STORYMIRROR

Gargi Mishra

Drama Romance Fantasy

4  

Gargi Mishra

Drama Romance Fantasy

ଜନ୍ମାନ୍ତର

ଜନ୍ମାନ୍ତର

3 mins
12

ସଦ୍ୟ ପରିହିତ ମେହେନ୍ଦି ଠାରୁ କିଛି ଅଂଶରେ ପୁରୁଣା ହୋଇ ଆସିଥିବା ଇସତ ଗୋଲାପୀ ଗୋଲାପୀ ରଙ୍ଗ ପାପୁଲିଯୋଡ଼ାକୁ ଆହୁରି ଆକର୍ଷଣୀୟ କରିଦେଲା ପରି ବିବାହ ପରେ ପରେ ଝରଣା ଏବଂ ସାଗରଙ୍କ ଯୋଡି ଯେପରି ଆହୁରି ଆକର୍ଷଣୀୟ ହୋଇଉଠୁଥିଲା।


 ବିବାହ ପରେ ବ୍ୟସ୍ତ ବହୁଳ ଜୀବନରୁ ଆଂଶୀକ ସମୟ ଚୋରୀ କରି ଉଭୟ ବାହାରିଲେ ଭୂସ୍ବର୍ଗ ଜମ୍ମୁ କାଶ୍ମୀରର ଏକ ମାୟା ନଗରୀ...ଅନ୍ତହୀନ ନାଗସାପ ପରି ତାର ପ୍ରଶସ୍ତ ବକ୍ଷ ସାରା ଅଙ୍କାବଙ୍କା ରେଖାକାଟି ନିର୍ଝରିଣୀ ମାନେ କ୍ରୀଡାରତ... ଯେଉଁଥିପାଇଁ ତାର ନାମକରଣ ଅନନ୍ତନାଗ।

 ସାଗର ନିଜ କ୍ୟାମେରାରେ କଏଦ କରିଥିଲେ ପ୍ରକୃତିର ଦୁଇଟି ସୁନ୍ଦର ସୃଷ୍ଟି...ପାହାଡ଼ ଝରଣା ଭରା ଅନନ୍ତନାଗ ର ବିସ୍ମୟଭରା ଦିଗବଳୟ ଓ ତାକୁ ଦେଖୁଥିବା ବିମୁଗ୍ଧ ଝରଣା।


 ବିବାହ ପୂର୍ଵରୁ ବୋଉ କହିଥିଲା, କର୍ତ୍ତବ୍ୟ ଚାପ ଭରା ପାରିବାରିକ ଜୀବନରେ ବହେ ଅଭିଯୋଗ, ଅଭିମାନରେ ହିସାବ ଖାତା ଭର୍ତ୍ତିହୋଇଯାଏ। ସେସବୁ ପୁରୁଣା ରଫ ଖାତା ପରି ସମାଧି ପାଇଯିବା ଭଲ। କାହାକୁ କଣ କହିବ, କେମିତି କହିବ, ସମୟ ଅସମୟ ଦେଖି କହିବ, ସ୍ଥାନ, କାଳ ପାତ୍ର, ପରିସ୍ଥିତି ଦେଖି କହିବ, ସ୍ୱର ଆୟତ୍ତରେ ରଖି ଉଚ୍ଚାରଣ କରିବ ଏସବୁ ଧ୍ୟାନ ଦେବାକୁ ପଡେ। ସେଥିରେ ଉପଯୁକ୍ତ ଶବ୍ଦର ପ୍ରୟୋଗ। ପୁଣି ଶବ୍ଦ କାହା ପାଇଁ କେମିତି ଅର୍ଥଏ। ଏସବୁକୁ ଦେଖି ଚାହିଁ ଶାଶୂଘରେ ମୁହଁ ଖୋଲିବାକୁ ହୁଏ, ନହେଲେ ମତ ପାର୍ଥକ୍ୟ ..ତୁ ପାରିବୁତ?

 ଏତେ ସଂସ୍କାରତ ସାଗର ଆଉ ଝରଣା ପରସ୍ପରକୁ ଦେଖିବା ସମୟରେ ମନେ ପଡି ନଥିଲା... ସ୍ୱତଃ ପ୍ରବୃତ ଭାବେ କିଛି ନିର୍ମଳ ମନକଥା ଆଦାନ ପ୍ରଦାନ ଓ ପରେ ବିବାହ.. ଅଳ୍ପଦିନ ଦାମ୍ପତ୍ୟ ଜୀବନରେ ଝରଣା ଓ ସାଗରଙ୍କ ଭିତରେ ନିରବ ବୁଝାମଣା ଦେଖି ପରିବାର ଲୋକେ ଭିତରେ ଭିତରେ ପ୍ରଶଂସା କରୁଥିଲେ ଯେତିକି ପ୍ରେରଣା ପାଉଥିଲେ ସେତିକି।

ଏମିତି ନୁହେଁ ଚିନ୍ତାଧାରାରେ ଅନ୍ତର ନଥିଲା.. କିଛି କଥା ମନକୁ ନ ପାଇଲେ ସାଗର ମୌନ ରହନ୍ତି। ଏକ ପୁରୁଷ ସୁଲଭ ନୀରବତା ...ସେଇ ନିରବତା ଯାହାର ଅର୍ଥ ବୁଝିବାର ସଭିଏଁ ଜିଜ୍ଞାସା କରନ୍ତି, ଯାହାର ଗୁରୁତ୍ତ୍ୱକୁ ସମସ୍ତେ ମାନନ୍ତି, ସମ୍ମାନଓ ମର୍ଯ୍ୟାଦା ଦିଅନ୍ତି... ସେ ନୀରବତା ଯାହାର ଭାଙ୍ଗିବାକୁ ସମସ୍ତେ ଚାହିଁ ରହନ୍ତି...ସବୁକିଛି ପୁଣି ସହଜ ସରଳ ଓ ଗତାନୁଗତିକ ହୋଇଯାଏ। ଝରଣା ପଢିବାକୁ ଲାଗିଥିଲେ ସେ ନୀରବତାର ପରିଭାଷାକୁ...


 ହେଲେ ଝରଣା ଅଧିକ ସମୟ ଚୁପ ରହି ପାରନ୍ତିନି। କିଛି ସମୟ ରୁସିବା ଅଭିନୟ ବାସ।କିଛି ନା କିଛି ବାହାନାରେ ସାଗରଙ୍କୁ ଫୋନ କରିଦେଇ ଜିଭ କାମୁଡି ଦିଅନ୍ତି।


 ପହଲଗାମର ଥଣ୍ଡାରେ ସ୍ୱାମୀଙ୍କ ସହ ଝରଣା କେଶର ମିଶା କାଶ୍ମୀରୀ କାୱା ଚା'ର ଉଷ୍ମତାକୁ ପିଉ ପିଉ କହୁଥାନ୍ତି,


"ସାଗର, ଜାଣ, ବାହାରକୁ ଗଲାବେଳେ ମୋ ମା ମୋତେ ସ୍ନୋ,ପାଉଡର ଲଗେଇ ଦିଏଁ। "ସ୍ନୋ" ମାନେ ପିଲାଦିନେ ଆମେ ଫେସ କ୍ରିମକୁ ବୁଝୁଥିଲେ ନା? ମୋ ମନରେ ଏ ଶବ୍ଦ ଗୋଟେ ଧଳା କ୍ରିମ ଡବାର ଚିତ୍ର ଅଙ୍କେ ଆଜି ପ୍ରକୃତ ସ୍ନୋ ହାତରେ ଧରି ପିଲାଦିନର ସେ ଭୋଳାପଣ ମନେ ପଡୁଛି। ଜାଣ ଏ ବରଫପାତ ଠିକ ତୁମପରି ହାଲକା, ଶୁଭ୍ର, ନିର୍ମଳ ସମ୍ମୋହନ ..


ଏପରି ଏକ ସ୍ବପ୍ନ ବିଳାସ ମଧୁର ମୁହୂର୍ତରେ ହଠାତ ଆତତାୟୀର ଗୁଳି ଭେଦିଯାଏ ସାଗରଙ୍କ ଛାତିରେ ଏବଂ ଝରଣାଙ୍କ ସର୍ବସ୍ବ ନିମିଷକେ ଲୁପ୍ତ।କିଛି ଆଘାତ ଏତେ ଭୟଙ୍କର ଯେ ମସ୍ତିଷ୍କର ଶକ୍ତି କାମକରିବା ବନ୍ଦ କରିଦିଏ।



ଏସବୁ କେମିତି ଘଟିଗଲା କିଛି ବୁଝି ପାରିଲେନି ଝରଣା। ସାଗରଙ୍କୁ ଫେରାଇ ଆଣିବାକୁ ପାଗଳ ପରି ଆତଙ୍କବାଦୀ ମାନଙ୍କୁ ଆଗରେ ହାତ ଯୋଡିବା ଓ ଗନ ପଏଣ୍ଟକୁ ନିଜ କଣ ମଥାରେ ରଖି ମାରି ଦେବାକୁ ଗୁହାରି କରିବାର ଭିଡିଓ ଦେଖି ଦେଶବାସୀଙ୍କ ଆଖିରେ ଲୁହ ରୋକିବା ଅସମ୍ଭବ ହୋଇପଡ଼ିଥିଲା। ଶେଷରେ ସାଗରଙ୍କ ସ୍ପନ୍ଦନହୀନ ଛାତିରେ ଜୀବନର ଧାସ ଅଣ୍ଡାଳିଅଣ୍ଡାଳି ନିସ୍ତେଜ ହୋଇ ଲୋଟି ପଡିଥିଲେ ଝରଣା। ହସ୍ପିଟାଲ ବେଡ଼ରେ ହୋସ ଆସିଲା ପରେ ଜାଣିଲେ ଅପରେସନ ସିନ୍ଦୁର କଥା। ଭାରତୀୟ ସେନା ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ କିପରି ଖୋଜି ଖୋଜି ଧ୍ବଂସ କରୁଛି ତାର ବିବରଣୀ।


ଏକ ନବବିବାହିତ ନିର୍ଦୋଷ ଦମ୍ପତିଙ୍କ ଉପରେ ଅମାନୁଷିକ ବର୍ବରତାର ଜବାବ.. କିନ୍ତୁ ଏସବୁ ପରେ ଝରଣା କଣ ମିଶି ପାରିବେ ଆଉ ସାଗରଙ୍କ ସହ? ତାଙ୍କ ପାଦରେ ପାଉଁଜି ଓ ହାତର ଚୁଡ଼ି ଆଉ ଶୁଭିବ ନା ଆଉ ଶୁଭିବ ତାଙ୍କର ନା ଫୋନରେ କଥା ପଦେ?... ନା ଋଷିବା ନା ମନାଇବା.. ଜୀବନରେ ଜୀବନଭର୍ତି ଖାଲିପଣ ଓ ମେଞ୍ଚା ମେଞ୍ଚା ବିତୃଷ୍ନା ଅସହାୟ ନିଶ୍ୱାସ ପ୍ରଶ୍ୱାସର ଶେଷ ହେବାକୁ ଅପେକ୍ଷା ବଡ଼ କଷ୍ଟ।ମୃତଦେହ ଚିତାରେ ଭସ୍ମ ହେବା ସହଜ... ଜୁଇରେ ଜଳିବା ଓ ଜୀବନ୍ତ ଜଳିବା ଭିତରେ କିନ୍ତୁ ଆକାଶ ପାତାଳ ଫରକ। ଭୂସ୍ବର୍ଗରେ ସମାଧି ପାଇଥିବା ଏକ ନବ ଦମ୍ପତିଙ୍କ ପ୍ରେମ, ପ୍ରଣୟ ଓ ପ୍ରତିଶୃତିର ଏକ ଲୋମହର୍ଷକ ବିବରଣୀ ସମାଜ ପଢୁଥିଲା, ଦେଖୁଥିଲା, କାନ୍ଦୁଥିଲା।


 ଝରଣାଙ୍କ ନାଲି ଶଙ୍ଖା, ସ୍ବପ୍ନ ସହ ଏବେ ସବୁକିଛି ଭଗ୍ନ। କେବେ କେବେ ସାଗରଙ୍କ ହୃଦୟର କିଛିକଥା, କିଛି ପ୍ରଶ୍ନ ଯେପରି ଶୂନ୍ୟରୁ ଭାସି ଆସେ.. "କନ୍ଦାନା ଝରଣା, ତୁମର ପ୍ରତିଟି ଲୁହର ହିସାବ ମୁଁ ଗୋଟି ଗୋଟି କରି ସୁଝିଦେବି.... ଆର ଜନ୍ମରେ। କେବଳ ଧର୍ଯ୍ୟଧର। ଭଲପାଇବା ମିଳନମୁଖର ମୁହୂର୍ତକୁ ସୂଚାଏ ନାହିଁ। ଏ ଏକ ଯାତ୍ରା ଯାହାର ଲକ୍ଷ୍ୟ କେବଳ ମୁକ୍ତି। ମୁକ୍ତିର ଯାତ୍ରା ଗୋଟେ ଜନ୍ମରେ ଯଥେଷ୍ଟ ନୁହେଁ। ତୁମକୁ ମୋ ହାତ ଧରି ଚାଲିବାକୁ ହେବ ଏମିତି ଜନ୍ମ ଜନ୍ମାନ୍ତର ପାଇଁ। ଅପେକ୍ଷା ବଡ଼ କଷ୍ଟକର, ମୁଁ କରିବି..କେବଳ ତୁମପାଇଁ। ତୁମେ?"    


Rate this content
Log in

Similar oriya story from Drama