STORYMIRROR

Lokanath Rath

Action Classics Inspirational

3  

Lokanath Rath

Action Classics Inspirational

କିଛି ଦିନର ଅତିଥି

କିଛି ଦିନର ଅତିଥି

6 mins
373


ବହୁତ ମନ ଦୁଃଖରେ ଅଶୋକ ବାବୁଙ୍କ ଆଖିରୁ ଲୁହ ଝରି ଯାଉଥିଲା ଓ ସେ ନିଜର କପଡା ସବୁକୁ ତାଙ୍କ ବ୍ୟାଗରେ ସଜାଡି ରଖୁଥିଲେ । ଆଜି ସେ ତାଙ୍କ ଗାଁ କୁ ଚାଲିଯିବେ । ସେଠାରେ ନିଜର କେହି ନଥିଲେ ବି ତାଙ୍କ ପଡୋଶୀ ଓ ଗାଁ ଲୋକ ତାଙ୍କୁ ନିଜର ବୋଲି ଭାବୁଛନ୍ତି । ଏହି ସହରକୁ ଆସିଥିଲେ ଖାଲି ତାଙ୍କ ଛାତ୍ର ଡାକ୍ତର ସୁକାନ୍ତ ଜୋର କରି କହିଥିଲା ବୋଲି । ସେ ଆସି ତାଙ୍କ ପୁଅ ମନୋଜ ,ବୋହୁ ଆରତୀ ଓ ନାତି ଅରୁଣ ପାଖରେ ଏଇ ସାତ ଦିନ ହେଲା ଅଛନ୍ତି । ଭାବିଥିଲେ ତାଙ୍କ ପୁଅର ଘର ତାଙ୍କର ନିଜର ଘର ପରି ,କିନ୍ତୁ ଏହି ଘର ଭିତରେ ଗୋଟିଏ କୋଠରୀରେ ସିଏ  ଜଣେ ଅତିଥି ପରି ପଡି ରହିବା ଅପେକ୍ଷା ନିଜ ଗାଁ କୁ ଚାଲିଯିବା ଉଚିତ ହେବ । ପୁଅ ମନୋଜ ଜଣେ ଯନ୍ତ୍ରୀ ହିସାବରେ କାମ କରୁଛି । ବୋହୁ ଆରତୀ ଜଣେ ଅଧ୍ୟାପିକା ଓ ୧୨ ବର୍ଷର ନାତି ଅରୁଣ ଏବେ ସପ୍ତମ ଶ୍ରେଣୀରେ ପଡୁଛି । ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ରହୁଛନ୍ତି ହେଲେ ତାଙ୍କ ପାଇଁ କାହା ପାଖରେ ଟିକେ ସମୟ ନାହିଁ । ଆସିବା ଦିନଠାରୁ ସେ କେତେ ଥର ଚେଷ୍ଟା କରିଛନ୍ତି ସମସ୍ତଙ୍କ ସହିତ ଏକାଠି ବସିବେ ,କିଛି କଥା ହେବେ । କିନ୍ତୁ ସେଇଟା ହେଇ ପାରୁନାହିଁ । ସକାଳୁ ନିଜର କାମ ସାରି ମନୋଜ ତାର କାମରେ ବାହାରି ଯାଉଛି ଆଉ ବେଳେ ବେଳେ ଅଶୋକ ବାବୁଙ୍କୁ ଦେଖିଲେ ଟିକେ ପଚାରି ଦେଉଛି ,'' ବାପା ଭଲ ଲାଗୁଚି ତ ! '' ବାସ ସେତିକି କହି ଅପେକ୍ଷା ବି କରେ ନାହିଁ ଅଶୋକ ବାବୁଙ୍କ ଉତ୍ତରକୁ ,ଚାଲିଯାଏ । ବୋହୁ ଆରତୀ ନିଜ କାମ ସାରି କଲେଜ କୁ ବାହାରି ଯାଏ ଆଉ ତାଙ୍କୁ ଦେଖିଲେ ଖାଲି ଟିକେ ହସି ଦେଇ କହିଦିଏ ,'' ଆପଣଙ୍କର ଯାହା ଦରକାର ହେବ ମୁଁ ରାମୁକୁ (ଘରର କାମ କରୁଥିବା ପିଲା ) କହି ଦେଇଛି ,ତାକୁ କହିବେ । "ଏତିକି କହି ସେ ବି ଚାଲିଯାଏ । ନାତି ଅରୁଣ ତ କେବେ ଧାରା ଛୁଆଁ ଦେଉ ନାହିଁ । ବିଦ୍ୟାଳୟକୁ  ଯାଉଛି ଆଉ ସେଠାରୁ ଫେରି ତା ସାଙ୍ଗଙ୍କ ସାଙ୍ଗରେ ଖେଳିବାକୁ ଯାଉଛି । ବେଳେ ବେଳେ ଅଶୋକ ବାବୁଙ୍କୁ ଦେଖିଲେ ଖାଲି କହିଦିଏ ,''ହାୟ ଜେଜେ ।'' ବାସ ଅଶୋକ ବାବୁ ଖାଲି ଗୋଟିଏ ମାଟି କଣ୍ଢେଇ ପରି ସବୁ ଶୁଣି ଯାଆନ୍ତି । ଆଉ ସନ୍ଧ୍ୟା ସମୟରେ ସମସ୍ତେ ଫେରି କେବେ କେବେ ତାଙ୍କ ସାଙ୍ଗ ମାନଙ୍କ ସହିତ ବସି ପାର୍ଟି କରନ୍ତି ତ କେବେ ବାହାରକୁ ଚାଲି ଯାଆନ୍ତି । ଖାଲି ଦୂରରୁ ଅଶୋକ ବାବୁ ଠିଆ ହୋଇ ସବୁ ଦେଖନ୍ତି । ବେଳେ ବେଳେ ସେ ରାମୁ ସାଙ୍ଗରେ କଥା ହୁଅନ୍ତି ,କିନ୍ତୁ ସେ ବି କମ କଥା କହି ଚାଲିଯାଏ ଓ କୁହେ ,'' ମୋତେ ଘରର ଅତିଥି ଙ୍କ ସହିତ ବେଶୀ କଥା ହେବାକୁ ମନା ।'' ଆଗରୁ ଦୁଇ ବର୍ଷ ପୂର୍ବରୁ ଅଶୋକ ବାବୁ  ଆସି ଏହିପରି ଏଠିକାର ଅବସ୍ଥା ଦେଖି ଗାଁ କୁ ଚାଲି ଯାଇଥିଲେ ।ଏବେ ସୁକାନ୍ତ ତା ଘରକୁ ଯାଇଥିଲା ତା ବାପା ଓ ମା ଙ୍କୁ ଦେଖିବାକୁ ,ତାଙ୍କ ଘର ଅଶୋକ ବାବୁଙ୍କ ଗାଁ ପାଖରେ । ସେ ଅଶୋକ ବାବୁଙ୍କ ପାଖରେ ଦଶମ ଯାଏ ପଢିଥିଲା । ଯେଉଁ ବିଦ୍ୟାଳୟରେ ଅଶୋକ ବାବୁ ଶିକ୍ଷକ ଥିଲେ ,ସେହି ବିଦ୍ୟାଳୟରେ ସୁକାନ୍ତ ପଢୁଥିଲା । ତା ସାଙ୍ଗରେ ମନୋଜ ବି ପଢୁଥିଲା । ସୁକାନ୍ତ ସବୁବେଳେ ଅଶୋକ ବାବୁଙ୍କୁ ବହୁତ ସମ୍ମାନ କରେ ଓ କୁହେ ,'' ସାର ,ମୁଁ ଆପଣଙ୍କ ଋଣ ଜୀବନ ଭିତରେ କେବେ ସୁଝି ପାରିବି ନାହିଁ ।'' ଯେଉଁଦିନ ସୁକାନ୍ତ ଗାଁ କୁ ଆସେ ,ସେ ଅଶୋକ ବାବୁଙ୍କୁ ଦେଖା କରି ଯାଏ । ଏବେ ବି ସେ ଆସି ଯେତେବେଳେ ଅଶୋକ ବାବୁଙ୍କୁ ପ୍ରଣାମ କଲା ,ସେହି ସମୟରେ ଅଶୋକ ବାବୁ କାଶୀ କାଶୀ ବାନ୍ତି କରିଦେଲେ ଓ ସେଠିଏ କିଛି ରକ୍ତ ପଡିଥିଲା । ତାକୁ ଦେଖି ସୁକାନ୍ତ ବୁଝି ପାରିଲା ଯେ ଅଶୋକ ବାବୁଙ୍କ ଦେହ ବହୁତ ଖରାପ ,କାରଣ ସେ ଜଣେ ଡାକ୍ତର । ତାପରେ ପାଞ୍ଚ ବର୍ଷ ହେଲାଣି ଅଶୋକ ବାବୁଙ୍କ ପତ୍ନୀ ଅନିତାଙ୍କ ଦେହାନ୍ତ ହେଇ ଯାଇଛି ,ତେଣୁ ସବୁ କାମ ତାଙ୍କୁ ନିଜ ହାତରେ କରିବାକୁ ହେଉଛି । ଅଶୋକ ବାବୁଙ୍କ ଏହି ଅବସ୍ଥା ଦେଖି ସେଦିନ ସୁକାନ୍ତ ଜିଦ କଲା ଓ ତାଙ୍କୁ ସାଙ୍ଗରେ ନେଇ ସହର ଆସିଲା ଚିକିତ୍ସା କରାଇବାକୁ । ସୁକାନ୍ତ ଅଶୋକ ବାବୁଙ୍କୁ ମନୋଜ ଘରେ ଛାଡି ନିଜ ଘରକୁ ଗଲା ଓ ପରଦିନ ଆସି ତାଙ୍କୁ ଗାଡ଼ିରେ ବସାଇ ଡାକ୍ତରଖାନା ନେଇ ସବୁ ଯାଞ୍ଚ କରାଇଲା । ଯାଞ୍ଚର ରିପୋର୍ଟ ତିନି ଦିନ ପରେ ଆସିବ ,ତେଣୁ କିଛି ଔଷଧ କିଣି ସେ ପୁଣି ତାଙ୍କୁ ଆଣି ମନୋଜ ଘରେ ଛାଡି ଦେଲା ଓ ମନୋଜ ଓ ଆରତୀ ସାଙ୍ଗରେ କଣ କିଛି କଥା ହେଲା ।


ଅଶୋକ ବାବୁ ସେବେଠାରୁ ସେମିତି ଏକୁଟିଆ ହୋଇ ଗୋଟିଏ ଘର ଭିତରେ ବସନ୍ତି ଆଉ କେବେ କେବେ ଟିକେ ବଗିଚାରେ ବୁଲନ୍ତି । ଏହି ଜାଗା ଓ ଘର ଅଶୋକ ବାବୁ ପୁଅ ମନୋଜ ପାଇଁ କରିଥିଲେ । ଯେତେବେଳେ ମନୋଜ ଦଶମ ପରେ ଆସି ସହରରେ ପଢିଲା ,ସେତେବେଳେ ତାକୁ ଛାତ୍ରାବାସ ରେ ଅସୁବିଧା ହେଲା ରହିବାକୁ । ସେତେବେଳେ ପତ୍ନୀ ଅନିତା ଜିଦ କରିଥିଲା ଏହି ଜାଗାରେ ଦୁଇ ବଖରା ଘର କଲେ ମନୋଜ ସେଠାରେ ରହି ପଢିବ । ଏହି ଜାଗାକୁ ଅଶୋକ ବାବୁ ତାଙ୍କ ସାଙ୍ଗ ଠାରୁ ବହୁତ ଦିନ ଆଗରୁ କିଣିଥିଲେ । ସେଥିପାଇଁ ଅଶୋକ ବାବୁ ଏଠାରେ ଘର ଦୁଇ ବଖରା କଲେ । ସେହି ଘରେ ମନୋଜ ଓ ସୁକାନ୍ତ ରହି ପାଠ ପଢିଲେ । ଗୋଟିଏ ପିଲା ତାଙ୍କ ପାଖରେ ଥିଲା ରୋଷେଇ କରି ଦେବାକୁ । ଅନିତା ଆସି ପ୍ରତ୍ୟେକ ଟୁଇ ତିନି ମାସରେ କିଛି ଦିନ ରହି ପୁଣି ଗାଁ କୁ ଚାଲି ଯାଆନ୍ତି । ଅଶୋକ ବାବୁ ଗାଁ ରୁ ପ୍ରତ୍ୟେକ ମାସରେ ଚୁଡା ଓ ଚାଉଳ ନେଇ ଆସନ୍ତି । କେବେ କେବେ ସୁକାନ୍ତର ବାପା ବି ଚୁଡା ଚାଉଳ ନେଇ ଆସନ୍ତି । ପରେ ମନୋଜ ଚାକିରୀ କରି ବାହା ହେବ ପରେ ଏହି ଘରକୁ ବଡ କରିଛି  ଓ ବଗିଚା ବି କରିଛି । ବାହାଘର ପରେ ଅନିତା କିଛି ଦିନ ଏହିଠାରେ ରହି ଗାଁ କୁ ଚାଲି ଯାଇଥିଲେ । ସେ କହିଥିଲେ ,'' ମୋତେ ସେ ଘର ଭଲ ଲାଗୁ ନାହିଁ । ମୁଁ ସେଠାକୁ କେବେ ଏକା  ଯିବି ନାହିଁ ।'' ସେତେବେଳେ ଅଶୋକ ବାବୁ ଚାକିରୀ କରୁଥିଲେ ଓ କହିଥିଲେ ,'' ଆରେ ଠିକ ଅଛି । ମୁଁ ଅବସର ନେବା ପରେ ଆମେ ମିଶିକରି ଯିବା । ଏବେ ପିଲା ମାନଙ୍କୁ ତାଙ୍କ ଜୀବନ ଓ ପରିବାର ସମ୍ଭାଳିବାକୁ ଚଡି ଦିଅ ।'' ଅନିତା କିଛି କହି ନଥିଲେ ,ଚୁପ ହେଇ ଯାଇଥିଲେ ।ନାତି ଅରୁଣ ର ଜନ୍ମ ଦିନରେ ବି ସେମାନେ ଆସି ପରି ନଥିଲେ ,ଯେହେତୁ ଅନିତାଙ୍କ ଦେହ ଖରାପ ଥିଲା । ମନୋଜ କାର୍ଯ୍ୟ ବ୍ୟସ୍ତତା ପାଇଁ ଗାଁ କୁ ଯାଇ ପରି ନଥିଲା ଓ ସୁକାନ୍ତକୁ କହିଥିଲା ଅନିତା ଙ୍କୁ ଦେଖି ଆସିବାକୁ । ସେତେବେଳେ ସୁକାନ୍ତ ଯାଇ ଅନିତାଙ୍କୁ ଦେଖି ଔଷଧ ଦେଇଥିଲା ଓ ପରେ ସେ ଠିକ ହୋଇ ଯାଇଥିଲେ । ଅଶୋକ ବାବୁ ଯେବେ ଅବସର ନେଲେ ତାହାର ତିନି ମାସ ପରେ ଅନିତା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ମନୋଜ ତା ପରିବାର ସହିତ ଯାଇ ମା ଅନୀତାଙ୍କର କ୍ରିୟା କର୍ମ ସାରି ଶୀଘ୍ର ସହରକୁ ଚାଲି ଆସିଥିଲା । ଅଶୋକ ବାବୁ ଗାଁ ରେ ତାଙ୍କ ପତ୍ନୀ ଅନିତାଙ୍କ କଥା ସହିତ ଏକ ଏକ ରହୁଥିଲେ । ଏମିତି ଦିନେ ସୁକାନ୍ତ ବାଧ୍ୟ କରିବାରୁ ଦୁଇ ବର୍ଷ ଆଗରୁ ସିଏ ମନୋଜ ପାଖକୁ ଆସିଥିଲେ ,ସେତେବେଳେ ଏମିତି ବ୍ୟବହାର ଦେଖି ତାଙ୍କୁ ଲାଗିଥିଲା ଯେମିତି ସିଏ ଏଠାରେ କାହାର ନିଜର ନୁହଁନ୍ତି ,ଜଣେ ଅତିଥି । ସେଥିପାଇଁ ସେ ଗାଁ କୁ ଫେରି ଯାଇଥିଲେ । ଏବେ ସେଇ ସୁକାନ୍ତ ତାଙ୍କୁ ଚିକିତ୍ସା କରିବାକୁ  କହି ଆଣିଛି । ତାଙ୍କୁ ଆଉ କିଛି ଏଠାରେ ଭଲ ଲାଗୁ ନାହିଁ ,ତେଣୁ ସେ ନିଶ୍ଚୟ କରିଛନ୍ତି ଆଜି ଗାଁ କୁ ଫେରିଯିବେ ଓ ସୁକାନ୍ତ ଠାରୁ କିଛି ଔଷଧ ଲେଖାଇ ନେବେ । ସେଥିପାଇଁ ସେ ନିଜ ଜିନିଷ ସବୁ ସଜକଡୁଛନ୍ତି । ଦୁଃଖ ଲାଗୁଚି ଯେ ନିଜ ଘରେ ସେ ଆଜି ଅତିଥି ପରି ରହିଛନ୍ତି ।

ସେତିକି ବେଳେ ସୁକାନ୍ତ ଫାଟକ ଖୋଲି ଘର ଭିତରକୁ ଯାଇ ମଣିଜ ଓ ଆରତୀଙ୍କୁ ଅଶୋକ ବାବୁଙ୍କ ରିପୋର୍ଟ ଦେଖାଇ କହିଲା ଯେ ଅଶୋକ ବାବୁଙ୍କୁ କର୍କଟ ରୋଗ ହୋଇଛି । ସେ ଆଉ କିଛି ଦିନର ଅତିଥି ଏହି ଦୁନିଆରେ । ତାଙ୍କୁ ଏବିଷୟରେ ନ ଜଣାଇ ଯେତେ ଖୁସି ଦେବାର କଥା ଦେଲେ ହୋଇପାରେ ଆଉ କିଛି ଦିନ ଟିକେ ଶାନ୍ତିରେ ବଞ୍ଚି  ଯିବେ । ଏବେ ତାଙ୍କର ନିୟମିତ ଚିକିତ୍ସା ଦରକାର । ଏକଥା ଶୁଣି ମନୋଜ ଓ ଆରତୀ କଣ କହିବେ ଭାବି ପାରିଲେ ନାହିଁ । ଦୁଇଜଣ ଯାକ ସୁକାନ୍ତକୁ ନେଇ ଅଶୋକ ବାବୁଙ୍କ ପାଖକୁ ଗଲେ । ଅଶୋକ ବାବୁ ଆଖିରୁ ଲୁହ ପୋଛି ସେମାନଙ୍କୁ ଦେଖିଲେ । ମନୋଜ ଯାଇ ଅଶୋକ ବାବୁଙ୍କ ହାତରୁ ବ୍ୟାଗ ଛଡାଇ କହିଲେ ,'' ଏଇଟା କଣ କରୁଛ ବାପା ? ତୁମକୁ ଏବେ କୋଉଠିକୁ ଯିବାର ନାହିଁ । ତୁମେ ତୁମର ଏହି ଘରେ ରହିବ ଆଉ ସୁକାନ୍ତ କହୁଛି ତୁମର ଚିକିତ୍ସା ହେଲେ ସବୁ ଠିକ ହେଇଯିବ । ଏଣିକି ମୁଁ ଟିକେ ସବୁଦିନ ସମୟ କାଢି ତୁମକୁ ସନ୍ଧ୍ୟାରେ ସହରର ବିଭିନ୍ନ ଜାଗାକୁ ବୁଲିବାକୁ ନେବି ।'' ଆଉ ଆରତୀ କହିଲା ,''ସବୁଦିନ ସକାଳୁ ଆପଣଙ୍କୁ ମୁଁ ମନ୍ଦିର ନେଇ ପୂଜା କରି ଆସିବା ପରେ ଯାଇ କଲେଜ ଯିବି ।'' ଆଉ ନାତି ଅରୁଣ ଅଶୋକ ବାବୁଙ୍କୁ କୁଣ୍ଢାଇ କହିଲା ,'' ଜେଜେ ମୁଁ ସବୁଦିନ ତୁମ ସାଙ୍ଗରେ ଚେସ ଖେଳିବି ଓ ଶିଖିବି । ବାପା କହୁଥିଲେ ତୁମେ ଭଲ ଚେସ ଖେଳ ବୋଲି ।'' ଏସବୁ ଶୁଣି ଅଶୋକ ବାବୁ ସମସ୍ତଙ୍କୁ ଧରି ବସି ପଡିଲେ ଓ କହିଲେ ,'' ହଉ ହେଲା ମୁଁ କୁଆଡେ ଯିବିନାହିଁ । ଏଇଠି ରହିବି ।'' ସୁକାନ୍ତ ତାଙ୍କୁ ପ୍ରଣାମ କରି କହିଲା ,''ମୁଁ ସବୁଦିନ ଆସି ଆପଣଙ୍କୁ ଦେଖି ଯାଉଥିବି ଓ ଦରକାର ହେଲେ ଡାକ୍ତରଙ୍କ ପାଖକୁ ନେଇଯିବି । ଏବେ ମୁଁ ଆସୁଛି ।'' ଏତକ କହି ସୁକାନ୍ତ ଚାଲିଗଲା । ଆରତୀ ଏବେ ଅଶୋକ ବାବୁଙ୍କୁ ନେଇ ମନ୍ଦିର ବାହାରିଲା ,ମନୋଜ କାମରେ ବାହାରି ଗଲେ  ଓ ଅରୁଣ ବିଦ୍ୟାଳୟକୁ ଗଲା । ଦୂରରୁ ସୁକାନ୍ତ ,ମନୋଜ ,ଆରତୀ ଓ ଅରୁଣ ମନେ  ମନେ  ଭାବୁଥିଲେ ତାଙ୍କର ଏହି ପ୍ରିୟ ଲୋକ ଯିଏ ଏବେ କିଛି ଦିନର ଅତିଥି ଏହି ସଂସାରରେ ,କେମିତି ତାଙ୍କୁ ସବୁ ଖୁସି ଓ ସୁଖ ଦେବେ ?



Rate this content
Log in

Similar oriya story from Action