Sachidananda Kar

Romance

4.5  

Sachidananda Kar

Romance

ହସଖୁସିର ପ୍ରତିବିମ୍ବ

ହସଖୁସିର ପ୍ରତିବିମ୍ବ

10 mins
217



          କିଛି କଥା କହିବାକୁ ଲାଜ।ତେଣୁ ସେ କହି ପାରୁ ନ ଥିଲା।


          ଦୁନିଆ ପ୍ରତି ତା' ମନ ଭିତରେ ଗୋଟେ ଖାତିର୍ ଓ ସମ୍ମାନ ଥିଲା।ନିଜ ପ୍ରତି ମଧ୍ୟ ଥିଲା ତା'ର ଯଥେଷ୍ଟ ଖାତିର୍ ଓ ସମ୍ମାନ।ତେଣୁ କାହା ସହିତ ଖୋଲାଖୋଲି ହୋଇ ପାରୁ ନ ଥିଲା।


          ବାସ୍ତବରେ ତାକୁ ଭାରି ଲାଜ ଲାଗୁଥିଲା।ପ୍ରେମ କଥା କହି ହୁଏନାହିଁ।ଧୋକା କଥା ବି କହି ହୁଏନାହିଁ।ଭାରି ଲାଜ ଲାଗେ।କେମିତି କହି ପାରିଥାନ୍ତା ସେ ?


          ପ୍ରେମରେ ଧୋକା ଖାଇଥିଲା ସେ।ପ୍ରାୟ ସାଢେ ଚାରି ବର୍ଷର ପ୍ରେମ ସଂପର୍କ ପରେ ମିତୁ ତାକୁ ଧୋକା ଦେଇ ଚାଲି ଯାଇଥିଲା।


          - " ଅରବିନ୍ଦ ! ଦେଖ ,ଏଇ ପ୍ରେମ କରିବା ବହୁତ ହୋଇଗଲା।ରେଭେନ୍ସାରେ ଆମେ ସାଥି ହୋଇ ବହୁତ ଉପଭୋଗ କଲେ।ପାଠ ପଢା ସରି ଆସିଲା।ଆଉ କେତେଟା ଦିନ ପରେ ଆମେ ନିଜ ନିଜ ଘରକୁ ଫେରିବା।ଏବେ ଟିକିଏ ଭବିଷ୍ୟତ ଉପରେ ଫୋକସ୍ ଦେବାକୁ ହେବ।ମତେ ଭୁଲ୍ ବୁଝିବନି।ମୁଁ ଆଉ ଏ ପ୍ରେମ ଫ୍ରେମରେ ମାତି ପାରିବିନି।ଏ ପ୍ରେମକୁ ଏବେଠୁ ଦୂରୁ ଜୁହାର।ତମକୁ ଯଦି ଏକା ଭଲ ନ ଲାଗିବ,ଆଉ କାହାକୁ ଧରିନେବ।ହ୍ୟାଣ୍ଡସମ୍ ଅଛ।ହା - ହା - ହା - ।ନଲେଜ୍ ଅଛି।କ୍ୟାରିଅର ଅଛି।ଭାବୁଛି ମିଳିଯିବେ। " ହଠାତ୍ ଦିନେ କହିଲା ମିତୁ।


         ଅରବିନ୍ଦ ଆଶ୍ଚର୍ଯ୍ୟରେ ମିତୁର ମୁହଁକୁ ଚାହିଁଲା।


         ଟିକିଏ ରହି ମିତୁ ପୁଣି କହିଲା - " ହଁ ..ମ,ସେଇ ଯୋଉ ଗୋରୀ ଝିଅଟା ସବୁବେଳେ ତମ ଉପରେ ପଡେ,ତମ ସହିତ କଥା ହୁଏ,ତାକୁ ଆଇ ଲଭ୍ ୟୁ କହିଦେବ।ସେ'ତ ଚାହିଁ ବସିଛି ବୋଧେ ତମକୁ।ସେଇ ସୋନାଲି ମ ! ଦେଖିନ କଥା କହିଲା ବେଳେ ସେ କେମିତି ତଳକୁ ମୁହଁ ପୋତିଥାଏ।ଲମ୍ବା ବେଣୀକି ଧରି ଝୁଲାଉଥାଏ।ଭଲ ହବ ସିଏ ତମ ପାଇଁ।ତମକୁ ବି ଗୋଟେ ଲମ୍ବା ବେଣୀ ଝିଅ ମିଳିଯିବ।ତମର ତ ଲମ୍ବା ବେଣୀ ଝିଅ ପସନ୍ଦ ନା ! ହା - ହା - ହା - ।ମତେ ଭୁଲିଯିବ, ହେଲା ? "


         ମିତୁର ଏଇ କଥା ଶୁଣିବାବେଳୁ ଅରବିନ୍ଦ ଆଦୌ ସିରିଅସ୍ ନ ଥିଲା।ତାକୁ ଲାଗୁଥିଲା ଯେମିତି ମିତୁ ମଜା କରୁଛି।ତେଣୁ ମିତୁର ଏଇ କଥାଶେଷରେ ସେ ଫେଁ ଫେଁ ହସିଲା।କହିଲା - " ତମେ ସୋନାଲିକି ଜାଣ ତେବେ ? "


        ମିତୁ କହିଲା - " ଚେହେରା ତ ବହୁତ ଭଲ ଅଛି।ଭାରି ସୋବର୍ ଜଣା ପଡୁଛି।ବାପା କଲେଜ ଲେକଚରର୍।ଶିକ୍ଷକଙ୍କ ଝିଅମାନେ ସାଧାରଣତଃ ଏହିପରି ହୋଇଥାନ୍ତି।ତମେ ଯେମିତି କହୁଛ,ହା - ହା - ହା - ମୁଁ ଜାଣିବିନି କେମିତି ?ଭଲ ହବ।ତମର ତ ଲାଇଫ୍ ବନିଯିବ ଜାଣ।ଲାଜକୁଳୀ ସ୍ବଭାବର ଝିଅମାନେ ସୁଗୃହିଣୀ ହୋଇପାରନ୍ତି।ପାଞ୍ଚ ପଦରେ ପରା ପଦେ କଥା ସେମାନଙ୍କ ପାଟିରୁ ବାହାରେ ନାହିଁ। "


         ଅରବିନ୍ଦକୁ ପୁଣି ହସ ମାଡିଲା।ସେ ଇଷତ୍ ହସିଦେଇ କହିଲା - " ଦେଖୁଛି ତମର ବହୁ ଅଭିଜ୍ଞତା ରହିଛି।ବହୁତ କଥା ଜାଣିଛ ତମେ।ହେଲେ ଆଜି କାହିଁକି ତା' କଥା ଏତେ ଜୋର୍ ଦେଇ କହୁଛ ଜାଣିହେଉନି। "


         - " କହିବିନି ? ଆହୁରି କହୁଛି ଶୁଣ।ସିଏ ବି ମନେମନେ ତମକୁ ଭଲପାଏ ଯେ ! ସକାଳର ଖରା ପରି ଏହା ସତ୍ୟ।ହେଲେ କହି ପାରେନାହିଁ।ଶିକ୍ଷକଙ୍କ ଝିଅମାନେ ସେପରି ହୋଇ ପାରନ୍ତିନି।କିନ୍ତୁ ସେମାନେ ବ୍ୟବହାରରେ ମନ ମୋହି ପାରନ୍ତି।ଦେଖୁନ କେମିତି ଲମ୍ବା ବେଣୀ ରଖିଛି।ତମେ କେତେଥର ମତେ ବେଣୀ ବଢାଇବାକୁ କହିଛ।ହେଲେ ମୁଁ କ'ଣ ତାହା କରିପାରିଛି ? ବେଣୀ ଖାଲି ବଢାଇଲେ ହୁଏନି।ତାକୁ ମେଣ୍ଟେନ୍ କରିବାକୁ ପଡେ।ଲମ୍ବା ଚୁଟିକୁ ମେଣ୍ଟେନ୍ କରିବା ଏତେ ସହଜ ନୁହେଁ ମ।ମୋ ପାଖରେ ଏତେ ସମୟ କାହିଁ ? ମୁଁ ମୋ କ୍ୟାରିଅର,ଫିଉଚର୍ ଦେଖିବି ନା ବେଣୀ ସମ୍ଭାଳିବି ? " ମିତୁ କହିଲା।


           - " ଓ ....! ଏତେ କଥା ! ସତରେ ନା କ'ଣ ? " ଖୁବ୍ ହାଲୁକା ଭଙ୍ଗୀରେ ଅରବିନ୍ଦ କହିଲା।


           - " ଆଉ ....! ସିଏ ଖାଲି ଗୋଟେ ନାଆଁକୁ ପାଠ ପଢୁଛି।ବାପା ବାହା କରିଦେଲେ କୋଉଠି କୋଉ ଘରକଣରେ ରହି ରୋଷେଇ କରିବ।ଛୁଆ ସମ୍ଭାଳିବ।ଅତି ବେଶୀ ହେଲେ ତା' ବାପା ଯଦି ତାକୁ ରଖେଇ ଦବ,କୋଉ ପ୍ରାଇଭେଟ୍ କଲେଜରେ ଓଡ଼ିଆ ଅଧ୍ୟାପିକାଟିଏ ହବ।କଲେଜରୁ ଭାତିଆ ନେଇ ଖଟିବ।ପିଏଚ୍.ଡି.କରିବ ଇତ୍ୟାଦି ଇତ୍ୟାଦି।କବିତା ଫବିତା ଲେଖିପାରେ।ତମ ପାଇଁ ଭଲ ହବ।ତମେ ତ କହିପାରିବ ମୋ ମିସେସ୍ ଅଧ୍ୟାପିକା ଅଛନ୍ତି।ସେ କବିତା ଲେଖନ୍ତି।ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ କବିତା ବାହାରେ।ଏସବୁ ତ ସେତେବେଳେ ଗର୍ବର କଥା ହବ। " ମିତୁ କହିଲା।


         ଅରବିନ୍ଦ ଆଉ ହସି ପାରିଲାନି।ସୋନାଲିକୁ ଜାଣେ ସେ।ଶରତ ଆକାଶର ଜହ୍ନ ପରି ସେ ସ୍ବଚ୍ଛ।ଗଙ୍ଗା ପରି ପବିତ୍ର।ତା'ର ଅନ୍ତର ତଳେ ଖେଳୁଥାଏ ଗୋଟେ ଅସ୍ପଷ୍ଟ ମଧୁର ଗୁଞ୍ଜନ।ଭଲଲାଗେ ସେ।ଏବେ ମିତୁର କଥା ସବୁ ନିଜ ଭିତରକୁ ନେବା ପରେ ଅରବିନ୍ଦ ମନରେ ତା' ପ୍ରତି ଭଲପାଇବା ଆହୁରି ବଢିଗଲା।ତା' କଥା ମନେପଡିଲା।ତା'ର ସୁନ୍ଦର ଲାଜ ଲାଜ ମୁହଁଟି ଆଖି ଆଗରେ ନାଚିଲା।


         - " ସୋନା ! କ'ଣ ତୁମ ସ୍ବପ୍ନ ? ଓଡ଼ିଆରେ ପି.ଜି.କରୁଛ ? " ଦିନେ ତାକୁ ପଚାରିଲା ସେ।


          ସୋନାଲି କହିଲା - " ଓଡ଼ିଆ ଭାଷା ସାହିତ୍ୟ ପ୍ରତି ମୋର ଦୁର୍ବଳତା ଆରମ୍ଭରୁ।ଗପ,କବିତା, ଉପନ୍ୟାସ ପଢିବାକୁ ଭଲପାଏ।ସ୍ବପ୍ନ କିଛି ନାହିଁ।ଯଦି ସୁଯୋଗ ପାଏ କୋୖଣସି କଲେଜରେ ଅଧ୍ୟାପନା କାର୍ଯ୍ୟ କରିବି ଭାବିଛି।ମୁଁ କ'ଣ ତୁମ ପରି ଏତେ ବ୍ରିଲିଆଣ୍ଟ ହେଇଛି ଯେ ଆଇ.ଏ.ଏସ୍., ଓ.ଏ.ଏସ୍. ହେବାକୁ ସ୍ବପ୍ନ ଦେଖିବି ! "


          ସେ କହିଲା - " ସବୁବେଳେ ନିଜ ସ୍ବପ୍ନ ସହିତ ରହିବା ଭଲ।ଆଉ କିଏ କ'ଣ ସ୍ବପ୍ନ ଦେଖୁଛି ତାକୁ ଅନୁକରଣ କରିବା ଭୁଲ୍।ତେଣୁ ତୁମ ସ୍ବପ୍ନ, ଭାବନା, ଚିନ୍ତାଧାରା ମତେ ଖୁବ୍ ଭଲ ଲାଗୁଛି।ବୋଧହୁଏ ସେଥିପାଇଁ ତୁମେ ମତେ ବହୁତ ଭଲ ଲାଗୁଛ। "


          ସୋନାଲି କହିଲା - " ମିତୁଙ୍କୁ ସବୁବେଳେ ତୁମ ସାଙ୍ଗରେ ଦେଖେ।ତୁମେ ଦୁଇ ଜଣ ଭଲ ସାଙ୍ଗ ନା ? "


          ସେ କହିଲା - " ଆମର କଥା ଟିକେ ଆଗେଇ ଯାଇଛି।ନ ହେଲେ ଆମେ ଦୁଇ ଜଣ ମଧ୍ୟ ଭଲ ସାଙ୍ଗ ହୋଇ ପାରିଥାନ୍ତେ। "


         - " ଆଗେଇ ଯାଇଛି ମାନେ ......? " ସୋନାଲି ପଚାରିଲା।


         ସେ କହିଲା - " ଲାଗି ଲାଗି ତିନି ବର୍ଷ ସାଙ୍ଗ ହେବା ପରେ ଆମେ ପରସ୍ପରକୁ ଭଲକରି ଜାଣିଲୁ।ସେଇଠୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଲୁ।ସେ ମତେ ଭଲପାଏ।ମୁଁ ବି ତାକୁ ଭଲପାଏ।ଆମେ ଦୁହେଁ କଥା ଦିଆନିଆ ହୋଇସାରିଛୁ।ଦୁହେଁ ରାଜନୀତି ବିଜ୍ଞାନ ପଢୁଛୁ ବୋଲି ଆମର ଲକ୍ଷ୍ୟ ଓ ସ୍ବପ୍ନ ମଧ୍ୟ ଏକ ଅଛି।ଭାରି ଭଲ ଝିଅଟା ମିତୁ। "


          ସୋନାଲି କହିଲା - " ଦିନେ ଦିନେ ଦେଖେ ତୁମେ ଦୁହେଁ ବହୁତ କ୍ଲୋଜ୍ ହୋଇ ବସିଥାଅ।ବୋଧହୁଏ ସେଇ ସବୁ କଥା ହେଉଥାଅ।ମତେ ଏମିତି ଭଲ ଲାଗେ।ପରସ୍ପରକୁ ଉତ୍ସାହ, ପ୍ରେରଣା ଦେଲେ ଆଗକୁ ବଢିବାର ବାଟ ସୁଗମ ହୁଏ।ମତେ ବି ଭାରି ଭଲ ଲାଗନ୍ତି ସେ।ସୁନ୍ଦରୀ, ଭାରି ସ୍ପଷ୍ଟବାଦୀ।ଯେତେବେଳେ ଯାହା କହିବାକୁ ଚାହିଁଥାନ୍ତି ଠୋ ଠା କହିଦିଅନ୍ତି।ଅନେକ ସମୟରେ କରିଡରରେ ଆମେ ଏକାଠି ହୋଇଛୁ।ତାଙ୍କ କଥା ଭିତରେ ସବୁବେଳେ ମୋ ବେଣୀ ପ୍ରସଙ୍ଗଟି ନିଶ୍ଚୟ ଥାଏ।ମୋ ଲମ୍ବା ବେଣୀକି ସବୁବେଳେ ତାରିଫ୍ କରନ୍ତି ସେ। "


         ସେ ହସିଦେଇ କହିଲା - " ଲାଜ ଲାଗେ କହିପାରେନି ସିନା,ମତେ ବି ଭଲଲାଗେ ତୁମ ଲମ୍ବା ବେଣୀ।ଏହା ତ ତୁମ ସୌନ୍ଦର୍ଯ୍ୟ ବଢାଉଛି।ମୋର ମନେହୁଏ ଏହା ପଛରେ ଗୋଟେ ଲମ୍ବା ଇତିହାସ ଅଛି। "


         ସୋନାଲି ଲାଜେଇଗଲା।ମୃଦୁ ମୃଦୁ ହସିଦେଇ କହିଲା - " ଏ ହେଉଛି ମୋ ବୋଉର ଅବଦାନ।ପିଲାଦିନରୁ ସେ ମୋ ଚୁଟିର ଯତ୍ନ ନେଇଆସିଛି।ଏବେ ବି ଯେବେ ମୁଁ ଘରକୁ ଯାଏ ନଡିଆ ତେଲ ବୋତଲ ଓ ପାନିଆ ଧରି ବସି ମତେ ପାଖକୁ ଡାକେ।ମୁଁ ଯାଇ ବସିଗଲେ ମୋ ବେଣୀକୁ ଖୋଲିଦେଇ ଚୁଟିରେ ଭଲକି ତେଲ ମାରି କୁଣ୍ଡେଇ ଦିଏ।କହେ - ଏମିତି ଲମ୍ବା ଚୁଟି ଲକ୍ଷ୍ମୀଙ୍କର ଥିଲା। "


         ସେ କହିଲା - " ବାଃ ! ଇଏ ତ ବହୁତ ବଢିଆ।ଆଉ ବି କ'ଣ କହୁଥିବେ ? "


         ସୋନାଲି ପୁଣି ଲାଜ ଲାଜ ହସିଲା।କହିଲା - " ନାଇଁ, ଆଉ କ'ଣ କହିବେ ? "


        ସେ କହିଲା - " ମୁଁ ଗୋଟେ ଗପରେ ପଢିଥିଲି।କିଏ ସେ ଗପ ଲେଖିଥିଲେ ମନେନାହିଁ।ଭାବିଲି କାଳେ ସେସବୁ କଥା କିଛି କହିଥିବେ ! ତେଣୁ ପଚାରିଦେଲି। "


         - " କୋଉ କଥା ? କ'ଣ ପଢିଥିଲ ? " ସୋନାଲି କହିଲା।


         ସେ କହିଲା - " ଜଣେ ଲୋକର ସ୍ତ୍ରୀ ବହୁତ ଲମ୍ବା ବେଣୀ ରଖିଥିଲେ।ସ୍ତ୍ରୀ ଶ୍ୟାମଳୀ ଥିଲେ।ଏତେ ସୁନ୍ଦରୀ ନ ଥିଲେ।ହେଲେ ଖାସ୍ ତାଙ୍କ ଲମ୍ବା ବେଣୀ ପାଇଁ ସ୍ବାମୀ ତାଙ୍କୁ ବହୁତ ଭଲ ପାଉଥିଲେ।ବର୍ଷ ପରେ ବର୍ଷ ବିତିବାରେ ଲାଗିଥିଲା।ଉଭୟଙ୍କ ମଧ୍ୟରେ ଖୁବ୍ ଭଲ ସଂପର୍କ ଥିଲା।ହଠାତ୍ ସ୍ତ୍ରୀ ଗୋଟିଏ ଅଜଣା ରୋଗରେ ଆକ୍ରାନ୍ତ ହେଲେ।ତାଙ୍କର ମୁଣ୍ଡରୁ ଚୁଟି ସବୁ ଝଡିବାକୁ ଆରମ୍ଭ କଲା।ଧୀରେ ଧୀରେ ଏପରି ପରିସ୍ଥିତି ହେଲା ଯେ ସେ ତାହାକୁ କାଟି ଛୋଟ କରିବାକୁ ବାଧ୍ୟ ହେଲେ।ଶେଷରେ ବବ୍ କଟ୍ ହୋଇଗଲେ।ଏହାପରେ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ଆଉ ଆଗ ଭଳି ଭଲପାଇବା ଦେଖା ଯାଇ ନ ଥିଲା।ହଠାତ୍ ଯେମିତି ତାଙ୍କ ପ୍ରେମିକ ପଣ କୁଆଡ଼େ ହଜି ଯାଇଥିଲା।ସ୍ତ୍ରୀ ଖୁବ୍ ଆକର୍ଷଣ ହୀନ ହୋଇ ପଡିଥିଲେ।ଦୁହେଁ ସାରା ଜୀବନ ସ୍ବାମୀ ସ୍ତ୍ରୀ ଭଳି ରହିଲେ ସତ ହେଲେ ପୂର୍ବର ପ୍ରେମମୟ ଦିନ ଆଉ ଫେରି ପାରି ନ ଥିଲା ଦୁହିଙ୍କ ଜୀବନକୁ। "


         - " ହଁ,ଲମ୍ବା ବେଣୀର ଗୋଟେ ସ୍ବତନ୍ତ୍ର ଆକର୍ଷଣ ଥାଏ।ସ୍ବାମୀ ଚାହେଁ ସ୍ତ୍ରୀ ତାକୁ ଆକର୍ଷିତ କରୁଥାଉ ସବୁବେଳେ।ସ୍ତ୍ରୀଙ୍କର ଆକର୍ଷଣ କମିଯିବାରୁ ଯାହା ହେବା କଥା ତାହା ହିଁ ହେଲା।ପୁରୁଷ ପାଇଁ ନାରୀର ଆକର୍ଷଣ ଖୁବ୍ ଗୁରୁତ୍ୱ ବହନ କରେ।ସେଥିପାଇଁ ତ ଅଧିକାଂଶ ଝିଅ ବେଣୀ ବଢାଇବାକୁ ପସନ୍ଦ କରିଥାନ୍ତି। " ସୋନାଲି କହିଲା।


        - " ଛାଡ,ମୋ ଭାଗ୍ୟରେ ସେମିତି ଝିଅ ନାହିଁ।ମିତୁ ବୋଧହୁଏ ମୋ ପାଇଁ ଥିଲା।ହେଲେ ଖୁବ୍ ଭଲ ଝିଅ ସେ।ମତେ ଭାରି ଭଲଲାଗେ। " ସେ କହିଲା।


         ସୋନାଲି କହିଲା - " ମୁଁ ଜାଣେ ତୁମେ ଦୁହେଁ ଦୁହିଙ୍କୁ ଖୁବ୍ ଭଲପାଅ।ଏ ବେଣୀ କ'ଣ ସବୁଦିନିଆ ? ଗପରେ ପଢିଛ ତ,କ'ଣ କହିବି ? ଆଗକୁ ତୁମ ଦୁହିଙ୍କର ସବୁ ଭଲ ହେଉ।ସ୍ବପ୍ନ ପୂରଣ କରି ତୁମେ ଦୁହେଁ ଭଲରେ ରୁହ।ମୁଁ ଏତିକି ଚାହିଁବି।ମିତୁଙ୍କୁ ମୋ ତରଫରୁ ସବୁ ଭଲ ବୋଲି କହିବ। " ସେ କହିଲା।


         ଆଜି ବି ଏସବୁ କଥା ଅରବିନ୍ଦର ମନେଥିଲା।ସତରେ କେତେ ଶାନ୍ତ, ସରଳ,ସୁନ୍ଦର ଏ ସୋନାଲି ! ମନକୁମନ କହିଲା ସେ।


         ପ୍ରତ୍ୟୁତ୍ତର ଆଶାରେ ଠିଆ ହୋଇଥିଲା ମିତୁ।ସେତେବେଳକୁ ତା' ପ୍ରତି ବିରକ୍ତିବୋଧ ଆସିଗଲାଣି ଅରବିନ୍ଦର ମନରେ।ଅନ୍ୟ ପକ୍ଷରେ ସୋନାଲି ପ୍ରତି ଭଲପାଇବା ବଢିଗଲାଣି ଖୁବ୍।ସେ କହିଲା - " ହେଲେ ଆଜି ତମେ କାହିଁକି ସୋନାଲିକି ପ୍ରସଙ୍ଗ ଭିତରକୁ ଟାଣୁଛ ବୁଝିପାରୁନି।ତମକୁ କିଛି କହିଛି ସେ ? ନା,ଆଉ କାହାଠାରୁ କିଛି ଶୁଣିଛ ତମେ ? "


          ମିତୁ କହିଲା - " ଦେଖ,ମତେ ଆଉ ଏ ପ୍ରେମ ଫ୍ରେମ ଭଲଲାଗୁନି।ତମେ ଖୁବ୍ ପ୍ରେମ ଛଳଛଳ ଅଛ।ସୋନାଲି ବି ସେମିତି ଅଛି।ତେଣୁ ମୁଁ ଭାବୁଛି ତମେ ଦୁଇ ଜଣ ଏକାଠି ହୋଇଯିବା ଭଲ।ତା' ଛଡା ମୁଁ ତମକୁ ଛାଡିଗଲା ପରେ ତମେ କ'ଣ ଏକା ଏକା ରହିପାରିବ ? ତେଣୁ କହୁଥିଲି।ମୁଁ ସିରିଅସଲି କହୁଛି।ତମେ ଯାହା ବୁଝିପାରୁନ ମତେ। "


         ମିତୁ ବାହାନା କରୁଛି।ଉଦ୍ଦେଶ୍ୟ ମନ୍ଦ ହୋଇ ଥାଇପାରେ।ମନେକଲା ଅରବିନ୍ଦ।କହିଲା - " ତମର ମୁଡ୍ ଏବେ ଭଲ ଥିବା ଜଣାପଡୁନି।ତମେ ଯାଇପାର।ପରେ କେବେ ପୁଣି ଆମେ କଥା ହେବା।ବାସ୍ତବରେ କ'ଣ ହେଇଛି ତମର ? "


         ମିତୁ କହିଲା - " ମୋର କିଛି ହେଇନି।ମୁଁ ଠିକ୍ ଅଛି।ମୋର କହିବାର କଥା ମୁଁ ଆଉ ତମ ସହ ପ୍ରେମରେ ମାତି ପାରିବିନି।ଆଜିଠୁଁ ସେସବୁ ଠପ୍।ଆମେ ଦୁହେଁ ଏବେ କେବଳ ବନ୍ଧୁ ହୋଇ ରହିବା। ମୁଁ ଆସୁଛି।ବାଏ ... । "


         ମିତୁର ଏ କଥାଗୁଡାକ ବେଶ୍ ଫୋପାଡିଲା ଭଳି ଥିଲା।କହିଦେଇ ମୁହଁ ବୁଲେଇ ଦ୍ରୁତ ଗତିରେ ଚାଲିଗଲା ସେ।ଗୋଟେ ଖୁଣ୍ଟ ଭଳି ଠିଆ ହୋଇ ରହିଥିଲା ଅରବିନ୍ଦ।


        ମିତୁର ଆଜି ଇଏ କି ରୂପ ! କାହିଁକି ସେ ଏଡ଼େ ଭିନ୍ନ ଭିନ୍ନ ଲାଗୁଥିଲା ! ଅରବିନ୍ଦ ଆଶ୍ଚର୍ଯ୍ୟ ହେଲା।


         କେତେ ପ୍ରତୀକ୍ଷା ଥାଏ ତା' ପାଇଁ ! କେତେ ହସହସ ହୋଇ ଫୁଲେଇ ଫଗୁଣ ଭଳି ହୁଏ ସେ ! ଟିକେ ଛୁଇଁଦେଲେ କେତେ ଖୁସି ହୁଏ!ଆଜି ଏମିତି କାହିଁକି ?ସତରେ କ'ଣ ସେ ଦୂରେଇ ଯିବାକୁ ଚାହେଁ !ହେଲେ କାହିଁକି?ପ୍ରେମରେ ଯିଏ ବଞ୍ଚିବାକୁ ଇଚ୍ଛା କରୁଥିଲା,ଆଜି ପ୍ରେମ ପ୍ରତି ତା' ମନରେ ଏତେ ଘୃଣା କାହିଁକି!।ସତରେ କ'ଣ ସେ ପ୍ରେମ ବିନା ବଞ୍ଚିବାକୁ ଚାହେଁ!ନା,ଆଉ କିଛି ରହସ୍ୟ ଅଛି ୟା ପଛରେ!ପ୍ରେମ ବିନା ରୁଚିବ ତ ଜୀବନ!


         ନିଜ ସହ ନିଜେ କଥା ହେଲା ଅରବିନ୍ଦ।ସନ୍ଦେହ ସୃଷ୍ଟି ହେଲା ମନରେ।ମନକୁ ବିଷାଦର ଛାଇ ଘେରିଗଲା।କ୍ଲାସ୍ ଯିବାକୁ ମନ ମରିଗଲା।ହଷ୍ଟେଲକୁ ଫେରି ଆସିବ ଭାବିଲା ସେ।କିଛି ସମୟ ଏକାନ୍ତରେ କାଟିବାକୁ ଚାହିଁଲା।


         କଲେଜ ବାରଣ୍ଡାରେ ପିଲାମାନଙ୍କ ଯିବା ଆସିବା ଲାଗି ରହିଥାଏ।ମ୍ୟାମ୍,ସାର୍ ମଧ୍ୟ ଯିବା ଆସିବା କରୁଥାନ୍ତି।କେଉଁଠି ପୁଅ ଝିଅ ଦି' ଜଣ ମୁହଁକୁ ମୁହଁ ଯୋଡି କଥା ହେଉଥାନ୍ତି।ଏତିକିବେଳେ କ୍ଲାସ୍ ଓଭର୍ ବେଲ୍ ବାଜିଲା।ସୋନାଲି କ୍ଲାସ୍ ସାରି ଆସି ଦେଖିଲା ଖୁବ୍ ଅନ୍ୟମନସ୍କ ଭଙ୍ଗୀରେ ଅରବିନ୍ଦ ଠିଆ ହୋଇଛି।ପଚାରିଲା - " କାହାକୁ ଅପେକ୍ଷା କରିଛ କି,ଅରବିନ୍ଦ? "


         ସୋନାଲିର ପ୍ରଶ୍ନରେ ପ୍ରକୃତିସ୍ଥ ହେଲା ଅରବିନ୍ଦ।କହିଲା - " ବୋଧେ ନିଜକୁ ନିଜେ ମୁଁ ଅପେକ୍ଷା କରିଛି। "


          ହା - ହା - ହା - ।ହସିଲା ସୋନାଲି।କହିଲା - " କାହିଁକି ତୁମେ କ'ଣ ନିଜକୁ କେଉଁଠି ହଜେଇ ଦେଇଛ ନା କ'ଣ? "


        ଅରବିନ୍ଦ କହିଲା - " ଆଜକୁ କେତେ ବର୍ଷ ହେଲା ଗୋଟେ ହୃଦୟକୁ ନିଜ ଭିତରେ ସାଇତି ରଖିଥିଲି।ହେଲେ ଏବେ ତାକୁ ଖୋଜି ପାଉନି।ସିଏ ବି ମୋ ହୃଦୟ।ତାକୁ ଅପେକ୍ଷା କରିଛି ମୁଁ। "


         ସୋନାଲି ମନେକଲା ବୋଧହୁଏ ମିତୁ ଆଜି ଅରବିନ୍ଦ ସହିତ ଝଗଡ଼ା କରିଛନ୍ତି।ଏ ଝିଅଗୁଡାକ ବଡ ବଦମାସ ସତରେ।ଭଲପାଇବାକୁ ଇଚ୍ଛା ହେଲା ତ ଭଲପାଅ।ଭଲପାଇବା ନାହିଁ ତ ଝଗଡ଼ା କରି ମୁହଁ ମୋଡ।ଅସଲ ପ୍ରେମକୁ ଏଠି କେତେଜଣ ଝିଅ ଗୁରୁତ୍ୱ ଦିଅନ୍ତି!ଷ୍ଟାଇଲ୍,ଟଙ୍କା, ଷ୍ଟାଟସ୍ - ଏସବୁ ସେମାନଙ୍କ ଆଖିରେ ବଡ ହୁଏ।ସେ ମନକୁମନ କହିଲା।ସେକ୍ଷଣି ଅରବିନ୍ଦ ପାଇଁ ଗୋଟେ ଅବ୍ୟକ୍ତ ଦୁଃଖରେ ଭିଜିଗଲା।


         - " ଆଜି ମିତୁ ତୁମ ସହିତ ଝଗଡା କରିଛନ୍ତି ବୋଧେ ! "କହିଲା ସେ।


          ଅରବିନ୍ଦ କହିଲା - " ହଁ,ହେଲେ କାହିଁକି କେଜାଣି ?ମୋ ସହିତ ଏତେ ଦିନର ସଂପର୍କ ପରେ ଏବେ କ'ଣ ଯେ ସେ କହୁଛି ମୁଁ ତା' କଥା ବୁଝିପାରୁନି। "


        ସୋନାଲି କହିଲା - " ଏଇ ଝଗଡ଼ା ହେଉଛି ଝିଅମାନଙ୍କର ଖସିବାର ବାଟ।ସେ ଖସିବାର ବାଟ କରୁନାହାନ୍ତି ତ?ଜୀବନକୁ ଆଉ କିଏ ଜଣେ ଆସିଗଲେ ଝିଅମାନେ ଏଣୁ ତେଣୁ ବାହାନା କରି ଝଗଡା କରନ୍ତି।ଖସିବାକୁ ବାଟ ଖୋଜନ୍ତି।ସେମିତି ହୋଇନି ତ ?ତେବେ ତୁମେ ଧୈର୍ଯ୍ୟ ରଖ।ଅପେକ୍ଷା କର।ସବୁ ଧୀରେ ଧୀରେ ପରିଷ୍କାର ହୋଇଯିବ। "   


        ସୋନାଲି ସହିତ ଏ ପ୍ରସଙ୍ଗରେ କଥା ହେବାକୁ ଅରବିନ୍ଦର ଇଚ୍ଛା ନ ଥିଲା।ଲାଜର କଥା।ସେ ଚୁପ୍ ରହିଲା।ପରେ କଥା ହେବାକୁ କହି ହଷ୍ଟେଲ ଫେରି ଆସିଲା।


         - " ଏଇ ଝଗଡା ହେଉଛି ଝିଅମାନଙ୍କର ଖସିବାର ବାଟ।ସେ ଖସିବାର ବାଟ କରୁନାହାନ୍ତି ତ? .......। " ତା' କାନରେ ବାରମ୍ବାର ପ୍ରତିଧ୍ବନିତ ହେଲା ସୋନାଲିର ଏଇ ସ୍ବର।ସେ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଲା।ବିଚଳିତ ହେଲା।ତା'ର ମନେହେଲା ମିତୁ ଆଉ ଜଣକୁ କାହାକୁ ଧରି ସାରିଛି।


         ମିତୁକୁ ଫୋନ୍ ଲଗାଇଲା ସେ।ଫୋନ୍ ରିଂ ରିଂ ହୋଇ କଟିଲା ବରଂ ସେ ଉଠାଇଲା ନାହିଁ।ସନ୍ଦେହ ବଢ଼ିବାରେ ଲାଗିଲା।ସୋନାଲିର କଥା ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେହେଲା।ସେ ବ୍ୟସ୍ତ ହେଲା।


         ଆହା ....!କେଡେ ସନ୍ତୋଷରେ ମୋ ଦୁନିଆରେ ମସଗୁଲ ଥିଲି ମୁଁ!ମନେନାହିଁ ସେଇ ବିରଳ ମୁହୂର୍ତ୍ତ।ଇନ୍ଦ୍ରଧନୁର ସପ୍ତରଙ୍ଗକୁ ଡେଣାରେ ଖଞ୍ଜି ଦିନେ ଉଡି ଆସିଲା ପକ୍ଷୀଟେ।ଉଡି ଆସି ବସିଲା ସାମ୍ନାରେ।ହାତ ବଢେଇଲି।ଉଡି ଆସିଲା ହାତକୁ।ହାତରେ ବସିଲା।ପଚାରିଲି - ମୋ ସହିତ ରହିବୁ?ରହିବ ବୋଲି କହିଲା।ପୁଣି ପଚାରିଲି - ମୋ ସହିତ ମିଶି ବସା ବାନ୍ଧିବୁ?ବସା ବାନ୍ଧିବ ବୋଲି କହିଲା।ଆହୁରି ପଚାରିଲି - ମତେ କେବେ ଛାଡି ଯିବୁନି?ନା,ଯିବିନି ବୋଲି କହିଲା।


         ଏତେ ଆତ୍ମୀୟତା!ଏମିତି ପକ୍ଷୀକୁ ଆପଣାର ନ କରିବ କିଏ?ପ୍ରଗାଢ ପ୍ରେମର ବନ୍ଧନରେ ନ ବାନ୍ଧିବ କିଏ?ବୋଧହୁଏ ମୋ ଭିତରେ ତା' ପାଇଁ ଜାଗାଟିଏ ଥିଲା।ସେ ରହିଗଲା।ଯୋଡି ହୋଇଗଲା ମୋ ହୃଦୟ ସହିତ।ଅଦ୍ଭୁତ ଶିହରଣ ସୃଷ୍ଟି କଲା ମୋ ଭିତରେ,ସତେ ଅବା ସୁଖର ପ୍ରଥମ ବର୍ଷା ଝରଝର ହୋଇ ଝରିଗଲା ମୋ ଆତ୍ମା ଭିତରେ।ଓଦା କରିଦେଲା ମୋ ମନକୁ।ବାନ୍ଧି ରଖିଲା ମୋ ହୃଦୟକୁ।ମୁଁ ବି ଏମିତି ଯେ ବାନ୍ଧି ହୋଇଗଲି ତା' ସହିତ।ଧରି ରଖିଲି ତାକୁ ଆବେଗ,ଅନୁରାଗରେ।


        କିଏ ଜାଣିଥିଲା ଏମିତି ହେବ ବୋଲି!କିଏ ଭାବିଥିଲା ସେ ଧୋକା ଦେବ ବୋଲି!ଦୁହେଁ ମିଶି କେତେ ଅନ୍ତରର କଥା ହେଉ ନ ଥିଲୁ!ସବୁ ଏବେ ମିଛ ପରି।ପ୍ରତିଶ୍ରୁତି ପାଣିର ଗାର ହେଲା।ବେଇମାନୀ କରି ଚାଲିଗଲା ସେ।ଅମାବାସ୍ୟାର ଚନ୍ଦ୍ର ହେବାକୁ ପସନ୍ଦ କଲା।ଭୁଲିବାକୁ ହେବ।ନିଜ ଭାଗ୍ୟ ନେଇ ବଞ୍ଚିବାକୁ ପଡିବ।


         ଖୁବ୍ ସମୟ ଧରି ନିଜ ସହ ନିଜେ କଥା ହେଲା ଅରବିନ୍ଦ।ତା' ଭିତରୁ କେତୋଟି ଦୀର୍ଘଶ୍ବାସ ବାହାରିଗଲା।


          ଧୀରେ ଧୀରେ ତା' ଭିତରେ ପ୍ରତ୍ୟୟ ଆସିଗଲା ଯେ ମିତୁ ବେଇମାନୀ କରିଛି।ତାକୁ ଧୋକା ଦେଇଛି।


        ମିତୁ ଠାରୁ ନିଜକୁ ଦୂରେଇ ରଖିଲା ସେ।ଆଉ ପ୍ରେମ ନୁହେଁ, କେବଳ ପଢାପଢିରେ ମନ ଦେଲା।ସାଧାରଣ ଜୀବନ କାଟିଲା।


        ଦିନ ବିତୁଥିଲା।ଆଉ କେବେ ବି ଏମିତି ଗୋଟିଏ ଦିନ ଆସୁ ନ ଥିଲା ଯେଉଁଦିନ ଦୁହେଁ ଏକାଠି ହେଉଥିଲେ।ଦୁଇ ସାମାନ୍ତରାଳ ସରଳରେଖା ପାଲଟିଥିଲା ଦୁହିଙ୍କ ଜୀବନ।


           ମିତୁ ସହିତ ପ୍ରେମର ସବୁ ସ୍ମୃତିକୁ ନଈରେ ଭସେଇ ଦେଇ ଧୀରେ ଧୀରେ ତାକୁ ଭୁଲିବାରେ ଲାଗିଥିଲା ସେ।ଲାଜର କଥାଟା କାହାକୁ କହି ପାରୁ ନ ଥିଲା।ମନେମନେ ଥିଲା।


         ଏବେ ସେ ଅନୁଭବ କରୁଥିଲା ଯେମିତି ସୋନାଲି ପାଇଁ ତା' ଭିତରେ ଜାଗାଟିଏ ସୃଷ୍ଟି ହୋଇଛି।ହେଲେ ସୋନାଲି ପାଖକୁ ଯାଇ ପାରିବନି ସେ।କହି ପାରିବନି କିଛି କଥା ତାକୁ ମନଖୋଲି।ଧୋକା ଖାଇଥିବା ପ୍ରେମିକକୁ କିଏ ଗ୍ରହଣ କରେ କ'ଣ!ତାକୁ ନେଇ କିଛି ଭାବିବା ଭୁଲ୍।ପ୍ରେମ କରିବା ପାପ। - ମନେମନେ ସେ ଏମିତି ଭାବି ପକାଉଥିଲା।


         ସୋନାଲିକି ଦେଖିଲେ ଏବେ ଲୁଚିବା ଆରମ୍ଭ କରି ଦେଇଥିଲା ସେ।କାଳେ ସେ ମିତୁ କଥା ପଚାରିବ ଭାବି ଡରି ଯାଉଥିଲା।ତାକୁ ଲାଜ ଲାଗୁଥିଲା ଖୁବ୍।


          ହେଲେ ଦିନେ ତାକୁ ଚମକେଇ ଦେଇ ସୋନାଲି ଆସି ତା' ସାମ୍ନାରେ ଠିଆ ହୋଇଗଲା।- " କ'ଣ ହୋଇଛି?ମତେ ଲୁଚି ଲୁଚି ବୁଲୁଛ? " ପଚାରିଲା ସେ।


         - " ତୁମେ ତ କିଛି କରିନାହଁ।କାହିଁକି ତୁମକୁ ଲୁଚିବି? " ସେ ଅଳ୍ପ ହସିଦେଇ କହିଲା।


          - " ଭାବୁଛ କି ତୁମେ ପାପ କରିଛ?ନା,ମିତୁଙ୍କୁ ଭୁଲି ପାରୁନାହଁ?ଏବେ ତାଙ୍କୁ ସବୁଦିନ ମୁଁ ସସ୍ମିତ ସହିତ ଦେଖୁଛି।ବିଚରା ସବୁବେଳେ ମୋ ପଛରେ ଲାଗିଥାଏ।ମୋତେ ହୋଟେଲ ନେଇଥାନ୍ତା।ପାର୍କ ନେଇଥାନ୍ତା।କହୁଥିଲା ମୋ ବାପା ଆଇ.ପି.ଏସ୍.।ଆମର ବହୁତ ପଇସା।ହେଲେ ତା'ର ଅସଲ ଉଦ୍ଦେଶ୍ୟ ବୁଝି ପାରିଥିଲି ମୁଁ।ଏବେ ମିତୁଙ୍କୁ ଧରିବା ପରେ ଆଉ ମୋ ପଛରେ ପଡୁନି।ମୋତେ ଭାରି ଶାନ୍ତି ଲାଗୁଛି। " ସୋନାଲି କହିଲା।


         ସୋନାଲିର କଥା ସବୁ ଶୁଣିବା ପରେ ଖୁବ୍ ଭାବପ୍ରବଣ ହୋଇଗଲା ଅରବିନ୍ଦ।ନିଜ ଉପରୁ ନିୟନ୍ତ୍ରଣ ହରାଇ କଇଁ କଇଁ କାନ୍ଦି ପକାଇଲା।କହିଲା - " ଛିଃ...ମିତୁ!ଛିଃ....! "


          ସୋନାଲି କହିଲା - " ତୁମେ କାହିଁକି କାନ୍ଦୁଛ?ମୁଁ ପରା ଅଛି।ହୃଦୟରେ ମୋ ପାଇଁ ଜାଗା ଟିକିଏ ତିଆରି କରି ଦେଖ ତୁମ ଶୂନ୍ୟସ୍ଥାନ ପୂରଣ ହେଉଛି କି ନାହିଁ! "


          ଅରବିନ୍ଦ କହିଲା - " ତୁମେ ତ ମୋ ହୃଦୟରେ ଅଛ।ତୁମ ପାଇଁ ଆଉ ଜାଗା ତିଆରି କରିବି କ'ଣ? " 


          ଏତିକି କହି ସୋନାଲି ଆଡକୁ ନିଜ ଶ୍ରଦ୍ଧାର ହାତ ବଢାଇଲା ଅରବିନ୍ଦ।ମୁର୍କି ହସିଦେଇ ତା' ଶ୍ରଦ୍ଧାର ହାତକୁ ଆଦରର ସହିତ ଧରି ନେଲା ସୋନାଲି।


          ଏବେ ଦୁହେଁ ଦୁହିଙ୍କୁ ନୁହେଁ, ବରଂ ନିଜ ନିଜର ହସଖୁସିର ପ୍ରତିବିମ୍ବକୁ ଦେଖୁଥିଲେ ନିଜ ନିଜ ସାମ୍ନାରେ।


                             



     


Rate this content
Log in

Similar oriya story from Romance