କିଛି କଥା ଭୁଲି ହୁଏନା
କିଛି କଥା ଭୁଲି ହୁଏନା
ଖରାପ କଥା ଦେଖିବାନି , ଖରାପ କଥା ଶୁଣିବାନି , ଖରାପ କଥା କହିବାନି । କେତେ ସହଜରେ ପଢି ଦେଇ ହେଉଛି ନା ? କିନ୍ତୁ କାମରେ ଲଗାଇବା ? କାମରେ ଲଗାଇବା କଣ ଏତେ ସହଜ ?
କେବେ ନୁହେଁ କଦାପି ନୁହେଁ ।
ଖରାପ କଥା ନକହି ପାର ଠିକ୍ ଅଛି , ହେଲେ ଖରାପ କଥା ଯଦି ଦେଖିବନି କି ଶୁଣିବନି ତେବେ ପ୍ରତିବାଦ କେମିତି କରିବ ? ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କେମିତି କରିବ ? ଖରାପ କଥା ଦେଖିବା ଶୁଣିବା ପରେ ଯାଇ ଆମେ ତାକୁ ବିରୋଧ କରୁ କରିବା ବି ଉଚିତ୍ ସବୁବେଳେ ।
କିନ୍ତୁ ଏଥିପାଇଁ ବହୁତ ବିରୋଧ ଆଉ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ । ଯାହା କି ମୋ ସହ ଘଟିଛି ଅନେକ ଘଟଣା କ୍ରମରେ ।
ତନ୍ମଧ୍ୟରୁ ଗୋଟିଏ ଘଟଣା ଏହିପରି -
ଘର କେନ୍ଦୁଝର କିନ୍ତୁ ମୁଁ କୋରାପୁଟ ରେ ଶିକ୍ଷକତା କରେ । ଏବେ ସେଠାରେ ମୁଁ ପ୍ରଧାନ ଶିକ୍ଷକ । କିନ୍ତୁ ମୁଁ ଏ ଯୋଉ ଘଟଣା ଟି କହୁଛି ସେତେବେଳେ ମୁଁ ନୂଆ ନୂଆ ଚାକିରି ପାଇଥାଏ ନୟାଗଡ଼ ରେ । ଗ୍ରାମୀଣ ସ୍କୁଲ ଟିଏ , ଅଷ୍ଟମ ରୁ ଦଶମ ଯାଏଁ ସଂପୂର୍ଣ୍ଣ ପିଲା ସଂଖ୍ୟା ୨୫୦ ଭିତରେ ହେବେ । ମୋର ହାଇସ୍କୁଲ ଦାୟିତ୍ଵ । ପାଠ ପଢାଇଲା ବେଳେ ମୁଁ ସବୁବେଳେ ପିଲାଙ୍କ ସହ ହସି ଖେଳି ପାଠ ପଢାଏ । କାରଣ ମୁଁ ଚାହେଁ ପିଲାମାନେ ମନ ଖୁସି ରେ ପାଠ ପଢନ୍ତୁ ଯାହା ଥଟା ମଜା ମୋ ସହ ହୋଇ ସମୟ ଅତିବାହିତ କରନ୍ତୁ ଆଜେ ବାଜେ ଅଯଥା କଥାରେ ମୁଣ୍ଡ ନ ଖେଳେଇ । କିନ୍ତୁ ତାଙ୍କ ଭିତରେ ଏମିତି ଅସଭ୍ୟ ପିଲା ମାନେ ଥିଲେ ଆଉ ମୋ ସରଳପଣ ର ଏମିତି ଫାଇଦା ଉଠାଉଥିଲେ ବୋଲି ମୁଁ ଜାଣି ନଥିଲି ।
କିଏ ଝାଡା କି ପରିଶ୍ରା ଯିବ କହିଲେ ମୁଁ ତତକ୍ଷଣାତ୍ ଛାଡି ଦିଏ । ସେତେବେଳେ ସ୍କୁଲ ରେ ପାଇଖାନା ର ସୁବିଧା ନଥିଲା । ପିଲାମାନେ ଝାଡା ପରିଶ୍ରା ପାଇଁ ସ୍କୁଲ ପଛ ଅନାବାଦି ଜଙ୍ଗଲିଆ ବିଲ ଆଡିକୁ ଯାଆନ୍ତି । ମୁଁ ବି ଯାଏ ,
ହେଲେ ଏମିତି ଦିନେ ଦ୍ବିପ୍ରହର ସମୟରେ ମୋତେ ଜୋର୍ ରେ ପରିଶ୍ରା ଲାଗିବାରୁ ମୁଁ ବିଲ ଆଡ଼କୁ ନଯାଇ କିଛି ଦୁରରେ ଥିବା ଆମର ଅଧା ତିଆରି ହୋଇଥିବା ସ୍କୁଲ ଘର ଭିତର କାନ୍ଥ ସେପଟକୁ ଚାଲିଗଲି । ପରିଶ୍ରା କରି ସାରି ଆସିବା ବେଳକୁ ହଠାତ୍ ଖସ୍ କିନା ଶବ୍ଦ ହେଲା । ଭିତରକୁ ଯାଇ ଦେଖେ ତ , ନବମ ଶ୍ରେଣୀ ପଦିଆ ଆଉ ସୁଲତା ଗୋଟେ ଯାଗାରେ ଆଉ ଅଷ୍ଟମ ଶ୍ରେଣୀ ସୁକାନ୍ତ ଆଉ ପ୍ରଭାତି ଆଉ ଗୋଟେ ଯାଗାରେ ଖରାପ କାମରେ ଲିପ୍ତ ଅଛନ୍ତି ।
ମୋତେ ଦେଖି ସେମାନଙ୍କ ମୁହଁ ଏକଦମ୍ ଛୋଟ ହୋଇଗଲା । ସେମାନେ ସାଙ୍ଗେ ସାଙ୍ଗେ ତାଙ୍କ ବେଶ ଭୂଷା ସାଇଜ୍ କରି ମୋତେ ନିରିହ ଚାହାଣି ରେ ଚାହିଁ ରହିଲେ ଭୟରେ । ମୁଁ ସେତେବେଳକୁ କ୍ରୋଧରେ ଏକବାର ତାତି ଯାଇଥାଏ । ପାଖ ଅରମା ରୁ ମୋଟା କଳମ ଦି ବିଡା ଓପାରି ଆଣି ପିଟି ଦେଇଗଲି ଚାରି ଜଣଙ୍କୁ ଆଖି ବୁଜି ମୋ ମନ ଶାନ୍ତ ହେବା ପର୍ଯ୍ୟନ୍ତ । ସେମାନେ ଭୟରେ ଖାଲି ବାପାଲୋ ବୋଉଲୋ ହେଉଥାନ୍ତି ସେତେବେଳେ ।
ବାକି ପିଲାମାନେ ବି ମୋର ଏପରି ଭୟଙ୍କର ରୁପ ପ୍ରଥମ ଥର ପାଇଁ ଦେଖି ଡରି ଗଲେଣି ସେତେବେଳେ କୁ । ସେ ଚାରି ଜଣଙ୍କୁ ଶେଷ ଚେତାବନୀ ଦେଇ ଦେଲି ଯଦି ଆଉ କେବେ ଏଭଳି ଅଭଦ୍ର କାମ ମୋ ଆଖିରେ ପଡେ ଚିହ୍ନିବ ମୋତେ । ମାରିକି ଛାଲ ଉତାରି ଦେବି ।
ସେ ଚାରି ଜଣ ମୋ ଗୋଡ଼ ଧରି ହାତ ଯୋଡ଼ି କାନ୍ଦି କାନ୍ଦି କହିଲେ " ଆମର ଭୁଲ୍ ହୋଇ ଯାଇଛି ସାର୍ , ଏଭଳି ଭୁଲ୍ ଆଉ କେବେ କରିବୁନି , ଆମକୁ ଛାଡ଼ି ଦିଅ "
ମୁଁ ସେମାନଙ୍କୁ ଏତେ ଜୋରରେ ପିଟି ଥିଲି ଯେ ସେମାନେ ତଳେ ବସି ପାରିନଥିଲେ ଦରଜ ରେ । ସ୍କୁଲ ଛୁଟି ପରେ ସାଙ୍ଗେ ସାଙ୍ଗେ ସେ ପିଲା ମାନଙ୍କ ବାପା ମା ସେମାନଙ୍କୁ ଧରି ମୋ ପାଖରେ ଆସି ହାଜର୍ ।
ଯେତେ ଖରାପ ଗାଳି ସବୁ ବକି ସାରିଲା ପରେ , କୋଉ ଅକଲରେ ତମେ ଏ ଛୋଟ ଛୁଆ ମାନଙ୍କୁ ଏମିତି ବାଡେଇଲ ? ତମ ନିଜ ପିଲା ମାନେ ହୋଇଥିଲେ ଏମିତି ବାଡେଇ ଥାନ୍ତ ? ତମ ହାତ ଥରିଲାନି ଟିକେ , ଏମିତି ନିର୍ଦ୍ଦୟ ହେବା ପୂର୍ବରୁ ? ମୋ କଥା ଶୁଣିବାକୁ କି ବୁଝିବାକୁ ବିଲକୁଲ ସେମାନେ ପ୍ରସ୍ତୁତ ନଥିଲେ । ସେମାନେ ଯାହା ଗାଳି ବର୍ଷା କରୁଥାଆନ୍ତି ଆଉ ମୁଁ ମୁକ ପରି ଶୁଣୁଥାଏ ।
ପିଲା ମାନେ ଡରିକି ଅସଲ କଥା ନକହି ଅଭିଭାବକ ଙ୍କୁ କହିଥିଲେ ଯେ ସେମାନେ ବାଡିରୁ ଆମ୍ବ ତୋଳୁ ଥିଲେ ବୋଲି ଦେଖିବା ପରେ ମୁଁ କାଳେ ସେମାନଙ୍କୁ ବାଡେଇଛି ।
ସେମାନେ ଟିକିଏ ଥମିବା ପରେ ମୁଁ ସେମାନଙ୍କୁ ସତ କଥା ଏତେ ଲୋକଙ୍କ ସାମ୍ନାରେ କିଛି କହି ନଥିଲି ସେମାନଙ୍କ ସମ୍ମାନ କୁ ଆଖି ଆଗରେ ରଖି ।
ଦୁଇ ଚାରି ଦିନ ପରେ ରବିବାର ଛୁଟି ରେ ସେମାନଙ୍କ ଘରକୁ ଯାଇ ବୁଝେଇ ସୁଝେଇ ସବୁ କଥା ଖୋଲି କହିଥିଲି । ଆଉ କହିଥିଲି, ' ଏ ପିଲା ମାନଙ୍କୁ ଏବେଠୁ ଶାସନ ନକଲେ ଏମାନେ ବିଗିଡି ଯିବେ , ତେଣିକି ବାଟକୁ ଆଉ ଆଣି ହେବନି । ତେଣୁ ଟିକେ ଶାସନ ରେ ଆଖି ଆଗରେ ରଖିଥିବେ ।'
ଏତିକି ପରେ ମୁଁ ସ୍କୁଲ ଆସିଥିଲି , ପରେ ସେମାନଙ୍କ ଅଭିଭାବକମାନେ ସେମାନଙ୍କୁ ବି ବହୁତ ବାଡ଼େଇ ଥିଲେ ସତକଥା ଜାଣିବା ପରେ । ମୁଁ ସିନା ସେମାନଙ୍କର ଭଲ ଚାହୁଁଥିଲି କିନ୍ତୁ ସେମାନେ ମୋତେ ତାଙ୍କର ପରମ ଶତ୍ରୁ ବୋଲି ଭାବି ନେଲେ । ଭଡ଼ା ରହୁଥିବା ଘର ଠୁଁ ସ୍କୁଲ କୁ ସାଇକେଲ ରେ ମୁଁ ଯିବା ଆସିବା କରେ । ସେଇ ଘଟଣା ଠାରୁ କୋଉଦିନ ମୋ ସାଇକେଲ ଚେନ୍ ଖସାଇ ଦିଆ ଯାଇଥିବ , ଆଉ କୋଉଦିନ ଆଗ ପଛ ଟାୟାର ରେ ପିରଖ କଣ୍ଟା ରେ ଫୋଡା ଯାଇଥିବ । କେବେ କେବେ ସିଟ୍ କଭର୍ ବ୍ଲେଡ୍ ରେ କଟା ଯାଇଥିବ । ଆଉ କେବେ କାନ୍ଥ ସାରା ମୋ ନାଁ ରେ ଅସଭ୍ୟ ଭାଷା ରେ ଗାଳି ମନ୍ଦ ଲେଖା ଯାଇ ମୋତେ ତିରସ୍କାର କରା ଯାଇଥିବ । ଯେତେ ନାଲି ଆଖି ଦେଖାଇ ମାଡ଼ର ଭୟ ଦେଖାଇଲେ ବି କେହି ମାନି ବେନି ।
ହେଉ ବରଂ ଏମିତି କିନ୍ତୁ ସେଦିନ ଠାରୁ ସେମାନଙ୍କୁ ଆଉ ସେମିତି ଖରାପ ଅବସ୍ଥାରେ ଆଉ ଦେଖିବାକୁ ପାଇନଥିଲି କେବେ । କିନ୍ତୁ ଆଉ ଗୋଟେ ଦିନ ଦେଖିବା ବେଳକୁ କିଛି ଦଶମ ଶ୍ରେଣୀ ପୁଅ ପିଲା ମିଶିକି ବିଡ଼ି ଟାଣୁଛନ୍ତି ସେ ପୁରୁଣା ଘରେ । ପୁଣି ବର୍ଷିଲା ମାଡ ତାଙ୍କ ଉପରେ ବାପା ମାଆ ଙ୍କ ପାଖେ ଖବର ପହଞ୍ଚିଲା ପୁଣି ଖାଇଲେ ଛେଚା ।
ତାପରେ ମୋ ଉପରେ ପରୋକ୍ଷରେ ବଦଲା ନେଲେ ସେମାନେ ଚକ୍ ଲୁଚେଇ ଡଷ୍ଟର ଫୋପାଡି ସାଇକେଲ ସିଟ୍ ଚିରି ଚେନ୍ ଛିଡେଇ କାନ୍ଥରେ ମୋ ନାଁ ରେ ଅସଭ୍ୟ ଲେଖି ।
ଦିନେ ଦଶମ ଶ୍ରେଣୀ ର ଦୁଇ ପିଲା ରାକେଶ ଆଉ ବୁଲୁ
ଟେକା ଫୋପାଡି ମୋ ମୁଣ୍ଡ ଫଟେଇ ଦେଇଥିଲେ ।
ମୁଁ ସେ ଦୁହିଁଙ୍କୁ ଠିକ୍ ଚିହ୍ନି ପାରିଥିଲି ପଛରୁ । କିନ୍ତୁ ମୋତେ ଏ ଘଟଣାଟି ବ୍ୟକ୍ତିଗତ ଭାବେ ବହୁତ ଖରାପ ଲାଗିଲା । ମନକୁ ବହୁତ ବାଧିଲା ମୁଁ ଆଉ କାହାକୁ କିଛି ବି କହିଲିନି ଯିଏ କ୍ଲାସ ରୁମ୍ ରେ ଯେତେ ଦୁଷ୍ଟାମୀ କରୁଥିଲେ ବି ମୁଁ ନାଲି ଆଖି ରେ ଚାହିଁ ଦେଉଥିଲି ଯାହା ଆଉ ସେମାନଙ୍କୁ ହାତ ଉଠଉନଥିଲି କି ବାଡିରେ ବାଡ଼ଉ ନଥିଲି । ସେମାନେ ଧିରେ ଧିରେ ଶାନ୍ତ ପଡିଲେ ।
ବିତୁ ଥିଲା ସମୟ ସେମିତି ଧିରେ ଧିରେ , ଏଇ ଦୁଷ୍ଟାମୀ ଭିତରେ ବି ସମସ୍ତେ ପାଠ ପଢ଼ୁଥିଲେ ଆଗକୁ ବଢୁଥିଲେ ସବୁ ଚାଲୁଥିଲା ନିୟତୀ ଅନୁସାରେ ।
ଏବେ ମୁଁ ଅବସର ପ୍ରାପ୍ତ ଶିକ୍ଷକ , ଗାଁ ରେ ରହୁଛି ପୁଅ ବୋହୁ ଚାକିରି କରି ତାଙ୍କ କର୍ମ କ୍ଷେତ୍ରରେ । ଝିଅ ବାହା ହୋଇ ତା ଶାଶୁ ଘରେ । ଆମେ ବୁଢ଼ା ବୁଢ଼ୀ ଦୁଇ ଜଣ ଘରେ , ଘର ଟୁକୁରୁ ମୁକୁରୁ କାମ ରୋଷେଇ ଆଉ ଫୁଲ ଗଛ , ବାଡିର ଯତ୍ନ ନେବା , ପେପର ପଢ଼ିବା କାମରେ ଆମେ ସମୟ ବିତେଇ ଦେଉ ।
ଏମିତି ଦିନେ ମୁଁ ଫୁଲ ଗଛ ରେ ପାଣି ଦେଉଥିବା ସମୟରେ ଦୁଇଜଣ ଯୁବକ ଗେଟ୍ ପାଖରେ ଠକ୍ ଠକ୍ ଆବାଜ୍ କଲେ ।
ପତ୍ନୀ ଭିତରେ ଥିଲେ ମୁଁ ତାଙ୍କୁ ଆବାଜ୍ ଦେଲି ସେ ଯାଇ ଗେଟ୍ ଖୋଲିଲେ । ଭିତରେ ପଶୁ ପଶୁ ପ୍ରଥମେ ପତ୍ନୀ ଙ୍କ ପାଦ ଛୁଇଁଲେ ତାପରେ ମୋ ପାଖକୁ ହସ ହସ ମୁହଁରେ ଆସି ମୋ ପାଦ ଛୁଇଁ ପ୍ରଣାମ କଲେ । ମୁଁ ପତ୍ନୀଙ୍କୁ ଚାହିଁଲି ପ୍ରଶ୍ନିଳ ଦୃଷ୍ଟିରେ ସେ ମୋତେ ବି ସେମିତି ଚାହିଁଲେ । କିଏ ବୋଲି ପଚାରିବାକୁ ପଡିଲାନି ସେମାନେ ଦୁହେଁ ତାଙ୍କ ପରିଚୟ ଦେଲେ " ସାର୍ ଚିହ୍ନି ପାରୁ ନାହାଁନ୍ତି ? ଆପଣ ନୟାଗଡ଼ ପଢ଼ାଉଥିଲା ବେଳେ ଆମେ ଦୁହେଁ ଆପଣଙ୍କ ପାଖେ ପଢିଛୁ । ମୁଁ ରାକେଶ ଆଉ ସେ ବୁଲୁ । କଣ ଚିହ୍ନି ପାରୁ ନାହାଁନ୍ତି ? "
ମୁଁ ବହୁତ ସମୟ ସେ ଦୁହିଁଙ୍କୁ ଚାହିଁଲା ପରେ ମୋର ମନେ ପଡ଼ିଲା ମୁଁ ଚିହ୍ନି ପାରିଲି ସେ ଦୁହିଁଙ୍କୁ । ସେମାନଙ୍କ ଟେକା ଫୋପଡାରେ ମୋ ମୁଣ୍ଡ ଫଟା ଦାଗ ଟା ଏ ପର୍ଯ୍ୟନ୍ତ ସେମିତି ଅଛି ସଂପୂର୍ଣ୍ଣ ଲିଭିନି ।
ସେମାନେ ମୋ ମୁଣ୍ଡ ଫଟା ଦାଗକୁ ଚାହିଁ ମୋ ଦୁଇ ହାତକୁ ଧରି କହିଲେ । " ଆମକୁ କ୍ଷମା କରି ଦିଅନ୍ତୁ ସାର୍ , ସେଦିନ ର ମୁର୍ଖାମି ପାଇଁ ଆଜି ଆମେ ଅନୁତପ୍ତ "
ମୋ ଆଖି ରେ ଲୁହ ଆସୁଥିଲେ ବି ମୁଁ ଟିକେ ରୋକି ଦେଲି ପରେ ମନଭରି କାନ୍ଦିବା ପାଇଁ ।
କହିଲି -" ହେସ୍ , ସେ ପୁରୁଣା କଥା କୁ ତମେ ମନେ ରଖିଛ ନାଁ ? ଛାଡ ସେ ସବୁ ଚାଲ ଭିତରକୁ ଚାଲ "
ପତ୍ନୀ ଙ୍କୁ କହିଲି -" ଆରେ ଏ ମୋର ଦୁଇ ଛାତ୍ର ନୟାଗଡ଼ ରେ ପଢ଼ାଉଥିବା ବେଳେ ପଢୁଥିଲେ ଭଲ ପିଲା ଦୁହେଁ "
" ଆଉ ଏବେ କୋଉଠି କ'ଣ କରୁଛ ସବୁ ? "
ଦୁହେଁ କହିଲେ -" ମୁଁ ଟିଚର ଅଛି କେନ୍ଦ୍ରାପଡ଼ା ହାଇସ୍କୁଲ ରେ ଆଉ ଏ ବୁଲୁ ଆପଣଙ୍କ ଅଞ୍ଚଳରେ ଆର୍ ଆଇ ହୋଇ ଆସିଛି । ଆପଣଙ୍କ ଗାଁ ଏଇଠି ଶୁଣିକି ଦୁହେଁ ସାଙ୍ଗହୋଇ ଆସିଲୁ ଦେଖା କରିବାକୁ "
ମୁଁ ଖୁସି ହୋଇ ଦୁହିଁଙ୍କ ପିଠି ଥାପୁଡ଼େଇ ଦେଲି ।
ଆଉ ସାଙ୍ଗରେ ବ୍ୟାଗ ରେ ବ୍ୟାଗେ ଫଳ ମୂଳ ହର୍ଲିକ୍ସ ଆଣି ଆସିଥିଲେ ଆଉ ନୂଆ ଧୋତି ବି । ପଞ୍ଜାବୀ ପାଇଁ କପଡା ବି । ମୁଁ ଦେଖିକି ପଚାରି ଥିଲି ଆରେ ଏଗୁଡା କଣ ?
ସେମାନେ ଖାଲି ହସିଥିଲେ ଯାହା ।
ତାପରେ ସେମାନେ ଭିତରକୁ ଗଲେ ଆମ ଘରେ ମଧ୍ୟାହ୍ନ ଭୋଜନ କରି ଫେରିଥିଲେ । ମାଛ ଯାଇ ଆଣିଥିଲି ମାର୍କେଟ ରୁ ସୋରିଷ ବାଟଣ ଦିଆ ମାଛ ଝୋଳ ଆଉ ଭାତ ପତ୍ନୀ କରିଥିଲେ ସେମାନଙ୍କ ପାଇଁ ।
ପତ୍ନୀ ଭିତରକୁ ଟିକେ ଚାଲିଗଲା ପରେ ନିରୋଳା ପାଇ ମୋତେ ପଚାରିଥିଲେ ଦୁହେଁ " ସାର୍ ସେଦିନ ଆମେ ଆପଣଙ୍କ ଉପରକୁ ଟେକା ଫୋପାଡି ମୁଣ୍ଡ ଫଟେଇ ଦେଇଥିଲୁ , ଅଥଚ ଆପଣ ଆମକୁ ବାଡ଼େଇ ନଥିଲେ କି କିଛି ବି କହି ନଥିଲେ କଣ ପାଇଁ ? "
ମୁଁ ହସି ହସି କହିଥିଲି -" ମୁଁ ବୋଧେ ସେଦିନ ନ ବାଡେଇ ଥିବାରୁ ତମେ ଦୁହିଁଙ୍କୁ ଆଜି ଏମିତି ଅବସ୍ଥା ରେ ଦେଖି ପାରିଛି ନହେଲେ ହୁଏତ ଆହୁରି ବିଗିଡି ଯାଇଥାନ୍ତ ତୁମେ ମାନେ, ମୁଁ ଖୁସି ତମେ ନିଜକୁ ନିଜେ ସୁଧାରି ପାରିଛ "
- " ସତରେ ସାର୍ ସେ ଘଟଣା ଠାରୁ ଆମେ ଦୁହେଁ ଭିତରେ ଭିତରେ ଖୁବ୍ ନିଜକୁ ଛୋଟ ଭାବିଛୁ । ତାପରେ କଲେଜ ପଢ଼ିବା ବେଳେ ବି ବହୁତ ଥର ଭାବିଛୁ ଭୁଲ୍ ମାଗିବା ପାଇଁ ହେଲେ ସାହସ ହୋଇନି "
-" କିଛି କଥା ନାହିଁ , ତମେ ମାନେ ଆସିଲ ବହୁତ ଖୁସି ଲାଗିଲା , ଆଜି କାଲି ଏତିକି କୋଉ ଛାତ୍ର ପୁରୁଣା ସାର୍ ଙ୍କୁ ମନ ରଖି ତାଙ୍କ ପାଖକୁ ଆସୁଛନ୍ତି ଯେ ? "
ସେମାନେ ଚାଲିଗଲେ । ମୁଁ ବିଦାୟ ଦେଇ କହିଲି " ଏମିତି ଆସୁଥିବରେ ମଝିରେ ମଝିରେ "
ପତ୍ନୀ ମୋ ଗଳାରେ ହାତ ଛନ୍ଦି ଖୁବ୍ ଖୁସିରେ ମୋତେ ଚାହିଁ ଥିଲେ ।
__________୦୦୦___________