Sriman Bapu

Drama Romance Inspirational

3.8  

Sriman Bapu

Drama Romance Inspirational

କହ୍ନେଇର ବାରବେଲ୍

କହ୍ନେଇର ବାରବେଲ୍

9 mins
24.6K



କନ୍ହେଇର ସ୍କୁଲ ବେଳର ଫଟୋ ଯିଏ ବି ଦେଖିବେ କେବେ ବିଶ୍ୱାସ କରି ପାରିବେନି ଏ କହ୍ନେଇ ବୋଲି । ପୁରା ହାଣ୍ଡି କଳା , ଏତେ ପତଳା ଯେ ଗୋଟି ଗୋଟି କରି ତା' ପଞ୍ଜରା ହାଡ଼ ଜଣେ ଗଣିଦେବ । ଯୁକ୍ତ ଦୁଇ ପଢ଼ିବା  ପରେ ଚିତ୍ରକରଟିଏ ହେବାର ସ୍ୱପ୍ନ‌ ନେଇ ଆର୍ଟ କଲେଜକୁ ଆସେ ସେଇଠି ତା'ର ଜିଗିରୀ ସାଙ୍ଗ ଥିଲା ଅଜୁ  । ଅଜୁର ଚେହେରା ଗୋଲ ଗାଲ ଆଉ ରଙ୍ଗ କହ୍ନେଇର ବିପରୀତ । ତେଣୁ କଲେଜରେ ଦୁହିଁଙ୍କୁ ସମସ୍ତେ  କାଳିଆ ବଳିଆ ବୋଲି ଡାକନ୍ତି । ଦୁଇଜଣଙ୍କ ରଙ୍ଗରୂପ ବିପରୀତ ଥିଲେ ବି ସବୁ କଥାରେ ମନ ଥିଲା ଏକ ,  ଅଜୁ ଯାହା କହିବ କହ୍ନେଇର ସବୁବେଳେ ହଁ । ଦୁଇଟା ଯାକ କଲେଜ ବାହାନା କରି ସକାଳୁ ବାହିରି ଯିବେ ଦେଖାଦେଖି ହୁଏ ପୂର୍ବ ନିର୍ଦ୍ଧାରିତ କଳ୍ପନା ଛକର ଅଶୋକା ହୋଟେଲ୍ ସାମ୍ନା ପେଟ୍ରୋଲ ପମ୍ପରେ ।


ସେଇଠୁ ଯାତ୍ରା ଆରମ୍ଭ ହୁଏ  ଯୋଜନା ଅନୁଯାୟୀ ପ୍ରଥମେ  କଳ୍ପନା ଟକିଜ୍ ନହେଲେ ରବି ଟକିଜ୍ ତା'ପରେ ପୁରୁଣା ବସ୍ ଷ୍ଟାଣ୍ଡରୁ ଇନ୍ଦିରା ଗାନ୍ଧୀ ପାର୍କ ଯାଏ ଥିବା ରାସ୍ତାରେ ପୁରୁଣା ବହି ଦୋକାନରୁ ବହି ସବୁ ବୁଲିବୁଲି ଦେଖାହୁଏ । ସିନେମା ମାଗାଜିନ୍ ରୁ ଆରମ୍ଭ କରି ଡେଭନେୟର , ପ୍ଲେବୟ ଆହୁରି କେତେ କ'ଣ । ପୃଷ୍ଠା ପରେ ପୃଷ୍ଠା ଓଲଟାଇ ତା ଭିତରେ ଏମିତି ହଜି ଯାଇଥିବେ ଯେ   ଯେମିତି  କାହାର କୁହୁକ ବଳରେ ଦୁହେଁ ଗାଏବ ହୋଇ ପହଞ୍ଚି ଯାଇଛନ୍ତି ଆଉ କେଉଁ ଏକ ଭିନ୍ନ ଦୁନିଆରେ । ଯେଉଁଠି  ତାଙ୍କ ସହ ମାଗାଜିନ୍ ର ଅପସରା ମାନଙ୍କ ଛଡ଼ା ଆଉ କେହି ନାହାଁନ୍ତି । ଦୋକାନୀ ବିରକ୍ତ ହୋଇ କହିବ , ଖାଲି ମାଗଣାରେ ଦେଖି ଦେଖି ମଜା ନେବ ନା କିଣିବ ? ଖାଲି ମାଗାଜିନ୍ କାହିଁକି ? ମାଗାଜିନ୍ ଭିତରେ ଥିବା ପୂରା ଦୁନିଆଟିର ମାଲିକ ହେବାକୁ ଇଚ୍ଛା ଥିଲା ଦୁହିଁଙ୍କର ହେଲେ ପକେଟ୍ ଅଣ୍ଡାଳିଲେ ପାଞ୍ଚଟଙ୍କା କି ସାତଟଙ୍କା ପଡ଼ିଥିବ । କେବେ କେବେ ଦୁହେଁ ମିଶିକି କିଣନ୍ତି ତ ଆଉ କେବେ ଦୋକାନୀର ଦୃଷ୍ଟି ଆଢ଼ୁଆଳରେ ଅଣ୍ଟିରେ ଖୋସନ୍ତି ।


ବହି ଦୋକାନ କି ସିନେମା ହଲରୁ ବାହାରି ହାତରେ ସ୍କେଚବୁକ୍ ଖଣ୍ଡେ ଧରି କେବେ ଇନ୍ଦିରା ଗାନ୍ଧୀ ପାର୍କ ଭିତରକୁ ତ କେବେ ଖଣ୍ଡଗିରି ଉଦୟଗିରି ଯିବେ । ମୂଖ୍ୟ ଉଦ୍ଦେଶ୍ୟ ହେଲା ପ୍ରେମୀ ଯୁଗଳଙ୍କ କ୍ରିୟାକଳାପ ଲୁଚିରହି ଅବଲୋକନ କରିବା । କଳ୍ପନା ଟକିଜ୍ ଠୁଁ ଆରମ୍ଭ କରି ସେ ସବୁ ମାଗାଜିନ୍ ପୁଣି ପାର୍କରେ ପ୍ରେମୀ ଯୁଗଳଙ୍କ ଦୃଶ୍ୟ ଏସବୁ ମିଶି କନ୍ହେଇର କଞ୍ଚା ଯୌବନ ରକ୍ତରେ ନିଆଁ ଲଗେଇ ଦିଏ । ସେ ବି ଏକ ପ୍ରେମିକାର ସ୍ୱପ୍ନ ଦେଖେ.. ହେଲେ ତା'ର ସାଙ୍ଗମାନେ ଯେଉଁଭଳି ତା' ରୂପରଙ୍ଗର ବର୍ଣ୍ଣନା କରି ତା'ର ମଜ୍ଜା ଉଡ଼ାନ୍ତି ସେ କଥା ମନେ ପଡ଼ିବା କ୍ଷଣି ତା'ର ସ୍ୱପ୍ନ ସବୁ ଚୁରମାର୍ ହୋଇଯାଏ ଆଉ ମୁହଁ ଝାଉଁଳି ଯାଇ  ପୂର୍ବ ଅପେକ୍ଷା ଆହୁରି କଳା ପଡ଼ିଯାଏ ।


ଦିନେ ଏଇମିତି ପୁରୁଣା ମାଗାଜିନର ଫର୍ଦ୍ଦ ଓଲଟାଇଲା ବେଳେ କହ୍ନେଇ ହଲିଉଡ୍ ତାରକା ଆରନଲ୍ଡକୁ ଆବିଷ୍କାର କଲା । ବାସ୍ ରାସ୍ତା ମିଳିଗଲା ! ସେ ବି ଆରନଲ୍ଡ ଭଳି ବଡ଼ି ବନେଇବ । ହେଲେ ଖାଲି ଦଣ୍ଡ ବୈଠକ ମାରିଲେ ଆଉ ଇଟା କି ପାଣି ବାଲତି ଉଠେଇ ବ୍ୟାୟାମ କଲେ ତ ହେବନି ପୁଣି କୁଆଡୁ ଆସିବ ଭଲ ଖାଇବା ? 

କହ୍ନେଇର ବାପା  ଜଣେ ରାଜମିସ୍ତ୍ରୀ ସେଥିରେ ପୁଣି ତିନି ତିନିଟା ଭଉଣୀ ତାରି ଭଳି । ବଡ଼ ଭଉଣୀର ଜେଣେତେଣେ କରି ବାହାଘର ସରିଯାଇଥିଲା ତା' ତଳେ ସାନ ଭଉଣୀ ଦୁଇଟି ପରିବାର ମୁଣ୍ଡରେ ବୋଝ ହୋଇ ବସିଥିଲେ । ତେଣୁ କନ୍ହେଇ ପଇସା ପାଇଁ ବୁଲି ବୁଲି ଛୋଟ ଛୋଟ ଛୁଆଙ୍କୁ‌ ଆର୍ଟ ଟିଉସନ୍ କଲା । ଯେତିକି ମିଳିଲା ସେଥିରୁ ତା'ର ଚିତ୍ର କରିବା ସାମଗ୍ରୀ ସହ ଷାଠିଏ ଟଙ୍କା ଯାଉଥିଲା ଘର ପାଖ ଜିମ୍ ରେ ଆଉ ବାକି ଚଣା , ମୁଗ , ଅଣ୍ଡା ଚିକେନ୍ ଖାଇବାରେ । ଏହାପରେ ସେ ନିୟମିତ କଲେଜ ଯିବାରେ ହେଳା କରୁ ନଥିଲା । କ୍ଲାସ୍ କରିବା ବାହାନାରେ ପ୍ରତିଦିନ ସାଙ୍ଗ ମାନଙ୍କୁ ନିଜର ଗଜରୁ ଥିବା ଦେହକୁ ଦେଖାଉଥିଲା । କିଏ ଉତ୍ସାହିତ କରୁଥିଲା ତ କିଏ କହେ ଆରନଲ୍ଡର ଗୁହକୁ ତୁ ସରି ହେବୁନୁ । ହେଲେ ଅଜୁ ସବୁବେଳେ ଉତ୍ସାହିତ କରୁଥିଲା କାରଣ ସବୁଦିନ ସନ୍ଧ୍ୟାରେ କେବେ ସିଝା ଅଣ୍ଡା ତ କେବେ ଚିକେନ ମିଳେ ଖାଇବାକୁ ।


ପ୍ରଥମ ବର୍ଷ ଆରମ୍ଭରୁ ଶେଷ ଯାଏ କ୍ଲାସର ତିନିଟା ଝିଅ ତାକୁ ଭଲ ଲାଗୁଥିଲେ ଏ କଥା କେବଳ ସେ ଅଜୁକୁ କୁହେ । ଯେଉଁଦିନ ଅଜୁକୁ ସେ କହିବ କି ରୀମାଟା ମୋତେ ଭଲ ଲାଗୁଛି ,ତା' ପରଦିନ ଅଜୁ ଯାଇ ରୀମା ସହ କଥାବାର୍ତ୍ତା କରିବ । କନ୍ହେଇ ଭାବେ ଅଜୁ ବୋଧେ ତା' କଥା ରୀମାକୁ କହୁଛି , ହେଲେ ନା ଅଜୁର ମନଟା ଅସ୍ଥିର ଗୋଟିଏ ସ୍ଥାନରେ କେବେ ବି ଅଧିକ ସମୟ ରହି ପାରେନି ତେଣୁ ଯେବେ କହ୍ନେଇ କୁହେ ଏ ଝିଅଟି ତାକୁ ଭଲ ଲାଗୁଛି ତା'ର ବି ମନ ଲାଗିଯାଏ ସେଇଠି । 


ଅଜୁଟା ଚାଲାକ୍ ସବୁ ଝିଅ ସହ ଆରାମ ସେ କଥା ହୋଇପାରେ ହେଲେ କହ୍ନେଇ ଝିଅଙ୍କ ପାଖକୁ ଗଲା କ୍ଷଣି ତା'ର ଗୋଡ଼ ଥରିବାକୁ ଲାଗେ କେବେ ବି ଆଖି ମିଶାଇ ଚାହିଁ ପାରେନି । କହ୍ନେଇକୁ ଅଜୁର ଏମିତି ବ୍ୟବହାର ଖରାପ୍ ଲାଗେ , ଗାଳି ବି ଦିଏ । ହେଲେ ଯେବେ ଅଜୁ କୁହେ , ଶଳା ! ଝିଅଙ୍କ ଛାଇ ପଡ଼ିଲେ ତୋ ଗୋଡ଼ ଥରୁଛି ତୁ କି ପ୍ରେମ କରିବୁ ବେ ? କହ୍ନେଇ କିଛି କହି ପାରେନି । ସେ ତା'ର ସବୁ ବ୍ୟର୍ଥତା ଜିମ୍ ରେ ବାରବେଲ୍ , ଡମବେଲ ଉଠେଇ କିମ୍ବା ଦଣ୍ଡ ମାରି ବାହାର କରେ । ଆଉ ବାକି ଯାହା ରହେ କବାଟ କିଳି ମାଗାଜିନ୍ ଦେଖି ଡ୍ରଇଂ କରିବା , ସ୍ୱପ୍ନ ଦେଖିବାରେ ଖର୍ଚ୍ଚ କରେ ତଥାପି ମନ ସବୁବେଳେ ଆଉଟୁ ପାଉଟୁ ହୁଏ ।


ଏମିତି ଦୁଇବର୍ଷ ବିତି ଯାଏ , କହ୍ନେଇ ଆଉ ଅଜୁର ଅଲଗା ଅଲଗା ବିଭାଗ ହୋଇଯାଏ , ଗୋଟିଏ ବିଭାଗ ଦୁହିଁଙ୍କୁ ମିଳିଲା ନାହିଁ । କହ୍ନେଇ ମିଳିଥିବା ଗ୍ରୀଷ୍ମ ଛୁଟିରେ ଖୁବ୍ ପରିଶ୍ରମ କରି ଆଖିଦୃଶିଆ ଚେହେରା ବନେଇ ଦେଇଥାଏ । ତା' ମନ ପସନ୍ଦର ଦୁଇଟି ଯାକ ଝିଅ ଭାଗ୍ୟକୁ ତାରି ବିଭାଗରେ । ଏମିତି ନୁହେଁ ଝିଅ ଦୁଇଟାଙ୍କର କେହି ନଥିଲେ , ତାଙ୍କ ପଛରେ ଏକ ଲମ୍ବା.... ଲାଇନ୍ ଲାଗିଥିଲା । 

ଆର୍ଟ କଲେଜରେ ଝିଅଙ୍କ ଅନୁପାତ ବହୁତ କମ୍ ସେଥିରେ ପୁଣି ସୁନ୍ଦରୀ ଝିଅଙ୍କ ସଂଖ୍ୟା ଆହୁରି କମ୍ ତେଣୁ କ୍ଳାସରେ ଯେଉଁ ଗୋଟିଏ ଯୋଡେ ଥାଆନ୍ତି ତାଙ୍କୁ ପାଇବା ପାଇଁ ଟୋକାଙ୍କ ଭିତରେ ମୁଣ୍ଡ ଫଟା ପ୍ରତିଯୋଗିତା ଚାଲେ । ଅଧିକାଂଶଙ୍କ ଭାଗ୍ୟରେ ହତାସିଆ ପ୍ରେମୀକର ମୋହର ବାଜେ ଆଉ ଯିଏ ପ୍ରେମିକା ଟିଏ ପାଇଗଲା ବାସ୍ ବଡ଼ ଗୋଟିଏ ଗଡ଼ ଜିତିଗଲା ପରି ଲାଗେ । ସର୍ବମୋଟରେ କହ୍ନେଇକୁ ମିଳିବାର ସମ୍ଭାବନା ନାହିଁ କହିଲେ ଚଳିବ । ଆଉ ସେପଟେ ଅଜୁର ମନ କେବେ କାହା ପାଖରେ ସ୍ଥିର ରୁହେନି ତେଣୁ ତା'ର ସମ୍ଭାବନା ବି ସେହି ଶୂନ୍ ।


ଏବେ କଲେଜରେ ଝିଅଙ୍କୁ କହ୍ନେଇର କଳା ମୁହଁରେ ତୋଫା ଧଳା ଦାନ୍ତର ମୁରୁକି ହସ ସହ ତା'ର ସୁଗଠିତ ଦେହ ଆକୃଷ୍ଟ କଲା ହେଲେ ସେତିକି ଯଥେଷ୍ଟ ନଥିଲା । କହ୍ନେଇ ସହ ଝିଅମାନେ କଥା ହେଲେ ବି ସେ ଲାଜରେ  ଅଧିକ ସମୟ ଗପି ପାରେନି କି ବାହାନା ଦେଖାଇ ଝିଅଙ୍କୁ ବଜାର କି ସିନେମା ପାଇଁ କହିପାରେନି । ଏସବୁ  କାମ ଅଜୁ ସ୍ବଚ୍ଛନ୍ଦରେ କରିପାରେ , ତା' ମନ ତ ଅସ୍ଥିର ଆଜି ଏ ଝିଅ ଭଲ ଲାଗିଲାଣି ତ କାଲି ସେ ଝିଅ। ଏମିତି ରିମା ବୋଲି ଝିଅଟି ଦୁହିଁଙ୍କୁ ପସନ୍ଦ ଥିଲା ହେଲେ ରିମା ପଛରେ ଲମ୍ବା ଲାଇନ୍ ଆଉ ତା'ର ଚାହିଦା ବି ମହଙ୍ଗା । ସେ ଯାହା ହେଉ ରିମାର ସାଙ୍ଗ ସସ୍ମିତା ଆଉ ଏ ଦୁହେଁଙ୍କର ଗୋଟିଏ ଦଳ ହୋଇଗଲା ସାଙ୍ଗ ହୋଇ ସକାଳେ ସନ୍ଧ୍ୟାରେ ଚିତ୍ର ଅଭ୍ୟାସ କରିବା ପାଇଁ ରେଳ ଷ୍ଟେସନ , ବସ୍ ଷ୍ଟାଣ୍ଡ , ପୁରୁଣା ମନ୍ଦିର ଆଉ ଖଣ୍ଡଗିରି ଉଦୟଗିରି ଯାଆନ୍ତି । ଏହି ଯିବା ଆସିବାରେ ସାଥିହୋଇ ଚିତ୍ର ଅଭ୍ୟାସ କରିବାରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼େ । କହ୍ନେଇ ଏହି ସମୟରେ ଝିଅଙ୍କ ସହ ଆଖିରେ ଆଖି ମିଳାଇ କଥା ହେବା ସିଖିଗଲା ।


ଦୁଇ ସାଙ୍ଗଙ୍କର ନଜର ଥାଏ ରିମା ଉପରେ କାରଣ ରିମାଟି ଦେଖିବାକୁ ସୁନ୍ଦର , ଚାଲାକ୍ ଆଉ ହସହସ ମୁହଁ । ସସ୍ମିତାଟି ଅତ୍ୟନ୍ତ ପତଳି , ସୁକୁମାରୀ , କାନ୍ଦୁରୀ ମୁହିଁ ଆଉ ସବୁବେଳେ ଦେହ ତା'ର ଖରାପ ରୁହେ । ସେଇଥି ପାଇଁ ବୋଧହୁଏ ରିମା ତାକୁ ସାଥିରେ ରଖେ ଅଧିକ ଆକର୍ଷଣୀୟ ଦିଶିବା ପାଇଁ । କହ୍ନେଇ ଆଉ ଅଜୁ ସସ୍ମିତାର ସାହାଯ୍ୟ ନିଅନ୍ତି ରିମାକୁ ତାଙ୍କ ମନ କଥା ଜଣେଇବା ପାଇଁ । ଦୁଇ ସାଙ୍ଗଙ୍କ ମଧ୍ୟରେ ବାଜି ମରାମରି ହୁଏ ଦେଖିବା କିଏ ଜିତୁଛି । ଅଜୁର ଆତ୍ମବିଶ୍ବାସ ଥାଏ ସେ ନିଶ୍ଚୟ ଜିତିବ , କହ୍ନେଇକୁ ବି ଲାଗେ ଅଜୁ ନିଶ୍ଚୟ ବାଜି ମାରିନେବ । 


ସସ୍ମିତା ଯାଇ ରିମାକୁ ଦୁହିଁଙ୍କ ବିଷୟରେ କ'ଣ କୁହେ କେଜାଣି ରିମା ସହ କହ୍ନେଇ ଆଉ ରାଜୁର ଦୋସ୍ତି ବିଗିଡି ବିଗିଡି ଯାଏ । ଭାଲେଣ୍ଟାଇନ୍  ଡ଼େ କିଛି ଦିନ ବାକି ଥାଏ ଦୁହେଁ ପ୍ରତିଯୋଗିତାର ନିଶାରେ ପୁଣି ଡ଼ରରେ କାଳେ ଆର ଜଣକ ଜିତି ନ ଯିବ  କି ଆଉ କେଉଁ ତୃତୀୟ ଟୋକା ଆସି ବାଜି ମାରିନେବ , ଦୁହେଁ ଗୋଟାଏ ସମାନ ଭୁଲ୍ କରି ବସିଲେ ।  ଗୋଟିଏ ଦିନରେ ଅଲଗା ଅଲଗା ସମୟରେ ଯାଇ ରିମାକୁ ନିଜ ମନ କଥା ଜଣାଇଲେ  ରିମା ପରିଷ୍କାର କହିଦେଲା ମୁଁ ଲକିଭାଇକୁ ଭଲପାଏ ।


ରାଜୁ ନିଜ ଭଙ୍ଗା ହୃଦୟର ଦୁଃଖ କହ୍ନେଇକୁ ନପାଇ ବାଧ୍ୟ ହୋଇ ଅନ୍ୟ ପୁଅସାଙ୍ଗଙ୍କ ଆଗରେ ବାଣ୍ଟିଲା । ରିମାକୁ ବାଜ୍ଯ , ଚରିତ୍ର ହୀନା କହି ନିଜ ଯନ୍ତ୍ରଣା କିଛି ମାତ୍ରାରେ ଲାଘବ କରିନେଲା ।  ଆଉ ଏପଟେ କହ୍ନେଇ ରାଜୁକୁ ନପାଇ ସସ୍ମିତା ଆଗରେ ନିଜ ଦୁଃଖ ବାଣ୍ଟିଲା  ।  ସସ୍ମିତା କୁହେ , କହ୍ନେଇ ତୁମେ ଏତେ ଭଲ  ଆଉ ଏତେ ସୁନ୍ଦର ଚେହେରା !  ତୁମେ ସେ ରିମା ପଛରେ କାହିଁକି ପଢ଼ିଛ ? ତୁମକୁ ତ ତା'ଠାରୁ ଆହୁରି ଭଲ ଝିଅ ମିଳିବ । ଏହି କଥାଟି  କହିଲା ବେଳେ ସେ କହ୍ନେଇର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ବାଳ ସହ ଖେଳିବାକୁ ଲାଗିଲା । କହ୍ନେଇ ମୁହଁ ଉଠେଇ ଚାହିଁଲା  ଆଉ ମନେ ମନେ ନିଜକୁ ଧିକ୍କାର କରି କହିଲା , ଛିଃ ! ଆଜିଯାଏଁ ମୁଁ ସସ୍ମିତାର ସୌନ୍ଦର୍ଯ୍ୟକୁ କାହିଁକି ଦେଖି ପାରି ନଥିଲି ? ବାସ୍ ସେଇ ଦିନଠୁ କହ୍ନେଇ ସସ୍ମିତା ଦୁଇ ଦେହ ଏକ ପ୍ରାଣ , ରିମାର ଚରମ ଶତ୍ରୁ ସସ୍ମିତା ଆଉ ରାଜୁ ହତାସିଆ ପ୍ରେମୀକଙ୍କ ଗୋଷ୍ଠୀରେ ସାମିଲ୍ ହେଲା ।


କଲେଜ ସରିବା ଯାଏଁ ସବୁ ସେମିତି ଚାଲିଲା କହ୍ନେଇ ଆଉ ସସ୍ମିତାର ସଂପର୍କ ଦୂରରୁ ଦେଖିଲେ ଲୈଲା ମଜନୁ ପରି ଦେଖାଯାଏ । ସସ୍ମିତାର ସୌନ୍ଦର୍ଯ୍ୟ ବହୁଗୁଣା ବଢ଼ିଯାଇଥିଲା । ଯିଏ ଦେଖିଲା କହିଲା , ଏତେ ସୁନ୍ଦର ଝିଅଟିକୁ ଏ କାଳିଆ ଭୁଷୁଣ୍ଡା କେମିତି ପଟେଇଲା ! ହେଲେ ଭିତିରି କଥାଟା ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଥିଲା ,  କହ୍ନେଇ ଆଉ ସସ୍ମିତାର ସବୁବେଳେ ଛୋଟ ଛୋଟ କଥାରେ ଝଗଡ଼ା ହୁଏ । କହ୍ନେଇ ସସ୍ମିତା ଉପରେ ନିଜର ମାଲିକାମି ଜାହିର କରେ  , ସସ୍ମିତା ଯଦି କେବେ କେଉଁ ପୁଅ ସହ  ହସିକରି କଥା ପଦେ ହୋଇଗଲା ତ ସେ ଅତ୍ୟଧିକ ରାଗିଯାଏ ପୁଣି ସସ୍ମିତା'ର ପୋଷାକ ଆଉ ଚାଲିଚଳନ ସବୁଥିରେ ଆଙ୍ଗୁଳି ଦେଖାଏ । ଏପଟେ ସସ୍ମିତା କହ୍ନେଇର ତଥାକଥିତ ନିମ୍ନ ଜାତି , ପରିବାର ଆଉ ଚିନ୍ତାକୁ ନେଇ ତାକୁ ନିକୃଷ୍ଟବୋଧ କରାଏ ।


କଲେଜ ସରୁ ସରୁ ଦେଖାଗଲା  କିଏ ଜଣେ ମଝିରେ ମଝିରେ ସସ୍ମିତାକୁ ଦେଖାକରିବା ପାଇଁ ଧଳା ମାରୁତି କାର୍ ଧରି ଆସୁଛି ।  ଟୋକାଟା ଦେଖୁବାକୁ ଲମ୍ବା ଚୋଉଡା ଆଉ ସ୍ମାର୍ଟ ! ପଚାରିଲେ ସସ୍ମିତା କୁହେ , ମୋ ଭାଇ । ହଁ , ହେଇଥିବ ଆମେ କାହିଁକି ସସ୍ମିତାର ଚରିତ୍ରକୁ ନେଇ ସନ୍ଦେହ କରିବା ? ସସ୍ମିତା ରାକ୍ଷୀ ପୂର୍ଣିମାରେ ବି ତା'ର ସେହି ଭାଇଙ୍କୁ ଭେଟିବାକୁ ଯାଏ ତେଣୁ ସନ୍ଦେହର ଅବକାଶ ନାହିଁ । ସସ୍ମିତା ର ଭାଇ ଆସିବାର କିଛି ଦିନ ପରେ  ତା'ର କହ୍ନେଇ ସହ ସଂପର୍କରେ ଆଉ  ଆଗ ଭଳି  ଗଭୀରତା ଦେଖା ଗଲାନି । ସବୁବେଳେ କାନରେ ଇଅର୍ ଫୋନ୍ ଗେଞ୍ଜି କାହା ସହ କଥା ହେଉଥିବ , ପଚାରିଲେ କହିବ ସାନ ଭାଇ ତ ଆଉ କେତେବେଳେ ବଡ଼ଭାଇ ।


ଶେଷ ବର୍ଷର ପରୀକ୍ଷା ସରିଗଲା , ରେଜଲ୍ଟ ଆସି ନଥାଏ । ସମସ୍ତେ ଛୁଟିରେ ଘରକୁ ଗଲେ ସସ୍ମିତା ବାଲେଶ୍ଵରର ତା' ଘରକୁ ଗଲା । କହ୍ନେଇ ବସ୍ ରେ ବସେଇ ଦେଇ କାନ୍ଦ କାନ୍ଦ ହୋଇ କହିଥିଲା , ଭୁଲିବନି ସବୁବେଳେ ଫୋନ୍ କରିବ । ସସ୍ମିତା ହଁ ଭରିଲା , ଲୋକଙ୍କ ଆଢ଼ୁଆଳରେ କହ୍ନେଇ ଗୋଟିଏ ଫ୍ଲାଇଙ୍ଗ କିସ୍ ପ୍ରେରଣ କଲା ଆଉ ସସ୍ମିତା ବି ତା'ର ଜବାବ ଦେଲା । 


ଘରେ ପହଞ୍ଚିଲା ପରେ ସସ୍ମିତା ଆଉ କେବେ ବି ଥରେ କହ୍ନେଇକୁ ଫୋନ୍ କଲା ନାହିଁ । କହ୍ନେଇ ଫୋନ୍ କଲେ କେବେ ନମ୍ବରଟି ବ୍ୟସ୍ତ ଅଛି କୁହେ ତ କେବେ କେବେ ଫୋନ୍ ଲାଗିଲେ ସସ୍ମିତା  କୁହେ , ଘର ଲୋକେ ଅଛନ୍ତି କଥା ହୋଇ ପାରିବି ନାହିଁ । କହ୍ନେଇ ବ୍ୟସ୍ତ ହୁଏ , ଇଚ୍ଛା ତା'ର ହୁଏ ସାଙ୍ଗେ ସାଙ୍ଗେ ବାଲେଶ୍ଵର ଯାଇ ଦେଖା କରିବ ହେଲେ ସେ ତ ଜାଣିନି ସସ୍ମିତାର ଘର ବାଲେଶ୍ଵରରେ କେଉଁଠି ? ସାଙ୍ଗସାଥୀକୁ ପଚାରିଲେ କେହି ଠିକ୍ ସେ କହିପାରନ୍ତି ନାହିଁ । ବହୁ କଷ୍ଟରେ ଛୁଟିଟି ସେ କାଟିଲା । ରେଜଲ୍ଟ ବାହାରିଲା ସସ୍ମିତା ଫେରିଲା ତାକୁ ବସ୍ ଷ୍ଟାଣ୍ଡରୁ ଆଣିବା ଚିନ୍ତାରେ ରାତି ସାରା ସେ ଶୋଇ ପାରିଲା ନାହିଁ ।  ଆଠଟାରେ ବସ୍ ଲାଗିବାରେ ଥିଲା କହ୍ନେଇ ଯାଇ ଛଅଟାରୁ ଜଗି ବସିଥିଲା , ବସ୍ ସାଢ଼େ ଆଠରେ ଲାଗିଲା । ସସ୍ମିତାକୁ ଦେଖି ଦେଇ ତା'ର ସବୁ ଦୁଃଖ ଯନ୍ତ୍ରଣା କୁଆଡ଼େ ଉଭେଇ ଗଲା । ଦୁହେଁ ଜଳଖିଆ କରିଦେଇ କଲେଜ ବାହାରି ଗଲେ ।


ପରୀକ୍ଷାରେ ସସ୍ମିତା କହ୍ନେଇ ଅପେକ୍ଷା ବହୁତ ଭଲ କରିଥିଲା ଜାଣି କହ୍ନେଇ ଖୁସିହେଲା କି ଯାହା ହେଉ ତା' ଯୋଗୁଁ ସସ୍ମିତା ଭଲ ରେଜଲ୍ଟ କରିଛି । ଦୁହେଁ ସେ ଦିନ କେଶରୀ ଟକିଜ୍ ରେ " ଦିଲ ଚାହତା ହେ " ସିନେମା ଦେଖିଲେ ପୁଣି  ସାଙ୍ଗ ହୋଇ ଇନ୍ଦିରା ଗାନ୍ଧୀ ପାର୍କ ଗଲେ । ସନ୍ଧ୍ୟାରେ ସସ୍ମିତାକୁ ତା' ମେସ୍ ରେ ଛାଡ଼ିବା ପୂର୍ବରୁ ସସ୍ମିତା ଦୁଇ ହଜାର ଟଙ୍କା ଧାର ମାଗିଲା । କହ୍ନେଇକୁ ଖରାପ୍ ଲାଗିଲା ଧାର୍  ପୁଣି କ'ଣ ? ମୋ ପଇସା କ'ଣ ତୁମର ନୁହେଁ ? ସସ୍ମିତା କହ୍ନେଇର ଜବାବ ଶୁଣି ଖୁସି ହେଲା । ତତ୍ କ୍ଷଣାତ୍ ପର୍ସରୁ ନୂଆ ନୂଆ ନୋଟ୍ ବାଛି ଦୁଇ ହଜାର ଟଙ୍କା କହ୍ନେଇ ସସ୍ମିତାକୁ ଧରାଇ ଦେଲା । 


ଅନ୍ଧାରିଆ ଥିଲା ଆଖ ପାଖରେ କେହି ନଥିଲେ ତେଣୁ କହ୍ନେଇ ସସ୍ମିତା ବାହୁବନ୍ଧନରେ ଜାବୁଡ଼ି ଧରିଲା । ଚୁମ୍ବନ କରିବାକୁ ଯାଉଥିଲା ସସ୍ମିତା ବାଧାଦେଇ କହିଲା , ଥାଉ କିଏ ଦେଖିଦେବ । ସସ୍ମିତା ସେ ଦିନ ତା'ର ପିକକ୍ ବ୍ଲୁ ରଙ୍ଗର ଚୁଢିଦାର ଆଉ ସୁନେଲି ରଙ୍ଗର ଚୁନିରେ କହ୍ନେଇକୁ ବାକି ଦିନ ତୁଳନାରେ ଅଧିକ ସୁନ୍ଦର ଲାଗୁଥିଲା ! କହ୍ନେଇର ପାଦ ଉଠୁ ନଥିଲା ତା'ର ନଜର ସସ୍ମିତା ଉପରୁ ହଠୁ ନଥିଲା । ସସ୍ମିତା ପେଲି ଦେଇ କହିଲା , ଯା ! ଏତେ ଦୁଷ୍ଟ ହୁଅନି ,  ମୁଁ କ'ଣ କୁଆଡ଼େ ପଳେଇ ଯାଉଛି ?


ପରଦିନ ସହଳ ଉଠି ଗାଧୁଆ ସାରି କହ୍ନେଇ ତା'ର ନୂଆ ଜିନ୍ସ , ବ୍ଲୁ ଟି ସାର୍ଟ ଆଉ ନାଲି ସ୍ପୋର୍ଟସ ଜୋତା ପିନ୍ଧି ଆଠଟାରେ ଆସି ସସ୍ମିତା ରହୁଥିବା ଭଡ଼ା ଘର ପାଖରେ ହାଜର । ବହୁତ କିଛି ତା' ମନରେ ଯୋଜନା ଅଛି , ସସ୍ମିତାକୁ ସେ ସରପ୍ରାଇଜ୍ ଦେବ । କଲିଙ୍କ୍‌ ବେଲ୍ଲା ଟିପିଲା , ଗୋଟିଏ ଥରରେ ସସ୍ମିତା  ତ କବାଟ ଖୋଲେ ଆଜି ତିନିଥର ହେଲାଣି ଜବାବ୍ ମିଳୁନି  ? ବାଥରୁମ୍ ଯାଇଥିବ ବୋଧ ହୁଏ । ଘର ମାଲିକାଣୀ ବୁଢ଼ୀ କହିଲା , ପୁଅ କାହାକୁ ଖୋଜୁଛ ? ସସ୍ମିତା ! କହ୍ନେଇ ପଚାରିଲା ? ସସ୍ମିତା ଆଜି ଭୋରୁ ଭୋରୁ ଘର ଖାଲି କରି ଚାଲିଗଲା । କୁଆଡ଼େ ଆଉ କାହା ସହ ? କାହା ସହ ପଚାରିବାଟା ଠିକ୍ ହେଲାନି ମନେ ମନେ କହ୍ନେଇ ଭାବିଲା । ବୁଢ଼ୀ କହିଲା , କୁଆଡ଼େ ଗଲା ମୋତେ ଜଣା ନାହିଁ ପୁଅ , ହଁ ! ତା'ର ଭାଇ ଜଣେ କିଏ ଧଳା ମାରୁତି କାର ଧରି ଆସିଥିଲେ ତାଙ୍କ ସହ ଗଲା । କହ୍ନେଇର ପାଦ ତଳୁ ମାଟି ଯେମିତି ଖସିଗଲା ସେ ନିଜକୁ ବଡ଼ କଷ୍ଟରେ ସମ୍ଭାଳି ନେଇ ଗେଟ୍ ବାହାରକୁ ଆସି ଫୋନ୍ କଲା ,  ତା' ହାତ ଗୋଟାପୁଣି ଥରୁଥାଏ ,  ତଣ୍ଟି କୁହୁଳୁ ଥାଏ । ସସ୍ମିତାର ଫୋନ୍ ସୁଇଚ୍ ଅଫ୍ !


ବର୍ଷେ ଖଣ୍ଡେ କହ୍ନେଇ ପାଗଳ ଭଳି ଘୂରି ବୁଲିଲା , ସସ୍ମିତାର କିଛି ଖୋଜଖବର ମିଳିଲା ନାହିଁ । ତା' ସୁଗଠିତ ଦେହ କୁଆଡ଼େ ଶୁଖିଗଲା , ତା' ଦେହରେ ପୁଣି ହାଡ଼ ଗୋଟି ଗୋଟି କରି ଗଣି ହୋଇଗଲା । କେବଳ ଏକମାତ୍ର ସାଙ୍ଗ ଅଜୁ ତାକୁ ସବୁବେଳେ ବୁଝାଏ ହେଲେ କହ୍ନେଇ ଉପରେ କିଛି ବି ଫରକ୍ ପଡେନି । ଦିନେ ଅଜୁ କହିଲା , ଆବେ ! ମୋ ପେଟ ବାହାରି ଗଲାଣି ଶଳା ! ଝିଅଗୁଡାକ ମୋତେ ଅଙ୍କଲ୍ ଡାକୁଛନ୍ତି କେମିତି କମେଇବା କହିଲୁ  ? କହ୍ନେଇ ବହୁଦିନ ତା'ର ଅତି ପ୍ରିୟ ସାଙ୍ଗ ମୁଁହକୁ ଚାହିଁଲା ଆଉ ତା' ପେଟକୁ ଦେଖିଲା , ଅଜୁର ପେଟ ଟିକିଏ ବାହାରକୁ ଆସିଥିଲା ଏଇଟା ଆଜି ନୁହେଁ ଯେବେ ସିଏ ପ୍ରଥମେ ପାଞ୍ଚବର୍ଷ ତଳେ ତାକୁ ଦେଖିଥିଲା ଏମିତି ହିଁ ଥିଲା । କହ୍ନେଇ ତା'ର ସେହି ପୁରୁଣା ହଜିଲା ହସ ହସି କହିଲା , କାଲି ଜିମ୍ ଆସେ , ତିନି ମାସରେ ତୋତେ ଆରନଲ୍ଡ କରିଦେବି ।


 ସେବେ ଠୁଁ ପାଞ୍ଚବର୍ଷ ହେଲାଣି କହ୍ନେଇ ପ୍ରତିଦିନ ଜିମ୍ ଯାଏ  , ଏବେ ବି ସେ ସସ୍ମିତାକୁ ଭୁଲିବା ପାଇଁ ବାରବେଲ୍ ଉଠାଏ , ଡମବେଲ୍ ଉଠାଏ ଆଉ ଦଣ୍ଡ ମାରି ମନକୁ ହାଲୁକା କରେ । ସସ୍ମିତା ବିନା ସେ ଖୁସିରେ ବଞ୍ଚିପାରିବ ଏ ଆତ୍ମବିଶ୍ବାସ ତା'ର ଆସେ । 



Rate this content
Log in

Similar oriya story from Drama