କଦମ୍ବର ମହକ
କଦମ୍ବର ମହକ
କଦମ୍ବର ମହକଶ୍ୟାମଳୀ ନାଁଟି ବେଶ ମାନୁଥିଲା ତାକୁ. କେହି କିଛି କହୁ ନ କହୁ ତାହାର ରଙ୍ଗକୁ ନେଇକି, କିନ୍ତୁ କେହି କେବେ ମଧ୍ୟ ଏଡାଇ ଦେଇ ପାରି ନାହିଁ, ପୁରା ଇଲାକାରେ ତାହା ଠାରୁ ସୁନ୍ଦର ଗଠନ କାହାର ନଥିଲା. ଖାଲି ଟିକିଏ ଦେହର ରଙ୍ଗଟି କଳା ଅନ୍ୟ ଭଉଣୀଙ୍କର ତୂଳନାରେ ବୋଲି ତାହାକୁ କାଳି ନାଁରେ ଡାକନ୍ତି ସାହି ଲୋକ.ସ୍କୁଲରେ କିନ୍ତୁ "କୃଷ୍ଣା" ଥିଲା ସବୁ ଶିକ୍ଷଙ୍କର ପ୍ରିୟ ଛାତ୍ରୀ. ପାଠରେ ଯେମିତି ଶାଠରେ ସେମିତି ନିପୁଣା ସିଏ. ଘର କାମରେ ମଧ୍ୟ ଓସ୍ତାଦ. ବୁଢୀମା କହେ, " କାଳି କାହିଁକି ଡାକୁଛ କିରେ? ଯଦି କୃଷ୍ଣା ଶବ୍ଦଟି ତୁମ ପାଟିରେ ପଶୁନି ଶ୍ୟାମଳୀ ଡାକୁନ? କୋଉ ତୁମେ ମାନଙ୍କର ପାଖରେ ତାହାର ଗୁଣର ଗୋଟିଏ ଶତକଡା ଭାଗ ଅଛି ଯେ ତାହାର ରୂପ ରଙ୍ଗ ବାଛିବାରେ ଲାଗିଛ".ବୁଢୀମା କଥା ଶୁଣି ଆମେ ସବୁ ଚୁପ. ବୋଉ କିନ୍ତୁ ମାନେନି, "କଳା ତା କଳା . ସେଥିରେ ଆଉ ଭାବିବାର କଣ ଅଛି? କିଏ କାହିଁକି ଏହି କାଳି ଝିଅକୁ ବାହା ହେବ କି ବୋହୁ କରିବ"?.
ସତରେ ଶ୍ୟାମଳୀ ଯାହାକୁ ବାହା ହେବ ସିଏ ବହୁତ ଭାଗ୍ୟବାନ ହେଇଥିବା. ମୋର ଶ୍ୟାମଳୀ ସହିତ ସମ୍ପର୍କ ଅନ୍ୟ ପ୍ରକାରର. ସ୍କୁଲରୁ କଲେଜରେ ଗ୍ରାଜୁଏସନ ପର୍ଯ୍ୟନ୍ତ ଆମେ ଦୁହେଁ ସହପାଠି, ତାହା ଛଡ଼ା ପଡୋଶୀ ହୋଇଥିବାରୁ ପରିବାରର ସଦସ୍ୟ ଭଳି ମୋତେ ତାଙ୍କର ଘରେ ଅଧିକାର ମିଳେ. ତାହା ତଳେ ଆଉ ଚାରି ଭଉଣୀ. ଭାଇ ନାହାନ୍ତି. ତିନି ଚାରିଟା ରାକ୍ଷୀ ବନ୍ଧା ଭାଇ ଆଉ ମାମୁଁ ପୁଅ , କକା ପୁଅ ଭାଇ ଏମିତି ମିଶେଇ ତାହାର ଭାଇ ଗୋଷ୍ଠୀ.ମୋତେ କିନ୍ତୁ ସିଏ ନାଁ ଧରି ଡାକେ. କେବେ ମଧ୍ୟ କହି ନାହିଁ ମୋ ବିଷୟରେ ତାହାର ମତାମତ କି ପ୍ରକାଶ କରି ନାହିଁ ତାହାର ମନର କଥା. ଖାଲି ବର୍ଷା ଦିନ ହେଲେ ମୋତେ ବରାଦ କରେ, କିଛି କଦମ୍ବ ଫୁଲ ତୋଳି ଆଣିବାକୁ. ଅଣିଲେ ତାହାକୁ ନିଜର ଟେବୁଲରେ ପାଣି ଗିଲାସେ ନେଇକି ସେଥିରେ ରଖିଦିଏ.ପଚାରିଲେ କହେ,"ମୁଁ ପରା କୃଷ୍ଣା. ମୋର କଦମ୍ବ ସହିତ ଘନିଷ୍ଠ ସମ୍ପର୍କ."ମୁଁ ତାକୁ ଚିଡ଼ାଏ,"କହିଲୁ ତାହା ହେଲେ ରାଧା କାହାନ୍ତି ତୋହର".ଖୁବ ଜୋର ରେ ହସେ ମୋ କଥା ଶୁଣି. ଆଉ ହସି ହସି ଗାଡି ଯାଏ. ଆଉ ସେତିକି ବେଳେ ତାହା ଆଖିରୁ ଖସି ଆସେ ଦୁଇ ଟୋପା ଲୁହ. ଯେମିତି କଳା ମେଘରୁ ଦୁଇ ଟୋପା ବର୍ଷା ହଉଛି . ମୋତେ ଆଶ୍ଚର୍ଯ୍ୟ ଲାଗେ ଓ ଖୁସି ମଧ୍ୟ. ଅନ୍ୟ କାହାର ଦେଖିନି ଏମିତି ହସିଲେ ଲୁହ ଗଡ଼ିବାର. ତାହାର ହସ ଆଉ ଲୁହର ଏହି ମେଳ ବହୁତ ଭଲ ଲାଗେ ମୋତେ.କିନ୍ତୁ ସମୟର ସାଥେ ସାଥେ ତାହାର ସେହି ଲୁହ ମଧ୍ୟ କମି ଯାଇଥିଲା. ସବୁଠାରୁ ବଡ ହୋଇଥିବା ଯୋଗୁଁ ତାହାର ବାହାଘର ନ ହେଲା ପର୍ଯ୍ୟନ୍ତ ଅନ୍ୟ ମାନଙ୍କର ବାହାଘର କଥା ମଉସା ମାଉସୀଙ୍କର ମନରେ ମଧ୍ୟ ଆସେ ନାହିଁ. ଶେଷରେ ବହୁତ କଷ୍ଠରେ ଦୂର ସହରରେ ସମ୍ବନ୍ଧଟିଏ ସ୍ଥିର ହେଲା.ବହୁତ ଦାବି ଥିଲା ପୁଅ ଘରର. କାଳି ଝିଅକୁ ବୋହୁ କରି ନେଉଛନ୍ତି ବୋଲି ସବୁ ପ୍ରକାର ଫାୟଦା ଉଠେଇଥିଲେ ତାହାର ଶଶୁର. ସେ ଯାହା ହେଉ ତାହାର ବର କିନ୍ତୁ ବେଶ ଭଲ. ଦେଖିବାକୁ ସେତେ ସୁନ୍ଦର ନ ହେଲେ ମଧ୍ୟ ଖୁବ ଗୋରା ରଙ୍ଗ ତାଙ୍କର. ମୋ ସହ ଖୁବ ଜମିଲା ତାଙ୍କର.ଶ୍ୟାମଳୀର ଦେଖା ଦେଖି ସିଏ ମଧ୍ୟ ମୋତେ ନାଁ ଧରି ଡାକନ୍ତି. ଆଉ ମୁଁ ତାଙ୍କୁ ଡାକେ "ରାଧା". ରାଧାକାନ୍ତ ନାଁଟି କୁ ଛୋଟିଆ କରିଦିଏ ମୁଁ. ଦୁହିଁଙ୍କୁ ସାଥିରେ ଦେଖିଲେ ଚିଡ଼ାଏ, "ଆସିଗଲା ରାଧା କୃଷ୍ଣ". ମୁରୁକି ହସନ୍ତି ରାଧା. ବାହାଘର ପରେ ପ୍ରତି ବର୍ଷ ରଜରେ ଆସେ ଶ୍ୟାମଳୀ. ରଥ ଯାତ୍ରା ସରିଲେ ଫେରି ଯାଏ ସହରକୁ.ଏଥର ମଧ୍ୟ ଆସିଛି. ସାଥିରେ ତାହାର ଛ ମାସର ଛୁଆଟିଏ . ବାହାଘରର ଛ ବର୍ଷ ପରେ ହୋଇଛି ଛୁଆଟିଏ. ଖୁବ ଗୁଲୁଗାଲିଆ ହୋଇଛି. ମା ର ରୂପ ଆଉ ବାପାଙ୍କର ରଙ୍ଗ ଆଣିଛି. ଠିକ ଜମିଛି. ବିପରୀତ ଅବସ୍ଥାରେ କଣ ହୋଇଥାନ୍ତା କିଏ ଜାଣେ.ଆଜି ଗାଁର ସ୍କୁଲ ପରିସରର କଦମ୍ବ ଗଛଟିରେ ଫୁଲ ଭରିଛି. ଶ୍ୟାମଳୀ ଆସିଛି ମଧ୍ୟ. ଅସରାଏ ବର୍ଷାରେ ଭିଜି ଯାଇଛି ପୁରା ଗାଁ. ଗଛଟି ଓଦା ହୋଇଛି.କିନ୍ତୁ କୌଣସି ମତେ ତୋଳି ଆଣିଲି ଗୋଛାଏ ଫୁଲ. ନିଶ୍ଚୟ ଖୁସି ହବ ଶ୍ୟାମଳୀ.ଘର ପର୍ଯ୍ୟନ୍ତ ଆସୁ ଆସୁ ଅନେକ କିଛି ସ୍ମୃତିକୁ ଓଲଟାଇ ଦେଖିଥିଲି. ସେହି ସ୍କୁଲ୍ଜରେ ମୁଁ ଛାତ୍ରରୁ ଶିକ୍ଷକ ପାଲଟିଛି. ଆଊ ସବୁଠାରୁ ମେଧାବୀ ଛାତ୍ରୀ ଆଜି ଗୃହିଣୀ ହୋଇଛି. ସେ ଯାହା ହେଉ ସିଏ ଖୁସିରେ ଅଛି.ସବୁ ସମୟର ଖେଳ.ବୋଉ ଠିଆ ହୋଇଛି ଦୁଆରରେ. "ଆଜି ପରା ସ୍କୁଲ ଛୁଟି ଥିଲା.କୁଆଡେ ଯାଇଥିଲୁ?. ମୁଁ ଦିପହରରୁ ଚାହିଁଛି ତୋ ପାଇଁ ରୋଷେଇ କରିକି"."ଘରେ ବସି ବସି ବୋର ହଉ ଥିଲି.ସ୍କୁଲର କିଛି କାମ ଥିଲା. ତାହା ପରେ ହେଡମାଷ୍ଟର ସାରଙ୍କ ସହ ବି କିଛି କଥାବାର୍ତ୍ତା ହେବାର ଥିଲା", ମୁଁ ଉତ୍ତର ଦେଲି."ହଉ ଗୋଡ ହାତ ଧୋଇକି ଆସେ. ମୁଁ ଖାଇବାକୁ ବାଢୁଛି "."ବୋଉ ମୁଁ ଆସୁଛି ଦୁଇ ମିନିଟରେ,", ବ୍ୟାଗଟିକୁ ଥୋଇଦେଇ ବାହାରି ଗଲି ଶ୍ୟାମଳୀ ଘରକୁ.ଘରକୁ ଲାଗି ଘର.ଗେଟ ଖୋଲି ପଶିଗଲି. ମାଉସୀ ଦୁଆର ଖୋଲିଲେ."ଆସ ଆସ. ଏବେ ତୁମ କଥା ହିଁ ପଡିଥିଲା. କିଛି ଖାଇଛ ନା ନାହିଁ.", କହୁ କହୁ ଭିତରକୁ ଚାଲି ଗଲେ.'ବୋଉ ଅପେକ୍ଷା କରିଛି.ମୁଁ ସାଙ୍ଗେ ସାଙ୍ଗେ ଚାଲିଯିବି", ମୁଁ କହିଲି.ଡ୍ରଇଁ ରୁମରେ ଶ୍ୟାମଳୀ ବସିଛି. ପାଖରେ ଗୋଟିଏ ଦୋଳିରେ ତାହାର ଛୁଆ ଶୋଇଛି. ହାତରେ ତାହାର ଉପନ୍ୟାସଟିଏ. ପଢିବାକୁ ଭଲ ପାଏ ସିଏ ସବୁ ପ୍ରକାରର ସାହିତ୍ୟ.ଶ୍ୟାମଳୀ ଉଠି ଆସିଲା. ମୋତେ ଚାହିଁ କି ପଚାରିଲା, "ଇଏ ପୁଣି କଣ?"ଅଡୁଆ ଲାଗିଲା ମୋତେ. ଏତେ ବର୍ଷରେ କେବେ ଏହି କଥା ପଚାରି ନଥିଲା ମୋତେ."ସ୍କୁଲ ଯାଇଥିଲି.କିଛି କାମ ଥିଲା. ଭାବିଲି ତୁମକୁ ବହୁତ ପସନ୍ଦ.ତେଣୁ ତୋଳି ଆଣିଛି," ମୁଁ କହିଲି."ହଉ ସେ ଟେବୁଲ ଉପରେ ଥୋଇ ଦିଅ.ବୋଉ ଆସିଲେ ତାକୁ ପାଣି ଗ୍ଲାସରେ ରଖିଦେବ". ଚେୟାରଟିଏ ଟାଣି ଆଣିଲା ଓ କହିଲା , "ବସ ".ମୁଁ ବସିଗଲି ଆଉ ପଚାରିଲି," କେମିତି ଅଛ"?"ବହୁତ ଭଲ ଅଛି. ସହରରେ ଜୀବନ ଅଲଗା.କିନ୍ତୁ କୌଣସି ଅସୁବିଧା ନାହିଁ. କାଲି ଫେରଯିବି. ସିଏ ଆଜି ସନ୍ଧ୍ୟାରେ ଆସିବେ ନେବାକୁ", ଉପନ୍ୟାସଟିକୁ ଦେଖି ଦେଖି ଉତ୍ତର ଦେଲା.ମୁଁ ମୁରୁକି ହସିଲି. କଣ କହିବି କିଛି ଭାବି ପାରୁ ନଥିଲି."ବୋଉ ଜଗିଛି.ମୁଁ ଆସୁଛି". କହୁ କହୁ ମୁଁ ଉଠିଗଲି.ଠିଆ ହେଲା ଶ୍ୟାମଳୀ. ଦ୍ଵାର ପର୍ଯ୍ୟନ୍ତ ଆସିଲା. ଏରୁଣ୍ଡି ଉପରେ ଠିଆ ହୋଇଥିଲା. ମୁଁ ଗେଟ ଖୋଲିବାକୁ ଲାଗିଥିଲି. ପଛରୁ ପଚାରିଲା."ଗୋଟିଏ କଥା ପଚାରିବି? ଖରାପ ଭାବିବନି ତ?""କଣ", ମୁଁ ପଚାରିଲି, ଗେଟ ଖୋଲୁ ଖୋଲୁ"ବାହା କାହିଁକି ହଉନ?"ଅଟକି ଗଲା ମୋ ପାଦ ଦୁଇଟି.ଫେରିକି ଚାହିଁଲି ତାହାକୁ.ସ୍ତବ୍ଧ ହୋଇ ଗଲି ମୁଁ. ଶ୍ୟାମଳୀ ଆଖିରେ ଲୁହ? କିନ୍ତୁ ତାହାର ଓଠରେ ହସ ନାହିଁ. ଏକ ପ୍ରକାର ଉଦାସୀନତା ପ୍ରଥମ ଥର ପାଇଁ ଅନୁଭବ କରିବାକୁ ଲାଗିଲି. ଦୂରରୁ ମେଘର ଗାର୍ଜନ ଶୁଣା ଗଲା. ଆକାଶରେ କଲା ମେଘ ସବୁ ଆହୁରି ଘନୀଭୂତ ହେବାକୁ ଲାଗିଲେ.ଅଜଣା ଝଡର ସଂକେତ. ପୁଣି ବର୍ଷା ହେବାକୁ ଲାଗିଲା."ଜାଣିନି", କହୁ କହୁ ଗେଟ ବାହାରକୁ ଆସି ଗେଟ ବନ୍ଦ କରି ଦେଲି ମୁଁ.ମୁଣ୍ଡ ଟେକି ଦେଖିଲା ବେଳାକୁ ଶ୍ୟାମଳୀ ଚାଲି ଯାଇଥିଲା ଭିତରକୁ.ଘର ଆଡକୁ ଚାହିଁ ଦେଖିଲି. ବୋଉ ଦୁଆରରେ ଠିଆ ହୋଇଛି.ଡ଼ଃ ରଞ୍ଜିତ କୁ ସାହୁ2247 Commonwealth DriveCharlottesville VA 22901USA