କିଛି କ୍ଷଣ ଖୁସି
କିଛି କ୍ଷଣ ଖୁସି
ବିପୁଳ ଗୋଟିଏ ନୂଆ ସାର୍ଟ ପ୍ୟାଣ୍ଟ୍ କିଣି ବଡ଼ ଭାଇ ଅତୁଳ ସହ ଘରକୁ ଆସିଲା। ଘର ବାହାରୁ ମାଆ ଓ ଜେଜେମା କୋଉଠି ଅଛ ବୋଲି ଡାକି ଡାକି ଭିତରକୁ ଆସିଲା ବିପୁଳ। ଘରର ପ୍ରବେଶ ରୁମରେ ବାପା ପ୍ରଫୁଲ୍ଲ ବସି ଖବର କାଗଜ ପଢୁ ଥିବା ଦେଖି ବିପୁଳ ଚମକି ଗଲା। ଏ କଣ ବାପା ଆଜି ଜଲଦି ଟ୍ୟୁସନରୁ ଫେରି ଆସିଛନ୍ତି। ବାପାଙ୍କୁ ଦେଖି ବିପୁଳ ଚୁପ୍ ହୋଇ ଗଲା। ଭିତର ପଟୁ ଜେଜେମା ଶାନ୍ତି ଦେବୀ ପ୍ରବେଶ କରୁ କରୁ କହିଲେ ଆରେ ଆସି ଗଲୁ।
ବିପୁଳ ମୁଣ୍ଡ ହଲେଇ ହଁ ମାରିଲା।
ମାଆ ଝୁନା ତିନୋଟି ଚାହା କପ ଆଉ କିଛି ବିସ୍କୁଟ ଧରି ଭିତରକୁ ଆସିଲେ।
ଜେଜେମା ଶାନ୍ତି ଦେବୀ : ଆରେ ଅତୁଳ କାହିଁ।
ବିପୁଳ : ଭାଇର କାମ ଅଛି । ସେ ବାହାରକୁ ଗଲା।
ଜେଜେମା : ଦେଖି ତୋର ସାର୍ଟ ଓ ପ୍ୟାଣ୍ଟ୍।
ବିପୁଳ ହସି ଦେଇ ବ୍ୟାଗ ରୁ କାଢି ଦେଖାଇଲା।
ଜେଜେମା ଶାନ୍ତି ଦେବୀ : ମୋର ଗେହ୍ଲୁ। ତୁ ତୋ ଏ ପୋଷାକ ରେ ପୁରା ହିରୋ ଲାଗିବୁ। ଲୋକମାନେ ରିଷଭ କୁ ବର ବେଶରେ ଦେଖିବେ ନା ତୋତେ ହିଁ ଚାହିଁ ରହିବେ।
( ରିଷଭ ବିପୁଳ ର ପିଉସୀ ପୁଅ । )
ବିପୁଳ ଜୋରରେ ହସି ଓହଃ ଜେଜେମା ତୁମେ ନା ।
ଚାହା ପିଉ ପିଉ ପ୍ରଫୁଲ୍ଲ ସବୁ ଶୁଣୁ ଥାଆନ୍ତି। ଘଡିକୁ ଦେଖିଲେ।ବିପୁଳ ବାପାଙ୍କୁ ନ ଦେଖି ଜେଜେମା ଙ୍କୁ କହୁ ଥାଏ ମୋତେ କାଲି ଆଉ କିଛି ଟଙ୍କା ଦେବ ନା ଗୋଟିଏ ଜୋତା ଆଣିବି।
ଜେଜେମା : ହଁ ରେ ।
ପ୍ରଫୁଲ୍ଲ ଖାଲି ଚାହା କପ ରଖି ଦେଇ କହିଲେ ବିପୁଳ କେତେ ସମୟ ହେଲା ଦେଖୁଛୁ ନା। ପାଠ ପଢା ହେବ ନାହିଁ କି।
ଜେଜେମା : କହ କିଛି କ୍ଷଣ ପାଇଁ ତ ସେ ବଜାର ଯାଇ ଥିଲା।
ପ୍ରଫୁଲ୍ଲ : ଆରେ ମାଆ ମୋର ତ ଇଚ୍ଛା ନାହିଁ ସେ ବାହାଘରକୁ ଯାଉ ବୋଲି। ଦଶମର ବୋର୍ଡ ପରୀକ୍ଷା। ଭଲ ପଢୁଥିଲା। ହୁଏ ତ ସେ ସମଗ୍ର ରାଜ୍ୟରେ ଟପ୍ପର ହୋଇ ପାରେ। ହେଲେ ତୁମେ ଆଉ ସେ ଜିଦ୍ ଧରିଛ କଣ ନା ସେ ବାହାଘରକୁ ଯିବ। ଟେଷ୍ଟ ପରୀକ୍ଷା ତାର ଆସନ୍ତା ମାସ। ଆଉ ଆମେ କ'ଣ ନା ଦୁଇ ଦିନ ପରେ ଗୋଟିଏ ସପ୍ତାହ ପାଇଁ ବାହାଘରିଆ ଯିବୁ ? ମୁଁ ତ କହୁ ଥିଲି ମୁଁ ଆଉ ବିପୁଳ ଯିବା ନାହିଁ। ହେଲେ ତୁମେ ଦୁଇ ଜଣ କ'ଣ ମାନୁଛ ?
ଶାନ୍ତି ଦେବୀ : ଓହଃ ତୋର ଜିଦ୍ ନା ବହୁତ। ଆରେ ତୁ ରିଷଭ ର ଗୋଟିଏ ବୋଲି ମାମୁଁ । ତୁ ନ ଗଲେ କି ହେବ?
ପ୍ରଫୁଲ୍ଲ : ଠିକ ଅଛି ମୁଁ ତ କହୁଥିଲି ମୁଁ ବିପୁଳ କୁ ନେଇ ବିବାହ ଦିନ ସକାଳୁ ଯାଇ ଥାଆନ୍ତି ଆଉ ବିବାହ ପରେ ଫେରି ଆସି ଥାଆନ୍ତୁ। ପୁଣି ଦୁଇ ଦିନ ପରେ ଚତୁର୍ଥୀ ଦିନ ସକାଳୁ ବିପୁଳ କୁ ନେଇ ଯାଇ ଥାଆନ୍ତି , ତାପର ଦିନ ସକାଳୁ ଫେରି ଆସିଥାନ୍ତୁ। ତୁମେ, ଝୁନା ଓ ଅତୁଳ ଆଗରୁ ପଳେଇ ଥାଆନ୍ତ ଆଉ ଆମ ସହିତ ଆସି ଥାଆନ୍ତ ନ ହେଲେ ପରେ ଆସି ଥାଆନ୍ତ।
ଜେଜେମା ଶାନ୍ତି ଦେବୀ : ଆରେ ସୁଶୀଳା ( ପ୍ରଫୁଲ୍ଲ ଙ୍କ ବଡ଼ ଭଉଣୀ, ରିଷଭର ମାଆ ) କେତେ ମନ ଦୁଃଖ କରି ଥାଆନ୍ତା କହିଲୁ। ସେଇଠି ପାଇଁ ମୁଁ ଜିଦ୍ କଲି। କିଛି କ୍ଷଣ ପାଇଁ ଜୀବନରେ ହସ ଖୁସି ବି ତ ଦରକାର। କଣ ପାଠ ପଢା ସବୁ କିଛି।
ପ୍ରଫୁଲ୍ଲ : ମାଆ ପାଠ ପଢି ବଡ଼ ମଣିଷ ହେବା ପାହାଡ଼ ଚଢିବା ସହ ସମାନ। ଯେମିତି ପାହାଡ ଚଢିବା ସମୟ ରେ ଯଦି ଆମେ ଟିକିଏ ଅଟକି ଯିବା କି ଅନ୍ୟମନସ୍କ ହେବା ତାହେଲେ ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ନାହିଁ। ସେମିତି ଯଦି ଆମେ ପାଠ ପଢା କିଛି କ୍ଷଣ କହି ବାରମ୍ବାର ଅବହେଳା କରିବା ତେବେ ଆମେ ହାରି ଯିବା। ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ନାହିଁ।
ଜେଜେମା ଶାନ୍ତି ଦେବୀ : ଅହ ତୁ ଆଉ ମୋତେ ସେ ସବୁ କହନି। ମୁଁ ଆଉ କ'ଣ ସୁଶୀଳା ଓ ତୋତେ ପାଠ ପଢ଼ାଇ ବଡ଼ କରିନି ? ତୁ ଆଜି ହାଇସ୍କୁଲ ର ଶିକ୍ଷକ ହୋଇ ଯାଇଛୁ ବୋଲି ମୋତେ ମୁର୍ଖ ଭାବି ଏତେ କଥା କହୁଛୁ?
ପରିସ୍ଥିତି ଗମ୍ଭୀର ହେବାରୁ ଝୁନା ପ୍ରଫୁଲ୍ଲ ଙ୍କୁ କହିଲେ ତୁମେ ଟିକିଏ ଚୁପ୍ ହୋଇ ଯାଉ ନାହଁ। ବିପୁଳ ଆମର ବର୍ଷ ଯାକ ଭଲ ପାଠ ପଢୁଛି। କିଛି କ୍ଷଣ ବୁଲି ଆସିଲେ କଣ ହେବ ଯେ ?
ପ୍ରଫୁଲ୍ଲ ବିରକ୍ତ ହୋଇ
କହିଲେ ବିପୁଳ ଭଲ ପଢୁ ଥିଲା। ହେଲେ ତାର ଯେ କଣ ହୋଇଛି ଏ ବର୍ଷ ଟିକେ ପାଠ ପଢ଼ା ରେ ଅବହେଳା କରୁଛି।ହଉ ଛାଡ଼ , ତୁମ ମାନଙ୍କର ଯାହା ଇଚ୍ଛା କର ।
ପ୍ରଫୁଲ୍ଲ ବିରକ୍ତ ହୋଇ ଗାଡ଼ି ଧରି କୁଆଡେ ଚାଲି ଗଲେ।
ବିପୁଳ ପାଠ ପଢା ରୁମକୁ ଯାଇ ବହି ଧରି ମୁହଁ ଫୁଲେଇ ବସି ଥାଏ।
ଶାନ୍ତି ଦେବୀ ସେଠାକୁ ଯିବାରୁ ବିପୁଳ କହିଲା ଜେଜେମା ଏ ବାପାଙ୍କ କଣ ହେଉଛି କୁହନା। ମୁଁ ତ ଭଲ ପଢେ। ନବମ ଶ୍ରେଣୀ ର ବାର୍ଷିକ ପରୀକ୍ଷାରେ ଆମ ବିଦ୍ୟାଳୟରେ ମୁଁ ସବୁ ଠାରୁ ବେଶୀ ନମ୍ବର ୯୮% ନମ୍ବର ରଖି ପ୍ରଥମ ହୋଇ ଥିଲି। ଆଉ ଦେଖିଲ ନା ମୋ ପାଖା ପାଖି କେହି ନମ୍ବର ରଖି ନ ଥିଲେ। ଏତେ କଷ୍ଟ ପ୍ରଶ୍ନ ରେ ବି ମୁଁ ଏତେ ମାର୍କ ରଖିଛି। ମୁଁ ଜାଣିଛି ମୁଁ ଯାହା ପଢେ ମୋର ମନ ରହି ଯାଏ। ହେଲେ ମୋ ବାପା ମୋର କିଛି କ୍ଷଣ ଖୁସି ଟିକିଏ ସହି ପାରୁ ନାହାଁନ୍ତି। ପାଠ ପଢା ପାହାଡ଼ ଚଢିବା ପରି କଷ୍ଟକର ନୁହେଁ।
ଜେଜେମା ଶାନ୍ତି ଦେବୀ : ତୁ ବ୍ୟସ୍ତ ହୁଅନା। ତୁ ରିଷଭ ବାହାଘରରେ ବହୁତ ମଜାକ ମସ୍ତି କରିବୁ।
ଏ କଥା ମୋବାଇଲ ନେବାକୁ ଫେରି ଆସିଥିବା ପ୍ରଫୁଲ୍ଲ ଶୁଣୁଛନ୍ତି ବୋଲି ବିପୁଳ ଓ ଶାନ୍ତି ଦେବୀ ଜାଣି ନ ଥାଆନ୍ତି। ଝୁନାକୁ ରାତିରେ ପ୍ରଫୁଲ୍ଲ କହିଲେ ଝୁନା ଆଜକୁ ମୁଁ ପାଖାପାଖି ବାଇଶି ବର୍ଷ ହେଲାଣି ଛୁଆମାନଙ୍କୁ ପାଠ ପଢାଉଛି। ମୁଁ ଛୁଆମାନଙ୍କ ମୁହଁ ଓ ପଢା ଷ୍ଟାଇଲ ଦେଖି କହି ଦେବି ସେ ପରୀକ୍ଷାରେ କେମିତି କରିବ। ଆମ ବିପୁଳ ଏବେ ଆଗ ଭଳି ପଢ଼ାରେ ଧ୍ୟାନ ଦେଉ ନାହିଁ। ତା ମନରେ ଆତ୍ମ ଗର୍ବ ଆସି ଯାଇଛି । ସେଇ ଗର୍ବ ତା ପାଇଁ କାଳ ନ ହେଉ। ଏଇ କିଛି କ୍ଷଣ ଖୁସି ତାକୁ ସାରା ଜୀବନ ଦୁଃଖ ନ ଦେଉ। ସେ ମୋତେ ଭୂଲ ବୁଝୁଛି।
ଝୁନା : ଛାଡ଼ ତା କଥା। ବାହାଘର ରୁ ଆସିଲା ପରେ ମୁଁ ତାକୁ ବୁଝାଇ ଦେବି।
ଦୁଇ ଦିନ ପରେ ସମସ୍ତେ ବାହାଘର କୁ ଗଲେ। ବିପୁଳ ଆଉ ସେଠାରେ ଖାତା ବହି ନେଇ ମଧ୍ୟ ଟିକେ ପାଇଁ ବି ଖୋଲିଲା ନାହିଁ। ଖାଲି ବୁଲାବୁଲି ହସ ଖୁସିରେ ସମୟ କାଟିବା। ପ୍ରଫୁଲ୍ଲ ମଧ୍ୟ ଅଭିମାନ ମାରି କିଛି କହିଲେ ନାହିଁ।
ସପ୍ତାହ ପରେ ସବୁ ଫେରି ଆସିଲେ। କିଛି ଦିନ ତ ବାହାଘର ବିଷୟରେ ବିପୁଳ ର ଚର୍ଚ୍ଚା ରେ ସମୟ ବିତିଗଲା। ଚାହୁଁ ଚାହୁଁ ଟେଷ୍ଟ ପରୀକ୍ଷା ଆସି ଗଲା। ଟେଷ୍ଟ ପରୀକ୍ଷା ସହଜ ପ୍ରଶ୍ନ ପଡି ଥିଲା। ହେଲେ ବିପୁଳ କୁ ଠିକ ରେ ଆସୁ ନ ଥାଏ। କେବଳ ଭାବୁ ଥାଏ ଏ ସବୁ ତ ବାପା ମୋତେ କରାଇ ଥିଲେ ହେଲେ ହେଉନି ଯେ।ପରୀକ୍ଷା ହଲରେ ବସି ମନେ ପକାଉ ଥାଏ ବାପାଙ୍କ ସଚେତନ ଭରା ବାଣୀ ଯେ କିଛି କ୍ଷଣ ଖୁସି ସାରା ଜୀବନ ଦୁଃଖ ନ ଦେଉ। ପରୀକ୍ଷା ସରିଗଲା। ହେଲେ ପ୍ରଫୁଲ୍ଲ ଥରେ ବି ପଚାରିଲେ ନାହିଁ ପରୀକ୍ଷା କେମିତି କରିଛୁ। ପରୀକ୍ଷା ସରିବା ପରେ ବି ପ୍ରଫୁଲ୍ଲ ଆଉ ବିପୁଳ ର ପଢା ବିଷୟରେ ବୁଝୁ ନ ଥିଲେ। ଶେଷରେ ବିପୁଳ ଦିନେ କାନ୍ଦି କାନ୍ଦି ଯାଇ ପ୍ରଫୁଲ୍ଲ ଙ୍କୁ ନିଜ ଭୂଲ ପାଇଁ କ୍ଷମା ମାଗିଲା। ଆଉ କହିଲା ବାପା କିଛି କ୍ଷଣ ଖୁସି ପାଇଁ ମୁଁ ଆଜି ଅନୁତାପ କରୁଛି। ସତରେ ପାଠ ପଢିବା ତା ପାହାଡ ଚଢିବା ପରି ସଂଘର୍ଷ ପୂର୍ଣ୍ଣ। ସବୁ ପଢି ମଧ୍ୟ ମୋତେ ପରୀକ୍ଷା ହଲରେ କିଛି ଆସୁ ନ ଥାଏ। ମୋତେ କ୍ଷମା କରି ଦିଅ।
ପ୍ରଫୁଲ୍ଲ : ଏବେ ବି ସମୟ ଅଛି ଧ୍ୟାନ ଦେଇ ପାଠ ପଢ।
କିଛି ଦିନ ପରେ ଟେଷ୍ଟ ପରୀକ୍ଷା ରେଜଲ୍ଟ ଆସିଲା। ୯୦% ନମ୍ବର ଦେଖି ବିପୁଳ ରାତି ଦିନ ଚେଷ୍ଟା କରି ପାଠ ପଢ଼ିଲା।
ଫାଇନାଲ ପରୀକ୍ଷା ଆରମ୍ଭ ହେଲା। ପରୀକ୍ଷା ଭଲ ହେଉ ଥାଏ। ତଥାପି ସେତେ ଆତ୍ମ ବିଶ୍ବାସ ର ସହ ବିପୁଳର ହେଉ ନ ଥିଲା ଗୋଟିଏ ଦୁଇ ମାର୍କ ନମ୍ବର ଭୂଲ ହୋଇ ଯାଉ ଥିଲା।
ଫାଇନାଲ ରେଜଲ୍ଟ ଆସିଲା। ବିପୁଳ ୯୭% ମାର୍କ ରଖି ସାରା ରାଜ୍ୟରେ ତୃତୀୟ ସ୍ଥାନରେ ରହିଲା। ସେ ଏବେ ଗୋଟିଏ କଥାରେ ଅନୁତାପ କରେ ଯେ ବାପାଙ୍କ କଥା ମାନି ସେଇ କିଛି କ୍ଷଣ ଖୁସି ନ ମାନି ପାଠ ପଢି ଥିଲେ ସେ ଆଜି ଟପ୍ପର ହୋଇ ଥାଆନ୍ତା। କିଛି କ୍ଷଣ ଖୁସି ତାକୁ ସାରା ଜୀବନ ଅନୁତାପ କରାଇବ। ଏବେ ବିପୁଳ ଦୃଢ ମନ ଦେଇ ୨ ରେ ଟପ୍ପର ହେବ ବୋଲି ପାଠ ପଢୁଛି।