ଅପୂର୍ବ ସଂଯୋଗ
ଅପୂର୍ବ ସଂଯୋଗ
ଆଃ , ପୁଣି ଥରେ ସେଇ ଡାକ ! ଯାହା ଦିନେ ଏକ ଅନୁଢା ମାତୃତ୍ୱର ଅନୁଭବ ଦେଉଥିଲା ! ସେଇ ଛୁଆଁ , ସେଇ ଭାବ , ଜାଣେନା କାହିଁକି ଏ ଅସମୟ ଛୁଆଁ ! ସତରେ କ'ଣ ଏମିତି ହୁଏ ? ତେବେ ଏଇ ସଂପର୍କକୁ କେଉଁ ନାମ ଦେବି !!
ପଛକୁ ଫେରେଇ ନେଇଯାଉଥିଲା ଏ ସମୟର ପାଦ । ଠିକ୍ ଯେମିତି ଭିଡିଓ ରିଲ୍ ପଛକୁ ଫେରେ ଝିକ୍ ଝିକ୍ ଏପଟ ସେପଟ ହୋଇ ସେଇ କଳା ଧଳା ରଂଗରେ । ସେଇ ପଢା ସମୟର କିଛି ଅଭୁଲା ଦିନ ତକ !ଘରଠୁ ଦୂରରେ ମାତ୍ର ଗୋଟିଏ ଛାତ ତଳେ , ଚାରିକାନ୍ଥ ଭିତରେ , ଚାରୋଟି ଝାପ୍-ସା ମୁହଁ ଓ ଅଚିହ୍ନା ଅଜଣା ଠିକଣାର ଚାରୋଟି ମନ ! କେତେ ଯେ ଅନ୍ଧାର ରାତି , ଆଲୁଅର ଛୁପାଛୁପି , ସବୁ ସେଇ ଗୁଂଫା ଭିତରେ ! ହଁ , ଗୁମ୍ଫା କହିଲେ କିଛି ଅତ୍ୟୁକ୍ତି ହେବନାହିଁ !!
ଚାରୋଟି ଝାଞ୍ଜି ତାତି , ମଞ୍ଜ ଥରି ଯାଉଥିବା ଶୀତ ରାତି , ଦେହ ମନ ସବୁ ଭିଜେଇ ଦେଉଥିବା ବର୍ଷା ଗୀତି .... ଚାରୋଟି ଥାକ, ଚାରୋଟି ଥାଳି , ଚାରୋଟି ପାନିଆ , ଚାରୋଟି ବ୍ରସ୍ ଜିଭଛେଲା , ଚାରୋଟି ତକିଆ , ଚାରିହଳ ଯୋତା , ଚାରୋଟି ଭଗବାନ୍ ଓ ଚାରୋଟି ଭିନ୍ନ ପରିଧିର ଶରୀର ! ଆଉ ଏସବୁ ଭିତରେ ଥାଏ , ଗୋଟିଏ ଠାକୁରଙ୍କ ଥାକ , ଗୋଟିଏ ଚୁଲି , ଗୋଟିଏ ରନ୍ଧାପାତ୍ର , ଗୋଟିଏ ବ୍ରସ୍ ଷ୍ଟାଣ୍ଡ୍ , ଗୋଟିଏ ସସ୍-ପେନ୍ , ଗୋଟିଏ କମ୍ବଳ ଓ ଗୋଟିଏ ମାତ୍ର ଦର୍ପଣ , ଯାହାକୁ ଆମେ ସମସ୍ତେ ଭାଗବାଣ୍ଟ ହେଉ । ସେଇ ଭାଗବଣ୍ଟାରେ ଥାଏ କିନ୍ତୁ ଅନେକ୍ ତୃପ୍ତି । ସମୟ ବି ନଈ ପରି ଅଣ୍ଟା ଦୋହଲାଇ ପ୍ରେମ ଢାଳିଢାଳି ଚାଲିଥାଏ । ଆଉ ତା ସହ ଆମ ପ୍ରେମ ଓ ଆମ ସଂପର୍କ ବି !
ସମୟର ତାଳେ ତାଳେ ସେ ବି ଅନେକ୍ ଭିତରେ ମୋତେ ଏକ ନୂଆ ସ୍ପର୍ଶ ଦେଇସାରିଥାଏ । ତ' ବି ଏକ ସୌଭାଗ୍ୟ ! ଜନ୍ମରୁ ହିଁ ନାରୀ ଓ ପୁରୁଷ ତାଙ୍କ ସ୍ବପ୍ରକୃତି ସହ ଭୂମିଷ୍ଠ ହୁଅନ୍ତି । ପ୍ରତ୍ୟେକ ମଣିଷ ସ୍ନେହ କାଙ୍ଗାଳ , ପ୍ରକାଶ୍ୟରେ ବା ଅପ୍ରକାଶ୍ୟରେ । ଏକଥା କେବେବି ଭୁଲ୍ ନୁହେଁ ! ଆଉ ମା'ଟିଏ ହୋଇ ପାରିବା ବା ପାଇ ପାରିବା ,ୟେ ବି ସହଜ ନୁହେଁ । ଅନ୍ତଫାଡି ଜନ୍ମ ଦେଇ ଦେଲେ ଖାଲି ମା ହୋଇ ଯାଆନ୍ତି ନି । ମା'ର ମମତା ଯେଉଁଠୁ ଗଙ୍ଗାପରି ବୋହିଯାଏ , ମନ ତ ସେଇଠି ଆପେ ବାନ୍ଧି ହୋଇ ଯାଏ ! ସେମିତି ବୋଧେ ମୋ ସହ କିଛି ଘଟିଗଲା !
କେବଳ ମୁହଁର ସୁନ୍ଦରତାକୁ ନେଇ ସଂପର୍କ ବାନ୍ଧି ହୁଏନା । ସଂପର୍କ ତ ଏମିତି ଏକ ଚେର , ତାକୁ କେବଳ ବାହାରେ ନୁହେଁ , ଅନ୍ତରରେ ଅନୁଭବ କରିହୁଏ । ସେଇଠି ହିଁ ସୁନ୍ଦରତା ମାପି ହୋଇଯାଏ ,ଦୁଇ ପାଖର। ଆଉ ମନ ଭେଦିବାକୁ ମାପକାଠି ଟିଏ ଲୋଡେ ସେତେବେଳେ ! ସେ ଯା'ବି ହେଉ , ସଂପର୍କ ଯେ ଏକ ଅଜଣା ଦ୍ବୀପର ମଞ୍ଜି ଏକଥା ସମସ୍ତଙ୍କୁ ଜଣା । ପାଣି ପବନ ସୁହାଇଲେ ବଞ୍ଚିଲା , ନହେଲେ .... ।
ହଁ , ମୁଁ ସେମାନଙ୍କୁ ନାମ୍ ଦେଇଥିଲି ଗୋରୀ , କାଣୀ ଓ ଛୋଟୁ(ମୁଁ ଗେହ୍ଲରେ ଡାକେ ଟମ୍ପେଠୁ) ! ଭଲପାଇବା ଯେମିତି ଥିଲା ,ମୋ ପ୍ରତି ଭୟ ବି ସେମିତି ଥାଏ । ଜାଣେନା କାହିଁକି । ବୋଧହୁଏ , ମୋ ଅନୁଶାସନ ପାଇଁ ! ଯେତେ ଗାଳିମନ୍ଦ କଲେ ବି ରାତିରେ ମୋରି ଉପରେ ସମସ୍ତେ ଗୋଡ଼ ହାତ ଲଦି ନ ଶୋଇଲେ , ସେମାନଙ୍କୁ ନିଦ।ହୁଏନି , କି ମୋତେ ବି । ଧୀରେ ଧୀରେ ମୋର ବି ଆଦତ୍ ପଡ଼ିଗଲା । ମୁଁ କିନ୍ତୁ ଶୋଇ ପାରେନି କେହି ମୋ ଦେହରେ ଲାଗିକି ଶୋଇଲେ । ଘରେ ବି ସେମିତି , ମୋ ଜିନିଷରେ କେହି ହାତ ମାରନ୍ତି ନି, ମୁଁ ଖୁବ୍ ବିଗିଡେ । ମୋ ରୁମ୍ ରେ ମୁଁ ଏକୁଟିଆ ଶୁଏ । ଆମ ଘରକୁ ମୁଁ ନିଜେ ସଜାଡି ରଖେ । ସେମିତି ଏଠି ବି କରେ । ସେମାନେ ସବୁ ଶୋଇ ଗଲା ପରେ , ରୁମ୍ ସଜାଡ଼ିକି ରଖେ ।ଛୋଟ ଘରଟିଏ ହେଉ ପଛେ , ପରିଷ୍କାର ରହୁ । ଯେତେ କହିଲେ ବି ଶୁଣନ୍ତି ନି , ହସି ଦେଇ ଚୁପ୍ ହୋଇ ଯାଆନ୍ତି , ଜାଣନ୍ତି ମୁଁ କରିଦେବି ବୋଲି ! ସମୟ ବି ପାଖେଇ ଆସୁଥାଏ ,ଘର ବାହୁଡା଼କୁ । ଭିତରେ ଭିତରେ ସମସ୍ତେ ଖୁସି ଥାଉ କି ଦୁଃଖ କରୁ , ମାପିନି ; କିନ୍ତୁ ଭଉଣୀଟିଏର ଅଭାବରେ ମୁଁ ପୁଣି ଥରେ ଯେ ହଜିଯିବି , ସେତିକି ଜାଣିପାରୁଥାଏ ଓ ରାତିରେ ସେମାନେ ଶୋଇଗଲା ପରେ ସେମାନଙ୍କୁ ଦେଖି ଚୁପ୍ ଚାପ୍ ଲୁହ ଗଡ଼ି ଆସେ କ
ୋଉଠୁ କେଜାଣି ! ବୁଝି ପାରେନି ଏମାନେ ମୋତେ ବାନ୍ଧି ଦେଇଛନ୍ତି ନା ମୁଁ ନିଜେ ବାନ୍ଧି ହୋଇ ଯାଇଛି ସେମାନଙ୍କ ସହ କେଉଁ ସଂପର୍କରେ !
କଥାରେ ଅଛି, ସମ୍ପର୍କ, ଯେତେ ଶୀଘ୍ର ଯୋଡ଼ି ହୁଏ , ସେତେ ଶୀଘ୍ର ଭାଙ୍ଗି ଯାଏ । ହେଲେ ମୁଁ ଭାବେ ,ସମ୍ପର୍କ , ଏକ ଏମିତି ବନ୍ଧନ , ଯାହା ଥରେ ଯୋଡ଼ି ହୁଏ , ତାହା କେବେବି ଭାଙ୍ଗେନି । ଯଦି ଭାଙ୍ଗେ , ତେବେ ଏ ଶରୀରରୁ ପ୍ରାଣ ଛାଡ଼ି ଗଲା ପରେ, ହୁଏତ । ମଣିଷ ନିଜକୁ ସଂପର୍କଠୁ ଦୂରେଇ ରଖିବା ଏକ ମିଛ ଦୁନିଆରେ ବଞ୍ଚିବା ସହ ସମାନ୍ । ଅର୍ଥାତ୍ ଜ୍ଞାତ ସାରରେ ହେଉ ବା ଅଜ୍ଞାତ ରେ ସେଇ ସଂପର୍କକୁ ବେଶୀ ମନେପକାଏ ସେ ! ତେଣୁ ସଂପର୍କ କେବେ ଆପଣାଛାଏଁ ମରିଯାଏ ନି , ତାକୁ ମାରିଦିଆଯାଏ !
ସେମିତି କିଛି ସଂପର୍କରେ ବୋଧେ ଆମେ ପରସ୍ପରେ ବାନ୍ଧି ହୋଇଥିଲୁ । ଥରେ ମୁଁ ନଥିବା ସମୟରେ ,ଆର ଦୁଇ ଜଣ ଛୋଟୁଟିକୁ କଣ କଥାରେ କହିଲେ ,ଦିଦିର ଚେଲି ,ଆଜି ତୋ ଦିଦି ନାଇଁ, ଆମେ ତୋ ଦିଦି । ସଙ୍ଗେ ସଙ୍ଗେ ମୁହଁ ଫଣ୍ ଫଣ୍ କରି କହିଲା," ଏ , ତୁମ ପାଇଁ ସିନା ସେ ଅପା ! ମୋ ଦିଦିକୁ ମୁଁ ମାର ସମ୍ମାନ ଦିଏ ।ତାଙ୍କୁ ମା ଭଳି ଭାବେ । ତାଙ୍କ ଜାଗା ତୁମେ ମାନେ କେବେବି ନେଇ ପାରିବନି ! କେବେବି ନୁହଁ ! " ଅନ୍ୟ ଦୁଇ ଜଣଙ୍କ ମୁହଁରୁ , ତା ଅଲକ୍ଷ୍ୟରେ ଯେବେ ଏକଥା ଶୁଣିଲି , ଆଶ୍ଚର୍ଯ୍ୟ ହୋଇଗଲି ! କଣ ମୁଁ ଦେଇଛି ଏମାନଙ୍କୁ ? ହେଲେ ସତରେ କଣ ଏମିତି କେହି ଏତେ ଭଲ ପାଇପାରେ ? ଏତେ ଅନ୍ତରରୁ ? ସେତେବେଳେ ମୋ ଭିତରେ ଏକ ମା'ର ଅନୁଭବ ଆସୁଥାଏ । ଆଖିରେ ଲୁହ ଆସି ଯାଉ ଥାଏ । ତାପରେ ଏ ଦୁଇ ଜଣ ବି ଆସି ମୋତେ କୁଣ୍ଢେଇ ପକେଇଲେ । କହିଲେ ଆମେ ବି ତୁମକୁ ବହୁତ୍ ଭଲ ପାଉ ! ରୋକି ପାରୁ ନଥାଏ ସେ ଅମାନିଆ ଲୁହଗୁଡ଼ିକୁ । ସତରେ ସେଇ ଛୋଟୁର ଡାକଟା ଟିକେ ବେଶୀ ଛୁଇଁ ଯାଉଥିଲା ମୋତେ । ସମୟ ସ୍ରୋତରେ , ବୋଧେ ବାଟବଣା ହୋଇ ଯାଏ କିଛି ସଂପର୍କ , ଭୁଲ୍ ଠିକ୍ ଜାଣି ପାରେନି । ତାର ପରିଣତି ଦୂରତା ଓ ଶୂନ୍ୟତା । କର୍ପୂର ପରି ଉଡି ତ ଯାଏନି ,କିନ୍ତୁ ଛିଡି ଯାଏ ସେ ସଂପର୍କ ,ଆଉ କନା ପରି ପଡ଼ି ରହେ କିଛି ଅଭୂଲା ସ୍ମୃତି । ସେଦିନଠୁ , ବୋହି ଯାଇଥିଲା କି ଭୂମିକମ୍ପରେ ପଶି ଯାଇଥିଲା ସେ ଡାକ ଜାଣେନି ......
ଏଇ ଏବେ ଏବେ ହିଁ ତ ଭେଟିଛି ! ଦେଖିଲା ଦିନଠୁ ଆଖିଟା ଲାଖି ଯାଇଛି । ଅନେକ୍ ପ୍ରଶ୍ନର କୁହେଳି ଭିତରେ ଥାଇ ବି ଓଠ ମୋର ଥିଲା ଚୁପ୍ । ଖାଲି ଯେମିତି ତାକୁ ମୋରି ଭିତରେ ଲୁଚାଇ ଦେବାର ସେଇ ଆଦିମ ଇଚ୍ଛାଟିକୁ ,କାହିଁକି କେଜାଣି ମନେମନେ ଚାପି ଦେଇଥିଲି । ନା ହୁଏତ ସେ କୌଣସି ସଂପର୍କରେ ସଂପର୍କିତ ହେବାକୁ ନଚାହିଁ ପାରେ ! ସେଇ କଷ୍ଟରେ , ନୀରବ ରହିବା ହିଁ ଶ୍ରେୟ ମଣିଲି । ଫେରି ଆସିଲି ଘରକୁ , ତାଠୁ କିଛି ଚୋରେଇ ଆଣିଥିଲି ସାଙ୍ଗରେ ଅବଶ୍ୟ ! ଅନେକ୍ ସମୟରେ ତା କଥା ଭାବେ ,ହେଲେ ସାହସ୍ ପାଏନି ଏତିକି କହିବାକୁ ,ଏ ତୁ କାହିଁକି ଏତେ ଭଲ ଲାଗୁଛୁରେ ! ଲାଗୁଥିଲା ଯେମିତି ମନଟା କେଉଁ ଗୋଟେ ସୁଡ଼ଙ୍ଗ ଦେଇ ବୋହିଯାଇଛି ତା'ରି ପାଖକୁ । ଦୁଇ ଦିନ୍ ପରେ ମୋ ସହ କଥା ହେଲା । ଖୁବ୍ ଖୁସି ଲାଗିଲା । ହଠାତ୍ କହିଦେଲା , 'ମାମୁନି ଦିଦି' ଡାକିବି ତୁମକୁ , ଆଉ ମ୍ୟାମ୍ କହିବିନି । ମୋତେ ଲାଗିଲା ଭୂଗର୍ଭକୁ ପଶି ଯାଇଥିବା ସଂପର୍କ ପୁଣି ଆଗ୍ନେୟଗିରି ଫଟେଇ ଆଜି ବାହାରି ଆସିଛି ।
ଓଃ .... ସେଇ ୧୫ ବର୍ଷ ତଳର ସେଇ ଡାକ କାନରେ ବାଜି ଛାତି ଭିତରକୁ ପଶିଯାଉଥାଏ । ଅମାନିଆ ଲୁହଗୁଡା ପୁଣି ଆସିଲେ ଖୁସି ମିଶା । କହିଲି ଆଉଥରେ ଡାକ୍ ! ମୋ ଖୁସି ଆଉ ଲୁହ ଏକାକାର୍ ହୋଇ ଯାଉଥାନ୍ତି । ଇଚ୍ଛା ହେଉଥିଲା ଧାଇଁ ଯାଇ ତା ଗାଲରେ ଅଜସ୍ର ଗେହ୍ଲ କରି କୁଣ୍ଢେଇ ପକେଇବିକି ଆଉ ! ଅନେକ ଦିନର ହଜି ଯାଇଥିବା ସେଇ ଡାକ, ବୋଧେ ବହୁତ୍ ଝୁରି ହୁଏ ବୋଲି ଆଉ ଏକ ମିଠା ସଂପର୍କରେ ବାନ୍ଧି ହୋଇ ଆସିଗଲା ? ଖୁବ୍ ମିଠା ଲାଗୁଥିଲା ଏ ଡାକ ତାର , କହିଲି , ତୁ ଆଜିଠୁ ମୋ ପାଇଁ 'ସୁଇଟି' । ଅଭାବିମନ ବୋଧେ ଖୋଜି ପାଇଯାଏ ତାର ହଜିଲା ଧନକୁ !! ତେବେ ଏଇଟା ପୁନର୍ଜନ୍ମ ନା ଜୀବନ୍ୟାସ ସେଇ ସଂପର୍କର ନା ଆଉ କ'ଣ !!