ଚିହ୍ନା ମୁହଁ
ଚିହ୍ନା ମୁହଁ
କଥା କିଛି ଏମିତି .....
୧-:
- ଆରେ , ଏ ତ ସେଇ ଝିଅଟା ! ୟାକୁ ତ ସେଦିନ ତୁମ ଅଫିସରେ ବି ଦେଖିଲା ଭଳି ଲାଗୁଛି !!
- ଆଚ୍ଛା ??
- ସେ କ'ଣ ତୁମ ସାଙ୍ଗ ? କିନ୍ତୁ ସାନ ଲାଗୁଥିଲା , ଯାହାକୁ ତୁମେ ଫେରିବା ସମୟରେ ସି ୟୁ, କହି ଆସିଲ !!
- ବାପ୍ ରେ ଏତେ କଥା ତୁମେ ମନେ ରଖି ପାର ! ୟା ଭିତରେ ବର୍ଷେ ବିତିଗଲାଣି ! ରିୟେଲି ମାନିବାକୁ ପଡ଼ିବ ସ୍ତ୍ରୀଲୋକମାନଙ୍କ ମେମୋରି ପାଓ୍ବାରକୁ ! ଆଖି ନୁହଁ ତ , ସ୍କାନର !! ହା ହା ହା....
- ଆରେ ନାଇଁ ମ , ସେଇ ଝିଅଟା ଚେହେରା ଠିକ୍ ତୁମର ଏ ଗ୍ରୁପ୍ ଫଟୋର ଝିଅ ସହିତ ମିଶୁଛି , ସେଥିପାଇଁ ଚିହ୍ନାମୁହଁ ପରି ଲାଗିଲା ।
- ହଁ ,ବେଳେ ବେଳେ ସେମିତି ହୁଏ .... ଜଣଜଣକୁ ଦେଖିଲେ ଖୁବ୍ ଚିହ୍ନା ଚିହ୍ନା ଲାଗେ ।
- ହଁ ହଁ ମୋର ସବୁବେଳେ ସେଇ ଭୁଲ୍ ଟା ହୁଏ ପରା !
ପୁରୁଣା ଫଟୋ ଦେଖିଲେ ଯେମିତି ଅନୁଭବ ହୁଏ, ପୁରୁଣା କଥାର ସ୍ମୃତି ଠିକ୍ ସେମିତି .... ବାସ୍ ସମୟ ହିଁ ସବୁର ମୂକସାକ୍ଷୀ ..... !
୨-:
- ପିଲାମାନଙ୍କୁ ବାହାର କର , ଟିକେ ମଲ୍ ଆଡ଼େ ବୁଲି ଆସିବା । ତୁମର ଚିଠା ତୟାର୍ ଅଛି ତ ??ରବିବାର, ବହୁତ୍ ଭିଡ଼ ହୋଇ ଯିବ !
- ହଁ , ଚାଲ .... ଆରେ ଆଜି ଆଇସକ୍ରିମ ଖାଇବାକୁ ମନା କରିବନି ପିଲାମାନଙ୍କୁ । ଏବେ ଚାରି ଦିନ ସ୍କୁଲ ଛୁଟି ପଡ଼ିଛି ।
- ଆଚ୍ଛା , ଜୋ ହୁକୁମ୍ । ତୁମେ କହିଲେ କ'ଣ ମନା କରିପାରିବି ଆଉ ?
- ହଉ , ତୁମେ କାର୍ ପାର୍କିଂ କରି ଆସ । ମୁଁ ପିଲାଙ୍କୁ ନେଇ ଟ୍ରଲି ଆଣେ ।
( ମଲ୍ ଭିତରେ ମାର୍କେଟିଂ ସାରି ବିଲ୍ ପେମେଣ୍ଟ୍ କରିବା ସମୟରେ ହଠାତ୍ ମିତାଙ୍କ ନଜର ପଡ଼ିଲା ସେଇ ଫଟୋରେ ଦେଖିଥିବା ଝିଅଟା ଉପରେ ! ଭାବିଲେ ୟାଙ୍କୁ କହିବି କି ନା ! )
- ଆରେ ଚାଲ ତୁମେ ସମସ୍ତେ ଗାଡ଼ିରେ ବସ , ମୁଁ ଆସୁଛି ।
(ମିତା ଟିକେ ଅନ୍ୟମନସ୍କ ହେଲା ପରି ଲାଗୁଥାନ୍ତି । ମନରେ ଯଦି କେତେବେଳେ କିଛି ମାଡ଼ି ବସେ, ମଣିଷ ଛଟପଟ୍ ହୁଏ ସେଥିରୁ ଖସିବା ପାଇଁ , ନଚେତ ଅଡ଼ୁଆ ସୁତାର ଖିଅ ଖୋଜି ବସେ । ସନ୍ଦେହର ସ୍ଥାନ ନଥିଲେ , ଜୀବନ ସୁରୁଖୁରୁରେ ଗଡ଼ିଚାଲେ । )
- ଗୋଟେ କଥା କହିବି ? ସେଇଯେଉଁ ଝିଅ କଥା ,କହୁ ନ ଥିଲି , ତାର କେଡ଼େ ସୁନ୍ଦରୀ ଝିଅଟେ ମ ! ହେଲେ ଭଗବାନ ଏତେ ନିଷ୍ଠୁର କେମିତି ହୋଇପାରନ୍ତି ଯେ ! ପୋଲିଓ ହୋଇଛି ତା' ଝିଅଟିକୁ !
- ..... ହୁଁ ..... !!!
- ହୁଁ ମାନେ ? ତୁମେ ଜାଣିଛ ? କିନ୍ତୁ .....
- ହଁ !! କିନ୍ତୁ ପୁଣି କଣ ? ଆମ କମ୍ପାନୀରେ ଚାକିରି କରୁଛି ପରା କହିଥିଲି !!
ଯେତେ ଯାହା କଲେ ବି, ଯେତେବେଳେ କିନ୍ତୁ ପାଖରେ କଥା ଅଟକି ଯାଏ , ସେତେବେଳେ ଜୀବନ ଶୈଳୀ ବି ଅଲଗା ଅଲଗା ବାସେ ।ଅବଶ୍ୟ " କିନ୍ତୁ " ପାଖରେ ସନ୍ଦେହର ଭଅଁରଟା ବେଶ୍ ଡେଣା ଝାଡି ଘୁରି ବୁଲୁ ଥାଏ, ଶାନ୍ତି ପୂର୍ଣ୍ଣ ଉତ୍ତର ପାଇବା ପର୍ଯ୍ୟନ୍ତ ।
୩-:
- ମିତା , ସୋନିକୁ ଟିକେ କମ୍ ନେଟ୍ ବ୍ୟବହାର କରିବାକୁ କୁହ । ପଢାପଢିରେ ଧ୍ୟାନ ଦେଉ। ଚାକିରି କରୁ, ଯାହା କରିବ ତେଣିକି ।
- କହୁଛି ତ , କେତେ ବୁଝେଇବି ? ପୁଅ ବି ପ୍ଲସ୍ ଟୁ ପଢ଼ୁଛି , ତାକୁ ଟିକେ ଆକଟ କରିବା କଥା ବରଂ।
- ମିତା, ପୁଅଙ୍କର କିଛି ଅସୁବିଧା ହୁଏନି, ବରଂ ଝିଅମାନଙ୍କ ଜୀବନ ନର୍କ ହେବାକୁ ବେଶୀ ସମୟ ଲାଗେନି ଯେ !
- ମାନେ ?? ବୁଝି ପାରିଲି ନି ....
- ଝିଅମାନେ ହେଲେ ସଜ ଫୁଲ ପରି ! ଥରେ ହିଁ ଫୁଟନ୍ତି ।
- ସତରେ ମୁଁ ବୁଝି ପାରୁନି , ବହୁତ୍ ଥକିଯାଇଛି କାମ କରି । ଶୋଉଛି, କାଲି କହିଦେବି , ଯାହା କହିଲ ତୁମେ , ହେଲା ? ଶୋଇପଡ଼ ମୋବାଇଲ ସୁଇଚ୍ ଅଫ୍ କରିକି ।
(ଆଜିର ପିଢ଼ି ନିଶ୍ଚିତ ଭାବେ ଖୁବ୍ ପ୍ରମ୍ପଟ୍ । ସେଥିପାଇଁ ସେମାନଙ୍କ ପ୍ରତି ବାପାମା' ଟିକେ ସଚେତନ ହେବା ଦରକାର । କେଉଁ ଉପାୟରେ ତାଙ୍କ ସହ କେମିତି ଆଲୋଚନା କଲେ ସେମାନେ କଥାକୁ ସୁସ୍ଥ ମନରେ ଗ୍ରହଣ କରିପାରିବେ ତା'ବି ଭାବିବା ଦରକାର ।)
୪-:
- ମମି, ଖାଇବାକୁ ଦେଲୁ , ଭୋକହେଲାଣି !
- ହଁ ହଁ ମା ଆଣୁଛି। ..... ହେଇ, ତୁ ପୁଣି ସେଇ ନେଟ୍?
- ଓଃ , ଚବର୍ ଚବର୍ କରନା ତ .... ପାଠ ପଢ଼ୁଛି ପରା ! ଦେଖୁନୁ କଣ ପେଜ୍ ଓପନ୍ କରିଛି ! ପ୍ରୋଜେକ୍ଟ କରୁଛି !
- ହଉ ହଉ ପଢ଼୍ ଯେ , ଡାଡି କହୁଥିଲେ ବୋଲି କହିଦେଲି ।
- ହଉ ତୁ ଯା , ମୁଁ ଡୋର୍ ଲକ୍ କରି ପଢୁଛି ।
- ମମି .... ମୁଁ କଣ ଖାଇବି ।
- ହଉ, ବାବା ତୁ ଯା ଡ୍ରେସ୍ ବଦାଳେ ,ଆଣୁଛି ।
ସୋସିଆଲ ମିଡିଆ ତ ଏମିତି ଏକ ସମୁଦ୍ର ,ଯେଉଁଠି ସମସ୍ତେ ପହଁରିବାକୁ ବହୁତ୍ ଭଲ ପାଆନ୍ତି। ସେଇ ପହଁରିବା ସମୟରେ କେତେ ବେଳେ କିଏ କେଉଁ ଗଭୀରତାକୁ ଚାଲିଯାଏ, ଜାଣିବା କଷ୍ଟକର ହୋଇ ଯାଏ । ଭଲ କି ସୁନ୍ଦର ପ୍ରୋଫାଇଲ୍ ଦେଖିଲେ ଚାଷ କରିପକାନ୍ତି ସମସ୍ତେ ସେଥିରେ । ଭଲ ଲାଗିଲେ ଫ୍ରେଣ୍ଡସିପ୍ !! ନ ହେଲେ ,ହେ ଥାଉ !! ଏଇଟା ସତ ; କିନ୍ତୁ ମାନିବାକୁ ନାରାଜ ସମସ୍ତେ । ସୋନି ବି ବାଦ୍ ପଡି ନ ଥିଲା ସେଥିରୁ । ବାସ୍ ମଝିରେ ମଝିରେ ତା ବାବା ପ୍ରୋଫାଇଲ୍ ବି ଚେକ୍ କରେ । ଯୁବାବସ୍ଥାର ସନ୍ଦେହ ନିଶ୍ଚିତ ଭାବେ କିଛି ଅଜଣା ଶିଡି ଚଢ଼ାଇ ନିଏ ଆପେ ଆପେ , ଜିଜ୍ଞାସୁର ଇଚ୍ଛା ନେଇ .... ବାସ୍ ତାପରର ଅବସ୍ଥା ସମ୍ଭାଳିବାକୁ ଟିକେ କଷ୍ଟକର ହୋଇପଡେ ନିଶ୍ଚୟ ! ବେଶି ସମୟ ବି ଲାଗେନି ଫୁଟିବାକୁ ,ଶବ୍ଦଟା ବାହାରକୁ ନ ଶୁଭିଲେ ବି ଭିତରେ ସବୁ ନଷ୍ଟ ହୋଇଯାଏ ।
୫-:
- କ'ଣ ହୋଇଛି ? କୁଆଡ଼େ ବାହାରିଛ କି ??
- ହଁ ! ତୁମକୁ ଛାଡ଼ି ସବୁଦିନ୍ ପାଇଁ କୁଆଡ଼େ ହେଲେ ଚାଲିଯିବି ।
- କୁଆଡ଼େ ଯିବ ??
- ଦୁନିଆରେ ଅଭାବ ନାହିଁ ଯାଗା, ରହିବାକୁ !
ସୁଶାନ୍ତ ବାବୁ ମିତାଙ୍କୁ ଘର ଭିତରକୁ ନେଇ ,କବାଟଟିକୁ ବନ୍ଦ କରିଦେଲେ । ମିତାଙ୍କୁ ବସିବାକୁ କହି , ନିଜେ ମଧ୍ୟ ବସିଲେ । ମିତାଙ୍କ ଆଖିରେ ଧାରା ଶ୍ରାବଣ ବ
ୋଲ ମାନୁନି , ବାସ୍ ଅନବରତ ବୋହି ଚାଲିଛି ....
- ଆମ ଭିତରେ ଝଗଡ଼ା ବା ପାଟିତୁଣ୍ଡ ପିଲାମାନେ ନ ଜାଣନ୍ତୁ , ଏବେ କୁହ , କଣ କହିବାକୁ ଚାହଁ !!
- ମୋତେ ଡିଭୋର୍ସ ଦେଇଦିଅ , ସେଇ ଝିଅ ସହ ଖୁସିରେ ରୁହ । କାହିଁକି ଏତେ ମିଛ କହି ଚାଲିଛ ? ନିଜେ ବି କଷ୍ଟ ପାଉଛ ! ମୋ ସରଳତାର ସୁଯୋଗ ନେଇ ମୋତେ ସବୁଦିନ୍ ଠକି ଚାଲିଛ , ନିଜକୁ ବି ?? ଏବେ ସବୁକିଛି ମୁଁ ଠିକ୍ ଠିକ୍ ଜାଣି ଗଲିଣି । ତୁମେ ଭଲରେ ରୁହ , ଯେତିକି ସୁଖ ଦେଇଛ ବହୁତ୍ ମୋ ପାଇଁ । ଏବେ ସବୁ ଚିହ୍ନାମୁହଁ ବି ଅଚିହ୍ନା ଲାଗୁଛି ମୋତେ। ଜୀବନ କଣ , କେମିତି ବଞ୍ଚିବାକୁ ପଡେ ମୁଁ ଜାଣିନି, ବୁଝି ନି ବି । ବାସ୍ ଏତିକି ଜାଣି ଥିଲି ମୋର ଏ ଦ୍ବିତୀୟ ଜୀବନ ତୁମଠୁ ଆରମ୍ଭ ତୁମଠି ଶେଷ ! ଆଗକୁ କଣ ଅଛି ଚିନ୍ତା ହିଁ କରେନି ....ଫେସ୍ ବୁକ୍ ରେ ଆମ ଦୁଇଜଣଙ୍କର ଫଟୋ ଦେଖାଇ କୁହ,ଦେଖିଲ , କେତେ ଲାଇକ୍ କମେଣ୍ଟ୍ ଆସିଛି ! ସେସବୁ କେବେ ବୁଝିବାକୁ ଇଚ୍ଛା କରେନି । ବାସ୍ ଏତିକି ମାଗେ ଭଗବାନଙ୍କୁ , ଜୀବନର ଶେଷ ପର୍ଯ୍ୟନ୍ତ ଏ ଶଙ୍ଖାସିନ୍ଦୁର ମୋ ଦେହରେ ଏମିତି ଝଟକୁ ଥାଉ । ତେବେ ତୁମେ.....କାହିଁକି ଏମିତି କଲ ? କେଉଁଠି ମୋ ଭିତରେ କି ଅଭାବ ରହିଗଲା ଜାଣି ପାରିଲିନି ????
- ଓଃ , ଏତେ ବୁଲାଓନି କଥା , ସିଧା ସିଧା କୁହ ମିତା ! ତୁମ ସରଳତା ପାଇଁ ମୁଁ ଖୁବ୍ ଭଲପାଏ ତୁମକୁ । ତୁମ ମନରେ ଆପେ କିଛି ବି ଏପଟ ସେପଟ କଥା କେବେବି ପଶିବନି । ସତ କୁହ ତମକୁ କିଏ କଣ କହିଛି ??
- ସତ କଥା ଆଉ କଣ କହିବି ଯେ ? ସତ କଣ ତୁମେ ନିଜେ କହିଦିଅ ତାହେଲେ , ଖୁସି ହେବି ।ସେଥିପାଇଁ ସେଦିନ କହିଥିଲ,ଝିଅ ମାନଙ୍କର ଅସୁବିଧା ହୁଏ ଓ ପୁଅମାନଙ୍କର କିଛି ଅସୁବିଧା ହୁଏନି । ଉଚ୍ଚ ଶିକ୍ଷିତା ହୋଇ ବି , ମୁଁ ତୁମ ପାଖରେ ଏକ ସାଧାରଣ ଝିଅଟେ ପରି ଚଳେ । ଏତିକି ଜାଣେ ମୋ ସ୍ବାମୀ ଏକ ସଚ୍ଚୋଟ ଓ ସରଳ ଲୋକ , ହେଲେ ମୁଁ ଚିହ୍ନିବାରେ ଭୁଲ୍ କରିଦେଲି ..... !! କିଏ ସେ ଝିଅ ତୁମ ଅଫିସ୍ ରେ , ଯାହା କଥା ମୋତେ ଆଜି ପର୍ଯ୍ୟନ୍ତ ଲୁଚେଇ ରଖିଛ ?? କୁହ ...
- ଆଃ .... କିଛି ଲୁଚେଇ ରଖିବାର ଇଚ୍ଛା କରିନି , ବାସ୍ ତୁମକୁ ହରେଇବାର କଷ୍ଟ ସହିପାରିବିନି ବୋଲି କହିନି । ଧୈର୍ଯ୍ୟ ଧରି ଶୁଣି ପାରିବ ତ? ତେବେ ଶୁଣ....
ଯାହା କଥା ତୁମେ ବାରମ୍ବାର କହୁଥାଅ, ସେ ହେଉଛି ମୋ ପ୍ରିୟା(ସୋନାଲି/ସୋନି)ର ସାନ ଭଉଣୀ । ଦୁଇ ଭଉଣୀ ଯାଆଁଳା । ସେଇଟା ହିଁ ଭ୍ରମ ହୁଏ ସମସ୍ତଙ୍କର । ତା'ଠୁ ବେଶୀ କଷ୍ଟ ଦାୟକ ଆମ ପ୍ରେମର ସନ୍ତକଟିଏ ମଧ୍ୟ ଅଛି । ଯେଉଁ ଝିଅଟିକୁ ଦେଖିଥିଲ ତା ସହ, ସେ ମୋ ଝିଅ ,ମିତା ! ପ୍ରିୟାର ଏସବୁ ଅସୁବିଧା ସମୟରେ ମୁଁ ତା ପାଖରେ ନଥିଲି । କିନ୍ତୁ ଏମିତି ସମୟ ବି ଦିନେ ଆସିବ ଜାଣିଥିଲୁ, ଅସମୟରେ କିଛି ଭୁଲ୍ ଆମେ କରିଥିଲୁ । ସେଥିପାଇଁ ତାକୁ ଅପେକ୍ଷା କରିବାକୁ କହିଥିଲି ; କିନ୍ତୁ ସେ ମୋତେ ଅବିଶ୍ୱାସ କରି,ମୋତେ ନର୍କ ଦଶା ଦେଇଗଲା । ଫେରିବା ପରେ ଦେଖିଲି ମୋନିକା, ମୋ ସାଙ୍ଗ ଅଜୟକୁ ବାହା ହୋଇ ସେ ଝିଅକୁ ନିଜ ଝିଅ କରିନେଇଛନ୍ତି, ଓ ତାଙ୍କର ନିଜ ପିଲା ପିଲି କିଛି ନ କରିବାର ସ୍ଥିର କରିଛନ୍ତି । ଏ ସବୁ କଥା ମୋତେ ଖୁବ୍ ଆଘାତ ଦେଇଛି । ବାହା ହେବାକୁ ଘରେ ବାଧ୍ୟ କରିବାରୁ , ମୁଁ ନିଜେ ଝିଅ ପସନ୍ଦ କରିବି ବୋଲି କହିଥିଲି । ଯେବେ ତୁମକୁ ଦଖିଥିଲି , କାହିଁକି କେଜାଣି , ମୋତେ ଲାଗିଲା ତୁମେ ହିଁ ମୋ ପାଇଁ ସଂପୂର୍ଣ୍ଣ ଠିକ୍ । ହେଲେ କୌଣସି ନାରୀ ସହିପାରିବିନି ,ତା ସ୍ବାମୀ ଅନ୍ୟ ଏକ ନାରୀ ସହ ,ଛାଡ଼ । ତେଣୁ କେମିତି କହିଥାନ୍ତି ତୁମକୁ ଏକଥା ? ହେଲେ ତୁମକୁ ଛାଡ଼ି ମୁଁ ରହିପାରିବିନି ,ବୋଲି ପ୍ରତ୍ୟେକ୍ ରାତି ମୋତେ ଦାନ୍ତ ଦେଖାନ୍ତି । ଆଜି ଯାଏ ବି ସେଇ କଷ୍ଟରେ ମୁଁ ଛଟ୍ ପଟ୍ ହୁଏ । ମୋ ଝିଅଟାକୁ କେମିତି ପର କରିଦେଇଥାନ୍ତି କୁହ ? ଏତେ ବଡ଼ ପାପ କରିବାକୁ ଭାବି ପାରିଲିନି । ବାସ୍ ସେ ଦୁହିଁଙ୍କୁ ଅନୁରୋଧ କରିଥିଲି ମୋ ପାଖରେ ପାଖରେ ଝିଅକୁ ରଖିବାକୁ । ଯେମିତି ତା ପାଇଁ ମୁଁ ସବୁକିଛି କରିପାରିବି । ମନ କଥା ଖୋଲି କହିପାରେନି କାହାକୁ , ପିଲାଟି ବେଳୁ ମୁଁ ସେମିତି । ହେଲେ ତୁମକୁ ପାଇ , ମୋ ଜୀବନ ଯେମିତି ପୁଣିଥରେ ବଞ୍ଚିବାର ଆଶା ପାଇଯାଇଛି ,ସେମିତି ଲାଗେ । ଏଇତକ ମୋ ଜୀବନର କଳାଅଂଶ। ପାରୁଛ ଯଦି ଆପଣାଅ , ନହେଲେ ତୁମ ଇଚ୍ଛା ଅନୁସାରେ ଯାହା ଦଣ୍ଡ ଦେବ ଦିଅ , ଚୁପ୍ ଚାପ୍ ସହିଯିବି ।
- ତୁମେ କେଉଁ ଉପାଦାନରେ ଗଢ଼ା ? କେମିତି ରହିପାରିଥିଲ ଏତେ କଷ୍ଟ ନେଇ ? ତୁମେ ଖୁବ୍ ସ୍ବଚ୍ଛ ମଣିଷଟିଏ । ସେଥିପାଇଁ ତ ଏତେ ଭଲପାଏ , ଏତେ ସମ୍ମାନ କରେ ତୁମକୁ !ସତରେ ପ୍ରକୃତ ମଣିଷ ପଣିଆ, ଫେସ୍ ବୁକ୍ ର ଲାଇକ୍ କମେଣ୍ଟ୍ ଠୁ ଅନେକ ଉର୍ଦ୍ଧ୍ବରେ । ଆଜି ପୁଣି ଥରେ ତୁମକୁ ନୂଆ କରି ପ୍ରେମ କରିବାକୁ ଇଚ୍ଛା ହେଉଛି । ଜାଣେନି କାହିଁକି ତୁମ ଆଗରେ ମୋ ମୁଣ୍ଡ ଆପେ ନଇଁ ଯାଉଛି । ସରି , ପ୍ଲିଜ୍ ....
- ହେଲେ ଗୋଟେ କଥା କୁହ, ତୁମକୁ ଏସବୁ କହିଲା କିଏ ??
- ରାଗିବନି ତ ? କହିବି ....
- ନାଃ ...... କୁହ !!
- ସୋନି ।
- ହ୍ବାଟ୍ ?? ..... ହେଲେ ...... ସେ ଏତେ କଥା ??
- ହଉ, ଛାଡ଼ ,ସବୁ କହିବି । ଶାଢ଼ୀ ପିନ୍ଧି ବାହାରିଛି ଯେତେବେଳେ, କୋଉଠି ତ ଟିକିଏ ବୁଲେଇ ଆଣ , ନହେଲେ ନାକୁରୀ ହୋଇ ଯିବି ମ !
- ସିଓର୍ .... ହେଲେ ତୁମକୁ ଅନେକ କିଛି ଆମ ଝିଅ ସୋନି ବିଷୟରେ କହିବାର ଅଛି । ସେସବୁ ଦାୟିତ୍ୱ ତୁମର । ହେଲେ , ଏଥର ଭଳି ପିଲାଳିଆମି ଯମ୍ମା କରିବନି , ପ୍ଲିଜ୍ ।
- ହଁ ବାବା , ଅନ୍ଧ ଥରେ ବାଡ଼ି ହଜାଏ ।
ସୁଶାନ୍ତ ତ ସବୁ କହିଦେଲେ ମିତାଲିଙ୍କୁ; କିନ୍ତୁ ଅନେକ୍ କିଛି ପ୍ରଶ୍ନ ତାଙ୍କ ଭିତରେ ପହଁରିବାକୁ ଲାଗିଥାଏ , ପୁଣି ସେଇ ସମୟକୁ ଅପେକ୍ଷା କରିବେ ନା ଶୀଘ୍ର କିଛି ପଦକ୍ଷେପ ନେବେ, ଭାବୁଥାନ୍ତି , ମିତା ଆସି ତାଙ୍କୁ ହଲେଇ ଦେଇ କହିଲେ
"କ'ଣ ମୋ ମୁହଁକୁ ଚାହିଁ ଭାବୁଛ ଯେ ? ଏଇ ମୁହଁଟା ଚିହ୍ନା ଚିହ୍ନା ଲାଗୁଛି , ଏୟାତ ?"
"ଉଁ ? ..... ହଁ ହଁ !"