାଇଁ।)


ରତନା- ଆଜ୍ଞା କିଛି ଅସୁବିଧା ହେଇଛି କି?


ରଞ୍ଜନ- ଆରେ ନା ନା, ସେମିତି କିଛି ନାହିଁ। ସାବିତ୍ରୀ ସବୁଥର ପରି ଏଥର ମଧ୍ଯ ଶ୍ରେଣୀରେ ପ୍ରଥମ ହୋଇଛି। ଆଉ ସିଏ ଯେଉଁ ରାଜ୍ଯ ସ୍ତରୀୟ ବକ୍ତୃତା ପ୍ରତି ଯୋଗିତାରେ ଭାଗ ନେଇଥିଲା ସେଥିରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ମାତ୍ର ତାର ଦେହ ଖରାପ କାରଣରୁ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇପାରିନଥିଲା। ତାର ସେଇ ପୁରସ୍କାର ପୋଷ୍ଟରେ ଆସି ଆଜି ପହଞ୍ଚିଲା। ଏଇବାଟ ଦେଇ ବଜାରକୁ ଯାଉଥିଲି, ଭାବିଲି ତା ପୁରସ୍କାର ତାକୁ ଦେଇଦେଇ ଯିବି। ମା ନେ ତୋ ପୁରଷ୍କାର। ( ସାବିତ୍ରୀ ସାରଙ୍କ ହାତରୁ ପୁରଷ୍କାର ନେଲା ଆଉ ପଢିବା ପାଇଁ ବହି ଧରି ଭିତର ଘରକୁ ଚାଲିଗଲା) ଯାହା କୁହ ରତନା ସାବିତ୍ରୀ ଆମର ହୀରା ଖଣ୍ଡେ। ତା ଆଖିରେ ଅନେକ ସ୍ୱପ୍ନ। ଦୟାକରି ଯେତେ କଷ୍ଟ ପଡୁ ପଛେ ତାର ସେ ସ୍ୱପ୍ନ ଗୁଡାକୁ ଆପଣ କେବେ ଭାଙ୍ଗିବାକୁ ଦେବେନି।


ରତନା- ଯାହା ସେଇ ଭଗବାନଙ୍କ ଇଛା ଆଜ୍ଞା। ବିଚାରୀକୁ ଜନ୍ମଦେଇ ତା ମାଆ ଚାଲିଗଲା ଆରପାରିକୁ। ଏକୁଟିଆ ମଣିଷ ମୁଁ। ଗରିବ ମଳି ମୁଣ୍ଡିଆଟା। ହେଲେ ସେଇଦିନ ଠାରୁ ତା ମାଆ ଆଉ ବାପା ସବୁ ମୁଁ। ସିଏ ମୋ ଛାତିର କଲିଜା।

ରଞ୍ଜନ- ବ୍ଯସ୍ତ ହୁଅନି ତୁମ କଷ୍ଟ ନିଶ୍ଚିତ ଦୂର କରିବ ଦିନେ ଏଇ ସାବିତ୍ରୀ। ହଉ ଏବେ ମୁଁ ଆସୁଛି। ତେଣେ ଦୋକାନ ବନ୍ଦ ହୋଇଗଲେ ମତେ ଓପାସରେ ଶୋଇବାକୁ ପଡିବ। (ରଞ୍ଜନ ଚାଲିଗଲା)


(ରତନା ଦରଜା ବନ୍ଦକରି ବସିବାକୁ ଯିବା ସମୟରେ ପଣି ଶୁଭିଲା ଠକ୍ ଠକ୍ ଶବ୍ଦ)


ରତନା- ଓ ହୋ। ପୁଣି କିଏ ଆସିଲାଯେ? ଯାଉଛି ଯାଉଛି ରୁହ। (ଦରଜା ଖୋଲି) ସାଆନ୍ତେ ତେମେ ଆପଣେ ପୁଣି ମୋ ଘରେ?

ଆଲୋ ମା ସାବିତ୍ରୀ ସାଆନ୍ତେଙ୍କ ପାଇଁ ଆସନଟିଏ ଆଣିଲୁ।


ଭୈରବ- ନା ନା ଥାଉ ସେସବୁ କିଛି ଦରକାର ନାହିଁ।


ରତନା- ଯଦି କିଛି କାମ ଥିଲା ମତେ ଡକେଇ ପଠେଇଲେନି। ମୁଁ ଯାଇ ଦେଖା କରିଥାନ୍ତି। ଆପଣ କାହିଁକି ଆସୁଥିଲେ?


ଭୈରବ-କଥା କଣକି ରତନା ମୋ ପୁଅ ଆକାଶ ପାଇଁ ମୁଁ ଗୋଟିଏ କନିଆଁ ଖୋଜୁଛି। ସିଏ ଏବେ ଅଷ୍ଟମରେ ପଢୁଛି। ସେଥିପାଇଁ...


ରତନା- ଓହୋ। ବୁଝିଲି, ଏଇପଟେ କନିଆ ଦେଖିବାକୁ ଯାଇଥିଲେ,ଆଉ ବାଟରେ ମୋ ଘର ପଡିବାରୁ ସୁଝିପାରି ନଥିବା କରଜ ଅସୁଲ ପାଇଁ ଆସିଛନ୍ତି। ସାଆନ୍ତେ ମୁଁ କଥା ଦେଉଛି ଏଇସନ ଧାନ ଅମଳ ପରେ ମୁଁ ନିଜେ ଆପଣଙ୍କ ସବୁ କରଜ ସୁଝିଦେବି। ସେତିକି ଦିନ ପର୍ଯ୍ଯନ୍ତ ମତେ ଟିକିଏ ସମୟ ଦିଅନ୍ତୁ।


ଭୈରବ- ନା,ନା ମୁଁ ସେଥିପାଇଁ ଆସିନି ରତନା। ମୁଁ ସୁଣିଲି ତୋ ଝିଅ ସାବିତ୍ରୀ ରୂପରେ ଯେମିତି ଗୁଣରେ ସେମିତି। ପୁରା ଗୋଟିଏ ଚାଉଳରେ ଗଢା। ସେଥିପାଇଁ ମୋ ପୁଅର ତା'ସହ ବାହାଘର ପ୍ରସ୍ତାବ ନେଇ ଆସିଛି।


ରତନା- କିନ୍ତୁ ସିଏତ ଏବେ ଷଷ୍ଠ ଶ୍ରେଣୀରେ ପଢୁଛି। ତାର ଅନେକ ସ୍ୱପ୍ନ। ବାହଘର ହେଲେ ତାର ସେ ସ୍ୱପ୍ନ ସବୁ ଭାଙ୍ଗିଯିବ।


ଭୈରବ- ସେଥିରେ କଣ ଅଛି ମୋ ପୁଅତ ଅଷ୍ଟମ ଶ୍ରେଣୀରେ ପଢୁଛି। ସାଙ୍ଗ ହୋଇ ଆମ ଗାଁ ସ୍କୁଲରେ ପଢିବେ। ତାଛଡା ଏବେ ସେ ଛୋଟ ଅଛି ବୋଲି ଚଳି ଯାଉଛି। କାଲି ବଡ ହେବ। ତୁ କଣ ସେତେବେଳେ ତା ସ୍ୱପ୍ନ ସବୁ ପୁରଣ କରିପାରିବୁ? କେବଳ ମୋ ଘରେ ସେ ତା ସ୍ୱପ୍ନକୁ ସହଜରେ ପୁରଣ କରିପାରିବ।ଆଉ ହଁ ତତେବି ଆଉ ତୋ କରଜ ସୁଝିବାକୁ ପଡିବନି। ଓଲଟି ମୁଁ ତତେ ପଚାଶ ହଜାର ଟଙ୍କା ଦେବି ବାହାଘର ଖର୍ଚ ପାଇଁ। ମୋର କୌଣସି ଯାନି ଯୌତୁକ ବି ଦରକାର ନାହିଁ। କେବଳ ତୋ ଝିଅଟି ଦରକାର।

(ରତନା ନୀରବରେ ଚିନ୍ତା କରିବାକୁ ଲାଗିଲା)

ଆରେ ଏତେ ଚିନ୍ତା କଣ କରୁଛୁ? ଏ ଭୈରବ ମହାନ୍ତି ଘରେ ତୋ ଝିଅର କିଛି ଅସୁବିଧା ହେବନି। ସିଏ ସେଠି ରାଣୀ ହୋଇ ରହିବ।


ରତନା- ହଉ, ତା'ଭାଗ୍ଯରେ ଯଦି ସେଇଆ ଲେଖା ଅଛି ମୁଁବା ପ୍ରତିବାଦ କରିବି କାହିଁକି?


ଭୈରବ- ହଉ ତେବେ ଠିକ୍ ଅଛି। ଆସନ୍ତା ରବିବାର ଲଗ୍ନ ଓ ସୋମବାର ବାହାଘର। 


ରତନା- ହେଲେ ସାଆନ୍ତେ ଆଜି ପରା ଗୁରୁବାର। ଏତେ ଶିଘ୍ର ଏ ସବୁ କେମିତି...


ବୈରବ- ଆରେ ତୁ ଚିନ୍ତା କରନି। ସେ ସବୁ କଥା ମୋ ଲୋକ ବୁଝିଦେବେ। ଏଇ ନେ ପଚାଶ ହଜାର ଟଙ୍କା ରଖ। (ସାଆନ୍ତେ ପଳେଇଗଲେ, ରତନା ଘର ଭିତରକୁ ଯାଇ ଦରଜା ବନ୍ଦକରୁଛି)


ସାବିତ୍ରୀ- ବାପା ସତରେ ତୁମେ ମତେ ବାହାକରିଦେବ?


ରତନା- ଦେଖ୍ ମା, ସାଆନ୍ତେ ବଡ ଲୋକ। ଚାକର ପୂଜାରୀଙ୍କର ତାଙ୍କ ଘରେ ଅଭାବ ନାହିଁ। ତୁ ସେଠି ନିଶ୍ଚିତ ଖୁସିରେ ରହିବୁ।


ସାବିତ୍ରୀ- କିନ୍ତୁ ମୁଁ ଯେ ଆହୁରି ପଢିବାକୁ ଚାହେଁ। ଅନେକ ସ୍ୱପ୍ନ ମୋର ଅଛି, ଯାହା ମୁଁ ପୁରଣ କରିବାକୁ ଚାହେଁ। ତୁମେ କଣ ମୋର ସେ ସ୍ୱପ୍ନ ସବୁ ଭାଙ୍ଗିଦେବ?


ରତନା- ନା,ନା ତୁ ଚିନ୍ତା କରନା, ଶାଶୁଘରେ ଯାଇ ପାଠପଢି ତୁ ତୋ ସ୍ୱପ୍ନ ସବୁ ସହଜରେ ପୁରା କରିପାରିବୁ।


ସାବିତ୍ରୀ- ମୁଁ କିନ୍ତୁ ଏଇଠି ତୁମ ପାଖରେ ରହି ପାଠ ପଢି ନିଜର ସ୍ୱପ୍ନ ପୁରଣ କରିବାକୁ ଚାହେଁ।


ରତନା- ନା,ନା ତୁ କାଲିଠାରୁ ଆଉ ସ୍କୁଲ ଯିବୁନି। ବାହାଘର ପରେ ତୋ ଶାଶୁଘରେ ନୂଆ ସ୍କୁଲକୁ ଯିବୁ। ହଉ ଶୁଣ ମୁଁ ଏବେ ବାଜାରକୁ ଯାଉଛି ତୁ ଦରଜା ଭିତରୁ ବନ୍ଦ କରିଦେବୁ। ( ରତନା ଚାଲିଗଲା, ସାବିତ୍ରୀ ଦରଜା ବନ୍ଦକରି ବହୁତ କାନ୍ଦିଛି, ଆଉ କାନ୍ଦି କାନ୍ଦି ଶୋଇ ପଡିଛି। ରତନା ଆସି କବାଟ ଠକ୍ ଠକ୍ କରିଛି। ସାବିତ୍ରୀ, ସାବିତ୍ରୀ ଡାକିଛି ସାବିତ୍ରୀ ଉଠିଆସି କବାଟ ଖୋଲି ଦେଇଛି)


ସାବିତ୍ରୀ- ବାପା ଶୋଇ ପଡିଥିଲି।


ରତନା- ହଉ ଆସ୍ ଖାଇବା ଆସ୍।


(ସାବିତ୍ରୀର ବାହାଘର କଥା ମନେପଡି ଯାଇଛି)

ସାବିତ୍ରୀ- ନା ମୁଁ ଖାଇବିନି। (କହି ବସି କାନ୍ଦିବାକୁ ଲାଗିଛି।)


ରତନା- (ସାବିତ୍ରୀ ପାଖରେ ବସି ତା ହାତକୁ ନିଜ ହାତରେ ଧରି) ଦେଖ୍ ତୁ ଯଦି ଏମିତି ଅଝଟ କରିବୁ ତାହେଲେ ମୁଁ ସତ କହୁଛି ମୁଁ ବିଷ ଖାଇଦେବି ନହେଲେ ଦଉଡି ଦେଇଦେବି।


ସାବିତ୍ରୀ- ( ସାବିତ୍ରୀ ଚମକି ପଡି ବାପା ପାଟିକୁ ହାତରେ ଯାବୁଡି ଧରି, ଛଳଛଳ ଆଖିରେ) ନା ବାପା ନା। ମୋ ସ୍ୱପ୍ନ ପାଇଁ ତୁମେ ନିଜ ଜୀବନ କାହିଁକି ହାରିବ? ମୋ ସ୍ୱପ୍ନ ପଛେ ଭାଙ୍ଗିଯାଉ ତୁମର କିଛି ନହେଉ। ତୁମ ଛଡା ଏଇ ଦୁନିଆରେ ମୋର କିଏ ବା ଅଛି? ଠିକ୍ ଅଛି ବାପା ତୁମ ଖୁସିପାଇଁ ମୁଁ ଏ ବାହାଘରରେ ରାଜି।


          [ମଞ୍ଚ ଅନ୍ଧାର]



         ୨ୟ ଦୃଶ୍ଯ


[ଭୈରବ ମହାନ୍ତି ଘର, ନୂଆ ବହୂର ଗୃହ ପ୍ରବେଶ]


ଭୈରବ- ଆରେ କୁଆଡେ ଗଲ? ପୁଅ ବହୂକୁ ବନ୍ଦାପନା କରି ଘରକୁ ନିଅ। ଆରେ ସୁଭୁଚି ନା ନାହିଁ?


ସୁଲୋଚନା ଦେବୀ- ହଁ ହଁ ଆସୁଛି। (ହାତରେ ବନ୍ଦାପନା ଥାଳି ଧରି ସୁଲୋଚନା ଦେବୀ ପୁଆ ବହୁଙ୍କୁ ବନ୍ଦାପନା କରି ଭିତରକୁ ନେଇଗଲେ।


        [ ମଞ୍ଚ ଅନ୍ଧାର]


        ତୃତୀୟ ଦୃଶ୍ଯ


[ରାତିରେ ନିଜ ରୁମ୍ ରେ ଏକା ବସିଛି ସାବିତ୍ରୀ]


ସାବିତ୍ରୀ - ଆଜି ଶାଶୁଘରେ ମୋର ପ୍ରଥମ ଦିନ। ସବୁଦିନ ମୋ ବାପାଙ୍କ ପାଖରୁ ଗପ ନଶୁଣିଲେ ନିଦ ଆସେନି। ଏଠିବା ଆଉ ମତେ କିଏ ଗପ କହିବ?


ସୁଲୋଚନା ଦେବୀଙ୍କ ପ୍ରବେଶ- ବସିଥା, ଆକାଶ ଆସିଲେ ସାଙ୍ଗ ହେଇ ଶୋଇବ।


ସାବିତ୍ରୀ- କିନ୍ତୁ ବୋଉ ମୁଁ ତ ଗପ ନଶୁଣିଲେ ମତେ ନିଦ ହେବନି।


ସୁଲୋଚନା- ସେ ସବୁ ଅଭ୍ଯାସ ଏଠି ଆଉ ଚଳିବନି। ବୁଝିଲୁ ଖାଲି ସେମିତି ଶୋଇବାକୁ ଅଭ୍ଯାସ କର।


ଆକାଶ- (ପ୍ରବେଶ) ବଉ ବହୁତ ଜୋରେ ନିଦ ଆସିଲାଣି। ଯାଉଛି ଶୋଇବି। (ସାବିତ୍ରୀକୁ ନିଜ ବେଡ ଉପରେ ଦେଖି) ଇଏ କଣ ମୋ ବେଡ୍ ଉପରେ ବସିଛି। ମୁଁ ମୋ ବେଡ୍ ରେ ଏକା ଶୋଇବି। ତାକୁ ଅାଉ କଉଠି ଶୋଇବାକୁ କୁହ। ନହେଲେ ମୁଁ ଯାଉଛି ବାହାରେ ଶୋଇବି।


ସୁଲୋଚନା- ସାବିତ୍ରୀ ତୁ ଗୋଟେ କାମ କର କାକୁ ପଲଙ୍କ ଛାଡି ଦେ ଆଉ ତୁ ଏଇଠି ତଳେ ବିଛଣା ପାରି ଶୋଇପଡ।


ସାବିତ୍ରୀ- ନାଁ ମୁଁ ବି ପଲଙ୍କରେ ଶୋଇବି।


ସୁଲୋଚନା - (ରାଗିଯାଇ) ସିଏ ତୋ ସ୍ୱାମୀ ତାକୁ ଖୁସିରେ ରଖିବା ତୋ କାମ। ଚୁପ୍ ଚାପ୍ ଆସି ତଳେ ଶୋ। 


ସାବିତ୍ରୀ- ଧିର ସ୍ୱରରେ ହଉ ଠିକ୍ ଅଛି ବୋଉ।


         [ ମଞ୍ଚ ଅନ୍ଧାର]


        ଚତୁର୍ଥ ଦୃଶ୍ଯ


[ରତନାର ଘର, ଏକୁଟିଆ ମନ ଦୁଃଖରେ ବସିଛି ରତନା]


ରତନା- (ଆଖି ଲୁହରେ ଛଳଛଳ) ଆଜକୁ ପନ୍ଦର ଦିନ ହୋଇଗଲା ସାବିତ୍ରୀର ବାହାଘର। ସିଏ ଥିଲାବେଳେ ବାପା ବାପା ଡାକି ଘର ଫଟେଇ ପକଉ ଥିଲା। ହେଲେ ଏବେ ଘରଟା ପୁରା ଖାଁ ଖାଁ। ହଁ, ସିଏ ତ ପରଧନ। କେତେ ଦିନବା ତାକୁ ଆଉ ଘରେ ରଖିଥାନ୍ତି? ଭଗବାନ୍ କରନ୍ତୁ ମୋ ଝିଅ ସେଠି ଖୁସିରେ ଥାଉ।


ରଞ୍ଜନ- ରତନା,ରତନା ଏ ରତନା।


ରତନା- (ଆଖିରୁ ଲୁହ ପୋଛି) ଯାଉଛି ଯାଉଛି ଆଜ୍ଞା।

(ଦରଜା ଖୋଲି ଜୁହାର ଆଜ୍ଞା)


ରଞ୍ଜନ- ଆରେ କଥା କଣ ସାବିତ୍ରୀ ଆଉ ପନ୍ଦର କୋଡିଏ ଦିନ ହେବ ସ୍କୁଲ୍ ଆସୁନି? ତା ଦେହ ଭଲ ଅଛିତ?


ରତନା- ଏଇ ସୋମବାର ର ତା ପୂର୍ବ ସୋମବାର ତାର ବାହାଘର କରିଦେଲି ଆଜ୍ଞା।


ରଞ୍ଜନ- ବାହାଘର! କିନ୍ତୁ ସିଏତ ଏବେ ଷଷ୍ଠ ଶ୍ରେଣୀରେ ପଢୁଛି। ତାର କଣ ବାହାଘର ବୟସ ହେଲାଣି?


ରତନା- ଆର ଗାଁ ଭୈରବ ସାଆନ୍ତେ ତାଙ୍କ ପୁଅ ଆକାଶ ପାଇଁ ବାହାଘର ପ୍ରସ୍ତାବ ନେଇ ଆସିଥିଲେ। ତାଙ୍କ ପୁଆ ଅଷ୍ଟମ ଶ୍ରେଣୀରେ ପଢୁଛି। ବଡଘର ଆଜ୍ଞା। ସାଆନ୍ତେ ବି ସାବିତ୍ରୀ ସବୁ ଭଲମନ୍ଦ ବୁଝିବେ ଓ ତାର ସବୁ ସ୍ୱପ୍ନ ପୁରଣ କରିବେ ବୋଲି କଥା ଦେଲେ। ବାହାଘର ର ସବୁଖର୍ଚ ସିଏ ନିଜେ କଲେ। ତାଛଡା ମୋ ଭଳି ଗରିବ ମଳି ମୁଣ୍ଡିଆ ଲୋକ ଯେତେ ଚେଷ୍ଟା କଲେ ମଧ୍ଯ କଣ ଏତେବଡ ଘରେ ବାହା ଦେଇପାରିଥାନ୍ତା। ସବୁ ସେଇ ଭଗବାନଙ୍କ ଇଛା।


ରଞ୍ଜନ- କିନ୍ତୁ ତୁମେ କଣ ଜାଣିନ ଝିଅର ୧୮ ବର୍ଷ ଓ ପୁଅର ୨୧ ବର୍ଷ ପୂର୍ବରୁ ବିବାହ ଆଇନ୍ ଆଖିରେ ଅପରାଧ ବୋଲି? ତା'ଛଡା ସରକାର ବାଲ୍ଯ ବିବାହକୁ ନିଷିଧ ଘୋଷଣା କରିଛନ୍ତି। ଏପରି କଲେ କିମ୍ବା କରିବା ପାଇଁ ପ୍ରବର୍ତ୍ତାଇଲେ ଉଭୟ ଜୋରିମନା ଓ ଜେଲ୍ ହୋଇପାରେ।


ରତନା- ମୁରୁଖ ନୋକ ଆଜ୍ଞା। ଏତେକଥା ଜାଣିବି କେମିତି? ଝିଅର ଖୁସିପାଇଁ ଏମିତି ନିଷ୍ପତିଟିଏ ନେବାକୁ ବାଧ୍ଯହେଲି।


ରଞ୍ଜନ- ହଉ ଠିକ୍ ଅଛି। କାଲି ମୁଁ ସାବିତ୍ରୀ ଘରକୁ ଯାଇ ତାର ଭଲମନ୍ଦ ବୁଝି ଆସିବି।


ରତନା- ତାର ଭଲ ମନ୍ଦ ଖବର ମତେବି ଟିକିଏ ଜଣେଇବେ ଆଜ୍ଞା।

(ରଞ୍ଜନର ପ୍ରସ୍ଥାନ)

          [ମଞ୍ଚ ଅନ୍ଧାର]



          ପଞ୍ଚମ ଦୃଶ୍ଯ


[ଭୈରବ ମହାନ୍ତି ଘର, ଘରେ ସୁଲୋଚନା ଦେବୀ ଓ ସାବିତ୍ରୀ]


ସୁଲୋଚନା- ସାବିତ୍ରୀ,ସାବିତ୍ରୀ ଆଲୋ ଏ ପୋଡା ମୁଁହିଁ ସାବିତ୍ରୀ ଆଲୋ ବଞ୍ଚିଛୁ ନା ମରିଗଲୁଣି ବା? ଆଲୋ ତତେ କଣ ଶୁଭୁନି ନା କଣ?


ସାବିତ୍ରୀ- ଯାଉଛି ଯାଉଛି ବୋଉ। (ଶାଢିକୁ ଅଡୁଆ ତଡୁଆ କରି ଗୁଡାଇ ପିନ୍ଧି ପହଞ୍ଚିଛି ସାବିତ୍ରୀ)


ସୁଲୋଚନା ଦେବୀ- ଆଲୋ ଆଲୋ ଇଏ କି ଶାଢି ପିନ୍ଧା? ତତେ ମରଣ ହେଉନି ଯାହା।ଆଲୋ ଶାଢିଟେବି ଠିକ୍ ରେ ପିନ୍ଧି ପାରୁନୁ? ହଉ ଯାଆ ସେଇ ବାସନତକ ମାଜିଦବୁ। ଲୁଗା କାଚିଦବୁ ଆଉ ଘର ଓଳେଇ ସାରି ରୋଷେଇ କରିବୁ।


ସାବିତ୍ରୀ- ଏସବୁ କାମତ ମତେ ଆସିବନି। ତା'ଛଡା ଏତେ ସବୁ କାମ କଣ ମୁଁ ଏକା କରିବି? ଆପଣ ଆସୁନାହାଁନ୍ତି ସାଙ୍ଗହୋଇ କରିବା?


ସୁଲୋଚନା- କଣ ହେଲା ମୁଁ କରିବି? କାଇଁ ତନ କଣ ଆସିଛୁ ଏଠି ବସି ଖାଲି ଗେମ୍ଫା ମାରିବୁ? ଖାଇଲା ବେଳକୁତ ଖାଉଛି, କାମକଲା ବେଳକୁ ଏତେ କୁନ୍ଥୁ କୁନ୍ଥୁ କାହିଁକି ବା?


ସାବିତ୍ରୀ- ମୁଁ ଛୋଟଛୁଆଟା ଏତେ କାମ କେମିତି କରିବି?


ସୁଲୋଚନା- ଛୋଟ ଛୁଆ? ଆଲୋ ତୁ କି ଛୋଟ ଛୁଆ ବା? କାଲି ଭଳି ଛୁଆର ମାଆ ହେବ କହିଲା କଣ ନା ଛୋଟ ଛୁଆ। ଆଲୋ ତୋରି ବୟସରେ ପରା ମୁଁ ଘରର ସବୁ କାମ କରି ୧୫ ଜଣ ପରିବାରକୁ ରୋଷେଇ କରି ଖାଇବାକୁ ଦେଉଥିଲି। ଯା, ଯା ଚୁପ୍ଚାପ୍ କାମ କରିବୁ ଯାଆ।


ସାବିତ୍ରୀ- ନାଁ ମୁଁ ସ୍କୁଲ ଯିବି, ପାଠ ପଢିବି, ମୋ ସ୍ୱପ୍ନ ସବୁକୁ ପୁରଣ କରିବି। ମୁଁ ଏକା ଏତେ ଘରକାମ କରି ପାରିବିନି।


ସୁଲୋଚନା- କଣ ହେଲା ପାଠ ପଢିବୁ? ଇଲୋ ତୁ ଝିଅ ପିଲାଟା, ପାଠ ପଢି କଣ ସ୍ୱର୍ଗକୁ ଯିବୁ?

ଝିଅ ଜନମ ଚୁଲି ମୁଣ୍ଡକୁ। କହିଲା କଣ ନା ପାଠ ପଢିବି। ସତେ ଯେମିତି ଇଏ ପାଠ ପଢିଲେ ମୋ ଚଉଦ ପୁରୁଷ ଉଦ୍ଧାର ହେଇଯିବ ଆଉ?


ସାବିତ୍ରୀ- ମୁଁ ତାଙ୍କ ସହ କାଲିଠାରୁ ନିଶ୍ଚିତ ସ୍କୁଲ୍ ଯିବି। 


ସୁଲୋଚନା- ଆଉ କାମ ସବୁ କଣ ତୋ ବୋପା କରିବ?


ସାବିତ୍ରୀ- ଯିଏ କରୁ ମୁଁ କିନ୍ତୁ କରିବିନି।


ସୁଲୋଚନା- କଣ ହେଲା ତୁ କାମ କରିବୁନି?


ସାବିତ୍ରୀ- ନାଁ ମୁଁ କରିବିନି।


ସୁଲୋଚନା- ଛିଛି ଲୋ ପଚା ପଇଡ, ଭାସିଯାଉଥିଲୁ ମଝି ନଈର, ଗୋଟେଇ ଆଣିଲି ତତେ ଠକରା ଗାଲରେ ମାଉଁସ ଲାଗିଲା ଜବାବ ଦେଉଛୁ ମେତେ? ଇଏ ଛୋଟ ସାପରେ ବହୁତ ବିଷ।


ସାବିତ୍ରୀ- ମୁଁ କିଛି ଭୁଲ୍ କହିନି ବୋଉ। ଯାହାବି କହିଛି ସବୁ ଠିକ୍ କହିଛି।


ସୁଲୋଚନା- ହଉ ରହ ମୁଁ ବି ଦେଖୁଛି ତୁ କେମିତି କାମ କରିବୁନି? କୁଆଡେ ଗଲା ସେ ବାଡି? ଆଜି ମୁଁ ତୋର ସବୁ ବିଷ ଦାନ୍ତକୁ ଝାଡି ନଦେଇଛି ତାହେଲେ ମୋ ନାଁ ବି ସୁଲୋଚନା ନୁହେଁ। ( ବାଡି ଆଣି ସାବିତ୍ରୀକୁ ପ୍ରବଳ ପିଟିଛନ୍ତି)


ସାବିତ୍ରୀ- ମରିଯିବି ବୋଉ, ଛାଡିଦିଅ, ମରିଯିବି।


ସୁଲୋଚନା- ସ୍କୁଲ୍ ଯିବୁ ନା ଘରକାମ କରିବୁ?


ସାବିତ୍ରୀ- ନା ବୋଉ ମୁଁ ଆଉ ସ୍କୁଲ୍ ଯିବିନି ଘରକାମ ସବୁ କରିବି ମତେ ଛାଡିଦିଅ।

( ବାହାରେ ଛିଡା ହୋଇ ଏସବୁ କଥାକୁ ଝରକା ଫାଙ୍କରେ ରଞ୍ଜନ ଦେଖୁଥିଲା)


ରଞ୍ଜନ- ଭୈରବ ବାବୁ,ଭୈରବ ବାବୁ ବୈରବ ବାବୁ ଘରେ ଅଛନ୍ତି?


ସୁଲୋଚନା - ଯା ଦେଖିବୁ ଯାଆ କିଏ ଡାକୁଛନ୍ତି?


ସାବିତ୍ରୀ- ନାଁ ନାଁ ବାପା ଘରେ ନାହାଁନ୍ତି। (ଦରଜା ଖୋଲି) ସାର୍ ଆପଣ? ( ପାଦଧରି ନମସ୍କାର କରିଛି ଆଉ ଆଖିରୁ ଗଡି ଯାଉଛି ଧାରଧାର ଲୁହ)


ରଞ୍ଜନ-( ସାବିତ୍ରୀ ଆଖିରୁ ଲୁହ ପୋଛିଦେଇ) ମୁଁ ସବୁ ଦେଖିଛି ଓ ଶୁଣିଛି। ତୁମେ ଜମା ବ୍ଯସ୍ତ ହୁଅନି, କିଛି ଦିନ ମଧ୍ଯରେ ତୁମକୁ ମୁଁ ଏଠୁ ମୁକୁଳେଇ ନେବି ନିଶ୍ଚିତ। ସେତେଦିନ ଯାଏ ତୁମକୁ ଧର୍ଯ୍ଯର ସହ ସବୁ ସମ୍ଭାଳିବାକୁ ହେବ। 


ସୁଲୋଚନା- ଆଲୋ କିଏ ଆସିଛନ୍ତି କିଲୋ? ଏତେ ସମୟ ବାହାରେ କଣ କରୁଛୁ ବା?


ସାବିତ୍ରୀ- ମୋ ସ୍କୁଲ୍ ସାର୍।


ରଞ୍ଜନ- ନମସ୍କାର ଆଜ୍ଞା।


ସୁଲୋଚନା- କଣ ହେଲା? ୟାଙ୍କ ପାଖରେ କିଛି କାମ ଥିଲାକି?


ରଞ୍ଜନ- କଥା କଣକି ସ୍କୁଲର ବାର୍ଷିକ ଉତ୍ସବରେ ଭୈରବ ବାବୁଙ୍କୁ ମୁଖ୍ଯ ଅତୀଥି କରିବାକୁ ଚାହୁଁଛି, ତେଣୁ ତାଙ୍କସହ ଟିକେ କଥା ହେବାକୁ ଆସିଥିଲି। ଭଲ ହେଲା ସାବିତ୍ରୀ ସହ ଦେଖା ହୋଇଗଲା। ସାବୀତ୍ରୀଟା ଆମର ଝିଅ ନୁହେଁ ହୀରା ଖଣ୍ଡେ।


ସୁଲୋଚନା- ହଉ ଏବେ ତ ସିଏ ଘରେ ନାହାଁନ୍ତି ପରେ ଆସିବେ ଯାଆନ୍ତୁ।

( ରଞ୍ଜନ ଚାଲିଗଲା). ମଞ୍ଚ ଅନ୍ଧାର।


        ୬ଷ୍ଠ ଦୃଶ୍ଯ


[ରାସ୍ତାରେ ରତନା ଗୋଟିଏ ଗୋଟିଆ ଧରି ଯାଉଥିବା ସମୟରେ ରଞ୍ଜନ ସାରଙ୍କ ସହ ଭେଟ ହୋଇଗଲା]


ରତନା- ସାର୍ ଆପଣ ସାବିତ୍ରୀ ଘରକୁ ଯାଇଥିଲେ?


ରଞ୍ଜନ- ହଁ ଯାଇଥିଲି କିନ୍ତୁ...


ରତନା- କିନ୍ତୁ କଣ ସାର ସାବିତ୍ରୀ ସେଠି ଭଲରେ ଅଛିତ ଆଜ୍ଞା?


ରଞ୍ଜନ- ଏଡିକି ବକଟେ ଛୁଆ କେମିତିବା ଭଲରେ ରହିଥିବ ବୋଲି ଆପଣ ଭାବିଛନ୍ତି? 


ରତନା- ମାନେ?


ରଞ୍ଜନ- ନାଁ ତାକୁ ଘର କାମ ଜଣା ନା ଶାଢି ପିନ୍ଧା। ଖେଳିବା ବୁଲିବା ବୟସରେ ସେ କେମିତି ସମ୍ଭାଳି ପାରିବ ଏ ସଂସାର ଜଞ୍ଜାଳ। ଯାହା କୁହ ରତନା ତୁମେ ଏତେ କମ୍ ବୟସରେ ସାବିତ୍ରୀର ବିବାହ କରି ତାର ସବୁ ସ୍ୱପ୍ନକୁ ଆପଣ ନିଜ ହାତରେ ଭାଙ୍ଗି ଦେଲେ।


ରତନା- ତାମାନେ କଣ ମୋ ଝିଅ ସେଠି ଘର କାମ କରୁଛି, ସ୍କୁଲ୍ ଯାଉନି?


ରଞ୍ଜନ- ସ୍କୁଲ୍ କେମିତି ଯିବ? ଘରକାମରୁ ଫାଙ୍କା ମିଳିଲେତ? ତାଛଡା ଘରକାମ ଜାଣିନି ବୋଲି ତାକୁ ମାଡ ଖାଇବାରୁ ଫୁର୍ସତ କାଇଁ?


ରତନା- ଅଖିକୁ ଛଳଛଳ କରି ମୋ ଫୁଲ ଭଳି ଝିଅଟାକୁ ଏତେ କଷ୍ଟ ସହିବାକୁ ପଡୁଛି? ଆଜ୍ଞା ଆପଣ ପ୍ରକୃତରେ ଠିକ୍ କହିଛନ୍ତି ମୋ ଝିଅ ସାବିତ୍ରୀର ସବୁ ସ୍ୱପ୍ନକୁ ମୁଁ ନିଜେ ଭାଙ୍ଗି ଦେଇଛି। (ଆଖିରୁ ଲୁହ ପୋଛି ଦେଇ) ଛାଡିବିନି, ଛାଡିବିନି କାହାକୁ। ଏଇ ଗୋଟିଆରେ ଗୋଟା ଗୋଟା ହାଣି ଗଡେଇ ଦେବି। ଯେଉଁମାନେ ମୋ ସାବିତ୍ରୀ ଆଖିରେ ଲୁହ ଦେଇଛନ୍ତି କାହାକୁବି ଛାଡିବିନି? ରକ୍ତ ପିଇଯିବି ସମସ୍ତଙ୍କର।


ରଞ୍ଜନ- ନା ରତନା ନା। ଧର୍ଯ୍ଯ ଧର ସବୁ ଠିକ୍ ହୋଇଯିବ।


ରତନା- ନାଁ ଆଜ୍ଞା ଆଉ ଧର୍ଯ୍ଯ ଧରି କଣ ମିଳିବ? ଆପଣ ଯାଆନ୍ତୁ। ମୁଁ ଆଜି ସେମାନଙ୍କୁ ମୋର ଏଇ ଟାଙ୍ଗିଆରେ ନିଶ୍ଚିତ ହାଣିବି।


ରଞ୍ଜନ- ଦେଖ ରତନା ତୁମେ ଥରେ ଥଣ୍ଡା ମୁଣ୍ଡରେ ଚିନ୍ତାକର। ତୁମେ ସେମାନଙ୍କୁ ମାରିଦେବା ପରେ ତୁମକୁ ଜେଲ୍ କି ଫାସୀ ହୋଇଯିବ। ତା'ପରେ ସାବିତ୍ରୀର କଣ ହେବ? ତା କଥା କିଏ ବୁଝିବ?


ରତନା- ( ନୀରବ ହୋଇଗଲା କିଛି କ୍ଷଣ, ତାପରେ କହିଲା) ତେବେ କଣ ମୋ ଝିଅ ଜୀବନ ସାରା ଏମିତି ନିର୍ଯାତନା ସହି ଚାଲିଥିବ?


ରଞ୍ଜନ- ତୁମେ ବ୍ଯସ୍ତ ହୁଅନି ମୁଁ କାଲି ସହରକୁ ଯିବି। କିଛି ଗୋଟିଏ ଉପାୟ ନିଶ୍ଚିତ ବାହାର କରିବି।


ରତନା- ହଉ ଆଜ୍ଞା। ଯାହା କରିବା କଥା ଟିକିଏ ଶିଘ୍ର କରନ୍ତୁ ନହେଲେ ମୋ ଝିଅଟା ମରିଯିବ।


ରଞ୍ଜନ- ନା ନା ମୁଁ କେବେ ସେମିତି ହେବାକୁ ଦେବିନି।


       ମଞ୍ଚ ଅନ୍ଧାର


      ୭ମ ଦୃଶ୍ଯ


[ ଥାନା ଭିତରେ ବସିଛନ୍ତି ସମୀର ଓ ପଲକ। ସମୀର୍ କିଛି ଫାଇଲ୍ ଦେଖୁଛନ୍ତି ଆଉ ପଲକ କଣ ଗୋଟେ ଲେଖୁଛନ୍ତି]


ରଞ୍ଜନ- ମୁଁ ଭିତରକୁ ଆସିପାରେ?


ସମୀର- ଆରେ ରଞ୍ଜନ ଆସ ଆସ। କୁହ କଣ ନେବ ଥଣ୍ଡା ନା ଗରମ?


ରଞ୍ଜନ- ନା କିଛି ଦରକାର ନାହିଁ।


ସମୀର- ଆରେ ଏତେ ଦିନପରେ ମୋ କଥା ତୁମର କେମିତି ମନେ ପଡିଗଲା? ଆଉ ସ୍କୁଲ୍ କେମିତି ଚାଲିଛି ତୋର?


ରଞ୍ଜନ- ସବୁ ଠିକ୍ ଅଛି। କିନ୍ତୁ...


ସମୀର୍- କିନ୍ତୁ ପୁଣି କଣ?


ରଞ୍ଜନ- ମୋ ସ୍କୁଲ୍ ରେ ସାବିତ୍ରୀ ବୋଲି ଝିଅଟିଏ ୬ଷ୍ଠ ଶ୍ରେଣୀରେ ପଢେ। ଭାରି ଗରିବ ମାତ୍ର ମେଧାବୀ ଝିଅଟିଏ। ପାଖ ଗାଁର ଜମିଦାର ତାର ବାପାକୁ ଫୁସୁଲାଇ ନିଜ ଅଷ୍ଟମ ଶ୍ରେଣୀର ପୁଅ ସହ ବିବାହ କରି ଦେଇଛି। କେବଳ ସେତିକି ନୁହେଁ, ଏକଥା ଜାଣିବା ପରେ ମୁଁ ସାବିତ୍ରୀର ଶାଶୁଘରକୁ ଯାଇଥିଲି। ସେଠି ତାକୁ ତାର ଶାଶୁ ତାକୁ ବହୁତ ନିର୍ଯାତନା ଦେଉଥିବାର ନିଜ ଆଖିରେ ଦେଖିଲି। ତା ବାପା ଏବେ ବହୁତ ଦୁଃଖରେ ଅଛନ୍ତି।


ସମୀର- Oh no. ଆଜିର ଏଇ ଆଧୁନିକ ଯୁଗରେ ଲୋକମାନେ ପୁଣି ଏମିତି କେମିତି କରିପାରୁଛନ୍ତି? By the way ଇଏ ହେଉଛନ୍ତି ପଲକ ମାଡାମ୍। ଚାଇଲ୍ଡ ହେଲ୍ପଲାଇନ୍ ସଦଶ୍ଯ। ସେ ଆଜି କିଛି କାମରେ ମୋ ପାଖକୁ ଆସିଥିଲେ। ଭଲ ହେଲା ତାଙ୍କ ସହ ବି ଏଇଠି ଦେଖା ହୋଇଗଲା। ଆମେ କାଲି ସକାଳୁ ସାବିତ୍ରୀ ଘରକୁ ଯାଇ ତାକୁ ରେସ୍କ୍ଯୁ କରିବୁ, ଆଉ ଦେଷୀଙ୍କ ବିରୁଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବୁ।


         ମଞ୍ଚ ଅନ୍ଧାର


         ଅଷ୍ଟମ ଦୃଶ୍ଯ


[ସନ୍ଧ୍ଯା ସମୟ, ଆକାଶ ଘରେ ବସି ଅଙ୍କ କସୁଥାଏ]


ଆକାଶ- ହେ, ଏପାଠ ସବୁ ମୋ ଦ୍ୱାରା ହେବନି। କେତେ ଥର କଲିଣି ହେଲେ ଏ ଗଣିତ କଣ ହଉଛି? ଆଜି ଯଦି ଏ ଗଣିତ ସବୁ ନକରିବି, କାଲି ସାର୍ ମୋ ପିଠିରେ ପୋଖରୀ ଖୋଳିଦେବେ। 


ସାବିତ୍ରୀ- ଆରେ କଣ ହେଲା? ଏତେ ବ୍ଯସ୍ତ କାହିଁକି?


ଆକାଶ- ତୁ ସେସବୁକଥା କିଛି ବୁଝିପାରିବୁନି। ତୁ ତ ସ୍କୁଲ ଯାଉନୁ, ପାଠ ଗୁଡାଯେ କେତେ କଷ୍ଟ ସେକଥା ତୁ କେମିତି ଜାଣିବୁ?

( ସାବିତ୍ରୀ ଆକାଶ ପାଖରୁ ବହିଟା ଟାଣିଆଣି ଦେଖିଲା)


ସାବିତ୍ରୀ- ଆରେ ଏଇ ଗଣିତଟା? ଏଇଟାତ ବହୁତ ସହଜ।


ଆକାଶ- ଆଛା ଗଣିତଟା ସହଜ? ତୁ କରିଦେବୁ?


ସାବିତ୍ରୀ- ହଁ ନିଶ୍ଚିତ।କାହିଁକି ନୁହେଁ?


ଆକାଶ- କଲୁ କଲୁ ଦେଖି।

( ସାବିତ୍ରୀ ଗଣିତଟା କରିଦେଲା)

ଆକାଶ- ଆରେ ବାଃ ସତରେତ ତନ କରିଦେଲୁ। ହଉ ମୋର ଗୋଟେ କାମ କରିବୁ?


ସାବିତ୍ରୀ- କଣ?


ଆକାଶ- ମୋର ସବୁ ଗଣିତ ତନ ଟିକିଏ କରିଦେ? ନହେଲେ କାଲି ଗୋଟେ ମାଡ ତଳେ ପଡିବନି। ଦେଖ୍ ତନ ମୋ ଗଣିତ ସବୁ କରିଦେଲେ, ମୁଁ ତତେ ମୋ ସହ ମୋ ବେଡ୍ ରେ ଶୋଇବାକୁ ଦେବି।


ସାବିତ୍ରୀ- କିନ୍ତୁ ମୋରତ ଘରେ ବହୁତ କାମ ଅଛି।


ଆକାଶ- ଦେଖ୍ ମୁଁ ତୋ ସ୍ୱାମୀ। ମୋ କାମ ତୋ ପାଇଁ ଆଗ ନାଁ ଘର କାମ ଆଗ?


ସାବିତ୍ରୀ- ନାଁ ମାଆ ରାଗିବେ।


ଆକାଶ- ତୁ ମୋ ପାଇଁ ଗଣିତ କରିବୁନିତ? ହଉ ଠିକ୍ ଅଛି ଆଜିଠୁ ତୋ ସହ ମୋର କଟି। ଆଉ ମୁଁ ତୋ ସାଙ୍ଗ ହେବିନି। ( ଆକାଶ ଅଭିମାନରେ ମୁଁହଁ ବୁଲେଇ ବସିଲା, ସାବିତ୍ରୀ ତା ହାତ ଉପରେ ହାତ ରଖିଲେ ସିଏ ତା ହାତକୁ ଛାଟି ଦେଲା, ତା ମୁଣ୍ଡରେ ହତ ମାରିଲେ ହାତକୁ ବାଡେଇଲା)


ସାବିତ୍ରୀ- ଆଛା ବାବା ହେଲା। ମୁଁ ଘର କାମ ସାରି ତୁମର ସବୁ ଗଣିତ କରିଦେବି। କିନ୍ତୁ ଏଇ ଗୋଟିଏ ଥର। ଏହାପରେ ତୁମକୁ ହିଁ ତୁମର ସବୁ ଗଣିତ କରିବାକୁ ପଡିବ।

ଆକାଶ- ଠିକ୍ ଅଛି। ପ୍ରକୃତରେ ତୁ ହିଁ ମୋର ସବୁଠୁ ଭଲ ସାଙ୍ଗ।( ସାବିତ୍ରୀ ଧିରେ ହସିଛି।ଆକାଶ ସେଠାରୁ ଚାଲିଯାଇଛି) 


ସାବିତ୍ରୀ- ହଁ ଏବେ ଏ ପଠ ମୋ ପାଇଁ ସାତ ସପନ। ବୁଝିପାରୁନି କିଏ ଓ କାହିଁକି ଭାଙ୍ଗିଦେଲା ମୋ ସପନ?


         [ ମଞ୍ଚ ଅନ୍ଧାର]



         ଶେଷ ଦୃଶ୍ଯ


ସୁଲୋଚନା - ସକାଳ ଆସି ୯ଟା ହେଲାଣି, ମହାରାଣୀଙ୍କୁ ଦେଖ କେମିତି ନିଘୋଡ ନିଦରେ ଶୋଇଛନ୍ତି। ସାବିତ୍ରୀ ସାବିତ୍ରୀ ଆଲୋ ଏ ପୋଡା ମୁହିଁ, ଆଜି ଉଠିବୁ ନା ନାହିଁ ବା? ଇଲୋ ଇଲୋ ଏଇଟା ମରିଗଲା ନାଁ କଣ? ନା, ନା ଆଉଥରେ ଡାକେ। ଏ ପୋଡା ମୁହିଁ ଇଲୋ ଉଠୁନୁ?


ସାବିତ୍ରୀ- (ଆଖି ମଳି ମଳି ଉଠି ) ବୋଉ ତୁମେ?


ସୁଲୋଚନା- ହଁ, ମୁଁ। ନଅଟା ବାଜିଲାଣି ତୋର କିନ୍ତୁ ନିଦ ଭାଙ୍ଗୁନି। ଘର କାମ ସବୁ ଯେମିତି ତୋ ବୋପା କରିବ?


ସାବିତ୍ରୀ- ନାଇଁ ବୋଉ କଥା କଣ କି, କାଲି ୟାଙ୍କ ଗଣିତ ଗୁଡାକ କରୁଥିଲି ତ? ଶୋଉ ଶୋଉ ବିଳମ୍ବ ହୋଇଗଲା। ଆଉ ମୋ ଦେହଟା ବି ଟିକିଏ ଭଲ ଲାଗୁନି।


ସୁଲୋଚନା- କଣ ହେଲା? ତୁ ପୁଣି ଆକାଶର ଗଣିତ କରୁଥିଲୁ? କାଇଁ ମୋ ପୁଅ କଣ ମୁର୍ଖ ଯେ ତାକୁ ଗଣିତ ଆସୁନି, ତୁ ତା ଗଣିତ କରୁଥିଲୁ। କାମ କିବାରୁ ବଞ୍ଚିବା ପାଇଁ ତତେ ବହୁତ ବାହାନା ଜଣା। ଦଉଛି ରହ। ଆଜି ତୋର ଦିନେକୁ ମୋର ଦିନେ। ( ବାଡି ଆଣି ସାବିତ୍ରୀକୁ ବାଡେଇଛି)

(ଏହି ସମୟରେ ରତନା ଆସି ଧରି ପକେଇଛି)


ରତନା- ସାଆନ୍ତାଣି ଆଜ୍ଞା ତେମେ ଆପଣେ ମଣିଷ ନା ପଶୁ? ଏଇ ଛୋଟ ଛୁଆଟାକୁ ଗୋରୁ ଗାଈ ଭଳି ପିଟୁଚ? ଦୟା ଲାଗୁନି ଆପଣେଙ୍କୁ?

( ରତନା ସାବୀତ୍ରୀର ଲୁହ ପୋଛି ଦେଇଛି) ଲୁହ ପୋଛୁ ପୋଛୁ ଆରେ ତୋ ଦେହ ତ ବହୁତ ଯୋର୍ ରେ ତାତିଛି? ତତେ ଏତେ ଯୋର୍ ରେ ଜର? ସାବିତ୍ରୀ ବାପାକୁ କୁଣ୍ଢେଇ ଧରି ବହୁତ ଯୋର୍ ରେ କାନ୍ଦିଛି।


ସୁଲୋଚନା- ଥାଉ ଥାଉ ତୁମ ବାପ ଝିଅଙ୍କର ପ୍ରେମ ସେତିକି ଥାଉ। ସୁଣ ରତନା ତୋ ଝିଅ ପାଇଁ ତୋର ଯଦି ଏତେ ସରାଗ ବୋହି ପଡୁଛି ତେବେ ନେଇଯା ତୋଝିଅକୁ ତୋ ସହଯ ଏଠି ରହିବା ତାର କିଛି ଦରକାର ନାହିଁ।


ପଲକ୍- ସାବିତ୍ରୀ ତ ଯୁଆଡେ ଯିବା କଥା ଯିବ। ଆପଣ କିନ୍ତୁ ଏବେ ଶିଶୁ ନିର୍ଯାତନା କେସ୍ ରେ ଜେଲ୍ ନିଶ୍ଚିତ ଯିବେ।


ସୁଲୋଚନା- ତୁମେ କିଏ?


ସମୀର- ସିଏ ହେଉଛନ୍ତି ଚାଇଲ୍ଡ ହେଲ୍ପ ଲାଇନ୍ ସଦସ୍ଯ।

ସୁଲୋଚନା- (ଡରର ସହିତ) ପୋଲିସ୍! ଦେଖନ୍ତୁ ଏଇଟା ମୋ ଘର କଥା। ଏଥିରେ ଆପଣଙ୍କ ମୁଣ୍ଡ ପୁରେଇବା କିଛି ଦରକାର ନାହିଁ। ତା ଛଡା ଇଏ ଘରେ ନାହାଁନ୍ତି, ସିଏ ଆସିଲେ ଆପଣ ତାଙ୍କ ସହ କଥା ହେବେ? ଏବେ ଆପଣମାନେ ଆସିପାରନ୍ତି।


ସମୀର୍- ସିଏ ଆଉ ଆସିବେନି ମାଡାମ୍। ବାଲ୍ଯ ବିବାହ କରାଇ ଥିବାରୁ ଆମ ସ୍ପେଶାଲ୍ ଟିମ୍ ତାଙ୍କୁ ଭୂବନେଶ୍ୱରରୁ ଗିରଫ କରି ସାରିଛି। ଏବେ ସେ ଜେଲ୍ ରେ। ଆଉ ଆପଣ ମଧ୍ଯ ଏବେ ସେଇ ଜେଲ୍ କପ ଯିବେ।


ସୁଲୋଚନା- ଆ, ଆ ମରିଗଲି ଲୋ ମୋ ପେଟ। ଆ... (ମିଛରେ ବାହାନା କରି)


ସମୀର- ପଲକ ମାଡାମ୍ ଟିକିଏ ସୁଲୋଚନା ଦେବୀଙ୍କୁ ଧରି ମୋ ସହ ମେଡିକାଲ ଆସ, ସେଠି ଡାକ୍ତରଙ୍କୁ ଦେଖାଇ ଥାନା ନେଇଯିବା।


ସୁଲୋଚନା- ନା ନା, ମତେ ଏଇ ଥରଟା ଛାଡି ଦିଅନ୍ତୁ ମୁଁ ଏମିତି ଭୁଲ୍ କେବେ କରିବିନି। ଚାଲ ଚାଲ୍ କୋର୍ଟରେ ଜର୍ଜଙ୍କୁ କହିବ ଛାଡିବା ପାଇଁ।


ପଲକ- ଦେଖ ରତନା ସାବିତ୍ରୀ ଓ ଆକାଶ କେସ୍ ଫଇସଲା ହେବା ପର୍ଯ୍ଯନ୍ତ ମୋ କଷ୍ଟିଡିରେ ରହିବେ। ତୁମେ ଯେତେବେଳେ ଚାହିଁବ ଯାଇ ଦେଖା କରିପାରିବ। 


(ସମସ୍ତେ ମଞ୍ଚରୁ ପ୍ରସ୍ଥାନ କଲେ।)


ରଞ୍ଜନ- ଦେଖିଲେତ ଯେଉଁମାନେ ସାବିତ୍ରୀର ସ୍ୱପ୍ନ ଭାଙ୍ଗିଥିଲେ ସେମାନଙ୍କ ଅବସ୍ଥା କଣ ହେଲା? ତେବେ ଆପଣମାନେ ଆଉ କଣ ଭାବୁଛନ୍ତି? ଆସନ୍ତୁ ସମସ୍ତେ ମିଶି ସପଥ ନେବା

ବାଲ୍ଯ ବିବାହ ଆମେ ହେବାକୁ ଦେବା ନାହିଁ,

୬ ରୁ ୧୪ ବର୍ଷ ପିଲାଙ୍କୁ ସ୍କୁଲ୍ ଛାଡିବା ପଢିବା ପାଇଁ।

ରହୁଛୁ, ନମସ୍କାର



          ସମାପ୍ତ










Rate this content
Log in

Similar oriya story from Drama