Ranjit Sahu

Children Stories Inspirational

3  

Ranjit Sahu

Children Stories Inspirational

ପ୍ରତିଶୋଧ

ପ୍ରତିଶୋଧ

4 mins
151


"ସେମାନେ ତୋତେ ଅପମାନିତ କଲେ ବୋଲି ତୁ ଯଦି ସେମାନଙ୍କୁ ଅପମାନିତ କରିବୁ ତାହା ହେଲେ ତୋର ଭିତରେ ଆଉ ତାଙ୍କ ଭିତରେ ଫରକ କଣ ରହିଯିବ?" ବାପା ପଚାରୁଥିଲେ ଗୀତକୁ I "ମୁଁ ସେ ସବୁ କିଛି ଜାଣିନି, ସେମାନେ କାହିଁକି କିଛି କହିବେ ମୋତେ ?" ଗୀତ କହିଲା i ଘରକୁ ଫେରିଲା ବେଳକୁ ଗୀତର ମୁଁହ ଆଉ କାନ ନାଲି ପଡି ଯାଇଥାଏ I ଆଖିରୁ, ନାକରୁ ପାଣି ବାହାରୁଥାଏ ଏବଂ ରାଗରେ ଗର ଗର ହେଉଥାଏ I ଗୀତ ସାଧାରଣରେ କାହା ସହିତ ଲଢେଇ ଝଗଡ଼ା କରେ ନାହିଁ I କିନ୍ତୁ ସେଦିନ କଣ ହେଇଥିଲା କେଜାଣି ଘରକୁ ଫେରିଲା ବେଳେ ଏମିତି ଚିଡିଚିଡ଼ି ହେଉଥିଲା ଯେମିତି ବହୁତ କିଛି ଅନ୍ୟାୟ ଅପରାଧ ହୋଇ ଯାଇଛି ତାହା ବିରୁଦ୍ଧରେ I ବାପା ପଚାରିଲା ବେଳକୁ ଜଣା ପଡିଲା ସ୍କୁଲରେ ସାର ସମସ୍ତଙ୍କୁ କିଛି କିଛି ଜାଗା ଦେଇ ଫୁଲ କିଆରୀ କରିବାକୁ କହିଥିଲେ I ଯାହାର କିଆରୀରେ ସବୁଠାରୁ ଭଲ ଫୁଲ ଫୁଟିବ ତାକୁ ବାର୍ଷିକ ମହୋତ୍ସବରେ ପୁରସ୍କାର ମିଳିବ I ସମସ୍ତେ ନିଜ ନିଜ କିଆରୀକୁ ଖୁବ ସୁନ୍ଦର ଭାବରେ ଖୋଳି ତାହା ପର ଦିନ ବିହନ ବୁଣିବାକୁ ସ୍ଥିର କରିଥିଲେ I ଶାରୀରିକ ଗଠନରେ ଛୋଟ ଆଉ ଦୁର୍ବଳ ହୋଇଥିବାରୁ ଗୀତ ତାହାର କିଆରୀକୁ ଅଧିକ ଗଭୀର କରି ପାରିନଥିଲା I ତେଣୁ ରାଜୁ ତାହାକୁ ବହୁତ ଥଟ୍ଟା କରିଥିଲା ଏବଂ ପରେ ସମସ୍ତେ ମିଶି ତାକୁ ଚିଡେଇ ତାହାର ଅପମାନ ମଧ୍ୟ କରିଥିଲେ I ରାଜୁ ଦେଖିବାକୁ ବହୁତ ସୁସ୍ଥ,ସୁବଳ ଆଉ ସୁନ୍ଦର ମଧ୍ୟ I "ମୁଁ କାହିଁକି ଏମିତି ଛୋଟଟିଏ ହେଇଛି ? ମୋର କଣ ଭଲ କାମ କରିବାର କ୍ଷମତା ନାହିଁ କି? ପାଠ ତ ଭଲ ପଢୁଛି?" କେତେ କଣ ମନକୁ ମନ ଘୋଷି ହେବାରେ ଲାଗିଥିଲା ଗୀତ I ବାପା କିଛି ସମୟ ଚୁପ ହୋଇ ବସିଲେ ଯେ ଯାଏଁ ଗୀତର ରାଗ କମି ନ ଗଲା I 

"ତୋର ଅସୁବିଧା କେଉଁଠି ହେଲା ମୁଁ ବୁଝିପାରୁନି?" ବାପା ପଚାରିଲେ I "ମୁଁ ଟିକିଏ ଦୁର୍ବଳ ହେଇଥିବାରୁ ସେମାନଙ୍କ ଭଳି ଗଭୀର କିଆରୀ କରି ପାରିଲିନି, ତେଣୁ ସେମାନେ ମୋତେ ଅପମାନ କଲେ I ମୁଁ ଏବେ ପ୍ରତିଶୋଧ ନେବାକୁ ଚାହେଁ," ଗୀତ କହିଲା I 

"ହଉ ହେଲା କିନ୍ତୁ ପ୍ରତିଶୋଧ କେମିତି ନେବୁ ? କିଛି ପନ୍ଥା ବାହାର କରିଛୁ କି?" ବାପା ପଚାରିଲେ I ଚୁପ ହୋଇଗଲା ଗୀତ I ସତରେ ତ ସେକଥା ତ ସିଏ ଚିନ୍ତା କରିନି ! "ଖାଲି ଲଢେଇରେ ଜିତିବା, ଜିତିବା ନୁହଁ I ତୁ ଯଦି ବିନା ଲଢେଇରେ ସେମାନଙ୍କ ଠାରୁ ଅଧିକ ଭଲ କାମକରିକି ଦେଖେଇ ପାରିବୁ, ତୁ ସେମାନଙ୍କ ଠାରୁ ଶ୍ରେୟସ୍କର ବୋଲି ପ୍ରମାଣ କରି ପାରିବୁ ତାହା ହେଲେ ମଧ୍ୟ ତୋର ପ୍ରତିଶୋଧ ପୁରାଣ ହେବ I ବେଳେ ବେଳେ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ପାଇଁ ଅଧିକ ଶ୍ରମ କି ସରଞ୍ଜାମ ଦରକାର ପଡେ ନାହିଁ, ଅଭିନବ ପନ୍ଥା ଏବଂ ଭିନ୍ନ ଚିନ୍ତାଧାରା ଦରକାର ହୁଏ I ତୁ ଯଦି ସେମାନଙ୍କ ଠାରୁ ଉନ୍ନତ ଫୁଲ କିଆରିଟିଏ କରି ପାରିବୁ, ତାହା ହେଲେ ତ କଥା ସରିଲା I ତାହାହିଁ ହେବ ତୋର ଉପଯୁକ୍ତ ପ୍ରତିଶୋଧ I ଭାବି ଦେଖେ," ବାପା ବୁଝେଇଲେ I ଶାନ୍ତ ପଡିଗଲା ଗୀତ I 

ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଚାଲିଥାଏ I କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ ସମୟ ଆସିଲା I ମୁଖ୍ୟ ଅତିଥି ସବୁ କିଆରି ବୁଲିକି ଦେଖିଥିଲେ ଆଉ ପିଲାଙ୍କୁ ପ୍ରଶ୍ନ କରିଥିଲେ I ଶେଷରେ ଆସିଲା ସବୁଠାରୁ ଉନ୍ନତ କିଆରିର ପୁରସ୍କାର I ତୃତୀୟ ପୁରସ୍କାର ଲୋପାମୁଦ୍ରା ପାଇଲା ଏବଂ ରାଜୁ ଦ୍ଵିତୀୟ ପୁରସ୍କାର ପାଇଲା I ସମସ୍ତେ ଉତ୍ସୁକ ହୋଇ ଚାହିଁ ରହି ଥାଆନ୍ତି ପ୍ରଥମ ପୁରସ୍କାର କିଏ ପାଇଲା ବୋଲି I ଏତିକି ବେଳେ ଘୋଷଣା ହେଲା ପ୍ରଥମ ପୁରସ୍କାର ଗୀତ ପାଇଛି Iସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏକ ପ୍ରକାର I ଗୀତର ଖୁସିରେ ସୀମା ନଥାଏ I ଏତିକି ବେଳେ ମୁଖ୍ୟ ଅତିଥି ତାଙ୍କର ନିର୍ଣୟର କାରଣ କହିଲେ I "ଫୁଲ କିଆରୀ ପ୍ରତିଦ୍ୱନ୍ଦ୍ୱିତା କେବଳ ଏକ ମନୋରଞ୍ଜନ କ୍ରିୟା ନଥିଲା, ତାହା ମଧ୍ୟ ଥିଲା ପିଲାଙ୍କର ପ୍ରକୃତି ପ୍ରତି ଥିବା ପ୍ରେମ ଆଉ ଆଧୁନିକ ସମକାଳୀନ ଜ୍ଞାନର ସ୍ତରର ପରୀକ୍ଷା I ଆଜି କାଲି ଚାରି ଆଡେ ରାସାୟନିକ ପଦାର୍ଥ ପ୍ରୟୋଗ ଦ୍ଵାରା ମାଟିର ପ୍ରଦୂଷଣ ବଢି ଚାଲିଛି ଏବଂ କୃଷି ଜନିତ କାର୍ଯ୍ୟରେ ବହୁତ ରାସାୟନିକ ପ୍ରୟୋଗ ହେବାରେ ଲାଗିଛି I ଏହାକୁ ହ୍ରାସ କରିବାକୁ ଜୈବିକ କୃଷି ପଦ୍ଧତିକୁ ଅଧିକ ଗୁରୁତ୍ଵ ଦିଆ ଯାଉଛି I ସେମିତି ଧୀରେ ଧୀରେ ଏବେ ଆମେ ଜାଣି ପାରୁଛେ ମାଟିକୁ ଯେତେ କମ ଖୋଳା ଖୋଳି କରିବା ତାହା ସେତେ କମ କ୍ଷୟ ହେବ ଏବଂ ଉଦ୍ଭିଦ ପାଇଁ ଅଧିକ ଉପଯୋଗୀ ହେବ I ଏହା ବ୍ୟତୀତ ଆମେ ଫୁଲ କେବଳ ଆମର ମନୋରଞ୍ଜନ ପାଇଁ ଲଗାଉ ନାହୁଁ, ଏହା ଅନ୍ୟ କୀଟ ପତଙ୍ଗ ମାନଙ୍କ ପାଇଁ ମଧ୍ୟ ଖାଦ୍ୟ ଆଉ ଆଶ୍ରୟର ପନ୍ଥା ସାଜେ I କୀଟ ପତଙ୍ଗ ନଥିଲେ ପଶୁ ପକ୍ଷୀ ସମସ୍ତେ ଲୋପ ପାଇ ଯିବେ ଏବଂ ମଣିଷମାନେ ମଧ୍ୟ କୀଟ ପତଙ୍ଗ ଉପରେ ନିର୍ଭରଶୀଳ I ଗୀତ ଏକ ମାତ୍ର ଛାତ୍ର ଥିଲା ଯିଏ ଜୈବିକ ସାର ବ୍ୟବହାର କରି ତାହାର କିଆରୀରେ ଫୁଲ ସବୁ ଫୁଟେଇଥିଲା I ଅନ୍ୟ ଛାତ୍ରମାନେ ସୁନ୍ଦର ଫୁଲ ହେବ ବୋଲି ବହୁତ ରସାୟନ ଆଉ କୀଟ ନାଶକ ପ୍ରୟୋଗ କରିଥିଲେ ତେଣୁ ସେମାନଙ୍କର କିଆରିରେ ପ୍ରଜାପତି କି ମହୁମାଛି ନଥିଲେ I କେବଳ ଗୀତ ହିଁ ଏପରି ଫୁଲ ସବୁ ଲଗେଇଥିଲା ଯାହା ସୁନ୍ଦର ତ ଦିଶୁଥିଲା, ସାଥେ ସାଥେ ଖାଦ୍ୟରେ ମଧ୍ୟ ପ୍ରୟୋଗ ହୋଇପାରିବ I ତାହାର କିଆରିରେ ଅନେକ ସୁନ୍ଦର ସୁନ୍ଦର ପ୍ରଜାପତି ଆଉ ମହୁମାଛି ଥିଲେ I ସେଥି ପାଇଁ ତାକୁ ଏହି ପୁରସ୍କାର ପ୍ରଦାନ କରା ଗଲା ଏବଂ ଏ ବର୍ଷର "ପ୍ରକୃତି ମିତ୍ର" ଉପାଧି ମଧ୍ୟ I "କରତାଳିରେ ସଭାଗୃହ କମ୍ପି ଉଠିଲା I "ଅଭିନନ୍ଦନ ଗୀତ, ଆମକୁ କ୍ଷମା କରିଦେ ଆମେ ସେଦିନ ତୋତେ ବହୁତ ଚିଡେଇ ଥିଲେ,"ରାଜୁ ଆଉ ତାହାର ସାଙ୍ଗ ମାନେ ଆସିକି କହିଲେ କାର୍ଯ୍ୟକ୍ରମ ପରେ I "ହଉ ହେଲା, ଆଉ ସେ କଥା ମନେ ପକେଇବା ନାହିଁ, ଏଥର ସ୍କୁଲ ବଗିଚାର ସମସ୍ତେ ମିଳି ମିଶି ଯତ୍ନ ନେବା," ଗୀତ କହିଲା I ବାପା ସବୁ ଦେଖୁଥିଲେ I ଗୀତକୁ ଆଦରରେ କୁଣ୍ଢେଇକି କହିଲେ, " ମୁଁ ଆଜି ତୋ ପାଇଁ ବହୁତ ଗର୍ବିତ, ତୁ ଠିକ ପନ୍ଥା ଆପଣେଇଛୁI ""ହଁ, ବାପା ମୁଁ ମୋ ପ୍ରତି ହୋଇଥିବା ଅପମାନ ବିରୁଦ୍ଧରେ ଆଜି ଜିତି ଯାଇଛି, ମୋର ପ୍ରତିଶୋଧ ପୂରଣ ହୋଇଛି, " ଗୀତ ବାପାଙ୍କୁ ଜାବୁଡି ଧରି କହିଲା ! 



Rate this content
Log in