Nityananda Nandi

Classics Fantasy Inspirational

4.1  

Nityananda Nandi

Classics Fantasy Inspirational

ଜର୍ସି ଗାଈ

ଜର୍ସି ଗାଈ

5 mins
406


ଝିଅ କାଲି ଫେରିଯିବ ବାପ ଘରକୁ, ସବୁଦିନ ପାଇଁ ।

ବିଚ୍ଛେଦ ଯନ୍ତ୍ରଣା ସହିବା ବୟସ ହୋଇନି ବିନିର। ବାପା ଆସିଛନ୍ତି, କାଲି ସକାଳେ ନେଇଯିବେ ଝିଅକୁ, କଲିଜାକୁ ପଥର କରି...।

ସମୁଦୀ, ଜ୍ବାଇଁ ମୋଟା ମୋଟି ଠିକ୍ ବୁଝୁଥିଲେ କଥାଟିକୁ। ଶାଶୁ ନଛୋଡବନ୍ଧା। ଜର୍ସି ଗାଈ ଆଉ ଦଶ ହଜାର ଟଙ୍କା ପାଇଁ ଜିଦ ଧରି ବସିଛନ୍ତି। ଝଗଡାଝାଟି ନାହିଁ। ଶାନ୍ତିପୂର୍ଣ୍ଣ ଭାବେ ଝିଅ ଫେରିଯିବ ଶାଶୁ ଘରୁ ବାପାଙ୍କ ସାଥିରେ। ସର୍ତ୍ତ, କେହି କିଛି ଜାଣିବେନି ଗାଆଁ ରେ। ଯଦି ସମାଧାନର କିଛି ସୂତ୍ର ବାହାରେ ତେବେ ଝିଅ ପୁଣି ଥରେ ଫେରି ଆସିବ। କାଲି ସକାଳେ ବାପ, ଝିଅ ଡିଏମ୍ଇଉ ଧରି ଗାଆଁକୁ ଫେରିଯିବେ ।


ବାହାଘର ପୂର୍ବରୁ କିନ୍ତୁ କିଛି ମାଗି ନ ଥିଲେ ସେମାନେ । ଝିଅକୁ ଇଚ୍ଛାକରି ଟିଭି ଆଉ ଲୁନା ଦେଇଥିଲେ ପ୍ରହରାଜ ବାବୁ। ଭାରି ଅଲିଅଳି ଝିଅ ବିନି। ବାହାଘର ଦଶଦିନ ଆଗରୁ ବାପାଙ୍କ କାନ ପାଖରେ କହିଲା, ବାପା ! ଶୁଣିଛି, ରତ୍ନାକରଙ୍କ ସାଇକେଲଟିଏ ଅଛି। ସାଇକେଲରେ ବସି ତାଙ୍କ ସହ ବୁଲିବାକୁ ଭାରି ଲାଜ ଲାଗିବ, କହି କାନ୍ଦି ପକେଇଲା ଵିନି। ପ୍ରହରାଜ ବାବୁଙ୍କ କଲିଜାକୁ ଛୁଇଁଲା କଥାଟି। 


ଝିଅର ଖୁସି ପାଇଁ ବାପା କେବେ କଣ କିଛି ହିସାବ କରନ୍ତି ! ହାଡ଼ ମାଂସ ଘୋରି ହୋଇଯାଏ, ବାପା ଖିଆଲ କରନ୍ତିନି । ଝିଅ ପ୍ରଥମେ, ତା ପରେ ସବୁ କିଛି। ବାପା ଓ ଝିଅ କେତେ ପରିପୂରକ, ଉଭୟେ ଉଭୟଙ୍କ ପାଇଁ... ନଈ ସୁଅ ନଦୀ ବନ୍ଧକୁ ଭିତରୁ ଭିତରୁ ତାଡି ନିଏ, ଅଭାବର ଅଦୃଶ୍ୟ ଚାପରେ ବାପାଙ୍କ ଶକ୍ତି ଚୂର ଚୂର ହୋଇ ଧୋଇଯାଏ, ତଥାପି ଅନ୍ୟମନସ୍କ ହୋଇ ବାପା ଲୁଚେଇ ଦିଅନ୍ତି ନିଜ ମନ କଥା, ନିଜ ଭିତରେ, ନଈ ବନ୍ଧ ପରି।


ବର୍ଷେ ହେଲା ସବୁ ଠିକ୍ ଠାକ୍ ଥିଲା । ଏଇ କେତେଦିନ ହେବ, ବିନିର ଶ୍ବଶୁର ଘର ଗାଆଁରେ ମିଲ୍କ ସମବାୟ ସଂସ୍ଥା ଖୋଲିଛି। କ୍ଷୀର ବିକ୍ରି କରି ଗାଆଁ ଲୋକେ ପ୍ରଚୁର ପଇସା ପତ୍ର ପାଉଛନ୍ତି ସଂସ୍ଥାରୁ। ରତ୍ନାକର ବେକାର ହୋଇ ଘରେ ବସି ରହିଛି। ଗାଈଟିଏ ରଖିଲେ ବିଚରା କିଛି ପଇସା କମେଇ ପାରନ୍ତା। ଅତ୍ୟଧିକ ଇଚ୍ଛା ମନକୁ କାବୁ କରିନିଏ। ବିନିର ଶାଶୁ ମନ୍ଦ ବୁଦ୍ଧି ପାଞ୍ଚିଲେ ମନ ଭିତରେ। ବିନି ଉପରେ ଚାପ ପକେଇଲେ ଜର୍ସି ଗାଈ ଆଉ ଦଶ ହଜାର ଟଙ୍କା ପାଇଁ। ଇଚ୍ଛା ନ ଥାଇ ବି ରତ୍ନାକର କିଛି କହି ପାରୁ ନ ଥିଲା ମାଆଙ୍କ ଭୟରେ। 


ବିବାହ ମଧ୍ୟସ୍ଥ ମଧୁଆ ଆସି ଶାଶୁଙ୍କ କାନ ପାଖରେ କହିଲା ପ୍ରହରାଜ ବାବୁଙ୍କ ସ୍କୁଲ ସରକାରୀ ଆଡ୍ ପାଇଛି, ଦରମା ପାଇବେ ଆଗ ମାସରୁ। ବିନି ଶାଶୁଙ୍କ ଲୋଭ ଦ୍ୱିଗୁଣିତ ହେଲା ମଧୁଆର କ୍ରୁର ପ୍ରରୋଚନାରେ।


ତା ପରେ ଅଶାନ୍ତି ସୃଷ୍ଟି ହେଲା। ଝଗଡା ଝାଟି ନ ଥାଇ ବି ଶାନ୍ତି ଉଭେଇଗଲା ଘର ଅଗଣାରୁ। ସମସ୍ତେ ଚୁପ ଚାପ୍। ଝଡ ପୂର୍ବ ମୁହୂର୍ତ୍ତର ନିସ୍ତବ୍ଧତା। ଗଛ ତଳେ ବିଶ୍ରାମରତ ଶୁଖିଲା ପତ୍ର କେତେ ଶାନ୍ତ ଲାଗନ୍ତି, ଉଡ଼ି ଯିବାର ନିଶ୍ଚିତ ସମ୍ଭାବନା, ତଥାପି ତୁନି ହୋଇ ପଡ଼ି ରହିଥା'ନ୍ତି ଯେ ଯା ଜାଗାରେ।


କାଲି ସକାଳୁ ବିନି ବିଦା ହୋଇ ଫେରିଯିବ ବାପ ଘରକୁ। ମନ ଭଲ ନାହିଁ, ବାପାଙ୍କ ସାଥିରେ ଓଳି ପଛରେ ସବୁ ମନ କଥା ଗପୁଛି। ରତ୍ନାକର ଆଜି ଟିଭି ଆଉ ଲୁନା ଫେରେଇ ଦେଇ ଆସିଛି। ରତ୍ନା ବାପାଙ୍କର ଗାଆଁରେ ଖାତିର ଥାଏ। ସମସ୍ତଙ୍କ ଭଲ ମନ୍ଦ, ବିଚାର ଆଚାରରେ ସେ ବସନ୍ତି। ତାଙ୍କ ସମ୍ମାନକୁ ଆଖି ଆଗରେ ରଖି ଶାନ୍ତି ପୂର୍ଣ୍ଣ ବିଚ୍ଛେଦ ପାଇଁ ଉଭୟ ଘର ରାଜି ହୋଇଛନ୍ତି। ପ୍ରହରାଜ ବାବୁ ଭାରି ସରଳ, ଝଗଡା ଝାଟି, କୋର୍ଟ କଚେରୀ ପସନ୍ଦ କରନ୍ତିନି। କୋଡିଏ ବର୍ଷ ପରେ ବି ଦରମା ପାଇ ନାହାନ୍ତି। ଖେଳ ଶିକ୍ଷକ ସେ ତାଙ୍କ ଗାଆଁ ସ୍କୁଲରେ। ଭାରି ସ୍ଵାଭିମାନୀ ପ୍ରକୃତିର ଭଦ୍ର ବ୍ୟକ୍ତି। ତାଙ୍କ ଜୀବନର ପ୍ରଥମ ଯୁଦ୍ଧ, ପରାଜୟ ଅବଶ୍ୟମ୍ଭାବୀ। ସ୍ୱାଭିମାନ ହିଁ ଏକମାତ୍ର ମାରଣାସ୍ତ୍ର ଶିକ୍ଷକ ଜୀବନରେ। ବାର ବାର ହାରି ମଧ୍ୟ ଶେଷ ଯୁଦ୍ଧରେ ସେମାନେ ହିଁ ଜିତନ୍ତି ।


ଜର୍ସି ଗାଈ ସାଥିରେ ଦଶ ହଜାର, ମୋଟରେ ଚାଳିଶ ହଜାର ଦରକାର। ସମ୍ଭବ ନୁହେଁ ତାଙ୍କ ପକ୍ଷେ । ଲୁନା କିଣିଥିଲେ ସେ ରତ୍ନାକରଙ୍କ ପାଇଁ। ଧାର ଉଧାର ଏବେ ବି ପଡ଼ିଛି। ଗାଈ କିଣି ଦେଲେ ରତ୍ନାକର ରୋଜଗାର କ୍ଷମ ହୋଇ ପାରିବ, ସନ୍ଦେହ ନାହିଁ। କିନ୍ତୁ ଏତେ ପଇସା ଯୋଗାଡ କରିବା ଅଚାନକ ସମ୍ଭବ ନୁହେଁ ବୋଲି ଝିଅକୁ ସେ ନେଇ ଯାଉଛନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ସର୍ତ୍ତରେ। ଗାଈ ପାଇଁ ପଇସା ଯୋଗାଡ ହେଲେ ଝିଅକୁ ଛାଡି ଦେଇଯିବେ। ବିନି ଶ୍ବଶୁର ଘର ରାଜି ହୋଇଗଲେ ଏଇ ସର୍ତ୍ତରେ। ପରିବାର ଉପରେ ମନସ୍ତାତ୍ତ୍ୱିକ ଚାପ ରହିବ । ଜନ୍ମ ଜନ୍ମରୁ ଅର୍ଜିତ ସଂସ୍କାର ଉପରେ କଳଙ୍କ ନେସି ହୋଇଗଲା, ଲୋଭ ପଥଭ୍ରଷ୍ଟ କରିଦିଏ ମଣିଷକୁ।


ଝିଅ କହିବା ଅନୁଯାୟୀ ପ୍ରହରାଜ ବାବୁ ଶାଶୁ ଘର ପାଇଁ ମନ ପସନ୍ଦର ଜିନିଷ କିଣି ନେଇ ଆସିଛନ୍ତି। ଯେମିତି ସଂପର୍କରେ କିଛି ବାଧା ବାଧକତା ଆସିନି। ଜମାରୁ ରାଗ ରୋଷ ନାହିଁ। ଯେମିତି ପୂର୍ଣ୍ଣଛେଦ ପଡୁନାହିଁ ସଂପର୍କରେ !ପାଳୁଅ ଲଡୁ, ସାନ ନଣନ୍ଦ ପାଇଁ ସାଲୁୱାର କମିଜ୍, ଶାଶୁଙ୍କ ପାଇଁ ସମ୍ବଲପୁରୀ ସୂତା ଶାଢ଼ୀ, ଶ୍ବଶୁର ଙ୍କ ପାଇଁ ପିତ୍ତଳ ପାନ ବଟୁଆ, ରତ୍ନାକରଙ୍କ ପାଇଁ ଉଲ୍ ମଫଲର ସବୁ ନେଇ ଆସିଛନ୍ତି ପ୍ରହରାଜ ବାବୁ। 


ଡିଏମ୍ଇଉ ସାତଟାରେ। ଭୋର ତିନିଟାରୁ ଶ୍ବଶୁର ଉଠି ପଳେଇ ଯାଇଛନ୍ତି ଗାଆଁ ଭିତରକୁ। ଏକ ଅସ୍ବାଭାବିକ ଘଟଣା ତାଙ୍କୁ କଷ୍ଟ ଦେବ ବୋଧେ। ବୋଉଙ୍କୁ ପ୍ରଣାମ କରି ତାଙ୍କ ହାତରେ ବାପା ଆଣିଥିବା ଶାଢ଼ୀ ଟିକୁ ଧରେଇ ଦେଲା ବିନି । 

ବୋଉ ! ଚେଷ୍ଟା କରିବି, ଶୀଘ୍ର ଫେରି ଆସିବା ପାଇଁ। ଆଉ ସବୁ ଭଗବାନଙ୍କ ହାତରେ। ଶାଶୁ ବିନି ଗାଲରେ ହାତ ବୁଲେଇ ଆଣିଲେ, ହୃଦୟ ରେ କିନ୍ତୁ ସ୍ନେହ ଭରି ରହିଛି, ଲୋଭର ପଟି ବାନ୍ଧି ଗାନ୍ଧାରୀ ବନିଯାଇଛନ୍ତି ଶାଶୁମା । ବିନିର ଆଖି ବନ୍ଧ ଡେଇଁ ଅମାନିଆ ଦୁଇ ଟୋପା ଲୁହ ଝରି ଆସିଲା। ବିନି ଆଖିରେ ଲୁହ ଦେଖି ସାନ ନଣନ୍ଦ ଧଙ୍କି ଧଙ୍କି କାନ୍ଦିଲା।

ଆରେ ବଉଳ ! ସାଇ ପଡ଼ିଶାର ଲୋକେ କଣ କହିବେ। ମୁଁ ଶୀଘ୍ର ଫେରି ଆସିବି, ଜମାରୁ କାନ୍ଦନି। ଦେଖ, ବାପା କଣ ଆଣିଛନ୍ତି ତମ ପାଇଁ ।


ରତ୍ନାକର ଷ୍ଟେସନ ପର୍ଯ୍ୟନ୍ତ ଚାଲିଲା ସେମାନଙ୍କ ସାଥିରେ।

କାହିଁକି କେଜାଣି ଜୀବନର କିଛି ମୁହୂର୍ତ୍ତ ଶବ ପଛେ ପଛେ ଚାଲିଲା ଭଳି ଲାଗେ, ସମସ୍ତେ ଚୁପ୍ ଚାପ୍ ଥାଆନ୍ତି। କିଛି ଗପ ଥାଏ, ଶୁଣି ସାରିବା ପରେ ଅଚାନକ ମନଟା ଥକିଯାଏ ବିତୃଷ୍ଣାରେ । ଜୀବନର ପ୍ରଥମ ଗପ। ପଢି ସାରି ଅନେକ ଥକିଯାଇଛି ରତ୍ନାକର। ନିଜର କେହି ଜଣେ ଅନ୍ତରଙ୍ଗ ବନ୍ଧୁ ହୃଦୟ ଚିରି ଫେରି ଯାଉଛି ତା ଘରକୁ। ତାକୁ ବିଦାୟ ଦେବା କଣ ଏତେ ସହଜ ! ଛାଡ଼ିବାକୁ ନ ଗଲେ ବି ଲୋକେ ହସିବେ ।


ସମସ୍ତେ ଚୁପ ଥିଲେ, ଗାଡ଼ି ଆସିବାକୁ ଆଉ ପାଞ୍ଚ ମିନିଟ୍ ବାକି ଅଛି। ରତ୍ନାକର କହିଲା ବାପା ! ଗୋଟାଏ କଥା କହିବି ! ବିନିକୁ ଗୋଟାଏ ମୁହୂର୍ତ୍ତ ଛାଡି ମୁଁ ରହି ପାରିବିନି। କାଲି ରାତିରେ ମୋତେ କଣ କହିଲା ଜାଣିଛ । ତମକୁ ଛାଡି ମୁଁ କଣ ବାପ ଘରେ ରହି ପାରିବି ? ଏକ ଅସହାୟ, ନିଷ୍ଠୁର ସ୍ଵାମୀ ପରି ଚୁପ ରହିଲି । କହିଲା ଦେଖ ! କାହାରି କିଛି ଭୁଲ ନ ଥାଇ ବି ସମସ୍ତେ ଆମେ କଷ୍ଟ ପାଉଛୁ। ତମର ଚାକିରୀ ନାହିଁ, ତା ସତ୍ତ୍ୱେ ବଂଶ ସଂସ୍କାର ଦେଖି ମୋ ବାପା ତମ ହାତରେ ମୋତେ ବାନ୍ଧି ଦେଲେ। ଅଭାବ ଅସୁବିଧା ଭିତରେ ବି କାହିଁକି କେଜାଣି ମୋତେ ଏଇଠି ଭଲ ଲାଗେ। ଏଇଠି ସ୍ନେହ ଅଛି, ମମତା ଅଛି। କାହାର ନଜର ପଡ଼ିଲା କେଜାଣି, ଆମ ଘର ଉପରେ। ପୁଣି କହିଲା,  ବଡି ଭୋରରୁ ଉଠି ତମେ ସାଇକେଲ ମାରି ହାଟକୁ ଯାଉଛ, ବେପାର ପାଇଁ। ମାର୍ଗଶିର ମାସ ଶୀତ। ନିଅ, ତମପାଇଁ ବାପା ଆଣିଛନ୍ତି। ମଫଲର୍ ବାନ୍ଧି ଯିବାକୁ ଜମାରୁ ଭୁଲିବନି। ହୃଦୟକୁ ଭାରି ଛୁଇଁ ଗଲା କଥାଟି। 

ତମେ ସବୁ ଶୋଇ ଯିବା ପରେ ବୋଉକୁ ଅନେକ ବୁଝେଇଛି କାଲି ରାତିରେ, ଟଙ୍କା ନ ହେଲେ ଚଳିବ। ଗାଈଟିଏ କିଣି ଦିଅନ୍ତୁ, ସାହାଯ୍ୟ ସୂତ୍ରରେ। ପ୍ରତିଦିନ ୧୦୦ ଟଙ୍କା ବିନି ହାତରେ ଧରେଇ ଦେବି, ଠିକ୍ ଦଶ ମାସରେ ଶୁଖିଯିବ। ଯୌତୁକ ନୁହେଁ, ସାହାଯ୍ୟ ଭାବନ୍ତୁ। ବୋଉ ଚାହୁଁଛି ମୁଁ ଦୁଇ ପଇସା ରୋଜଗାର କରିବି। ଆମ ଘରର ଅବସ୍ଥା ସ୍ୱଚ୍ଛଳ ଥିଲେ ଗାଈ କଥା କେବେ ଉଠି ନ ଥାଆନ୍ତା, ନା ଗାଈ କିଣିବା ପାଇଁ ବାପାଙ୍କ ପାଖରେ ସମ୍ବଳ ଅଛି। ଆପଣଙ୍କ ପାଖରେ ଚାକିରୀ ଅଛି, ଚାଷ ଜମି ଅଛି, ଟୁକ୍ ଟାକ ଆୟ ଉପାର୍ଜନ ଅଛି। ବାପାଙ୍କ ସଂସ୍କାର କୁ ଛାଡ଼ିଦେଲେ ଆମ ପାଖରେ କିଛି ନାହିଁ, ବାସ୍ ! ପାରିବ କି ?

ବିନି ଚାଲିଗଲେ ମୁଁ ବହୁତ କଷ୍ଟ ପାଇବି ବାପା ! ବହୁତ ଭଲ ପାଏ ମୁଁ ବିନିକୁ । ଗୋଟାଏ ନିଷ୍ଠୁର ସତ୍ୟ ନଗ୍ନ ହେବା ପରେ ବିଭତ୍ସ ଲାଗେ ସତ କଥାର ଚେହେରାଟି। ଇଚ୍ଛା ନ ଥାଇ ବି ମଣିଷ ନିରୁପାୟ। ଅଭାବ, ଅନଟନ ମଣିଷର ସାମାଜିକ ସ୍ଥିତିର ପରିଭାଷା କୁ ବଦଳେଇ ଦିଏ। ଗୋଟାଏ ଶୁନଶାନ୍ ତ୍ରି-ଛକରେ ଭୁଲ ଠିକ୍ ବାରିବାର ଶକ୍ତି ହରେଇ ବସେ ମଣିଷଟି।


ନା ଯୌତୁକ ଦେଇ ପାରିବେ, ନା ସାହାଯ୍ୟ କରିବା ପାଇଁ ପ୍ରକୃତରେ ସମ୍ବଳ ଅଛି ପ୍ରହରାଜ ବାବୁଙ୍କ ପାଖରେ, କୋଡିଏ ବର୍ଷ ଖଟିବା ପରେ ବି ସେ ଦରମା ପାଇ ନାହାନ୍ତି, କେତେ ନିଃସହାୟ !


ଟ୍ରେନ ଆସି ପ୍ଲାଟଫର୍ମରେ ପହଞ୍ଚିଲା। ବାପା ସମ୍ମତି ପ୍ରଦାନ କଲେ, ହଉ ହେଲା। ତୁମେ ଦୁହେଁ ଘରକୁ ଫେରି ଯାଅ। ଆସନ୍ତା ସପ୍ତାହ କୁ ଜର୍ସି ଗାଈଟିଏ ନେଇ ତମ ଘରକୁ ଆସିବି । ପ୍ରହରାଜ ବାବୁ ଉଠିଗଲେ ଡିଏମ୍ଇଉ ଭିତରକୁ। ସମ୍ପର୍କ ର ସୁମଧୁର କୋଣାର୍କ ଟିଏ ପୁନର୍ବାର ଗଢି ଉଠୁଥିଲା ଗାଆଁ ରେଳ ଷ୍ଟେସନ ପ୍ଲାଟଫର୍ମ ଉପରେ । ଚ୍ଛୁକ୍ ଛୁକ୍ କରି ପାସେଞ୍ଜର ଟ୍ରେନଟି ଚାଲିଥିଲା ଆଗକୁ। ବାପା ହାତ ହଲାଇ ବିଦାୟ ଦେଉଥିଲେ ଝିଅ ଜ୍ବାଇଁ ଙ୍କୁ


Rate this content
Log in

Similar oriya story from Classics