ଘରେ କାହା ମନ ଭଲ ନଥିଲା. କୁଆଡେ ଯେ ଚାଲିଗଲା ଛେଳିଟା କିଛି ଜାଣି ହେଉନଥିଲା. ଆଜି କଣ କାହା ବାଡ଼ିରେ ପଶି ଓଲେଇ କଲା ନା କଣ?ସେକଥା ମଧ୍ୟ ବୁଝି ହେଉନଥିଲା.ବଗିଚାରେ ଥିବା ମାଳି ତା ପରିବାର ଧରି ରୁହେ. ଏକମାତ୍ର ଝିଅ ଅଳି, ବଗିଚାର ଯତ୍ନ ନେବାରେ ବାପାଙ୍କୁ ତାହାର ସାହାଯ୍ୟ କରିବା ଭିତରେ, ପଶିଆସେ ଛେଳି. ଝିଅ ତୁଳି,ଛେଳି ସହିତ ଖେଳି ସମୟ କାଟୁଥିଲା ବେଳେ ବାପା ବଗିଚାର ମାଳି ହିସାବରେ, ବଗିଚାର ରକ୍ଷକ ଭାବରେ ଛେଳିକୁ ଘଉଡ଼ାଇବାକୁ ଯାଇ ତା ସହିତ ଏକରକମ ଖେଳୁଥାଆନ୍ତି ଲୁଚକାଳି.ଅଳ୍ପ ଅଳ୍ପ ବର୍ଷାରେ ଗଛ ସବୁ ସବୁଜ ବର୍ଣ୍ଣ ଧାରଣ କରି, ନେଳି ନେଳି ପତ୍ର ସବୁ କଅଁଳି ଥାଏ. ତାକୁ ଖାଇବାକୁ ଛେଳିଟି ଟାକି ବସିଥାଏ ତ କୋଉପଟେ ପଶିଯାଏ ବଗିଚାରେ. ସହଜେ ମାଳିଙ୍କ ଝିଅ ତୁଳି ତାକୁ ଦେଖିଲେ ତା ବେକରେ ପିନ୍ଧାଏ କାଇଁଚ ମାଳି, ତୋଳି ଆଣି ଖୁଆଏ ସବୁଜ ଦୁବ ଘାସ ନେଳି ନେଳି. ଏସବୁ ଦେଖି ବିରକ୍ତି ପ୍ରକାଶ କରନ୍ତି ବାପା ତ ଏକରକମ କୋଳାହଳ ପୂର୍ଣ୍ଣ ଗହଳି ଲାଗିରହେ ବଗିଚାରେ.
ଏବେ ସବୁ କୋଳାହଳକୁ ପଛରେ ପକାଇ ଛେଳି ଆସୁନଥିଲା ଆଉ ବଗିଚାକୁ. କୋଳାହାଳ ଉର୍ଦ୍ଧରେ ଦୁଃଖ କରୁଥିଲା ତୁଳି. ପଚାରୁଥିଲା ବାପାଙ୍କୁ ତ ବାପା କହୁଥିଲେ ତୁ ମନ ଦେଇ ପାଠ ପଢେ, ଛେଳି ନଆସୁ. ଝିଅ ମନଦୁଃଖ କରେ ବୋଲି, ବାପା ବଜାରରୁ କେତେ ରକମର କୋଳି ନେଇଆସନ୍ତି ତୁଳି ପାଇଁ,ହେଲେ ସେ ଆଙ୍କି ବସେ ଛେଳିର ଚିତ୍ର. ଜୀବନ୍ତ ଛେଳି ନହେଲେ ବି ଛେଳିର ଚିତ୍ରକୁ ତୁଳୀ ସାହାଯ୍ୟରେ ତୋଳି, ତୁଳି ସିନା ସାମୟିକ ସୁଖ ପାଏ ହେଲେ ବଗିଚାରେ ନଥାଏ କୋଳାହଳ କି ଗହଳି. ହେଇ ଗଲା ଗଲା, ଖାଇଯିବ କହି ଅଡ଼େଇବାକୁ ପଡ଼େନି ତୁଳିର ବାପା, ବଗିଚାର ମାଳିଙ୍କୁ.
ସେଦିନ ଗୁରୁଦିବସ ଥାଏ. ତୁଳି ସ୍କୁଲରେ ଗୁରୁଙ୍କ ବିଷୟରେ ବକୃତା ଦେବା ସହ ଗୁରୁ ବନ୍ଦନା ଓ ଗୁରୁ ପୂଜା ସହ ଢେର ସାରା ଉପହାର ନେଇ ଫେରୁଥାଏ ଘରକୁ. ମାଆ ବାଢି ଦେଲେ ଭାତ ଓ ମାଂସ ତରକାରୀ. ହେଲେ ତରକାରୀରେ ତୁଳି ଦେଖିପାରୁଥିଲା ସେହି ଛେଳିଟିକୁ. ମାଆ ଯେତେ ବୁଝେଇଲେ ବୁଝୁ ନଥିଲା.ସେହି ଦିନଠାରୁ ତୁଳି ମାଛ ମାଂସ ପରିବର୍ତ୍ତେ ସବୁଜ ନେଳି ପରିବା ଖାଇବାକୁ ଶପଥ ନେଇଥିଲା. ଛେଳିଟା ମଧ୍ୟ କାଇଁ ଆସୁନଥିଲା ଭାବି ତୁଳି ଖାଲି ଭାଳି ହେଉଥିଲା, ଆଉ ଛେଳିଟିର ଚିତ୍ର କରୁ କରୁ ଗୋଟେ ବଡ଼ ଚିତ୍ରକର ପାଲଟି ଯାଇଥିଲା ତୁଳି.କିନ୍ତୁ ମଝିରେ ମଝିରେ ଚାହିଁ ରହି ଦୁରକୁ ନିଜକୁ ନିଜେ ପ୍ରଶ୍ନ କରୁଥିଲା ଛେଳି ଆସୁନି କାହିଁକି???ଏଣେ ଗୋବିନ୍ଦ ଘର ଲୋକ ମାଲିକ ଙ୍କ ବଗିଚାକୁ ଆସି ପରସ୍ତେ ଖୋଜି ଗଲେଣି ଛେଳିଟିକୁ. ବଗିଚା ମାଳି ଙ୍କ ଝିଅ ତୁଳି ଖୁବ ଭଲପାଏ ଛେଳିକୁ ତ କାଳେ ଆସିଥିବ ଛେଳି,କାଳି ଭାବି ଗୋବିନ୍ଦ ଥରେ ନୁଁହଁ କେଇଥର ବୁଲି ଗଲାଣି. ଛେଳି କିନ୍ତୁ ନଥିଲା. ଆଜି ସକାଳୁ ସକାଳୁ ଛେଳି ର ହାଟକୁ ଯିବା ପାଳି. ସେଠାରେ ନିଲାମ ଯଦି ବଢିବ ତେବେ ତାକୁ ବିକ୍ରୀ କରି ଗୋବିନ୍ଦ ସେହି ପଇସାରେ ପୁଅ ପାଇଁ ନୂଆ ସାଇକେଲ କିଣିବ ଆଉ ମକର ଚାଉଳ ପାଇଁ କିଣିବ ନଡ଼ିଆ, କର୍ପୁର,ଛେନା,ଚାଉଳ ଓ କଦଳୀ. ହେଲେ କୁଆଡେ ଗଲା ଛେଳି!ଲମ୍ବା ରାସ୍ତାରେ ଚାଲୁ ଚାଲୁ ଏଇ ମାଳି ଙ୍କ ବଗିଚା ଭିତରକୁ କେତେ ଥର ପଶିଆସିଛି କିନ୍ତୁ ତୁଳି ର ଭଲପାଇବା ତାକୁ ମାଲିକ ଆଖିରୁ ବଞ୍ଚେଇଦେଇଛି. ନହଲେ କେତେ ଥର ପରା ମାଲିକ କହନ୍ତି ଆରେ ଛେଳିଟାକୁ ମତେ ଦେଇଦେ. ହାଟରୁ କି ପଇସା ପାଇବୁ. ମୁଁ ତତେ ଢେର ପଇସା ଦେବି. ଗୋବିନ୍ଦ ଡରିଯାଏ. ମାଲିକ ହାତରେ ଛେଳି ପଡିଲେ କଂସେଇ ହାତରେ ପଡିବା ଟା ନିଶ୍ଚିନ୍ତ.ଘରେ ଶୁଣିଲେ କୁହନ୍ତି ହାଟ ରେ ଯାହାକୁ ବିକିବ ସେ ତାକୁ ନେଇ କଣ ଝିଅ କରି ପୋଷିବ!ଡରିଯାଏ ଗୋବିନ୍ଦ. ସତେତ କଥାଟା ଆଗକୁ ଭାବିପାରେନା ସେ ବରଂ ଥାଉ ଛେଳି ଆଉ କିଛି ଦିନ ଏଘରେ. ଝିଅ ପରି ଚଳି ବଡ଼ ହେଉ. ଭାବୁ ଭାବୁ ଏକମାତ୍ର ପୁଅ ମାଇନର ପାଶ ପରେ ଦଶ କୋଶ ଦୂର ହାଇସ୍କୁଲ ରେ ପଢିଲା ତ ସାଇକେଲଟିଏ ନହେଲେ କେମିତି ଯିବ ବୋଲି ଗୋବିନ୍ଦ ଭାବେ ଛେଳି ହିଁ ଭରସା. ତା ମନକଥା ଜାଣି କୁଆଡେ ଚାଲିଗଲା କି ଛେଳି ଭାବି ବାଉଳି ହେଉଥିଲା ବେଳେ ପୁଅ କହୁଥିଲା ଆଜି ସ୍କୁଲ ଯିବିନି ମୁଁ. ଘରମଣି ଆଗ ଫେରିଆସୁ ଘରକୁ ତା ପରେ ସ୍କୁଲ ଯିବି. ଗୋବିନ୍ଦ ଭାବିଲା ଅନ୍ୟ ରକମ. ବୋଧେ ସାଇକେଲ କିଣା କେମିତି ହେବ ଭାବି ପୁଅ କାଳି ଛେଳି, ଘରମଣି କୁ ଖୋଜି ହେଉଛି ପୁଅ. ପୁଅ କିନ୍ତୁ ଭାଳି ହେଉଥିଲା କାହାକୁ ଆଣି ଦେବ ସେ ଏଣିକି କଅଁଳ ଦୁବ ଘାସ ଯେ ତାକୁ ଖାଇ ଘରମଣି କରୁଥିବ ପାକୁଳି!
ଏଇ ସମୟରେ ଧଇଁ ସଇଁ ହୋଇ ମାଲିକ ପହଁଚିଲେ ଓ କହିଲେ ଆଜି ସବୁ ସରି ଯାଇଥାନ୍ତା ରେ ଗୋବିନ୍ଦ. ତୋ ଛେଳିକୁ କାମୁଡିବାକୁ ଯାଉଥିବା ଆମ କୁକୁର ବଳିଆ ମୁଁହଁ ରୁ ରକ୍ଷା କରି ତୋ ଛେଳିକୁ ସାଆନ୍ତଣୀ ହାତରୁ ପେଜ ତୋରାଣୀ ପିଆଇ କଅଁଳ ଘାସ ପାକୁଳି କରୁଛି. ଆ ତାକୁ ନେଇଆସିବୁ. ପାଦ ତଳେ ପଡିଗଲା ଗୋବିନ୍ଦ ମାଲିକଙ୍କର.ଏଡ଼େ ବଡ଼ ଲୋକଙ୍କୁ ସେ କେତେ ଭୁଲ ବୁଝିଥିଲା ଭାବି ତାଙ୍କ ସଙ୍ଗେ ଧାଇଁଲା ଛେଳି ଆଣିବାକୁ ତ ତୁଳି ମଧ୍ୟ ସେଠାରେ ଥିଲା ଓ ଛେଳିକୁ ମାଲିକ ପଶୁଡାକ୍ତର ଡକେଇ ଟିଟାନସ ଇଞ୍ଜେକ୍ସନ ଦେବା ପରେ ତୁଳି ତା ଖଣ୍ଡିଆରେ ମଲମ ଲଗେଇ ଛେଳି ର ଉପଶମ ପାଇଁ ଚେଷ୍ଟା ଜାରି ରଖିଥିଲା. ଘରକୁ ଛେଳି ଆସିବା ପରେ ପୁଅ କାନ୍ଦି କାନ୍ଦି କହୁଥିଲା ଘରମଣି କୁ ବିକିବନି ବାପା. ମୋର ସାଇକେଲ ଦରକାର ନାହିଁ. ଚାଲି ଚାଲି ସ୍କୁଲ ଗଲେ ଶରୀର ର ବାୟମ ହୋଇଯିବ ଓ ସୁସ୍ଥ ଶରୀର ରହିଲେ ପାଠ ଭଲ ହେବ. ପଛରୁ ମାଲିକ କହୁଥିଲେ ଆରେ ମାଧବ,ଖାଇ ପିଇ ସ୍କୁଲ ଗଲାବେଳେ ଚାଲିବାକୁ କଣ ବା୍ୟାମ କୁହାଯିବ? ମୋ ପୁଅର ସାଇକେଲ ଟା ଥୁଆ ହୋଇଛି. ସେ ପାଠ ପଢି, ଚାକିରୀ କରି, ବାହା ହୋଇ ବିଦେଶ ରେ କାର କିଣିଲାଣି. ତୁ ବରଂ ଏହି ସାଇକେଲ ରେ ସ୍କୁଲ ଯାଇ ପାଠ ପଢି ଏଇ ଗାଁରେ ରହି ଗାଁ ତଥା ବାପା ମାଆ ଙ୍କ ପାଖେ ପାଖେ ରହ. ମାଲିକ ଙ୍କ ଗୋଡ଼ତଳେ ପଡି ଗୋବିନ୍ଦ କହୁଥିଲା ସତରେ ଆପଣ ମାଲିକ ରୂପେ ସ୍ୱୟଂ ଭଗବାନ ଗୋସେଇଁ. ଗୋବିନ୍ଦ ଙ୍କ ପୁଅ ମାଧବ ଛେଳିକୁ ଗେଲ କରି କହୁଥିଲା ତୁ ଭାରି ଲଷ୍ମମନ୍ତ ଲୋ ଘରମଣି. ତୋ ପାଇଁ ଏସବୁ. ଏତିକି ବେଳେ ତୁଳି କହୁଥିଲା ଆଉ ମୁଁ!ତ ମାଧବ ର ବାପା ଓ ମାଆ କହୁଥିଲେ ତୁ ସାକ୍ଷାତ ସରସ୍ବତୀ ଲୋ ଝିଅ.
,,,,,,,,,,,,,,,,,,