ନୟନତାରା
ନୟନତାରା
ତାରା ସହରରୁ ଫେରିବା ପାଖରୁ ମୁହଁ ଶୁଖାଇ ରହୁଛି। ଘରେ ସମସ୍ତେ ପଚାରୁଛନ୍ତି କଣ ହେଇଛି ତୋର। କାହିଁକି ତୁ ଏମିତି ମୁହଁ ଶୁଖାଇ ରହୁଛୁ। ସେ କେବଳ ଏତିକି କୁହେ ଯେ କଲେଜର ସାଙ୍ଗମାନଙ୍କ କଥା ମନେ ପଡୁଛି। ଯଦି କଲେଜ ସାଙ୍ଗମାନଙ୍କ କଥା ମନେ ପଡୁଛି ତେବେ ଏମିତି ଅଧା ପଡ଼ାରୁ ଛାଡି ପଳେଇ ଆସିଲୁ କାଇଁ ବୋଲି କେହି ପଚାରି ଦେଲେ ସେ ଚିଡି ଉଠେ। ଆଉ କୁହେ ମୋତେ ସେଇଠି ରହିବା ପାଇଁ ଇଚ୍ଛା ହେଉ ନାହିଁ । ପରୀକ୍ଷା ସମୟରେ ଯିବା ଆସିବା କରି ପରୀକ୍ଷା ଦେବି। ମୋବାଇଲ ବି ସୁଇଚ ଅଫ ରଖୁଛି।
ଜେଜେମା ର ଗେହ୍ଲି ଏମିତି ମୁହଁ ଶୁଖାଇ ରହୁଛି ବୋଲି ଜେଜେମା ପ୍ରମିଳା ଦେବୀ ଚିନ୍ତିତ। ସେ ବାରମ୍ବାର ବୋହୂ କମଳା ଙ୍କୁ ପଚାରୁ ଥାଆନ୍ତି ତାରା କିଛି କହିଲା କି ? ହେଲେ ତାରା କଣ ପାଇଁ ଦୁଃଖୀ କାହାରିକୁ କିଛି ଜଣା ନାହିଁ।
ପ୍ରମିଳା ଦେବୀ ମନେ ମନେ ସ୍ଥିର କଲେ ସେ କିଛି ଦିନ ତାରା ସହ ରାତିରେ ଶୋଇବେ। ଦିନେ ରାତିରେ ପ୍ରମିଳା ଦେବୀ ଦେଖିଲେ ତାରା ବହି ଧରି କାନ୍ଦି କାନ୍ଦି ଶୋଇ ଯାଇଛି। ପ୍ରମିଳା ଦେବୀ ଯେତେବେଳେ ସେ ବହି ତାରା ହାତରୁ କାଢି ଆଣିଲେ ସେତେବେଳେ ଗୋଟିଏ ଫଟୋ ତଳେ ପଡ଼ିଲା। ଫଟୋ ଉଠେଇ ପ୍ରମିଳା ଦେବୀ ଦେଖିଲେ ଯେ ତାରା ଓ ଗୋଟିଏ ପୁଅ ହାତ ଧରାଧରି ହୋଇ ଛିଡା ହୋଇଛନ୍ତି। ପ୍ରମିଳା ଦେବୀ ଙ୍କ ଆଉ କିଛି ବୁଝିବାର ବାକି ନ ଥିଲା ଯେ ସେଇ ପୁଅ ପାଇଁ ତାଙ୍କ ଗେହ୍ଲି ନାତୁଣୀ ମୁହଁ ଶୁଖାଇ ରହୁଛି ଆଉ ଲୁଚି ଲୁଚି କାନ୍ଦୁଛି। ତାରାର ମୁଣ୍ଡ ପାଖରେ ସେ ବହିଟିକୁ ରଖି ଦେଇ ପ୍ରମିଳା ଦେବୀ ସେ ଫଟୋ କୁ ନେଇ ନିଜ ପାଖରେ ରଖିଲେ।
ସକାଳୁ ଉଠି ତାରା ନିତ୍ୟକର୍ମ ସାରି ଆସିଲା ପରେ ଯେତେବେଳେ ସେ ବହି ଖୋଲିଛି ଆଉ ଫୋଟୋ ପାଇଁ ନାହଁ । ବହୁତ ବ୍ୟସ୍ତ ହୋଇ ପଡ଼ି ତାରା ଖୋଜୁ ଥାଏ। କାରଣ କେହି ଦେଖିଲେ ଅସୁବିଧା ହେବ।ଜେଜେମା ପ୍ରମିଳା ଦେବୀ ପଚାରିଲେ କଣ କିଛି ଖୋଜୁଛୁ ? ତାରା କହିଲା ଗୋଟିଏ ପୁରୁଣା ପୃଷ୍ଠା। ଜେଜେମା ସେ ପୁରୁଣା ପୃଷ୍ଠାଟି ଏଇ ଫୋଟୋ ନୁହଁ ତ ?
ତାରା ଚମକି ପଡ଼ିଲା। ସେ ଫୋଟୋ କୁ ନେଇ ବହି ଭିତରେ ରଖି ଦେଇ ବାହାରକୁ ଚାଲି ଯାଉ ଥାଏ। ଜେଜେମା ପ୍ରମିଳା ଦେବୀ ତାରାର ହାତ ଧରି ଅଟକାଇଲେ ଏବଂ କବାଟ ବନ୍ଦ କରି ଦେଇ ପଚାରିଲେ କହ ରେ ମାଆ ଇଏ କିଏ? ତୁମେ ଦୁହେଁ କେତେ ସୁନ୍ଦର ଦେଖା ଯାଉଛ। ଫୋଟୋ ରୁ ଲାଗୁଛି ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଅ।
ତାରା ଟିକିଏ ଅଟକି ଯାଇ କହିଲା ନା.... ନାଇ ଜେଜେମା । ତୁମେ ଛାଡିଲ ସେ କଥା। ଆମେ ଦୁଇ ଜଣ ସାଙ୍ଗ।
ଜେଜେମା : ତୁମେ ଦୁହେଁ ସାଙ୍ଗ ଯଦି ସେ ଫୋଟୋ ରେ ମୋତେ ଦୁହିଁଙ୍କ ମଧ୍ୟରେ ଏତେ ପ୍ରେମ ଦେଖା ଯାଉଛି ଯେ। ଆଉ ଯଦି ସେ ତୋର ଖାଳି ସାଙ୍ଗ ତାହା ହେଲେ ତା ଫୋଟୋ ବହି ମଝିରେ ରଖି ଏତେ ରାତିରେ କାନ୍ଦି କାନ୍ଦି ଶୋଉଛୁ କାହିଁକି? ଆରେ ପାଗଳୀ ହୁଏ ତ ତୋ ଜେଜେମା ତୋ ପଢି ପାଠ ପଢି ନାହିଁ, ହେଲେ ଲୋକଙ୍କ ମନ ପଢି ପରି ତୋ ଜେଜେମା ର ବାଳ ଧଳା ହୋଇଛି। ତୁ ଆଖି ତଳକୁ କରି କଣ ପାଇଁ କହୁଛୁ। ମୋ ମୁଣ୍ଡରେ ହାତ ଦେଇ ମୋ ଆଖିରେ ଆଖି ମିଶାଇ ସତ କଣ କହ ?
ତାରା : ଜେଜେମା ଏ ହେଉଛନ୍ତି ନୟନ। ମୋର ତାଙ୍କ ସହ ଦେଖା ମୋ କଲେଜର ପ୍ରଥମ ଦିନରେ ହୋଇ ଥିଲା। ନୟନ ମୋ କ୍ଲାସରେ ପଢେ। ସେ ପ୍ରଥମ ଦିନ ଉପର ଶ୍ରେଣୀର ପିଲାମାନଙ୍କ ସହ ମିଶି ମୋର ରେଗିଂ କରି ଥିଲା। ମୋତେ ଜଣା ନ ଥିଲା ସେ ଆମ ଶ୍ରେଣୀ ର ବୋଲି। ମୁଁ ବହୁତ ଡରି ଯାଇଥିଲି । ଆଉ ତାକୁ ଡରି ସାର ସାର ଡାକୁ ଥିଲି। ନୟନ କିଛି ଦିନ ଧରି କ୍ଲାସ କରୁ ନ ଥାଏ । ସିନିଅର ମାନଙ୍କ ସହ ଘୁରି ବୁଲୁ ଥାଏ। ଝିଅମାନଙ୍କୁ କମେଣ୍ଟ ଆଉ ହଇରାଣ କରୁ ଥାଏ। ଧନୀ ବାପାର ପୁଅ। ବଦମାସୀ କରି ମଜା ନେଉ ଥାଏ । କଲେଜର ସବୁଠାରୁ ହେଣ୍ଡସମ ପିଲା । ତା ପଛରେ ବହୁତ ଝିଅ। ମୋତେ ସେ ଜମା ଭଲ ଲାଗୁ ନ ଥାଏ। କିଛି ଦିନ ପରେ ଯାଇ ସେ କ୍ଲାସ କଲା। ଦିନେ ମୁଁ କଲେଜରେ କ୍ଲାସ ସାରି ଆସିବା ସମୟରେ ହଠାତ୍ ସେ ଆସି ମୋତେ ପଛ ପଟୁ ଜାକି ଧରିଲା। ମୁଁ ଘୁରି ତାକୁ ପିଟିବା ପାଇଁ ଚାହୁଁ ଥାଏ ହେଲେ ସେ ହାତ ଦୁଇଟିକୁ ଜାକି ଧରି ମୋତେ ଟାଣି ଟାଣି ବାଥରୁମ ଆଡ଼କୁ ନେଇ ଯାଉ ଥାଏ। ଆଉ ମୋ ପାଟିରେ ହାତ ଦେଇ ଥାଏ। ମୁଁ ଚିଳାଇ ପାରୁ ନ ଥାଏ। ସେ କି ମୁଁ ଦୁହେଁ ଦୁହିଁଙ୍କ ନାମ ସୁଧା ଜାଣି ନ ଥାଉ। ସେ ବାଥରୁମ୍ ପାଖକୁ ଯାଇ ତା ସାର୍ଟ ଖୋଲିଲା। ଗୋଟିଏ ହାତରେ ମୋତେ ମୁହଁ କୁ ଜାକି ମୋତେ କାନ୍ଥରେ ଜାକି ଥାଏ। ମୁଁ ତ ପୁରା ଡରି ଗଲି ଆଉ ଆଖି ବନ୍ଦ କରି ଦେଲି। ତାପରେ ସେ ତା ସାର୍ଟ କୁ ଆଣି ମୋତେ ଦେଲା ଆଉ କହିଲା ପିନ୍ଧି ଯିବା ପାଇଁ। ମୁଁ କିଛି କହିବା ଆଗରୁ ସେ ସେମିତି ସେଠାରୁ ଚାଲି ଗଲା। ତାପରେ ଯାଇ ମୁଁ ଜାଣିଲି ଯେ ମୋର ଡ୍ରେସ୍ ର ପଛ ଚେନ ଖସି ଯାଇଛି । ଟିକେ ଖାଲି ଲାଗିଛି। ଯେକୌଣସି ସମୟ ପୁରା ଖୋଲି ଯାଇ ଥାଆନ୍ତା ଆଉ ମୋର କଣ ଯେ ହୋଇଥାନ୍ତା। ମୁଁ ମନେ ମନେ ତାକୁ ଧନ୍ୟବାଦ କଲି।
ତାପର ଦିନ ମୁଁ ତରତର ହୋଇ କଲେଜ ଗଲି। ନୟନର ସାର୍ଟ ନେବା ପାଇଁ ଭୁଲି ଗଲି। ସେ ଆସି କହିଲା ଆଉ ମୋ ସାର୍ଟ ଟା ରଖିବ ନା କ'ଣ ?
ମୁଁ ହସି କହିଲି ନା ଆଜି ଭୁଲି ଗଲି। କାଲି ଧୋଇ ଆଣି ଦେବି। ଆମର ସେଦିନ ରାତିରେ କ୍ୟାମ୍ପ ଯିବାର ହେଲା। ମୁଁ ତା'ର ସାର୍ଟ ନେଇ ଯାଇ ଥିଲି। ହେଲେ ତାକୁ ଦେଇ ନ ଥାଏ। ସକାଳୁ ସମସ୍ତେ ମନ୍ଦିର ଗଲେ । ମନ୍ଦିର ରେ ତାର ଦୁଃଖୀ ଦରିଦ୍ର ଙ୍କ ପ୍ରତି ଦୟା ଦେଖି ମୋ ମନରେ ତା ପାଇଁ ଏକ ନୂଆ ଭାବନା ଆସି ଯାଇ ଥାଏ। ହେଲେ ସେ ଯେ ଏତେ ଧନୀ ଘରର ପୁଅ। ମୋତେ କଣ ସେ ଭଲ ପାଇବ ବୋଲି ମୁଁ ଭାବୁ ଥାଏ।
ହେଲେ କିଛି ଦିନ ପରେ ସେ ମୋତେ ଭଲ ପାଏ ବୋଲି କହିଲା। କଲେଜରେ ସବୁ ସାଙ୍ଗ ଜାଣି ସାରିଛନ୍ତି ଆମ ପ୍ରେମ ବିଷୟରେ। ସବୁ ଆମକୁ ନୟନ-ତାରା ଡାକନ୍ତି। ପାଞ୍ଚ ବର୍ଷ ହେଲାଣି ଆମେ ପରସ୍ପରକୁ ଭଲ ପାଉଛୁ। ଆଉ ମୁଁ ଜାଣେ ସେ ମୋତେ ତା ଜୀବନ ଠାରୁ ବି ଅଧିକ ଭଲ ପାଏ। ସେ ତ
ା ଘରକୁ ବି ନେଇ ତା ମାଆ ବାପା ସହ ଦେଖା କରେଇଛି। ସମସ୍ତେ ମୋତେ ଭଲ ପାଆନ୍ତି।
ଜେଜେମା ପ୍ରମିଳା ଦେବୀ : ତାହେଲେ ତୁ କାନ୍ଦୁଛୁ କଣ ପାଇଁ? ବାକି ରହିଲା ଆମ ଘର କଥା ତ ମୁଁ ସମସ୍ତଙ୍କୁ ବୁଝାଇ ଦେବି ।
ତାରା : ମୁଁ ଜାଣି ସାରିଛି ଆମ ଘର ଏ ବାହାଘର ପାଇଁ ରାଜି ହେବେ ନାହିଁ। କିଛି ଦିନ ତଳେ ମୁଁ ତା ଘରକୁ ଯାଇ ଥିଲି। ଆଉ ସେଇ ସମୟରେ ତା ମାମୁଁ ତାଙ୍କ ଘରରେ ପହଞ୍ଚିଲେ। ଆଉ ଜାଣ ଜେଜେମା ତା ମାମୁଁ ଆଉ କେହି ନୁହେଁ, ସେ ହେଉଛନ୍ତି ଦେବପ୍ରସାଦ ଦାସ।
ଜେଜେମା ପ୍ରମିଳା ଦେବୀ : କଣ କହିଲୁ ଦେବ ପ୍ରକାଶ ଦାସର ଭଣଜା କୁ ତୁ ଭଲ ପାଉଛୁ । ମାନେ ତୁ ମାଳିନୀର ପୁଅ କୁ ଭଲ ପାଉଛୁ। କଣ ପାଇଁ ମାଆ ତୁ ପୁରୁଣା ବହିର ପୁରୁଣା ପୃଷ୍ଠା କୁ ଖୋଳୁଛୁ। ସେଦିନ କଥା ମୋର ମନେ ଅଛି ତୋ ବାପା ସତ୍ୟମ ବାହାଘର ବେଦୀରେ ବର ବେଶରେ ବସିଛି। ତାର ସେଇ ମାଳିନୀ ସହ ବିବାହ ହେବାର ଥିଲା। ଶୁଣିବା ପାଇଁ ମିଳିଲା ମାଳିନୀ ଘର ଛାଡ଼ି ଚାଲି ଯାଇଛି। ତୋ ଜେଜେ ଆଉ କାକା ଏବଂ ମାଳିନୀ ର ଘର ଲୋକ ଖୋଜୁ ଥାଆନ୍ତି। ସେ ତ ମିଳିଲା ନାହିଁ। ହେଲେ ତୋ ଜେଜେ ଙ୍କୁ ଆମେ ଜମିରେ କାଦୁଅ ରେ ପଡ଼ିବାର ପାଇଲୁ। ତାଙ୍କ ହାତରେ ଗୋଟିଏ ଚିଠି ଥିଲା ଯେଉଁଥିରେ ମାଳିନୀ ସତ୍ୟମ ପାଇଁ ଲେଖି ଥିଲା ଯେ ସେ ସହରର ଗୋଟିଏ ପୁଅକୁ ଭଲ ପାଏ। ହେଲେ ତା ଭାଇ ମାନେ ତାର ଜବରଦସ୍ତି ବିବାହ କରୁଛନ୍ତି। ସେଇଠି ପାଇଁ ସେ ଘରୁ ଲୁଚି ପଳାଉଛି। ତୋ ଜେଜେ ଙ୍କ ମୁଣ୍ଡରେ ମାଡ଼ ବାଜି ଥିଲା। ବୋଧେ ମାଳିନୀ ଠେଲି ଚାଲି ଗଲା । ତୋ ଜେଜେଙ୍କ ଚେତା ଯିବା ଆଗରୁ ତାଙ୍କ ବନ୍ଧୁ ଙ୍କ ଝିଅ କମଳା ର ହାତ ସହ ତୋ ବାପାଙ୍କ ହାତ ମିଶାଇ ଦେଲେ। ତାଙ୍କୁ ପାରାଲିସିସ୍ ହୋଇ ଗଲା। ଆଉ ତୋ ଜେଜେ ଙ୍କ ଇଚ୍ଛା ଭାବି ମୁଁ କମଳା ସହ ସତ୍ୟମର ବାହାଘର କଲି। କିଛି ମାସ ଲାଗିଲା ସତ୍ୟମ କୁ ଏ ସବୁ ଭୁଲି ଆଗକୁ ବଢ଼ିବାରେ। ତୋ ମାଆ ଛଡ଼ା ଆଉ କେହି ଝିଅ ହୋଇ ଥିଲେ ଏ ପରିସ୍ଥିତିରେ ଘର କରି ପାରି ନ ଥାଆନ୍ତା। ତୁ ସିନା ଜନ୍ମ ହେଲୁ। ତ ବାପାକୁ କିନ୍ତୁ ତୋ ଜନ୍ମ ହେବା ପର ପର୍ଯ୍ୟନ୍ତ ଏ ସବୁ ଭୁଲିବା କଷ୍ଟ ଥିଲା। ସେ ବାହାଘର ଭାଙ୍ଗିବା ସହ ତୋ ଜେଜେଙ୍କ ଏପରି ଅବସ୍ଥା ପାଇଁ ଆମର ସେ ଦାସ ପରିବାର ସହ ଶତ୍ରୁତା ଚାଲିଛି।
ତାରା : ହଁ ଶତ୍ରୁତା ଚାଲିଛି ମୁଁ ଜାଣି ଥିଲି। ହେଲେ କାରଣ ମୁଁ ସେଦିନ ଦେବପ୍ରସାଦ ଓ ତା ମାଆଙ୍କ କଥାରୁ ଜାଣିଲି। ଆଉ ଏଇଟା ବି ମୁଁ ଭିତରେ ରହି ଶୁଣିଲି ଯେ ତା ମାଆ ଭାଇ ଡରରେ ବାହା ହେବା ପାଇଁ ରାଜି ହୋଇ ଯାଇ ଥିଲେ। ହେଲେ ବାହାଘର ଦିନ ସକାଳୁ ସେ ଜାଣିଲେ ଯେ ସେ ଗର୍ଭବତୀ ଅଛନ୍ତି। ତେଣୁ ଲୁଚି ଚାଲି ଗଲେ।
ଜେଜେମା ପ୍ରମିଳା ଦେବୀ : ହେ ଭଗବାନ। ଯାହା ହେଉ ଆମେ ବଞ୍ଚିଗଲୁ।
ତାରା : ହଁ ଜେଜେମା। ସେ ଦୁଇ ପରିବାର ସେଦିନ ମିଶି ଗଲେ। ହେଲେ ନୟନ ଆଉ ତାରା ଆମ ମଧ୍ୟରେ ପାଚେରୀ ସୃଷ୍ଟି ହେଲା। ମୁଁ ସେଠାରୁ ଆସିଲା ପରେ ନୟନକୁ କିଛି ନ କହି ଗାଁ କୁ ଚାଲି ଆସିଛି। ସତ କହୁଛି ଜେଜେମା ମୁଁ ଜାଣି ନ ଥିଲି ନୟନ ଦେବପ୍ରସାଦ ଦାସଙ୍କ ଭଣଜା ବୋଲି।
ଜେଜେମା ପ୍ରମିଳା ଦେବୀ : ହଁ ରେ ଭଲ କଲୁ। ଅତୀତର ପୁରୁଣା ପୃଷ୍ଠା ଯେମିତି ତୋ ବାପା ଓ ମାଆଙ୍କ ସାମ୍ନାକୁ ନ ଆସେ।
ତାରା : ହଁ ଜେଜେମା।
ଏତିକି ବେଳେ ଗୋଟିଏ ବଡ଼ ଗାଡ଼ି ଆସି ଘର ସାମ୍ନାରେ ଅଟକିଲା। କମଳା ଆସି କହିଲେ ମାଆ ଦେବପ୍ରସାଦ ବାବୁ ଆଉ ସେ ମାଳିନୀ ଆସିଛନ୍ତି। ସେମାନଙ୍କ ସହ ମାଳିନୀ ଙ୍କ ସ୍ବାମୀ ଓ ଗୋଟିଏ ପୁଅ ବି ଅଛି। ବୋଧେ ମାଳିନୀ ର ପୁଅ। ଆଉ ସେମାନେ ବାପାଙ୍କୁ ପ୍ରଣାମ କଲେ।
ଜେଜେମା ପ୍ରମିଳା ଦେବୀ ରାଗରେ କ୍ରୋଧିତ ହୋଇ ଗଲେ। ପଛେ ପଛେ ତାରା ବି ଗଲା।
ସତ୍ୟମ ମାଳିନୀ ଙ୍କୁ କହୁଛନ୍ତି ତୁମେମାନେ କଣ ପାଇଁ ଆସିଛ।
ଦେବପ୍ରସାଦ : ସତ୍ୟମ ମୋତେ କ୍ଷମା କରି ଦେ ।ଏ ସବୁ ମୋ ଜିଦ୍ ପାଇଁ ହେଲା।
ଦେବପ୍ରସାଦ ସବୁ କହିଲେ।ଆଉ ସେ କହିଲେ ମୋତେ ଲାଗିଲା ନାରାୟଣ ମଉସା ( ସତ୍ୟମ ଙ୍କ ବାପା ) ମାଳିନୀ କୁ ପଳାଇବାରେ ସାହଯ୍ୟ କରିଛନ୍ତି। ସେଥିପାଇଁ ମୁଁ ଏମିତି ତୁମ ପରିବାର ଉପରେ ରାଗି ଥିଲି।
ସତ୍ୟମ : ମିଛ । ସେ ଦିନ ମାଳିନୀ ମୋ ବାପାଙ୍କୁ ନ ଠେଲି ଥିଲେ ସେ ଏମିତି ହୋଇ ନ ଥାଆନ୍ତେ।
ଏତିକି ବେଳେ ପଛ ପଟରୁ ଥର ଥର ସ୍ୱରରେ ମା....ଳି....ନୀ ଶୁଣି ଦେଖିଲା ବେଳକୁ ନାରାୟଣ ହାତ ଠାରି ଡାକୁଛନ୍ତି। ଏତେ ବର୍ଷ ପରେ ବାପା ମୁହଁ ରୁ କଥା ଶୁଣି ସବୁ ଆଶ୍ଚର୍ଯ୍ୟ।
ନାରାୟଣ ଠିକ ହୋଇ ଗଲେ। ନାରାୟଣ କହିଲେ ସେ ସତ୍ୟମ ନାଁରେ ମାଳିନୀ ର ଚିଠି ପାଇଲେ ଏବଂ ତାଙ୍କ ପାଖକୁ ଯାଇ ସବୁ ଜାଣି ନିଜେ ମାଳିନୀ କୁ ନେଇ ସେ ଭଲ ପାଉଥିବା ପୁଅ ପାଖରେ ଛାଡି ଆସୁ ଥିଲେ। କାରଣ ଯିଏ ହୃଦୟରୁ ଆଉ ତନୁରୁ ଆଉ କାହାର ହୋଇ ସାରିଛି ସେ କଣ ତାଙ୍କ ପୁଅ କୁ ଖୁସି ରେ ରଖି ପାରିବ। ଆଉ ଦେବପ୍ରସାଦ ଯେତିକି ରାଗି ସେ ଏହା କରିବା ପାଇଁ ଦେଇ ନ ଥାନ୍ତେ।ଆଉ ସେ କମଳା ସହ ସତ୍ୟମ ର ବିବାହ କରିବେ ବୋଲି ସ୍ଥିର କଲେ।ସେଇ ସମୟରେ ତାଙ୍କ ଗୋଡ଼ ଖସି ଗଲା ଏବଂ ସେ ପଡ଼ି ଗଲେ ଆଉ ଏ ସବୁ ହେଲା।
ମାଳିନୀ ନିଜ ପୁଅ ନୟନ ଓ ସତ୍ୟମଙ୍କ ଝିଅ ତାରା ର ହାତ ଧରି ଦୁହିଁଙ୍କ ପ୍ରେମ କାହାଣୀ କହିଲେ ଏବଂ ନାରାୟଣ ଙ୍କର ଏ ବିବାହ ପାଇଁ ଅନୁମତି ମାଗିଲେ।
ନାରାୟଣ ନୟନ ଓ ତାରା ର ହାତ କୁ ନେଇ ମିଶାଇ ଦେଇ କହିଲେ ମୁଁ ମାଆ ବାପା କୁ ଏକ କରି ନ ପାରିଲେ କ'ଣ ହେଲା ତାଙ୍କ ପୁଅ ଝିଅ ଙ୍କର ତ ବିବାହ କରି ପାରିବି। ଆମ ନୟନତାରା ବାହାଘର ଧୁମଧାମରେ ହେବ। ଗୋଟିଏ ବାହାଘର ଏ ଦୁଇ ପରିବାର ଭାଙ୍ଗି ଥିଲା। କିନ୍ତୁ ନୟନତାରା ଙ୍କ ବାହାଘର ଅତୀତର ପୁରୁଣା ପୃଷ୍ଠାକୁ ସାମ୍ନା କୁ ଆଣି ଆମ ଦୁଇ ପରିବାରକୁ ମିଶାଇ ଦେଲା ।