Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sanjaya Ananda Kumar Tripathy

Comedy

4.3  

Sanjaya Ananda Kumar Tripathy

Comedy

ଇଂରାଜୀ ପ୍ରେମ

ଇଂରାଜୀ ପ୍ରେମ

4 mins
140


ଇଂରାଜୀ ପ୍ରେମ

ଆଜିକାଲି କଥା ହେଲାବେଳେ ଇଂରାଜୀ ଶବ୍ଦ ପ୍ରୟୋଗ କରିବା ଏକ ସାଧାରଣ କଥା ହୋଇଗଲାଣି । ଶବ୍ଦର ଅର୍ଥ ଜାଣି ନ ଜାଣି ପ୍ରୟୋଗ କରିବା ବେଳେ ଅସୁବିଧା ସୃଷ୍ଟି କରିଥାଏ । ଇଂରାଜୀ ଶବ୍ଦ ପ୍ରୟୋଗ କରିବାରେ ଆମର ଓଡ଼ିଆ ଚାନେଲ୍‌ର ସମ୍ବାଦ ପାଠକ/ପାଠିକା ବାଦ୍ ପଡୁନାହାନ୍ତି । ଏଇ ଦେଖନ୍ତୁ, ମୁଁ ଆଗ ବାକ୍ୟରେ ଚାନେଲ୍ ଶବ୍ଦ ଲେଖିଛି । ମୁଁ ସ୍ୱୀକାର କରୁଛି ଅନ୍ୟ ଭାଷା ପ୍ରତି ଆଗ୍ରହ ଦେଖାଇବା ଖରାପ କଥା ନୁହେଁ କି ଯେଉଁଠି ଇଂରାଜୀ ଶବ୍ଦର ଓଡ଼ିଆ କହିଲେ ଜଣେ ବୁଝିପାରିବ ନାହିଁ ସେଠାରେ ଇଂରାଜୀ ଶବ୍ଦ ପ୍ରୟୋଗ କରିବା ଖରାପ କଥା ନୁହେଁ । ମାତ୍ର ଶବ୍ଦର ଅର୍ଥ ନଜାଣି ଜବରଦସ୍ତ ପ୍ରୟୋଗ କରିବା ତଥା ସମାନ ଶବ୍ଦ ଥିବା ଅର୍ଥକୁ ବାରମ୍ବାର ଲେଖିବା ଲଜ୍ଜାଜନକ କଥା । ମୁଁ ଏଠାରେ କେତେକ ସତ କଥା ଉପସ୍ଥାପନ କରୁଛି ଯାହାଦ୍ୱାରା ଏପରି ଶବ୍ଦ ପ୍ରୟୋଗରେ କି ପ୍ରକାର ପରିସ୍ଥିତି ସୃଷ୍ଟି ହୁଏ ସହଜରେ ବୁଝିପାରିବେ ।

ଜଣେ ସମ୍ଭ୍ରାନ୍ତ ବଂଶର ମହିଳା ଟ୍ରେନ୍‌ରେ ଯାତ୍ରା କରୁଥିଲେ । ସେ ଓଡ଼ିଆ ହେଲେ ମଧ୍ୟ ତାଙ୍କର କଥାରେ ଓଡ଼ିଆ ଓ ହିନ୍ଦୀ ମିଶାଇ କହୁଥିଲେ । ମହିଳା ଜଣକ ବାରମ୍ବାର ଛିଙ୍କୁଥିଲେ । ତାଙ୍କ ସାମ୍‌ନାରେ ବସିଥିବା ଜଣେ ଶିକ୍ଷିତା ଯୁବତୀ ପଚାରିଲେ “ଆର ୟୁ ସଫରିଙ୍ଗ୍ ଫ୍ରମ୍ କୋଲ୍‌ଡ୍ ।” ଉତ୍ତରରେ ମହିଳା ଜଣକ ସାଙ୍ଗେ ସାଙ୍ଗେ କହିଲେ “ନୋ, ନୋ, ଆଇ ଏମ୍ ସଫରିଙ୍ଗ ଫ୍ରମ୍ ରାଉରକେଲା ।”

ଗାଁରୁ ବାହାଘର ପରେ ଆସି ଭୁବନେଶ୍ୱରରେ ରହୁଥିବା ଅଳ୍ପ ଶିକ୍ଷିତା ମହିଳାଙ୍କ ଘରକୁ ଟିଉସନ ଶିକ୍ଷକ ଆସୁଥିଲେ । ତାଙ୍କ ଝିଅ ଇଂରାଜୀରେ ଭାରି ଦୁର୍ବଳ ଥିବା କଥା ଶିକ୍ଷକ ମହିଳାଙ୍କୁ କହିଲେ । ଦିନେ ସେ ଝିଅକୁ କହିଲେ “ଝିଅ, ସାର୍ କହୁଥିଲେ ତୋର ଇଂରାଜୀରେ ଭାରି ଖରାପ ହେଉଛି, ପ୍ରତିଦିନ ଇଂରାଜୀ ଶବ୍ଦ ଲେଖି ଶିକ୍ଷକଙ୍କଠାରୁ ‘କରପ୍‌ସନ୍‌’ କରାଇନେବୁ ।”

ସେହିପରି ଗୋଟିଏ ବିଭାଗରେ ନୂଆ ଚାକିରୀରେ ଯୋଗ ଦେଇଥିବା ସହାୟକ ଦିନେ ଅଡୁଆରେ ପଡିଗଲେ । ସେଦିନ ଜଣେ କର୍ମଚାରୀ ନେତା ଆସି ପଚାରିଲେ “ଆମର ଓମ୍‌ଫେଡ୍ ଏଡ୍‌ଭାନସ୍ କଥା କେତେ ଦୂର ଗଲା ?” ସହାୟକ ଜଣକ ଆଁ କରି ଚାହିଁ ରହିଲେ । ପରିସ୍ଥିତି ସମ୍ଭାଳିବାକୁ କହିଲେ put up କରିଦେଇଛି । ପରେ ବଡବାବୁଙ୍କ ଠାରୁ ବୁଝିଲେ ଯେ ସେ ଲୋକ ଓମ୍‌ଫେଡ଼୍ ନୁହେଁ - ମୋପେଡ୍ ଏଡ୍‌ଭାନସ୍ କଥା କହୁଛି । ସାଙ୍ଗେ ସାଙ୍ଗେ ଫାଇଲ୍ ଖୋଲି କାମ ବଢେଇଦେଲେ ।

ଗୋଟିଏ କଲେଜରେ ରସାୟନ ବିଜ୍ଞାନ ବିଭାଗରେ ଜଣେ ଅଧ୍ୟାପକ ଚାକିରୀ କରୁଥାନ୍ତି । ଥରେ ତାଙ୍କର ଜଣେ ବନ୍ଧୁ ତାଙ୍କ ପାଖକୁ ଆସିଲେ । ବିଜ୍ଞାନ କୋଠାରେ ଥିବା ଜଣେ କର୍ମଚାରୀଙ୍କୁ ପଚାରିଲେ, କେମେଷ୍ଟ୍ରି ବିଭାଗ କେଉଁଠି ଅଛି ? “ଏଠି କେମେଷ୍ଟ୍ରି ବିଭାଗ କିଛି ନାହିଁ । ବନ୍ଧୁ ଜଣକ ଅବାକ୍ ହୋଇଗଳେ । କାରଣ ଠିକ୍ କଲେଜର ବିଜ୍ଞାନ କୋଠାରେ ସେ ପହଞ୍ଚିଥିଲେ । ଆଉ ଥରେ ସେ ପଚାରିଲେ ଚୌଧୁରୀ ସାର୍‌ଙ୍କ ରୁମ୍ କେଉଁଠି କହିବ ? ସାଙ୍ଗେ ସାଙ୍ଗେ ଉତ୍ତର ମିଳିଲା “ଓଃ ! ଚେମେଷ୍ଟ୍ରି ବିଭାଗର ଚୌଧୁରୀସାର୍‌, ତାଙ୍କର ରୁମ୍ ଆଗରେ ପଡିବ କହି ଅଙ୍ଗୁଳି ନିର୍ଦ୍ଦେଶ କଲେ । ବଂଧୁଜଣକ ଚୁପ୍ ହୋଇ ଆଗେଇଗଲେ ।

କିନ୍ତୁ ଯାହା ବି ହେଉନା କାହିଁକି ଇଂରାଜୀ ଭାଷାର ଦୁଇଟି ଅମୂଲ୍ୟ ଶବ୍ଦ ଆମ ସମାଜରେ ଜବରଦସ୍ତ ପଶିଗଲାଣି । ଶବ୍ଦ ଦୁଇଟି ହେଉଛି ‘ସରି’ ଓ ‘ଥ୍ୟାଙ୍କସ୍‌’ । ଏଇ ଦୁଇଟି ଶବ୍ଦର କୌଣସି ଲକ୍ଷ୍ମଣରେଖା ନାହିଁ । ଆପଣ ଜଣେ ଲୋକର ହାତଗୋଡ଼ ଭାଙ୍ଗି ଦିଅନ୍ତୁ, ଜଣକୁ ଚାକିରୀରୁ ବାହାର କରି ଦିଅନ୍ତୁ, ମାତ୍ର ଶେଷରେ ‘ସରି’ କହିଦେଲେ ସବୁ ଅପରାଧ ସାବୁନ୍‌ରେ ଧୂଳି ସଫା ହେଲା ଭଳି ହୋଇଯିବ । ସେହିପରି ଜଣକର କାମ ପାଇଁ ଆପଣ ଜୀବନର ବାଜି ଲଗାଇ ଦିଅନ୍ତୁ କି ସରଗର ଚାନ୍ଦ ଆଣି ଦିଅନ୍ତୁ ସେ ଖୁସି ହୋଇ କହିବେ ‘ଥ୍ୟାଙ୍କସ୍‌’ । ସେତିକିରେ ସବୁ ସରିଗଲା । ସେ ପୁରା ଖୁସ୍ ଆଉ ଆପଣ ଫୁସ୍ ।

ସମାନ ଅର୍ଥ ଥିବା ଶବ୍ଦ ପ୍ରୟୋଗ ଅନେକ ଲୋକ କରିଥାନ୍ତି । ଷ୍ଟେସନ୍‌ରେ ଟିକେଟ୍ କାଟିଲା ବେଳେ ଜଣେ ଭଦ୍ରବ୍ୟକ୍ତି କହିଲେ, “କାଇଣ୍ଡଲି ପ୍ଲିଜ୍‌, ଧାଡି କରନ୍ତୁ ।” ସେହିପରି ଜଣେ ସାଙ୍ଗ କହିଲେ “ଇଟ୍ ଇଜ୍ ଏ ଟ୍ରୁ ଫ୍ୟାକ୍‌ଟ୍‌” । କଣ କହିବା ଖାଲି ଶୁଣିବା କଥା ।

ଅଫିସ୍‌ରେ ଚିଠି ଖୋଲାହେବା ପରେ ଡାକ ପ୍ୟାଡ୍‌ରେ ବଡ ସାହେବଙ୍କ ପାଖକୁ ଗଲା । ସାହେବ ଭାରି କାଏଦାର ଲୋକ । ଚିଠି ମାର୍ଜିନରେ ଯାହା କିଛି ହେଉ ଆଦେଶ ଦେବେ, ବରଂ ଚିଠିରେ କିଛି ବିଷୟ ନଥାଉ । ସେଦିନ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସାହେବ ଗୋଟାଏ ଚିଠି ମାର୍ଜିନ୍‌ରେ ଲେଖିଲେ put up at once, ଆଉ ଗୋଟାଏ ଚିଠିରେ ଲେଖିଲେ immediately in file, ତୃତୀୟ ଚିଠିରେ ଲେଖିଲେ put up immediately. ଚିଠିଟି ବଡବାବୁଙ୍କ ଟେବୁଲ୍‌ରେ ପହଞ୍ଚିଲା । ସାହେବଙ୍କ ଆଦେଶ ଦେଖି ବଡବାବୁ A ମାର୍କ କରି ଡାଇରୀକୁ ପଠାଇଦେଲେ । କହିବା ବାହୁଲ୍ୟ ଯେ ତିନୋଟି ଯାକ ଚିଠି ଜଣେ ଭାଇଙ୍କ ନାମରେ ଡାଇରୀ ହୋଇଥିଲା । ଡାଇରୀ ଖାତାଟି ଆଣି ପିଅନ ଟେବୁଲ୍‌ରେ ରଖିବା ପରେ ସେ ବିରକ୍ତ ହୋଇ ଦେଖିଲା ବେଳକୁ ସେ ଚମକି ଗଲେ । ମାର୍ଜିନରେ ଆଦେଶ ଥାଇ A ମାର୍କା ଚିଠି ଦେଖିଲେ ଟିକେ ଡରିବା କଥା । ଯାହା ହେଉ ସ୍ୱାକ୍ଷରଟି ଗାରେଇ ଦେଇ ଗ୍ରହଣ କଲେ । ତିନୋଟି ଯାକ ଚିଠିର ମାର୍ଜିନ ଆଦେଶରୁ କିଛି ବୁଝିପାରିଲେ ନାହିଁ । ସାଙ୍ଗେ ସାଙ୍ଗେ ବଡବାବୁଙ୍କ ପାଖକୁ ଗଲେ ଓ ଆଦେଶ ତିନୋଟିର ଅର୍ଥ ପଚାରିଲେ ଓ କିଏ ଆଗ, କିଏ ପଛ ଯିବେ ବୋଲି କହିଲେ । ବଡବାବୁ ବି ବୁଝିବାକୁ ନାରାଜ । କହିଲେ, ଆରେ ବାବା ଆଦେଶ ହୋଇଛି ମାନେ ତିନୋଟି ଯାକ ଛାଡିବାକୁ ପଡିବ । ଆଗ, ପଛ ନାହିଁ ପୂରା ସମାନ୍ତର ଭାବେ ପେଶ୍ କର । ବଡଲୋକଙ୍କୁ ଉତ୍ତର ନାହିଁ । କହିବା ବାହୁଲ୍ୟ ଚିଠିଗୁଡିକ ୩/୪ ପୃଷ୍ଠାର ଥିଲା । ଭାଇ ଯାହା ବୁଝିଲେ ଲେଖିଲେ ଓ ତିନୋଟି ଫାଇଲ୍ ତିଆରି ସାଙ୍ଗେ ସାଙ୍ଗେ ଦେଇଦେଲେ । ତେବେ ଶବ୍ଦର ଅର୍ଥ କ’ଣ ବଡ ସାହେବ ଜାଣିନାହାନ୍ତି ନା ଆଉ କ’ଣ ? ଯଦି ଜାଣିଛନ୍ତି ଉପଯୁକ୍ତ ଭାବରେ ପ୍ରୟୋଗ କରି ଆଦେଶ ଲେଖିବା କଥା ।

ଯାହାହେଉ, ଇଂରାଜୀ ପ୍ରେମ ତ ରହିଛି କ’ଣ କରିବା । ଇଂରେଜ୍ ଚାଲିଗଲେ, ମାତ୍ର ଇଂରାଜୀ ଛାଡିଗଲେ । ଆମେ ଇଂରାଜୀ ପ୍ରେମରେ କୁତୁକୁତୁ ହଉଛେ ଓ ଏଭଳି କେତେ ପରିସ୍ଥିତି ସୃଷ୍ଟି କରୁଛେ ।

               


Rate this content
Log in

More oriya story from Sanjaya Ananda Kumar Tripathy

Similar oriya story from Comedy