Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Arati Sahoo

Comedy

4.5  

Arati Sahoo

Comedy

ଜିନ୍ଦଗୀ ଔର ମୌତ ଉପରଓ୍ଵାଲେ କି ହାଥ ମେ ହୈ ଜହାଁପନା

ଜିନ୍ଦଗୀ ଔର ମୌତ ଉପରଓ୍ଵାଲେ କି ହାଥ ମେ ହୈ ଜହାଁପନା

6 mins
67



   ମୁଁ ଥିଲି ସୁପର୍ ଷ୍ଟାର୍ , ନା ନା ହଲିଉଡ , ବଲିଉଡ , ଓଲିଉଡରେ ନୁହେଁ । ସେସବୁ ଦୁନିଆରେ ଯଦି ମୁଁ ଷ୍ଟାର୍ ଥାଆନ୍ତି ନା , ତେବେ ମୁଁ କଣ ' ଆରତୀ ' ହେଇ ରହି ଥାଆନ୍ତି କି ? କେଉଁ ଅପ୍ସରା ଉର୍ବଶୀ କି ରମ୍ଭା ମେନକା ହେଇନଥାନ୍ତି ? 


 କିନ୍ତୁ ରାଣ , ମୁଁ ସତରେ ସୁପର୍ ଷ୍ଟାର ଥିଲି । ଆମ ମୋଲିଉଡରେ । ବୁଝି ହେଲାନି ? ଏଇ ମ, ଆମ ମୁନିସି ପାଲିଟି ମିଡିଲ ସ୍କୁଲର ଡ୍ରାମାଦଳରେ । ଆଉ ଯେମିତି କ୍ରେଜ ଥିଲା ନା , ରାଜେଶ ଖନ୍ନା , ଅମିତାଭ , ସଲମାନ୍ ସମସ୍ତଙ୍କୁ ଟକ୍କର ଦେଲାଭଳି । ହଁ ।


 ଦୂର୍ଗାପୂଜା ସରିଲେ , ନଭେମ୍ବର ମାସରେ ଆମର ଡ୍ରାମା ରିହରସଲ୍ ହେଉଥିଲା । ଫି ବର୍ଷ ମୁଖ୍ୟ ଅଭିନେତା ମୁଁ ହେଉଥିଲି । ଠିକ୍ ପଢ଼ିଲେ , ଅଭିନେତା , ଅଭିନେତ୍ରୀ ନୁହେଁ । 


 ମୁଁ ଷ୍ଟେଜରେ ଯେବେ ଏଣ୍ଟ୍ରି ମାରୁଥିଲି ନା , ହୁଲସ୍ତୁଲ ମଚେଇ ଦେଉଥିଲି । ସବୁ ଭାଇ - ଭାଉଜ , ଦାଦା- ଖୁଡୀ , କକା - କାକୀ , ମଉସା - ମାଉସୀ ସମସ୍ତେ ଏକାସାଙ୍ଗରେ ହଲ୍ଲା କରୁଥିଲେ , ହେଇ...ହେଇ...ଦେଖ ରେ ଦେଖ...ବାହାରିଲେ ବିନ୍ଧେ କଂସାରୀ । ମୋ ଚେହେରା ବାପାଙ୍କ ଭଳି ତେଣୁ ମୁଁ ମର୍ଦାନା ଲିବାସରେ ବାପାଙ୍କ ପରି ଦେଖା ଯାଉଥିଲି । ଭାଇଙ୍କର ଛୋଟ ହେଇଯାଇଥିବା ସାର୍ଟ , ପେଣ୍ଟ , ବାପାଙ୍କର ଧୋତୀ ଫତୁଆ ( ସେଫ୍ଟିପିନ୍ ଲଗେଇ ) , ସାହିରେ କୋଉ ପୁଅପିଲାଙ୍କର ପେଣ୍ଟ ସାର୍ଟ ସବୁ ମୋର କଷ୍ଟ୍ୟୁମ ଥିଲା । ଯେଉଁ ଖୁସି ମୁଁ ସେହିସବୁ କଷ୍ଟ୍ୟୁମ ପିନ୍ଧି ପାଉଥିଲି ନା ସେହି ଖୁସିର କାଣିଚାଏ କୌଣସି ସେଲିବ୍ରିଟି ମନିଷ ମଲହୋତ୍ରା ଓ୍ଵାର୍ଡରୋବ ଦେଖି ବି ପାଇ ପାରୁ ନଥିବ । 


 ମଧ୍ୟ ବୟସ୍କ ଅନୁଭବୀ ପୁକୁଲା ସାର୍ ଥିଲେ ଡାଇରେକ୍ଟର । ଯେଉଁଦିନ ନାୟକ ନାୟିକା ଆଉ ଅନ୍ୟାନ୍ୟ କିରଦାର ବଛା ହେଉଥିଲା , ଆମେ ସମସ୍ତେ ଗୋଲ ଘେରରେ ବସି ଯାଉଥିଲୁ ସାର୍ ଙ୍କୁ ଘେରି । ସମସ୍ତେ ଆଶାୟୀ , ସାର୍ ତାକୁ ରୋଲ୍ କରିବାକୁ ଦିଅନ୍ତେ କି ? ସମସ୍ତଙ୍କ ଉପରେ ଏକ ବିହଙ୍ଗମ ଦୃଷ୍ଟି ବୁଲେଇ ଆଣୁଥିଲେ ସାର୍ । ଗିଦ୍ଧ ପରି ଦୃଷ୍ଟିରୁ କିଛି ବାଦ୍ ପାଇ ପାରୁ ନଥିଲା ।


 - ହଇରେ ନୀଳ , ତୋ ପ୍ୟାଣ୍ଟଟା ସିଲେଇ କରି ପାରୁନୁ ? ତ୍ରିଲୋକ ଦର୍ଶନ କରାଉଛୁ ଯେ । ଆଉ ଆଲୋ ଏ ଗୀତା , ତୋ ଜାମାରେ ବୋତାମ କାହିଁ ? ଜାମା ପିନ୍ଧି ଆସୁନାହିଁ ଆଉ ଏମାନେ ଅଭିନୟ କରିବେ ଶଃ ଶଃ ଶଃ ...ବୋଲି କହି ପେନ୍ସିଲ୍ ମୁନକୁ ଖେଞ୍ଚି ଦେଉଥିଲେ ଗୀତାର ଫୁଙ୍ଗୁଳା ପିଠିରେ । ମୋ ଚୁଡି଼ରେ ଲାଗିଥିବା ସେଫ୍ଟିପିନ୍ ରେ ତାର ଫୁଙ୍ଗୁଳା ପିଠି ଆବୃତ ହେଉଥିଲା ।


 ଆଉ ସବୁ ଚରିତ୍ର ତ ଅଦଳବଦଳ ହେଉଥିଲେ କିନ୍ତୁ ମୁଖ୍ୟ ନାୟକ ଭୂମିକାରେ ମୁଁ ସର୍ବସମ୍ମତ କ୍ରମେ ମନୋନୀତ ହେଉଥିଲି । କହିବା ମତଲବ ସେହି ରୋଲ ପାଇଁ ମୋ ପାସଙ୍ଗରେ କେହି ପଡୁ ନଥିଲେ । 


 ଏଥର "ମାଆ " ନାଟକ ମଞ୍ଚସ୍ଥ ହେବ । ମାଆ ଭୂମିକାରେ ଗୀତା , ପୁତ୍ର ଅନନ୍ତ ଭୂମିକାରେ ମୁଁ ଅଭିନୟ କରୁଥିଲି । 


 ଯୋରସୋର ରିହରସଲ୍ ଚାଲିଲା । ସମ୍ବାଦ ମୁଖସ୍ଥ କରି କରି ପାଣି ହେଇଗଲା । ମାଆ କହୁଥିଲା ,


- ପାଠଟା ଭଲା ଏଇମିତି ଘୋଷନ୍ତୁ । ନାଟକ ମୁଖସ୍ଥ କରିବା ବେଳେ ନିଦ ଆସୁନି । ହଇଲୋ , ଆଉ ପାଠ ପାଖରେ ବସୁବସୁ କାଳନିଦ ଘୋଟି ଆସୁଛି ଯେ ସାଙ୍ଗେ ସାଙ୍ଗେ ଢୋଳଉଛୁ ? 


 - ଆଃ , ଛାଡ଼୍ ନା ତାକୁ ,କାହିଁକି ତା ପଛରେ ଲାଗିଛୁ ? ମୋ ଝିଅ ଯାହା କରୁଛି କରୁ । ପରୀକ୍ଷାରେ ଫାଷ୍ଟ ତ ହେଉଛି ନା ।


 - ହଅ , ଫାଷ୍ଟ ନା ବାଷ୍ଟ । ଗଧ ମାନଙ୍କ ଭିତରେ ଖଚର ତ ! ଏଥର ସପ୍ତମ ଶ୍ରେଣୀ ହେଇଯିବ ଯେ। ଆରବରଷ ବୋଅର୍ଡ ପରୀକ୍ଷା ।


- ହଉ ହଉ , ଠିକ ଅଛି ।


 ଆସିଗଲା ନାଟକ ମଞ୍ଚସ୍ଥ ହେବାର ଦିନ । ଆରେ ନାଇଁ ରାତି , ରାତି । ସ୍କୁଲ ପାଖକୁ ଲାଗି ଡେଲି ମାର୍କେଟ । ମଝାମଝି ମଣ୍ଡପ ଟିଏ , ଫଳ ବେପାରୀଙ୍କ ପାଇଁ । ତାକୁ ଷ୍ଟେଜ ସଜେଇ ଦିଆଯାଏ ନାଟକ ଡ୍ରାମା ପାଇଁ । ଉପରେ ପାଲ ଟଙ୍ଗା ଯାଏ । ବହୁତ ସାଜସଜ୍ଜା ବା ତଡ଼କ ଭଡ଼କ ଦରକାର ହୁଏ ନାହିଁ । ଚଉକି ଇତ୍ୟାଦି ମଧ୍ୟ ଦରକାର ହୁଏ ନାହିଁ । ସେହିଥିରେ ତ ନାହିଁ ନଥିବା ଭୀଡ଼ । ଦର୍ଶକ ମାନେ ଯେ ଝା ଘରୁ ଅଖା ନେଇ ଆସିଥାନ୍ତି । ପୁରୁଷ ଲୋକମାନେ ତଥା ଟୋକାଟାକୁଳିଆ ମାନେ ପଛରୁ ଛିଡ଼ା ହେଇ ମଜା ନିଅନ୍ତି । କମେଣ୍ଟ ଦିଅନ୍ତି । ଆମ ପିଲା ମାନଙ୍କର ଉତ୍ସାହ ବର୍ଦ୍ଧନ କରନ୍ତି । କେହି କେହି ପଇସା ମଧ୍ୟ ଦିଅନ୍ତି ଖୁସି ହୋଇ । ବାପା ଖୋଲା ହାତରେ ସବୁ ପିଲାଙ୍କୁ ବକସିସ ଦିଅନ୍ତି । ମୋତେ ବହୁତ ଅଧିକ ପଇସା ମିଳେ ଯେ ମୋର ହୁଣ୍ଡି ଫୁଲ୍ ହେଇଯାଏ । ମୁଁ ପା ସୁପରଷ୍ଟାର !!!


  ଗ୍ରିନରୁମ୍ , ମାନେ ଗୋଟିଏ ଖାଲି ଦୋକାନରେ ଆମେ ଡ୍ରେସିଂ ପେଣ୍ଟିଂ ହେଉଥାଉ । ମୋର ହଳଦିଆ ପ୍ୟାଣ୍ଟକୁ ନାଲା ସାର୍ଟ । ସାର୍ଟ କଲାର୍ ପାଖରେ ବୋତାମ ଛିଣ୍ଡି ଯାଇଥିବାରୁ ଫୁଲଫୁଲିଆ ଫ୍ରକଟା ଝାଙ୍କୁଥାଏ । ହାଃ ହାଃ , କାର୍ଟୁନ ଲାଗୁଥିବି ନା ?? ସଜ ହେଉ ହେଉ ଡୁଙ୍ଗି ଡୁଙ୍ଗି ଦେଖୁଥାଉ କେତେ ଲୋକ ଜମା ହେଲେ । ମୁହୁରତ ଆବଶ୍ୟକ ହୁଏ ନାହିଁ । ଘରେ କାମଦାମ ସାରି ଲୋକେ ଆସି ଜମା ହେଇଗଲେ ମଞ୍ଚର ପରଦା ଉଠେ । ମୁଁ ଖୁବ୍ ଖୁସି ଥାଏ , ଏଥର ମୋ ମାଆ ମଧ୍ୟ ଆସିଥାଏ ବାପାଙ୍କ ସହିତ । ସେ ଆଗରେ ଗୋଟିଏ ଅଖା ଉପରେ ବସିଥାଏ ଚମ୍ପା ଖୁଡିଙ୍କ ସହ । ବାପା ପଛରେ ଠିଆ ହୋଇଥାନ୍ତି ।


 ଅସମ୍ଭବ ଭୀଡ଼ ।ସୋରିଷ ପକେଇବାକୁ ଜାଗା ନାହିଁ । ଏଥର ନାଟକର ନାମ " ମାଆ" ତ , ସେଇଥିପାଇଁ ବୋଧେ । ପରଦା ଉଠିଲା । ଭିଡ଼ ଭିତରୁ 'ହୋଅଅଅ ' କିନା ସମ୍ମିଳିତ ସ୍ଵର ଶୁଣାଗଲା । ଗୋଟିଏ ପରେ ଗୋଟିଏ ସିନ ଆଗେଇ ଚାଲିଲା ।


  ଅତ୍ୟନ୍ତ ଦରିଦ୍ର ବାପଛେଉଣ୍ଡ ପିଲାଟିଏ , ଅନନ୍ତ । ମାଆ ଛଡ଼ା ଦୁନିଆରେ ତାର କେହି ନାହିଁ । ପରଘରେ ଅଇଁଠା ବାସନ ମାଜି ମେଧାବୀ ପୁଅକୁ ତାର ପାଠ ପଢେଇ ଦୁନିଆରେ ବଡ଼ ମଣିଷ କରିବାର ଇଚ୍ଛା ତା ମାଆର । ଅଧ୍ୟବସାୟୀ , ମନଯୋଗୀ , କୃତସଂକଳ୍ପୀ ଥିଲେ ସୁଦ୍ଧା ପଣ୍ଡିତ ମହାଶୟଙ୍କ ମନରେ ଅନନ୍ତ ପ୍ରତି ଶ୍ରଦ୍ଧା କି ସହାନୁଭୂତି ରଞ୍ଚମାତ୍ର ନଥାଏ । ବିତ୍ତଶାଳୀ ଲୋକଙ୍କ ପିଲାମାନଙ୍କୁ ଶିକ୍ଷାଦାନ କରି ମୋଟାଅଙ୍କର ଦରମା ନେଉଥିବା ପଣ୍ଡିତ ଆଦୌ ଅନନ୍ତକୁ ଶିକ୍ଷା ଦେବାକୁ ଇଚ୍ଛୁକ ନଥାନ୍ତି । ଅକାରଣରେ ତାକୁ ବେତ୍ରାଘାତ କରନ୍ତି ଓ କଠୋର ଦଣ୍ଡ ଦିଅନ୍ତି । ଧନୀପୁତ୍ର ମାନେ ମଧ୍ୟ ତା ପ୍ରତି ଅତ୍ୟାଚାର କରନ୍ତି । ଥରେ ମିଥ୍ୟା ଚୋରିର ବାହାନା ଦେଇ ଏପରି ନିସ୍ତୁକ ମାଡ଼ ଦିଅନ୍ତି ପଣ୍ଡିତେ ଯେ ଅନନ୍ତକୁ ମୁମୂର୍ଷୁ ଅବସ୍ଥାରେ ଘରକୁ ନିଆଯାଏ । ମାଆର କୋଳରେ ତାର ପ୍ରାଣପକ୍ଷୀ ଉଡ଼ି ଯାଏ ।


 ଅନ୍ତିମ ଭାବବିହ୍ଵଳ କାରୀ ଦୃଶ୍ୟ । ମୁଁ ( ଅନନ୍ତ ) ଗୀତାର(ମାଆ) କୋଳରେ ପଡ଼ି ଥାଏ । ପେଟ୍ରମେକ୍ସ ଲାଇଟ୍ ସବୁ କମ୍ ବେଶି କରା ଯାଉଥାଏ ମୃତ୍ୟୁର କରାଳତାକୁ ଦର୍ଶେଇବା ପାଇଁ । ଅନ୍ତରାଳରୁ ହାରମୋନିୟମରେ "ଶୋଲେ"ମୁଭିର କରୁଣ ମୂର୍ଚ୍ଛନା ଭାସି ଆସୁଥାଏ । ଗୀତା ଅତ୍ୟନ୍ତ କରୁଣ ସ୍ଵରରେ ବିଳାପ କରୁଥାଏ । ଦର୍ଶକ ଦୀର୍ଘାରୁ ମଧ୍ୟ ସୁଁ ସାଁ ଶୁଭୁଥାଏ । ମାଆ , ମାଉସୀ , ଖୁଡୀ, ଦେଠେଇ ସବୁ କାନ୍ଦୁଥାନ୍ତି । ରାତିଟା ଅତ୍ୟନ୍ତ କରୁଣ ଚିତ୍ର ପ୍ରସ୍ତୁତ କରୁଥାଏ । ନିସ୍ତବ୍ଧ ହୋଇଯାଇଥାଏ ବାତାବରଣ । କେବଳ ସୁଁ ସୁଁ , ଆଃ ଅଃ , ଚୁ ଚୁ ଶବ୍ଦ ବେଳେବେଳେ ସେ ନିସ୍ତବ୍ଧତାକୁ ଶବ୍ଦ ଦେଉଥାଏ ।


 ମୁଁ ଆଖିବୁଜି ପଡ଼ିଥାଏ ଗୋଡ଼ ହାତ ଛାଟି ଅମିତାଭ ଷ୍ଟାଇଲରେ । ଗୀତା ବାହୁନି ଲାଗିଥାଏ ଏତେ ଜୋରରେ ମୋ ମୁହଁରେ ମୁହଁ ଲଗାଇ ଯେ ମୋର କାନ ବଧିରା ହୋଇଯିବା ଅବସ୍ଥାରେ । ତା ପାଟିଟା ବି ଏତେ ଗନ୍ଧ ହେଉଥାଏ ଯେ ଆକ୍ !!! ତା ଉପରେ ତା ମାଆର ପେଟରା ସାଇତା ପୁରୁଣା ପାଟ ଲୁଗାରୁ ଯେଉଁ ବିଚିକିଟିଆ , ଉଷୁମଳିଆ ଗନ୍ଧ ! ( Height of simplicity at that time , ସାର୍ ଭାବି ନଥିଲେ ଯେ ଦରିଦ୍ର ଘରେ ପୁଣି ପାଟଲୁଗା ? ) । ମୁଁ ସବୁ ସହି ପଡ଼ି ରହିଥାଏ ସୁପର୍ ଷ୍ଟାର ହେବା ନିଶାରେ । 


  ହଠାତ ମୋ ପିଠିରେ କଣଟେ ସଲସଲ ହେଲା । ହଲଚଲ ହେବାର ଜୁ ନାହିଁ । ପିଠିଟାରେ କଣଟାଏ କାମୁଡ଼ିଲାଣି । ଏଥର କୁଆଡ଼େ ଯାଏ ମୁଁ । କର୍ଣ୍ଣଙ୍କ ଉପାଖ୍ୟାନ ମନେ ପକାଇ ଧୈର୍ଯ୍ୟର ସହ ସହୁଥାଏ ସେ ଦରଦ । କେତେବେଳେ ୟାର ବାହୁନା ଶେଷ ହେବ କେଜାଣି ? ସକାଳ ପାହିଯିବ କି ଆଉ ? ଗୀତା ମାତା ମଧ୍ୟ ଆଜି ପ୍ରତିଜ୍ଞା କରି ମଞ୍ଚରେ ଓହ୍ଲେଇ ଥାଆନ୍ତି ସୁପର୍ ଏକ୍ଟର ପୁରସ୍କାର ନେବେ ପୁତ୍ର ଅନନ୍ତକୁ ପରାଜିତ କରି । 


  - ଆଆଆ , ବାପାରେ , ଏ ବାପା ଅନନ୍ତ । ତୋ ଦୁଃଖିନୀ ମାଆକୁ ଛାଡ଼ି କୁଆଡ଼େ ଗଲୁରେ ବାବୁଉଉଉଊଊ । ଓଓଓ , ସେ ପଣ୍ଡିତ ତ ଦାଉ ସାଧିଲାରେ ବାପ । ଉଁଉଁଉଁ , ମୋତେ ମାଆ ବୋଲି କିଏ ଡାକିବରେଏଏଏଏ । ଫେରିଆ ରେ ମୋ ଧନଅଅଅଅ ।


 ମୋର ଇଚ୍ଛା ହେଉଥାଏ ନିର୍ଘାତିଆ ମୁଥେ ମାରିଦେବି ତା ମୁହଁରେ । ନା , ଆଉ ନୁହେଁ , କଣ ବିଛା କି ସାପ କାମୁଡ଼ି ଲାଣି କେଜାଣି । ମିଛରେ ମରୁମରୁ ସତରେ ମରିବି ନା କଣ ? ଦରକାର ନାହିଁ ମୋର ସୁପର ଫୁପର୍ ଏକ୍ଟର । ଧଡ଼ଧାଡ଼ ଚାଦରଟାକୁ ଫୋପାଡ଼ି ଦେଇ ଉଠି ପଡ଼ିଲି ମୁଁ , ତା କୋଳରୁ ଛାଟିପିଟି ହେଇ ।


 - ମାଆଲୋ ମାଆ , କାନ୍ଦନି ଲୋ ମାଆ , ମୁଁ ତୋ ବିକଳ କାନ୍ଦଣା ସହି ପାରୁନି ଲୋ ମାଆଆଆ । ଫେରି ଆଇଲି ଲୋ ଫେରି ଆଇଲି , ଆଲୋ ମାଆଆଆଆଆ । 


 ଦର୍ଶକ ମହଲ ଆଚମ୍ବିତ ! ଇଏ କଣ ନୂଆ କ୍ଲାଇମେକ୍ସ !! ନିଶ୍ଚୁପ୍ ଗାଁ ଟା ସାରା ଫାଟି ପଡ଼ିଲା କରତାଳିରେ । ମୁଁ କି ଆଉ ଷ୍ଟେଜରେ ରୁହେ କରତାଳି ଶୁଣି ବାହାବା ନେବାକୁ ? ଗ୍ରିନରୁମ୍ ରେ ଆସି ବୁତୁରୁର ନାଲିଆ ସାର୍ଟ , ଭାଇର ହଳଦିଆ ପ୍ୟାଣ୍ଟଟାକୁ ଫୋପାଡ଼ି ଦେଲି । ପିଠିରେ ଡାହାଳିଆ ଏଡ଼େ ଜନ୍ଦାଟାଏ କାମୁଡ଼ି ଚାପିହେଇ ମରି ଯାଇଥାଏ । ମୋ ସାଙ୍ଗ ସ୍ଵପ୍ନା ତାକୁ ଟାଣି ଆଣିଲା ବେଳକୁ ଜନ୍ଦା ମୁଣ୍ଡଟା କାମୁଡ଼ି ହେଇ ରହି ଯାଇଥିଲା । ମୁଁ ଯାଇ ମାଆର କାନିକୁ ଟାଣିଲି ଘରକୁ ଯିବାକୁ । ଘରେ ଭାଇ ତାକୁ କାଇଦା କରି କାଢ଼ିଲେ । ମାଆ ଗରମ ସୋରିଷ ତେଲ ମାଲିସ୍ କଲା । 


 ବାପା ପଛରେ ଘରକୁ ଆସି ମୋ ବକସିସ ଦେଲେ କୋଳକୁ ଅଉଜେଇ ନେଇ । 


 କହିବା ବାହୁଲ୍ୟ , ସେଥର ବି ଗୀତା ସୁପର୍ ଏକ୍ଟର ପୁରସ୍କାର ପାଇ ପାରି ନଥିଲା । ଆଉ ଅନେକ ଦିନ ପର୍ଯ୍ୟନ୍ତ ନଈ ପୋଖରୀ ଘାଟ ମାନଙ୍କରେ "ମାଆ"ନାଟକର ଚର୍ଚ୍ଚା ଚାଲିଥିଲା । 




Rate this content
Log in

More oriya story from Arati Sahoo

Similar oriya story from Comedy