STORYMIRROR

Minakshi Samal

Classics

3  

Minakshi Samal

Classics

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

6 mins
316


ଫନି ମହାବାତ୍ୟାର ଚଉଦ ଦିନ ବିତିଗଲାଣି ।ହାହୁତାଶମୟ ହୋଇଛି ଜୀବନ। କଳ୍ପନାତୀତ ବିଧ୍ବଂସ ଘଟାଇଛି ପବନ ଦେବଙ୍କ କ୍ରୋଧ। ମଣିଷଙ୍କ ଦର୍ପଦଳନର ଏଇ ଗୋଟିଏ ପନ୍ଥା ଭାବି ହୁଏତ କିଛି ଶିକ୍ଷା ଦେବାର ଅଭିପ୍ରାୟ ଥାଇପାରେ ତାଙ୍କର।


ବୈକୁଣ୍ଠ ବିହାରରେ ଅବସ୍ଥିତ ନୀଳାଦ୍ରୀଶ ନିବାସ।ବିପର୍ଯ୍ୟସ୍ତ ଘର। କାଚ ଝରକା ସବୁ ଭାଙ୍ଗି ଯାଇଛି। ଛାତର କବାଟ ଉଡିଯାଇଛି। ଡିସ୍ ଆଣ୍ଟିନାର କୌଣସି ଚିନ୍ହବର୍ଣ୍ଣ ନାହିଁ। ସକାଳ ସମୟଟି ଯେଉଁ ଗଛ ମାନଙ୍କ ସଙ୍ଗେ ବିତାନ୍ତି ,ସେମାନଙ୍କର କୌଣସି ସତ୍ତା ନାହିଁ।ପାଚେରୀ ଉପରେ ପଡୋଶୀଙ୍କ ନଡ଼ିଆ ଗଛ ଭାଙ୍ଗି ପଡିଛି ଓ ତାଙ୍କର ଅର୍ଦ୍ଧେକ କାନ୍ଥକୁ ନଷ୍ଟ କରିଦେଇଛି। କିଚେନ ଗାର୍ଡେନ୍ ରେ ଲଗାଯାଇଥିବା ଟମାଟୋ,କଞ୍ଚାଲଙ୍କା ,କୋଶଳା ଶାଗ ଓ ଗୁଆଳି ବାଇଗଣ ଗଛ ଗୁଡିକ ପଚିଯିବା ଉପରେ। ଏଇ ମାନଙ୍କୁ ଦେଖି ଖୁବ କଷ୍ଟ ଅନୁଭବ କରୁଥିଲେ ପରିତୋଷ ସାର୍।


ପରିତୋଷ ବ୍ରହ୍ମା। ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଇଂରାଜୀ ବିଭାଗର ଟ୍ରେନ୍ଡ୍ ଗ୍ରାଜୁଏଟ୍ ଟିଚର୍। ଭାରତ ବର୍ଷର ଉତ୍ତର ପୂର୍ବାଞ୍ଚଳରୁ ଆରମ୍ଭ କରି ଦକ୍ଷିଣ ଭାରତ,ପଶ୍ଚିମରେ ଗୁଜରାଟର ଭୂଜ ଠାରୁ ଆରମ୍ଭ କରି କେନ୍ଦ୍ରରେ ଭୋପାଳ ଆଦି ଅନେକ ସ୍ଥାନରେ କାର୍ଯ୍ୟଭାର ସୁଚାରୁ ରୂପେ ସମ୍ପାଦନ କରି ତିନିବର୍ଷ କାଠମାଣ୍ଡୁ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ନିଜର ସେବା ପ୍ରଦାନ କରି ଅବସର ଗ୍ରହଣ କରିବା ପୂର୍ବରୁ ନିଜର ଜନ୍ମମାଟି ପୁରୀକୁ ଫେରି ଆସିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ରିଟାୟାର କରିଛନ୍ତି ସେ। ଏକ ବର୍ଣ୍ଣାଢ୍ୟ ପରିବେଶରେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ପରିତୋଷ ସାରଙ୍କୁ।


ଗତ ଚାରିମାସ ଧରି ପତ୍ନୀଙ୍କ ସହିତ ପ୍ରାୟ ସମସ୍ତ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ବୁଲି ଯାଇ ଆସିଲେଣି।ଏଥର ତ ସମ୍ପୂର୍ଣ୍ଣ ଭାବେ ମୁକ୍ତ ସେ। କାର୍ଯ୍ୟାଳୟର କୌଣସି କାମ ନାହିଁ। ପିଲାମାନେ ସ୍ବୟଂ ସମ୍ପୂର୍ଣ୍ଣ। ନିଜ ନିଜର କର୍ମସ୍ଥଳୀରେ ବ୍ୟସ୍ତ। ଚାକିରୀ ଜୀବନରେ ପୂରଣ ନହୋଇ ପାରିଥିବା ଆଶା ଗୁଡିକୁ ପୂରଣ କରିବାର ପଣ କରିଥିଲେ ସାର୍। ପତ୍ନୀଙ୍କୁ ନେଇ ତୀର୍ଥସ୍ଥାନ ସବୁ ବୁଲାଇବେ, ବଗିଚାରେ ଫୁଲଗଛ ଲଗାଇ ତାଙ୍କ ଯତ୍ନ ନେବେ ଓ ଖୁବ୍ ବହି ପଢିବେ। ନିଜର ଯୋଜନା ସବୁକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିଥିଲେ ପରିତୋଷ ସାର୍।


ସେଇ ଡିସେମ୍ବର ମାସରେ ନର୍ସରୀ ରୁ ଚାରାଗଛ ସବୁ କିଣିଆଣି ଥିଲେ।ଘର ସାମନାରେ ଗଛ ପାଇଁ ସଂରକ୍ଷିତ ଜାଗାରେ ଯତ୍ନର ସହିତ ଚାରା ଗଛ ଗୁଡିକ ଲଗାଇ ଦେଇଥିଲେ। ଠିକ୍ ସମୟରେ ସକାଳ ଓ ସଞ୍ଜରେ ପାଣି ଦେଉଥିଲେ। ପତ୍ନୀଙ୍କ ସହିତ ଚେୟାରରେ ବସି ଖୁବ ନିରିଖେଇ କି ଦେଖୁଥିଲେ ଗଛମାନଙ୍କୁ। ଅବସର ବିନୋଦନର ଏଇଟା ଏକ ଜରିଆ ହୋଇଯାଇଥିଲା ତାଙ୍କ ପାଇଁ।


ଏପ୍ରିଲ ମାସ କୋଡିଏ ତାରିଖରୁ ସମ୍ବାଦପତ୍ର ଓ ଦୂରଦର୍ଶନରେ ବାରମ୍ବାର ବାତ୍ୟା ଆସିବାର ସୂଚନା ପାଉଥିଲେ ପରିତୋଷ ସାର୍ । ପତ୍ନୀ ଶାରଦା ଖୁବ୍ ବ୍ୟସ୍ତ ହୋଇଯାଉଥିଲେ। ସାର୍ ବୁଝେଇ ଦେଉଥିଲେ ତାଙ୍କୁ, କିଛି ହେବନି ବୋଲି ବୋଧ ଦେଉଥିଲେ। ପଚିଶ ତାରିଖ ସନ୍ଧ୍ୟାରେ ସାନ ପୁଅର ଭିଡିଓ କଲ୍ ଆସିଲା ହାଇଦ୍ରାବାଦରୁ। ବାତ୍ୟା ର ସାମନା କରିବା ପାଇଁ ସବୁପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାପାଇଁ ବାପା ମା'ଙ୍କୁ ବାରମ୍ବାର ମନେ ପକାଇ ଦେଲା। ସତେଇଶ ତାରିଖ ସକାଳୁ ସକାଳୁ ବଡପୁଅର ଫୋନ୍ ପୁନେ ରୁ, ଖୁବ୍ ବ୍ୟସ୍ତ ହୋଇ ବାପାଙ୍କୁ ଫନୀ ବାତ୍ୟା ପାଇଁ ସତର୍କ ରହିବାର ଚେତାବନୀ ଦେଉଥିଲା। ଘରୁ ବାହାରକୁ ନଯିବାର ବିନୀତ ଅନୁରୋଧକୁ ସ୍ବୀକାର କରି ପିତାସୁଲଭ କଣ୍ଠରେ ଆଶ୍ବାସନା ଦେଲେ ପୁଅକୁ।


ମେ ମାସ ଏକ ତାରିଖ। ଟିଭି ଓ ସମ୍ବାଦ ପତ୍ରରେ ସେଇ ଏକରକମ ଖବର। ମନରେ ଶଙ୍କା । ପୁଣି ସେ ଶଙ୍କା କିଛିକ୍ଷଣ ପରେ ଦୂରୀଭୂତ ହୋଇ ବାଷ୍ପ ହୋଇଯାଉଥାଏ।ଦୁଇ ତାରିଖରେ ଆଖ ପାଖ ସାହି ପଡିଶା ଲୋକମାନଙ୍କର ମେଳି,ଭାଳେଣୀ। ମହାବାତ୍ୟାର ଆଗମନ ନେଇ କେତେ ଚିନ୍ତା,ଅନୁଚିନ୍ତା, ଯୋଗାଡ ଯନ୍ତ୍ର। ଆଗାମୀ ଦିନଗୁଡିକ ପାଇଁ ଖାଦ୍ୟ ସାମଗ୍ରୀ,ମହମବତୀ,ଦିଆସିଲି,ଶୁଖିଲା ଖାଦ୍ୟ ଆଦି ସମସ୍ତଙ୍କ ଘରେ ଗଛିତ ହୋଇ ରହିଲା। ପାଣି ଟାଙ୍କିରେ ପାଣି ଭରାଗଲା। ପିଇବା ପାଣି କୁ ମଧ୍ୟ ଯଥାରୀତି ସମସ୍ତେ ଯୋଗାଡିକି ରଖିଲେ।ଏହାସହିତ ସମସ୍ତେ ଆଉ ଗୋଟିଏ ପ୍ରତିଜ୍ଞା କଲେ ଯେ ବାତ୍ୟା ସମୟରେ କେହି ବାହାରକୁ ଯିବେ ନାହିଁ,ଯାହାର କିଛିବି ଅସୁବିଧା ହୁଏ ସେ ନିଃସଙ୍କୋଚ ହୋଇ ଅନ୍ୟକୁ ଜଣାଇବେ।


ମେ ତିନି ତାରିଖ।ରାତିସାରା ଶୋଇପାରି ନାହାଁନ୍ତି ସାର୍।ଆଶଙ୍କାରେ ମନଟା ଭାରି ଗୋଳେଇ ଘାଣ୍ଟି ହେଉଛି ସାର୍ ଙ୍କର।ଦୁଶ୍ଚିନ୍ତା ସବୁ ଡକାଡକି ହେଇକି ତାଙ୍କର ସଭା ବସଉଛନ୍ତି ସାରଙ୍କ ମୁଣ୍ଡରେ।ଗଛ ମାନଙ୍କୁ ଟିକେ ମନ ପୁରେଇ ଦେଖିନେଲେ।ପାଣି ଦଉ ଦଉ ସାଉଁଳେଇ ଦେଲେ ତାଙ୍କର ଦେହ। ଗୋଲାପ କଢି ଗୁଡିକ କିଛି କହିବା ପରି ଲାଗୁଥିଲେ। ମାଳତୀ ଲତାଟି ଫୁଲର ସମ୍ଭାରରେ ଝୁଙ୍କି ପଡିଥିଲା। ଡାହାଣ ପଟେ ଲଗାଯାଇଥିବା ଟମାଟୋ ଗଛ ଗୁଡିକରେ ଏବେବି ଫଳ ଭରି ରହିଥିଲା।ଅମୃତଭଣ୍ଡା ଗଛ ର ସବୁଠାରୁ ତଳେ ଥିବା ଫଳଟି ପାଚିଆସୁଥିଲା।।ଘର ପଛ ପଟେ ଥିବା କଞ୍ଚା ସୁଆଦି ଆମ୍ବଗଛଟିରେ କାହିଁକି କେଜାଣି ଏବର୍ଷ ଆମ୍ବ ଲଦି ହେଇ ଯାଇଥିଲା।କୋଇଲି ଟି ବିକଳ କଣ୍ଠରେ କୁହୁତାନ କରୁଥିଲା।

ଭାରାକ୍ରାନ୍ତ ମନ ନେଇ ସାର୍ ଘରକୁ ଆସିଲେ। ପତ୍ନୀ ଶାରଦା ଆଠଟା ବାଜୁଣୁ ନବାଜୁଣୁ ସକାଳ ଜଳଖିଆ ସହିତ ସାରାଦିନର ଖାଦ୍ୟ ରାନ୍ଧି ସାରିଥିଲେ। ଖାଇବାକୁ ତ ଦୁଇଜଣ ଲୋକ ମାତ୍ର। ପାଟିକରି ସ୍ବାମୀଙ୍କୁ ଘର ଭିତରକୁ ଆସିବାକୁ କହିଲେ। ସାର୍ ନିଜର ନିତ୍ୟକର୍ମ ସାରି ଠାକୁର ଙ୍କ ପୂଜାରେ ବସିଲେ। ଧୀର ପଦରେ ଜଳଖିଆ ଥାଳିଟି ଧରି ବାହାର ବାରଣ୍ଡାକୁ ଆସି ଚେୟାରରେ ବସି ଖାଇବା ଆରମ୍ଭ କଲେ।ଏଭିତରେ ଶାରଦା ଚା'କପ୍ ଦୁଇଟି ଆଣି ଗୋଟିଏ ସାରଙ୍କ ହାତରେ ଦେଇ ପାଖରେ ଥିବା ଚେୟାରକୁ ଟାଣି ନିଜେ ଚା ପିଇବାକୁ ବସିପଡିଲେ।ସକାଳୁ ସକାଳୁ ଦୁଇ ପୁଅ ପୁଣିଥରେ ବାପା ମା ଙ୍କୁ ସତର୍କ କରିଦେଇଥା'ନ୍ତି।


ନଅ ଟା ବାଜିଲା।ଧୀରେଧୀରେ ପବନ ବହିବା ଆରମ୍ଭ ହୋଇଗଲା।ଲାଗୁଥିଲା ତିତଲୀ ବାତ୍ୟାପରି ଏଥର ଫନୀ ବାତ୍ୟା ମଧ୍ୟ ଉପକୂଳ ଛୁଇଁକି ଚାଲିଯିବ।ମନ ଭିତରେ ଉଦବେଗ ପୁଣି ତିତଲୀ ପରି ମିଛ ଆଶ୍ବାସନା। ପବନର ବେଗ ବଢି ଚାଲିଥାଏ।ଆଉ ବସିହେଲାନି ବାରଣ୍ଡାରେ।ବାହାରର ବାଲିଧୂଳି ଆସି ଆଖିନାକରେ ପଶିଯାଉଥାଏ।କବାଟ ଝରକା ସବୁ ଧଡ୍ ଧାଡ୍ ଶବ୍ଦ କରି ପିଟି ହେଉଥା'ନ୍ତି।ଅସହ୍ୟ।ଅଗତ୍ୟା ପତି ପତ୍ନୀ ଦୁଇଜଣ ଘର ଭିତରେ ପଶି ଦରଜା ବନ୍ଦ କରିଦେଲେ କୌଣସିମତେ। ପବନ ତା'ର ତାଣ୍ଡବଲୀଳା ଆରମ୍ଭ କରି ସାରିଥାଏ। ସେ ଯେଉଁ ଶବ୍ଦ ତାହା ଅଙ୍ଗେ ନ ନିଭେଇଲେ ବୁଝିହୁଏନା। କାନ ତାବଦା ହୋଇଯାଉଥାଏ। ଲାଗୁଥାଏ ଆଜିହିଁ ସୃଷ୍ଟି ଧ୍ବଂସ ହୋଇଯିବ । ଗଛ ସବୁ କଟ କଟ ଶବ୍ଦ କରି ଭାଙ୍ଗି ପଡୁଥା'ନ୍ତି। କାହା ଘରର ଚାଳ ଛପର ଉଡିଯାଉଥାଏ ତ କାହା ଝରକାର କାଚ ଝଣ ଝଣ ହୋଇ ଭାଙ୍ଗି ଗଳି ପଡୁଥାଏ,କାହାର ପାଚେରୀ ଭୁଷୁଡି ପଡିଲାଣି ତ କାହାର ପାଣିଟାଙ୍କି ଭାଙ୍ଗି ଉଡିଗଲାଣି,କାହାର ଗାଡି ଓଲଟି ଗଲାଣି ତ କାହାର ଡିସ୍ ଆଣ୍ଟିନା କାନ୍ଥ ସମେତ ଗାୟବ,ଇଲେକ୍ଟ୍ରିକ୍ ଖୁଣ୍ଟ ଉପୁଡି ପଡି ଲାଣି ତ ତାର ସବୁ ବୁଢିଆଣୀ ଜାଲ ପରି ଛନ୍ଦି ହୋଇଗଲେଣି।।ଦୀର୍ଘ ତିନି ଘଣ୍ଟା ଧରି ମନତୋଷ ହେଲା ପର୍ଯ୍ୟନ୍ତ ପବନ ଦେବ ତାଙ୍କର ଲୀଳା ଖେଳା ରଚାଇ ଓ ନିଜର ଶକ୍ତି ପ୍ରଦର୍ଶନ କରି ଚାଲିଗଲେ। ଖିନ ଭିନ ହୋଇଗଲା ଚତୁର୍ଦ୍ଦିଗ। ଅନ୍ଧକାରର ଏକ ପରଳ ମାଡିଗଲା ଚତୁର୍ଦ୍ଦିଗରେ। ଚାରିଆଡେ ଖାଲି ଧ୍ବଂସର ନଜାରା।


କରେଣ୍ଟ ନାହିଁ।କେବେ ଆସିବ ଠିକ୍ ନାହିଁ। ଟାଓ୍ବାର ଭାଙ୍ଗି ଯାଇ ଥିବାରୁ କାହା ସାଙ୍ଗରେ କଥା ହୋଇ ପାରୁନଥିଲେ ପରିତୋଷ ସାର୍। ସାହିର ସମସ୍ତଙ୍କର ଚେଷ୍ଟାରେ ଜେନେରେଟର ଟିଏ ଯୋଗାଡ ହେଲା। ଦିନରେ ଦୁଇଘଣ୍ଟା ଲେଖା ଲାଇନ ମିଳିବା ଯୋଗୁଁ ଟାଙ୍କିରେ ପାଣି ଭରା ହେଲା ଓ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ହୋଇ ପାରିଲା।


ଛ' ତାରିଖ ବେଳକୁ ମହମବତୀ ଗୁଡିକ ଶେଷ ହୋଇ ଆସିଲାଣି।ଦୁଇଟି ବାକିଥାଏ।ଶାରଦା ଷ୍ଟୋର ରୁମ୍ ରେ ବହୁସମୟ ଧରି କ'ଣ ଖୋଜି ହେଉଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ଝାଳରେ ଓଦା ହୋଇ ହଜିଗଲା ନିଧି ପାଇଲା ପରି ଖୁସିରେ ଗଦ ଗଦ ହୋଇ ଆସି ସାର୍ ଙ୍କୁ କହିଲେ

ଏଇ ଦେଖ ପେଡି ସାଇତା ମୋ ହାତବୁଣା ବିଞ୍ଚଣା।ଲାଇନ୍ ନଥିବା ତକ କାମରେ ଆସିବ।ଗରମ ଆଉ ମଶା ଦାଉରୁ ଟିକିଏ ତ ରକ୍ଷା ମିଳିବ।


ମହମବତୀ ତ ଆଜି ରାତିରେ ଶେଷ ହେଇଯିବ।ତା ଆଗରୁ ଏଇ ଲଣ୍ଠନଟି ପୋଛି ପାଛି ଦେଲେ କାମରେ ଲାଗିବ।

ସାର୍ ପଚାରିଲେ, କୋଉଠି ରଖିଥିଲ ଏସବୁ ଜିନିଷ?ମାନିବାକୁ ପଡିବ ତୁମ ଘର କରଣା ବୁଦ୍ଧିକୁ।ହେଲେ କିରୋସିନ୍ ତେଲ କୋଉଠୁ ଆସିବ?

ଶାରଦା କହିଲେ ..ଗତ ମାସରେ ରୋଷେଇଘର ଚିମନୀ ସଫା କରିବାକୁ କିରୋସିନ୍ ଆଣିଥିଲ। ସେଥିରୁ କିଛି ବଳିଛି।ସେଇଥିରେ ଆମ କାମ ଚଳିଯିବ ଯେ।

ବିପଦକୁ ସାମନା କରିବାର ସାହସ ଜୁଟାଇ ଥିଲେ ସାର୍ ଓ ତାଙ୍କ ଧର୍ମପତ୍ନୀ।

ଦ୍ବିପ୍ରହର ସମୟ।ପ୍ରଚଣ୍ଡ ଖରା।ଗରମର ଦାଉ ସହିହେଉନି।ସହନ ଶକ୍ତି ଧୀରେ ଧୀରେ ଲୋପପାଉଛି।ପୁଅ ଦୁଇଜଣ ନେଟୱର୍କ ଆସିବା ପରେ ବାରମ୍ବାର ଫୋନ୍ କରି ତାଙ୍କ ପାଖକୁ ଚାଲି ଆସିବାକୁ କହୁଛନ୍ତି।ହେଲେ ସମସ୍ୟାର ସାମନା ନକରି ପଳାତକ ସାଜିବାକୁ ସାର୍ ଙ୍କ ଇଚ୍ଛା ନୁହେଁ।

ବାରଣ୍ଡାରେ ଚେୟାର ଉପରେ ବସିଥିଲେ ସାର୍।ହଠାତ୍ ଗେଟ୍ ରେ କିଏ ଜଣେ ଡାକିବାର ଶବ୍ଦ ଶୁଣି ସାର୍ ଗେଟ୍ ଖୋଲିବାକୁ ଆସିଲେ।ଜଣେ ହୃଷ୍ଟପୁଷ୍ଟ ଯୁବକଙ୍କୁ ଦେଖି ହଠାତ୍ ଚିନ୍ହି ପାରିଲେନି ସେ।


ପଚାରିଲେ.......କାହାକୁ ଖୋଜୁଛନ୍ତି?


ଉତ୍ତର ନଦେଇ ସାର୍ ଙ୍କ ପାଦ ଛୁଇଁଲେ ଯୁବକ ଜଣକ।

ଗୁଡ୍ ଆଫଟରନୁନ୍ ସାର।ମାଇସେଲ୍ଫ ପୁଷ୍କରାଜ।ପୁଷ୍କରାଜ ସୁରେନ୍ଦ୍ର ଦାଲୁ।

ଫେରିଗଲେ ସାର୍ ପନ୍ଦର ବର୍ଷ ତଳକୁ।କଲିକତାର କେନ୍ଦ୍ରୀୟ ବିଦ୍ୟାଳୟ ନଂ୨ ସଲ୍ଟଲେକ ରେ ଥିବାବେଳେ ଏଇ ପିଲାଟିର ଆଡମିଶନ୍ ହୋଇଥାଏ।ଦକ୍ଷିଣ ଭାରତରୁ ଆସିଥିବାରୁ ତାକୁ ଅନ୍ୟ ପିଲାମାନେ ଇମଲୀ,ସାମ୍ବର କହି ଚିଡାଉଥିଲେ।ପିଲାଟିର ଭାଷା ସମସ୍ୟା ବି ଥିଲା।ଖୁବ୍ ଡରିଡରି ରହୁଥିଲା ପିଲାଟି।ତାକୁ ଥରେ ଖୁବ୍ ବୁଝାଇଥିଲେ ପରିତୋଷ ସାର୍। ସମସ୍ୟାର ମୁକାବିଲା କରିବାକୁ ଶିଖାଇଥିଲେ। ନୀଡର ହୋଇ ଦୃଢମନୋବଳ ସହିତ ଆଗକୁ ବଢିବାକୁ ଶିଖାଇଥିଲେ।ଧୀରେଧୀରେ ପିଲାଟି ପରିବର୍ତ୍ତନ ହେବାକୁ ଲାଗିଲା।ଦୁଇବର୍ଷ ପରେ ତାର ପିତାଙ୍କର ରିସର୍ଚ୍ଚ କାମ ସରିଯିବା ପରେ ପିଲାଟି ପୁଣି ଟ୍ରାନ୍ସଫର ହୋଇ ଚାଲିଗଲା।ୟାପରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ପୁଷ୍କରାଜ ହାପି ଟିଚର୍ସ ଡେ ଓ୍ବିଶ୍ କରେ।


ଓ ମାଇ ଗଡ୍। ୟୁ ଆର ଦ୍ୟାଟ୍ ପୁଷ୍କରାଜ ।ଖୁସିରେ ଅଭିଭୂତ ହୋଇଯାଉଥିଲେ ସାର୍।

 

ଆଛା ଆସ ଆସ ଭିତରକୁ ଆସ।

ଶାରଦା ଦେଖ ଦେଖ କିଏ ଆସିଛି?ସାର୍ ପୁଷ୍କରାଜ ର ହାତ ଧରି ଭିତରକୁ ଆଣୁଥିଲେ।ଶାରଦାଙ୍କୁ ଦେଖି ତାଙ୍କ ପାଦ ଛୁଇଁ ପ୍ରଣାମ କଲା ପୁଷ୍କରାଜ।

ଚେୟାରଟି ଶିଷ୍ୟ ଆଡକୁ ବଢାଇ ବସିବାକୁ ନିର୍ଦ୍ଦେଶ ଦେଲେ ସାର୍।ଶାରଦା ଭିତରକୁ ଗଲେ ଶର୍ବତ ଆଣିବାକୁ।

ଏଥର ତା'ର ଆସିବାର ଅଭିପ୍ରାୟ ପଚାରିଲେ ସାର୍।


ସେ କହିଲା....ସାର୍ ମୁଁ ଅଫିସିଆଲ୍ ଡ୍ୟୁଟିରେ ପୁରୀ ଆସିଛି।ଫନୀ ସାଇକ୍ଲୋନ୍ ରେ ଇଲେକ୍ଟ୍ରିକାଲଡିଭିଜନ ତରଫରୁ ରେଷ୍ଟୋରେସନ୍ କାମ ପାଇଁ ଆନ୍ଧ୍ରପ୍ରଦେଶ ସରକାର ଯେଉଁ ଇଞ୍ଜିନିୟର ମାନଙ୍କ ଟିମ ସିଲେକ୍ଟ କରିଥିଲେ ସେଥିରେ ମୁଁ ଜଣେ।ଟିମ ଲିଡର ହିସାବରେ ସବୁ ଦେଖାଶୁଣା କରିବା ମୋର ଦାୟିତ୍ୱ।ହଠାତ୍ ମୋର ଆପଣଙ୍କ କଥା ମନେପଡିଲା।ମୁଁ ଜାଣିଥିଲି ପୁରୀ ଆପଣଙ୍କ ନେଟିଭ୍ ପ୍ଲେସ୍।ଏଠିକି ଆସିବାପରେ ଆପଣଙ୍କୁ ଦେଖାକରିବା ମୋର ଟାର୍ଗେଟ ଥିଲା।କାଲି ଫାଷ୍ଟ ଫେଜ୍ କାମ ସରିବା ପରେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ଆପଣଙ୍କ ଠିକଣା ଆଣିଥିଲି।ୟୁ ଡୋଣ୍ଟ ଓ୍ବରୀ ସାର୍।ଏବେ ମୋର ଫାଷ୍ଟ ପ୍ରାଇଅରିଟି ଏଇ ଏରିଆରେ ଇଲେକ୍ଟ୍ରିସିଟି ର ରେଷ୍ଟୋରେସନ୍ ଏବଂ କନେକ୍ସନ୍ ।ଆମର ଅନ୍ୟ ଟିମ୍ ମେମ୍ବର ମାନେ ସବୁ ଅଞ୍ଚଳ ରେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି କନେକ୍ସନ୍ ଦେବାପାଇଁ।ଏଇ ଏରିଆର କାମଟି ଏବେ ମୁଁ ଟେକ ଅପ କଲି ସାର୍।ଆଇ ଓ୍ବିଲ ଟ୍ରାଇ ମାଇଁ ଲେଭେଲ ବେଷ୍ଟ ଟୁ ଡୁ ସମଥିଙ୍ଗ ଫର ୟୁ।ଯେତେ ଜଲଦି ହେଇପାରେ ମୁଁ ଚେଷ୍ଟା କରିବି । ଶରବତ ପିଉ ପିଉ କହୁଥିଲା ପୁଷ୍କରାଜ।ଅପଲକ ନେତ୍ରରେ ପିଲାଟିକୁ ଦେଖୁଥିଲେ ଶାରଦା।ପଛପଟ ଆମ୍ବଗଛରୁ କୋଇଲିର ମିଠା କୁହୁତାନ ହଠାତ୍ ଭାସିଆସିଲା।


ମନେମନେ ଭାବୁଥିଲେ ପରିତୋଷ ସାର୍ କେତେବେଳେ ସ୍ନେହର ପାଣି ଟିକେ ଛିଞ୍ଚିଦେଇଥିଲି ପିଲାଟି ଉପରେ ଯେ ପିଲାଟି ତାର ଫଳଟି ଗୁରୁଦକ୍ଷିଣା ହିସାବରେ ଦେବାପାଇଁ ସୁଦୂର ଆନ୍ଧ୍ରପ୍ରଦେଶରୁ ଧାଇଁ ଆସିଛି।ଖୁସିରେ ଆଖି ଦୁଇଟି ଛଳ ଛଳ ହୋଇ ଉଠୁଥିଲା ତାଙ୍କର।




Rate this content
Log in

Similar oriya story from Classics