ହାପି ପ୍ରମିଜ୍ ଡେ
ହାପି ପ୍ରମିଜ୍ ଡେ
ଏତେ ଦିନର ସଂପର୍କ ଆମ ଭିତରେ । ହେଲେ କାହିଁକି ଏତେ କଷ୍ଟ ଦେଇ ମୋ ହାତରୁ ତୁମ ହାତ ଛଡାଇ ନେଇ ସବୁ କିଛି ଭୁଲିଯାଇ ପାର ! କେତେ ପାଗଳ ପଣ ଥିଲା ତୁମ ଭିତରେ , ମୋତେ କେତେ ବଡ଼ ବଡ଼ କଥା କହିଛ । କେତେ ସ୍ବପ୍ନ ଏ ଆଖିରେ ଭରିଛ । ଯେତିକି ସମୟ ତୁମ ସହ ବିତାଇଛି ଦୁଃଖର ଛାଇ ବି ମୋତେ ଛୁଇଁ ନଥିଲା ! ଅନ୍ଧାରରେ ତୁମେ ଆଲୋକର ବିନ୍ଦୁଟିଏ ପରି ଥିଲ ।
ଏବେ ବି ମୋର ଠିକ୍ ମନେଅଛି , କଥାଟିଏ ମାଗିଥିଲ " ତୁମେ କଥା ଦିଅ , ଆମେ ସବୁଦିନ୍ ଏମିତି ବନ୍ଧୁ ହୋଇ ରହିଥିବା । ଯେତେ ଝଡ଼ ବିତି ଯାଉ ଆମ ଉପରେ ...... ମୋ ହାତ କେବେ ବି ଛାଡ଼ିବନି " । ମୁଁ କିଛି କହି ନ ଥିଲି ସତ , ମରିବା ପର୍ଯ୍ୟନ୍ତ ଛାଡ଼ି ପାରିବିନି , ଏଇ କଥାରେ ଦୃଢ଼ ଥିଲି । କାରଣ ତୁମକୁ ଛାଡ଼ି ମୁଁ ରହିପାରିବିନି । ଥରେ ତ ମୁଁ ମୋ ଆତ୍ମାକୁ କଥା ଦେଇଛି , ତୁମକୁ ଆଉ କ'ଣ କହିଥାନ୍ତି ! ତେବେ କ'ଣ ଏଇଥିପାଇଁ ପ୍ରମିଜ୍ ଡେ ପାଳନ ହୁଏ ? ପ୍ରତିଜ୍ଞା କରନ୍ତି କଣ ଭାଙ୍ଗିବା ପାଇଁ ? ଘୃଣା କରୁଛି ସେଇ ପ୍ରତିଜ୍ଞାକୁ ମୁଁ !
ହା ହା ହା .... ତୁମେ କିନ୍ତୁ ଆଜି , ପଳାତକ , ହାରିଗଲ ମୋ ପାଖରେ , କଥା ରଖିପାରିଲନି । ମୁଁ ତ ଯେ
ଉଁଠି ଥିଲି , ସେଇଠି ଅଛି । ହେଲେ ତୁମେ ବାଟ ଭାଙ୍ଗି ଚାଲିଗଲ । ହଁ ନିଶ୍ଚିତ ଭାବେ ମୋ ଦୁନିଆ ଠୁ ଭଲ ଦୁନିଆଟେ ପାଇଛ । ସମୟର ସ୍ରୋତରେ ଆମ ଜୀବନ ବନ୍ଧା ! ତା ଆଗରେ କାହାର ବା ଚାଲିଛି ? ମୁଁ କିନ୍ତୁ ଏ ସମୟକୁ ଖାତିର୍ କରେନା । ମୁଁ କଥା ଦେଇଛି ମୋ ନିଜକୁ , ସେ କଥାର ମାନ ଅବଶ୍ୟ ରଖିବି ! ଆମ ସଂପର୍କର ଯେଉଁପୁଞ୍ଜି ତକ ମୋତେ ଦେଇ ଯାଇଛ ତାକୁ ତ ସୁରକ୍ଷା ଦେବାକୁ ହେବ ନା ? ସେ ତ ଏତେ ଯାଏଁ ଗଛଟିଏ ହୋଇ ନାହିଁ । କଅଁଳିଆ ଚେର ଯେ ତାର ! ଅନେକ୍ ଝାଞ୍ଜି ମୋତେ ଏକା ହିଁ ଯୁଝିବାକୁ ପଡିବ ।
ସେଥିପାଇଁ ତ ଦେବତା ମାନେ ନୁହେଁ ଦେବୀ ହିଁ ଅମର ! ମା'ଟିଏ ମୁଁ , ଛାଡ଼ି ପାରିବନି ପରା ! ତୁମ ଶେଷ ଇଚ୍ଛା ତକ ମୁଁ ନିଶ୍ଚୟ ପୁରଣ କରିବି ମୋ'ପାରୁ ପର୍ଯ୍ୟନ୍ତ ମାନବ୍ ! ଧରିତ୍ରୀ କଥା ଦିଏନି , କାମରେ କରି ଦେଖାଏ । ମୁଁ ଚିର ସବୁଜିମା । ଜାଣେ , ମୋତେ ଛାଡ଼ି ତୁମେ କେବେବି ବଞ୍ଚି ପାରିବନି । ହଁ , ମୃତ୍ୟୁ ଆଗରେ ଆମେ ଓ ଆମ ପ୍ରତିଜ୍ଞା କିଛି ବି ନୁହେଁ । ବାସ୍ ସିଦ୍ଧାନ୍ତ ହିଁ ଅନେକ୍ ସିଦ୍ଧି ଦିଏ । ତୁମ ପ୍ରେମରେ ମୁଁ ସବୁଦିନ ବନ୍ଧା , ମୋ ପ୍ରେମକୁ ବୁଝିବା ଏତେ ସହଜ ନୁହେଁ ମାନବ୍ .....