ଇଞ୍ଜେକ୍ସନ ଦିଆ ବ୍ଲାଉଜ
ଇଞ୍ଜେକ୍ସନ ଦିଆ ବ୍ଲାଉଜ
ଗୌରୀ ଶଙ୍କର ବାବୁଙ୍କ ପରିବାର ଖୁବ୍ ରକ୍ଷଣଶୀଳ । ପିଲା ଦିନରୁ ତିନି ଝିଅଙ୍କୁ ଅନେକ ସଂସ୍କାର ଦେଇ ବଢ଼ାଇଛନ୍ତି ଗୌରୀ ଶଙ୍କର ବାବୁ ।
ତିନିଜଣ ଯାକ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ । ହେନା ,ମିନା ଓ ଜିନା ବାପାଙ୍କ ଦ୍ୱାରା ତିଆରି ହୋଇଥିବା ନକ୍ସାରେ ଚାଲନ୍ତି ସବୁବେଳେ । ଏ ତିନି ଜଣଙ୍କ ମା କାରୁବାକି ଦେବୀ ମଧ୍ୟ ସବୁବେଳେ ବାପାଙ୍କ ଉଦାହରଣ ଦିଅନ୍ତି ତିନି ଜଣଙ୍କୁ । ଦେଖ ପିଲାମାନେ ତୁମ ବାପା ସମାଜର ଜଣେ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଏମିତି କିଛି କାମ କରିବନି ଯେଉଁଥିରେ ତୁମ ବାପାଙ୍କ ନାକ କଟିଯିବ ।
ଗୌରୀ ଶଙ୍କର ବାବୁ ପେସାରେ ଜଣେ ବରିଷ୍ଠ କିରାଣୀ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟରେ କାମ କରନ୍ତି । ଅଫିସରେ ବଡ଼ ବାବୁ ବୋଲି ତାଙ୍କୁ ସମସ୍ତେ ଡାକନ୍ତି । ଗୌରୀ ଶଙ୍କର ବାବୁଙ୍କ ଗୋସିବାପା ଜମିଦାର ଥିଲେ । ଗୌରୀ ଶଙ୍କର ବାବୁଙ୍କ ବାପା ବିମ୍ବାଧର ସିଂହ ମହାପାତ୍ରଙ୍କ ନିଜ ବାପାଙ୍କ ଜମିକୁ ବିକି ବିକି ନିଜ ଜୀବନ ଚଳେଇ ନେଇଥିଲେ । ଜମି ବିକି ଦୁଇ ଝିଅ ଓ ଗୋଟେ ପୁଅକୁ ଭଲ ପରିବାର ରେ ବିବାହ ମଧ୍ୟ କରାଇ ଦେଇଥିଲେ ବିମ୍ବାଧର ଜମିଦାର । ଅଳ୍ପ କିଛି ଜମି ଗୌରୀ ବାବୁଙ୍କ ପାଇଁ ଛାଡିଯାଇଥିଲେ । ଆଜିର ସମୟରେ ସେହି ଜମି ଗୁଡିକର ଦର ଆକାଶ ଛୁଆଁ ,କିନ୍ତୁ ଗୌରୀ ବାବୁ କେବେ ହେଲେ ଜମି ବିକିବା କଥା ମୁହଁରେ ଧରି ନାହଁନ୍ତି । ବଡ଼ ଝିଅ ହେନାର ବାହାଘର ନିଜ ଜି :ପି :ଏଫ୍ ରୁ ଋଣ କରି ସମ୍ପନ୍ନ କରିଥିଲେ । ବୋଧ ହୁଏ ବାପାଙ୍କ ଭୁଲରୁ ଶିକ୍ଷା ପାଇ ଯାଇଥିଲେ ଗୌରୀ ବାବୁ ।
ମଝିଆ ଝିଅ ମିନା ଗାଁ କଲେଜରେ କଳାରେ ସ୍ନାତକ ପର୍ଯ୍ୟନ୍ତ ପଢ଼ିଛି । ପାଠ ମୋଟୁରୁ ହୁଏ ନାହିଁ କି ତାର ପାଠ ପଢିବାକୁ ଇଚ୍ଛା ହୁଏନି । ଠେଲି ପେଲି ବାପାଙ୍କ ଇଚ୍ଛାକୁ ପୂରଣ କରିଛି । ତାର ସବୁବେଳେ ଇଚ୍ଛା କେମିତି ବଡ଼ ହୋଇ ବାହାହେବ । ସେଥିପାଇଁ ଅନେକ ସମୟ ସେ ଖିଆଲରେ ବୁଡି ରହେ ତାର ସ୍ୱପ୍ନର ରାଜକୁମାର ପାଇଁ ।
ମିନା ,ଜିନାକୁ କହେ ତୁ ତ ଭୁବନେଶ୍ୱରରେ ରହୁଛୁ ,ମୋ ବାହାଘର ପାଇଁ ସପିଙ୍ଗ ଭୁବନେଶ୍ୱରରୁ ହିଁ ହେବ ।
ମା କହନ୍ତି ଭୁବନେଶ୍ୱରରୁ କାହିଁକି କିଣା ହେବ??
ହେନା ବାହାଘର ବେଳେ ତ ସବୁ ସପିଙ୍ଗ ଏଇଠୁ ହେଇଥିଲା ।
ମିନା ମା'ଙ୍କ ଉପରେ ଅଭିମାନ କରି କହେ ...ନା ନା ହେଇ ପାରିବ ନାହିଁ । ମୋର ସବୁ ଜିନିଷ ଭୁବନେଶ୍ୱରରୁ ହିଁ କିଣା ହେବ । ଅନାଉ ଅନାଉ ସେ ଶୁଭ ସମୟ ଆସିଯାଇଥିଲା ମିନାର ବାହାଘର ଠିକ ହୋଇଯାଇଥିଲା ।
ଘରେ ସମସ୍ତେ ବାହାଘର ପ୍ରସ୍ତୁତିରେ ବ୍ୟସ୍ତ ହୋଇଗଲେ । । ବନ୍ଧୁ-ବାନ୍ଧବ ,ଝିଅ-ଝିଆଣି ସବୁ ଆସିଯିବେ । ଆସ୍ତେ ଆସ୍ତେ ସବୁ ଜିନିଷ କିଣାକିଣି ହୋଇଗଲା । ମିନା ବାପାଙ୍କୁ ଗେଲ୍ହେଇ କହିଲା ବାପା ଜିନାକୁ କୁହ ମୋ ପାଇଁ ସବୁ ଜିନିଷ ଭୁବନେଶ୍ୱରରୁ ହିଁ ଆଣିବ ।
ଗୌରୀବାବୁ କହିଲେ-ଆଲୋ ମା ସବୁ ଜିନିଷ ଆମ ମାର୍କେଟ ରୁ ତ ମିଳିଯିବ । ଭୁବନେଶ୍ୱରରୁ କାହିଁକି ଆଣିବା । ତୁମେ ଜାଣିନ ବାପା ଭୁବନେଶ୍ୱରରେ ବଢ଼ିଆ ବଢ଼ିଆ ଡିଜାଇନ୍ ର ଲେହେଙ୍ଗା ମିଳେ । ଜିନା ସବୁ ଜାଣିଛି ,ସେ କିଣି ଆଣିବ ତୁମେ ଜମା ବ୍ୟସ୍ତ ହୁଅନି ।
ଜିନା ଫୋନ୍ ରେ ଲାଇନ ରେ ଥାଇ ମୁଣ୍ଡ ଟୁଙ୍ଗାରିଲା । ବାପା ଶେଷରେ ରାଜି ହେଲେ । କହିଲେ ତୁମର ଯାହା ଇଚ୍ଛା ତୁମେ ତାହା କର କିନ୍ତୁ ଅଯଥା ଖର୍ଚ୍ଚ କରିବ ନାହିଁ ।
ମିନା ଫୋନକୁ କାନରେ ଦେଇ ଟିକେ ଘର କୋଣକୁ ଚାଲିଗଲା ଓ ଆସ୍ତେ ଆସ୍ତେ ଜିନାକୁ କହିଲା ।
-ଶୁଣ,ଗୋଟେ ବଢ଼ିଆ ରାନୀ ଓ ଗୋଲଡେନ ମିଶା କଲର ଲେହେଙ୍ଗା ଆଣିବୁ ।
-ଠିକ ଅଛି । ଆଉ କିଛି ?
-ଇମିଟେସନ ,କସମେଟିକ୍ସ ସବୁ ଆଣିବୁ । ହଁ ସବୁ ଭଲ ଦାମିକା ଆଣିବୁ । ଲୋରୀୟଲ କମ୍ପାନୀର ।
-ଚୁପ୍ ବେ ,ବାପା ପରା କହିଛନ୍ତି ବେଶୀ ଖର୍ଚ୍ଚ ନକରିବାକୁ ।
-ବେଶୀ ଗପୁଛୁ ତୋର ବାହାଘର ନା ମୋର ବାହାଘର ?
-ତୋର
-ତାହେଲେ !!! ବେଶୀ କାହିଁକି ଗପୁଛୁ । ମୁଁ ଯାହା କହୁଛି ସେୟା ଆଣିବୁ ।
-ହେଉ ଲୋ ଝିଅ ।
-ହଁ ହଁ ଜିନା ଶୁଣୁ !!!
-ପୁଣି କଣ ହେଲା ??ଆଉ କିଛି ବାକି ରହିଗଲା କି ??
-ଆରେ ଅସଲ କଥାଟା କହିବାକୁ ଭୁଲିଗଲି ।
-କଣ ???
-ଆରେ ଦେଖିନୁ ସେ ସିନ୍ଦୁର ବିନ୍ଦୁ ସିରିଏଲ ରେ ଲିପ୍ସା କେମିତି ଡିଯାଇନ୍ ଲେହେଙ୍ଗା ପିନ୍ଧିଥିଲା !!! ମୋର ସେମିତିକା ଆଣିବୁ ।
-ବୁଝିଲୁ ନା ଅପା ...ତୋର ସିନା କିଛି କାମ ନାହିଁ ତୁ ଘରେ ବସି ଓଡ଼ିଆ ସିରିଏଲ ଦେଖୁଛୁ ମୋର ଦଶଦିନ ପରେ ଫୋର୍ଥ ସେମିଷ୍ଟାର ଏଗ୍ଜାମ୍ ଅଛି । ଜଲ୍ଦି କହ କେଉଁ ଡିଜାଇନ ???
-ରହ ତୁ ଲାଇନରେ ଥା ,ମୁଁ ତୋତେ ହୁଆଟ୍ସ ଆପ୍ କରୁଛି ।
-ଆଲୋ ଅପା ତୁ ଏ ଡିଜାଇନ ପିନ୍ଧିବୁ ??
-ହଁ
-ବାପା ତୋତେ ଜୀବନରୁ ରଖିବେ ନା !!!
-ତୁ କେମିତି ସବୁ ଟପ୍ସ ଗୁଡା ଏମିତି ଡିଜାଇନର ପିନ୍ଧୁଛୁ ??ତୁ କଣ ଭାବୁଛୁ ମୁଁ କିଛି ଜାଣି ପାରୁନି ??ଦେଖିବୁ ବାପାଙ୍କୁ ତୋର ଷ୍ଟାଟସ୍ ଦେଖାଇବି । ତୁ ଭୁବନେଶ୍ୱର ରେ ରହୁଛୁ ବୋଲି ତୋ ମନ ଇଚ୍ଛା ଡ୍ରେସ୍ ପିନ୍ଧୁଛୁ । ଆଉ ମୁଁ ଘରେ ରହୁଛି ବୋଲି ପିନ୍ଧି ପାରିବି ନାହିଁ ।
-ଆବେ ରହ ରହ କଣ କରୁଛୁ ତୁ ??
-ହଉ ଠିକ୍ ଅଛି । ମୁଁ ତୋର ସେହି ଡିଜାଇନ ଲେହେଙ୍ଗା ଆଣିବି ।
-ମୋ ଗେଲ୍ଲୀ ଟା ...
×××××××××××××××××××××××××××××××××××××××
ବିବାହ ମଣ୍ଡପରେ ଭିଡ଼ ଜମିଥାଏ । ମିନା ଖୁସି କହିଲେ ନସରେ । ତାର ବହୁଦିନର ଇଚ୍ଛା ପୂର୍ଣ ହେବାକୁ ଯାଉ ଅଛି । ବର ସମେତ ବରଯାତ୍ରୀ ଆସିବାର ଖବର ଗୌରୀ ବାବୁଙ୍କୁ ପହଞ୍ଚି ଗଲାଣି । ଦୁଇ ମାମୁଁ ଓ ମାଇଁ ଦୌଡା ଦୌଡ଼ି କରି ସବୁ କାମ କରୁଥାନ୍ତି । ସମସ୍ତେ ଏକ ପ୍ରକାର ବରଯାତ୍ରୀ ଓ ଅତିଥି ସେବା କରିବା ପାଇଁ ବ୍ୟସ୍ତ ଥାନ୍ତି ।
ହେନା ,ମିନା, ଜିନା ସମସ୍ତଙ୍କ ସାଙ୍ଗ ଆସିଛନ୍ତି ବାହାଘରକୁ ।
ହେନାର ସ୍ୱାମୀ ସ୍ୱାଧୀନ ମିନାକୁ ମଝିରେ ମଝିରେ କମେଣ୍ଟ ମାରୁଥାନ୍ତି । କେତେ କିଲୋ ପାଉଡର ବୋଳି ହେଇଛ ମିନା !!!
ଅତିଥିଙ୍କ ସେବାପାଇଁ ସମସ୍ତେ ତତ୍ପର ଯେତେ ଯାହା ହେଲେ ଗୌରୀବାବୁ ଙ୍କର ସମାଜରେ ନା ଅଛି । ଭଲ ଖାନଦାନି ଘର । ଜମିଦାରୀ ସିନା ନାହିଁ ଥାଟ ତ ଅଛି । ମଣ୍ଡପଟା ବି ଖୁଵ ସୁନ୍ଦର ଭାବେ ସଜା ଯାଇଛି ।
ପାର୍ଲର ବାଲି ମିନାକୁ ଗୋଟେ ରୁମ୍ ଭିତରେ ସଯାଇବାରେ ଲାଗିଛି । ମିନାକୁ ଚାରିପଟୁ ଗୁଡକୁ ପିମ୍ପୁଡି ଘେରିଲା ପରି କୁନି କୁନି ଝିଅ ଘେରି ରହି ତାର ମେକ ଅପ ଦେଖୁଛନ୍ତି । ମିନା ବି ମଝିରେ ମଝିରେ କହୁଥାଏ । ମୁଁ କେମିତି ଦିଶୁଛି କହିଲ ପିଲେ ??
କୁନି ଝିଅ ମାନେ ଏକା ସ୍ବର ରେ କହନ୍ତି ।
-ଅପା !!! ଏକଦମ୍ ଝକାସ୍ ।
ମିନା ଖୁସି କହିଲେ ନସରେ ।
ମଝିରେ ମଝିରେ ସେଲ୍ଫି ନେଇ ଯାଉଥାଏ ।
ଲେହେଙ୍ଗା ପିନ୍ଧିବା ବେଳେ ଜିନା ଆସି ପହଞ୍ଚିଗଲା ।
-ୱାଓ ...ଅପା । ପୁରା କସ ।
ମିନା ଖୁସିରେ ପାଗେଳୀ ହୋଇଯାଉ ଥାଏ ।
କେବଳ ଡର ଥାଏ ,ବାପାଙ୍କ ନଜର କେମିତି ତା ଉପରେ ନ ପଡୁ ।
ରୋଷଣୀ ଶବ୍ଦରୁ ଲାଗୁଥିଲା ମଣ୍ଡପ ଆଉ ବେଶୀଦୂର ନୁହେଁ ।
ପ୍ରଥମ ମହଲାରୁ ସିଡ଼ିରେ ଧୀରେ ଧୀରେ ଝିଅ ମାନଙ୍କ ସହ ମିନା ଆସିଲା । ତାକୁ ଦେଖି ଫଟୋ ଉଠାଳି ଖଚ୍ ଖଚ୍ କରି ଫୋଟୋ ଉଠାଇବାର ଲାଗିଲେ ।
ଧୀରେ ଧୀରେ ମିନା କାଉଚ୍ ଆଡକୁ ଚାଲୁଥାଏ । ଲେହେଙ୍ଗା ବୋଧ ହୁଏ ବହୁତ ଭାରି ଥିଲା । ଟେକି ଟେକି ଚାଲୁଥିଲା ମିନା ।
ଫଟୋ ଉଠାଳି ଓ ଭିଡ଼ିଓ କ୍ୟାମେରା ଵାଲା ମିନାକୁ ବିଭିନ୍ନ ଅଙ୍ଗଭଙ୍ଗୀରେ ଠିଆ କରାଇ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥାନ୍ତି ।
ବେଦୀ ପାଖରେ ଏପଟ ସେପଟ ହେଉଥିବା ଗୌରୀ ବାବୁଙ୍କ ଦୃଷ୍ଟି ମିନା ଉପରେ ପଡ଼ିଲା । ମିନାକୁ ବହୁ ବେଶରେ ଦେଖି ଭିତରୁ ଖୁସି ହେଉଥାନ୍ତି । ମନେ ମନେ ବୋଧେ ଭାବୁଥାନ୍ତି....
ଯାହା ହେଉ ମୋର ଦୁଇ ଦୁଇଟା ଝିଅ ବାହାଘର ହୋଇଗଲେ ।
କାରୁବାକି ଦେବୀ ବୋଧହୁଏ ସ୍ୱାମୀଙ୍କ ଅନ୍ତର ଭାଷାକୁ ଶୁଣିପାରିଲେ ।
ସ୍ୱାମୀଙ୍କ ପାଖକୁ ଯାଇ ଧୀରେ କହିଲେ ..
-ହଁ ଏବେ ଜିନାର ପାଳି ଆସିବ । ତା ପରେ ଆମେ ବୁଢା ବୁଢ଼ୀ ଦୁଇ ପ୍ରାଣୀ ଏକଲା ହୋଇଯିବା ।
-ନାଇଁ ନାଇଁ ...ଏକଲା କାହିଁକି । ହେନାର ଝିଅ ଗୁଡ଼ି ତ ଆମ ପାଖରେ ଆସି ରହିବ । ତାର ସ୍କୁଲ ,କଲେଜ ସବୁ ଏଇଠି ହେବ ।
-ହଁ ମନେ ମନେ ଗୁଡ଼ ଖାଉ ଥାଅ । ଗୁଡି କେଉଁଠି ପଢିବ ତାର ବାପା ମା ସ୍ଥିର କରିବେ । ତୁମେ ନୁହଁ !!!!
ବାପା ମିନା ଆଡକୁ ଆସୁଥାନ୍ତି ।
ମିନା ମୁହଁ ତଳକୁ କରିଦେଇ ଥାଏ । ଗୋଟା ପୁଣି ଥରୁଥାଏ । ତା ହାତ ପାପୁଲିକୁ ଦୁଇ କାନ୍ଧ ଉପରକୁ ବାରମ୍ବାର ନେଉଥାଏ ।
ଗୌରୀ ବାବୁ ତାହା ଲକ୍ଷ କରୁଥିଲେ । ଏଇଟା ଏମିତି କାହିଁକି ହାତ ପାପୁଲିକୁ କାନ୍ଧକୁ ନେଉଛି ଆଉ ତଳକୁ କରୁଛି ।
ଆଉ ଟିକେ ପାଖକୁ ଆସିଲେ ।
ତାଙ୍କ ମୁହଁରୁ ରାଗମିଶା ବିରକ୍ତିଭାବ ଦେଖାଯାଉଥାଏ ।
ଜୋରରେ ଚିଲ୍ଲାଇ ଡାକିଲେ...
-ଜିନା .....!!!!!
-ଆ ...ଆ ....ଆ... ଆଜ୍ଞା ବାପା ।
-ମିନା ପାଇଁ ଏ କାନ୍ଧଚିରା ଡ୍ରେସ ତୁ ଆଣିଛୁ ଭୁବନେଶ୍ୱରରୁ ।
-ହଁ ...ଅଁ ଅଁ ..ବାପା ।
-ତୁମ ମାନଙ୍କ ମୁଣ୍ଡରେ ସବୁ କଣ ଚାଲିଛି !!!!ମୁଁ ବୁଝି ପାରୁନି ।
ଯା ଜଲ୍ଦି ଏ ଡ୍ରେସ ବଦଳି ଆସିବୁ ।
-ଆଉ କିଛି ଡ୍ରେସ ନାହିଁ ବାପା । ଏଇଟା ହିଁ ଥିଲା ।
-ଚୁପ୍ ରହ ତୁ । । ମୁଁ ଜିନାକୁ ପଚାରୁଛି ।
-ବାପା କଥା କଣ କି ଖରାଦିନ ତ ସେଥିପାଇଁ ଟିକେ ପବନ ବାଯିବ ବୋଲି ଏଇ ଡିଜାଇନ୍ ଟା ଆଣିଲି ।
-ଆଛା ...ମୋତେ ବୁଦ୍ଧି ଶିଖାଉଛୁ ।
କାରୁବାକି ଦେବୀ ପାଟି ଶୁଣି ମଝିରେ ପଶିଗଲେ ।
-କାହିଁକି ଆଜିଭଳି ଦିନଟାରେ ଏମିତି ଗରଗର ହେଉଛ ଯେ ଝିଅ ଗୁଡାଙ୍କ ଉପରେ?? ଡ୍ରେସ୍ ଟା ତ ବହୁତ ସୁନ୍ଦର ମାନୁଛି ମିନାକୁ ଖାଲି କାନ୍ଧ ଦୁଇ ପାଖ ଟିକେ କଟା ଡିଜାଇନ ହୋଇଛି ।
ତୁମ ଝିଅର ତ ଜ୍ୱର ,ଥଣ୍ଡା ସବୁବେଳେ ତାକୁ ଇଞ୍ଜେକ୍ସନ ନେବାକୁ ସୁବିଧା ହେବ ଏ ଡ୍ରେସରେ ।
-ଓଃ ତାହେଲେ ମା ଝିଅ ତିନି ଜଣ ସାମିଲ୍ ଏ କାରସାଦିରେ ।
ଗୌରୀ ଶଙ୍କର ବାବୁ ବିରକ୍ତି ହୋଇ ଚାଲିଗଲେ ...
ମିନା ମନ କଇଁଆ ପତ୍ର ଚୋବାଇଲା ପରି ଖଟା ହୋଇଗଲା ।
ଆଉ ସେମିତି ହସ ନଥିଲା ତା ଓଠରେ ।
ଭାବିଲା ମୁଁ ଶାଶୁଘରକୁ ଚାଲିଯିବି ବୋଲି ବୋଧେ ବାପା ବେଶୀ କିଛି କହିଲେ ନାହିଁ । ଜିନା ଆଉ ମାକୁ ଦାୟୀ କରି ଗାଳି କଲେ ।
ପଛରୁ ଜିନା ମିନାକୁ କୁଣ୍ଢେଇ ପକେଇ ପିଚ୍ କିନା ହସିଦେଲା ।
ମିନା କାନ୍ଦ କାନ୍ଦ ହୋଇ କହିଲା ...ମୋ ପାଇଁ ତୁ ବାପାଙ୍କ ଠୁ ଗାଳି ଶୁଣିଲୁ ନା ।
-ଆରେ ନାହିଁ ୟାର ,ମୁଁ ଜାଣିଥିଲି ଏମିତି କିଛି ହେବ । ହେଲେ ତୋର ଇଚ୍ଛାଟା ତ ପୂରଣ ହୋଇଗଲା ।
ସମସ୍ତେ ମଣ୍ଡପ ଦ୍ୱାର ନିକଟକୁ ଗଲେ । ବର ପହଞ୍ଚି ସାରିଥିଲା ବୋଧହୁଏ । ବରଯାତ୍ରୀ ମାନେ ମଣ୍ଡପ ଆଗରେ ଶେଷଗୀତ "ଆଜି ଆମ ସାଙ୍ଗ ବାହାଘର "ଗୀତରେ ଉନ୍ମୁକ୍ତ ନୃତ୍ୟ କରୁଥାନ୍ତି । ବର ଯାତ୍ରୀଙ୍କ ସାଙ୍ଗରେ ବର ପକ୍ଷରୁ ଅନେକ ସ୍ତ୍ରୀଲୋକ,ଛୋଟ ,ବଡ଼ ଝିଅ ମଧ୍ୟ ନାଚୁଥିଲେ । ଲାଇଟ୍ ବୋଧେ ଗୌରୀ ଶଙ୍କର ବାବୁଙ୍କ ଚଷମା ଉପରେ ପଡି ଝଲସି ଉଠିଲା ।
ସେ ଟିକେ ଚଷମା ତଳକୁ କରି ଦେଖିଲା ବେଳକୁ ନୃତ୍ୟରତା ଅନେକ ଝିଅ ଓ ସ୍ତ୍ରୀଲୋକଙ୍କ ବ୍ଲାଉଜ ଓ ଡ୍ରେସ୍ ର୍ ଉପର ଭାଗର ଡିଜାଇନ୍ ମିନାର ଲେହେଙ୍ଗା ଉପର ଭାଗର ଡିଜାଇନ ଭଳି ହୋଇଛି ।
ମାନେ ଇଞ୍ଜେକ୍ସନ ଦିଆ ଡିଜାଇନ୍ ।
ଗୌରୀବାବୁ ବୋଧେ ବୁଝିଗଲେ ଆଜିକାଲି ଏମିତି ପୋଷାକ ଡିଜାଇନ୍ ଜୋରଦାର ଚାଲିଛି ଓ ଏହାକୁ ସମସ୍ତେ ସହମତି ଦେଇ ସାରିଲେଣି । ମୁଁ ଅଯଥାରେ ଭାବୁଥିଲି "ମିନା" ଏକୁଟିଆ ପିନ୍ଧିବାର ସମସ୍ତେ ଦେଖି ଖରାପ ଭାବିବେ ।
ସ୍ମିତ ହସ ଟିକେ ମୁହଁରେ ରଖି ମଣ୍ଡପ ଭିତରକୁ ପଶିଗଲେ ଗୌରୀ ବାବୁ ।
ତାଙ୍କର ସେ ହସକୁ ଦେଖି ମିନାର ଯେମିତି ଡେଣା ଲାଗିଗଲା.....