Biswa Bharati Dash

Others

2  

Biswa Bharati Dash

Others

ଆଖି

ଆଖି

2 mins
7.4K


କଥା କିଛି ଏମିତି ...(

👁️ଆଖି !!

👁️ )

- ନାଃ, ମୁଁ ଏ ଛୋତ ପଇସା ନେବିନି ।

- କାହିଁକି?

- ଏତା ଛୋତ ପଇସାତା ... ମୋର ବଲ ପଇସା ଦରକାର । ତାଙ୍କୁ ବଲ ବଲ ପଇସା ଦେଲ, ଆଉ ମୋତେ ଛୋତତେ! ମୁଁ ଦମ୍ମାରୁ ନେବିନି ।

- ଆଚ୍ଛା ହଉ କାହାର ପଇସା ନବୁ ଆଣ୍, ତାକୁ ତୋ ପଇସାଟା ଦେଇ ଦେ ।

ଏବେ ମନ ଖୁସି ହୋଇଗଲା । ଠଣ୍ ଠଣ୍ ଠଣ୍ ... ପଡ଼ିଗଲା ତିନିଟା କୁନି କୁନି ବ୍ୟାଙ୍କରେ ପଇସା ।

ମିନିଙ୍କୁ ଭୀଷଣ ଜ୍ଵର । ଏମିତି ଚାକିରି ହୃଷୀକେଶ ବାବୁଙ୍କର , ପତ୍ନୀଙ୍କୁ ସମୟ ଦେଇ ପାରୁ ନ ଥାନ୍ତି । ଗ୍ରୀଷ୍ମ ଛୁଟି ଥାଏ । ତେଣୁ ପିଲାଙ୍କ ସହ ମିନିଙ୍କୁ ପଠେଇ ଦେଲେ ତାଙ୍କ ବାପ ଘରକୁ । ସାନଟା ଟିକେ ଚଗଲା । ଖାଇବାରେ ଖୁବ୍ ହଇରାଣ କରେ । କେହି ଖୁଆଇ ପାରନ୍ତିନି ତାକୁ । ତେଣୁ ବାଧ୍ୟ ହୋଇ ମିନିଙ୍କୁ ଖୁଆଇବାକୁ ପଡେ । ସେଦିନ କିଛି କାରଣ ପାଇଁ ଆକାଶରେ ବହୁତ୍ ଯାନ୍ତ୍ରିକ ପକ୍ଷୀମାନେ ଉଡୁଥା'ନ୍ତି । ସହଜ ଲାଗିଲା ତାକୁ ଖୁଆଇ ଦେବାକୁ ।

- ହେଇ ଦେଖ୍ ଦେଖ୍ ଉଡ଼ାଜାହାଜ । ଆଁ କରିଦେ, ଆଁ କରିଦେ!

- ହେ-ହେ-ହେ (ଡେଇଁ ଡେଇଁ ନାଚୁଥାଏ) ଉଲାଜାହାଜ, ଆତେ, ମୁଁ ଧଲିବି ....

- ହଉ, ତୁ ଶୀଘ୍ର ଶୀଘ୍ର ଖାଇଦେ, ମୁଁ କହୁଛି ତାକୁ, ସେ ତଳକୁ ଆସିବ ।

" ଉଡ଼ାଜାହାଜ ଉଡ଼ାଜାହାଜ

ତଳକୁ ଖସି ଆ.......

ମୋ ଧନକୁ କୋଳେ ବସେଇ

ଆକାଶେ ଉଡ଼ି ଯା ...."

- ନା ନା ମୁଁ ମୋଲ ଗୋତେ ବଦତେ ଉଲାଜାହାଜ କିଣିବି । ଏତା ତ ଆଉ କାହାଲ!

- ଆଚ୍ଛା??? କେମିତି , ସତ ସତିକାଟେ ଆଣିବା କି ? ତା'ପାଇଁ ତ ବହୁତ୍ ପଇସା ଦରକାର୍ ପା !

- ହଁ, ମୋ କୁମ୍ପିଲେ ବହୁତ୍ ବଲ ବଲ ପଇସା ଅଛି । ଭାଙ୍ଗି ଦେଲେ, ବହୁତ୍ ପଇସା ହେଇଯିବ!

- ହେ ହେ ହେ ... ଆଚ୍ଛା!! କେତେ ପଇସା ହେବ କି ?

- ହୁଁ .... ଏତ୍ ତେ ପଇସା ... ( ତା କୁନି କୁନି ଦୁଇ ହାତ ମେଲେଇ ,ଯେତିକି ଦେଖେଇ ପାରିଲା )

- ହେଲେ ସେତିକି ପଇସାରେ ତ ସତସତିକା ଉଡ଼ାଜାହାଜ କିଣିହେବନି । ତା ପାଇଁ ତ ବହୁତ୍ ଟଙ୍କା ଦରକାର୍! ଏତେ ଟଙ୍କା କେଉଁଠୁ ଆଣିବୁ ?

- ମୋ କୁମ୍ପି ଭାଙ୍ଗିଲେ ଭଉତ୍ ପଇସା ଭାରିବ, ତାକୁ ନେଇ ଦୋକାନୀକୁ ଦେଇ ତଙ୍କା ଆନିବି, ଯେମିତି ତୁ ଆନୁଛୁ!

- ହଉ ତୁ ଆଗ ଖାଇଦେ, ଆଁ କରିଦେ ... ଆଚ୍ଛା, ତାପରେ କ'ଣ କରିବୁ?

- ମୁଁ ବଲ ଦୋକାନଲୁ ଗୋତିଏ ସତସତିକା ଉଲାଜାହାଜ କିନିବି । ତା'ଭିତଲେ ବସିକି ଉଲିଯିଇଇଇବି ....

ଏତିକି କଥା ଭିତରେ ଖାଇବା ସରିଗଲା। ମିନିଙ୍କ ପେଟ ପୁରିଗଲା । ତାପରେ ପୁଣି ତାକୁ କହିଲେ ...

- ପାଗଳାଟା ମନଟା ତ ତୋର ଖୁବ୍ ବଡ଼, ହେଲେ ଏତେ ଟଙ୍କା କଉଠୁ ଆସିବ! ପାଠ ପଢ଼ି ବଡ ମଣିଷ ହୋଇ , ବଡ ଚାକିରି କରି, ବହୁତ୍ ପଇସା ରୋଜଗାର କରିବୁ । ତାପରେ ଉଡ଼ାଜାହାଜଟେ କିଣିବୁ, ହେଲା ?

- ନା, ମୋ ପାଖରେ ଅଛି ପା ଭଉତ୍ ପଇସା!

- ଆଚ୍ଛା, କଉଠି ରଖିଛୁ କି!!

- ମୋ କୁମ୍ପିଲେ!!

- ଏଡିକି ଛୋଟିଆ କୁମ୍ପିରେ ଅଳପ ପଇସା ଥିବ, ସେଥିରେ କ'ଣ ଉଡ଼ାଜାହାଜ କିଣିପାରିବୁ??

- ହଁ!! ପାଲିବି !! ମୋର ଆଖି ଦୁଇଟା ଏତେ ଛୋଟ ଛୋଟ, ମୁଁ ଏତେ ଗୁଲା ଜିନିଷ କେମିତି ଦେଖି ପାଲୁଛି ... କଉନୁ ....

ମିନି ଖାଲି ବଲ ବଲ କରି ତା ଆଖିକୁ ଚାହିଁ ରହିଥାନ୍ତି ।


Rate this content
Log in