The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sanjeeb Kumar Nag

Drama

3.0  

Sanjeeb Kumar Nag

Drama

ଖ୍ରୀଷ୍ଟଜନ୍ମ (କ୍ଷୁଦ୍ର ନାଟକ)

ଖ୍ରୀଷ୍ଟଜନ୍ମ (କ୍ଷୁଦ୍ର ନାଟକ)

5 mins
11.9K



***୧ମ ଦୃଶ୍ୟ***


(ହାତରେ ଧରିଥିବା ମାଠିଆକୁ ପାଣି ଉପରେ ଏପଟ ସେପଟ କରୁ କରୁ କୋଉ ଏକ ଭାବନା ରାଇଜରେ ହଜିଯାଇ ପୋଖରୀ ହୁଡାରେ ବସି ଥାଆନ୍ତି ମରିୟମ )

ମହିଳା: ମରିୟମ... ମରିୟମ...ମରିୟମ

ମରିୟମ: ହଁ (ଅନ୍ୟମନସ୍କ ଥିବା ମରିୟମ ହଠାତ ପ୍ରକୃତିସ୍ଥ ହେଇଯାଇ)

ମହିଳା: ଆଜି ଏତେ ଗୁମସୁମ କାଇଁ ଅଛୁ ଲୋ ମାଆ? ମୁଁ ତୋତେ କେତେବେଳୁ ଦେଖୁଛି! କଣ ହେଇଛି ତୋର?

ମରିୟମ: କିଛିନାଇଁ ମାଉସୀ, ମୋ ମନ କାହିଁ କେଜାଣି ଭାରୀ ଉଦବିଘ୍ନ ହେଉଛି।

ମହିଳା: ଚିନ୍ତା କରନା, କିଛି ଗୋଟେ ଖୁସିର ଖବର ମିଳିବ ନିଶ୍ଚୟ। ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି।


***୨ୟ ଦୃଶ୍ୟ***


(ମରିୟମ ପାଣି ଆଣି ଘରେ ରଖିଲା ପରେ, ଘର ଅଗଣାରେ ବସି ଚାଉଳ ବାଛୁଥିବେ)

ଗାବ୍ରିଏଲ: ମରିୟମ

(ଚମକି ଲେଉଟିଲେ ମରିୟମ)

ଗାବ୍ରିଏଲ: ଭୟ କରନାହିଁ। ଈଶ୍ୱର ତୁମକୁ ଅନୁଗ୍ରହ କରିଛନ୍ତି। ତୁମେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ। ଆଉ ତୁମେ ତାଙ୍କ ନାମ ଯୀଶୁ ଦେବ।

ମରିୟମ: ଏହା କିପରି ସମ୍ଭବ? ମୁଁ ତ ଜଣେ କୁଆଁରୀ। 

ଗାବ୍ରିଏଲ: ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଏବଂ ତାଙ୍କ କର୍ତ୍ତୃତ୍ୱରେ ତୁମେ ଗର୍ଭବତୀ ହେବ। ତେଣୁ ସେଇ ପବିତ୍ର ବାଳକ ଈଶ୍ବରଙ୍କ ପୁତ୍ର ବୋଲାଇବ। ଏଲିଜାବେଥଙ୍କ କଥା ମନେପକାଅ, ସେ ବୃଦ୍ଧ କାଳରେ ଗର୍ଭବତୀ ଅଛନ୍ତି। ବର୍ତ୍ତମାନ ତାଙ୍କର ୬ ମାସ ଚାଲୁଛି।

ମରିୟମ: ଈଶ୍ବରଙ୍କ ଦାସୀ ଯେ ମୁଁ। ତାଙ୍କରି ଇଚ୍ଛା ପୂରଣ ହେଉ।


***୩ୟ ଦୃଶ୍ୟ***


(ମରିୟମ ତାଙ୍କ ଜଣେ ସାଥିଙ୍କ ସହ ଏଲିଜାବେଥଙ୍କ ଘରକୁ ଯିବାକୁ ବାହାରିଥାନ୍ତି)

ଆନି (ମରିୟମଙ୍କ ମା): (ମରିୟମଙ୍କୁ ଚୁମ୍ବନ କରି) ପିଇବା ପାଣି ଧରିବା ଭୁଲିନୁ ତ?

ମରିୟମ: ଏଇ ଧରିଛି।

(ମରିୟମ ଓ ସାଥିରେ ଥିବା ମହିଳାଙ୍କ ପ୍ରସ୍ଥାନ)

ମରିୟମଙ୍କ ମା: (ଆଣ୍ଠୁମାଡ଼ି ପ୍ରାର୍ଥନା କରିବେ) ହେ ପରମେଶ୍ବର, ତୁମେ ସର୍ବଶକ୍ତିମାନ, ତୁମେ ସୃଷ୍ଟି କର୍ତ୍ତା। ସବୁକିଛି ତୁମ ଇଛାନୁଯାୟୀ ପରିଚାଳିତ ହୁଏ। ମରିୟମର ଆଜିର ଏଇ ଯାତ୍ରା ବି ତୁମର ହିଁ ଯୋଜନା। ତାକୁ ସୁରକ୍ଷିତରେ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଅ ପ୍ରଭୁ। ଆମେନ୍।


***୪ର୍ଥ ଦୃଶ୍ୟ***


(ଯୋସେଫ କାଠ କାମ କରୁଥିବେ)

ସହକର୍ମୀ: କଣ ହେଲା ବନ୍ଧୁ, ଆଜି କାମରେ ମନଲାଗୁ ନାହିଁ କି?

ଯୋସେଫ: (ଯୋସେଫ ଗୁମସୁମ ରହିବେ)

ସହକର୍ମୀ: ଯୋସେଫ, ଯୋସେଫ

ଯୋସେଫ: ହଁ, କିଛି କହୁଥିଲ ବୋଧେ (ଚମକି ପଡି)

ସହକର୍ମୀ: ବାଃ ରେ, ମୋର ରାଜକୁମାର, କୋଉ ରାଇଜରେ ହଜିଯାଇଛ? ହେଁ ହେଁ? ଆବେ ତତେ କେତେବେଳୁ ଡାକୁଛି ତୁ ଜମାରୁ ମୋ କଥା ଶୁଣୁନୁ। କଣ ଭାବୁଛୁ? ମରିୟମ କଥା ଭାବୁଛୁ କି? 

ଯୋସେଫ: ନାଇଁ ସେମିତି କିଛି ନାଇଁ।

ସହକର୍ମୀ: କଣ ସେମିତି ନାଇଁ, ଗାଁ ତ ଯାଇଛି, ଫେରି ଆସିବ! ଏମିତି ହଉଛୁ, ସତେ ଯେମିତି ଅନ୍ୟ କାହାକୁ ବାହାହେଇ ଚାଲି ଯାଇଛି।

ଯୋସେଫ: ତୁ...

ସହକର୍ମୀ: ଆରେ ନାଇଁ, ରହ ରହ ରହ ...

(ହସି ହସି ଦୁହିଁଙ୍କ ପ୍ରସ୍ଥାନ)



***୫ମ ଦୃଶ୍ୟ***


ମରିୟମ: ଆଉ କେତେବାଟ ଚାଲିବାକୁ ପଡିବ ଏମିତି? ଟିକିଏ ବସିବା ଏଇ ଗଛ ଛାଇରେ।

ସାଥି: ହଉ ପାଣି ପିଇ ଏଇଠି ଟିକିଏ ବିଶ୍ରାମ ନେବା। 

(ଦୁଇଜଣ ବସି ପଡିବେ ଗଛ ମୂଳରେ। ପାଣି ପିଇକି କିଛି ସମୟ ବସିଲା ପରେ ଆଖିଲାଗି ଯିବ ମରିୟମଙ୍କର)

କିଛି ସମୟ ପରେ...

ସାଥି: ମରିୟମ; ତୁ ଚୁପଚାପ ବସିଛୁ? ଏତେବେଳ ହେଲାଣି ମୋତେ ଉଠେଇଲୁନି କାହିଁକି? ବସୁବସୁ ଆଖିଲାଗିଗଲା। ଚାଲ ଜଲଦି ଯିବା, ବେଳ ଥାଉ ଥାଉ ପହଞ୍ଚିବାକୁ ହେବ। ରାସ୍ତା ଭଲ ନାହିଁ, ଚାଲ ରାସ୍ତାଘାଟ ଶୁନଶାନ ହେବା ଆଗରୁ ବାହାରି ଯିବା।

ମରିୟମ: ହଉ ଚାଲ, ତୁ କ୍ଳାନ୍ତ ହେଇ ପଡିଥିଲୁ, ସେଥିପାଇଁ ତତେ ଉଠଉନଥିଲି।

(ଦୁହିଙ୍କର ପ୍ରସ୍ଥାନ)


***୬ଷ୍ଠ ଦୃଶ୍ୟ***


(ଯିହୁଦା ପ୍ରଦେଶରେ ଜିଖରୀୟଙ୍କ ଗୃହକୁ ପ୍ରବେଶ କରି)

ମରିୟମ: ଦିଦି ପ୍ରଣାମ

ଏଲିଜାବେଥ: ମରିୟମ ତୁ? (ଏଲିଜାବେଥ ଉଠିକି ଛିଡ଼ା ହେବେ) ମରିୟମ, ମୋ ଭଉଣୀ ...

(ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ) ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ । ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା ? କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ' କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ' ଗର୍ଭରେ ଉଲ୍ଲାସରେ ନାଚି ଉଠିଲା । ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହି ସବୁ ସଫଳ ହେବ ।

ମରିୟମ: ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି; କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି । ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, କାରଣ ଯେ ଶକ୍ତିମାନ, ସେ ମୋ' ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।

ଏଲିଜାବେଥ: ମୁଁ ବି କେଡେ ମୁର୍ଖଟେ! ଏତେ ଦୂରରୁ ଆସିଛୁ, ହେଲେ ଭିତରକୁ ନ ଡାକି ଦାଣ୍ଡ ଦୁଆରେ ଗପୁଛି! ଆ ଭିତରକୁ ଆ।


***୭ମ ଦୃଶ୍ୟ***


ଜୋସେଫ: ଏ କଣ ଶୁଣୁଛି ମୁଁ? ମରିୟମ ଗର୍ଭବତୀ! ତିନିମାସ ପର୍ଯ୍ୟନ୍ତ ଯାହାର ଫେରିବା ବାଟକୁ ଚାହିଁ ବସିଥିଲି, ଯାହାକୁ ଦେଖିବା ପାଇଁ ମନ ବ୍ୟାକୁଳ ହେଇ ଉଠୁଥିଲା, ସେ ଆଜି ମତେ ପ୍ରତାରଣା ଦେଇଛି! ବିଶ୍ବାସ ନହେଲେ ବି ଏଇଟା ସତ। ମୁଁ ତାକୁ ବିବାହ କରିପାରିବିନି।

ଗାବ୍ରିଏଲ: ଜୋସେଫ... ତୁମେ ମରିୟମଙ୍କୁ ସନ୍ଦେହ କରନି। ସେ ବ୍ୟଭିଚାର କରିନାହାନ୍ତି। ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଛନ୍ତି। ତେଣୁ ତାଙ୍କଠୁ ଜନ୍ମିତ ଶିଶୁ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବ।

(ଗାବ୍ରିଏଲ ଅଦୃଶ୍ୟ ହୋଇଯିବେ)

ଜୋସେଫ: ହେ ପ୍ରଭୁ, ମୁଁ କେଡେ ବଡ଼ ଅପରାଧ କରିବାକୁ ଯାଉଥିଲି। ତୁମ ଯୋଜନା ବିରୁଦ୍ଧରେ ଯାଉଥିଲି ପ୍ରଭୁ। ତୁମ ଇଚ୍ଛା ବିରୁଦ୍ଧରେ ଯାଉଥିଲି ପ୍ରଭୁ। ମୋତେ କ୍ଷମା କରିଦିଅ। ମୋତେ କ୍ଷମା କରିଦିଅ ପ୍ରଭୁ, କ୍ଷମା କରିଦିଅ।


***୮ମ ଦୃଶ୍ୟ***


ସିପାହୀ: ଶୁଣ, ଶୁଣ, ଶୁଣ...। କାଇସର ଅଗଷ୍ଟସଙ୍କ ଆଦେଶ। 

ଜୋସେଫର ସାଙ୍ଗ: ଏଇ ଶୁଣ, କଣ ଗୋଟେ ଘୋଷଣା କରାଯାଉଛି।

ଜୋସେଫ: ପାଖକୁ ଯିବା ଚାଲ

ସିପାହୀ: ଶୁଣ, ଶୁଣ, ଶୁଣ...। କାଇସର ଅଗଷ୍ଟସଙ୍କ ଆଦେଶ। ସମସ୍ତେ ନିଜ ନିଜ ପୈତୃକ ନଗରକୁ ଯାଇ, ନାମ ପଞ୍ଜିକରଣ କରେଇପକାଅ। ଜନଗଣନା ହେବ।

ଜୋସେଫ: ମୁଁ ତ ଦାଉଦଙ୍କ ବଂଶଧର, ବେଥଲିହିମ ମୋର ପୈତୃକ ନଗର। ମୋତେ ବେଥଲିହିମ ଯିବାକୁ ପଡିବ। ହେଲେ ମରିୟମ; ମରିୟମ ତ ବର୍ତ୍ତମାନ ଗର୍ଭବତୀ। ସେ କେମିତି ଯାଇପାରିବ ଏତେ ଦୂର!

ଜୋସେଫର ସାଙ୍ଗ: ଯେମିତି ହେଲେ ଯିବାକୁ ପଡ଼ିବ, ରାଜାଙ୍କ ଆଦେଶ କଣ ଅବମାନନା କରିହେବ କି?

ଜୋସେଫ: ହଉ ଚାଲ


***୯ମ ଦୃଶ୍ୟ***

ଜୋସେଫ: ମରିୟମ

ମରିୟମ: ହଁ

ଜୋସେଫ: ଆମକୁ ବେଥଲିହିମ ଯିବାକୁ ପଡ଼ିବ

ମରିୟମ: କାହିଁକି

ଜୋସେଫ: ଜନଗଣନା ହେବ, ସେଥିପାଇଁ ସମସ୍ତେ ନିଜ ନିଜ ପୈତୃକ ସହରକୁ ଯାଇ ନାମ ପଞ୍ଜିକରଣ କରିବାକୁ ରାଜା ଆଦେଶ ଦେଇଛନ୍ତି।

ମରିୟମ: କିନ୍ତୁ, ଏଇ ଅବସ୍ଥାରେ ମୁଁ କେମିତି ଏତେଦୂର ଯାତ୍ରାକରିପାରିବି?

ଜୋସେଫ: ମୁଁ ବୁଝୁଛି ମରିୟମ, ହେଲେ କଣ କରିବା, ରାଜାଙ୍କ ଆଦେଶ ଅବମାନନା କରିହେବନି।


***୧୦ମ ଦୃଶ୍ୟ***


ଜୋସେଫ: ଏଇ ଆସିଗଲା ବେଥଲିହିମ

ମରିୟମ: ଆଃ...

ଜୋସେଫ: ଧୀରେ...ସମ୍ଭାଳି କି? ତମେ ଏଇଠି ବସ; ମୁଁ ରାତ୍ରିଯାପନରବ୍ୟବସ୍ଥା କରୁଛି।

ମରିୟମ: ଶୀଘ୍ର କର...ଆଃ...

ଜୋସେଫ: ଧର୍ଯ୍ୟ ଧର ମରିୟମ... ମୁଁ ଶୀଘ୍ର ଆସୁଛି

.....

ଜୋସେଫ: ଭାଇ ଜାଗା ମିଳିବ? ଭାଇ ଜାଗା ମିଳିବ?

୧ମ ବ୍ୟକ୍ତି: ନାଇଁ ଜାଗା ନାଇଁ

ଜୋସେଫ: ଭାଇ ରାତକ ପାଇଁ ଜାଗା ମିଳିବ?

୨ୟ ବ୍ୟକ୍ତି: ମୋ ଘରରେ ଛିଡା ହେବା ପାଇଁ ଜାଗା ନାହିଁ

ଜୋସେଫ: ମୋ ସ୍ତ୍ରୀ ଅସୁସ୍ଥ ଅଛି ଭାଇ, ଜାଗା ଟିକିଏ ମିଳିବ?

୩ୟ ବ୍ୟକ୍ତି: କ୍ଷମା କରିବେ ବନ୍ଧୁ, ମୁଁ କିଛି କରି ପାରୁନି

ଜୋସେଫ: ସକାଳୁ ସକାଳୁ ଆମେ ଅନ୍ୟ ବ୍ୟବସ୍ଥା କରିବୁ, କେବେଳ ରାତକ ପାଇଁ ଜାଗା ଦରକାର।

୪ର୍ଥ ବ୍ୟକ୍ତି: ରାତକ ପାଇଁ ମୁଁ ବ୍ୟବସ୍ଥା କରି ପାରିବି, କିନ୍ତୁ ଆପଣ ରହି ପାରିବେ କି ନା ବିଚାର କରନ୍ତୁ?

ଜୋସେଫ: ନିଶ୍ଚୟ ରହିବୁ ଭାଇ, ନିଶ୍ଚୟ ରହିବୁ, ଯେମିତି ଜାଗା ହେଲେ ବି ରହିବୁ, ମୋ ସ୍ତ୍ରୀ ଆସନ୍ନ ପ୍ରସବା।

୪ର୍ଥ ବ୍ୟକ୍ତି: ସେଇ ଗୁହାଳରେ ରହିବାକୁ ପଡିବ।

ଜୋସେଫ: ଧନ୍ୟବାଦ ବନ୍ଧୁ। ଚଳିବ, ଏଇ ଗୁହାଳ ଘର ବି ଚଳିବ।


***୧୧ଶ ଦୃଶ୍ୟ***


(ଦଳେ ମେଷ ଜଗୁଆଳି ରାତ୍ରିରେ ମେଷ ଜଗିଥିବେ।)

୧ମ ବ୍ୟକ୍ତି: ଯା, ଟିକେ ଦେଖ୍...ମେଣ୍ଢାପଲ ଠିକରେ ଶୋଇଛନ୍ତି କି ନାହିଁ?

୨ୟ ବ୍ୟକ୍ତି: ହଁ ଦେଖୁଛି, ସବୁଠିକ୍ ଅଛି, କିଛି ଅସୁବିଧା ନାହିଁ।

୧ମ ବ୍ୟକ୍ତି: ହଉ ଆ...

(ସମସ୍ତେ ଭୟରେ ଉଠିପଡିବେ)

ଗାବ୍ରିଏଲ: ଭୟକର ନାହିଁ, ତୁମ ପାଇଁ ସୁସମ୍ବାଦ ନେଇ ଆସିଛି। ତୁମମାନଙ୍କର ମୁକ୍ତିଦାତା, ତୁମମାନଙ୍କର ରାଜା ଜନ୍ମ ଜନ୍ମଗ୍ରହଣ କରିଅଛନ୍ତି।

୧ମ ବ୍ୟକ୍ତି: ଆମ୍ଭମାନଙ୍କ ରାଜା?

ଗାବ୍ରିଏଲ: ହଁ, ତୁମ୍ଭମାନଙ୍କର ରାଜା, ଈଶ୍ୱରଙ୍କ ପୁତ୍ର

୨ୟ ବ୍ୟକ୍ତି: ଆମେ କଣ ତାଙ୍କୁ ଦେଖିପାରିବୁ?

ଗାବ୍ରିଏଲ: ହଁ ତୁମେମାନେ ଯାଇ ତାଙ୍କୁ ସାକ୍ଷାତ କରିପାରିବ। ବେଥଳିହିମରେ ଗୁହାଳ ଘରେ ଏକ ନବଜାତ ଶିଶୁଙ୍କୁ ପାଇବ, ସେ ହେଉଛନ୍ତି ତୁମ୍ଭମାନଙ୍କର ଶାନ୍ତିର ରାଜା।


***୧୨ଶ ଦୃଶ୍ୟ***


ମେଷ ଜଗୁଆଳୀଗଣ: ଆମ୍ଭମାନଙ୍କ ରାଜା କାହାନ୍ତି, ଆମ୍ଭମାନଙ୍କ ରାଜା କାହାନ୍ତି?

ଜୋସେଫ: ରାଜା?

ମେଷ ଜଗୁଆଳୀଗଣ: ହଁ, ଆମ୍ଭମାନଙ୍କ ରାଜା। ସ୍ୱର୍ଗଦୂତ ଦର୍ଶନ ଦେଇ ଆମ୍ଭମାନଙ୍କୁ କହିଛନ୍ତି। ଆମ୍ଭର ରାଜା ଏଇ ସହରରେ ଗୁହାଳ ଘରେ ଜନ୍ମିଅଛନ୍ତି। ଆମେ ତାଙ୍କୁ ପ୍ରଣାମ କରିବାକୁ ଆସିଛୁ।

***** ସମାପ୍ତ *****


Rate this content
Log in

More oriya story from Sanjeeb Kumar Nag

Similar oriya story from Drama