ସମୟର ଚକ
ସମୟର ଚକ
କଥା କିଛି ଏମିତି ....
- ମୋର କାର୍ଟୁନ୍ ଚେନାଲ୍
ଟିକେ ଲଗାଇଦିଅ ମୁଁ ଦେଖିବି
- ଯା' ରେ ବାବା , ବାହାରେ ଖେଳୁନୁ? ସନ୍ଧ୍ୟା ପରେ ଏ ବି ସି ଡି ପଢ଼ି ସାରି, ଟିଭି ଦେଖିବା ,ଓକେ !!
- ନାଇଁ,ମୁଁ କାହା ସହ ଖେଳିବିନି
-କାହିଁକିରେ ବାବା !କ'ଣ ହେଲା ? କିଏ କିଛି କହିଲା କି ମୋ ଗୁଡ୍ ବୟ ଟା କୁ !!
- ସେମାନେ ମୋ ସହ ଝଗଡ଼ା ହେଉଛନ୍ତି
- ଆଚ୍ଛା, ହଉ ଆସେ, ମୁଁ ଖେଳିବି ତୋ ସହ ...
- ତୁମେ ବଲ୍ ଫିଙ୍ଗ , ମୁଁ ବ୍ୟାଟିଂ କରିବି ।
- ବାବାରେ , କାଲି କ'ଣ ଅଛି ?
- ସାହିତ୍ୟ ଅଛି ବାପା । ଆସିଲ ,ଟିକେ ପଚାରିଲ !! ତୁମେ ଯାହା ପଚାରିବ, ସେଇଟା ନିଶ୍ଚୟ ପରୀକ୍ଷାରେ ଆସିବ ।
- (ମନେ ମନେ ହସି ଦେଲେ) ଆଚ୍ଛା ହଉ ଦେ , ପାଗଳାଟା ....( କିଛି ପ୍ରଶ୍ନୋତ୍ତର ସରିଲା )...ବାଃ , ଭେରି ଗୁଡ୍ । ହଉ ବାବା ଚାଲ୍ ଶୋଇବା ଏବେ ।
- ବାପା, ଆଉ ଟିକେ ବସ ନା , ଆଉ ଦି ଚାରି ଟା ପ୍ରଶ୍ନ ପଚାରି ଦିଅନା !!
- ବାବାରେ ,
ରାତି ୧୧ଟା ହେଲାଣି ପା ! କାଲି ସକାଳେ ପୁଣି ତୋର ସ୍କୁଲ ଟିଉସନ୍ ଅଛି। ମୁଁ ପୁଣି
୧୦ ଟାରେ ଅଫିସରେ ପହଞ୍ଚିବାକୁ ଅଛି । ଚାଲ୍ ବାବା ଶୋଇବା । ଆଜି ଏତିକି ଥାଉ ।
- ଆଚ୍ଛା, ହଉ ଚାଲ।
- ବାବାରେ , କ'ଣ ଶୋଇନୁ ?
- ନା ,ବାପା, କାମ ଅଛି ଟିକେ, ସାରିଲେ ଶୋଇବି। ପ୍ରୋଜେକ୍ଟ ପାଇଁ ଡେଡ୍ ଲାଇନ ଅଛି ପା ମନ୍ଥ୍ ଏଣ୍ଡ୍ ରେ .... ନହେଲେ ବେଞ୍ଚ୍ ... !!!
- କାମ କର୍ ଯେ, ଟିକେ ଦେହର ଧ୍ୟାନ ବି ନେ ରେ....
- ହୁଁ ..... ତୁମେ ଜମ୍ମା ବ୍ୟସ୍ତ ହୁଅନ୍ତି ବାପା ।
- ଅଫିସରୁ ଡେରିରେ ଫେରୁଛୁ, ତା'ପରେ ବି ....
- ଓଃ, ବାପା.... କାହିଁକି ଏତେ ଚିନ୍ତା କରୁଛ ଯେ ??
- ନା... ରେ.... ସେମିତି କିଛି ନୁହଁ। ତୁ ବାପା ଟିଏ ହେଲେ ବୁଝି ପାରିବୁ। ତୋ ବୋଉଟା ଥିଲେ କେତେ ଖୁସି ହୁଅନ୍ତା । ତା ପୁଅ କେତେ ବଡ଼ କମ୍ପାନୀରେ ଚାକିରି କରିଛି !
କେତେ ଦିଅଁ ଦେବତାଙ୍କୁ ପୂଜା ଦିଅନ୍ତା। ତୋ ଦେହପା' ଯତ୍ନ ନିଅନ୍ତା । ହତଭାଗିନୀ ଟିଏ । ସବୁ ଖୁସି ଦେଖିବା ଆଗରୁ ଆଖି ବୁଜିଦେଲା ...
- ହଉ ହଉ ତୁମେ ଗଲ , ଔଷଧ ଖାଇ ଶୋଇବ । ରେଷ୍ଟ୍ ନେବାକୁ ଡାକ୍ତର କହିଛନ୍ତି ପରା !!
- ହେ... ହେ... କି ରେଷ୍ଟ୍ ନେବିରେ ? ସରକାର ତ ବୟସ ସୀମା ପରେ , ସଂପୂର୍ଣ୍ଣ ରେଷ୍ଟ୍ ଦେଇଦିଅନ୍ତି ଆମ ସରକାରୀ ଚାକିରିଆମାନଙ୍କୁ ।
- ହ ହ ହଉ , ସେ ସବୁ ନ ଗପି ଗଲ ଶୋଇବ !
- ବାପା, ଚାଲୁନ ଟିକେ ଆଜି ବାହାରେ ଖାଇବା ! ଏଇ ସୀମାକୁ ଟିକେ ମନ ହେଉଛି ହୋଟେଲରେ ଖାଇବାକୁ !
- ନା....ରେ..... ମୁଁ ତ ସେ ହୋଟେଲ୍ ଫୋଟେଲ୍ ରେ ଖାଇବାକୁ ଏତେ ଭଲ ପାଏନି ତୁ ଜାଣୁ .... ତୁମେ ଦିହେଁ ଯାଅ ।
- ହ ହଉ ଆମେ ଫେରିବା ସମୟରେ ବାପାଙ୍କ
ପାଇଁ ଟିକେ କ'ଣ ନେଇ ଆସିବା ।
- ଯାଅ, ଶୀଘ୍ର ଫେରି ଆସିବ,
⚡ମେଘ ପବନ ଆସୁଛି , ବେଶୀ ଅନ୍ଧାରକୁ ରହିବନି । ମୁଁ ଟିଭି
ଦେଖୁଛି ହେଲା ? ଯା ବାବା ...
- ବାପା, ପିଲାଙ୍କୁ ନେଇ ଆମେ ଯିବା ଚାଲ ,ଟିକେ ବୁଲି ବାଲି ଆସିବା !! ଫ୍ରେସ୍ ଲାଗିବ , ଚାଲ, ବାହାର ।
- ନା, ରେ, ଆଣ୍ଠୁ ଗଣ୍ଠି ଧରୁଛି, ବେଶି ସମୟ ବୁଲି ପାରିବିନି ରେ ବାବା, ..... ମୁଁ ଘରେ ଅଛି ବିଶ୍ରାମ କରୁଛି ।( ଖୁଁ...ଖୁଁ... ଖୁଁ...) ଯାଅ ପିଲାଙ୍କୁ ଟିକେ ବୁଲେଇ ଆଣ ।
- ହଉ ସୀମା, ମୁଁ ପିଲାମାନଙ୍କୁ ଡ୍ରେସ ପିନ୍ଧାଇ ଦେଉଛି, ତୁମେ ବାପାଙ୍କ ଖାଇବା ବାଢ଼ି , ଟେବୁଲ ଉପରେ ରଖି ଦିଅ ।
ବାପା, ଆମେ ଆସୁଛୁ। ଖାଇସାରି , ଔଷଧ ନେଇ ନବ ।
- ହଁ ବାବା, ତୁ ଚିନ୍ତା କରନା, ଶିଘ୍ର ଆସିବ, ପିଲାଗୁଡା ଶୋଇ ପଡ଼ିବେ ନହେଲେ !
- ବାବାରେ .... , ଏ ଠି କି ଟି କେ ଆ !!! କଥା ହୁଅନ୍ତେନି ?
- ହଁ, ବାପା କୁହ ।
- ମୁଁ ତ ଆଉ ଉଠି ବସି ପାରୁନାହିଁ । ବିଛଣାରେ ପଡ଼ି ଗଲି ,ଓଃ । ପିଲାଦିଟା' କେମିତି ଚୁପ୍ ଚାପ୍ ବସିଯାଉଛନ୍ତିରେ ! ତାଙ୍କ ସହ ଖେଳିଲେ ଯେଉଁ ଆନନ୍ଦ ମିଳେ , ଆହା !! ଆଉ ତ ବେଶି ଖେଳି ବୁଲି ପାରୁନି । ସେମାନଙ୍କ ସାଙ୍ଗରେ, ତୁ ଟିକେ ସମୟ କାଢ଼ି ଖେଳୁନୁ ! ସେମାନେ ବାପା ମା' ଙ୍କ ସହ ଖେଳିଲେ ଯେମିତି ଖୁସି ହେବେ, ତା' ୟେ କମ୍ପ୍ୟୁଟର, ଲାପଟପ୍ , ଟାବଲେଟ୍ ,ମୋବାଇଲ୍ , ଆଇଫୋନ୍ ରୁ କ'ଣ ମିଳି ପାରିବ ? ନା ତାଙ୍କର କୌଣସି ଶାରୀରିକ ପରିଶ୍ରମ ହେବ , ନା ତାଙ୍କୁ ଭୋକ ହେବ , ନା ପିଲାଏ ସୁସ୍ଥ ରହିବେ ! କହିଲୁ ଦେଖି !! .... ତୋ ପାଇଁ ତ କେବେ ବି ମୋତେ ଡାକ୍ତର ପିଣ୍ଡା ମାଡ଼ିବାକୁ ପଡ଼ିନିରେ !
- ହଁ , ଯେ ବାପା , ଦେଖୁଛ ତ କାମର ପ୍ରେସର କେମିତି ? ସକାଳୁ ଯାଉଛି, ରାତିରେ ଫେରୁଛି । ୟେ କ'ଣ ସରକାରୀ ଚାକିରି ହୋଇଛି ! ପ୍ରାଇଭେଟ୍ ଚାକିରୀ ପା ! ଏମିତିକି ତୁମ ସହ ଟିକେ କଥା ହେବାକୁ ସମୟ କୋଉଠି ମିଳୁଛି ! ଆଉ ପିଲାଙ୍କ କଥା କହୁଛ , ସୀମା ତ ସେ ଦାୟିତ୍ୱରେ ଅଛି ନା , ସେ ତାର ବୁଝୁଛି ।
- ହଁ ..... ସତରେ ପରିବାର ଟିଏ ସମ୍ଭାଳିବାକୁ ଚାରୋଟି ହାତ ଓ ଚାରୋଟି ଗୋଡ଼ ଦରକାର !! ତୋ ମା' ଟା ରୋଗରେ ମରିଗଲା।ମୋତେ ଛାଡି ଦେଇ ଗଲା ସଂସାରର ସମସ୍ତ ଦାୟିତ୍ବ!
ତୋତେ ଆଉ ଗୋଟିଏ ମା' ଟିଏ ନ ଦେଇ , ମୁଁ ନିଜେ ଚତୁର୍ଭୁଜ ଓ ଚତୁଃସ୍ପଦ ହୋଇ ଯାଇଥିଲି !! ଜୀବନର ଏ ଅଙ୍କକଷା ବୋଧହୁଏ ମୋର ଭୁଲ୍ ହୋଇଗଲା କି ? ଜାଣେନା ମୋ ନିଷ୍ପତ୍ତି ଠିକ୍ ଥିଲା କି ଭୁଲ୍ ! ସ୍ୱାମୀର ସ୍ତ୍ରୀ ଟିଏ ଦରକାର ଥିଲା , ନା ପୁଅର ମା'ଟିଏ !! ଏ ଶଯ୍ୟାଶାୟୀ ସମୟରେ ଭାବୁଛି, କେତେ କଷ୍ଟକର ଏ ନିଃସଙ୍ଗ ଜୀବନ ,ସତରେ !! ଗୋଡ଼ ହାତ ଚାଲୁ ଥିବା ସମୟରେ ହିଁ ଉପରକୁ ଚାଲିଗଲେ ଭଲ ... ଅନ୍ୟ ଉପରେ ବୋଝ ହେବା ଅପେକ୍ଷା । ହେ ପ୍ରଭୁ ... !!!
- ବାପା !!