Seetaram Dash

Classics

3  

Seetaram Dash

Classics

ହଜି ଯାଇଥିବା ଶୈଶବ

ହଜି ଯାଇଥିବା ଶୈଶବ

6 mins
164


ପିଲାଦିନର ସ୍ମୁତି ସବୁବେଳେ ଅଭୁଲା ଏବଂ ରୋମାଞ୍ଚକର। ପରିଣତ ବୟସରେ ସେ ସବୁ ଭାବିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ, ସେତିକି ଦୁଃଖ ବି ଲାଗେ। ଦୁଃଖ ଏଥିପାଇଁ, ଏତେ ସୁଖର ଦିନ ସବୁ ଥିଲା କିନ୍ତୁ ଆମେ ତାହା ଜାଣି ପାରୁ ନ ଥିଲୁ। ଭାବୁଥିଲୁ କେତେ ଜଲଦି ବଡ଼ ହେବୁ। ନିଜ ଗୋଡ଼ରେ ଛିଡା ହେବୁ। ନିଜେ ରୋଜଗାର କରି ମନ ଖୁସିରେ ଖର୍ଚ୍ଚ କରିବୁ। କିନ୍ତୁ ଏବେ ଜାଣୁଛୁ କେତେ ସୁନ୍ଦର, କେତେ ଆନନ୍ଦଦାୟକ ଥିଲା, ସେ ଦିନ ସବୁ....!


ସେ ସମୟରେ ଆମ ଗାଁରେ ତୃତୀୟ ପର୍ଯ୍ୟନ୍ତ ପଢିବା ପାଇଁ ସ୍କୁଲ ଥିଲା। ଚତୁର୍ଥ ପଞ୍ଚମ ପାଇଁ ଅନ୍ୟ ଗାଁ କୁ ଯିବାକୁ ପଡୁଥିଲା। ଘର ପାଖାପାଖି ଆମେ ସାତ ଜଣ ପିଲା ସମ ବୟସ୍କ ଥିଲୁ। ଏକା ଶ୍ରେଣୀରେ ପଢୁଥିଲୁ। ସେ ସମୟରେ ପିଲାମାନେ ଆଜି ଭଳି ପୁସ୍ତକ କୀଟ ନ ଥିଲେ। ଆମେ କେବଳ ରାତିରେ ଯାହା ପଢୁ। ଘର ପାଖ ସବୁ ସାଙ୍ଗ, କେବଳ ଖାଇବା ଏବଂ ରାତିରେ ଶୋଇବା ସମୟ ଛାଡି ଦେଲେ ପ୍ରାୟ ସବୁବେଳେ ଏକାଠି ରହୁ। ଆମ ଘର ପାଖରେ ଜଣେ ବ୍ୟକ୍ତିଙ୍କର ବଗିଚାଟିଏ ଥିଲା। ତା ଭିତରେ କରମଙ୍ଗା, ଲେମ୍ବୁ, କମଳା, ଆମ୍ବ, ବରକୋଳି ଓ ପିଜୁଳି ଏମିତି ଅନେକ ଫଳ ଏବଂ କୋଳି ଗଛ ଥାଏ। ଆମେ ଖେଳ ଛୁଟିରେ ଖାଇବା ପାଇଁ ଚାଲି ଚାଲି ଆସୁ। ଖାଇ ସାରି ଫେରିବା ସମୟରେ ପୂର୍ବ ଯୋଜନା ଅନୁଯାଇ, ତିନି ଜଣ ସେ ବଗିଚା ଭିତରକୁ ଯିବେ ଚୋରି କରିବା ପାଇଁ। ଆଉ ଦୁଇ ଜଣ ବଗିଚା ବାହାରେ ଛିଡ଼ା ହୋଇ ଥିବୁ। ଆଉ ଦୁଇଜଣ କିଛି ଦୂରରେ ଥିବା ସେ ବ୍ୟକ୍ତିଙ୍କ ଘର ପାଖରେ ଥିବୁ। ଯଦି ସେ ବ୍ୟକ୍ତି ଆସିବେ, ଘର ପାଖର ପିଲା ତାଳି ମାରିବ। ଆମେ ସମସ୍ତେ ସତର୍କ ହୋଇ ଯିବୁ। ଆମ୍ବ ହୋଇଥିବା ସମୟରେ କଷି ଆମ୍ବ ଛୋଟ ଛୋଟ କରି କାଟି ଲୁଣ ଲଙ୍କା ରେ ଗୋଟେ ବଢିଆ ପାଗ ହେବ। ତାପରେ ସମସ୍ତେ ମିଳିମିଶି ଖାଇବୁ।


ଅଷ୍ଟମ ରେ ପଢିବା ସମୟରେ କ୍ରିକେଟ ଖେଳର ଖୁବ ଚାହିଦା ଥିଲା। ଟିକେ ସମୟ ମିଳିଲେ ଆମେ କ୍ରିକେଟ ଖେଳରେ ମାତି ଯାଉଥିଲୁ। ଖେଳ ପଡିଆ ପାଖରେ ଚାଷ ଜମି ସବୁ ଥାଏ। ଆମ ବଲ ବେଳେବେଳେ ତା ଭିତରକୁ ଚାଲିଯାଏ। ସେ ମହାଶୟ ବଲ ରଖି ଦିଅନ୍ତି। ସେ ଦିନ ଖେଳ ବନ୍ଦ। ପର ଦିନ ସବୁ ପିଲା ମତେ ଅସ୍ତ୍ର କରି ପଠାନ୍ତି। ମୁଁ ସେତେବେଳେ ସବୁ ଠୁ ପତଳା ଆଉ ଗେଡା ଥିଲି। ମୁଁ ଚୁପଚାପ ଯାଇ ତାଙ୍କ ଘରେ ଠିଆ ହୁଏ। ତାଙ୍କ ଘରେ ଜଣେ ଆଈ ଥିଲେ। ସେ ମତେ ବହୁତ ଭଲ ପାଆନ୍ତି। ମତେ ଦେଖି ଲୁଚେଇ ବଲ ଦେଇ ଦିଅନ୍ତି। ମୁଁ ଖୁସିରେ ବଲ ଆଣି ଆସେ। ସେ ଆଇ କେବେ ଠୁ ଆର ପାରିକୁ ଚାଲି ଗଲେଣି।


 ଖରା ଛୁଟି ସମୟ। ଦିନ ତିନିଟା ସୁଦ୍ଧା ଆମେ ଡକାଡକି ହୋଇ କ୍ରିକେଟ ଖେଳିବାକୁ ଚାଲିଲୁ। ଖେଳ ପଡିଆ ପାଖରେ ବିରାଟ ପଣସ ଗଛ। ଗଛରେ ପଣସ ଭର୍ତ୍ତି। ବାପି ବୋଲି ଜଣେ ସାଙ୍ଗ ମଜାରେ ମଜାରେ ବ୍ୟାଟ ରେ ଗୋଟେ ବଡ଼ ପଣସ କୁ କେଞ୍ଚି ଦେଲା। ସାମାନ୍ୟ ଆଘାତ ରେ ସେ ପଣସ ଟି ଗଛରୁ ଖସି ପଡ଼ିଲା! ଏବେ କଣ ହେବ? ସମସ୍ତେ ସମସ୍ତ ଙ୍କୁ କହିଲେ, ତୁ ତମ ଘରକୁ ନେଇ ଯା। ଘରକୁ ନେଲେ ବି ମାଡ଼। ମାଡ଼ ଭୟରେ ନେବାକୁ କେହି ରାଜି ହେଲେ ନି। କଣ କରିବା, କଣ ନ କରିବା ଭାବୁ ଭାବୁ ମୋ ମୁଣ୍ଡରେ ଉପାୟ ଟିଏ ଜୁଟିଲା। ପାଖ ବିଲ ସବୁ ହଳ ହୋଇ ଥାଏ। ଆମେ ସେହି ହଳ ବିଲରେ ସେ ପଣସ କୁ ପୋତି ଦେଲୁ। କଥା ହେଲା, ପାଚିଗଲେ ସମସ୍ତେ ମିଶି ଖାଇବା। ପର ଦିନ ନିରାଟ ଖରାବେଳ। କାଉ କୋଇକି ବି ବାହାରେ ନ ଥାନ୍ତି। ଆମେ ସମସ୍ତେ ଚାଲିଲୁ ପଣସ ଦେଖିବାକୁ। ପଣସ ଭଲ ଭାବରେ ପାଚି ଯାଇଥାଏ। ସେହି ଖରାବେଳେ ଟିକେ ଛାଇ ଆଉ ନିଛାଟିଆ ଜାଗାକୁ ନେଇ ଖାଇବା ଆରମ୍ଭ କଲୁ। ଗରମ ଖାଦ୍ୟ ଭଳି ସେ ପଣସ ଭିତର ତାତି କି ଥାଏ। ତଥାପି ସାରି ଦେଲୁ।


ଦିନେ ଆମେ ପଡ଼ିଆରେ ନ ଖେଳି ଗାଁ ଦାଣ୍ଡରେ ଖେଳୁଥିଲୁ। ମୁଁ ବୋଲିଙ୍ଗ କରୁଥାଏ, ଆଉ ପପୁ ବ୍ୟଟିଙ୍ଗ। ମୋର ଗୋଟେ ଅଫ ସ୍ପିନ ବଲକୁ ପପୁ ଏମିତି ମାରିଲା ସେ ବଲ ଯାଇ ସିଧା ଜଣେ ଝିଅ ମୁଣ୍ଡରେ ବାଜିଲା।(ସେ ଝିଅ ନାଁ ଲେଖିବା ଉଚିତ ହେବନି)। ସେ ଝିଅ ସେଇଠି ବେହୋସ। ଆମ ମୁଣ୍ଡରେ ବଜ୍ର ପଡିଲା। ମନରେ ଅନେକ ଶଙ୍କା ଆଶଙ୍କା। କଣ ହେବ ଏବେ! ଆମେ ସମସ୍ତେ ସେ ଝିଅକୁ ଧରା ଧରି କରି ହୋସ କୁ ଆଣିବାକୁ ଚେଷ୍ଟା କଲୁ। କିନ୍ତୁ ସେ ସେମିତି ନୀରବ ନିଶ୍ଚଳ। ଭୟରେ ଆମ ଗୋଡ଼ ହାତ ଥରୁଥାଏ। ଜଣେ ଘରକୁ ଦୌଡ଼ିଲା ପାଣି ଆଣି ତା ଉପରେ ଛିଞ୍ଚିବା ପାଇଁ କିନ୍ତୁ ପାଣି ଆସିବା ପୂର୍ବରୁ ସେ ଝିଅ ଆପେ ଆପେ ଉଠିଲା। ସମସ୍ତ ଙ୍କୁ ଚାହିଁ, ସୁନ୍ଦର ହସ ଟିଏ ହସି ଦେଇ ଦୌଡ଼ି ଚାଲିଗଲା। ଆମେ ସମସ୍ତେ ଆଶ୍ଚର୍ଯ୍ୟ! ଆଜିବି ମୁଁ ଭାବେ ସେ କଣ ସତରେ ବେହୋସ ହୋଇଥିଲା?


ଏବେ କିନ୍ତୁ ପପୁ କୁ ସେ ଝିଅ ଦେଖିଲେ ହସି ଦେଇ ଚାଲିଯାଏ। ବିନା କାରଣରେ ପପୁ ତାଙ୍କ ସାହିକୁ ବୁଲିବାକୁ ଯାଏ। ସେ ଝିଅ ବି ପପୁ ଘର ସାହି କୁ ଆସେ। ଆମେ ସବୁ ପପୁ କୁ ସେ ଝିଅ ନାଁରେ ଚିଡାଉ। ଆମ ସମୟରେ ପ୍ରେମ ଥିଲା ସବୁଠୁ ବିପଦସଙ୍କୁଳ କାର୍ଯ୍ୟ। ପୁଅ ଝିଅ ଏକା ଏକୁଟିଆ କଥା ହେବା ଘୋର ଅପରାଧ। ପପୁର ପ୍ରଥମ ପ୍ରେମ ତିନି ଚାରି ବର୍ଷ ପର୍ଯ୍ୟନ୍ତ କେବଳ ସ୍ମିତ ହସ ଭିତରେ ସୀମିତ ଥିଲା। ମୋ ବୋଲିଙ୍ଗ ଯୋଗୁ ଏତେ ବଡ଼ କାମ ହୋଇ ପାରିଛି ବୋଲି ମୁଁ ମନେ ମନେ ଖୁସି ହେଉ ଥିଲି। ପ୍ରଥମ ପ୍ରେମ ବୋଧେ ସବୁବେଳେ ଭୁଲ ଜାଗାରେ ହୁଏ। କିଛି ବର୍ଷ ପରେ ସେ ଝିଅ ବାହା ହୋଇ ଚାଲିଗଲା।


ଦଶମ ପରୀକ୍ଷା ପରେ ବଲ ଖେଳ କମି ଯାଇଥିଲା। କିଛି ପିଲା ସହରରେ ପଢ଼ିବାକୁ ଚାଲି ଗଲେ। ସେ ସମୟରେ ଜଣେ ସାଙ୍ଗ ଭୁବନେଶ୍ୱର ରେ ଇଂଜିନିୟରିଂ ପଢୁଥିଲା। ସେ ଗାଁ କୁ ଆସିଲେ, ତୋଟାରେ ଗଛରୁ ଝଡି ତଳେ ପଡିଥିବା ଶୁଖିଲା ଆମ୍ବ ବଉଳକୁ ହାତରେ ମକଚି ଗୁଣ୍ଡ କରି, ନଡିଆ ପତ୍ରକୁ ଗୁଡ଼ାଇ ଚିଲମ କରି, ଗଂଜେଇ ଟାଣିବା ଭଳି ଟାଣେ। ଆମ ସାଥିର ଆଉ ଜଣେ ଦୁଇ ଜଣ ତା ସାଥିରେ ମିଶି ଟାଣନ୍ତି। କିଛି ସମୟ ପରେ ସେ ପିଲା ମୁଣ୍ଡରେ ହାତ ଦେଇ ବସିଯିବ। କହିବ, ମତେ ନିଶା ଧରିଲାଣି। ମୋ ମୁଣ୍ଡ ବୁଲେଇ ଦେଉଛି। ଦିନେ ଧରା ପଡି ସମସ୍ତେ ଗାଳି ଶୁଣିଲୁ। ଚୋର ସାଙ୍ଗରେ ଭଲ ଲୋକ ମିଶିଲେ ବି ଚୋର, ବେଶୀ ଗାଳି ମୋ ଉପରେ ହୋଇଥିଲା। ଆଜି ସେ ପିଲା ହାଇଦ୍ରାବାଦରେ ଇଂଜିନିୟର ଅଛି।


ଶୀତ ଦିନେ ଆମେ ଥରେ ଥରେ ବାହାରେ ଭୋଜି କରୁ। ଆମ ଘର ପାଖରେ ଗୋଟେ ପୋଖରୀ। ପୋଖରୀ କୂଳରେ ବିରାଟକାୟ ବାଉଁଶ ବୁଦା। ବାଉଁଶ ଗଛ ସବୁ ଏମିତି ବଢିଥାଏ, ତା ମୂଳ ଏକ ଘର ଭଳି ବାହାରକୁ ଲାଗେ। ସେ ସମୟରେ ସ୍ତ୍ରୀ ଲୋକ ମାନେ ବାରି ବଗିଚା ତୋଟା ସବୁରୁ ପତ୍ର ଗୋଟେଇ ଆଣି ଜାଳେଣୀ ରୂପେ ବ୍ୟବହାର କରନ୍ତି। ତେଣୁ ଚାରିଆଡ଼ ପରିଷ୍କାର। ଆମେ ସେ ଜାଗାରେ ରୋଷେଇ କରୁ। ପରିବା ପ୍ରାୟ ସମସ୍ତଙ୍କର ଘରେ ଥାଏ। କିଏ ଆଳୁ ଆଣିଲେ କିଏ ସାରୁ ଆଣେ। ଚାଉଳ ବି ଘରୁ ଆସେ। ଯାହା ସଉଦା ତେଲ କିଣା ହୁଏ। ଘର ପାଖର ଜଣେ କକେଇ ସବୁ ରାନ୍ଧନ୍ତି। ରୋଷେଇ ଆରମ୍ଭ ହେଲେ ଆମେ ଗାଁ ପୋଖରୀକୁ ମାଛ ଧରିବାକୁ ଯାଉ। ଜାଲ ତ ନଥାଏ। ଚିରା ମଶାରୀ ନେଇ ଯାଉ। ସେ ସମୟରେ ପୋଖରୀ ମାନଙ୍କରେ ବହୁତ ମାଛ। ତୁଠ ମାନଙ୍କରେ ତିନି ଚାରି ଥର ଖିଅ ଦେଇ ଦେଲେ ଅଧ କେଜି ଚିଙ୍ଗୁଡ଼ି ଆସନ୍ତି। ସେ ମାଛ ଜଣେ ଲୋକକୁ ଦିଆ ଯାଏ। ସେ ଭାଜିବ, ଅଧେ ରଖି ଅଧେ ଦେବ। ରୋଷେଇ ରେ ଭାତ ଆଉ ଚିଙ୍ଗୁଡ଼ି ଡାଲମା। କି ସ୍ୱାଦ! ଆଜି ବି ସେ ସ୍ୱାଦ ମନ ଝୁରି ହୁଏ।


ସେ ସମୟରେ ଗାଁ'ରେ ଏକତା ଥିଲା। ଭାଇ ଚାରା ଥିଲା। ଲୋକମାନେ ପରିଶ୍ରମୀ ଥିଲେ। ମିଳିମିଶି ଚଳୁଥିଲେ। ଶୀତ ଦିନେ ଗାଁରେ ଅନେକ ଫସଲ ହେଉଥିଲା। ସକାଳ ସନ୍ଧ୍ୟାରେ ସମସ୍ତ ମଣିଷ ପନିପରିବା ବିଲରେ କାମ କରୁ ଥିଲେ। ଜଣେ ଜଣେ ରେଡ଼ିଓ ନେଇ ବିଲକୁ ଆସନ୍ତି। ରେଡ଼ିଓ ଫୁଲ ସାଉଣ୍ଡ ରେ ବାଜୁଥିବ। ଲୋକେ ଖୁସିରେ କାମ କରୁଥିବେ। ଫସଲ ଅମଳ ସମୟରେ ବିଲରେ ଗୋଟେ ଗୋଟେ କୁଡ଼ିଆ ହୁଏ। ଫସଲ ଜଗିବା ପାଇଁ ଜଣେ ଦୁଇଜଣ ସେ କୁଡ଼ିଆରେ ଶୁଅନ୍ତି। ଫସଲ ଅମଳ ସରିଗଲେ ସେ କୁଡ଼ିଆରେ ଭୋଜି ହୁଏ। ସେହି ଏକା ଖାଦ୍ୟ। ଭାତ, ଗୁଣ୍ଡ ମାଛ ନ ହେଲେ ଚିଙ୍ଗୁଡ଼ି ଡାଲମା। ରୋଷେଇ ସରିବା ପରେ ଆଗ ବାହାରେ ଦିଆ ହେବ। ଭୂତ ପ୍ରେତଙ୍କ ପାଇଁ। ବାହାରେ ଦେଇ ଦେଲେ ସେମାନେ ଆଉ ହଇରାଣ କରିବେ ନାହିଁ ବୋଲି ବିଶ୍ୱାସ। ତା ପରେ ସମସ୍ତେ ମିଶି ଖଇବେ। ଶେଷରେ ସେ କୁଡ଼ିଆରେ ନିଆଁ ଲଗେଇ ଫେରିବେ। ବର୍ଷେ ବର୍ଷେ କୁଡ଼ିଆରେ ନିଆଁ ଲଗାଇବାକୁ ବୟସ୍କ ବ୍ୟକ୍ତି ମାନେ ମନା କରନ୍ତି। ନଡ଼ା, ବାଉଁଶ ଘରକୁ ଆସେ ଜାଳେଣି ପାଇଁ। ଆଜି ସେ ସବୁ ଜାଗା ବାଉଁଶ ବଣରେ ଭର୍ତ୍ତି। ଯେଉଁଠି ଦିନେ ସୁନାର ଫସଲ ହେଉଥିଲା ଆଜି ସେ ଜାଗାରେ ପୋକସୁଙ୍ଗାର ବଣ। ଯେଉଁଠି ଦିନେ ଆମେ ହସୁ ଥିଲୁ, ଖେଳୁ ଥିଲୁ, ଦିନ ତମାମ ଲୋକେ କାମ କରୁଥିଲେ, ଭୋଜି ଭାତ ଖାଉଥିଲେ ସେ ଜାଗା ଆଜି ଅପରିତ୍ୟକ୍ତ। ଭାବିଲେ ବହୁତ ଦୁଃଖ ଲାଗେ। କୁଆଡେ ଗଲା ସେ ଦିନ ସବୁ...।


ଖରା ଦିନେ ଗାଁର ସବୁ ପୋଖରୀ ରୁ ମାଛ ମରାଯାଏ। ବଡ଼ ଲୋକମାନେ ମାଛ ଧରିବେ ଆମେ ସାନ ମାନେ ଉପରେ ବଛା ବଛି କରି ହାଣ୍ଡି, ବ୍ୟାଗ ନ ହେଲେ କୁଣ୍ଡ ରେ ରଖିବୁ। ଅଧିକ ହୋଇ ଗଲେ ଘରେ ରଖି ପୁଣି ଆସିବୁ। ସେ ସମୟରେ ପୋଖରୀ ମାନଙ୍କରେ ଅନେକ ମାଛ। ଗୋଟେ ପରେ ଗୋଟେ, ମାସ ସାରା ମାଛ ଧରାଯାଏ। ସେ ପୋଖରୀ ନାଁ ଗୁଡିକ ଥିଲା ବଡ଼ ନଈ (ଆଗରୁ ତାହା ନଈ ଥିଲା କାଳକ୍ରମେ ଲୋକ ମାନେ ବନ୍ଧ କରି ପୋଖରୀ କରିଛନ୍ତି), ସାନ ନଈ, ବ୍ରାହ୍ମଣ ଗାଡ଼ିଆ, ବଣୁଆଣୀ ଗାଡ଼ିଆ, ଟିକି ଗାଡ଼ିଆ, ଜୋରକୂଳ ପୋଖରୀ, ମାହାନ୍ତି ଘର ପୋଖରୀ ଏମିତି ସବୁ। ଆଜି ଅନେକ ପୋଖରୀ ଉପରେ ଗୋଶାଳା, ପଞ୍ଚାୟତ ଘର ଆଉ ଚାଷ ଜମି ହୋଇ ଗଲାଣି।


 ଏମିତି ଅନେକ ସ୍ମୁତି ଆଜି ବି ଜୀବନ୍ତ। ଆଜି ସେ ଗାଁ ଅଛି, ସେ ହାଟ ଅଛି, ସେ ତୁଠ ଅଛି, ସେ ଗୋଧୂଳି ଅଛି, ଗାଁ ମୁଣ୍ଡରେ ଗ୍ରାମ ଦେବତୀ ଅଛନ୍ତି। କିନ୍ତୁ ସେ ଆତ୍ମୀୟତା ନାହିଁ। ସେ ଭାଇପଣ, ସେ ଏକତା ନାହିଁ। ଗାଁ ମେଳଣ ରେ ନାମ କୀର୍ତ୍ତନ ନାହିଁ, ବାଦି ପାଲା ନାହିଁ। ଠାକୁରାଣୀ ମନ୍ଦିର ପଛପଟ ଶିଆଳି ଲଟା ଆଉ ନାହିଁ। ଭାଗବତ ଟୁଙ୍ଗିରେ ପୁରାଣ ପଢା ନାହିଁ। ଝାଞ୍ଜ, ଖୋଳ, ତାଳ ସହିତ ନଗର କୀର୍ତ୍ତନ ଆଉ ନାହିଁ। କିନ୍ତୁ ଗାଁ ମୁଣ୍ଡ ବରଗଛ ସେମିତି ଛିଡା ହୋଇଛି କୋଉ ଯୁଗରୁ। ଖରା, ବର୍ଷା, ଶୀତ, କାକର, ଝଡି ମରୁଡି ସବୁ ସହିଛି। ସବୁ ଦେଖୁଛି। କିନ୍ତୁ ଆଜି ଉତ୍ତପ୍ତ ଖରା ବେଳରେ ଗାଈ ଗୋଠ ତା ମୂଳରେ ଆଶ୍ରୟ ନେଉ ନାହାଁନ୍ତି, କି ଚାଷୀ ଭାଇ ତା ମୂଳରେ ଥକା ମେଣ୍ଟାଉ ନାହିଁ। ସବୁ ପରେ ବି, କେତେ ସୁନ୍ଦର ମୋ ଗାଁ, କେତେ ସୁନ୍ଦର ମୋ ଗାଁ' ର ମହକ!


 "ଅଛି ସେହି ଗାଁ, ଅଛି ସେ ଗୋଧୂଳି ଅଛି ସେ ଗାଧୁଆ ତୁଠ,

 ଭୁଆଶୁଣୀ ଆଉ ନଦୀକୁ ଆସୁନି ଫେରୁ ନାହିଁ ଗାଈଗୋଠ।

 ଅଛି ସେ ଗହୀର, ଅଛି ସେହି ବିଲ ଅଛି ସେହି ବର ଗଛ,

 ଚଷା ଭାଇ ଆଜି ଦାଦନ ଖଟୁଛି ହେଉ ନାହିଁ ଚାଷ ବାସ।"



Rate this content
Log in

Similar oriya story from Classics