ହସ୍ତାନ୍ତର
ହସ୍ତାନ୍ତର
ମଲ୍ଲୀ ବୁଢ଼ୀର ବୟସ ସେତେବେଳେ ପ୍ରକୃତରେ କେତେ କେହି ଜାଣି ନଥିଲେ । ତାକୁ ପଚାରିଲେ କହିବ , କ'ଣ ମିଳିବଲୋ ଏ ନିଆଁ ଲଗା ବଅସରୁ ? ଯମ ଭସୁଆଁ , ଚାଞ୍ଚଖିଆ (ଗାଉଁଲି ଗାଳି ଯାହାର ଅର୍ଥ ଜଣାନାହିଁ) ର କଁ ମୋ କଥା ମନେ ପଡୁଛି । ପୁଣି କହିବ , ଚାରି କୋଡ଼ି ପାଞ୍ଚ , କି ଦଶ , କି ପାଞ୍ଚ କୋଡ଼ି ହେବ କେଜାଣିଲୋ ? ଯା , ସେ ରତନୀ ବୁଢ଼ୀକୁ ପଚାରିବୁ ସେ ମୋଠୁ ପାଞ୍ଚ ବରଷ ବଡ଼ । ତେବେ ଅନୁମାନ ଲଗେଇ କହି ହେବ, ମଲ୍ଲୀ ବୁଢ଼ୀର ବୟସ ନବେ ଉପରେ ହେବ । ବୁଢ଼ୀର ନାତି ନାତୁଣୀ ସଂଖ୍ୟା ଦଶ । ଝିଅ ରାଧାର ଚାରିରୁ ଦୁଇ ଝିଅ ଆଉ ଦୁଇଟି ପୁଅ । ପୁଅ କୁଶର ପାଞ୍ଚଟି ପୁଅ ଆଉ ଗୋଟିଏ ଝିଅ ।
ଗୋଟିଏ ବୋଲି ଅଲିଅଳି ଝିଅ ତେଣୁ ମାଆ ନିଜ ସ୍ୱର୍ଗବାସୀ ସ୍ୱାମୀ ଇଶ୍ୱରା ବୁଢ଼ା ଉପରେ ପ୍ରଭାବ ପକାଇ ପାଖ ଗାଁ ଖମଣରେ ବାହା ଦେଇଥିଲା । ପୁଅ କୁଶିଆ ନିଜର ବୁଦ୍ଧି ଆଉ ପରିଶ୍ରମ ବଳରେ ନିଜର ରେଡ଼ିମେଡ୍ ପୋଷାକ ବ୍ୟବସାୟରେ ସଫଳତା ପାଇ ନିଜର ଆର୍ଥିକ ଅବସ୍ଥା ସୁଦୃଢ କରିଥିଲେ ହେଲେ ଗୋଟିଏ ବୋଲି ପ୍ରାଣ ପ୍ରିୟା ଝିଅର ଭାଗ୍ୟରେ ବୋଧହୁଏ ଲେଖାଥିଲା ଅଭାବ ,ଅନଟନ ଆଉ ଦୁଃଖ । ଏଇଟି ମଲ୍ଲୀ ବୁଢ଼ୀ ଜୀବନର ଥିଲା ଏକ ମାତ୍ର ବଡ଼ ଦୁଃଖ ଯାହା ମୃତ୍ୟୁ ଯାଏଁ ରହିଥିଲା ।
ବଡ଼ ଭଉଣୀ , ଭିଣୋଇ , ଭଣଜା ଭାଣିଜୀ ମାନଙ୍କୁ ଯେତେ ପ୍ରକାର ଆର୍ଥିକ ଆଉ ମାନସିକ ସାହାଯ୍ୟ ଦେବା କଥା କୁଶ ଦେଇ ଆସିଛନ୍ତି ସର୍ବଦା । ହେଲେ ମାଆ ମନ ତ କେବେ ସନ୍ତୁଷ୍ଟ ହୁଏନି । ତେଣୁ ବୁଢ଼ୀ ଯଥା ସମ୍ଭବ ଲୁଚେଇ ଛପେଇ ଚୋରେଇ ଯାହା ପାଉଥିଲା ଦେଉଥିଲା । ବାଡ଼ିର ଶାଗ ପନିପରିବା ଠୁଁ ଆରମ୍ଭ କରି ଚାଉଳ ,କାଠ ଯାହା ସେ ଘରୁ ପାଏ ବୋହୂ କୁନ୍ତର ଆଢ଼ୁଆଳରେ ନେଇ ଦେଉଥିଲା । କୁନ୍ତର ବି ଛଅଟି ଛୁଆ ଆଉ ସେ ବି ଜଣେ ମାଆ ତା କେମିତି ସହିଥାନ୍ତେ ଏ ସବୁ ଜାଣିଲା ପରେ ? ହେଲେ ଶାଶୁ ଆଉ ସ୍ୱାମୀଙ୍କୁ ସେ ଡରୁଥିଲେ ତେଣୁ ମନେ ମନେ ଗେରେ ଗେରେ ହୋଇ ତାଙ୍କର ପାରୁ ଯାଏ ଚେଷ୍ଟା କରୁଥିଲେ ଶାଶୁ ଉପରେ ନଜର ରଖିବାକୁ । ଏଥିପାଇଁ ନିଜ ଛୁଆଙ୍କୁ ଗୁଇନ୍ଦା କାମରେ ନିୟୋଜିତ କରୁଥିଲେ ।
ମଲ୍ଲୀ ବୁଢ଼ୀର ବର୍ଷକ ବାର ମାସ ଆଉ ପ୍ରାୟତଃ ପ୍ରତ୍ୟେକ ଦିନ ମାଛ କି ଶୁଖୁଆ ନହେଲେ ନଚଳେ କିନ୍ତୁ ବୋହୂ ଥିଲା ଶାଶୁର ବିଲକୁଲ୍ ବିପରୀତ । ବାର ଓଷା ତେର ତୀର୍ଥ ସବୁ ଗୋଡ଼େଇ ଗୋଡ଼େଇ ପାଳୁଥିଲା । ହେଲେ ବି କରିବେ କ'ଣ ? ବାଧ୍ୟ ଆମିଷ ରୋଷେଇ କରିବାକୁ , ଶାଶୁ ବାଛିବୁଛା ଦିଏ ଆଉ ବୋହୂ ମୁହଁରେ ଲୁଗା ଚାପିଧରି ବାଡ଼ିପଟରେ ଥିବା ଏକ ସ୍ୱତନ୍ତ୍ର ଚୁଲିରେ ରାନ୍ଧୁଥିଲା ।
ମଲ୍ଲୀ ବୁଢ଼ୀ ବୋହୂ ଆଣିଲା ପରେ ଘରର ସବୁ କାମ ବୋହୂ ଉପରେ ନ୍ୟସ୍ତ କରି ଆରାମ୍ କରୁଥିଲା । କେବଳ ମାଛ ଶୁଖୁଆ ଶାଗ ବାଛେ ଆଉ ନାତି ନାତୁଣୀଙ୍କ ଉପରେ ନଜର ରଖେ ସେ ବି ଦୂରରୁ ଥାଇ କାରଣ ଛୁଆ ଧରିବା ଆଉ ଖେଳେଇବା କାମ ତାକୁ ଆଦୌ ପସନ୍ଦ ନଥିଲା । ସେ ଯାହା ହେଲେ ବି ନାତିନାତୁଣୀଙ୍କ ପ୍ରତି କିନ୍ତୁ ତା'ର ଦରଦ ଆଉ ମୋହ ଅହେତୁକ ଥିଲା । ଝିଅର ପୁଅ ଝିଅଙ୍କ ଉପରେ ଟିକିଏ ଅଧିକ ଥିଲା । ଦିନେ ଝିଅ ଆଉ ନାତି ନାତୁଣୀଙ୍କୁ ଦେଖି ନ ପାରିଲେ ତା' ମନ ଛଟପଟ ହୁଏ । ତେଣୁ ପ୍ରାୟତଃ ସବୁଦିନ ସକାଳେ କିମ୍ବା ସନ୍ଧ୍ୟାରେ ଝିଅ ଘରକୁ ଯାଉଥିଲା ଆଉ ସାଥିରେ କିଛି ନା କିଛି ନେଉଥିଲା । କିନ୍ତୁ ଦିନେ ହେଲେ କେବେ ବି ଝିଅ ଘରେ ପାଣି ଗିଲାସେ ପିଉ ନଥିଲା ।
ଘରକୁ ଯାହା ଆସୁଥିଲା ସେ ଝିଅ ଘର ପାଇଁ ପ୍ରଥମେ ସାଇତିବ ପୁଣି ବୋହୂ ଆଖିର ଆଢ଼ୁଆଳରେ ଲୁଚେଇ ଚୋରେଇ ଜିନିଷ ସବୁ ସଞ୍ଚିବ । ବୋହୂ ଗାଧୋଇ ଯାଇଥିଲେ ତରତର କରି ଡାଲି ଚାଉଳ , ଆଳୁ ପନିପରିବା ଯାହା ପାଇବ ଗୋଟିଏ ବ୍ଯାଗରେ ପୁରେଇ ତୁରନ୍ତ ପଡୋଶୀର କାହା ହାତରେ ଗୋଟିଏ ପଠେଇ ଦେଉଥିଲା ନହେଲେ ଲୁଚେଇ ରଖୁଥିଲା । ଯେବେ ବି ବଡ଼ ନାତି ହାତରେ ଚାଉଳ ବ୍ୟାଗ୍ ପଠେଇଲେ ତା ଭିତରେ ଆଳୁ ଡାଲି ମସଲା ଲୁଚେଇ ରଖୁଥିଲା । ନାତି କି ବାରମ୍ବାର କହୁଥିଲା ନାନି ଘରେ ବ୍ଯାଗଟି ଥୋଇ ଦେଇ ପଳେଇ ଆସିବୁ ଜମା ଢ଼ାଳିବୁନି । ଏପଟେ ମାଆ ପୁଅକୁ କହିଥିବ ପୁଅକୁ ବ୍ଯାଗଟା ନେଇ ଆସିବୁ କାରଣ ଯେବେ ବି କିଛି ପିଠାପଣା କି ପନିପରିବା ଚାଉଳ ଗଲା ବାସନ କି ବ୍ଯାଗ୍ ଆଉ ଫେରେ ନାହିଁ । ଶେଷରେ ମାଆ କଥା ମାନି ପୁଅ ବ୍ଯାଗ୍ ଢ଼ାଳି ଦେଇ ଜାଣିବାକୁ ପାଏ ମଲ୍ଲୀ ବୁଢ଼ୀ କାହିଁକି ମନା କରୁଥିଲା ।
ଘରକୁ କପଡ଼ା ବସ୍ତା ସବୁ ଆସେ , ଆଠଟା ସିଲେଇ ମେସିନ ପଡ଼ିଥିଲା । ଆଠଟା ପିଲା ପ୍ରତିଦିନ ଆସି କାମ କରୁଥିଲେ । ଛୋଟ ବଡ଼ କରି ପାଞ୍ଚ ନାତି ଆଉ ଏପଟେ ଆଠ ଟୋକା ସମସ୍ତେ ସବୁବେଳେ ଗଲା ଆସିଲା ବେଳେ ବୁଢ଼ୀ ସହ ବଗୁଲିଆମି କରୁଥିଲେ । ଦିନେ ବୁଢ଼ୀର ଗାଳି ନ ଶୁଣିଲେ ଯେମିତି ଦିନଟା ତାଙ୍କର ଭଲରେ ଯାଉ ନ ଥିଲା । ବୁଢ଼ୀଟା ତା' ନାତି ନାତୁଣୀକୁ ବାହାରର କାହା ସହ ବି ମିଶିବାକୁ ଦେବନି । ସବୁବେଳେ ମେସିନ୍ ଚଳୋଉଥିବା ପିଲାଙ୍କୁ ସେଇଥି ପାଇଁ ଗାଳିଦିଏ । ତା'ର ଦୃଢ଼ ବିଶ୍ୱାସ ଥିଲା , ଏ ବାଳୁଙ୍ଗା ଟୋକା ଗୁଡ଼ାକ ତା' ନାତିଙ୍କୁ ଖରାପ୍ କରିଦେବେ । ସାହିପଡ଼ିଶାରୁ କେହି ଯଦି ପିଲାଙ୍କ ଖେଳସାଥୀ ଆସିଲେ ବୁଢ଼ୀ ସେମାନଙ୍କୁ ଗାଳିଗୁଲଜ କରି ଗୋଡ଼ାଏ ତେଣୁ ବାହାର ଛୁଆ ଘରକୁ ଆସିବାକୁ ଡ଼ରୁଥିଲେ ।
ମଲ୍ଲୀ ବୁଢ଼ୀର କାନ ଆଉ ଆଖି ଏତେ ତୀକ୍ଷ୍ଣ ତାହା ସହ ନିଦ ତା'ର ଏତେ ପତଳା ଥିଲା ଯେ ନ ଦେଖିବା ଲୋକ ବିଶ୍ୱାସ କରିବେନି । ବୁଢ଼ୀ ପିଣ୍ଡାରେ ପିଠିଟିକୁ କାନ୍ଥରେ ଆଉଜି ଢୋଳାଉ ଥିବାବେଳେ ଜଣେ ଯେତେ ଧିରେ ଯାଆନ୍ତୁ ନା କାହିଁକି ସେ ସେଇମିତି ଆଖି ବନ୍ଦ କରି ପିଲାଟିର ନାଁ ଧରି ଡାକି କହିବ , ହଇବେ ହେ ଟୋକା ! କୁଆଡ଼େ ଯାଉଛୁ ? ସାନ ନାତି ଗୁଡ଼ାକ ଖରାବେଳେ ଲକ୍ଷ୍ୟ ରଖିଥିବେ ବୁଢ଼ୀମା କେତେବେଳେ ଟିକିଏ ଶୋଇ ପଡ଼ିଲେ ସେମାନେ ଖସିଯାଇ ଖେଳିବାକୁ ଯିବେ ତେଣୁ ପାଦ ଚିପି ଚିପି ଦୁଇ ପାହୁଣ୍ଡ ପକେଇଥିବେ , ବୁଢ଼ୀ ସେଇମିତି ଆଖିବନ୍ଦ ଥାଇ କହୁଥିଲା ହେ ବାପୁନୁ ! କୁଆଡ଼େ ଯାଉଛୁରେ ଟୋକା ? ସେଠୁ ବୋହୂକୁ ଡ଼ାକ ଛାଡ଼ିବ ,ହେ ,କୁନ୍ତ ! ତୋ ବାରବୁଲା ଖରାବେଳିଆ ଛୁଆକୁ ନେଇ ସମ୍ଭାଳେ ।
ପୁଅ ପ୍ରାୟତଃ ଗଲାବେଳେ ମାଆକୁ , ତା ଶୁଖୁଆ , ମାଛ ଆଉ ପାନ ଖର୍ଚ୍ଚ ପାଇଁ ପାଞ୍ଚ ଦଶ ଦେଇ ଯାଆନ୍ତି । ସେହି ପଇସାରୁ ବୁଢ଼ୀ ସବୁବେଳେ ବଳକା ପଇସା ସଞ୍ଚୟ କରି ରଖେ । ଲୁଚେଇ ଚାଉଳ ବିକେ ପୁଣି ଯେଉଁ ବଡ଼ ବଡ଼ ଅଖାରେ କପଡ଼ା ଆସେ ତାକୁ ବି କାଖ ତଳେ ଜାକିଜୁକି ନେଇ ଶୁଖୁଆ ବେପାରୀଙ୍କୁ ଦେଇ ବଦଳରେ ଶୁଖୁଆ ଆଣେ । ଏପଟେ ପୁଅ ଠାରୁ ନେଇଥିବା ପଇସା ସବୁ ସଞ୍ଚିବ । ଶେଷରେ ସବୁ ପଇସା ନେଇ ଝିଅକୁ ଦେବ । ସବୁବେଳେ ଭଲ ଶାଢ଼ୀ ଦାବି କରିବ ହେଲେ କେବେ ବି ନୂଆ ଆଉ ଭଲ ଖଣ୍ଡିଏ ଶାଢ଼ୀ ପିନ୍ଧବ ନାହିଁ ସବୁ ନେଇ ଝିଅ ଆଉ ନାତୁଣୀକୁ ଧରେଇ ଦେବ ।
ବୁଢ଼ୀ ଥରେ ରାତିରେ ଝାଡ଼ା ଯାଇଥିଲା ପଡ଼ିଗଲା , ଗୋଡ଼ କିଛି ହୋଇ ନଥିଲା ସାମାନ୍ୟ ଫୁଲି ଯାଇଥିଲା । ବୋହୂ ଥରେ ଦୁଇଥର ଆୟୋଡ଼େକ୍ସ ଲଗାଇ ସେକ ଦେଲା ଠିକ୍ ହୋଇଯାଇଥିଲା । ହେଲେ ବୁଢ଼ୀ ଭାବିନେଲା ଆଉ ସେ ଚାଲି ପାରିବ ନାହିଁ । ଡାକ୍ତର ବି ଦେଖି କହିଲେ ସବୁ ଠିକ୍ ଅଛି ହେଲେ ବୁଢ଼ୀ ମହା ଜିଦଖୋର ଆଉ ଏକବୁଝା । ଯେତେ ତାକୁ ବାଡ଼ି ଧରେଇ ଚଲେଇବାକୁ ଚେଷ୍ଟା କଲେବି ସେ ଯମା ସହଯୋଗ କଲାନି । ଶେଷରେ ସେମିତି ଛାଡ଼ି ଦିଆଗଲା । ବୁଢ଼ୀ ଦିନବେଳା ବସି ବସି ଝାଡ଼ା ପରିସ୍ରା ଯାଏ ଆଉ ରାତିରେ ରଖା ଯାଇଥିବା ପାତ୍ରରେ କରେ , ପ୍ରତିଦିନ ବୋହୂ ତାକୁ ସଫା କରେ ।
ବୁଢ଼ୀର ଏହିପରି ଅବସ୍ଥା ଦୁଇ ବର୍ଷ ରହିଲା , ବୁଢ଼ୀ ଜୀବନରେ ଏ ଦୁଇ ବର୍ଷ ସବୁଠାରୁ ଦୁଃଖଦ ସମୟ ଥିଲା । ଏହା ନୁହେଁ କି ତା ପ୍ରତି କୌଣସି ଅବହେଳା କରାଯାଇଥିଲା । ହୁଏତ ନିଶ୍ଚୟ ବିରକ୍ତ ହୋଇ ଉଠିଥିଲେ ସମସ୍ତେ । ତା'ର ମୁଖ୍ୟ କାରଣ ସବୁବେଳେ ଝିଅ ଝିଅ ଝୁରି ହେବା । ଆଗ ଭଳି ସେ ଆଉ ନିତି ଝିଅ ଆଉ ନାତି ନାତୁଣୀଙ୍କୁ ଦେଖିପାରୁ ନଥିଲା । ଝିଅ ନିଜ ସଂସାରର ଦୁଃଖ ଧନ୍ଦାରେ ବ୍ୟସ୍ତ ତେଣୁ ସବୁଦିନ ମାଆ ପାଖକୁ ଆସିବା ଅସମ୍ଭବ ତଥାପି ଆଠଦିନରେ ଥରେ ଦୁଇଥର ଆସି ମାଆକୁ ଦେଖିଯାଏ ଆଉ କେବେ କେବେ ବିଳମ୍ବ ହୋଇଯାଏ । ଏପଟେ ବୁଢ଼ୀ ବ୍ୟସ୍ତ ବିବ୍ରତ ହୋଇଉଠେ , ଯିଏ ବି ବାହାରକୁ ବାହାରେ ତାକୁ କହିବ ମୋ ରାଧିକୁ ଟିକିଏ ଖବର ଦେବ ଆସି ଦେଖା କରିବ । ଯିଏବି ହାଟରୁ ଫେରିବ ପଚାରିବ ମୋ ରାଧି ସହ ଭେଟ ହୋଇଥିଲା କି ? ବୁଢ଼ୀର ଝିଅ , ଜ୍ୱାଇଁ ପିଲା ମାନଙ୍କୁ ନେଇ ବୁଢ଼ୀର ସେ ଦୁର୍ଘଟଣାର କିଛି ବର୍ଷ ପୂର୍ବରୁ ଗାଁ ଛକକୁ ଉଠି ଆସି ନୂଆ ଘର ତୋଳିଥିଲେ । ତେଣୁ ବୁଢ଼ୀ ସାହି ପଡ଼ିଶାର ଯାହାକୁ ବାହାରକୁ ଯିବାର ଦେଖେ ଡ଼ାକି କହିବ । ଏହି କାରଣରୁ ବୁଢ଼ୀ ଉପରେ ସମସ୍ତେ ବିରକ୍ତ ହେବାକୁ ଲାଗିଥିଲେ । ରାଧି ବି ବିରକ୍ତ ହୋଇ ଯିବା ଆସିବା କମେଇ ଦିଏ । ହେଲେ ଏସବୁକୁ ବୁଝିବାର ଶକ୍ତି ବୁଢ଼ୀ ହରାଇ ଥାଏ । ଅହ ରହ ସେ ରାଧି ରାଧି ଭଜି ହେଉଥିଲା ,ପିଣ୍ଢାରେ ବସି । ସିଲେଇ ମେସିନ ଚଳେଇବାକୁ ଆସୁଥିବା ପିଲାମାନଙ୍କୁ ଅଧିକ ନେହୁରା ହୁଏ । ପିଲାମାନେ ବିରକ୍ତ ବି ହୁଅନ୍ତି ତାସହ ଥଟ୍ଟା ତାମସା ବି କରନ୍ତି।
ଦିନେ ଆସି କିଏ ଜଣେ ବୁଢ଼ୀକୁ ଥଟ୍ଟା କରି କହିଲା କି ତୋ ରାଧିର ଗୋଡ଼ ଭାଙ୍ଗିଯାଇଛି । ବାସ୍ ବୁଢ଼ୀକୁ ଆଉ କିଏ ସମ୍ଭାଳେ ? ଯେତେ ବୁଝାଇଲେ ବି ରାଧିର କିଛି ହୋଇ ନାହିଁ ସେ ବିଲକୁଲ୍ ଠିକ୍ ଅଛି ବୁଢ଼ୀ ବୁଝିବାକୁ ନାରାଜ୍ । ନାତି ମାନଙ୍କୁ ଆଉ ମେସିନ୍ ଚଳୋଉଥିବା ପିଲାଙ୍କୁ ରଖେଇ ଥୋଇ ଦେଲାନି । ମୋତେ ଟିକିଏ ନେଇ ଚାଲ , ମୁଁ ମୋ ରାଧିକୁ ଦେଖିବି । ମୋ ଝିଅର କ'ଣ ହୋଇଛି କହି କାନ୍ଦି ଉଠେ । ବୁଢ଼ୀର ଏ ଅବସ୍ଥାକୁ କେହି ବି ଗମ୍ଭୀରତାର ସହ ନେଇ ନଥିଲେ ଓଲଟା ବୁଢ଼ୀ ସହ ମଜ୍ଜା କରି ତା'ଠାରୁ ଗାଳି ଶୁଣି ହସୁଥିଲେ । ଏଇମିତି ହୋଇ ହୋଇ ତିନିଟା ବାଜିଗଲା ବୁଢ଼ୀ ଠିକ୍ ସେ ବି ଖିଆ ପିଆ କଲାନି । ବୋହୂ କହିଲେ , ହୋଉ ତୁମ ପୁଅ ବ୍ୟାପାରରୁ ଫେରନ୍ତୁ କିଛି ବ୍ୟବସ୍ଥା କରିବେ । ତଥାପି ବୁଢ଼ୀ ମାନିବାକୁ ନାରାଜ । ବୋହୂ ବିରକ୍ତ ହୋଇ ଚାଲି ଗଲେ ବିଶ୍ରାମ ନେବାକୁ । ଧୂମ୍ ଖରା ଆଉ ଗରମର ଦିନ ସେବେ ।
ଏପଟେ ମୌକା ଉଣ୍ଡି ବୁଢ଼ୀର ବଡ ନାତି ଦୁଇଟା ଆଉ ମେସିନ୍ ଚଳାଇବା ପିଲାସବୁ ମିଶି ଏକ ଉପାୟ ପାଞ୍ଚିଲେ , ବୁଢ଼ୀକୁ କେମିତି ବୁହାଇ ନିଆ ଯାଇ ପାରିବ ? ଘରେ କୁଶ ନଥିଲେ ଏଇମିତି ମିରିଗ ନାଟ ଚାଲେ । ଟୋକା ସବୁ ମିଶି ଏକ ବଡ଼ ଗୋବର ବୁହା ପାଛିଆ ,ସିକା ଆଉ ଏକ ସବଳ ବାଉଁଶ ଯୋଗାଡ଼ କଲେ । ପାଛିଆଟିକୁ ମଝିରେ ଝୁଲେଇ ସେଥିରେ ଅଖା ଆଉ କନା ବିଛେଇ ଦେଇ ବୁଢ଼ୀକୁ ବସାଇ ଦେଲେ । ଏପଟେ ଦୁଇ ସେପଟେ ଦୁଇ କାନ୍ଧେଇଲେ । ବାକି ସବୁ ଆଗରେ ପଛରେ ରହିଲେ । ବୁଢ଼ୀକୁ ଉଠେଇ ସବୁ ମିଶି କହିଲେ ଚାଲ୍ ବୁଢ଼ୀ ରାଧିକୁ ଦେଖିବୁ , ବୁଢ଼ୀ ବି ପୁରା ଖୁସ୍ । ତା'ପରେ ସମସ୍ତେ ମିଶି ଏକ ସ୍ୱରରେ କହିବାକୁ ଲାଗିଲେ ,
ରାମ ନାମ ସତ୍ୟ ହେ !
ହରିନାମ ସତ୍ୟ ହେ !
ଏମିତି କହି କହି ବାରି ପଛ ପଟ ଦେଇ ଗାଁ ବାହାରେ ଥିବା ମଶାଣି ଆଡ଼େ ଚାଲିଲେ । ସାହି ପଡ଼ୋଶୀର ଲୋକେ ଏ ଦୃଶ୍ୟ ଦେଖି ହସି ହସି ବେଦମ୍ ! ବୁଢ଼ୀ ବୁଝିପାରୁ ନଥାଏ କ'ଣ ଚାଲୁଛି ? ଯେତେବେଳେ ଜାଣିଲା ବର୍ଷଣ ହେଲା କଟିସପା । ଚାଞ୍ଚଖିଆ , ଝାଡ଼ାବାନ୍ତିଆ ,ଅଳପାଇସା ମରିବେ ସବୁ ଅଧା ବୟସରେ । ଟୋକାଏ ସବୁ ସେଇମିତି ହସି ହସି ରାମ ନାମ ସତ୍ୟ ହେ ,ହରି ନାମ ସତ୍ୟ ହେ କହି କହି ସାହିରେ ଗୋଟାଏ ଘେରା ବୁଲାଇ ଆଣିଲେ ।
ଏପଟେ ଯୋଜନା ହିସାବରେ ରାଧିକୁ ଜଣେ ଯାଇ ଖବର ଦେଇ ଆସିଲେ ତୋ ମା'ର ଶେଷ ସମୟ ! ବେଗି ଆସେ । ଝିଅ ଉଠି ପଡ଼ି ଧାଇଁ ଆସିଲା । ମାଆ ଝିଅଙ୍କର ମିଳନ ହୁଏ ସାହି ମଝିରେ । ରାଧି ଦୂରରୁ ଦେଖି ସବୁ ବୁଝିଗଲା କି , ଏସବୁ ଟୋକାଙ୍କ ଦୁଷ୍ଟାମୀ ସେ କାନ୍ଦି କାନ୍ଦି ଆସୁଥିଲା ଏବେ ଏ ଦୃଶ୍ୟ ଦେଖି ସେ ବି ହସ ସମ୍ଭାଳି ପାରିଲା ନାହିଁ । ତଥାପି ବୁଢ଼ୀ ନିଶ୍ଚିତ ହେବା ପାଇଁ ଝିଅର ଗୋଡ଼ ଦ୍ୱୟକୁ ଛୁଇଁ ଦେଖି ପରଖି ନେଲା । ତା'ପରେ ପୁଣି ବରଷିବାକୁ ଲାଗିଲା ଗାଳି ।
ବୁଢ଼ୀର ଶେଷ ସଞ୍ଚିତ ସମ୍ୱଳ ଥିଲା କେତେ ଶହ ଟଙ୍କା । ତାକୁ ସେ ବଡ଼ ଯତ୍ନରେ ଗୋଟିଏ ମୁଣି ଭିତରେ ରଖିଥିଲା ଆଉ ମୁଣିକୁ ତକିଆ ଭିତରେ । ରାତିରେ ସମସ୍ତେ ଶୋଇଲା ପରେ ଥରେ ସେ ମୁଣିରୁ ପଇସା କାଢ଼ି ଭଲଲାଗେ ଗଣିନିଏ । ବଡ଼ ନାତି ଟୋକାର ନଜର କେମିତି ପଡ଼ିଗଲା । ବୁଢ଼ୀ ଗାଧୋଇ ଗଲାବେଳେ ଚୁପ୍ କରି କାଢ଼ି ଆଣିଲା । ରାତିରେ ବୁଢ଼ୀ ଯେବେ ଦେଖେ ମୁଣି ନାହିଁ ବାସ୍ ! ଚିଲେଇବାକୁ ଲାଗିଲା ଆରେ କିଏ ଅଛରେ ଉଠି ଆସ ! ଚାଞ୍ଚଖିଆ ମୋର ସବୁ ଲୁଟି ନେଲାରେ... । ପୁଅ , ବୋହୂ ,ନାତି ନାତୁଣୀ , ସାହିପଡିଶାର ଲୋକେ ବି ରୁଣ୍ଡ ହେଲେ । କି ପଇସା , କି ଚୋର ? ବୁଝୁ ବୁଝୁ ନାଟ ଲଗେଇଛି ଦେବନୁ ,ସବା ବଡ଼ ନାତି । ସଭିଏଁ ହସି ହସି ବେଦମ୍ । ପିଲାଟିକୁ ଖାଲି ନାଲି ଆଖି ଦେଖେଇ ବାପା ଛାଡ଼ି ଦେଲେ , ମାରି ପାରିଲେ ନାହିଁ କାରଣ ସେ ନିଜେ ହସ ବଡ଼ କଷ୍ଟରେ ଚାପି ରଖିଥିଲେ ।
ନୂଆ ବର୍ଷର ପୂର୍ବ ଦିନ ବୁଢ଼ୀର ଅତି ପ୍ରିୟ ଇଲିସି ମାଛ ଝୋଳ ହେଇଥିଲା । ଝିଅ ରାଧି ବି ଆସିଥିଲା । ମା ଝିଅ ମିଶିକି ଦୁହେଁ ଖାଇଲେ, ଦୁଃଖସୁଖ ବହେ ହେଲେ । ବୁଢ଼ୀ ଏକାନ୍ତ ପାଇ ନିଜ ତକିଆରୁ ମୁଣିଟି କାଢ଼ି ଝିଅକୁ ହସ୍ତାନ୍ତର କଲା ,ନିଜ ନାକ ଫୁଲ ଆଗରୁ କାଢ଼ି ରଖିଥିଲା ଦେଲା । ଝିଅର ମନା କରିବା ସତ୍ତ୍ୱେ ତା'ର ଶେଷ ସଞ୍ଚିତ ସମ୍ୱଳ ସବୁ ଝିଅକୁ ଧରାଇ ଦେଲା । ମଲ୍ଲୀ ବୁଢ଼ୀ ଝିଅର ମୁହଁକୁ ସ୍ନେହରେ , ମୋ ମାଲୋ ଧନଲୋ କହି କାନିରେ ପୋଛିଦେଲା ତା ଲୁହ ଛଳଛଳ ଆଖିରେ । ଝିଅ ଆଖିରେ ବି ଲୁହ । ଝିଅର ସିଆଡେ କେତେ କାମ ଅଧିକ ବିଳମ୍ବ ହେଲେ ସ୍ୱାମୀ ଗାଳି ଦେବେ । ତେଣୁ ତାକୁ କହିଲେ , ମୁଁ ଯାଏଁ ଲୋ କାଲି ସକାଳେ ଆସିବି । ବୁଢ଼ୀ କହିଲା ରାଧି ଆଉ ଟିକିଏ ରହିଯା ! ମାଆ ତ ସବୁବେଳେ ଏମିତି କୁହେ ତେଣୁ ବାରଣ ସତ୍ତ୍ବେ ଝିଅ ବିଦାୟ ନେଲା ।
ଝିଅ ଘରେ ପହଞ୍ଚିଛି କି ନାହିଁ ନାହିଁ ଖବର ଆସିଲା ମାଆ ଚାଲିଗଲା ! ରାଧି ରାଧି ହୋଇ ତା'ର ଶେଷ ନିଃଶ୍ୱାସ ତ୍ୟାଗ କଲା ।