STORYMIRROR

Bhagyashree Nanda

Drama

4  

Bhagyashree Nanda

Drama

ଝାଲମୁଢି

ଝାଲମୁଢି

5 mins
343


         ସଞ୍ଜ ନଇଁ ଆସୁଥାଏ । ଦୂର ଦିଗବଳୟ ରେ ସୁରୁଜ ନାଲି ରଙ୍ଗ ରେ ରଙ୍ଗେଇ ହେଉଥାଏ । ପକ୍ଷୀ ମାନେ ନୀଡ଼ କୁ ଫେରୁଥାନ୍ତି । ଛୋଟ ଛୁଆ ମାନେ ଖେଳିବା ରେ ବ୍ୟସ୍ତ ଥାନ୍ତି । ତାରି ଭିତରେ ଦାମ ବୁଢା ,ତାର ମୁଣା ଆଉ ଠେଲା କୁ ପ୍ରସ୍ତୁତ କରୁଥାଏ ଘରକୁ ନେଇ ଫେରିବାକୁ । ଆଉ ବାବୁ ର ଗୀତ ସେତେବେଳକୁ ଆରମ୍ଭ ହେଇଗଲାଣି ନିତିଦିନ ପରି,


" ସବୁଦିନ ନାହିଁ ଚାନ୍ଦିନୀ ରାତି,

ସବୁଦିନ ନାହିଁ ଭାବ ପୀରତି,

ସବୁ ପାନ ନୁହେଁ ବିଡିଆ ସାଧା 

ସବୁ ଝିଅ ନୁହେଁ ସୁନ୍ଦରୀ ରାଧା ।।"


       ସବୁଦିନ ପରି ସେଦିନ ବି ଦାମ ବୁଢା ଗୋଟେ ଠେଲା ଗାଡି ରେ କିଛି ସିଝା ବୁଟ , ମଟର , ଭଜା ବାଦାମ , କିଛି ଚେନାଚୁର ଆଉ ପାଉଁରୁଟି ଆଣିକି ଆସିଥିଲା ବିକ୍ରି କରିବାକୁ । ବୁଢା ସବୁଦିନ ସବୁ ଗଳି ରୁ ଗଳି ବୁଲି ତା ଠେଲା ରେ ବିକ୍ରି କରେ ଆଉ ସନ୍ଧ୍ୟା ବେଳେ ଆମ ଗଳି କୁ ଆସେ । ଆମ ଗଳି ତାର ଶେଷ ବିକ୍ରି ସ୍ଥଳ । କାରଣ ସେଇ ପାଖରେ ଅଳ୍ପ ଦୂର ରେ ବୁଢା ଘର । ଛୁଆ ମାନଙ୍କର ଦାମ ବୁଢା ହେଲା ଅତି ପ୍ରିୟର ଜେଜେ । ସେ ଆମ ଗଳି ରେ ପଂହଁଚିଲେ ସବୁ ଛୁଆ ରୁଣ୍ଡ ହେଇ ଯାଆନ୍ତି ତା' ଠେଲା ଚାରିପାଖେ । ବୁଢା ବି ଛୁଆ ମାନଙ୍କୁ ନିଜ ନାତି ନାତୁଣୀ ଭଳି ସ୍ନେହ କରେ । କିଏ ଯଦି ଟିକେ ଅଧିକ ମାଗିଦିଏ କେବେ ବି ମନା କରେନି ବରଂ ବୁଢା ଅତି ସ୍ନେହ ରେ ତାକୁ ବେଶୀକରି ଟିକେ ଦେଇ ଦିଏ ,ଆଉ ସେଥିପାଇଁ ପଇସା ବି ନିଏନି । ବୁଢା ର "ଚେନାଚୁର ଝାଲମୁଢ଼ୀ" ପିଲା ଠୁ ବୁଢା ସଭିଙ୍କର ଅତି ପ୍ରିୟ । 


ଛୁଆମାନଙ୍କ ର ଭିଡ଼ କମିଲା ପରେ ବଡ଼ ମାନଙ୍କର ବରାଦ ରେ ବୁଢା "ଝାଲମୁଢି" ବନେଇଦିଏ ଆଉ ଜଣ ଜଣଙ୍କୁ ନେଇ ଧରେଇ ଦେଇ ଆସେ । କିଏ ତାକୁ ମାଗୁ କି ନ ମାଗୁ ସେ କିନ୍ତୁ ନେଇ ଦେଇ ଆସେ । ଆଉ ରହିଲା ପଇସା କଥା, ଘର ଲୋକ ମାନେ ହିସାବ କରି ଦେଇଯାଆନ୍ତି ବୁଢା କୁ ପଇସା ସବୁ । ଛୁଆ ମାନେ ଯିଏ ଯାହା ନିଅନ୍ତି ତାର ହିସାବ ବୁଢା ପାଖରେ ନଥାଏ । କେବେ କାହାର ହିସାବ ରେ ଭୁଲ ହେଲେ ସେମାନେ ବୁଢା କୁ କୁହନ୍ତି ମାଉସା କାଇଁକି ତୁମେ ଖାତା ଟିଏ କରି ଲେଖୁନ ? ବୁଢା ଖାଲି ହସିଦିଏ ଆଉ କୁହେ , "ମୁଁ ଏଠିକି ବେପାର ପାଇଁ ଆସେନି, ଯେତିକି ରେ ମୁଁ ନିଜେ ଖାଇ,ପି' ବଞ୍ଚିଯିବି ସେତିକି ତ ମୋତେ ମିଳିଯାଉଛି । ଆଉ ଏଠି ଯୋଉ ସ୍ନେହ ଓ ଆତ୍ମୀୟତା ଟିକକ ପାଇଁ ମୁଁ ଆସେ ସେ ସବୁ ମୁଁ ପାଉଛି । ହିସାବ ରେ ଭୁଲ ଠିକ ହଉ ଚଳିବ । ଲାଭ କ୍ଷତି ବେପାର ରେ ଦେଖାଯାଏ ,ମୁଁ ସମ୍ପର୍କ ର ଡୋରିରେ ଏଠି ବନ୍ଧା ।"


    ଦାମ ବୁଢା କୁ ବୟସ ପ୍ରାୟ ଅଶୀ ପାଖା ପାଖି ହବ । ବୁଢା ତା ଜୀବନ କାହାଣୀ କୁହେ କେବେ କେବେ । ବୁଢା ବିବାହ କରି ନଥିଲା । ଛୋଟ ରୁ ପରିବାର ପ୍ରତି ଦ୍ବାୟୀତ୍ବ ଓ କର୍ତ୍ତବ୍ୟ କରୁ କରୁ ନିଜ ଜୀବନ ରେ ଏକା ରହି ଯାଇଥିଲା । ତା ସାନ ଭାଇ ଭଉଣୀ ଙ୍କୁ ମଣିଷ କରିବା ର ବ୍ୟସ୍ତତା ଭିତରେ ନିଜ ପ୍ରତି ଏକ କଠୋର ନିଷ୍ପତି ନେଇଥିଲା ଦାମ ବୁଢା । ସମସ୍ତଙ୍କୁ ମଣିଷ କରିଥିଲା । ସମସ୍ତେ ନିଜ ଗୋଡ଼ ରେ ଛିଡା ହେଇଗଲା ପରେ ବୁଢା କୁ ଏକା ଛାଡିଗଲେ । ବୁଢା ବି କାହା ଉପରେ ବୋଝ ନ ହେଇ ଏକା ନିଜ ଜୀବନ ଅତିବାହିତ କରି ଚାଲିଲା । ବୁଢା ଭାରି ଦୟାଳୁ , ମଣିଷ ପରି ମଣିଷ ଟିଏ ସେ । 


           ଦିନେ ଠେଲା ନେଇ ବୁଲୁଥାଏ । ଦିନସାରା ପ୍ରବଳ ଖରା ହେଉଥାଏ । ସେଦିନ ବୁଢା ସନ୍ଧ୍ୟା ରେ ବିକ୍ରି ସାରି ଜଲ୍ଦି ଘରକୁ ଫେରିଯିବ ଭାବିଥାଏ । ପାଖରେ ଯାତ୍ରା ହଉଥାଏ ବୁଢା ଭାବିଥାଏ ସେଠିକି ଯିବ ତା ଠେଲା ନେଇ । ଛୁଆ ସବୁ ରୁଣ୍ତ ହେଇଥାନ୍ତି କିଏ ସିଝା ବୁଟ ମାଗୁଥାଏ ତ, କିଏ ପୁଣି ଭଜା ବାଦାମ ଆଉ ଛୋଟ ଝିଅ ରାନୀ ମାଗୁଥାଏ , "ବୁଢା ଜେଜେ,ଦି' ଟା ଦିଅ ଚେନାଚୁର ଝାଲ ମୁଢ଼ୀ ।" ଏମିତି ବୁଢା ସବୁଦିନ ପରି କାହାକୁ ଟିକେ ଅଧିକା ବୁଟ ତ କାହାକୁ ଟିକେ ଅଧିକ ବାଦାମ ଆଉ କାହାକୁ ପାଉଁରୁଟି ଦେଉଥାଏ । ସେତିକି ବେଳେ  ଭିଡ଼ ଠୁ ଦୂର ରେ ଗୋଟେ ଗଛ ମୂଳେ ଛୋଟିଆ ପୁଅ ଟି ବସି ଚାହିଁଥାଏ । ଗୋଟେ ଛିଣ୍ଡା ପାଣ୍ଟ ସାଙ୍ଗ କୁ ଦେହ ଫୁଙ୍ଗୁଳା, ମୁଣ୍ଡ ନୁଖୁରା , କ୍ଷୀଣ ସ୍ବାସ୍ଥ୍ୟ ହେଲେ ଆଖି ଯୋଡିକ ତା'ର ଚମକୁ ଥାଏ । ଅପଲକ ନୟନରେ ଚାହିଁ ରହିଥାଏ ଦାମ ବୁଢା ଆଡେ , ଦେଖୁଥାଏ ତା ଠେଲାକୁ ଆଉ ଅତି କ୍ଷୀଣ ସ୍ୱର ରେ ମୁଁହ ଫୁଲାଇ କହିଚାଲିଥାଏ "ମୁଁ ଖାଇବିନି , ମୋତେ ଦଉନି ,ବା' ସମସ୍ତଙ୍କୁ ଦଉଚି , ମୁଁ ଖାଇବିନି , ମୁଁ ମାଗିବିନି , ସମସ୍ତଙ୍କୁ ବାଣ୍ଟୁଛି ହେଲେ ମୋତେ ଦଉନି , ମୋତେ ନଦେଲେ ମୁଁ ଖାଇବିନି ..." ଦାମ ବୁଢା ନଜର ପଡିଗଲା ସେ ପିଲା ଉପରେ ଆଉ ତାକୁ ପାଖକୁ ଡାକିଲା । ପିଲା ଟି ନ ଆସି ଗଛ ପଛପଟେ ଲୁଚିଗଲା । ବୁଢା ତା ପାଖକୁ ଯାଇ ତା ହାତ ଧରି ନେଇ ଆସି ପଚାରିଲା , "ଆରେ ପୁଅ , ତୋ ଘର କୋଉଠି ?" ସେ ଉତ୍ତର ନ ଦେଇ ଚୁପ ରହିଲା , ପୁଣି ବୁଢା ପଚାରିଲା "ତୋ ନାଁ କଣ?" ସେ ତରବର ହେଇ କହିଦେଲା ସମସ୍ତେ "ଏ ଟୋକା " ବୋଲି ଡାକନ୍ତି ମୋତେ । ବୁଢା ଟିକେ ଚୁପ ହେଇ କହିଲା "ହଉ, ଚାଲ ମୋ ସାଙ୍ଗେ କଣ ଖାଇବୁ କହିବୁ, ତୋତେ ତୋ ପସନ୍ଦ ର ଦେବି "। ବୁଢା ହାତ ଧରି ସେ ପିଲାଟି ଚାଲିଲା ତାର ବୟସ ପ୍ରାୟ ୮ କି ୯ ହବ । ତାକୁ ବୁଢା ଗୋଟେ "ଚେନାଚୁର ଝାଲମୁଢି" ବଢ଼େଇଦେଲା । ପିଲାଟି ଅତି ଖୁସୀ ରେ ଖାଇଲା ଆଉ ସେଇଠି ଛିଡା ହେଇ ରହିଲା । ବୁଢା ଘରକୁ ଫେରିବା ବେଳକୁ ସେ ପିଲା ବି ବୁଢା ପଛେ ପଛେ ଚାଲିଲା । ବୁଝୁ ବୁଝୁ ବୁଢା ଜାଣିଲା ପିଲାଟିର ଏ ଦୁନିଆରେ କେହି ନାହିଁ ବୋଲି । ବୁଢା ସେଇ ଦିନ ପର ଠୁ ତାକୁ ନେଇ ନିଜ ପାଖେ ରଖିଲା । ସେ ଅତି ସ୍ନେହ ରେ ତାକୁ "ବାବୁ" ବୋଲି ଡାକେ ଆଉ ପିଲାଟି ବୁଢାକୁ "ଵା" ବୋଲି ଡାକେ । ସମସ୍ତଙ୍କ ର ଅତି ପ୍ରିୟ ଦାମ ବୁଢା ଆଉ ଏକା ନଥିଲା । ତାକୁ କିଏ ବା' ବୋଲି ଡାକୁଥିଲା । ଆଉ ସେ ଅସହାୟ ଛୁଆ ଟି ର ନାଁ "ଏ ଟୋକା" ପରିବର୍ତ୍ତେ "ବାବୁ " ହେଇ ଯାଇଥିଲା । 


        ବୁଢା ଅତି ଯତ୍ନ ରେ ବାବୁ କୁ ପାଳୁଥାଏ । ୟା ଭିତରେ କିଛି ବର୍ଷ ବିତି ଗଲାଣି । ବାବୁ ଟିକେ ବଡ଼ ହେଇ ଗଲାଣି ଆଉ ସ୍କୁଲ ରେ ଯାଇ ପାଠ ମଧ୍ୟ୍ୟ ପଢୁଛି । ବୁଢା ର ସେ ,ଆଉ ତାର ବୁଢା , ଦୁହେଁ ଦୁହିଁ ଙ୍କର ସାହା ଭରସା । ଦୁହିଁଙ୍କ ଭିତରେ ଭାରି ନିବିଡ଼ ସମ୍ପର୍କ । ଘଡ଼ିଏ ବି କେହି କାହାଠୁ ଦୁରକୁ ଯାଆନ୍ତିନି । ଈଶ୍ୱର ଙ୍କ ଦୟା ରୁ ବାପା ,ମା ଓ ଘର ଛେଉଣ୍ଡ ପିଲା ଟାକୁ ଏତେ ସ୍ନେହ ଆଉ ଦାମ ବୁଢା ଭଳି ବାପ ଟିଏ ମିଳିଯାଇଥିଲା ଓ ଦାମ ବୁଢା କୁ ବାବୁ ଭିତରେ ତା ଦୁନିଆ ମିଳିଯାଇଥିଲା ।

 

       ସବୁଦିନ ସନ୍ଧ୍ୟାରେ ,ଆମ ଗଳିକୁ ବୁଢା ଆସିବା ଆଗରୁ ବାବୁ ସ୍କୁଲ ରୁ ଫେରିଆସି ବୁଢା ର ବାଟ ଚାହିଁ ବସିରହେ । ହାତରେ ପାଣି ଭରିବା ପାଇଁ ଦୁଇ ଟି ପୁରୁଣା ଟିଣ ପାତ୍ର । ବୁଢା ଆସିଲେ ସେ ଝାଲମୁଢି ଗୋଟେ ଖାଇକି,ବୁଢା ର ବେପାର ରେ ତାକୁ ସାହାଯ୍ୟ କରେ । ତାପରେ ବୁଢା କିଛି ସମୟ ବସିରହେ ଆଉ ,ଗଳି ର ଅନ୍ୟ ପିଲା ମାନ ଙ୍କ ସହ ,ବାବୁ ଟିକେ ଖେଳା ବୁଲା କରେ । ଗଲା ବେଳକୁ ବାବୁ ସବୁଦିନ ତା ବା' ଶିଖାଇଥିବା ଅତି ପ୍ରିୟ ଗୀତ ଟିକୁ ବୋଲି ବୋଲି ବୁଢା ର ଆଗ ପଛେ ଡେଇଁ ଡେଇଁ ଚାଲେ । ଦି ଜଣ ସାଥୀ ହୋଇ ପାଣି ଭରି ଚାଲିଥାନ୍ତି ଘର ଅଭିମୁଖେ । 

ଆଉ ବାବୁ ବୋଲିଚାଲେ ,

" ସବୁଦିନ ନାହିଁ ଚାନ୍ଦିନୀ ରାତି 

ସବୁଦିନ ନାହିଁ ଭାବ ପୀରତି,

ସବୁ ପାନ ନୁହେଁ ବିଡିଆ ସାଧା 

ସବୁ ଝିଅ ନୁହେଁ ସୁନ୍ଦରୀ ରାଧା ।।"


       ଆସ୍ତେ ଆସ୍ତେ ଦୁରକୁ ଦୁରକୁ ଦୁହେଁ ଚାଲିଥାନ୍ତି । ଗୀତ ସ୍ୱର ବି କ୍ଷୀଣ ହେଇ ହେଇ ଚାଲିଥାଏ । ଆଉ ପଶ୍ଚିମ ଆକାଶରେ ସୁରୁଜ ବି ଲାଲ ରଙ୍ଗ ରେ ରଙ୍ଗୀନ ହେଇ ଧୀରେ ଧୀରେ ଅସ୍ତ ହେଇଯାଉଥାନ୍ତି । ଦାମ ବୁଢା ର ମହାନତା କିନ୍ତୁ ବହୁ ଦୂର ଯାଏଁ ବି ସେମିତି ଚମକୁ ଥାଏ ଠିକ ସେଇ କଅଁଳ ବାବୁ ର ସେ ଆଖି ଯୋଡିକ ଭଳି ।


Rate this content
Log in

Similar oriya story from Drama