KRUTIBAS NAYAK

Children

3  

KRUTIBAS NAYAK

Children

କାଣ୍ଟିବଗ -ଧଳାବଗ

କାଣ୍ଟିବଗ -ଧଳାବଗ

5 mins
219



ନଈକୂଳରେ ଝଙ୍କାଳିଆ ବରଗଛଟିଏ ଥାଏ । ସେହି ବରଗଛ ଡାଳରେ କାଣ୍ଟିବଗ ଆଉ ବଗୁଲି ଦୁହେଁ ବସା ବାନ୍ଧି ରହିଥାଆନ୍ତି । ସେମାନେ ଦେଖିବାକୁ ତ ସୁନ୍ଦର ନୁହନ୍ତି । ତାଙ୍କର ମାଟିଆ ରଙ୍ଗର ପରଗୁଡ଼ାକ ଛିଣ୍ଡା ଛିଣ୍ଡା । ବେକ ବହୁତ ଛୋଟ । ଗୋଡ଼ ପୁଣି ବଙ୍କା ବଙ୍କା । ତାଙ୍କର ଡେଣା ବଡ଼ ନଥିବାରୁ ସେମାନେ ବେଶି ଦୂରକୁ ଉଡ଼ି ଯାଇପାରନ୍ତି ନାହିଁ । ଦିନଯାକ ସେମାନେ ପାଖରେ ଥିବା ନଈକୂଳରେ ବୁଲନ୍ତି । ଛୋଟ ଛୋଟ ମାଛ, କଙ୍କଡ଼ା ଆଉ ଗେଣ୍ଡା-ବେଙ୍ଗଙ୍କୁ ଧରି ଖାଆନ୍ତି । ନଈରୁ ମିଠାପାଣି ପିଅନ୍ତି । ସଞ୍ଜହେଲେ ଖୁସିମନରେ ନିଜ ବସାକୁ ଫେରି ଯାଆନ୍ତି ।

ଦିନେ ସେମାନେ ଦେଖିଲେ, ଡେଙ୍ଗା ଗୋଡ଼ିଆ ବଗ-ବଗୁଲୀ ଦୁଇଟା ଆସି ତାଙ୍କ ପାଖରେ ଓହ୍ଲେଇଲେ । ତାଙ୍କର ଲମ୍ବା ଲମ୍ବା ବେକ ଆଉ ଧୋବ ଫରଫର ଧଳାପରକୁ ଦେଖି କାଣ୍ଟିବଗ-ବଗୁଲି ଦି'ଜଣ ଡରିଗଲେ । କାଳେ ସେମାନେ ତାଙ୍କୁ ଆକ୍ରମଣ କରିବେ ଭାବି, ସେମାନେ ସେଇଠୁ ଉଡ଼ିଯାଇ ଟିକେ ଦୂରରେ ବସିଲେ ।

ଧଳାବଗର ମୁଣ୍ଡ ଉପରେ ଗୋଟାଏ ସୁନ୍ଦର ଚଅଁର ଲାଗିଥିବା ଦେଖି କାଣ୍ଟିବଗ-ବଗୁଲୀ ଦୁହେଁ ପରସ୍ପରକୁ ଚାହିଁଲେ । ସେମାନେ ଏମିତି ବଗକୁ ଆଗରୁ କେବେ ଦେଖି ନ ଥିଲେ । ତେଣୁ ଧଳାବଗ ବିଷୟରେ ସେମାନେ କେତେ କ'ଣ ଭାବିଲେ । ବଗୁଲୀ ବଗକୁ କହିଲା-"ଏମାନେ ତ ଆମରି ଭଳି ବଗ । କିନ୍ତୁ ଆମଠାରୁ ସେମାନେ ବହୁତ ସୁନ୍ଦର ଦେଖା ଯାଉଛନ୍ତି କେମିତି ? ଆମେ ଯଦି ତାଙ୍କରି ଭଳି ସୁନ୍ଦର ହେଇ ଯାଆନ୍ତେ, ସତରେ କେଡ଼େ ମଜା ହୁଅନ୍ତା । ଆମକୁ ଦେଖି ଅନ୍ୟ କାଣ୍ଟିବଗମାନେ ଇର୍ଷାରେ ଜଳି ମରନ୍ତେ । ଆଉ ଅନ୍ୟ ପକ୍ଷୀମାନେ ଆମର ଲମ୍ବା ଥଣ୍ଟ, ଲମ୍ବା ବେକ ଆଉ ସୁନ୍ଦର ଚେହେରାକୁ ଦେଖି ଡରି-ମରି ଲୁଚନ୍ତେ । ଏମାନେ ତ ନିଶ୍ଚୟ କିଛି ଭଲ ଜିନିଷ ଖାଉଥିବେ । ଭଲ ଜାଗାରେ ରହୁଥିବେ । ଚାଲ ତାଙ୍କ ସାଙ୍ଗରେ କଥାହେବା । ସେମାନେ କଣ ଖାଉଛନ୍ତି ପଚାରି ବୁଝିବା । "

ବଗ କହିଲା- " ମୁଁ ତ ସେଇକଥା ଭାବୁଥିଲି । କିନ୍ତୁ ତାଙ୍କୁ ଦେଖି ମୋତେ ଭାରି ଡର ମାଡୁଛି । ସେମାନେ ଯଦି ତାଙ୍କ ଲମ୍ବା ଥଣ୍ଟରେ ଆମକୁ କାମୁଡ଼ି ପକେଇବେ, ତେବେ କ'ଣ କରିବା ? ଆଉ ତ ଜୀବନ ଧରି ଫେରି ପାରିବା ନାହିଁ ।"

ବଗୁଲୀ କହିଲା-" ଠିକ ଅଛି, ଏବେ ଆମେ ତାଙ୍କ ପାଖକୁ ଯିବା ନାହିଁ । ସେ ଯେତେବେଳେ ତାଙ୍କ ଘରକୁ ଫେରିବେ, ଆମେ ତାଙ୍କ ପଛେପଛେ ଯାଇ ତାଙ୍କ ଘର ଦେଖି ଆସିବା । ସେମାନେ କେମିତି ରହୁଛନ୍ତି, ଆଉ କ'ଣ ଖାଉଛନ୍ତି ସେ କଥା ଦେଖି ଆସିବା ।"

ବଗୁଲୀ କଥା ବଗ ମନକୁ ପାଇଲା । ସଞ୍ଜବେଳକୁ ଧଳାବଗ ପଛେ ପଛେ କାଣ୍ଟିବଗ-ବଗୁଲୀ ଦୁହେଁ ଉଡ଼ିଉଡ଼ି ଗଲେ । ବହୁତ ଦୂର ଯିବାପରେ ଧଳାବଗ ରହୁଥିବା ଗଛ ପଡ଼ିଲା । ସେମାନେ ସେଇ ଗଛ ଡାଳରେ ଥିବା ବସା ପାଖରେ ବସିଲେ । କାଣ୍ଟିବଗ-ବଗୁଲୀଙ୍କୁ ଦେଖି ସେମାନେ ଚିହ୍ନି ପାରିଲେ । ନିଜ ପାଖକୁ ଡାକି କଥାହେଲେ । ଅତିଥି କରି ନିଜ ସଫା-ସୁତର ବସାକୁ ନେଇଗଲେ । ବସାରେ ଥିବା ପୋଖରୀ ମାଛ ଖାଇବାକୁ ଦେଲେ । ସେଇ ବସାରେ କୁନି ବେମାରିଆ ଛୁଆଟି ବସିଥିଲା । ସେ ବହୁତ କଷ୍ଟରେ ଡେଣା ଟେକି ତାଙ୍କୁ ନମସ୍କାର କଲା । କାଣ୍ଟିବଗ-ବଗୁଲୀ ଦୁହେଁ ଥଣ୍ଟ ଘସି ତାକୁ ଟିକେ ଗେଲ କରିଦେଲେ ।

ଶେଷରେ କାଣ୍ଟିବଗ-ବଗୁଲୀ ଦୁହେଁ ତାଙ୍କର ଆସିବାର ଉଦ୍ଦେଶ୍ୟ ଜଣାଇଲେ ।

ଧଳାବଗ ବୁଝେଇ କହିଲା-" ତମରି ପରି ଆମେ ବଗ ଜାତିର ସତ କିନ୍ତୁ ଆମର ପ୍ରଜାତି ଅଲଗା । ଆମେ ତମରି ପରି ଗଛରେ ବସା ବାନ୍ଧି ରହୁଛୁ । ନଈ-ପୋଖରୀରୁ ମାଛ, କଙ୍କଡ଼ା, ବେଙ୍ଗ ଧରି ଖାଉଛୁ । ନଈରୁ ପାଣି ପିଉଛୁ । ନଈକୂଳିଆ ଖୋଲା ପବନ, ଆଉ ଆମର ଖୁସିମନ ଆମକୁ ଏମିତି ସୁନ୍ଦର କରିଥିବ । ଆମର ବାପା-ମାଆ ବି ଆମରି ପରି ଡେଙ୍ଗା ଆଉ ସୁନ୍ଦର ଥିଲେ । ସେଇଥିପାଇଁ ଆମେ ତାଙ୍କପରି ହେଇଥିବୁ ।"

ଧଳାବଗ ତାଙ୍କୁ ସବୁ ସତକଥା କହିଦେଲା ସିନା, କିନ୍ତୁ କାଣ୍ଟିବଗ-ବଗୁଲୀ ଦୁହେଁ ଖୁସିହେଇ ପାରିଲେ ନାହିଁ । ସେମାନେ ଭାବିଲେ-ଆମକୁ ଏ' ଧଳାବଗ ନିଶ୍ଚୟ କିଛି ଲୁଚେଇ ମିଛକଥା କହୁଛି । ତାଙ୍କର ସୁନ୍ଦର ହେବାର ଭିତିରି ରହସ୍ୟ ଆମକୁ କହିଲା ନାହିଁ । ତେଣୁ ତାଙ୍କର ମନ ଟିକେ ଉଣା ହେଇଗଲା । ସେମାନେ ଧଳାବଗ ପରି ସୁନ୍ଦର ହେବାପାଇଁ ବ୍ୟାକୁଳ ହେଉଥିଲେ । ମୁହଁସଞ୍ଜ ଅନ୍ଧାରରେ ବିଦାୟ ନେଇ କାଣ୍ଟିବଗ-ବଗୁଲୀ ଦୁହେଁ ନିଜ ବସାକୁ ଫେରୁଥିଲେ । ବାଟରେ କଥାବାର୍ତ୍ତା ହେଲେ- "ଆମର ଏତେ ପରିଶ୍ରମ ବୃଥା ହେଇଗଲା ଆଜି । ଠିକ ଅଛି, ଆମେ ସୁବିଧା ଦେଖି ତା'ର ପ୍ରତିଶୋଧ ନେଇଯିବା । ଆମେ ସୁନ୍ଦର ହେଇଗଲେ, କାଳେ ତାଙ୍କୁ ଆଉ କେହି ପଚାରିବେ ନାହିଁ । ସେଇୟା ଭାବି ଧଳାବଗ ଆମକୁ ତା'ର ଅସଲ ରହସ୍ୟ କହିଲା ନାହିଁ ।"

ନିଜ ବସାରେ ପହଞ୍ଚି ବଗୁଲୀ କହିଲା- 'ଆମେ ତ ତାଙ୍କପରି ଧଳା କି ସୁନ୍ଦର ହେଇପାରିବ ନାହିଁ । ତେଣୁ ସେ ବଗଛୁଆକୁ ଆମେ ଅସୁନ୍ଦର କରିଦେଲେ, ମୋର ରାଗ ଶାନ୍ତ ହେବ । ମୁଁ ଦେଖିଛି - ନଈ ସେ ପାରିରେ ଗୋଟାଏ କୋଚିଲା ଫଳ ଗଛଅଛି । ସେଥିରେ ନାଲି ଟହଟହ ପାଚିଲା କୋଚିଳା ଫଳ ଝୁଲୁଛି । ସେ ଗୁଡ଼ାକ ଭାରି ପିତା । ପାଟିରେ ଦେଇହୁଏ ନାହିଁ । ଧଳାବଗ ଚରିବାକୁ ଯିବାପରେ ଆମେଯାଇ ସେଇଥିରୁ ଗୋଟାଏ ଆଣି ସେ ଧଳା ଛୁଆକୁ ଖୋଇଦେଲେ, ସବୁ କାମ ହେଇଯିବ । ସେ ପିତା ଫଳ ଖାଇ ଛଟପଟ ହେଇ ମରିଯିବ ।"

ବଗୁଲୀର ଏ'କଥା ବି କାଣ୍ଟିବଗର ମନକୁ ପାଇଲା । ସେ ଦୁହେଁ କୋଚିଲା ଫଳ ସଂଗ୍ରହ କରି ଧଳାବଗ ବସାକୁ ଗଲେ । ବେମାରିଆ ଛୁଆଟି ତାଙ୍କୁ ଚିହ୍ନିପାରି ଖୁସିରେ ବସା ଭିତରକୁ ଆସିବାକୁ କହିଲା । ବଗୁଲୀ ତାକୁ ଫଳଟିକୁ ଦେଇ କହିଲା- ମାଉସୀ ଭାରି ଶ୍ରଦ୍ଧାରେ ଏହାକୁ ଆଣିଛନ୍ତି । ତୁ ଏହି ଫଳଟିକୁ ଖାଇଦେ, ତୋର ସବୁ ରୋଗ ଭଲ ହେଇଯିବ । ପାଟିକୁ ସିନା ପିତା ଲାଗିବ । ଭାରି ଭଲ ଔଷଧ ।"

ମାଉସୀ ବଗର କଥା ମାନି ଛୁଆଟି ସେ ଫଳକୁ ଖାଇଦେଲା । କିଛି ସମୟ ପରେ ସେ ତା'ର ଡେଣାକୁ ଛାଟି ଛଟପଟ ହେଲା । ତା'ର ଅବସ୍ଥା ଦେଖି କାଣ୍ଟିବଗ-ବଗୁଲୀ ଦୁହେଁ ତରବର ହେଇ ସେଇଠୁ ପଳାଇଗଲେ ।

ସଞ୍ଜବେଳକୁ ଧଳାବଗ-ବଗୁଲୀ ଆସି ଦେଖନ୍ତି ତ ତାଙ୍କ ଛୁଆ ବସାରୁ ବାହାରି ଆସି ଗଛ ଡାଳରେ ବସିଛି । ସେମାନେ ଆଶ୍ଚର୍ଯ୍ୟ ହେଲେ, କେମିତି ତା'ର ଦେହ ଭଲ ହେଇଗଲା ? ଛୁଆଟି ବୁଝେଇ ଦେଇ କହିଲା-" କାଣ୍ଟିବଗ-ବଗୁଲୀ ମଉସା ମାଉସୀ ଆସିଥିଲେ, ସେମାନେ ମୋ ପାଇଁ ଔଷଧ ଫଳ ଆଣିଥିଲେ । ମୁଁ ତାକୁ ଖାଇବାରୁ ମୋ ଦେହ ଭିତରେ କେମିତି କେମିତି ହେଲା । ମୁଁ ଡେଣା ଝାଡ଼ି ବାହାରି ଆସି ଦେଖିଲି, ମୋ ଦେହ ଭଲ ହେଇଯାଇଛି । ଆଉ ମୋର ଦୁଇଟା ଯାକ ଗୋଡ଼ ସବୁ ଠିକହେଇ ଯାଇଛି ।"

ଛୁଆଠାରୁ ସବୁକଥା ଶୁଣି ସେମାନେ ମଉସା- ମାଉସୀଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କୁ ଜୁହାର ହେଲେ । କହିଲେ-"ଆସନ୍ତା କାଲି ତୋତେ ନେଇ ସେ ମାଉସୀ ଘର ବୁଲେଇ ଆଣିବି । ଆମେ ତାଙ୍କ ପାଖରେ ୠଣୀ ହେଇଛୁ ବୋଲି କହିବୁ । ଧନ୍ୟବାଦ ସହ କୃତଜ୍ଞତା ଜଣାଇବୁ ।"

ସତକୁ ସତ ତାପରଦିନ ଛୁଆକୁ ସାଙ୍ଗରେ ନେଇ ବଗ-ବଗୁଲୀ ମାଉସୀ ପାଖକୁ ଉଡ଼ିଗଲେ । କାଣ୍ଟିବଗ-ବଗୁଲୀ ଦୁହେଁ ଦୂରରୁ ତାଙ୍କୁ ଦେଖି ଜୀବନ ବିକଳେ ଉଡ଼ିଯାଇ ନିଜ ବସାରେ ପଶି ଲୁଚି ଗଲେ । ଧଳାବଗ ତାଙ୍କ ପାଖକୁ ଯାଇ କୃତଜ୍ଞତା ଜଣାଇ କହିଲା-" ଭଉଣୀ ! ମୋ ବେମାରିଆ ଛୁଆକୁ କି ଔଷଧ ଦେଇଥିଲା ଯେ, ସେଥିରେ ତା'ର ସବୁ ରୋଗ ଭଲ ହେଇଗଲା । ତୁମ ଦୁହିଁଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଆସିଥିଲୁ । ତମେମାନେ ଆମର ବହୁତ ବଡ଼ ଉପକାର କରିଛ, ତେଣୁ ଭଗବାନ ତୁମର ମଙ୍ଗଳ କରିବେ । ଆଜିଠୁ ତମେ ଦୁଇଜଣ ଏଇ ଛୁଆର ଜୀବନଦାତା ଆଉ ବାପା ମା' ହେଇଗଲ ।"

ତାଙ୍କ କଥାଶୁଣି କାଣ୍ଟିବଗ-ବଗୁଲୀ ଦୁହେଁ କିଛି ବୁଝିପାରୁ ନ ଥିଲେ । ସେମାନେ ପରସ୍ପରକୁ ଚାହୁଁଥିଲେ । ଲାଜ ଭୟରେ ତାଙ୍କ ମୁଣ୍ଡ ତଳକୁ ହେଇଯାଇଥିଲା । ଛୁଆଟି ଯାଇ ମାଉସୀ ପାଦରେ ଥଣ୍ଟ ଲଗାଇ ନମସ୍କାର କଲା । ସଞ୍ଜ ପୂର୍ବରୁ ସେମାନେ ସେଇଠୁ ବିଦାୟ ନେଇ ଚାଲିଗଲେ । ଯିବାବେଳେ ନିମନ୍ତ୍ରଣ କରି କହିଗଲେ-"ତମେ ଦି'ଜଣ ଆମ ବସାକୁ କାଲି ଆସିବ, ଆମେ ସମସ୍ତେ ମିଶି ପୋଖରୀ ମାଛ ଭୋଜି କରି ଖାଇବା । ବହୁତ ମଜା ଲାଗିବ ।"


Rate this content
Log in

Similar oriya story from Children