STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଜାତୀୟ ହିରୋ

ଜାତୀୟ ହିରୋ

6 mins
3

ଘରେ ବାପାଙ୍କ ମନ ଭଲ ନଥିଲା ତ ମାଆ ର ବି ମନ କୋଉଠି ଲାଗୁନଥିଲା କାରଣ ଦୁହିଁଙ୍କର ଚିହ୍ନା ସହକର୍ମୀ ରଘୁ ବୋଲି ଜଣେ ଫୋର୍ଥ ଗ୍ରେଡ଼ କର୍ମଚାରୀ ଙ୍କ ଅବସର ପରେ ପରେ ଗୋଟିଏ ମାସ ଯାଇଛି କି ନାହିଁ ହାର୍ଟ ଆଟାର୍କ ରେ ଚାଲିଗଲେ ସେଦିନ ସକାଳୁ ସକାଳୁ ଶୁଣି ଚଳଚଞ୍ଚଳ ହୀନ ହୋଇଗଲେ ପିତା ମାତା ଆୟୁଷ ର.ଆୟୁଷ ର ବାପା ଓ ମାଆ ଉଭୟଙ୍କୁ ତାଙ୍କ ଛାଇ ଦେଖାଯାଉଥିଲା ବେଳେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଥିବା ତାଙ୍କ ଏକମାତ୍ର ପୁଅ ଆୟୁଷ କୁ ତାଙ୍କ ଛାଇ ମଧ୍ୟ ଦେଖାଯାଉଥିଲା କାରଣ ରଘୁ ମଉସା ତାର ବହୁତ ପ୍ରିୟ ଥିଲେ.ତାଙ୍କ ଗାଁରୁ ଖଜୁରୀ କୋଳି ଓ ଶୀତ ଦିନେ ଖଜୁରୀ ରସ ଓ ନୀରା ଆଣି ଆସୁଥିଲେ ଭୋର ଭୋରରୁ. ଯେତେ ପଇସା ଦେଲେ ମଧ୍ୟ ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ରସ ଆଣି କିଏ ଦେବ ଯାହା ଦେହକୁ ପର୍ଯ୍ୟାପ୍ତ ପରିମାଣ ରେ ଭିଟାମିନ ଯୋଗେଇଥାଏ କହି ବାପା କୃତ୍ୟ କୃତ୍ୟ ହୋଇଯିବା ସହ ମାଆ ମଧ୍ୟ ଘରେ ଯାହା ଭଲ ଭଲ ଖାଇବା କରନ୍ତି ରଘୁ ମଉସାଙ୍କୁ ଖୁଆନ୍ତି ଆଗ୍ରହରେ ଓ ରାକ୍ଷୀ ପୂର୍ଣ୍ଣମୀରେ ରାକ୍ଷୀ ବାନ୍ଧି ତାଙ୍କୁ ନିଜର ଭାଇ ବୋଲି କହନ୍ତି ତ ଆୟୁଷ ତାଙ୍କୁ ମଉସାରୁ ରଘୁ ମାମୁଁ ବୋଲି ଜାଣେ. ତାଙ୍କ ଘରକୁ ଗଲେ ସେ ଘର ସାରା ଖାଲି ଗାନ୍ଧୀଙ୍କ ଫୋଟୋ ଦେଖେ. କୋଉଠି ତିନିମାଙ୍କଡ଼ ଆଖି କାନ ପାଟି ମୁଜି ବସିଥାଆନ୍ତି ତ କୋଉଠି ଗାନ୍ଧୀଙ୍କ ସତ୍ୟାଗ୍ରହୀ ଉଦ୍ୟମ ରେ ଗିରଫ ହେବା ଫୋଟୋ ତ କୋଉଠି ଦାଣ୍ଡୀ ଆନ୍ଦୋଳନ ତ କୋଉଠି ଲୁଣ ମରା ଆନ୍ଦୋଳନ ର ଚିତ୍ର ସବୁ ସହ ଅରଟ ରେ ସୁତା ବୁଣା ଦୃଶ୍ୟ ତ କୋଉଠି ବନ୍ଦେ ମାତରଂ ଲେଖା ତ କୋଉଠି କାଟି ଖାଅ କୁଟି ପିନ୍ଧ ବୋଲି ଲେଖା ଥିବା ଦେଖି ଆୟୁଷ ବିସ୍ମିତ ହୁଏ ଯେତିକି ଗାନ୍ଧି ଙ୍କୁ ଭଲ ପାଉଥିବା ରଘୁ ମାମୁଁ ଙ୍କୁ ପଚାରିବସେ ଗାନ୍ଧିଜୀ ଙ୍କ କଥା ସେତିକି. ଗରୀବ ଦୁଃଖୀ, ଶୋଷିତ ଭାରତୀୟ ମାନଙ୍କ ଦୁଃଖ ଦେଖି ଗାନ୍ଧି କେତେ ଯେ ମର୍ମାହାତ ହୋଇ ଦେଶ ସ୍ବାଧୀନ ର ଡାକରା ଦେଇଥିଲେ, ନାରୀ ସ୍ବାଧୀନତା ପାଇଁ କସ୍ତୁରବା ଙ୍କ ସହ ମାଆ ସାରଳା, ପଣ୍ଡିତ ବିଜୟଲଷ୍ମୀ ଙ୍କ ଭଳି ଅନେକ ମହିୟସୀ ମହିଳା ଙ୍କ ସହିତ କୋଣ ଅନୁକୋଣ ରୁ ସ୍ବାଧୀନଚେତା ବିପ୍ଲବୀ ବୀର ମାନଙ୍କୁ ଏକାଠି କରି ବିନା ରକ୍ତପାତ ଅର୍ଥାତ ଅହିଂସା ବଳରେ, ସତ୍ୟାଗ୍ରହୀ ଆଚରଣ ରେ ନିଜେ ଓ ଦେଶବାସୀଙ୍କୁ ଉଦବୁଦ୍ଧ କରି ଭାରତ ଭଳି ଦେଶକୁ ଇଂରେଜ ମାନଙ୍କ କବଳରୁ ସ୍ବାଧୀନ କରିଥିବା ଜନନାୟକ ଗାନ୍ଧି ହିଁ ରଘୁ ମାମୁଁଙ୍କର ଜାତୀୟ ହିରୋ ଥିଲେ.
   ରଘୁ ମାମୁଙ୍କ ସଂସ୍ପର୍ଶ ରେ ଆସିବା ଦିନୁ ଆୟୁଷ କୁ ସବୁବେଳେ ତାଙ୍କରି ଛବି ଦେଖାଯାଉଥିଲା ବେଳେ ଏବେ ରଘୁ ମାମୁଁଙ୍କ ମୃତ୍ୟୁ ଖବର ଶୁଣି ଆୟୁଷକୁ ସବୁଆଡେ ଗାନ୍ଧୀଙ୍କ ଛବି ହିଁ ଦିଶୁଥିଲା. ରଘୁ ମାମୁଁ ଙ୍କ ପ୍ରେରଣା ରେ ସେ ଆଙ୍କି ଥିବା ଗାନ୍ଧିଜୀ ଙ୍କ ବିରାଟ ତୈଳ ଚିତ୍ର ଟିକୁ ଚାହିଁ ରହିଲା ଆୟୁଷ. କିଛି ସମୟ ପରେ ରଘୁ ମାମୁଙ୍କ ଲାସ ଏଇପଟ ଦେଇ ଯିବ ତୁ ଦେଖିନେବୁ କହି ବାପା ଓ ମାଆ ତାକୁ ଛାଡ଼ି ଦେଇକି କେତେବେଳୁ ଗଲେଣି. ଅସ୍ଥିର ଲାଗିଲା ଆୟୁଷ କୁ.ରଘୁ ମାମୁଁ ଓ ଗାନ୍ଧି ଦୁହିଁଙ୍କ ଛାଇ ପଡୁଥିଲା ଯେମିତି ତା ପଢ଼ା ଘର ସାରା ତ ଉଠିଲା ଆୟୁଷ.ଗାନ୍ଧିଜୀ ଙ୍କ ଫୋଟୋ ଟି ଧରି ସାଇକେଲ ନେଇ ଦୌଡ଼ିଲା ରଘୁ ମାମୁଁ ଙ୍କ ଗ୍ରାମ ଅଭିମୁଖେ. ସେଠୁ ଶବ ବାହାକ ଗାଡି ଚାଲିଗଲାଣି ଶୁଣି ସିଧା ସ୍ୱର୍ଗଦ୍ୱାର ରେ ଧଇଁ ସଇଁ ହୋଇ ପହଁଚିଲା ବେଳକୁ ଶେଷ କୃତ୍ୟ ଜୁଇ ଜଳୁଥିଲା. ଜୁଇରେ ପକାଇ ଦେବାକୁ ଗାନ୍ଧିଙ୍କ ଚିତ୍ର ଧରି ଦୌଡ଼ିଲା ବେଳେ ଆୟୁଷ ପଛରୁ ବାପା ଧରିନେଲେ ତାକୁ ତ ଆୟୁଷ କହୁଥିଲା ମୁଁ ରଘୁ ମାମୁଁ ଙ୍କୁ କିଛି ଦେଇପାରିନି ବାପା. ଆଜି ତାଙ୍କ ପ୍ରିୟ ଜାତୀୟ ହିରୋ ଙ୍କୁ ଦେବାକୁ ଚାହେଁ ତାଙ୍କ ସଙ୍ଗେ. ଆରେ ପୁଅ ସେ ପରା ମହାତ୍ମା ତଥା ଜାତିର ପିତା. ସେ ମରି ବି ଅମର. ଯଦି ଶ୍ରଦ୍ଧା ଅଛି ତ ଗାନ୍ଧିଙ୍କ ପରି ହେବାକୁ ଶପଥ ନେ. ସେଇ ହେବ ରଘୁ ମାମୁଁ ପ୍ରତି ତୋର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି.ଯୋଗକୁ ଆସୁଥିବା ଜାନୁଆରି ଛବିଶ ପାଇଁ ପାଖ ସ୍କୁଲରୁ ପ୍ୟାରଡ଼ ଅଭ୍ୟାସ ଚାଲିଥିଲା ଓ ଶୁଭୁଥିଲା ମହାତ୍ମା ଗାନ୍ଧି କି... ଜୟ.
     ସେଦିନ ବର୍ଷା ହେଉଥିଲା ଖୁବ.ଗାଁ ସ୍କୁଲରେ ପାଠ ପଢୁଥିଲା ବେଳେ ଆୟୁଷ ଭାବୁଥିଲା ଆସୁଥିବା ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀରେ ସେ ବଢିଆ ଭାଷଣ ଦେବ ଏଥର. ଭାଷଣ ଯେତେ ଭଲ ହେଲେ କଣ ହେବ ଛୋଟ ପିଲା ବୁଝିପାରୁଥିବା ଭଳି କଥା ନଥିଲେ ପିଲାମାନେ ଶୁଣିବେ ନାହିଁ ବରଂ ସଭାସ୍ଥଳରେ ଖାଲି ପାଟିତୁଣ୍ଡ କରିବେ ତେଣୁ ସେ ଭାବିଥିଲା ଗାନ୍ଧିଜୀଙ୍କ ପିଲାଦିନର ବହୁତ କଥା ଭିତରୁ, ତାଙ୍କ ବାପାଙ୍କ ପକେଟରୁ ରେଜା ପଇସା ଚୋରି କରିବା କଥା ନିଶ୍ଚୟ କହିବ, ଯାହା ତାକୁ ରଘମାମୁଁ କହିଥିଲେ. ପଛରେ କେମିତି ବାପାଙ୍କ ଆଗରେ ନିଜ ଭୁଲ ମାନିଯାଇ ସତ କହିଥିଲେ ବୋଲି ବାପାଙ୍କ ଆଶୀର୍ବାଦରେ ପରେ ଭାରତ ସ୍ବାଧୀନତାର ମୁଖ୍ୟ ପୁରୋଧା ଗାନ୍ଧିଜୀ ଆଜି ପିଢ଼ି ପରେ ପିଢ଼ି ପାଇଁ ମହାତ୍ମା ଆଖ୍ୟା ପାଇ ଅମର ହୋଇଛନ୍ତି. ପୁଣି ଆୟୁଷ ଭାବୁଥିଲା ନା ସେ ଗାନ୍ଧିଙ୍କ ଗୁରୁଭକ୍ତି କଥାଟି କହିବ. ଥରେ ଗାନ୍ଧି ପଢ଼ୁଥିବା ସ୍କୁଲକୁ ପରିଦର୍ଶନରେ ଆସି ପରିଦର୍ଶକ ପିଲାଙ୍କୁ ପାଞ୍ଚଗୋଟି ଶବ୍ଦ ନିର୍ଭୁଲ ଭାବେ ଲେଖିବାକୁ କହିଥିଲେ. ଗୁରୁଜୀ ଦେଖିଲେ ଗାନ୍ଧି ଗୋଟିଏ ଶବ୍ଦକୁ ଭୁଲ କରି ଲେଖିଛନ୍ତି ତ ସେ ଇସାରାରେ ଗାନ୍ଧିଙ୍କୁ ପାଖ ପିଲାଠୁ ଦେଖି ବା କପି କରି ଲେଖି ଦେବାକୁ କହିଥିଲେ ମଧ୍ୟ କପି ଏକ ଭୁଲକଥା ବୋଲି ଜାଣିଥିବା ଗାନ୍ଧି ସେଦିନ ଗୁରୁଙ୍କ ଆଜ୍ଞା ପାଳନ କରିନଥିଲେ. ପରିଦର୍ଶକ ଚାଲିଯିବା ପରେ ଗୁରୁଙ୍କୁ ସେ ଭୁଲ ବୁଝିବା ପରିବର୍ତ୍ତେ ତାଙ୍କଠାରୁ କ୍ଷମା ପ୍ରାର୍ଥନା ମାଗିବା ସହ ଗୁରୁଙ୍କ ବଡମଣିଷ ହୁଅର ଆଶୀର୍ବାଦ ପାଇଥିଲେ. ପରିସ୍ଥିତିରେ ପଡି ଗୁରୁ ଭୁଲ କଥା କହିଥିଲେ ବୋଲି ଗୁରୁଙ୍କ ପ୍ରତି ଗାନ୍ଧିଜୀଙ୍କର ଧାରଣା ବା ସମ୍ମାନ ଉଣା କି ଖରାପ ହୋଇନଥିଲା. ଏହା ତାଙ୍କ ଚରିତ୍ରର ଏକ ବିଶିଷ୍ଟ ଗୁଣ ଥିଲା. ସେହିଭଳି ଶାସ୍ତ୍ରିଜୀ ପିଲାଦିନୁ କାହା ଉପରେ ନିର୍ଭର କରିବାକୁ ଭଲ ପାଉନଥିଲେ. ନିଜ ବାହୁବଳ, ବୁଦ୍ଧି ଓ ବିବେକ ଖଟେଇ ବହୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବା ଶାସ୍ତ୍ରିଜୀ ପରେ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ. ନଈ ପାର ହେବାକୁ ନାଉରିଆ ଭାଇକୁ ପଇସା ଦେଇନପାରି ନିଜେ ନଈ ପହଁରି ପହଁରି ଗାଁରେ ପହଞ୍ଚିଥିବା ବାଳକ ବାଜିରାଉତ ଓ ଧରମା ପରି ବାଳକମାନଙ୍କ ଠାରୁ କୌଣସି ଗୁଣରେ ସାହାସୀ ହିସାବରେ କମ ନଥିଲେ.ଯୁଗେ ଯୁଗେ ବନ୍ଦନୀୟ ହୋଇ ଶିଶୁକଳିକା ଓ ବାଳକ ବାଳିକାମାନଙ୍କ ପ୍ରେରଣା ହୋଇ ଶାସ୍ତ୍ରିଜୀ ରହିଥିବେ ନିଶ୍ଚୟ ଭାବି ଆୟୁଷ ଲେଖୁଥିଲା ତର୍କ ପ୍ରବନ୍ଧ ଓ ତା ସହିତ ଆଙ୍କୁ ଥିଲା ଭାରତୀୟ ଜାତୀୟ ତ୍ରିରଙ୍ଗା ପତାକା. ଏତିକିବେଳେ ଗାଁ ପଡିଆରେ  ପଡ଼ିଥିବା ମ୍ୟାଜିକ ଶୋ ଗାଡି ବର୍ଷାକୁ ଖାତିର ନକରି ପ୍ରଚାର କରି କରି ଯାଉଥିଲା ତ ଆୟୁଷ ମନ ଉଡୁଥିଲା.
       ମ୍ୟାଜିକ ଶୋ ଦେଖିବାକୁ ଆଜି ପ୍ରବଳ ଭିଡ଼. ବଡ଼ରୁ ସାନ ପର୍ଯ୍ୟନ୍ତ ସମସ୍ତଙ୍କ ମନ ଉଚ୍ଛନ୍ନ. ବର୍ଷା ମଧ୍ୟ ଛାଡିଯାଇଛି.ଜୀବନରେ କିଏ କେତେ ମ୍ୟାଜିକ ଦେଖିଛି. ପ୍ରକୃତିରେ ଥିବା ମ୍ୟାଜିକ ଦେଖି ବିହ୍ଵଳିତ ଓ ଆଲ୍ହାଦିତ ହେଇଛି. ପ୍ରଜାପତିର ଡେଣାରେ, ସାଧବବୋହୁର ରଙ୍ଗରେ, ଆକାଶର ତାରାରେ, ନଈର କୁଳୁକୁଳୁ ବହିଯିବାରେ, ପକ୍ଷୀର ନୀଡ଼ ଗଢିବା ଦୃଶ୍ୟରେ, ପାହାଡ଼ରୁ ତଳକୁ ଆସୁଥିବା ଝରଣାର ଘୋ ଘୋ ନାଦ ସହିତ ସୂର୍ଯ୍ୟ, ଚନ୍ଦ୍ରଙ୍କ ଭିତରେ କେତେ ବିସ୍ମୟ ଭରା ମ୍ୟାଜିକ ସତରେ!ପୁଣି ଯାଦୁଗରର ହାତସଫେଇ କାରନାମାରେ!ଯେମିତିକି ଗୋବର ପାଣି ଗୋଳେଇ ତା ଭିତରେ ଛେପ ପକେଇ ଢାଳିଦିଏ କେହି ଜଣେ ବିଜ୍ଞ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପରେ ଯାଦୁଗର ତ ଫୁଲମାଳଟି ଲମ୍ବିଯାଏ ବେକରେ ତାଙ୍କର. ଏହା ସହିତ ଅନେକ ଯାଦୁ ଦେଖି ଦେଖି ଦୁଃଖ ଭୁଲିଯାଏ ମଣିଷ, ଆନନ୍ଦ ପାଏ ଶିଶୁ, ବୟସ ଭୁଲିଯାଆନ୍ତି ବୃଦ୍ଧ ବୃଦ୍ଧା. ସେଇଥିପାଇଁ ତ ଆଜିଯାଏଁ ଟେଣ୍ଟ ପକାଇ ରହିଛି ସର୍କସ ଖେଳ ଓ ଯାଦୁ ଖେଳ ଦେଖାଉଥିବା ପାର୍ଟି ଓ ପାର୍ଟିଆରମାନେ ଆୟୁଷ ଘର ପାଖ ଗାଁରେ ଏଯାଏଁ.
    ଯା ହେଉ ବର୍ଷା ଛାଡିଯାଇଥିଲା.ଆଜିର ଯାଦୁ ଖେଳରେ ରହିଛି ବିଶେଷତ୍ବ. ଆବାଳବୃଦ୍ଧବନିତା ଚମତ୍କୃତ. କାରଣ ଯାଦୁ ଟିମ ଗାଡି ବୁଲି ବୁଲି ପ୍ରଚାର କରିଥିଲା ଯିଏ ଯାହାକୁ ଭଲପାଏ ସେ ତାକୁ ଦେଖିପାରିବ ଜୀବନ୍ତ ରୂପେ ସେହି ଅନ୍ଧାରୁଆ ଯାଦୁ କୋଠରୀ ଭିତରେ. ବୁଢା ବୁଢ଼ୀ ଭାବୁଥିଲେ ଦେଖିପାରନ୍ତେ କି ଥରେ ତାଙ୍କ ଗୁଜୁରି ଯାଇଥିବା ପିତା ମାତାଙ୍କୁ!ଯୁବକ ଯୁବତୀ ଭାବୁଥିଲେ ଦେଖିପାରନ୍ତେ କି ତାଙ୍କ ପ୍ରେମିକା ପ୍ରେମିକଙ୍କୁ!ଆଉ ଶିଶୁ କିଶୋର ଭାବୁଥିଲେ କେତେ କଥା. କିଏ ବାଘ ଦେଖିବାକୁ ତ କିଏ ନିଜ ସାରଙ୍କୁ, କିଏ ଝରଣା ତ କିଏ ଘରଚଟିଆ, କିଏ ଡ଼ାଇନୋସୋର ଦେଖିବାକୁ ତ କିଏ ମୃତ ଜେଜେ ଜେଜେମା କି ଅଜା ଆଈଙ୍କୁ, ତ କିଏ କ୍ରିକେଟ ଖେଳାଳୀଙ୍କୁ ତ କିଏ ମନପସନ୍ଦର ସିନେମା ହିରୋ ହିରୋଇନଙ୍କୁ.ଟିକେଟ ବିକ୍ରୀ ହେଲା ଜୋର. ଆୟୁଷ ମଧ୍ୟ ପାଇଗଲା ଟିକେଟଟିଏ. ସାଙ୍ଗମାନଙ୍କ ସଙ୍ଗେ କଥା ହେଲାବେଳେ ସେମାନେ ସବୁ କାହାକୁ ଦେଖିବାକୁ ଇଛା ପ୍ରକଟ କରୁଛନ୍ତି ଶୁଣି ଆୟୁଷ କିଛି ଭାବୁଥିଲା ଓ ସାର ବୁଝେଇଦେଉଥିବା କଥା ଯଥା ଏ ଗୋଟେ ଏମିତି ଯାଦୁ ଯେ ଏହାର ପ୍ରଭାବ ମନ, ମୁନ, ଚୈତନ୍ୟ ତଥା ମୁଣ୍ଡ ଓ ଇନ୍ଦ୍ରୀୟମାନଙ୍କର ସମ୍ମିଳିତ ଖେଳ. ତୁମେ ସବୁ ଟିକେଟ କାଟିବା ବେଳେ ନିଶ୍ଚୟ ଭାବିଥିବ କାହାକୁ ଦେଖିବ, ଏବଂ ତାଙ୍କ କଥା ଭାବି ଭାବି ତୁମ ମୁଣ୍ଡରେ କେବଳ ତାଙ୍କ ଛାଇ ଓ ଛବି ହିଁ ରହିଥିବ ତ ଯାଦୁ ଘରକୁ ପ୍ରବେଶ କରି ଅନ୍ଧାରରେ ତୁମେ ତାଙ୍କୁ ହିଁ ଦେଖିପାରିବ. ଏହା ମସ୍ତିଷ୍କର ଛାୟା ବା ଛବି ପ୍ରତିଧ୍ୱନିର ପ୍ରତିବିମ୍ବ ମାତ୍ର . ଆୟୁଷ ଭାବୁଥିଲା ମୁଁ କାହାକୁ ଦେଖିବି ଭାବିନି ତ ସାର!ହଉ ତେବେ ଯାଆ ଦେଖେ କାହାକୁ ଦେଖୁଛୁ. ଆୟୁଷ ସମସ୍ତଙ୍କ ସହ ଯାଦୁ ଘରକୁ ଯାଇ ଦେଖିଲା. ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ. କିଏ କଣ ଦେଖିଲା ନଦେଖିଲା ସେକଥାକୁ ତାର ଜାଣିବାର ଆଗ୍ରହ ନଥିଲା. ସେ ସକାଳୁ ସକାଳୁ ଫୁଲ ତୋଳି ସ୍କୁଲରେ ପହଞ୍ଚିଗଲା. ଗାନ୍ଧି ଓ ରଘୁମାମୁଁ ଦୁଇ ଜଣଙ୍କୁ ଯାଦୁ ଘରେ ଦେଖି ଆଜି ଭଳି ଜାନୁଆରି ଛବିଶ ଦିବସରେ ସେ ନିଜ ଆଖି କୁ ବିଶ୍ୱାସ କରି ପାରୁନଥିଲା.ଗାନ୍ଧୀଜୟନ୍ତୀ ଦିନ ସ୍କୁଲର ଗୋଟେ ରୁମରେ ଗାନ୍ଧି ଓ ଶାସ୍ତ୍ରୀ ଦୁହିଁଙ୍କ ଫଟୋ ଥୁଆ ହୋଇ ଚନ୍ଦନ ଚର୍ଚ୍ଚିତ କରାଯାଇ ଧୂପ, ଦୀପ, ଝୁଣା ଭିତରେ ଫୁଲମାଳ ଦେଲା ଭଳି ଆଜି ମଧ୍ୟ ସବୁ ମହାପୁରୁଷ ମାନଙ୍କ ଫୋଟୋ ରକ୍ଷାଯାଇ ପୂଜା କରାଯାଇଥିଲା. ଆୟୁଷ କହୁଥିଲା ଏ ଭିତରୁ ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କୁ ସେ ନିଜ ଆଖିରେ କାଲି ଅନ୍ଧାର ଯାଦୁ ଘରେ ଦେଖିଛି. ସାଙ୍ଗପିଲା ସବୁ ହସିଉଠିଲେ ତ ସାର କହିଲେ ହସୁଛ କାହିଁକି? ଆୟୁଷ ସତ କହୁଛି. ତା ଅଜଣାତରେ ତା ମନ ମୁଣ୍ଡ ଭିତରେ ଗାନ୍ଧିଜୀ ଓ ରଘୁମାମୁଁ ହିଁ ଥିଲେ ତେଣୁ ସେ ଦୁହିଁଙ୍କ ଛାଇ ଛବିର ପ୍ରତିଫଳନରେ ତାକୁ ଗାନ୍ଧି ଓ ରଘୁମାମୁଁ ହିଁ ଦେଖାଯାଇଥିବେ ନିଶ୍ଚୟ. ଏହା ବିଜ୍ଞାନସମ୍ମତ ମୁଣ୍ଡ ଖେଳ ଅଟେ.ଖାଲି ପିଲାଏ କଣ,ଉପସ୍ଥିତ ଅନ୍ୟ ସାର ଗୁରୁମା ଓ ସଭ୍ୟ ସଭ୍ୟା ରୂପୀ ଅଭିଭାବକମାନେ ମଧ୍ୟ ଚୁପ ହୋଇଗଲେ.ଆୟୁଷ ଭାବୁଥିଲା ସତେତ ଗାନ୍ଧିଜୀ ଓ ରଘୁମାମୁଁ ଙ୍କ କଥାହିଁ ତ ତା ମୁଣ୍ଡରେ ଥିଲା.ସାରଙ୍କ କଥା କେତେ ସତ!ଦଉଡିଯାଇ ଆୟୁଷ ସେହି ସାରଙ୍କ ସହ ଅନ୍ୟସମସ୍ତ ସାର ଗୁରୁମାଙ୍କୁ ପ୍ରଣାମ କରୁଥିଲା. ମନେ ପଡୁଥିଲା ଜେଜେଙ୍କ କଥା ଆୟୁଷ ର ଯେ ରାଜା ସିନା ପୂଜା ପାଏ ନିଜ ରାଇଜରେ.. ଜ୍ଞାନୀ ଗୁଣୀ ପୂଜା ପାଆନ୍ତି ଦେଶ ବିଦେଶରେ. ତା ସହିତ ଆୟୁଷ ପଦେ ଗାଉଥିଲା ତୁଳସୀ ଦୁଇପତ୍ରରୁ ବାସିଲା.. ଗାନ୍ଧି ଓ ଶାସ୍ତ୍ରୀଙ୍କ ଗୁଣ ଚହଟି ଫୁଟିଲାପରି ଗାନ୍ଧିଜୀ ଙ୍କୁ ହିରୋ କରିଥିବା ରଘୁମାମୁଁ ମଧ୍ୟ ତା ହୃଦୟ ହିରୋ ହୋଇଗଲେ. ସମସ୍ତେ ଗାନ୍ଧିଜୀ ଙ୍କୁ ଜୟ କହିଲା ବେଳେ ଆୟୁଷ ପାଟିରୁ ରଘୁମାମୁଁ କି ଜୟ ବାହାରୁ ବାହାରୁ ସାର ସଚେତନ କରାଇଦେଇଥିଲେ ଠିକ ଗାନ୍ଧିଜୀ ଙ୍କ ପିଲାଦିନ ସାର ଙ୍କ ପରି.
,,,,,,,,,,,,,,,,,,,,,,,,

     


Rate this content
Log in

Similar oriya story from Classics