STORYMIRROR

Sudeshna Misra

Comedy

4  

Sudeshna Misra

Comedy

ଖଟି

ଖଟି

2 mins
261


ବିଳମ୍ବିତ ସନ୍ଧ୍ୟାରେ ସାଙ୍ଗମାନଙ୍କର ଖଟି ଚାଲିଥିଲା, ଢେଙ୍କିଶାଳରୁ ଢେଙ୍କାନାଳ ଯାଏ। ଖଟିଟା କୋଉ ଚାହା ବା ପାନଦୋକାନ ଆଗରେ ନଥିଲା, କିମ୍ବା ମଦ ଦୋକାନ ପଛ ଅନ୍ଧାରିଆ ଗଳିରେ ନୁହେଁ। ଏପରିକି କେଉଁ ହୋଟେଲ, କ୍ଲବରେ ବି ନୁହେଁ। ଖଟି କରୁଥିବା ବ୍ୟକ୍ତିମାନେ କେହି କାହାକୁ ଦେଖିବି ପାରୁନଥିଲେ, କିମ୍ବା କାହା ସ୍ୱର ଆଉ କାହାକୁ ଶୁଣାଯାଉନଥିଲା। କିନ୍ତୁ ଗପର ଅନ୍ତ ନାହିଁ। ବାଷୟବସ୍ତୁ ଟା ଅଟକିଯାଇଥିଲା ରାତ୍ରି ଭୋଜନରେ କଣ ଆଇଟମ୍ ହେଉଛି ଓ ତାହାକୁ କିଏ କିପରି କରିବେ। ତାପରେ ଆସିଗଲା ବିଷୟବସ୍ତୁ ଅନ୍ୟ ଆଡକୁ, ସକାଳ ଜଳଖିଆରେ ଚିପିଟକର ଭୂମିକା। ଅତି ପୁରାତନକାଳରୁ ଏହି ଚୁଡା ଦହି ବେଶ୍ ଆଦୃତ ଆମ ଓଡିଶାରେ। କିନ୍ତୁ ଆଜିର ମ୍ୟାଗି ଯୁଗରେ ତାର ଚାହିଦା କମିଯାଇଛି। ଚୁଡାକୁ ପାଛୁଡି ଭଲକରି ଧୋଇ ବତୁରେଇ ଦହି /କ୍ଷୀର ଚିନି ଦେଇ ଜଳଖିଆ ହିସାବରେ ଖିଆଯାଏ। ଯଦି ଘରେ କଦଳୀ ଓ ନଡିଆ ଥାଏ ତେବେ ତାର ମିଶ୍ରଣ ବି କରାଯାଏ। ପୁଣି ଛେନା ପକେଇଲେ ଏହାର ସ୍ୱାଦ ଆହୁରି ବଢିଯାଏ। ଆଉ ଗୁଣ୍ଡ ଦୁଗ୍ଧ ଯୁଗରେ, ଅମୁଲ ଗୁଣ୍ଡ ପକେଇ ଏହାକୁ ଖାଇବା ତ ଆରମ୍ଭ ହେଇସାରିଛି କେବେଠୁ । ପୁଣି ଚୁଡାରେ କଟା ଆଳୁ ପକେଇ ପିଆଜ ଅଦା, ଭେର୍ସୁଙ୍ଗା ପତ୍ର ବଘାରି ଉପମା କରାଯାଏ। ଜଣେ କିଏ କହିଲା ଏହା ଉପରେ ଟିକେ ନଡିଆକୋରା ପକେଇଦେଲେ ସ୍ୱାଦ ଆହୁରି ବଢିଯାଏ।କିନ୍ତୁ ଏତେ କଷ୍ଟ କରୁଛି କିଏ ? ଜରି ପ୍ଯାକେଟ୍ ବା ପ୍ଲାଷ୍ଟିକ୍ ଡବାରେ ବିଭିନ୍ନ ପ୍ରକାରର ଖାଦ୍ୟ ଉପଲବ୍ଧ ହେଉଛି ବଜାରରେ। ଆଣିକି ଗରମପାଣିରେ ପକେଇଦେଲେ ୨ ମିନିଟରେ ଗରମା ଗରମ ଉପମା, ଚାଇନିଜ୍ ଖାଦ୍ୟ ନୁଡୁଲ୍ସ, ପାସ୍ତା ଇତ୍ୟାଦି ପ୍ରସ୍ତୁତ।ଆଉ ପିଠାପଣା କିଏ କରୁଛି,ଏପରିକି ଚୂଡା ଛତୁଆ କୁ ବି କେହି ପଚାରୁ ନାହାଁନ୍ତି। ସେଗୁଡାକୁ ତ ଆଜିକାଲିକା ଯୁବାପିଢିଙ୍କର ଭାରି ନାକଟେକା।

ତେଣୁ ଚିପିଟକର ବହୁଳ ବ୍ୟବହାର ଆଜିକାଲି ଖାଲି ବାତ୍ୟା ଓ ବନ୍ୟା ସମୟରେ ପ୍ରପୀଡିତ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ବାଣ୍ଟିବାରେ ହିଁ ରହିଯାଇଛି। ସେହିପରି ଜରୁରୀକାଳିନ ସ୍ଥିତିରେ ଚୁଡା ବା ଛତୁଆ ଶୁଖିଲା ଖାଦ୍ୟ ହିସାବରେ ଦିଆଯାଉଛି।

ଆରେ ଖଟି ବିଷୟରେ କହୁ କହୁ କୁଆଡେ ମାଡିଗଲିଣି। ରାତି ତ ଅନେକ ହେଇଯାଇଥିଲା। ଯୋଉ ପିଲାଟିର ସେଦିନ ଘରେ କେହି ରୋଷେଇବାଲା ନଥିଲେ ସେ ବିଚରା ଖଟିରେ ବସିରହିଥିଲା ସିନା, କିନ୍ତୁ ଭୋକରେ ଆଉଟୁ ପାଉଟୁ ହେଉଥିଲା।

କିଏ ଜଣେ କହିଲା, ରୀତା, ତମେ ତ ଶୀଘ୍ର ଶୁଅ, ରାତି ଅନେକ ହେଲାଣି, ଯାଅ ଶୋଇବ। ଭୋକ ଲାଗୁଥିବା ପିଲାଟିର ପିଣ୍ଡରେ ପ୍ରାଣ ପଶିଗଲା ଓ ସେ ତୁରନ୍ତ ଗ୍ୟାସ୍ ଷ୍ଟୋଭ ଲଗେଇ ପାଣିରେ ମ୍ୟାଗି ପକେଇଲା ।

ଆଉଜଣେ କହିଲା ଆରେ ତୁ ତାକୁ ଯାଆ ବୋଲି କାହିଁକି କହୁଛୁ, ତାକୁ ନିଦମାଡିଲେ ସେ କଣ ଯିବନି.....

ରାତି ବଢିବାକୁ ଲାଗିଥିଲା କ୍ରମେ କ୍ରମେ। ଆଉ ଏ ଥିଲା ୱାଟସଆପରେ ଖଟି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy