Sachidananda Kar

Romance

4  

Sachidananda Kar

Romance

କେତେ ନିଆରା ଏଇ ପ୍ରେମ ଖେଳ

କେତେ ନିଆରା ଏଇ ପ୍ରେମ ଖେଳ

2 mins
360



         ସମୟ ଥିଲା।ସୁଯୋଗ ବି ଥିଲା।ତଥାପି ସେ କହିପାରିଲେନି - ମୁଁ ତୁମକୁ ଭଲପାଏ। 


         ମୁଁ ବି କୋଉ ତାଙ୍କୁ ସେତିକି କହିପାରୁଥିଲି ଯେ!ହୃଦୟର କଥା ହୃଦୟରେ ରହୁଥିଲା। 


          ସେ ଆଦୌ କହୁ ନ ଥିଲେ।ଅନେକ ଥର ତାଙ୍କୁ ସେଥିପାଇଁ ବାଟ କଢ଼େଇ ନେଇଥିଲି।ହେଲେ ବିଫଳ ହୋଇଥିଲି। 


          ସରସ,ସୁନ୍ଦର, ଶୃଙ୍ଖଳିତ ଦିନ - ଏକଦା ଏସବୁ ମୁଁ ତାଙ୍କ ଠାରୁ ଚାହିଁଥିଲି।ମୋର ଏଇ ଇଚ୍ଛାକୁ ସେ ପୂରଣ କରିଥିଲେ।ମୁଁ ପ୍ରେମରେ ପ୍ରେମରେ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଥିଲି।ପ୍ରେମ କବିତା ଲେଖୁଥିଲି।ଗୋଟେ ସୁନ୍ଦର ଇଚ୍ଛାକୁ ପାଳିପୋଷି ବଡ଼ କରୁଥିଲି। 


         ଏକ ଅଦୃଶ୍ୟ ଡୋରୀରେ ବନ୍ଧା ହୋଇ ରହିଥିଲା ଆମ ସଂପର୍କ।ମୋତେ ଲାଗୁଥିଲା ଯେମିତି ତାହା ଧୀରେ ଧୀରେ ଦୃଶ୍ୟମାନ ହୋଇଯିବ।ତେଣୁ ଅଧୈର୍ଯ୍ୟ ନ ହୋଇ ସମୟକୁ ଅପେକ୍ଷା କରି ରହୁଥିଲି ମୁଁ। 


          ସମୟ କାହାକୁ ଧରା ଦିଏ ଯେ!ଧରାଦେଲାନି ସମୟ।ଦିନେ କୌଣସି କାରଣ ନ ଥାଇ ଆମେ ଦୁହେଁ ଅଲଗା ଅଲଗା ହୋଇଗଲୁ।ଆମ ପ୍ରେମର ଫୁଲକଳିଟି ଫୁଟିବା ଆଗରୁ ମଉଳିଗଲା। 


          ମୋର ବାହାଘର ହୋଇଗଲା।ସିଏ ବି କୋଉ ଏକା ରହିଲେ କି!ସୁନ୍ଦରୀ ଝିଅଟେ ଦେଖି ବାହା ହୋଇଗଲେ।ମୁଁ ମୋ ସ୍ବାମୀ, ପିଲାଛୁଆ ସଂସାର ଭିତରେ ହଜିଲି।ସିଏ ତାଙ୍କ ସ୍ତ୍ରୀ, ପିଲାଛୁଆ ସଂସାର ଭିତରେ ବୁଡ଼ି ରହିଲେ। 


          ବୟସ ବଢ଼ିଲା।ଉତ୍ତର ଚାଳିଶରେ ପହଞ୍ଚି ସାରିଥିଲୁ ଆମେ ଦୁହେଁ।ତଥାପି ମୋ ଛାତି ତଳେ ଥିଲେ ସେ।ଓଠ ଖୋଲି ତାଙ୍କୁ କହିଦେବାକୁ ଇଚ୍ଛା ହେଉଥିଲା - ମୁଁ ତୁମକୁ ଭଲପାଏ - ଯାହା ସେଦିନ କହି ହୋଇ ନ ଥିଲା ବା କହିପାରି ନ ଥିଲି।ଓ ଏତିକି କହିବାକୁ ତାଙ୍କୁ ମନେମନେ କେତେ ଖୋଜୁ ନ ଥିଲି ମୁଁ! 


           ସେ କ'ଣ ଏବେ ଭାବୁ ନ ଥିବେ ମୋତେ!କହିବାକୁ ଚାହୁଁ ନ ଥିବେ - ମୁଁ ତୁମକୁ ଭଲପାଏ!ସବୁ ସମୟରେ ମୁଁ ଏମିତି ଭାବୁଥିଲି। 


            ନା,ସେ ଯଦି ଜଣେ ସଫଳ ସଂସାରୀ ହୋଇ ପାରିଥିବେ ତେବେ କାହିଁକି ଭାବିବେ ସେପରି!ମନକୁମନ କହୁଥିଲି।ମୋ ଚାରିପାଖରେ ଗୋଟେ ମାୟା ଘେରି ରହିଥିଲା।ତାଙ୍କୁ ହିଁ ମୁଁ ଭେଟୁଥିଲି ସବୁବେଳେ। 


            ଏମିତି ହୁଅନ୍ତାନି - - - - !ଦିନେ ଅକସ୍ମାତ ସେ ଭେଟ ହୋଇଯାଆନ୍ତେ।ଏ ଉତ୍ତର ଚାଳିଶ ବର୍ଷ ବୟସକୁ ଦୂରକୁ ଫିଙ୍ଗିଦେଇ ଲେଉଟାଇ ଆଣନ୍ତେ ଆମ ଅତୀତକୁ!ସାହସର ସହିତ କହନ୍ତେ - ମୁଁ ତୁମକୁ ଭଲପାଏ! - ସବୁ ସମୟରେ ମନେମନେ ଏମିତି ଭାବୁଥିଲି। 


            ସମୟ କ'ଣ ପଛକୁ ଲେଉଟେ !କିନ୍ତୁ ଦିନେ ମୋ ପାଇଁ ଲେଉଟିଲା।ହଠାତ୍ ଆମେ ଦୁହେଁ ଗୋଟେ କନଫରେନ୍ସରେ ଭେଟାଭେଟି ହୋଇଗଲୁ।ମୋତେ ଆଶ୍ଚର୍ଯ୍ୟ କରିଦେଇ ସେ ହସି ହସି କହିଲେ - ' ମୁଁ ତୁମକୁ ଭଲପାଏ, ନିରୁ। ' 


            ତାଙ୍କ ହସ ଓ ମହୁବୋଳା କଥା ପଦିକ ମୋ ଦେହରେ ମନରେ ସାହସ ସଞ୍ଚାର କଲା।ହସିଦେଇ କହିଦେଲି - ' ହଁ,ମୁଁ ବି ତୁମକୁ ଭଲପାଏ, ଆୟୁଷ। ' 


            ପ୍ରେମ ତ ଗୋଟେ ମିଠା ସଂପର୍କର ମଜବୁତ ଖୋଲାଛତା।ଅଙ୍ଗେଲିଭା କଥା ସବୁକୁ ସୁରକ୍ଷିତ ଭାବରେ ଧରି ରଖିଥାଏ ସେ ତା' ତଳେ ସବୁବେଳେ।ସମୟର ଝଡ଼ ବର୍ଷା ସେସବୁକୁ ଉଡ଼ାଇପାରେ ନା ବୁଡ଼ାଇପାରେ!

ଏବେ ଆମ ସଂପର୍କର ଅଙ୍ଗେଲିଭା କଥା ସବୁ ମୋ ଆଖି ଆଗରେ ମୋତେ ଜଳଜଳ ହୋଇ ଦିଶୁଥିଲା।ମୁଁ ତାଙ୍କ ସହିତ ଅନ୍ତରଙ୍ଗ ହେବାକୁ ଇଚ୍ଛା କଲି। 


            ମୋ ସହିତ ଅତି ଆପଣାର ମଣିଷ ଭାବରେ ସେ କଥା ହେଲେ।ତାଙ୍କ କଥାରୁ ବୁଝିଲି ତାଙ୍କ ସ୍ତ୍ରୀ ପରକୀୟା ପ୍ରୀତିରେ ମାତି ଘର ଛାଡ଼ି ବାହାରେ ରହୁଛନ୍ତି।ମୋ ସ୍ବାମୀ ବି କୋଉ କମ୍ କି!ସିଏ ବି ଜଣେ ସୁନ୍ଦରୀ ଯୁବତୀଙ୍କ ସହିତ ଚୋରା ପ୍ରୀତିରେ ମାତିଛନ୍ତି ପରା!ଅଧିକାଂଶ ରାତି ତାଙ୍କ ପାଖରେ କଟେଇ ଘରକୁ ଫେରୁଛନ୍ତି। 


            ନା ମୁଁ ତାଙ୍କୁ କହିପାରିଲି ମୋ ସ୍ବାମୀଙ୍କ ଚୋରା ପ୍ରୀତିର କାହାଣୀ, ନା ତାଙ୍କୁ ଟିକେ ଛୁଇଁ ତାଙ୍କ ସହିତ ଅନ୍ତରଙ୍ଗ ହୋଇପାରିଲି!ସିଏ ବି କୋଉ ଆଗ୍ରହ କରି ମୋତେ ଛୁଇଁପାରିଲେ ଯେ! 


            ବହୁ ବର୍ଷ ପରେ ନିରୋଳା ସମୟ ଟିକେ ମିଳିଥିଲା।ଆମେ କେବଳ ସେଇ ସମୟର ସଦୁପଯୋଗ କରି ପରସ୍ପରର ଜୀବନକୁ ମାପିବାରେ ଲାଗିଥିଲୁ।ଖୁସି ଏତିକି ଥିଲା ଯେ ଆମେ ପରସ୍ପରକୁ 'ମୁଁ ତୁମକୁ ଭଲପାଏ' କହିପାରିଥିଲୁ। 


            ସମୟ ସରିଲା।ସେ ଫେରିଲେ।ମୁଁ ବି ଫେରିଲି। 


            ସମୟର ଖେଳରେ ଜୁଆର ଭଟ୍ଟାର ଅଙ୍ଗେଲିଭା କଥା ସବୁକୁ ନେଇ ସତରେ କେତେ ନିଆରା ଏଇ ପ୍ରେମ ଖେଳ! - ଭାବୁଥିଲି ବାଟସାରା।ହଁ,ବାଟସାରା କେବଳ ଏଇକଥା ହିଁ ଭାବୁଥିଲି।


Rate this content
Log in

Similar oriya story from Romance