ହେଲୋ...
ହେଲୋ...
ଦିଗାମ୍ବର ଦୁଇହଜାର ମସିହା ଜୁନ ମାସରେ ଯାଜପୁରରୁ ଭୁବନେଶ୍ୱର , ଚାରୁକଳା ମହାବିଦ୍ୟାଳୟରେ ପଢ଼ିବା ପାଇଁ ଗଲା । ବଡ଼ଭାଇ ଶ୍ୱେତାମ୍ବର ଆଗରୁ ବି.ଜେ.ବି ମହାବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ କରୁଥିଲେ ତେଣୁ ଦୁଇଭାଇ ସାଥି ହୋଇ ଗଲେ । ଯେହେତୁ ଦିଗୁ ପାଞ୍ଚଭାଇଙ୍କ ମଧ୍ୟରୁ ସବାସାନ ତେଣୁ ମାଆଙ୍କ ଗେହ୍ଲା ଥିଲା । ଚିନ୍ତାର କାରଣ ସବୁ ହେଲା , ଏକ ତ ପୂର୍ବରୁ ସେ କେବେ ଏକା ବାହାରେ ରହିନି । ପୁଣି ନିପଟ ମଫସଲରୁ ରାଜଧାନୀ ଭୁବନେଶ୍ୱର ! ଦୁଇ ହେଲା , ପିଲାଟି ସବୁବେଳେ ଅନ୍ୟମନସ୍କ ରୁହେ ଗାଁରେ ଥିଲାବେଳେ କେବେ ବି ତା' ଗୋଡ଼ରୁ ଘାଆ ଶୁଖେନି । ରାସ୍ତାରେ ନଜର ନରଖି ତା'ର ଇଆଡେ ସିଆଡେ ସବୁବେଳେ ନଜର , ତେଣୁ କେଉଁଠି କେବେ କାହା ସହ ବାଡ଼େଇ ହୋଇ ପଡ଼େ ତ କେବେ ଝୁଣ୍ଟି ଆଉ କେବେ ସାଇକେଲରୁ । ତିନି ହେଲା, ଖାଇବା ପିଇବାରେ ବିଲକୁଲ୍ ନଜର ଦିଏନି । ତେଣୁ ଗଲାବେଳେ ମା ବାପା ବାରମ୍ବାର କହିଲେ ଦିଗୁ , ଖାଇବା ପିଇବାରେ କେବେ ହେଳା କରିବୁନି , ସବୁବେଳେ ସର୍ତକ ହୋଇ ଚଳିବୁ । ଭଲମନ୍ଦ ସବୁ ଚିଠି ଲେଖି ଜଣେଇବୁ ।
କଲେଜର ଛାତ୍ରାବାସର ସୁବିଧା ନଥିବାରୁ ଦିଗାମ୍ବର ମାମୁଁଙ୍କ ସହାୟତାରେ ରସୁଲଗଡ଼ରେ ତାଙ୍କର ଜଣେ ପରିଚିତଙ୍କ ଘରେ ଛଅମାସ କାଳ ପେଇଙ୍ଗ୍ ଗେଷ୍ଟ୍ ଭାବେ ଥିଲା । ନିୟମିତ ପ୍ରତି ରବିବାର କବାଟ ବନ୍ଦ କରି ଏକାନ୍ତରେ କେବେ ପୋଷ୍ଟ କାର୍ଡ ତ କେବେ ଅଧିକ ଲେଖିବାର ଥିଲେ ଇଙ୍ଗଲାଣ୍ଡ୍ ଲେଟରରେ ଚିଠି ଲେଖୁଥିଲା ।
ଆରମ୍ଭ କରେ ଉପରେ ପ୍ରଥମେ ଓଁ ମା ହିଙ୍ଗୁଳାୟ ନମଃ ଲେଖି ତଳେ ଗାରଟିଏ ଟାଣେ ତା'ପରେ ଟିକେ ରହିଯାଇ ଆରମ୍ଭ କରେ ....
ପୂଜ୍ଯାସ୍ପଦ ବାପା ,
ମୋର ଭୂମିଷ୍ଠ ପ୍ରମାଣ ଗ୍ରହଣ କରିବେ ମା'କୁ ଓ ବଡ଼ ଭାଇମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇ ଦେବେ ଆଉ ସାନ ଭଉଣୀ ଟିକିକୁ ମୋର ସ୍ନେହ ଦେବେ । ଏତିକି ଲେଖିଲାବେଳେ ତା' ହାତ ଥରିବାକୁ ଲାଗେ ,ତଣ୍ଟି ଆଉ ନାକ କୁହୁଳି ଉଠେ ଆଖିରେ ଲୁହ ଯାକି ହୋଇଯାଏ ।
ଛଅ ମାସ ନିୟମିତ ଚିଠି ଲେଖିଛି ଘରକୁ , ପ୍ରଥମେ ପ୍ରଥମେ ପ୍ରତି ସପ୍ତାହ , ତା' ପରେ ପଢ଼ାପଢ଼ି ଆଉ ସାଙ୍ଗସାଥୀରେ ବ୍ୟସ୍ତରହି ପନ୍ଦର ଦିନ ହୋଇଯାଏ ହେଲେ ପନ୍ଦର ଦିନରୁ ଅଧିକ ବିଳମ୍ବ ସେ କରେନି ।
ରସୁଲଗଡ଼ର ଯେଉଁ ସୀମାଅପାଙ୍କ ଘରେ ରହୁଥିଲା ତାଙ୍କ ଘରେ ବିଟେଲ୍ର ଆୟତାକାର କଳା ରଙ୍ଗର ଲ୍ୟାଣ୍ଡ ଫୋନଟିଏ ଥିଲା । ସୀମାଅପା କେତେଥର ତାକୁ ଥଟ୍ଟାକରି କହିଛନ୍ତି , ଆବେ ଦିଗୁ ! ଚିଠି କ'ଣ ଲେଖୁଛୁ ? ଘରେ କହୁନୁ ଫୋନ୍ କରିବେ । ସହରୀ ସୀମାଅପାକୁ ଜଣା ନଥିଲା ଯେ ତାଙ୍କ ଆଖ ପାଖ ଗାଁରେ କେବଳ ପୋଷ୍ଟ ଅଫିସ ଆଉ ଦୁଇ ଚାରିଟି ଘରେ କେବଳ ଫୋନ୍ ଥାଏ । ତା ଗାଁରେ ତ କାହାର ଘରେ ବି ନଥାଏ । ଲୋକେ ସେବେ ତାଙ୍କ ଗାଁରେ ଟେଲିଫୋନ ଚଳାଚଳ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । ଫୋନ କରିବାକୁ ହେଲେ ଦଶ କିଲୋମିଟର ଦୂରରେ ଥିବା ଯାଜପୁର ରୋଡ଼ର S.T.D ବୁଥକୁ ଯିବାକୁ ହେବ । କିଏ ଯିବ ଫୋନ୍ କରିବା ପାଇଁ ? ତେଣୁ ସେ ଚିଠି ଲେଖେ ।
ସୀମାଅପା ଘରେ ଆଉ କଲେଜ ଅଫିସରେ ସେ ଲୋକଙ୍କୁ ସ୍ବଛନ୍ଦରେ ଟେଲିଫୋନରେ କଥାହେବା ଦେଖେ । ତାକୁ ସିନେମାର ଦୃଶ୍ୟ ଭଳି ଦେଖାଯାଏ । ତା'ର ଭାରି ଜିଜ୍ଞାସା ହୁଏ ଟିକିଏ କାନରେ ଦେଇ ଶୁଣିବାକୁ ହେଲେ ଫୋନଟିକୁ ଛୁଇଁବାକୁ ତାକୁ ଡ଼ରଲାଗେ । କାଳେ କିଏ ଦେଖିଦେବ ! ହାତରୁ ଯଦି ଫୋନ୍ ଖସିଯାଏ ତେବେ ! ତାକୁ ସବୁଠୁ ରହସ୍ୟମୟ ଲାଗେ , ସ୍ପ୍ରିଙ୍ଗ୍ ଭଳି ମୋଡ଼ି ମୋଡ଼ି ହୋଇଥିବା ତାରଟି । ଏମିତି ମୋଡ଼ି ମୋଡ଼ି ହୋଇ ରହିବାର କାରଣ ବିଷୟରେ ସେ ଚିନ୍ତାକରେ କାହାରିକୁ ଲଜ୍ଜା ବଶତଃ ପଚାରି ପାରେନି । ପୁଣି କେମିତି ଦୂରଦୂରାନ୍ତରୁ ଲୋକଙ୍କ କଥା ସବୁ ବିନା ସମୟ ବ୍ଯବଧାନରେ ନେଇ ପଳେଇ ଆସେ ସେ ବୁଝି ପାରେନି । ଘରୁ ଚିଠି ତା' ପାଖରେ ଆଉ ତା ଚିଠି ଗାଁରେ ପହଞ୍ଚିବାକୁ ତ ଚାରି ପାଞ୍ଚଦିନ ଲାଗେ । ତାଙ୍କ ଘରେ ଫୋନଟିଏ ଥାଆନ୍ତା ହେଲେ , ମା'ର କଣ୍ଠସ୍ୱର ସେ ଯେବେ ଇଚ୍ଛା ଶୁଣିପାରନ୍ତା ।
ସୀମାଅପାଙ୍କ ଘରେ କେହି ନଥିଲା ବେଳେ କୌତୁହଳ ବଶତଃ ଡ଼ରି ଡ଼ରି ସେ ଫୋନ୍ ରିସିଭରଟିକୁ ଉଠେଇ କାନରେ ଲଗାଏ । କିଂ..... କରି ଆସୁଥିବା ଶବ୍ଦଟିକୁ ମନଦେଇ ଶୁଣେ ତା ପରେ ଗୋଟିଏ ଗୋଟିଏ ନମ୍ବର ଚିପେ ଟୁଂ ଟାଂ ଟିଂ ଟାଂ...... ଏଇମିତି ଖେଳୁଥିବା ବେଳେ ଯଦି କାହାର ଆସିବାର ପାଦ ଶବ୍ଦ ସେ ଶୁଣେ , ଧିରେ କରି ରିସିଭରଟି ଥୋଇ ଦେଇ ସୁନାପିଲା ପରି ବସି ପଡ଼େ । ଏଇମିତି ଥରେ ଏକାନ୍ତ ସମୟରେ ସେ ଫୋନକୁ ଦେଖି ଚିତ୍ରଟିଏ ଆଙ୍କିଥିଲା । କେବେ କେବେ ଫୋନ୍ କ୍ରିଂ.. କ୍ରିଂ.. କ୍ରିଂ ଶବ୍ଦ ହେଉଥିଲାବେଳେ ତା'ର ଇଚ୍ଛା ହୁଏ ଉଠେଇ କହିବ , ହେଲୋ ! ହେଲେ ସାହାସ ହୁଏନି ।
ସୀମାଅପା ଘରେ ଛଅମାସ ରହଣୀ ଭିତରେ ଦ୍ରୁତଗତିରେ ତା ଗାଁରେ ପରିବର୍ତ୍ତନ ଆସିଥିଲା , ଗାଁର ସ୍ୱଚ୍ଛଳ ଲୋକେ ନିଜ ନିଜ ଘରେ ଲ୍ୟାଣ୍ଡ ଫୋନ୍ ସଂଯୋଗ କଲେ ପିଲା ଦୁଇଟି ବାହାରେ ରହୁଥିବାରୁ ବହୁ ଚିନ୍ତାକରି ତା' ବାପା ଘରେ ଫୋନଟିଏ ଲଗେଇବାକୁ ସ୍ଥିର କଲେ । ଏପଟେ ତା' ଶତୁଆଭାଇଙ୍କୁ (ଶ୍ୱେତାମ୍ବର) ହଷ୍ଟେଲରେ ଖରାପ୍ ଲାଗୁଥିଲା କାରଣ ତାଙ୍କର ପ୍ରାୟତଃ ସବୁ ସାଙ୍ଗଙ୍କ ଘରୁ ହଷ୍ଟେଲକୁ ଫୋନ୍ ଆସେ କେବଳ ସେ
ଆଉ କିଛି ହାତ ଗଣତି ପିଲାଙ୍କୁ ଛାଡ଼ିଦେଲେ । ସ୍ୱଚ୍ଛଳ ଘରର ପିଲାମାନେ କିଏ କିଏ ସେତେବେଳେ ମୋବାଇଲ ଫୋନ ରଖିବାର ବି ଦେଖାଗଲାଣି । ଦିଗା ମୋବାଇଲ ଫୋନ କେବେ ପାଖରୁ ଦେଖି ନଥିଲା। କେବଳ ଭୁବନେଶ୍ୱରରେ କାର ଚଳାଇ ଯିବା ଆସିବା କରୁଥିବା କିଛି କିଛି ଲୋକଙ୍କ ହାତରେ ସେ ଦୂରରୁ ଦେଖିଥିଲା । ସେ ଯାହା ହେଉ ତାଙ୍କ ଘରେ ଫୋନ୍ ଲାଗିଗଲା ।
ଭାଇ ହଷ୍ଟେଲକୁ ପ୍ରାୟତଃ ସେ ରବିବାର ଯାଏ ଭାଇ ସହ ଦେଖା ହୁଏ ତା'ସହିତ ମେସରେ ବସି ଚିକେନ ଭାତ ଖାଏ । ଭାଇ ଆଗୁଆ ତାହା ପାଇଁ ଗୋଟିଏ ଅଲଗା ମିଲ୍ ପକାଇ ଥାଏ । ବ୍ରଏଲର ଚିକେନ ମାଂସ ପ୍ରଥମେ ସେ ସେଇଠି ଖାଇଲା । ଘରେ ସେବେ ଯାଏ କାହିଁକି ଦୁଇହଜାର ଆଠ ଯାଏଁ ଚିକେନ ପଶିନଥିଲା ଯେବେ ଖାଆନ୍ତି ତ ଦେଶୀ କୁକୁଡ଼ା । ସୀମାଅପା ଘରେ ଆମିଷ ପଶେନି ତେଣୁ ଭାଇ ତାକୁ ସବୁ ରବିବାର ନିମନ୍ତ୍ରଣ କରେ ।
ଗୋଟିଏ ରବିବାର ଶତୁଆ ଭାଇ ତାକୁ କଳାରଙ୍ଗର ଏକ ଛୋଟିଆ ପକେଟ୍ ଡାଏରୀ ଧରାଇଲେ ଯେଉଁଥିରେ ଅକ୍ଷର କ୍ରମରେ ନାମ ସହ ଫୋନ୍ ନମ୍ବର ଲେଖାଯାଏ । ସେଥିରେ H ସ୍ଥାନରେ Home -06726 221829 ଲେଖା ଯାଇଥିଲା । ଭାଇ କହିଲା , ଘରେ ଫୋନ୍ ଲାଗିଯାଇଛି ! କାଲି ସନ୍ଧ୍ୟାରେ ସେ କଥା ହୋଇଥିଲା ।ଦିଗକୁ କହିଲା, ହଁ , ସତରେ ! କାହିଁକି ଆଗରୁ କହିଲୁନି ? ଭାଇ ହସିକି କହିଲା , ହଁ ସତରେ । ଯଦି ଆଗରୁ କହିଥାନ୍ତି ତେବେ ତୁ ଚିକେନର ମଜ୍ଜା ନେଇ ପାରିନଥାନ୍ତୁ । ଦିଗୁ ଅତି ଉତ୍ସାହର ସହ କହିଲା , ଭାଇ ଏବେ ଚାଲ୍ ଘରକୁ ଫୋନ୍ କରିବା । ଭାଇ କହିଲା , ଆରେ କାଲି କ୍ଲାସ୍ ଟେଷ୍ଟ ଅଛି ଆଉ କେବେ । ତୋ କଲେଜ ତ ଏହିଠି ପାଖରେ ତୁ କାଲି ଆସେ କଥା ହେବା । ସେ ଅନ୍ୟ ଗତି ନପାଇ ମୁହଁ ଓହଳେଇ ଫେରି ଆସିଲା ।
ବିଜେବି କଲେଜ ବୟଜ୍ ହଷ୍ଟେଲରୁ ରସୁଲଗଡ଼ ଯାଏ ସାଇକେଲ ଚଳାଇ ଆସୁଥିବା ବେଳେ ସେ ଦେଖି ଦେଖି ଆସୁଥିଲା ରାସ୍ତାକଡ଼ର ପ୍ରତ୍ୟେକ STD ISD & LOCAL ଲେଖାଯାଥିବା ଟେଲିଫୋନ ବୁଥ୍ ସବୁକୁ । ସୀମାଅପାକୁ କହିଥିଲେ ହୋଇଥାନ୍ତା ହେଲେ ଲଜ୍ଜା ବଶତଃ କି ଅନ୍ୟକିଛି କାରଣରୁ ସେ ଘରର ଫୋନ୍ ବିଷୟରେ କିଛି କହିପାରିଲାନି । ବଡ଼ ଛାଟି ପିଟି ହୋଇ ସନ୍ଧ୍ୟା ଛଅଟା ଯାଏ ସେ ବଡ଼ କଷ୍ଟରେ ନିଜକୁ ଅଟକାଇ ରଖିଲା । ହେଲେ ଆଉ ପାରିଲାନି । ଆଗରୁ ସାଙ୍ଗ ମାନଙ୍କୁ ଦେଖିଛି କେଡ଼େ ଆରମରେ ଯାଇ ଟେଲିଫୋନ ବୁଥରେ କଥା ହେବାର , ସେ କାହିଁକି ପାରିବନି ? ସେ ପକେଟ୍ ଡାଏରୀଟିକୁ ପ୍ୟାଣ୍ଟ୍ ପକେଟରେ ରଖି ଆଉ ଦେଢ଼ଶହ ଟଙ୍କା ଧରି ଚାଲିଲା । ଯଦି କଥା ହେଉ ହେଉ ଅଧିକ ପଇସା ହୋଇଗଲା ତେବେ ?
ରସୁଲଗଡ଼ ଛକର ଏକ ଟେଲିଫୋନ ବୁଥକୁ ଗଲା , ସେଠାରେ ତିନି ଚାରି ଜଣ ଲୋକ ଥିଲେ ,Local ଆଉ STD ପାଇଁ ଅଲଗା ଅଲଗା ଫୋନ୍ ଥାଏ । ସେ ଅପେକ୍ଷା କଲା , ସବୁ ଲୋକ ଯିବା ଯାଏ । ଯେମିତି ତା'କୁ କେହି ଦେଖିପାରିବେନି । ସମସ୍ତେ ଗଲା ପରେ ସେ ଦୋକାନୀକୁ କହିଲା , ଫୋନ୍ କରିବ । ଦୋକାନୀ ଯେମିତି ଜାଣିଗଲା ସେ ଗୋଟାଏ ମଫ ବୋଲି , ରୁକ୍ଷତାର ସହ କହିଲା , STD ନା local ? ଦିଗୁ କହିଲା , STD ! ସେ ବୁଥକୁ ଯାଅ , ଦୋକାନୀ ଇଙ୍ଗିତ କଲା । ସେତେବେଳକୁ ତା'ର ଗୋଡ଼ ଥରିବାକୁ ଲାଗିଲାଣି। ସେ ବହୂବାର ଦେଖିଛି ନମ୍ବର ଡାଏଲ୍ କେମିତି କରନ୍ତି କିନ୍ତୁ ଏ ରିସିଭର୍ ଉଠେଇ କାନରେ ଲଗାଇ ଡାଏରୀରୁ ନମ୍ବର ଦେଖି ଡାଏଲ କରିବାକୁ ଗଲା ବେଳକୁ ତା ହାତ ଭୀଷଣ ଥରିବାକୁ ଲାଗିଲା । ସେ ଚାରିଆଡ଼େ ଆଖି ବୁଲାଇ ଆଣିଲା । ଯାହା ହେଉ , ତାକୁ କେହି ଦେଖୁନାହାନ୍ତି ! ସେଇ ଥର ଥର ହାତରେ ସେ ଗୋଟି ଗୋଟି କରି ନମ୍ବର ସବୁ ଟିପିଲା ,
0 6 7 2 6 2 2 1 8 2 9
ଫୋନ ରିଙ୍ଗ୍ ହେଲା କ୍ରିଂ.... କ୍ରିଂ.. କ୍ରିଂ.... ତା ଛାତି ଦୃତ ଗତିରେ ଧଡ଼ ଧଡ଼ ହେଉଥାଏ । ଘରେ ତ କୁଚିତ କେବେ ରିଙ୍ଗ୍ ହୋଉଥିବା ଫୋନର ଘଣ୍ଟି ଶୁଣିବାକୁ ସମସ୍ତେ ଚାତକ ପରି ଅନେଇ ଆଉ କାନେଇ ବସୁଥିଲେ ତେଣୁ ତିନି ଥର ରିଙ୍ଗ୍ ହେବା ପରେ ସେପଟୁ ବଡ଼ଭାଇ ଦିବାକର ଉଠେଇଲେ । ବଡ଼ ପାଟିରେ ହେଲୋ... କିଏ କହୁଛନ୍ତି ? ହେଲେ ଦିଗୁ ଜାଣିପାରିଲାନି ସେପଟୁ ଭାଇ କି ବାପା କହୁଛନ୍ତି । ତା ପାଟି ଖନି ମାରି ଯାଇଥିଲା , ଥରି ଥରି ଖଣ୍ଡ ଖଣ୍ଡ ବାକ୍ଯରେ କହିଲା , ହେଲୋ..... କିଏ କହୁଛ ? ବାପା ? ଭାଇ ? ମୁଁ ଦି-- ଦି-- ଦି--- ଦିଗୁ କହୁଛି । କିଏ ? ସେପଟୁ ଭାଇର ପ୍ରଶ୍ନ ଥିଲା । କି---କିଏ କହୁଛ ? ମୁଁ ଦି--ଦିଗୁ କହୁଛି । ସେପଟେ ଭାଇ ଚିହ୍ନିପାରି ଖୁସିରେ ଆଶ୍ଚର୍ଯ୍ୟଚକିତ ହୋଇ ଚିଲେଇକି କହିଲା , ଦିଗୁ ! ମୁଁ ଦେବୁ ଭାଇ କହୁଛି । ବାସ୍ ତା'ପରେ ଅତି ଉତ୍ସାହ ଯୋଗୁ ଛାତି ଧଡ଼ ଧଡ଼ ହେବା , ଗୋଡ଼ ଥରିବା ଆଉ ପାଟି ଖନି ମାରିବା ଅପେକ୍ଷା କୃତ କମ୍ ହୋଇ ଯାଇଥିଲା । ବାପା , ମାଆ , ଟିକି ସମସ୍ତଙ୍କ ସହ ଦୁଇ ଦୁଇ ପଦ ସେ କଥା ହୋଇଥିଲା । ତା ଅପେକ୍ଷା ଘରେ ଅଧିକ ସଚେତନ ଥିଲେ ଯେ ତା'ର ବିଲ୍ ଅଧିକ ଉଠିଯିବ ! ପାଞ୍ଚ ମିନିଟ୍ ସଇଁତିରିଶ ସେକେଣ୍ଡ ସେ କଥାହେଲା । ବାର କି ଅଠର ଟଙ୍କା ତା'ର ବିଲ୍ ହୋଇଥିଲା । ସେ ଦୋକାନୀକୁ ତା ପାଉଣା ଦେଇ ବୀର ଦର୍ପଣରେ ଫେରି ଆସିଲା ,ଏଠାକାର ଘର ନମ୍ବର ଦେବାକୁ ସେ ଭୁଲି ଯାଇଥିଲା ।
ଏହାପରେ ସେ ଟେଲିଫୋନରେ ସ୍ବଚ୍ଛନ୍ଦରେ କଥା ହୋଇ ପାରିଲା ।