STORYMIRROR

Trushna Das

Drama Tragedy Thriller

3  

Trushna Das

Drama Tragedy Thriller

ଜୀବନ ସଂଘର୍ଷ ଭାଗ:1

ଜୀବନ ସଂଘର୍ଷ ଭାଗ:1

6 mins
202


ମୀରା ......ବୟସ ପାଖାପାଖି ଅଠେଇଶ ବର୍ଷ.....ଜୀବନ ସଂଘର୍ଷରେ ହାର ନ ମାନି ଆଗେଇ ଚାଲିଛନ୍ତି ଦୁଇଟି ଛୁଆକୁ ସାଙ୍ଗରେ ଧରି। ଦିନେ ହଠାତ୍ ମୀରା ପାଞ୍ଚ ବର୍ଷର ଝିଅ ରିନି ଓ ଦୁଇ ବର୍ଷର ପୁଅ ଦୀପୁକୁ ନେଇ ସହରରେ ଆସି ଘର ଭୋଡା ନେଇ ରହିଲେ। ଘର ଭୋଡା ଦେବା ସମୟରେ ମାଳିକ ସ୍ୱାମୀ ଆଉ ପରିବାର କଥା ପଚାରିଲେ। ମୀରା ଆଖି ଛଳଛଳ କରି କହିଲେ ତାଙ୍କର ଏ ଦୁନିଆରେ ଏ ଦୁଇଟି ଛୁଆକୁ ଛାଡ଼ି ଦେଲେ ଆଉ କେହି ନାହାଁନ୍ତି।ମୀରା ପାଇଁ ଘର ମାଲିକର ମନରେ ଦୟା ଆସିଲା ଓ ସେ ଟଙ୍କା କମ କରି ଘରଭୋଡା ଦେଲା।। 


ମୀରା ସହର ଗୋଟିଏ କମ୍ପାନୀରେ ଏକାଉଣ୍ଟେଣ୍ଟ ଭାବରେ ଚାକିରୀ କଲେ। ସେ ଦେଖିବା ପାଇଁ ଯେମିତି ସୁନ୍ଦର ସେମିତି ଗୁଣରେ ବି ଆଉ ବହୁତ ଚଞ୍ଚଳ। ଚାକିରୀକୁ ଆସିବା କିଛି ମାସ ଭିତରେ ସେ ଅଫିସର ପ୍ରାୟ ସବୁ କାମକୁ ସୁଚାରୁ ରୂପେ ସମ୍ଭାଳି ନିଅନ୍ତି।କମ୍ପାନୀର ମାଲିକ ଶଙ୍କର ବାବୁଙ୍କ ଦେହ ଖରାପ ହେବାରେ ଲାଗିଲା।ତାଙ୍କ ପୁଅ ଦେବବ୍ରତ ବାବୁ ବିଦେଶରେ ରହି ଚାକିରୀ କରୁଥିଲେ ।ବାପାଙ୍କ ଦେହ ଖରାପ ହେବାରୁ ସେ ବିଦେଶରୁ ଫେରି ଆସିଲେ ଏବଂ ନିଜ କମ୍ପାନୀ ସମ୍ଭାଳିଲେ।ହେଲେ ସେ ସବୁ ବେଳେ ମଦ ନିଶାରେ ବୁଡି ରହୁଥିଲେ। 


କଣ ପାଇଁ କେଜାଣି ଦେବବାବୁ ମୀରାଙ୍କ କାମକୁ ପସନ୍ଦ କରୁ ନ ଥିଲେ।ସେପଟେ ଶଙ୍କର ବାବୁ ମଝିରେ ମଝିରେ କମ୍ପାନୀ ଆସୁଥିଲେ ଏବଂ ମୀରାଙ୍କୁ କମ୍ପାନୀର ହାଲଚାଲ ପଚାରୁଥିଲେ। କିଛି କମ୍ପାନୀ କାମ କରିବାକୁ ହେଲେ ଶଙ୍କର ବାବୁ ମୀରାଙ୍କ ପରାମର୍ଶ ନେଉଥିଲେ। ଯାହା କି ଦେବଙ୍କୁ ଜମାରୁ ଭଲ ଲାଗୁନଥିଲା। ସେଥିପାଇଁ ସେ ମୀରାଙ୍କ ଉପରେ ରାଗରେ ଚିଡଚିଡ ହେଉଥିଲେ। ମୀରାଙ୍କୁ ଅଫିସର ଷ୍ଟାଫ୍ ମାନଙ୍କ ସାମନାରେ ଗାଳିଗୁଲଜ କରି ଅପମାନ କରୁଥିଲେ। ତଥାପି ମୀରା କିଛି କହୁ ନ ଥିଲେ। ଆଖି ଛଳଛଳ କରି ୱାସ୍ ରୁମକୁ ଯାଇ କାନ୍ଦନ୍ତି। ମୀରାଙ୍କ ସେଇ ଅଫିସରେ କାମ କରୁଥିବା ଷ୍ଟାଫ୍ ଅଭୟଙ୍କ ସହ ଭଲ ବନ୍ଧୁତ୍ୱ ହୋଇ ଯାଇଥିଲା।କେବଳ ଅଭୟଙ୍କୁ ଛାଡି ଦେଲେ ଆଉ କେହି ବି ଅଫିସରେ ଜାଣି ନ ଥିଲେ ଯେ ମୀରାଙ୍କ ଦୁଇଟି ଛୁଆ ବି ଅଛି ବୋଲି। 


ସେପଟେ ଶଙ୍କର ବାବୁ ମନେ ମନେ ମୀରା ସହ ପୁଅ ଦେବର ବିବାହ କରିବେ ବୋଲି ଭାବିଛନ୍ତି। ଦେବଙ୍କୁ ଥରେ ବୁଲେଇବାଙ୍କି ପଚାରିଥିଲେ। କିନ୍ତୁ ଦେବ ମନା କରି ଥିଲେ। ତଥାପି ଶଙ୍କର ବାବୁଙ୍କୁ ଲାଗୁଥାଏ ମୀରା ହିଁ ଦେବ ପାଇଁ ଠିକ ହେବ। ଦେବର ବାଟବଣା ଜୀବନକୁ ପୁଣି ସେ ଠିକ୍ ରାସ୍ତାକୁ ଆଣି ପାରିବ। 


ବାପାଙ୍କ ଠାରୁ ମୀରାଙ୍କ ପାଇଁ ପ୍ରସ୍ତାବ ଶୁଣି ସାରିଲା ପରେ ଦେବ ଆହୁରି ରାଗି ଗଲେ। ସେ ମୀରାଙ୍କ ମୁହଁ ସୁଧା ଦେଖିବାକୁ ଚାହୁଁ ନ ଥିଲେ। ସବୁବେଳେ ମୀରାଙ୍କୁ ହଇରାଣ କରୁଥିଲେ। କିନ୍ତୁ ମୀରା କେବେ ବି ମୁହଁ ଖୋଲି କିଛି କହୁ ନ ଥିଲେ। ସବୁ ଧୈର୍ଯ୍ୟର ସହ ସହି ଯାଉଥିଲେ। କାରଣ ସେ ଯଦି ଏ ଚାକିରୀ ଛାଡି ଦେବେ ତାହା ହେଲେ ଘର ଖର୍ଚ୍ଚ ଉଠାଇବେ କେମିତି। ଚାକିରି କରୁଛନ୍ତି। ଛୁଆ ଦୁଇଟିଙ୍କୁ ସମ୍ଭାଳିବା ପାଇଁ ଗୋଟିଏ ଚାକରାଣୀ ରଖିଛନ୍ତି। ସେ ସବୁ ଖର୍ଚ୍ଚ ଉଠାଇବେ କେମିତି।ସେଥିପାଇଁ ସେ ସବୁ କିଛି ସହି ନିଅନ୍ତି। 


ଦିନେ ଦୀପୁର ଦେହ ହଠାତ୍ ଖରାପ ହୋଇଗଲା। ଦେବ ଅଫିସରେ ନ ଥିଲେ। ମୀରା ଦେବବାବୁଙ୍କୁ ଗୋଟିଏ ମ୍ୟାସେଜ କରି ଦେଇ କିଛି ସମୟ ପାଇଁ ଅଭୟଙ୍କ ସହ ଘରକୁ ଗଲେ। ଦୁଇ ତିନି ଘଣ୍ଟା ପରେ ମୀରା ଆସିଲେ। 


ଅଫିସକୁ ମୀରା ଆସିଲା ବେଳକୁ ଦେବ ପୁରା ରାଗି କି ବମ।ଯେମିତି ମୀରା ଆସିଛନ୍ତି ବହୁତ କଟୁ ତିକ୍ତ ଭରା କଥା କହିଲେ। 


ଦେବ ସମସ୍ତଙ୍କ ସାମନାରେ କିଛି ଅଭଦ୍ର ଶବ୍ଦ ମଧ୍ୟ ବ୍ୟବହାର କଲେ। ମୀରା କେବଳ ଏତିକି କହୁଥିଲେ ମୋର ଘରକୁ ଯିବା ନିହାତି ଦରକାର ଥିଲା ସାର। 


ଦେବ କହିଲେ ଥାଉ ସେ ମିଛ କଥା ମୋତେ ଆଉ କୁହ ନାହିଁ। ମୁଁ ଜାଣେ ତୁମ ପରି ଝିଅମାନେ ଟଙ୍କା ପାଇଁ ସବୁ କିଛି କରି ପାରିବେ। ଧନୀ ଘରର ପୁଅମାନଙ୍କୁ ଫସେଇବା ତୁମମାନଙ୍କ ଅଭ୍ୟାସ। ଟଙ୍କା ପାଇଁ ତୁମେ ରାତିରେ କାହା ସହିତ ବି ଶୋଇ ପାରିବ। 


ଏତିକି ଶୁଣି ମୀରା କହିଲେ ବସ୍ ସାର। ଆଉ ନୁହେଁ। ମାନୁଛି ମୁଁ ଜଣେ ଗରିବ ଘରର ଝିଅ। କିନ୍ତୁ ତାମାନେ ନୁହେଁ ଯେ ମୁଁ ନିଜ ଇଜ୍ଜତ ଟଙ୍କା ପାଇଁ ବିକି ବି। ମୋ ଘରେ ବହୁତ ବଡ ଅସୁବିଧା ଥିଲା। ଦୀପକୁ ଡାକ୍ତରଖାନା ନ ନେଇ ଥିଲେ କିଛି ବି ହେଇ ଯାଇଥାଆନ୍ତା। ଜଲଦି ପହଞ୍ଚିବାର ଥିଲା। ତେଣୁ ମୁଁ ଅଭୟଙ୍କୁ ସାଙ୍ଗରେ ନେଇ ଯାଇଥିଲି। ଆଉ ଆପଣ..... ଛି.... ଛି। 


ଦେବ ଭାବିଲେ ଦୀପୁ ବୋଧେ ମୀରାଙ୍କର ଭାଇ। 


ମୀରା କହିଲେ ଦେବଙ୍କୁ ମୁଁ ଏମିତି ବିଚାର ଭାବ ବ୍ୟକ୍ତି ସହ କାମ କରି ପାରିବି ନାହିଁ। ମୁଁ ଚାକିରୀ ଛାଡି ଦେବି। 


ଦେବ ବି ରାଗି ଯାଇ କହିଲେ ଠିକ୍ ଅଛି.....ପଳାଅ ହେଲେ ନିଜ ହିସାବକିତାବ ସବୁ କରିକି ଯିବ। 


ଦେବ ଷ୍ଟାଫ ଦରମା ଖାତା ଖୋଲିଲା ବେଳକୁ ଦେଖିଲେ ପଚାଶ ହଜାର ଟଙ୍କା ମୀରା ଅଫିସରୁ ଲୋନ୍ ନେଇଛନ୍ତି। ଦେବ ମୀରାଙ୍କୁ କହିଲେ ଏ ଟଙ୍କା ଦେଇ କି ଯିବା ପାଇଁ। 


ମୀରା କହିଲେ ମୋ ପାଖରେ ଏତେ ଟଙ୍କା ନାହିଁ। ମୋତେ ଟିକିଏ ସମୟ ଦିଅନ୍ତୁ ମୁଁ ଆଉ କେଉଁଠି କାମ କରିବି ଆଉ ଧାରରେ ଆଣି କି ଆପଣଙ୍କୁ ଦେବି। 


ଦେବ କହିଲେ ମୋତେ ମୁର୍ଖ ଭାବିଛ କି। କାମ ଛାଡ଼ିଲା ପରେ ତୁମେ ଆଉ ଆସିବ ନାହିଁ କି ଟଙ୍କା ଦେବ ନାହିଁ। ତୁମେ ଏ ଟଙ୍କା ସୁଝିବା ପରେ ଯାଇ ଚାକିରୀ ଛାଡି ଯିବ। ତୁମେ ଟଙ୍କା ନେଇ ଥିବା ଲୋନ୍ କାଗଜରେ ଲେଖା ଅଛି। 


ମୀରା ବାଧ୍ୟତାମୂଳକ ଏବେ ଦେବଙ୍କ ଅଫିସରେ କାମ କଲେ। 


ଏ କଥା ଶଙ୍କର ବାବୁଙ୍କ କାନରେ ପଡିଲା। ସେ ପୁଅ ଦେବର ଏପରି ବ୍ୟବହାର ଜାଣି ମନେ ମନେ ବିରକ୍ତ ହେଲେ। 


ତାପର ଦିନ ଶଙ୍କର ବାବୁ ମୀରାଙ୍କୁ ଘରକୁ ଡାକିଲେ।ମୀରାଙ୍କୁ ଦେବଙ୍କ ଏପରି ବ୍ୟବହାର ପାଇଁ କ୍ଷମା ମାଗିଲେ।


ମୀରା କହିଲେ..... ଆପଣ କ୍ଷମା ମାଗି ମୋତେ ଲଜ୍ଜିତ କରୁଛନ୍ତି। ଆପଣ ମୋ ବାପାଙ୍କ ବୟସର। ମୋତେ ଏତେ ବଡ ପାପର ଭାଗିଦାରୀ କରାନ୍ତୁ ନାହିଁ। 


ତାପରେ ଶଙ୍କର ବାବୁ ଓ ମୀରା ବସି କି କଥା ହେଉଥାଆନ୍ତି।ଶଙ୍କର ବାବୁ କହିଲେ ଦେବ ଆଗରୁ ଏମିତି ନ ଥିଲା।ସେ ତ ବାପାମାଆଙ୍କ ଶ୍ରବଣ କୁମାର।କାହାରି ଆଖିର ଲୁହ ଦେଖି ସେ ସହି ପିରେ ନାହିଁ। ବହୁତ ଦୟାଳୁ ଥିଲା ମୋ ଦେବ। ମଦ ସେ ଆଗରୁ କେବେ ପିଉ ନ ଥିଲା। ଝିଅମାନଙ୍କୁ ସବୁବେଳେ ସମ୍ମାନ ଦେଉଥିଲା। ସେ ଅଶୁଭ ଦିନ ତା ଜୀବନକୁ ବର୍ବାଦ କରି ଦେଲା। 


ମୀରା କହିଲେ କଣ ଅଶୁଭ ଦିନ ସାର। 


ଶଙ୍କର ବାବୁ କହିଲେ ଆଜକୁ ପ୍ରାୟ ଛଅ ବର୍ଷ ତଳର କଥା। ଦେବ ଆମ ଅଫିସର ସବୁ ଦାୟିତ୍ବ ନେଇ ଥାଏ। ଦେବ ଅଫିସରେ କାମ କରୁଥିବା ଶୁଭ୍ରାକୁ ଭଲ ପାଇ ବିବାହ କଲା। ଶୁଭ୍ରାର ଚାଳିଚଳନ କିନ୍ତୁ ମୋତେ କି ଦେବର ମାଆ ଆଶାଙ୍କୁ ଭଲ ଲାଗୁ ନ ଥିଲା। ଆମେ ପ୍ରଥମେ ମନା କରୁଥିଲୁ। କିନ୍ତୁ ଗୋଟିଏ ବୋଲି ପୁଅ ନା। ତା ଖୁସି ପାଇଁ ଆମେ ରାଜି ହୋଇ ଗଲୁ। ଯାହା ବି ହେଉ ବିବାହ ପରେ ଦୁହିଁଙ୍କ ପାରିବାରିକ ଜୀବନ ଠିକ୍ ଠାକ ଥାଏ। ଶୁଭ୍ରା ବିବାହ ପରେ ମଧ୍ୟ ଅଫିସ ଯାଉ ଥାଏ। ବାହାଘରର ଦେଢ ବର୍ଷ ପରେ ଶୁଭ୍ରା ଓ ଦେବର କନ୍ୟା ସନ୍ତାନ ହେଲା। ଆମ ଆଖିର ତାରା....ଆମେ ତାକୁ ଖୁସି ଡାକୁ ଥିଲୁ। ଖୁସି ଦୁଇ ବର୍ଷର ହୋଇ ଥାଏ।ତାର ଟିକେ ଟିକେ ଗୁଲୁରି ଗୁଲୁରି କଥା..... ଶୁଣି ମନ ମୁଗ୍ଧ ହୋଇ ଯାଉଥାଏ। ଆଶା ଆଉ ମୁଁ ତୀର୍ଥରେ ଯାଇ ଥାଉ। ଦେବର ବହୁତ ଦରକାର କାମ ପଡିବାରୁ ସେ ତିନି ଦିନ ପାଇଁ ବାହାରକୁ ଗଲା।ଚାକରାଣୀ ବି କିଛି ଦିନ ଛୁଟିରେ ଥାଏ। 


ତା ପରେ ସେ ଅଶୁଭ ରାତି ସବୁ କିଛି ବଦଳାଇ ଦେଲା.....କହି ଗୋଟିଏ କୁନି ଝିଅର ଫୋଟୋକୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ.....ଆମଠାରୁ ଆମ ଗେହ୍ଲି ଖୁସି ଆଉ ବୋହୂ ଏ ଦୁର୍ଘଟଣାରେ ବହୁତ ଦୂରକୁ ଚାଲିଗଲେ।ଦେବ ତ ବାହାରକୁ ଯାଇଥିଲା..... ହେଲେ ସେ କେମିତି ଆସି ନିଜେ ବି ଦୁର୍ଘଟଣାରେ ଅର୍ଧ ମରା ଅବସ୍ଥାରେ ପଡିଥିଲା ଏବଂ ଅଫିସର ଷ୍ଟାଫ୍ ଲିଙ୍କନ ସେ ଦୁର୍ଘଟଣାରେ ମୃତ୍ୟୁବରଣ କଲା..... ଆମ ପାଇଁ ରହସ୍ୟ ହୋଇ ରହିଗଲା। ପୋଲିସ କହିଲା ବର୍ଷା ପ୍ରବଳ ହେଉଥିଲା।ଗୋଟିଏ ଟ୍ରକ ଭାରସ୍ୟାମ ହରାଇ ଲିଙ୍କନ ଓ ଦେବର ଗାଡି ଉପରେ ଚଢି ଯିବାରୁ ଏମିତି ହୋଇଛି। ଆମେ ଏ ଖବର ପାଇ ଆସୁ ଆସୁ ଦୁଇ ଦିନ ହୋଇଗଲା। ଆସିଲା ବେଳକୁ ଦେବ ପୁରା ଅଲଗା ବ୍ୟବହାର। ସେ ବି ଦୁର୍ଘଟଣାରେ ବହୁତ ଆହତ ହୋଇଥିଲା। ତାକୁ ସେ ଦିନ ବିଷୟରେ କିଛି ବି ପଚାରିବା ପାଇଁ ସେତେବେଳେ ଡାକ୍ତର ମନା କଲେ। ସେ ଖାଲି ରାଗି ଗରଗର ହେଲା। ସ୍ତ୍ରୀ ଓ ଝିଅକୁ ହରାଇଲା ପରେ ସେ ବହୁତ ମଦ ପିଇବା ଆରମ୍ଭ କଲା। ସେ ଆଉ ଏଠି ରହିଲା ନାହିଁ। ବିଦେଶରେ ଯାଇ ଚାକିରୀ କଲା। ଆଉ ମୁଁ ପୁଣି ଏ ଅଫିସ ସମ୍ଭାଳିଲି। 


ମୀରାଙ୍କ ଆଖିରୁ ଲୁହ ଝର ଝର ହୋଇ ବୋହିଗଲା। 


ଶଙ୍କର ବାବୁ ମୀରା ହାତ ଧରି କାନ୍ଦି କାନ୍ଦି କହିଲେ ତୁମକୁ ଦେଖିଲା ପରେ ମୋତେ ଲାଗୁଛି ଯେମିତି ତୁମେ ହିଁ ମୋ ଦେବର ଜୀବନକୁ ଆଉ ଥରେ ସମ୍ଭାଳି ପାରିବ। ତୁମେ ଦେବକୁ ବିବାହ କରିବ ନା......ଏତିକି କହୁ କହୁ ଶଙ୍କର ବାବୁଙ୍କ ଅବସ୍ଥା ଖରାପ ହୋଇଗଲା। ସେ ନିଶ୍ୱାସ ନେଇ ପାରୁ ନ ଥିଲେ।ମୀରା ସାର ସାର କହି ଚିଳାଇବାକୁ ଲାଗିଲେ। 


ଆଶା ଓ ଚାକରାଣୀ ଦୌଡି ଆସିଲେ। ଆଶା ମୀରାଙ୍କୁ ପଚାରିଲେ ତୁ କଣ ଏମିତି କହିଲୁ ଯେ ତାଙ୍କର ଏମିତି ଅବସ୍ଥା ହେଲା। ସେହି ସମୟରେ ଦେବ ପହଞ୍ଚିଲେ। ଦେବ ସାଙ୍ଗେ ସାଙ୍ଗେ ଗାଡିରେ ବାପାଙ୍କୁ ମାଆ ଓ ମୀରା ସହ ଡାକ୍ତରଖାନା ନେଇଗଲେ। 


ମୀରା ଡାକ୍ତରଖାନାରେ ଭୋ ଭୋ ହୋଇ କାନ୍ଦୁ ଥାଆନ୍ତି। ଭଗବାନଙ୍କୁ ଶଙ୍କର ବାବୁଙ୍କ ପାଇଁ ପାର୍ଥନା କରୁଥାଆନ୍ତି। ଶଙ୍କର ବାବୁଙ୍କ ଚେତା ନ ଆସିବା ଯାଏଁ ସେ କିଛି ବି ଖାଇଲେ ନାହିଁ କି ପାଣି ସୁଧା ପିଇଲେ ନାହିଁ। ଏ ସବୁ ଦେଖି ଦେବ ଆଶ୍ଚର୍ଯ୍ୟ। ତାଙ୍କ ମନରେ ମୀରାଙ୍କ ପାଇଁ ଥିବା ଭୂଲ ଧାରଣା ଆସ୍ତେ ଆସ୍ତେ ଦୂରେଇବାରେ ଲାଗି ଥାଏ। ଶଙ୍କର ବାବୁ ଯେତେ ଦିନ ଡାକ୍ତରଖାନାରେ ରହିଲେ ମୀରା ଅଫିସ କାମ ସାରି କି ଆସି ଦେଖା କରୁ ଥାଆନ୍ତି।ଦେବଙ୍କୁ ଡାକ୍ତର କହିଲେ ଯେ ତାଙ୍କ ବାପାଙ୍କୁ ଯେମିତି ଆଉ କିଛି ଆଘାତ ଦେଲା ପରି କଥା ନ କୁହାଯାଏ। ବାପା ମୀରାଙ୍କ ସହ ଖୁସି ହେଉଥିବା ଦେଖି ଦେବ ବି ମନେ ମନେ ଖୁସି ହେଉ ଥାଆନ୍ତି। 


ଦିନେ ହଠାତ୍ ଦେବ ଡାକ୍ତରଖାନାରେ ଦେଖିଲେ ଯେ କିଛି କିନ୍ନର ଆସି କି ମୀରାଙ୍କ ସହ କଣ କଥା ହେଉଛନ୍ତି। ଆଉ ମୀରା ବହୁତ ଭୟଭୀତ। ତାଙ୍କୁ ହାତ ଧରି କିଛି ଗୋଟିଏ ଅନୁରୋଧ କରୁଥିଲେ। ତାପରେ ଦୌଡି ସେଠାରୁ ପଳାଇଲେ। ତାପର ଦିନ ସେ ଡାକ୍ତରଖାନା କି ଅଫିସ ବି ଆସିଲେ ନାହିଁ। ତାପରଠୁ ଡାକ୍ତରଖାନା ଆଉ ଅଫିସ ଆସନ୍ତି ଯେମିତି ସେ କାହାକୁ ଲୁଚି ଲୁଚି ଆସୁଛନ୍ତି। ଏ କଥା ଦେଖି ଦେବ ଆଶ୍ଚର୍ଯ୍ୟ। ପ୍ରକୃତରେ ସେଦିନ କିନ୍ନରମାନେ ମୀରାଙ୍କୁ କଣ କହିଲେ। ସେ ଏତେ ଭୟଭୀତ କଣ ପାଇଁ।ଦେବଙ୍କ ମନରେ ଏବେ ମୀରା ପାଇଁ ସ୍ନେହ ସୃଷ୍ଟି ହେଲାଣି। ସେ ମୀରା ପାଇଁ ଯତ୍ନଶୀଳ ହେଲେଣି।


କ୍ରମଶଃ.......। 


Rate this content
Log in

Similar oriya story from Drama